ଭକ୍ତ ବେଶରେ ଲେଡି ଲୁଟେରା: ସତସଙ୍ଗ ଭଜନ ବେଳେ ସୁନା ଚେନ ଲୁଟ୍, ଜଣେ ଅଟକ

ଭୁବନେଶ୍ବର: ସତସଙ୍ଗରେ ସତ୍ୟାନାଶ କରି ଦେଲେ ଲେଡି ଲୁଟେରା । ବିଶ୍ୱାସରେ ବିଷ ଦେଇ ଲୁଟି ନେଲେ ସୁନା । ଭକ୍ତ ହୋଇ ଆସିଲେ, ଚେନ ଝାମ୍ପି ଖସିଲେ । ସାହସୀ ଯୁବତୀଙ୍କ ପାଇଁ ଧରାପଡିଲେ ଜଣେ ଲୁଟେରା । ଲୁଟର ଶିକାର ଦୁଇ ମହିଳା ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ।

ମଞ୍ଚେଶ୍ୱର ରେଲୱେ ଷ୍ଟାଡିୟମରେ ଚାଲିଥିଲା ସତସଙ୍ଗ । ଏକାଠି ହୋଇଥିଲେ ୫ ଲକ୍ଷ ଲୋକ । କିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ତ ଆଉ କିଏ ଆର୍ଥିକ ଅନଟନର ଶିକାର । ପୁଣି କିଏ ପାରିବାରିକ ସମସ୍ୟା କବଳିତ ହୋଇ ଅଶାନ୍ତିରେ ଆଉଟୁ ପାଉଟୁ ହେଉଛି । ଏମିତି କେତେ ସମସ୍ୟାର ସରଳ ସମାଧାନ ପାଇଁ ହଜାର ହଜାର ମହିଳା ଏକତ୍ରିତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଅଭାବନୀୟ ଦୃଶ୍ୟ । ଏକାଧିକ ମହିଳାଙ୍କ ବେକରୁ ଲୁଟ ହୋଇଛି ସୁନା ଚେନ । ୨୦ ଭରିର ଗୋଟିଏ ସୁନା ଚେନ ଲୁଟ ପରେ କବିସୂର୍ଯ୍ୟ ନଗରରୁ ଆସିଥିବା ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଭଗବାନଙ୍କ ପାଖକୁ ଆସି ହିନସ୍ତା ଭୋଗିଲେ ବୋଲି ଦୁଃଖର ସହ କହିଛନ୍ତି ।

ସେପଟେ ଗହଳି ଭିତରେ ଲୁଟ ପାଟ କରୁଥିବା ଜଣେ ତେଲୁଗୁ ସମ୍ପ୍ରଦାୟର ମହିଳାଙ୍କୁ କାବୁ କରିଛନ୍ତି ଜଣେ ଯୁବତୀ । ପାତ୍ରପଡ଼ାରେ ରହୁଥୁବା ଏହି ଯୁବତୀ ଜଣଙ୍କ ନିଜ ପୁତୁରାର ମାନସିକ ପୂରଣ ପାଇଁ ସତସଙ୍ଗକୁ ଆସିଥିଲେ । ଅଭିଯୁକ୍ତ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନାରେ ଅଟକ ଅଛନ୍ତି । ତାଙ୍କ ସହ ଆଉ ୧୦ରୁ ଊର୍ଦ୍ଧ୍ବ ମହିଳା ସାମିଲ ଥିବା ନେଇ ସୂଚନା ପାଇଛି ପୋଲିସ । ଜନଗହଳି ପୂର୍ଣ୍ଣ ସ୍ଥାନରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ବୋଲି କହିଛି ପୋଲିସ ।

ସେପଟେ ଏଭଳି ବଡ଼ ଆୟୋଜନ କରୁଥିବା ସଂଗଠନ ପୋଲିସ ସୁରକ୍ଷା ଉପରେ ଧ୍ୟାନ ନଦେଇ ଭକ୍ତିରେ ଭାବ ବିହ୍ଵଳ ହେଉଥିବାରୁ ଏଭଳି ଘଟଣା ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଛି ।