ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ରାଜନୀତି ହଲଚଲ। ଏକ ବେଆଇନ ଖଣି ଖନନ ମାମଲାରେ ସାକ୍ଷୀ ଭାବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଜେରା ଲାଗି ସମନ ଜାରି କରିଛି ସିବିଆଇ। ଗୁରୁବାର ଅଖିଳେଶଙ୍କୁ ଜେରା କରିବ ସିବିଆଇ। ୨୦୧୨ରୁ ଜୁନ ୨୦୧୩ ଯାଏ ଖଣିବିଭାଗ ଦାୟିତ୍ବରେ ଥିଲେ ଅଖିଳେଶ। ଉତ୍ତରପ୍ରଦେଶର ସାମଲି, କୌସାମ୍ବି, ଫତେଫୁର, ଦେଓରିଆ, ଶାହାରନପୁର, ହମିରପୁର ଓ ସିଦ୍ଧାର୍ଥନଗର ଅଞ୍ଚଳରେ ବେଆଇନ ଖଣି ଖନନ ନେଇ ଅଭିଯୋଗ ହୋଇଥିଲା। ୨୦୧୨ରୁ ୨୦୧୬ ମଧ୍ୟରେ କେତେକ ଖଣିର ଖନନ ଲାଗି ସରକାରୀ ଅଧିକାରୀମାନେ ଏନଜିଟି ନିୟମାବଳୀକୁ ଉଲ୍ଲଂଘନ କରି ଅନୁମତି ଦେଇଥିବା ଅଭିଯୋଗ ହୋଇଥିଲା।
ନବୀନ ନିବାସରେ ମୁଖ୍ଯମନ୍ତ୍ରୀ ଓ ବିଲ ଗେଟ୍ସ ଭେଟଘାଟ
ଭୁବନେଶ୍ବର: ନବୀନ ନିବାସରେ ମୁଖ୍ଯମନ୍ତ୍ରୀ ଓ ବିଲ ଗେଟ୍ସ ଭେଟଘାଟ। ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏହା ପୂର୍ବରୁ ମା ମଙ୍ଗଳା ବସ୍ତି ଗସ୍ତ କରି ମୁକ୍ତା ଓ ଜାଗା ମିଶନରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଯୋଜନାରେ କିଭଳି ଲୋକଙ୍କୁ ଥଇଥାନ କରାଯାଇଛି ସେନେଇ ଅନୁଧ୍ଯାନ କରିଛନ୍ତି ବିଲ ଗେଟସ୍ । ବିଲ ଗେଟ୍ସ ବିଜୁ ଆଦର୍ଶ କାଲୋନୀ ଯାଇ ବସ୍ତି ବାସିନ୍ଦାଙ୍କ ସହ ଆଲୋଚନା କରିଛନ୍ତି। ଜାଗା ମିଶନରେ କିପରି ଲୋକ ଜମି ଅଧିକାର ପାଇଛନ୍ତି, ମୁକ୍ତା ଯୋଜନାରେ କାମ ପାଇଲେ ସେନେଇ ଆଲୋଚନା କରିଛନ୍ତି। ବସ୍ତି କିପରି ସଫା ଅଛି, ଲୋକଙ୍କୁ କିପରି ଭଲ ପାନୀୟ ଜଳ ମିଳୁଛି । ବସ୍ତି ବାସିନ୍ଦାଙ୍କ ଉନ୍ନତ ଜୀବନ ଶୈଳୀ ପାଇଁ କିପରି ସରକାର ସୁନ୍ଦର ବ୍ୟବସ୍ଥା କରିଛନ୍ତି ତାହା ବୁଲି ଦେଖିଛନ୍ତି ବିଲ ଗେଟ୍ସ । ବସ୍ତିରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ବୁଲିବା ସହ ପିଲାମାନଙ୍କ ସହ ଆଲୋଚନା କରିଥଲେ। ଏହି ବ୍ୟବସ୍ଥା ଅନ୍ୟ ଦେଶରେ କିପରି ଲାଗୁ କରାଯିବ ସେ ନେଇ ବିଲ ଗେଟ୍ସ ଉଦ୍ୟମ କରିବେ। ବସ୍ତିକୁ ଆସି ଆଲୋଚନା କରିଥିବାରୁ ଖୁସି ଜାରି କରିଛନ୍ତି ବସ୍ତିବାସିନ୍ଦା।
ଖିଚିଂରେ ମାଆ କିଚକେଶ୍ବରୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମୟୂରଭଞ୍ଜ: ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ମୟୂରଭଂଜ ଖିଚିଂରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଖିଚିଂରେ ମାଆ କିଚକେଶ୍ବରୀଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜ ସମେତ କେନ୍ଦୁଝର, କଟକ, ଭୁବନେଶ୍ବର, ସମ୍ବଲପୁର ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ୪ ଦିନିଆ ଗସ୍ତ କାର୍ଯ୍ୟକ୍ରମ ରହିଛି। ଏଥିମଧ୍ୟରେ କେନ୍ଦୁଝର ଧରଣୀଧର ବିଶ୍ବବିଦ୍ଯାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରର ଉଦଘାଟନ କରିବେ।
ଏହାପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ଯାଳୟର ୫୩ତମ ସମାବର୍ତ୍ତନ ଉପରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ । ରାଜଭବନରେ ରାତ୍ରୀଯାପନ କରିବା ପରେ ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ଭୁବନେଶ୍ବର ଫେରି ଅପରାହ୍ମରେ କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ୨ତାରିଖରେ ସମ୍ବଲପୁର ଗସ୍ତ କରି କଦଳୀଗଡ଼ ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
‘ତ୍ରିକନ୍ୟା’ ସିନେମାର କାହାଣୀ ଓ ବିଷୟବସ୍ତୁ ନେଇ ଆଲୋଚନା
ଭୁବନେଶ୍ବର: ‘ତ୍ରିକନ୍ୟା’ ସିନେମାର କାହାଣୀ ଓ ବିଷୟବସ୍ତୁ ସମ୍ପର୍କରେ ଏକ ମିଟ ଓ ଗ୍ରୀଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତିନିଜଣ ମହିଳାଙ୍କ ତନିଟି କହାଣୀ କୁ ନେଇ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ର । ବିଶ୍ୱ ମହିଳା ଦିବସ ମାର୍ଚ୍ଚ ୮ ଉପଲକ୍ଷେ ତ୍ରିକନ୍ୟା ମୁକ୍ତିଲାଭ କରିବ। ତ୍ରିକନ୍ୟା ର ଟ୍ରେଲର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି। ତ୍ରିକନ୍ୟା ର କାହାଣୀ ସମ୍ପୂର୍ଣ୍ଣ ନିଆରା l ଭିନ୍ନ ଭିନ୍ନ ପରିସ୍ଥିତି ଆଉ ପରିବେଶ ରୁ ଆସିଥିବା ତିନି ଜଣ ମହିଳା କିପରି ବିଭିନ୍ନ ପ୍ରକାରର କଠିନ ସମସ୍ୟାର ସମାଧାନ କରୁଛନ୍ତି ତାହାକୁ ନେଇ ପ୍ରସ୍ତୁତ ହୋଇଛି ତ୍ରିକନ୍ୟା ଚଳଚ୍ଚିତ୍ରର କାହାଣୀ l ଅଭିନୟ ରେ ବର୍ଷା ପଟ୍ଟନାୟକ, ମନୋଜ ମିଶ୍ର, ସୁକାନ୍ତ ରଥ, ପାର୍ଥ ସାରଥୀ, ଅମନ, ଶ୍ରଦ୍ଧା ପାଣିଗ୍ରାହୀ, ନିଶାନ୍ତ ମାଜିଥିଆ, ନିଭି ସିଜନ ମହାପାତ୍ର, ଶକ୍ତି ବରାଳ ଓ ତୃପ୍ତି ସିହ୍ନା ପ୍ରମୁଖ ଅଛନ୍ତି l
ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି। ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି। ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ଲାଭ ଯୋଜନାର ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇବେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି।
5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ, ତାକୁ ଭିତ୍ତିକରି ବାଲେଶ୍ବରରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ୍ ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ସବୁବେଳେ ସାଧାରଣ ଲୋକଙ୍କ ଅଧିକାର ଓ କଲ୍ୟାଣ ପାଇଁ କାମ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଲକ୍ଷ୍ମୀ ବସ୍ ସୁବିଧା, ମହିଳା ଚାଷୀ ଓ ଯୁବକଙ୍କ ପାଇଁ ବିନା ସୁଧରେ ଋଣ ଆଦି କାର୍ଯ୍ୟକ୍ରମ ଦ୍ୱାରା ସବୁ ବର୍ଗର ଲୋକ ବିକାଶର ଭାଗୀଦାର ହୋଇପାରିଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମ ପିଲାଙ୍କ ଭିତରେ ବିପୁଳ ଉତ୍ସାହ ଓ ଆତ୍ମ ବିଶ୍ୱାସ ସୃଷ୍ଟି କରିଛି। ସମସ୍ତଙ୍କ ସହଯୋଗରେ, ସମସ୍ତଙ୍କୁ ସାଥିରେ ନେଇ ଆମେ ନୂଆ ଓଡିଶା ଗଢିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ମିଶନ ଶକ୍ତି ବଜାରରୁ କୋରାପୁଟ କଫି, କନ୍ଧମାଳ ହଳଦୀ କିଣିଲେ ବିଲ୍ ଗେଟସ୍
ଭୁବନେଶ୍ୱର: ମିଶନ ଶକ୍ତି ବଜାର ବୁଲିଲେ ବିଲ ଗେଟସ୍। ତାଙ୍କୁ ବଜାର ଭିତରକୁ ପାଛୋଟି ନେଇଥିଲେ ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ପ୍ରଥମେ କୋରାପୁଟ କାଫେ ବୁଲି ଦେଖିଥିଲେ ବିଲ୍ ଗେଟସ୍। ଏହାପରେ ୧୦ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ବଜାର ବୁଲି ଦେଖିଥିଲେ। ଏହି ବଜାରରେ ମହିଳାମାନଙ୍କ ହାତ ତିଆରି ଝାଡୁ, ପାଟଶାଢ଼ୀ, ବେତ ସୋଫା, ସବାଇ ଘାସରେ ନିର୍ମିତ ସାମଗ୍ରୀ, ମାଟି ବାସନ, ଘରକରଣା ଜିନିଷ, ମିଲେଟ୍ସ ଉତ୍ପାଦ, ପଟ୍ଟଚିତ୍ର, ପେଣ୍ଟିଂ, କନ୍ଧମାଳ ହଳଦୀ, ମାଣ୍ଡିଆ, କୋରାପୁଟ କଫି, ମହୁ , ସମେତ ପ୍ରାୟ ୨୮ ପ୍ରକାର ଉତ୍ପାଦ କିଣିବାର ସୁବିଧା ରହିଛି ।
