spot_img
Home Blog Page 2236

ବ୍ଯବସ୍ଥା ଓ ପରିବେଶ ଦେଉଛି ଦିବ୍ଯ ଅନୁଭୂତି, ମନ ଟାଣୁଛି ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ଯ

ପୁରୀ: ଶ୍ରୀମନ୍ଦିରରେ ସୁନ୍ଦର ଦର୍ଶନ ବ୍ୟବସ୍ଥା ସାଙ୍ଗକୁ ପରିକ୍ରମା ପ୍ରକଳ୍ପର ମନମୁଗ୍ଧକର ପରିବେଶ ଶ୍ରଦ୍ଧାଳୁଙ୍କ ଶ୍ରୀକ୍ଷେତ୍ର ଆଗମନ ପାଇଁ ଆକର୍ଷିତ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟହ ଦଶ ହଜାର ଭକ୍ତଙ୍କ ଦର୍ଶନ ଓ ଖାଇବା ପିଇବାର ବ୍ୟବସ୍ଥା କରିଛନ୍ତି । ଶ୍ରୀସେତୁ, ଶ୍ରୀମାର୍ଗ ତଥା ଜଗନ୍ନାଥ ବଲ୍ଲଭରେ ଥିବା ପାର୍କିଙ୍ଗ ସେଣ୍ଟର ଓ ପ୍ରଦର୍ଶନୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନୂତନ ଅନୁଭୂତି ଆଣିଛି । ସମସ୍ତଙ୍କ ମୁହଁରେ ରାଜ୍ଯ ସରକାରଙ୍କୁ ପ୍ରଶଂସା ।

ମନ ଟାଣୁଛି ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ଯ । ବ୍ଯବସ୍ଥା ଓ ପରିବେଶ ଦେଉଛି ଦିବ୍ଯ ଅନୁଭୂତି । ପ୍ରତିଦିନ ଭିଭିନ୍ନ ଜିଲ୍ଲାର ୧୦ ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ସରକାରଙ୍କ ପକ୍ଷରୁ କାଳିଆ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ପୁରୀ ସମଙ୍ଗ ଠାରେ ସ୍ୱତନ୍ତ୍ର ପାର୍କିଙ୍ଗ ସ୍ଥଳରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଉଛି। ସେଠାରୁ ସ୍ୱତନ୍ତ୍ର ଫିଡର ଗାଡି ଯୋଗେ ଶ୍ରୀସେତୁ ହୋଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରୀମ ସେଣ୍ଟର ଓ ପରେ ଶ୍ରୀମାର୍ଗ ହୋଇ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ପହଞ୍ଚୁଛନ୍ତି ଭକ୍ତ । ସ୍ୱତନ୍ତ୍ର ସ୍ବେଛାସେବୀଙ୍କ ସହାୟତାରେ ଦର୍ଶନ ସହ ପରିକ୍ରମା ପ୍ରକଳ୍ପ ସମେତ ପ୍ରଦର୍ଶନୀ ମଧ୍ୟ ବୁଲିବା ନେଇ ପଦକ୍ଷେପ ନିଆଯାଇଛି ।

ପୁରୀର ରୂପାନ୍ତରଣ ସମସ୍ତଙ୍କୁ ଅବିଭୂତ କରୁଛି। ଏହାସହ ପ୍ରଶାସନର ବ୍ଯବସ୍ଥା ପାଇଁ ମହାପ୍ରଭୁଙ୍କୁ ସୁନ୍ଦର ଭାବରେ ଦର୍ଶନ କରି ପ୍ରକଳ୍ପ ବୁଲି ଦେଖୁଛନ୍ତି ଶ୍ରଦ୍ଧାଳୁ। ରାଜ୍ଯ ସରକାରଙ୍କ ପୁରୀ ବିକାଶ କ୍ଷେତ୍ରରେ କରିଥିବା ଅଭିନବ ପ୍ରୟାସକୁ ସାଧୁବାଦ ଜଣାଉଛନ୍ତି । ପରିକ୍ରମା ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ଦ୍ବାରା ଭକ୍ତଙ୍କ ପାଇଁ ସୁବିଧା ବୃଦ୍ଧି ପାଇଥିବା ବେଳେ ଶ୍ରୀକ୍ଷେତ୍ରର ଗାରିମାକୁ ବିଶ୍ୱ ଦରବାରରେ ମଧ୍ୟ ବୃଦ୍ଧି କରିଛି ।

