ନନ୍ଦିଘୋଷ ବ୍ୟୁରୋ: ନିକଟରେ ପ୍ରକାଶ ପାଇଛି ୱାର୍ଲଡ୍ ହାପିନେସ୍ ରିପୋର୍ଟ ୨୦୨୪ । ଏଥିରେ ଫିନଲାଣ୍ଡ ସବୁଠାରୁ ଅଧିକ ଖୁସିରେ ରହୁଥିବା ଲୋକଙ୍କ ଦେଶ ହୋଇଛି । କିନ୍ତୁ ୩୦ ବର୍ଷ ବୟସ ତଳକୁ ଖୁସିରେ ଥିବା ଦେଶ ଭିନ୍ନ ରହିଛି । ତାଲିକା ଷଷ୍ଠ ସ୍ଥାନରେ ଥିଲେ ବି ଯୁବବର୍ଗ ଅଧିକ ଖୁସି ଲିଥ୍ୟୁଆନିଆରେ ରହୁଛନ୍ତି । ଇଉରୋପ ମହାଦେଶର ଏକ ଛୋଟିଆ ଦେଶ ଲିଥ୍ୟୁଆନିଆ । ୨୦୨୧ ଜନଗଣନା ଅନୁସାରେ ଏଠାରେ ମୋଟ୍ ଜନସଂଖ୍ୟା ୨୮ ଲକ୍ଷ । ମୋଟ୍ ଜନସଂଖ୍ୟାର ୧୭ ପ୍ରତିଶତ ଯୁବବର୍ଗ ଏଠାରେ ଅଛନ୍ତି । ଦେଶରେ ହିଂସା କମ୍ ରହିବା ସହ ଯୁବବର୍ଗ ଚିନ୍ତାମୁକ୍ତ ଅଛନ୍ତି । କମ୍ ଜନସଂଖ୍ୟା କାରଣରୁ ସେମାନଙ୍କ ଆବଶ୍ୟକତା ପୂରଣ ହୋଇପାରୁଛି । ଆମେରିକା ଓ ଜର୍ମାନୀ ଭଳି ଦେଶ ହାପିନେସ ଇଣ୍ଡେକ୍ସର ଟପ୍ ୨୦ରେ ନାହାନ୍ତି । ଭାରତ ଖୁସି ରହୁଥିବା ଦେଶଙ୍କ ମଧ୍ୟରେ ୧୨୬ରେ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଓଡ଼ିଶା ଗସ୍ତ ଅବସରରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ପୂର୍ବତନ କ୍ରିକେଟର ତଥା ଭାରତୀୟ କ୍ରିକେଟ ର ପୂର୍ବତନ ହେଡ୍ କୋଚ୍ ରବି ଶାସ୍ତ୍ରୀ। ରବି ଶାସ୍ତ୍ରୀଙ୍କୁ ଭେଟି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ସହ ଆଲୋଚନା କରିଥିଲେ ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ । ରାଜ୍ୟରେ କ୍ରିକେଟ ଖେଳର ବିକାଶ ନେଇ ରବି ଶାସ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଓଡ଼ିଶାରେ କ୍ରୀଡ଼ାର ବିକାଶ ନେଇ ଉନ୍ନତମାନର ଭିତ୍ତିଭୂମି ଗଠନକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ। ଓଡ଼ିଶାରେ ଉଚ୍ଚସ୍ତରର କ୍ରିକେଟ ଏକାଡେମୀ ଖୋଲିବା ନେଇ ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି। କୋଚିଂ ବିୟଣ୍ଡ ସଂସ୍ଥା ସହ କଟକ ସ୍ଥିତ ଏମଜିଏମ ସ୍କୁଲ ଅଫ୍ ସ୍ପୋର୍ଟ୍ସ ସହ ଏମଓୟୁ ଅବସରରେ ଓଡ଼ିଶା ଆସିଛନ୍ତି ପୂର୍ବତନ କ୍ରିକେଟର ରବି ଶାସ୍ତ୍ରୀ।
ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ୍
କେନ୍ଦୁଝର: ନାବାଳିକା ଦୁଷ୍କର୍ମକାରୀକୁ ୩୦ ବର୍ଷ ଜେଲ୍। ୨୦୧୮ ମସିହା ଯୋଡ଼ା ଥାନା ଅଞ୍ଚଳରେ ଘଟିଥିଲା ଘଟଣା। ମାମଲାରେ ମୁଖ୍ୟ ଅଭିଯୁକ୍ତ ଓ ସାବତ ଆଈକୁ ୩୦ବର୍ଷ ଜେଲ୍ ଦଣ୍ଡ ଦେଲେ କେନ୍ଦୁଝର ସ୍ବତନ୍ତ୍ର ପୋକ୍ସ କୋର୍ଟ। ଯୋଡ଼ା ହନୁମାନ ହଟିଙ୍ଗ ସାହିର ସହାଦତ୍ତ ଅଲ୍ଲୀଙ୍କୁ ୩୦ ବର୍ଷ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅନାଦେୟ ଅଧିକ ୩ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୀଡିତାଙ୍କ ସାବତ ଆଈ ଅମିତା କାରୁଆଙ୍କୁ କୋର୍ଟ ୩୦ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦ ଜଣଙ୍କର ସାକ୍ଷୀ ଆଧାରରେ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପୀଡ଼ିତାଙ୍କୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ କୋର୍ଟ ଆଦେଶରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରିଥିଲେ ।
ଶାଶୁଘରୁ ଉଦ୍ଧାର ହେଲା ବୋହୂର ମୃତଦେହ
ନୟାଗଡ଼: ଶାଶୁଘରୁ ଉଦ୍ଧାର ହେଲା ବୋହୂର ମୃତଦେହ। ଶାଶୁଘର ଲୋକେ ଝିଅକୁ ମାରିଦେଇଥିବା ନେଇ ରଣପୁର ଥାନାରେ ଅଭିଯୋଗ କଲେ ପରିବାର ଲୋକେ l ୭ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଲା ପଣସପୁର ଗ୍ରାମର ବସନ୍ତ ମହାରଣାଙ୍କ ବଡ଼ ଝିଅ ସନ୍ଧ୍ୟାରାଣୀ ନୟାଗଡ ଜିଲ୍ଲା ରଣପୁର ମାନିନାଗ ସାହିର ବିଷ୍ଣୁ ପ୍ରସାଦ ମହାରଣାଙ୍କୁ ବିବାହ କରିଥିଲେ l ଉଭୟଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି । କିଛି ଦିନହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା l ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଝିଅର ପରିବାର l ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରୁ ଶାଶୁଘର ଲୋକେ ଫେରାର ହୋଇଯାଇଛନ୍ତି।
ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ଦେଶର ସମସ୍ତ ବ୍ଯାଙ୍କ। ରିଜର୍ଭ ବ୍ଯାଙ୍କ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ହୋଇଥିବାରୁ ସମସ୍ତ ବ୍ଯାଙ୍କ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି କରିଛି ଆରବିଆଇ। ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି ଆରବିଆଇ କର୍ତ୍ତୃପକ୍ଷ। ୩୧ ମାର୍ଚ୍ଚ ରବିବାର ହୋଇଥିବା ସର୍ତ୍ତେ ଏହି ଦିନ ସମସ୍ତ ବ୍ଯାଙ୍କ ଖୋଲା ରହିବ ବୋଲି ସୂଚନା ଦେଇଛି ଆରବିଆଇ। ୩୧ ମାର୍ଚ୍ଚ ଚଳିତ ଆର୍ଥିକ ବର୍ଷର ବାର୍ଷିକ କ୍ଲୋଜିଂ ଦିବସ। ଏଥିଲାଗି ସମସ୍ତ ବ୍ଯାଙ୍କ ଖୋଲା ରହିବ। ଚଳିତ ଆର୍ଥିକ ବର୍ଷର ଶେଷ ଦିନ ସୁଦ୍ଧା ବର୍ଷତମାମ ହୋଇଥିବା ସମସ୍ତ କାରବାରର ସୂଚନା ଲିପିବଦ୍ଧ ହେବା ଆବଶ୍ୟକ। ଏଥିଲାଗି ସମସ୍ତ ବ୍ଯାଙ୍କକୁ କାମ କରିବାକୁ କୁହାଯାଇଛି। ୩୧ ମାର୍ଚ୍ଚ ରବିବାର ଦିନ ଅନ୍ୟ ଦିନ ଭଳି ନିୟମିତ କାର୍ଯ୍ୟ ସମୟରେ ଖୋଲିବ ସମସ୍ତ ବ୍ଯାଙ୍କର ଶାଖା।ଏହାସହ NEFT ଏବଂ RTGS କାରବାର ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ। ଏହାବାଦ ସରକାରୀ ଚେକ୍ କ୍ଲିଅରାନ୍ସ ଲାଗି ମଧ୍ୟ ବିଶେଷ ବ୍ୟବସ୍ଥା କରାଯିବ। ଏହା ପୂର୍ବରୁ ଆୟକର ବିଭାଗ ମଧ୍ୟ ସମସ୍ତ ଅଫିସ ଖୋଲା ରଖିବାକୁ ନିଷ୍ପତ୍ତି ନେଇଥିଲା। ବିଭାଗ ପକ୍ଷରୁ ୨୯ ତାରିଖ ଦିନ ପଡୁଥିବା ଗୁଡ୍ ଫ୍ରାଇଡେ, ୩୦ ତାରିଖ ଶନିବାର ଏବଂ ୩୧ ତାରିଖ ରବିବାର ଛୁଟି ରଦ୍ଦ କରିଥିଲେ। ଆର୍ଥିକ ବର୍ଷର ଶେଷ ୩ ଦିନ ଛୁଟି ପଡୁଥିବାରୁ ଏହି ୩ ଦିନ ଛୁଟି ରଦ୍ଦ କରିଛି ଆୟକର ବିଭାଗ।
ଭାରତ ଦେଖିଲା ବିଶ୍ବ ସାହିତ୍ୟ ମହାକୁମ୍ଭ
ନନ୍ଦିଘୋଷ ବ୍ୟୁରୋ: ଖ୍ଯାତି ସାଉଁଟିଲା କେନ୍ଦ୍ର ସାହିତ୍ଯ ଏକାଡେମୀ। ବିଶ୍ବ ସାହିତ୍ଯ ମହାକୁମ୍ଭ ପରି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରି ଏକାଦିକ୍ରମେ ୱାର୍ଲଡ ବୁକ୍ ଅଫ ରେକର୍ଡସ, ଲଣ୍ଡନ ଓ ଦୁବାଇର ଆଇନଷ୍ଟାଇନ ୱାର୍ଲଡ ରେକର୍ଡସ ସମ୍ମାନ ହାସଲ କରିଛି ଏକାଡେମୀ। ଭାରତର ସାଂସ୍କୃତିକ ଓ ସାହିତ୍ଯିକ ଐତିହ୍ୟ, ସୃଜନଶୀଳତାର ବିକାଶ ଦିଗରେ ନିରନ୍ତର କାର୍ଯ୍ୟ କରିଆସୁଛି ସଂସ୍ଥା।
