ଗିରଫ ଡାକ୍ତରଙ୍କ ଦଫା କମାଇବାକୁ କହି ମାଆଙ୍କ ପାଖରୁ ୧୭ ଲକ୍ଷ ଠକେଇ ଅଭିଯୋଗ

କଟକ: ଲିଙ୍ଗ ନିରୂପଣ ଅଭିଯୋଗରେ ଗିରଫ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ମୁକ୍ତ କରିଦେବାକୁ କହି ଆଇନଜୀବୀ ୧୭ ଲକ୍ଷ ଠକିଥିବା ଅଭିଯୋଗ । ଗିରଫ ଡାକ୍ତରଙ୍କ ମାଆ ଠକେଇର ଶିକାର । ମଙ୍ଗଳାବାଗ ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ।

ମଙ୍ଗଳାବାଗ ଥାନା ଅନ୍ତର୍ଗତ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ପୁଣ୍ୟଶ୍ଳୋକ ଦାସ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା ପୋଲିସ । ଡାକ୍ତରଙ୍କ ବିରୋଧରେ ପୋଲିସ ଲଗାଇଥିବା ଦଫାକୁ କୋହଳ କରି ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ କହି ଜଣେ ଆଇନଜୀବୀ ଡାକ୍ତରଙ୍କ ମାଆ ଯଶୋଦା ଦାସଙ୍କଠାରୁ ୧୭ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏ ସମ୍ପର୍କରେ ଯଶୋଦା ଦାସ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସମ୍ପୃକ୍ତ ଆଇନଜୀବୀଙ୍କୁ ଚିହ୍ନଟ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୂର୍ବରୁ ଏହି ଆଇନଜୀବୀଙ୍କ ନାଁରେ ଦୁଇଟି ମାମଲା ଥିବା ଏସିପି ଅମିତାଭ ମହାପାତ୍ର କହିଛନ୍ତି । ଗତ ୯ ତାରିଖରେ ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତର ପୁଣ୍ୟଶ୍ଲୋକ ଦାସ ଓ ତାଙ୍କ ପତ୍ନୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଫ୍ରେଣ୍ଡସ କଲୋନୀ ସ୍ଥିତ ତାଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ଟଙ୍କା ଭର୍ତ୍ତି ବ୍ୟାଗ ଓ ମେସିନ ଆବଶ୍ୟକ ସରଞ୍ଜାମ, ଗର୍ଭପାତ ଔଷଧ ଜବତ କରାଯାଇଥିଲା । ପୂର୍ବରୁ ଦୁଇ ଦୁଇ ଥର ନିଲମ୍ବିତ ହେବା ପରେ ପୁଣି ବେଆଇନ କାର୍ଯ୍ୟ କରୁଥିବାରୁ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଥିଲା ପୋଲିସ୍ ।