 

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ କଟକରେ ଓଡିଆ ନାଟକ ଓ ଚଳଚିତ୍ର ମହୋତ୍ସବ

କଟକ: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଭୁବନେଶ୍ଵରରେ ଅତି ବର୍ଣ୍ଣାଢ୍ଯ ଢଙ୍ଗରେ ଆୟୋଜିତ ହୋଇଥିବା ବେଳେ ଏହାର ଅଂଶ ଭାବେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହୋଇଛି ଓଡିଆ ନାଟକ ଓ ଚଳଚିତ୍ର ମହୋତ୍ସବ । କାର୍ଯ୍ୟକ୍ରମରେ ଆମ ଓଡିଆ ଚଳଚ୍ଚିତ୍ରର ଇତିହାସ ଓ ଗାରିମାକୁ ନେଇ ନାଚ, ଗୀତ, ଆଲୋଚନାଚକ୍ର ଆୟୋଜିତ ହୋଇଛି । ଏଥିରେ ଓଡିଆ ଚଳଚିତ୍ରକୁ ଜୀବନବ୍ୟାପୀ ସେବା ଯୋଗାଇଥିବା ବରିଷ୍ଠ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

କଟକରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଝଲକ। ଓଡ଼ିଆ ଚଳଚ୍ଚିତ୍ର ଓ ନାଟକର ଗାରିମା ବୃଦ୍ଧି ପାଇଁ ଉଦ୍ଯମ। ରେଭେନ୍ସା ବିଶ୍ୱବିଦ୍ୟାଳୟ ସେଭେନ୍ ପିଲାର୍ ରେ ପରିବେଷିତ ହୋଇଛି ସୁନ୍ଦର ସୁନ୍ଦର ପୁରୁଣା ଓଡିଆ ଚଳଚିତ୍ରର ଗୀତ ଓ ଏହାରି ଉପରେ  ଆଧାରିତ ନୃତ୍ୟ । ଦୁଇ ଦିନିଆ ଓଡିଆ ନାଟକ ଓ ଚଳଚ୍ଚିତ୍ର ମହୋତ୍ସବର ଦ୍ବିତୀୟ ଦିନରେ କଳାକାର ମାନେ 1936 ମସିହାରୁ 1975 ମଧ୍ଯରେ ହୋଇଥିବା ସୁପରହିଟ ଓଡିଆ ଫିଲ୍ମର ଲୋକପ୍ରିୟ ଗୀତଗୁଡିକୁ ବାଛି ନୃତ୍ୟଗୀତ ମାଧ୍ୟମରେ ପରିବେଷଣ କରିଥିଲେ । ଚଳଚ୍ଚିତ୍ରରେ ଓଡ଼ିଶା ଭାଷା, ଚଳଣୀ ଓ ସଂସ୍କୃତର ଝଲକକୁ ଅତି ନିଖୁଣଭାବେ ଦେଖାଇବାକୁ ଚେଷ୍ଟା କରିଥିଲେ ଶିଳ୍ପୀ।