ଭାରତ ଦେଖିଲା ବିଶ୍ବ ସାହିତ୍ୟ ମହାକୁମ୍ଭ। ଆଉ ଇତିହାସ ରଚିଲା କେନ୍ଦ୍ର ସାହିତ୍ଯ ଏକାଡେମୀ। ପ୍ରଥମ ଥର ଲାଗି ସାଉଁଟିଛି ଦୁଇ ଦୁଇଟି ବିଶ୍ବସ୍ତରୀୟ ସମ୍ମାନ। ଗତ ମାର୍ଚ୍ଚ ୧୧ରୁ ୧୬ ପର୍ଯ୍ୟନ୍ତ ନୂଆଦିଲ୍ଲୀ ରବୀନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଥିବା ଫେଷ୍ଟିଭାଲ ଅଫ୍ ଲେଟର୍ସରେ କୀର୍ତ୍ତମାନ ସ୍ଥାପନ କରିଛି ଏକାଡେମୀ। ୧୩ ତାରିଖରେ ୪୦ଟି ଭାଷାର ୯୦ ଜଣ ଲେଖକ ବିନା ବିରତିରେ ଧାରାବାହିକ ଭାବେ ପାଠ କରିଥିଲେ ନିଜ ନିଜର ସାହିତ୍ଯାକୃତି। ସାରା ଦୁନିଆରେ ପ୍ରଥମ ଥର ଲାଗି ଆୟୋଜିତ ଏକ କାର୍ଯ୍ୟକ୍ରମ ହାସଲ କରିଥିଲା ୱାର୍ଲଡ ବୁକ୍ ଅଫ ରେକର୍ଡସ, ଲଣ୍ଡନ ପକ୍ଷରୁ ସାର୍ଟିଫିକେଟ।
ସେହିପରି ଦୁନିଆର ସବୁଠାରୁ ବଡ ସାହିତ୍ଯ ଉତ୍ସବ ଆୟୋଜିତ କରିଥିବାରୁ ସାହିତ୍ଯ ଏକାଡେମୀକୁ ମିଳିଥିଲା ଦୁବାଇର ଆଇନଷ୍ଟାଇନ ୱାର୍ଲଡ ରେକର୍ଡସ ସମ୍ମାନ। କେବଳ ଏତିକି ନୁହେଁ ଏଲଜିବିଟିକ୍ଯୁଙ୍କୁ ନେଇ ସାହିତ୍ୟ ସମ୍ମିଳନୀ, ଭାରତର ସାଂସ୍କୃତିକ ଓ ସାହିତ୍ଯିକ ଐତିହ୍ୟ, ସୃଜନଶୀଳତାର ବିକାଶ ଆଦି ସମ୍ପର୍କରେ ମାନସ ମନ୍ଥନ ଭାରତୀୟ ସାହିତ୍ଯକୁ ଦେଇଥିଲା ନବଦିଗନ୍ତ। କେନ୍ଦ୍ର ସାହିତ୍ୟ ଏକାଡେମୀର ୭୦ ବର୍ଷର ଇତିହାସରେ ସମସ୍ତ ଭାରତୀୟ ଭାଷା ଲାଗି ଏକାଡେମୀ ନିରନ୍ତର ସେବା କରିଆସୁଛି। ଓଡ଼ିଶାର ବିଭିନ୍ନ ଭାଷାର ବିକାଶ ଲାଗି ବି କରାଯାଉଛି ଉଦ୍ଯମ। ପ୍ରାଚୀନ ସଉରା ଭାଷାର ଏକ ସମ୍ମିଳନୀ ୨୦୨୩ରେ ଭୁବନେଶ୍ବରରେ ହୋଇଥିଲା ବୋଲି କହିଛନ୍ତି ସମ୍ପାଦକ।
୧୭୫ଟି ଭାଷା, ୧୯୦ ଅଧିବେଶନ, ୧୧୦୦ ସାହିତ୍ୟିକଙ୍କ ଗହଣରେ ଛଅ ଦିନ ଧରି ଚାଲିଥିବା ସାହିତ୍ୟୋତ୍ସବରେ ୧୯୦ରୁ ଅଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଭାରତର ଭକ୍ତି ସାହିତ୍ୟ, ଶିଶୁ ସାହିତ୍ୟ, ଅନୁବାଦ ସାହିତ୍ୟ, ସାହିତ୍ୟ ଓ ମହିଳା ସଶକ୍ତିକରଣ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସାହିତ୍ଯିକ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଓ ଗୀତିକାର ଗୁଲଜାର ଦେଇଥିଲେ ଭାବପୂର୍ଣ୍ଣ ବକ୍ତବ୍ଯ। ୨୦୨୩ ବର୍ଷ ନିମନ୍ତେ ୨୪ଟି ଭାରତୀୟ ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା କୃତୀ ସ୍ରଷ୍ଟାଙ୍କୁ ପୁରସ୍କୃତ କରାଯାଇଥିଲା।
