ଏଲନିନୋ ସକ୍ରିୟ: ସପ୍ତାହକ ପରେ ଜଳିବ ଓଡ଼ିଶା

ଭୁବନେଶ୍ବର: ଫେବୃଆରୀରୁ ଅନୁଭୁତ ହେଲାଣି ତାତି । ସପ୍ତାହକ ପରେ ଜଳିବ ଓଡ଼ିଶା । ଗତବର୍ଷ ଭଳି ଚଳିତବର୍ଷ ବି ସକ୍ରିୟ ରହିଛି ଏଲ୍‌ନିନୋ । ଏହାର ପ୍ରଭାବରେ ଶୀତ ବି କମ ରହିଲା । ଏଣିକି ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଅତ୍ୟଧିକ ଶୁଷ୍କତା ଯୋଗୁଁ ଏପ୍ରିଲ ବେଳକୁ ଗୁଳଗୁଳି ଓ ଗରମ ଅସହ୍ୟ ହେବ । ଅଂଶୁଘାତ ସହିତ ଅନେକ ରୋଗ ବି ହୋଇପାରେ । ବାହାରକୁ ଗଲାବେଳେ ଏବେଠୁ ତରଳ ପଦାର୍ଥ, ତୋରାଣି, ପଇଡ଼ ପାଣି, ଛତା, ଯୋତା ପିନ୍ଧି ଯିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ତାତିରେ ଡହଳବିକଳ ହେବ ଜୀବନ । ଏପରି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଆଜି ଦିନର ତାପମାତ୍ରା ୩୧ ଡିଗ୍ରୀ ଟିପିଛି । ଆଗକୁ ଧୀରେ ଧୀରେ ଦିନର ତାପମାତ୍ରାରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏବର୍ଷ ଖରାଦିନେ ଓଡ଼ିଶାର ପ୍ରାୟ ସମସ୍ତ ସହରରେ ୪୪ ଡିଗ୍ରୀ ପାର୍‌ କରିବ ତାପମାତ୍ରା । ଭୁବନେଶ୍ବରରେ ତାତି ଅସହ୍ୟ ହେବ । ଏଲନିନୋ ପ୍ରଭାବରେ ଗତ ଶୀତଦିନରେ ରାତିର ତାପମାତ୍ରା ୧୦ରୁ ୧୫ ଡିଗ୍ରୀ ଭିତରେ ରହିବା ସ୍ଥାନରେ ୨୦ ଡିଗ୍ରୀ ତଳକୁ ଖସିଲାନି । ଏପରିକି କେତେକ ସହରରେ ତାପମାତ୍ରା ୨୨ ଡିଗ୍ରୀ ଉପରେ ରହିଲା । ଏହାଯୋଗୁଁ ଶୀତର ପ୍ରକୋପ ଅନୂଭୁତ ହେଇନି । ପ୍ରଶାନ୍ତ ମହାସାଗରରୁ ଶୁଷ୍କ ବାୟୁ ପ୍ରବାହ ଏବେ ବି ଜାରି ରହିଛି । ଏବେ କିଛିଟା ପବନ ଚଳାଚଳ ହେଉଥିବାରୁ ତାପମାତ୍ରା ସାମାନ୍ୟ ଥଣ୍ଡା ରହିଛି । ବାୟୁ ଚଳାଚଳ ବନ୍ଦ ହୋଇଗଲେ ଆଗକୁ ଅସହ୍ୟ ଗୁଳଗୁଳିରେ ଜୀବନ ଅସ୍ତବ୍ୟସ୍ତ ହେବ । ଏପ୍ରିଲ ବେଳକୁ ଭୁବନେଶ୍ବର ସମେତ ଅଧିକାଂଶ ସହରର ତାପମାତ୍ରା ୪୪ ଡିଗ୍ରୀ ପାର୍‌ କରିବ ବୋଲି ଆକଳନ କରାଯାଇଛି ।

ଅସହ୍ୟ ତାତିରୁ ମିଳିବନି ନିସ୍ତାର । ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଅଂଶୁଘାତ ସମେତ ଅନେକ ରୋଗ ବି ସୃଷ୍ଟି ହେବାର ସମ୍ଭାବନା ରହିଛି । ନିଦାଘ ତାତିରୁ ଜୀବନକୁ ସୁରକ୍ଷା ଦେବା ପାଇଁ ଏବେଠୁ ବାହାରକୁ ଗଲେ ସତର୍କ ରହିବା ଦରକାର । ପାଣିପାଗ କେନ୍ଦ୍ର ପରାମର୍ଶ ଦେଇ କହିଛି, ଖରାକୁ ଗଲାବେଳେ ଚଷମା, ଛତା ଓ ଜୋତା ପିନ୍ଧିବା ଦରକାର । ଏହାସହିତ ପଇଡ଼ ପାଣି, ପାଣି ବୋତଲ, ମୁହଁ ଘୋଡ଼ାଇବା ପାଇଁ କଟନ୍‌ ଗାମୁଛା ଆଦି ବ୍ୟବହାର କରନ୍ତୁ । ନଚେତ୍‌ ଶରୀରରେ ଜଳୀୟ ଅଂଶ ଅଭାବରୁ ଜୀବନ ପ୍ରତି ବିପଦ ଦେଖାଦେବାର ଆଶଙ୍କା ରହିଛି ।