କେବଳ ନୃତ୍ୟ ନୁହେଁ ବରଂ ଜଣାଶୁଣା କଣ୍ଠଶିଳ୍ପୀଙ୍କୁ ନେଇ ପରିବେଷଣ କରାଯାଇଥିଲା ସୁନ୍ଦର ସୁନ୍ଦର ଗୀତ । ଯାଯାବର ହେଉ ବା ଅପରାଜିତା, ଅଭିମାନ ହେଉ ବା ଅମଡାବାଟ, ମାଆ ହେଉ ବା ରକ୍ତ ଗୋଲାପ, ସବୁକୁ ଏକାଠି କରି ଓଡିଆ  ଫିଲ୍ମର ରୁଦ୍ଧିମନ୍ତ ଇତିହାସକୁ ରୋମନ୍ଥନ କରିଥିଲେ ଗାୟକଗାୟିକା । ଏହାସହ ରୂପେଲି ପରଦାରେ ପରିବେଷଣ ହୋଇଥିଲା ପୁରୁଣା ଓଡିଆ ଚଳଚିତ୍ର ।

 

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନୀ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ, କହିଲେ ଏହି ସମ୍ମିଳନୀ ସବୁଦିନ ପାଇଁ ଏକ ଲ୍ଯାଣ୍ଡମାର୍କ ହୋଇ ରହିବ

ଭୁବନେଶ୍ବର: ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଯାପନୀ ଦିବସରେ ଉଦବୋଧନ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ଏକ ଇତିହାସ । ସମ୍ମିଳନୀରେ ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ ପ୍ରମୁଖ ସାମିଲ ହୋଇଥିଲେ । ଏଥିପାଇଁ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ଯମନ୍ତ୍ରୀ । ଆମ ଭାଷା ଇତିହାସରେ ଏହି ସମ୍ମିଳନୀ ସବୁଦିନ ପାଇଁ ଏକ ଲ୍ଯାଣ୍ଡମାର୍କ ହୋଇ ରହିବ । ପ୍ରତି ୫ ବର୍ଷରେ ଥରେ ଭାଷା ସମ୍ମିଳନୀର ଆୟୋଜନ କରାଯିବ । ଭାଷା ପାଇଁ ଆମେ ସମସ୍ତେ ପୁଣି ଏକାଠି ହେବା । ଏହି ତିନିଦିନ ମଧ୍ଯରେ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଏଥିରେ ଖୁବ ଭଲଭଲ ପ୍ରସ୍ତାବ ମଧ୍ଯ ଆସିଛି । ବର୍ତ୍ତମାନ ବିଧାନସଭା ଚାଲିଛି । ଭାଷା ସମ୍ପର୍କରେ ନିଷ୍ପତ୍ତି ବିଧାନସଭାରେ ଘୋଷଣା ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି । ଯୁଗଯୁଗ ଧରି ଓଡ଼ିଆ ଭାଷା ଓଡ଼ିଶା ଜାତିର ପରିଚୟକୁ ଆଗକୁ ନେଇଛି । ସମସ୍ତେ ଓଡ଼ିଆରେ ନୂଆ ନୂଆ ସମ୍ବନ୍ଧ ସୃଷ୍ଟି କରିବା  ସହ ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାକୁ ମୁଖ୍ଯମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ନବୀନ କହିଛନ୍ତି, ଓଡ଼ିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମ ଭାଷାର ଗୌରବଙ୍କୁ ଅନୁଭବ କଲେ ଏହା ନିଶ୍ଚୟ ଆଗକୁ ଯିବ । ସମ୍ମିଳନୀ ଅବସରରେ ଆୟୋଜିତ ମ୍ଯୁଜିୟମ ସମସ୍ତଙ୍କ ମନକୁ ଛୁଇଁଛି । ଏଣୁ ଏହାର ଅବଧିକୁ ଆହୁରି ତିନିଦିନ ବୃଦ୍ଧି କରାଗଲା ବୋଲି ମୁଖ୍ଯମନ୍ତ୍ରୀ ଘୋଷଣା କରିଛନ୍ତି । ୫ ତାରିଖ ବଦଳରେ ୮ ତାରିଖ ପର୍ଯ୍ୟନ୍ତ ଏହାକୁ ପରିଦର୍ଶନ କରିବାର ସୁଯୋଗ ମିଳିବ ।

 

ସୋଆ ବିଶ୍ଵବିଦ୍ୟାଳୟରେ ସାହିତ୍ୟର ମହତ୍ଵ ଉପରେ 5T ଅଧ୍ୟକ୍ଷଙ୍କ ଆଲୋକପାତ

ଭୁବନେଶ୍ବର: ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ସୋମବାର ଅନ୍ତିମ ଦିବସ । ଏହି ଅବସରରେ ଭୁବନେଶ୍ଵର ସ୍ଥିତ ସୋଆ ବିଶ୍ଵବିଦ୍ୟାଳୟରେ ଓଡ଼ିଶା ଭାଷା, ସାହିତ୍ୟ ସଂସ୍କୃତିକୁ ନେଇ ହୋଇଥିଲା ବିମର୍ଶ ଅଧିବେଶନ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଶିଷ୍ଟ ସାହିତ୍ୟିକ, ଲେଖକ ତଥା କଥାକାର ଡକ୍ଟର ବିଭୂତି ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ସାହିତ୍ୟିକ ଡକ୍ଟର ବିଭୁତି ପଟ୍ଟନାୟକଙ୍କୁ ୧ ଲକ୍ଷ ଟଙ୍କା ପୁରସ୍କାର ଅର୍ଥରାଶି ସହ ଉପଢୌକନ ଓ ମାନପତ୍ର ପ୍ରଧାନ କରାଯାଇଥିଲା। ଭାଷା, ସାହିତ୍ୟ ସଂସ୍କୃତିକୁ ନେଇ ବିମର୍ଶରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜ ରଞ୍ଜନ ନାୟକ, ପ୍ରାଚୀନ ମୁଖ୍ୟ ଡକ୍ଟର ଗାୟତ୍ରୀବାଳା ପଣ୍ଡା ସମେତ ଓଡ଼ିଶାର ବହୁ ପ୍ରତିଷ୍ଠିତ ସାହିତ୍ୟିକ, ଗାଳ୍ପିକ, କଥାକାର  ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବୋଧିତ କରି ସାହିତ୍ୟର ମହତ୍ଵ ଉପରେ ଆଲୋକପାତ କରିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କହିଲେ ସାହିତ୍ୟ ସମାଜର ଦର୍ପଣ। ସାମାଜିକ ବୈପ୍ଳବିକ ପରିବର୍ତ୍ତନରେ ରହିଛି ସାହିତ୍ୟର ଗୁରୁତ୍ଵପୂର୍ଣ୍ଣ ଭୂମିକା। ସମାଜରେ ଯାହା ବି ଅନ୍ୟାୟ, ଭୁଲ ଏବଂ ଅନୀତି ହେଉଛି ଏହାର ସ୍ଵର ଉତ୍ତୋଳନରେ ସାହିତ୍ୟ ସବୁବେଳେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଆସିଛି। ସାହିତ୍ୟ ଜରିଆରେ ସ୍ଵଚ୍ଛତା ଭାବେ ଏହାର ପ୍ରତିବାଦର ଦେଖିବାକୁ ମିଳିଥାଏ। ଇରାନ ବିପ୍ଲବ, ଫରାସୀ ବିପ୍ଲବ ଇତିହାସରେ ଏହାର ମୁକସାକ୍ଷୀ ହୋଇ ରହିଛି। ସମାଜରେ ଦଳିତ, ନିଷ୍ପେଷିତ, ମହିଳାଙ୍କ ଉପରେ ଅତ୍ୟାଚାରର ପ୍ରତିବାଦର ମଧ୍ୟ ଏହି ସାହିତ୍ୟ ଜରିଆରେ ହିଁ ଆସିଥାଏ। ସାହିତ୍ୟର ସମାଜ ସୁଧାରରେ ମୁଖ୍ୟ ଦାୟିତ୍ଵ ଗ୍ରହଣ କରିଛି। ଏହାଦ୍ବାରା ମହିଳା ସଶକ୍ତୀକରଣ, ନାରୀ ଶିକ୍ଷାରେ ପରିବର୍ତ୍ତନ ଆସିଛି।

ସଂସଦରେ ମୋଦୀ କହିଲେ ଏନଡିଏକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: ସଂସଦରେ ବଜେଟରେ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରବର୍ତ୍ତୀ ନିର୍ବାଚନରେ ବିଜେପି ଏବଂ ଏନଡିଏକୁ କେତେ ଆସନ ମିଳିବ କହିଛନ୍ତି । ନିଜର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ବିଜେପିକୁ ୩୭୦ ଏବଂ ଏନଡିଏକୁ ୪୦୦ରୁ ଅଧିକ ଆସନ ମିଳିବ ବୋଲି କହିଛନ୍ତି । ତୃତୀୟ ପାଳି ବିଜେପି ନିଶ୍ଚିତ ସରକାର ଗଢ଼ିବ ବୋଲି କହିଛନ୍ତି । ଏନଡିଏ ସରକାରର ୩ୟ କାର୍ଯ୍ୟକାଳରେ ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଅନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ସେ ଏହା କହିଛନ୍ତି । ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବ । ଏନଡିଏ ସରକାର ଆସନ୍ତା ୧ ହଜାର ବର୍ଷ ପାଇଁ ଦେଶକୁ ପ୍ରସ୍ତୁତ କରିବ । ଦେଶବାସୀଙ୍କ କ୍ଷମତା ଉପରେ ଏହି ବିଶ୍ବାସ ଅଛି ବୋଲି ସେ କହିଛନ୍ତି ।

ଡକ୍ଟର ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମରେ  ନାମିତ ହେବ ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ। ଭାରତୀୟ  ସମ୍ବିଧାନର ଜନକ ତଥା  ସାମାଜିକ  ନ୍ୟାୟର  ମହାନ୍ ପ୍ରବକ୍ତା  ଡକ୍ଟର ଆମ୍ବେଦକର । ଏନେଇ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ଆମ୍ବେଦକରଙ୍କ ନାମରେ  ନାମିତ ହେବ। ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର ବସ  ଟର୍ମିନାଲ ଭାବରେ  ପରିଚିତ  ହେବ। ଡକ୍ଟର  ଆମ୍ବେଦକର  ଜଣେ  ଦୂରଦର୍ଶୀ ନେତା  ଓ ସମର୍ପିତ  ସମାଜ  ସଂସ୍କାରକ  ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳିତ ନିଷ୍ପେଶିତଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ । ଏକ ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣ ଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ ୯୦୦  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ। ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ  କରାଯିବ। ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ଯ ଏଠାରେ  ପ୍ରଦର୍ଶିତ ହେବ ।

 

ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି

ନନ୍ଦିଘୋଷ ବ୍ୟୁରୋ: ନିର୍ବାଚନରେ ଶିଶୁଙ୍କ ବ୍ୟବହାରକୁ ନେଇ ନିର୍ବାଚନ କମିଶନ ଗାଇଡଲାଇନ୍ ଜାରି କରିଛନ୍ତି । ଏ ଦିଗରେ କମିଶନ ଶୁନ୍ୟ ସହନଶିଳତା ନୀତି ଆପଣାଇବା ସହ ଗାଇଡଲାଇନର ଉଲଂଘନ କରାଗଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ନିର୍ବାଚନ ସମୟରେ କୈଣସି ପ୍ରକାର ସ୍ଲୋଗାନ, କ୍ୟାମ୍ପେନ ରାଲି କିମ୍ବା ନିର୍ବାଚନୀ ସଭାରେ ଶିଶୁଙ୍କୁ ବ୍ୟବହାର କରାଯାଇ ପାରିବ ନାହିଁ । ଏନେଇ ରାଜନୈତିକ ଦଳ, ନେତୃତ୍ବ ଓ ପ୍ରାର୍ଥୀମାନେ ସର୍ତକ ରହିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚାର ସମୟରେ ପ୍ରାର୍ଥୀମାନେ କୋଳରେ କିମ୍ବା ନିଜ ଗାଡିରେ ପିଲାଙ୍କୁ ନେଇପାରିବେ ନାହିଁ । କୌଣସି ରାଜନୈତିକ କ୍ୟାମ୍ପେନରେ ଶିଶୁଙ୍କୁ ପ୍ରତିକ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଗତ ୨୦୧୪ ଅଗଷ୍ଠ ମାସରେ ବମ୍ବେ ହାଇକୋର୍ଟ ଦେଇଥିବା ଏକ ରାୟ ଆଧାରରେ ନାବାଳକ ଶିଶୁଙ୍କୁ ରାଜନୈତିକ କ୍ୟାମ୍ପେନରେ ବ୍ୟବହାର କରିବା ନେଇ ଏଭଳି କଟକଣା ଜାରି କରାଯାଇଛି । କମିଶନ ସବୁ ନିର୍ବାଚନ ଅଧିକାରୀଙ୍କୁ ସଚେତନ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣି ଅଫିସର ମାନେ ବ୍ୟକ୍ତିଗତ ଭାବେ ଏହି ଗାଇଡଲାଇର ଅନୁପାଳନକୁ ସୁନିଶ୍ଚିତ କରିବେ ।

ମ୍ୟାଚ୍ ବିଜୟ ପରେ ମଧ୍ୟ ରାଗିଲେ ଦ୍ରାବିଡ୍, ଖେଳାଳିଙ୍କୁ ଦେଲେ ଏଭଳି ଚେତାବନୀ

ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଭାରତ ଜିତିବା ସହ ସିରିଜକୁ ୧-୧ରେ ବରାବର କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବେ ଭାରତ-ଇଂଲଣ୍ଡ । ପ୍ରଥମ ୨ଟି ମ୍ୟାଚ ପାଇଁ ଦଳ ଘୋଷଣା ହୋଇଥିଲା । ଏବେ ବାକି ୩ ମ୍ୟାଚ ପାଇଁ ଦଳ ଘୋଷଣା ହୋଇନାହିଁ । ଏଣୁ ଏହି ତିନି ମ୍ୟାଚରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ହେଉଛି । ବିଜୟ ପରେ ମଧ୍ୟ ଦ୍ରାବିଡ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି । ଯୁବ ଖେଳାଳିଙ୍କୁ କହିଛନ୍ତି କି, ଯେଭଳି ସେମାନେ ବାକି ୩ ଟେଷ୍ଟ ପାଇଁ ସିଲେକ୍ସନ ହୁଅନ୍ତି । ସେପଟେ ବିଜୟ ପରେ ଅନୁଷ୍ଠିତ ହୋଇଥିବା ପ୍ରେସମିଟରେ ଗଣମାଧ୍ୟମ ପ୍ରତିନିଧିମାନେ ଇଶାନଙ୍କ ବିଷୟରେ ପଚାରିଥିଲେ । ଦଳକୁ ସେ ପୁଣିଥରେ ଫେରିବେ କି? ଏହାର ଉତ୍ତରରେ ଦ୍ରାବିଡ କହିଥିଲେ କି, ସେ ଦଳକୁ ଫେରିବା ପାଇଁ ହେଲେ ପ୍ରଥମେ ଘରୋଇ କ୍ରିକେଟରେ ପରୀକ୍ଷା ଦେବାକୁ ପଡ଼ିବ । ବିସିସିଆଇ ତାଙ୍କ ଉପରେ ନଜର ରଖିଛି । ସେ ଛୁଟି ମାଗିଥିଲେ ତାଙ୍କୁ ଦିଆ ହୋଇଛି । ମାତ୍ର ଯଦି ସେ ଦଳକୁ ଫେରିବାକୁ ଚାହିଁବେ ତାହେଲେ ଘରୋଇ କ୍ରିକେଟ ଖେଳିବାକୁ ପଡ଼ିବ ।