ମିଶନ ଶକ୍ତି ଜରିଆରେ ଓଡ଼ିଶା ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହେବା ସହ କିପରି ଆର୍ଥିକ କ୍ଷେତ୍ରରେ ଲାଭବାନ ହୋଇଛନ୍ତି ତାହା ଅନୁଧ୍ୟାନ କରିଛନ୍ତି ବିଲ ଗେଟସ। ମାଆଙ୍କ ଉତ୍ପାଦ କିପରି ବିଦେଶରେ ପହଞ୍ଚି ପାରିବ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ଖୁବ୍ ପ୍ରଶଂସା କରିଛନ୍ତି ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟସ୍। ଶେଷରେ ମିଶନ ଶକ୍ତି ବଜାରରୁ କୋରାପୁଟ କଫି, କନ୍ଧମାଳ ହଳଦୀ, ସବାଇ ଘାସର ସାମଗ୍ରୀ , ଡୋକରା ସାମଗ୍ରୀ କିଣିଥିଲେ ବିଲ୍ ଗେଟ୍ସ । ଭୁବନେଶ୍ୱର ମିଶନ ଶକ୍ତି ବଜାର ବୁଲିଲେ ବିଲ ଗେଟ୍ସ ।
କୃଷି କ୍ଷେତ୍ରରେ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କରିବାକୁ ପରାମର୍ଶ ଦେଲେ ବିଲ ଗେଟସ୍
ଭୁବନେଶ୍ୱର: ରାଜ୍ୟର କୃଷି କ୍ଷେତ୍ରରେ ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର। ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ୍। ବିଲ୍ ଗେଟସଙ୍କ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ପରେ କୃଷି ସଚିବ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି। ବିଲ ଗେଟସ୍ କୃଷି ଭବନ ଆସିଥିଲେ। ୨୦୧୭ରୁ ତାଙ୍କ ଫାଉଣ୍ଡେସନ ସହ ଚୁକ୍ତିନାମା ଅନୁସାରେ କୃଷକଙ୍କ କଲ୍ୟାଣ ପାଇଁ ଜ୍ଞାନକୌଶଳ ବ୍ୟବହାର କରାଯାଇ ନିକଟରେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ଖୋଲାଯାଇଛି। ଏହା ଦ୍ବାରା କିଭଳି ଚାଷୀଙ୍କ ପାଖକୁ ସୂଚନା ଆଦାନ ପ୍ରଦାନ ହେଉଛି, ସେ ତାହା ବୁଝିଥିଲେ ବୋଲି କହିଛନ୍ତି କୃଷି ସଚିବ। ଏନେଇ ତାଙ୍କୁ ପ୍ରେଜେଣ୍ଟେସନ ଦିଆଯାଇଥିଲା। ଏହା କିଭଳି କାମ କରୁଛି, ସେନେଇ ବିଲ ଗେଟସ୍ ଅନେକ ପ୍ରଶ୍ନ ମଧ୍ଯ ପଚାରିଥିଲେ। ରାଜ୍ଯ ସରକାରଙ୍କ ଟିମ ବିଲ ଗେଟସଙ୍କର ସବୁ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟର ଏହି ବ୍ୟବସ୍ଥାକୁ ବିଲ ଗେଟସ ପ୍ରଶଂସା କରିଥିଲେ।
ରାଜ୍ୟରେ ୭୦ ଲକ୍ଷରୁ ଅଧିକ ଚାଷୀଙ୍କ ରେଜିଷ୍ଟ୍ରି ଅଛି। ଆମ କୃଷି କାର୍ଯ୍ୟକ୍ରମ ଜରିଆରେ ସେଥିରେ ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ କଷ୍ଟମାଇଜଡ ସେବା ଯୋଗାଇ ଦିଆଯାଉଛି। ଡିଜିଟାଲ ଏଗରିକଲଚର୍ ଟୁଲ ବ୍ୟବହାର କରି ଚାଷୀଙ୍କ ପାଖରେ ବିଭିନ୍ନ ସେବା ଓ ଯୋଜନା ପହଞ୍ଚାଯାଉଥିବାରୁ ବିଲ ଗେଟସ୍ ତାହାର ପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ସ୍ବାବଲମ୍ବୀ ହୋଇଥିବା କିଛି ମହିଳା ଚାଷୀଙ୍କ ସହ ସେ କଥା ହୋଇଥିଲେ । ମିଲେଟ ମିଶନ କାଫେ ବୁଲି ଦେଖିଥିଲେ ଓ ତାଙ୍କୁ ମିଲେଟ୍ ମିଶନ ସମ୍ପର୍କରେ ଅବଗତ କରାଯାଇଥିଲା। କୃଷି କ୍ଷେତ୍ରରେ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର ପାଇଁ ସେ ଦେଇଥିବା ପରାମର୍ଶକୁ ଗ୍ରହଣ କରାଯିବ ବୋଲି କହିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ।