ବିପକ୍ଷ ଟିମକୁ କଡ଼ା ଟକ୍କର ଦେବ ସନରାଇଜର୍ସ ହାଇଦ୍ରାବାଦର ଏହି ଟିମ୍
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪କୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪ ସିଜିନ୍ । ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଏବେ ସମସ୍ତ ଟିମ ଅଭ୍ୟାସ ଜାରି ରଖିଛନ୍ତି । ଚାମ୍ପିଅନ ହେବା ପାଇଁ ସମସ୍ତ ଟିମ୍ ପ୍ରସ୍ତୁତି କରୁଥିବାବେଳେ ଫ୍ୟାନ୍ସମାନେ ନିଜ ନିଜର ଟିମ ପାଇଁ ଚିୟରଅପ କରିବା ଆରମ୍ଭ କରିଦେଲେଣି । ସେପଟେ କେଉଁ ଦଳରେ କାହାକୁ ସ୍ଥାନ ମିଳିବ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ହାଇଦ୍ରାବର ଷ୍ଟ୍ରଙ୍ଗ ୧୧ ନଜରକୁ ଆସିଛି । ଯଦି ଏହି ଟିମ ଖେଳେ ତାହେଲେ ହାଇଦ୍ରାବାଦ ଏକ ଦୃଢ଼ ଦଳଭାବେ ଉଭା ହୋଇପାରିବ । ଅନ୍ୟ ଦଳମାନଙ୍କୁ ଟକ୍କର ଦେବାରେ ସମର୍ଥ ହୋଇପାରିବ ହାଇଦ୍ରାବାଦ ।
ସନରାଇଜର୍ସ ହାଇଦ୍ରାବାଦର ଓପନିଂ ଯୋଡ଼ି ରହିବେ ମୟଙ୍କ ଅଗ୍ରଓ୍ବାଲ ଏବଂ ଟ୍ରାଭିସ ହେଡ । ଏହି ଯୋଡ଼ି ପାଳି ଆରମ୍ଭ କରିବେ । ନିକଟରେ ଯାଇଥିବା ଦିନିକିଆ ବିଶ୍ବକପର ଫାଇନାଲରେ ଶତକୀୟ ପାଳି ଖେଳିଥିଲେ । ଏଣୁ ଆଇପିଏଲରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ମଧ୍ୟକ୍ରମରେ ରାହୁଲ ତ୍ରିପାଠୀ, ଇଡେନ ମାକ୍ରମ ହେନ୍ରିଚ୍ କ୍ଲାସନ ବ୍ୟାଟିଂ ଭାର ସମ୍ଭାଳିବେ । ସେପଟେ ଅଲରାଉଣ୍ଡଭାବେ ଦଳରେ ଖେଳିବେ ଓ୍ବାଶିଂଟନ ସୁନ୍ଦର, ପାଟ କମିନ୍ସ, ଶେହେବାଜ ଅହମ୍ମଦ । ବୋଲରାଙ୍କ ମଧ୍ୟରେ ଭୁବନେଶ୍ବର କୁମାର, ଟି ନଟରାଜନ ଏବଂ ଉମ୍ରାନ ମଲ୍ଲିକ । ତାରକା ଖଚିତ ଏହି ଦଳ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।