ଏବେ ରଜଜୀ ଟ୍ରଫି ଚାଲିଥିବାବେଳେ ଇଶାନ ଝାଡ଼ଖଣ୍ଡ ପକ୍ଷରୁ କୌଣସି ମ୍ୟାଚ ଖେଳିନାହାନ୍ତି । ପୂର୍ବରୁ ମଧ୍ୟ ସମାନ କଥା କହିଥିଲେ ଦ୍ରାବିଡ । ତେବେ ଇଶାନ କଣ ପୁଣିଥରେ ରଣଜୀ ଖେଳିବେ କି? ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । କହି ରଖୁଛୁ କି, ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟ ପୂର୍ବରୁ ନିମ ନାମକୁ ପ୍ରତ୍ୟାହାର କରିଥିଲେ ଇଶାନ । ବାରମ୍ବାର ଦଳରେ ସ୍ଥାନ ପାଉଥିଲେ ସୁଦ୍ଧା ଖେଳିବାର ସୁଯୋଗ ନମିଳିବାରୁ ସେ ଜାଣିଶୁଣି ଫେରିଆସିଥିଲେ ବୋଲି କୁହାଯାଉଛି । ଯାହାକୁ ନେଇ ଦ୍ରାବିଡ ତାଙ୍କ ଉପରେ ରାଗିଥିଲେ । ନିକଟରେ ଆଫଗାନିସ୍ତାନ ବିପକ୍ଷ ଟି-୨୦ ଏବଂ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ପାଇଁ ତାଙ୍କୁ ଟିମରେ ସାମିଲ କରାଯାଇନଥିଲା ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ

ଢ଼େଙ୍କାନାଳ: ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ନିର୍ମାଣ ହେବ ୩ଟି ବିଜୁସେତୁ । ୧୧ କୋଟି ଟଙ୍କା ବ୍ୟୟରେ ୩ଟି ପଞ୍ଚାୟତରେ ଏସବୁ ସେତୁ ନିର୍ମାଣ ହେବ। ଏଥିପାଇଁ ଶିଳାନ୍ଯାସ କରାଯାଇଛି। ସେତୁ ନିର୍ମାଣ ଫଳରେ ଗମନାଗମନରେ ସୁବିଧା ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

ପ୍ରତିଶ୍ରୁତି ପୂରଣ କଲେ ରାଜ୍ୟ ସରକାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ୩ଟି ପଞ୍ଚାୟତରେ ନିର୍ମାଣ ହେବ ୩ଟି ବିଜୁସେତୁ। ବାରୁଆ ପଞ୍ଚାୟତର ଧନେଇନାଳୀ ନାଳ, ଗଡ଼ ନୃସିଂହପ୍ରସାଦ ପଞ୍ଚାୟତର ମୁରୁଗା ନାଳ ଏବଂ ମହୁଲପାଳ ପଞ୍ଚାୟତର ରଙ୍ଗମାଟିଆ ନାଳ ଉପରେ ବିଜୁୃସେତୁ ନିର୍ମାଣ ହେବ । ଏଥିପାଇଁ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଶିଳାନ୍ଯାସ କରିଛନ୍ତି । ୩ଟି ସେତୁ ପାଇଁ ୧୧ କୋଟି ଟଙ୍କା ବ୍ଯୟ ଅଟକଳ କରାଯାଇଛି ।