ଆମେରିକାରେ ବ୍ୟାପିଛି ନୋରୋଭାଇରସ୍
ବ୍ୟୁରୋ ରିପୋର୍ଟ: ଆମେରିକାରେ ବ୍ୟାପିଛି ନୋରୋଭାଇରସ୍। ସାଧାରଣତଃ ଏହାକୁ ଷ୍ଟୋମାକ୍ ବଗ୍ ଭାବରେ ମଧ୍ୟ ଜଣାଶୁଣା। ବର୍ତ୍ତମାନ ସମୟରେ ଏହା ଆମେରିକାର ଉତ୍ତର-ପୂର୍ବ ଭାଗରେ ବ୍ୟାପିବାରେ ଲାଗିଛି। ଏହା ଏକ ଗମ୍ଭୀର ରୋଗ ହୋଇଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିପାରେ। ତେବେ ଆସନ୍ତୁ ଜାଣିବା ନୋରୋଭାଇରସ୍ କ’ଣ ଏବଂ ଏଥିରୁ ନିଜକୁ କିପରି ରକ୍ଷା କରିପାରିବେ।
ୟୁଏସ୍ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେସନ୍ (ସିଡିସି) ଅନୁଯାୟୀ , ନୋରୋଭାଇରସ୍ ଏକ ସଂକ୍ରାମକ ଜୀବାଣୁ ଅଟେ। ଯାହା ଝାଡ଼ା, ବାନ୍ତି ଏବଂ ପେଟ ଯନ୍ତ୍ରଣା ସୃଷ୍ଟି କରିଥାଏ। ଯେତେବେଳେ ଏହି ଜୀବାଣୁ ଆମ ଶରୀରରେ ପ୍ରବେଶ କରେ ସେତେବେଳେ ପେଟ ଏବଂ ଅନ୍ତନଳୀରେ କ୍ଷତ ସୃଷ୍ଟି ହୋଇଥାଏ। ଯେତେବେଳେ ଏହି ଜୀବାଣୁ ଆମ ଶରୀରରେ ପ୍ରବେଶ କରେ, ସେତେବେଳେ ପେଟ ଏବଂ ଅନ୍ତନଳୀରେ ଫୁଲା ଆରମ୍ଭ ହୁଏ ।
ନୋରୋଭାଇରସ୍ କିପରି ବ୍ୟାପିଥାଏ?
ସଂକ୍ରମିତ ବ୍ୟକ୍ତିଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ଦ୍ୱାରା ଏହି ରୋଗ ବ୍ୟାପିଥାଏ । ଏହାଛଡା ଦୂଷିତ ଖାଦ୍ୟ କିମ୍ବା ଜଳ, ଦୂଷିତ ପୃଷ୍ଠକୁ ସ୍ପର୍ଶ କରିବା, ହାତ ଧୋଇ ନଖାଇବା ଦ୍ୱାରା ନୋରୋଭାଇରସ୍ ବ୍ୟାପିଥାଏ ।
ନୋରୋଭାଇରସ୍ କେତେ ବିପଜ୍ଜନକ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ସମଗ୍ର ବିଶ୍ୱରେ ୬୮୫ ନିୟୁତ ନୋରୋଭାଇରସ୍ ରୋଗ ପଞ୍ଜିକୃତ ହେଉଛି। ଏବଂ ଏହାଦ୍ୱାରା ବାର୍ଷିକ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ଏହି ଜୀବାଣୁ ଯୋଗୁଁ ବିଶ୍ୱରେ ପ୍ରାୟ ୬୦ ବିଲିୟନ ଡଲାରର ଆର୍ଥିକ କ୍ଷତି ସହିବାକୁ ପଡୁଛି। ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ ବୋଲୁ WHO ଚେତାବନୀ ଦେଇଛି।
ନୋରୋଭାଇରସରୁ କେମିତି ରକ୍ଷା ପାଇବେ
ନୋରୋଭାଇରସ୍ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ବ୍ରିଟେନ ଜାତୀୟ ସ୍ୱାସ୍ଥ୍ୟ ସେବା (NHS) ଅନୁଯାୟୀ, ଏହା ସଂକ୍ରମିତ ହେବା ପରେ ଏହା ଘରେ ଭଲ ହୋଇପାରିବ। ନୋରୋଭାଇରସକୁ ଏଡାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ହାତ ଧୋଇବା, ବାହାର ଜିନିଷକୁ ଧୋଇକି ଖାଇବାକୁ ପରାମର୍ଶ ଦେଇଛନ୍ତି। ଲକ୍ଷଣ ଦେଖା ଯିବା ମାତ୍ରେ ଘରେ ନିଜକୁ କ୍ୱାରେଣ୍ଚାଇନ୍ କରିକି ରଖିବା ଏବଂ ଲୋକଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ସମୁଦ୍ରରେ ଏନସିବି ଓ ନୌସେନାର ବଡ ରେଡ୍, ୩୩୦୦ କେଜି ଡ୍ରଗ୍ସ ଜବତ
ଗୁଜରାଟ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଗୁଜରାଟରେ ନୌସେନା, ଏନସିବି ଓ ଗୁଜରାଟ ଏଟିଏସ ପୋରବନ୍ଦରରୁ ନିକଟରୁ ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିଛନ୍ତି। ମଙ୍ଗଳବାର ଆରବ ସାଗରରୁ ଏକ ଜାହାଜରୁ ୩ ହଜାର ୩୦୦ କିଲୋଗ୍ରାମର ଡ୍ରଗ୍ସ ଜବତ ସହ ଧରା ପଡିଛନ୍ତି ଅନ୍ତର୍ଜାତୀୟ ଡ୍ରଗ୍ସ ମାଫିଆ। ଜବତ ଡ୍ରଗ୍ସର ମୂଲ୍ୟ ୨ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ଜଣାପଡ଼ିଛି। ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏବଂ ଭାରତୀୟ ନୌସେନା ଆରବ ସାଗରରେ ଏକ ମିଳିତ ଅପରେସନ୍ କରିବା ସମୟରେ ଏକ ଇରାନୀୟ ଜାହାଜକୁ ଅଟକାଇଥିଲେ। ଏହି ଡଙ୍ଗାରୁ ୩୩୦୦ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ ଜବତ କରାଯାଇଛି।
କଳାହାଣ୍ଡି ଧର୍ମଗଡ ବ୍ଲକରେ କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି
କଳାହାଣ୍ଡି: କୁଆପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। କଳାହାଣ୍ଡି ଧର୍ମଗଡ ବ୍ଲକରେ କୁଆ ପଥର ବର୍ଷା ହେବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ବିଭିନ୍ନ ଗାଁରେ ଘରର ଭାଙ୍ଗିଯିବା ସହ ଛାତ ଛପର ଉଡ଼ି ଯାଇଛି। ବିଶେଷ କରି ଛିଲିପା ପଞ୍ଚାୟତର ବିକ୍ରମ ଗୁଡା, ଗୋଡ ଭଞ୍ଜା, ଓ ବ୍ରାହ୍ମଣ ଛେଣ୍ଡିଆ ପଞ୍ଚାୟତର ବିଭିନ୍ନ ଗାଁରେ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ଘରେ ପାଣି ଜମିଛି ।
ଯୁଦ୍ଧ କାଳୀନ ଭିତ୍ତିରେ ଧର୍ମଗଡ ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତା ସଫା କରିବା ସହ ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ସୁଦ୍ଧା ଧର୍ମଗଡର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।