ଆଦିବାସୀ ବହୁଳ କୋରାପୁଟରେ ବଞ୍ଚି ରହିଛି ସଙ୍ଗାତ ପରମ୍ପରା
କୋରାପୁଟ: ଆଜିର ସ୍ବାର୍ଥବାଦୀ ଦୁନିଆରେ ଭାଇ ଭାଇ ମଧ୍ୟରେ ହେଉ କି ଭାଇ ଭଉଣୀ ମଧ୍ଯରେ କିମ୍ବା ବାପା ପୁଅ ମଧ୍ଯରେ ସଂପର୍କ ଭଲ ନଥାଏ । କିନ୍ତୁ ଆମେ ଆଜି ଏମିତି ଏକ ସଂପର୍କ ଦେଖାଇବାକୁ ଯାଉଛୁ ଯାହାକି ଆଜିର ସଭ୍ୟ ସମାଜକୁ ଏକ ବାର୍ତ୍ତା ଦେଉଛି । କୋରାପୁଟରେ ଏମିତି ଦୁଇଟି ଗାଁ ରହିଛି, ଯେଉଁ ଦୁଇ ଗାଁ ମଧ୍ଯରେ ବର୍ଷ ବର୍ଷ ଧରି ଚଳି ଆସିଛି ସଙ୍ଗାତ ପରମ୍ପରା ।
ସଙ୍ଗାତ । ଏହି ଡାକରେ ଯେତିକି ମଧୁରତା, ଭାବନାରେ ସେତିକି ଆତ୍ମୀୟତା । ସାଙ୍ଗଠାରୁ ଅଧିକ ନିଜର, ସ୍ବାର୍ଥ ବିହୀନ ସମ୍ପର୍କର ଆଧାର । ଭାବ ଓ ସୁଖ-ଦୁଃଖର ଆଦାନପ୍ରଦାନ । ବିଶ୍ବାସ ଓ ନିର୍ଭରଶୀଳ ପ୍ରତିଶ୍ରୁତିର ଅନ୍ଯ ଏକ ନାଁ । ହେଲେ ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଏହି ସମ୍ପର୍କକୁ ବିଗାଡ଼ି ଦେଇଛି । କିନ୍ତୁ ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ଅଧିବାସୀ ଯେତିକି ବିଶ୍ବାସୀ ସେତିକି ସରଳ । ସେମାନଙ୍କ ପରମ୍ପରାରେ ଏବେବି ବଞ୍ଚି ରହିଛି ଏହି ବିଶ୍ବାସର ରଜ୍ଜୁ । ଆମେ କହୁଛୁ ଗଡପଦର ଓ ଏକମ୍ବା ଗାଁର କଥା । ଏହି ଦୁଇ ଗାଁର ବନ୍ଧୁତା ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି । ବାପ ଜେଜେ ଅମଳରୁ ସଙ୍ଗାତ ଗାଁ ଭାବେ ପରିଚିତ । ଯେଉଁଠି ସୁଖଦୁଃଖରେ ଖୋଜାପଡେ ସଙ୍ଗାତକୁ । ଆଉ ସଙ୍ଗାତ ଆସିଲେ ଖୁସି କହିଲେ ନସରେ । ଗୋଡ଼ ଧୋଇ, ପ୍ରଣାମ ଜଣାଇ ସ୍ବାଗତ କରନ୍ତି ପରିବାର ।
ପ୍ରତି ୫ ବର୍ଷରେ ଥରେ ଗଡପଦର ଗାଁରେ ବାଲିଯାତ୍ରା ହୁଏ । ଆଉ ଏହି ଯାତ୍ରାକୁ ସଂଗାତ ଗାଁକୁ ହୁଏ ନିମନ୍ତ୍ରଣ । ଗଡପଦର ଗ୍ରାମବାସୀ ନିମନ୍ତ୍ରଣ ନେଇ ଏକମ୍ବା ପହଞ୍ଚିଲେ ଗ୍ରାମର ଛୋଟ ଠାରୁ ବଡ ଯାଏଁ ଗୋଡ ଛୁଇଁ ପ୍ରଣାମ କରନ୍ତି । ଗୋଡ଼ ଧୋଇ ଦେଇ ନାଚଗୀତରେ ସ୍ବାଗତ କରନ୍ତି । ଆଉ ସଙ୍ଗାତଙ୍କ ନିମନ୍ତ୍ରଣ ପରେ ଯଥାସାଧ୍ୟ ତଥା ଚାଉଳ, ଡାଲି, ପୂଜା ଜିନିଷ ନେଇ ପହଞ୍ଚି ଯାଆନ୍ତି ସଙ୍ଗାତଙ୍କ ଘରେ । ଏପରି ସମ୍ପର୍କ ସତରେ ବିରଳ ।