୧ ବର୍ଷ ମଧ୍ଯରେ ସେତୁ ନିର୍ମାଣ ଶେଷ କରିବାକୁ ଲକ୍ଷ୍ଯ ରଖାଯାଇଛି। ପୂର୍ବରୁ ସେତୁ ନଥିବାରୁ ଗମନାଗମନ ପାଇଁ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅଧିକାଂଶ ଚାଷୀଙ୍କ  ଚାଷଜମି ନାଳ ଆରପଟେ ଥିବାରୁ ବର୍ଷାଦିନେ ନାଳରେ ପାଣି ଆସିଲେ ଜମିକୁ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା । ଏବେ ସମସ୍ଯା ସମାଧାନ ହେବାକୁ ଯାଉଛି । ସେତୁ ନିର୍ମାଣ ହେଲେ ଗମନାଗମନ ସୁଗମ ହେବା ସହ ଅଞ୍ଚଳର ବିକାଶ ବିକାଶ ହେବ। ଏଥିପାଇଁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଅଞ୍ଚଳବାସୀ କୃୃତଜ୍ଞତା ଓ  ଧନ୍ଯବାଦ ଜଣାଇଛନ୍ତି ।

ଜେଲରେ ୬୩ ଜଣ କଏଦୀ ଏଡସ ସଂକ୍ରମିତ

ନନ୍ଦିଘୋଷ ବ୍ୟୁରୋ:  ଉତ୍ତରପ୍ରଦେଶ ଲକ୍ଷ୍ନୌ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଲକ୍ଷ୍ମୌ ଜିଲ୍ଲା ଜେଲରୁ ୬୩ ଜଣ କଏଦୀ ଏଚଆଇଭି ସଂକ୍ରମିତ ବା ଏଡସରେ ପୀଡିତ ଥିବା ଜଣାପଡ଼ିଛି। ଲକ୍ଷ୍ମୌ ଜିଲ୍ଲା ଜେଲର ଅଧ୍ୟକ୍ଷକ ଆଶିଷ ତିୱାରୀଙ୍କ ସୂଚନା ଅନୁସାରେ, ଜେଲକୁ ଯେଉଁ କଏଦୀମାନେ ନୂଆ ଆସିଥାଆନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥାଏ। ଏହି ପରୀକ୍ଷା ମଧ୍ୟରେ ଏଚଆଇଭି ପରୀକ୍ଷା ବି କରାଯାଇଥାଏ। ଯାହାର ଟେଷ୍ଟିଂ କିଟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଉପଲବ୍ଧ କରାଯାଇଥାଏ।କିନ୍ତୁ ୨୦୨୩ ଅଗଷ୍ଟ ପରେ ଟେଷ୍ଟିଂ କିଟ ଶେଷ ହୋଇଯାଇଥିଲା।  ଯେଉଁ କାରଣରୁ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବରରେ ଜେଲକୁ ଆସିଥିବା

ନୂଆ କଏଦୀଙ୍କ ଏଚଆଇଭି ପରୀକ୍ଷା ହୋଇ ପାରି ନଥିଲା। ଏହାପରେ ଡିସେମ୍ବର ମାସ‌ରେ ବଡ଼ କ୍ୟାମ୍ପର ଆୟୋଜନ କରାଯାଇ କଏଦୀଙ୍କ ଏଚଆଇଭି ପରୀକ୍ଷା କରାଯାଇଥିଲା।  ଏଥିରେ ଲକ୍ଷ୍ମୌ ଜେଲର ୩୬ଜଣ କଏଦୀ ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ପରେ ଆଉ ୨୭ ଜଣ ପଜିଟଭ୍ ଥିବା ଜଣାପଡ଼ିଲା। ଏମିତି ମୋଟ୍ ୬୩ ଜଣ କଏଦୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଚଆଇଭି ସଂକ୍ରମିତ ଚିହ୍ନଟ କଏଦୀଙ୍କ ମଧ୍ୟରୁ ଅଧିକାଂଶ କଏଦୀ  ନିଶା ଓ ସିରିଞ୍ଜ ମାଧ୍ୟମରେ ନିଶା କରୁଥିବା ଜଣାପଡ଼ିଛି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କ ତୁରନ୍ତ ଚିକିତ୍ସା କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଛି।