spot_img
Home Blog Page 2183

ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ଯାରେଣ୍ଟି ନେଇ ୫ ବର୍ଷିଆ ପ୍ରସ୍ତାବ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ଯାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ଯାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ଯ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା।

ଗତ ୧୩ ତାରିଖରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୨ ଦିନ ଆନ୍ଦୋଳନ ବନ୍ଦ ରହିଛି। ଯଦି ସରକାରଙ୍କ ପ୍ରସ୍ତାବରେ କୌଣସି ସହମତି ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ଚାଷୀ। ପୁଣିଥରେ ଦିଲ୍ଲୀ ସୀମାନ୍ତ ଶମଭୁ ବର୍ଡରେ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ ଆରମ୍ଭ କରିବେ। ଦିଲ୍ଲୀ ଉପକଣ୍ଠରେ ୧୦ ହଜାରରୁ ଅଧିକ ଚାଷୀ ଦିଲ୍ଲୀ ଚଲୋର ନାରା ଦେଇ ଏକାଠି ହୋଇଛନ୍ତି। ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି, ସ୍ବାମୀନାଥନ କମିଶନ ସୁପାରିସ କାର୍ଯ୍ୟକାରୀ, ଚାଷୀ ଓ କୃଷି ଶ୍ରମିକଙ୍କୁ ପେନସନ, ଚାଷୀଙ୍କ ଉପରୁ ଋଣ ଛାଡ଼, ଲଖିମପୁର ଖେରି ହିଂସା ଘଟଣାରେ ପୀଡିତଙ୍କୁ ନ୍ୟାୟ ଆଦି ଦାବିରେ ଜାରି ରହିଛି ଆନ୍ଦୋଳନ। ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୁର ମୋର୍ଚ୍ଚା, କିଷାନ ମଜଦୁର ସଂଘର୍ଷ କମିଟି ସମେତ ୨୦୦ରୁ ଅଧିକ ସଂଗଠନ ଆନ୍ଦୋଳନରେ ସାମିଲ ଅଛନ୍ତି ।

ରୋଗୀଙ୍କ ପାଖରେ ୨୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇ ରେକର୍ଡ କରିଛି ଓଡ଼ିଶା: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ୨୦ ମିନିଟରେ ରୋଗୀଙ୍କ ପାଖରେ ପହଞ୍ଚୁଛି ଆମ୍ବୁଲାନ୍ସ । ଏତେ କମ ସମୟରେ ସେବା ପ୍ରଦାନରେ ଏହା ଦେଶରେ ରେକର୍ଡ ବୋଲି କହିଛନ୍ତି ଜନସ୍ବାସ୍ଥ୍ଯ ନିର୍ଦ୍ଦେଶକ । ରୋଗୀ ସେବାରେ ୧୦୮ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଜଣେ ରୋଗୀ ଚାରିଟି ସ୍ତରରେ ଖର୍ଚ୍ଚାନ୍ତ ହୁଅନ୍ତି । ଔଷଧ, ପରୀକ୍ଷା, ପରିବହନ ଓ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା । ଔଷଧ ମାଗଣାରେ ନିରାମୟରେ ମିଳୁଥିବାବେଳେ ନିଦାନରେ ମାଗଣା ପରୀକ୍ଷା କରାଯାଉଛି । ହେଲେ ଏଥିସବୁ ପାଇଁ ରୋଗୀ ପରିବହନ ଅନେକ ଗୁରୁତ୍ବ ରଖେ । ସେଥିପାଇଁ ୧୦୮ ଆମ୍ବୁଲାନ୍ସ ମାଗଣା ସେବା ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । କୌଣସି ରୋଗୀ ହଇରାଣ ନ ହେବା ପାଇଁ ବିଭିନ୍ନ ଜିଲ୍ଲା ଓ ବ୍ଲକରେ ALS ଓ BLS ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରତି ଜିଲ୍ଲାରେ ଆଡଭାନସ ଲାଇଫ ସପୋର୍ଟ-ଏଏଲଏସ ଆମ୍ବୁଲାନ୍ସ ରହିଛି । ଏଥିରେ ଦୁଇଟି ଲାଭ ହେଉଛି । ପ୍ରଥମଟି ହେଲା ଜରୁରିକାଳୀନ ସମୟରେ ଆମ୍ବୁଲାନ୍ସ ମିଳୁଛି । ଯେହେତୁ ଏହି ଆମ୍ବୁଲାନ୍ସ ଗୁଡ଼ିକୁ ମ୍ୟାପିଙ୍ଗ କରାଯାଇଛି, ଠିକରେଫେରାଲ ହସ୍ପିଟାଲକୁ ରୋଗୀ ଯାଇ ପାରୁଛି । ସମୟ ବି ବଞ୍ଚୁଛି । ନିଜସ୍ୱ ପାଣ୍ଠିରୁ ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାକୁ ଆମ୍ବୁଲାନ୍ସ ଯୋଗାଇଛନ୍ତି ।

ଆର୍ମିର ସ୍ବତନ୍ତ୍ର ଡ୍ରେସ କପଡ଼ା ବିକୁଥିବା ଅଭିଯୋଗରେ ଦୋକାନରେ ଚଢ଼ାଉ

ବ୍ରହ୍ମପୁର: ଆର୍ମିର ସ୍ବତନ୍ତ୍ର ଡ୍ରେସ୍ କପଡ଼ା ବିକି ହରଡ଼ଘଣାରେ ଦୋକାନୀ। ବ୍ରହ୍ମପୁରରେ ଏହି କପଡ଼ା ବିକ୍ରି ହେଉଥିଲା। ପୋଲିସ ଓ ମିଲିଟାରି ଗୁଇନ୍ଦା ବିଭାଗର ମିଳିତ ଚଢ଼ାଉ କରିବା ସହିତ ଦୋକାନୀ ବିରୋଧରେ ଠକେଇ ମାମଲା ରୁଜୁ ହୋଇଛି । ୪୮୮ ମିଟର କପଡ଼ା ଜବତ କରିଛି ବ୍ରହ୍ମପୁର ଟାଉନ ଥାନା ପୋଲିସ। ଗୋଳାବନ୍ଧ ଆର୍ମି ଏଡି କଲେଜର ଜଣେ କର୍ମଚାରୀ ଗାଲକ୍ସି ଷ୍ଟୋରରେ ଦେଖିବାକୁ ପାଇଥିଲେ ଆର୍ମିର ନୂଆ ଡିଜିଟାଲ କମ୍ବାକ୍ଟ ୟୁନିଫର୍ମ । ଜାନୁଆରୀ ୧୫ ତାରିଖରୁ ଏହା କେବଳ କିଛି ନିର୍ଦ୍ଦିଷ୍ଟ ଆର୍ମି କ୍ୟାଣ୍ଟିନରେ ଉପଲବ୍ଧ ହେଉଛି। ବାହାରେ ଏହାର ବିକ୍ରି ନିଷେଧ ରହିଛି। ଏହା ବାହାରେ ବିକ୍ରି ହେବା ଜାତୀୟ ସୁରକ୍ଷା ପ୍ରତି ବିପଦ। କାରଣ ଏହି କପଡ଼ାର ଡ୍ରେସ ପିନ୍ଧି ଜଣେ ନିର୍ବିରୋଧରେ ଆର୍ମି କ୍ୟାମ୍ପରେ ପ୍ରବେଶ କରିପାରିବ। ତେବେ କପଡ଼ା ବିକ୍ରି ହେଉଥିବା ଜାଣିବା ପରେ ମିଳିତ ଚଢାଉ ହୋଇଥିଲା।  ସମ୍ପୃକ୍ତ ଦୋକାନୀ ଏହାକୁ କୋଲକାତାରୁ ଆଣିଥିବା  ଓ ଲୁଧିଆନାରେ ତିଆରି ହେଉଥିବା କହିଛନ୍ତି । ପୋଲିସ କୋଲକାତା ଓ ଲୁଧିଆନାରେ ତଦନ୍ତ କରିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।…

ଆସନ୍ତାକାଲିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା, ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ନଜରରେ ପରୀକ୍ଷା କେନ୍ଦ୍ର

କଟକ: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର। ବୋର୍ଡ ପକ୍ଷରୁ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟରରେ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ରଗୁଡ଼ିକରେ ପ୍ରଥମ ଥର ପାଇଁ ଲଗାଯାଇଛି AI ବେସଡ ସିସିଟିଭି କ୍ୟାମେରା। ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି।  ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗା ଯାଇଛି । ଏଥି ମଧ୍ୟରୁ ୬୦୦ ଟି ସମ୍ବେଦନଶୀଳ ଓ ବିଶେଷ ସମ୍ବେଦନଶୀଳ କେନ୍ଦ୍ରମାନଙ୍କରେ ଏ ଆଇ କ୍ୟାମେରା ଲଗାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩ ହଜାର ୪୭ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ ନୋଡାଲ ସେଣ୍ଟର କରାଯାଇଛି । କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି।…

ଷଷ୍ଠ ସମନ ସତ୍ତ୍ବେ ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଇଡିର ଷଷ୍ଠ ସମନ ସତ୍ତ୍ବେ ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଷଷ୍ଠ ଥର ଲାଗି ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଷଷ୍ଠ ସମନ ସତ୍ତ୍ଵେ ଆଜି ହାଜର ହେଇନାହାନ୍ତି କେଜରିୱାଲ। କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କର ବୋଲି କହିଛନ୍ତି କେଜରିୱାଲ। ପୂର୍ବରୁ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ସମନକୁ ବେଆଇନ ଦର୍ଶାଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଏହି ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି।

ଦିଲ୍ଲୀ ମଦ ନୀତିରେ ଅର୍ଥ ହେରଫେର ମାମଲାରେ ଇଡି କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ବାରମ୍ବାର ସମନ ପଠାଉଥିଲେବି ପୁଣି ଥରେ ଏହାକୁ ଏଡାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ କେଜରିୱାଲ। ଇଡିର ସମନ ବେଆଇନ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। ଏହି ମାମଲା ଉପରେ ନିଜେ କୋର୍ଟରେ ପହଞ୍ଚିଛି ଆମ ଆଦମି ପାର୍ଟି। ତେଣୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ। ମାମଲା ବର୍ତ୍ତମାନ କୋର୍ଟରେ ଅଛି ଆଉ କୋର୍ଟରେ ହିଁ ବିଚାର ହେବ। ଇଡି ବାରମ୍ବାର ସମନ ଜାରି କରିବା ପରିବର୍ତ୍ତେ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ ବୋଲି କହିଛି ଦଳ। ଗତ ଶୁକ୍ରବାର ୧୭ ତାରିଖରେ କେଜ୍ରିୱାଲଙ୍କୁ କୋର୍ଟରେ ହାଜର ହେବାକୁ ଦିଲ୍ଲୀର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବଜେଟ ଅଧିବେଶନ ଚାଲିଥିବାରୁ କେଜରିୱାଲ ଭିଡିଓ କନଫରେନ୍ସିଂ ଯୋଗେ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ତେନ୍ତୁଳି ଗଛ ଭାଗବଣ୍ଟାକୁ ନେଇ ୩ ଜଣଙ୍କୁ ହତ୍ୟା

ବଣାଇଁ: ବଣାଇଁରେ ରେଳ ଧାରଣାରୁ ୪ ଜଣଙ୍କ ମୃତଦେହ ମିଳିବା ଘଟଣା। ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ସତ। ତେନ୍ତୁଳି ଗଛ ଭାଗବଣ୍ଟାରୁ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଗତ ୧୭ ତାରିଖରେ ଦୁଇ ଶିଶୁଙ୍କ ସମେତ ଜଣେ ମହିଳାଙ୍କ ମୃତଦେହ କେନ୍ଦୁପୋଷି ରେଳଷ୍ଟେସନ ନିକଟରୁ ମିଳିଥିଲା। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିଲା ଝାରଖଣ୍ଡ ପୋଲିସ। ଏବେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏକ ତେନ୍ତୁଳି ଗଛର ଭାଗବଣ୍ଟାକୁ ନେଇ ୩ ଜଣଙ୍କୁ ହତ୍ୟା କରାଯାଇଥିଲା। ତେବେ ରେଳ ଧାରଣା ନିକଟରୁ ମିଳିଥିବା ଚତୁର୍ଥ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ। ଏହି ଜଘନ୍ୟ ହତ୍ୟା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ପଶ୍ଚିମ ସିଂଭୂମ ଏସପିଙ୍କ କହିବା ଅସୁନାରେ, ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ଅଭିଯୁକ୍ତ। ମୃତା ମହିଳାଙ୍କ ସ୍ଵାମୀ ବିନୁ ସିଂକୁ ଜୀବିତ ଥିବା ବେଳେ, ସେ ପୁଣେରେ କାମ କରୁଛନ୍ତି। ମୃତ ମହିଳାଙ୍କ ୧୫ ବର୍ଷର ଝିଅ ବର୍ତ୍ତୀ ଯାଇ ପୋଲିସକୁ ଜଣାଇବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲ। ହତ୍ୟାକାରୀ ମଧ୍ୟରେ ମୃତ ମହିଳାଙ୍କ ଦିଅର, ଦେଢଶୁର, କକା ଶ୍ୱଶୁରଙ୍କ ସହ ଆଉ ଦୁଇ ଜଣ ସଂପୃକ୍ତ ଅଛନ୍ତି।

ସମ୍ବଲପୁରରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ସମ୍ବଲପୁର: ସମ୍ବଲପୁର ରେଳଷ୍ଟେସନରୁ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ଆଜମେର ପୁଷ୍କରକୁ ତୀର୍ଥଯାତ୍ରl କରିବେ ବଶିଷ୍ଠ ନାଗରିକ । ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାର ମୋଟ ୧୦୦୦ ଜଣ ଆଜି ତୀର୍ଥଯାତ୍ରା ଆରମ୍ଭ କରିବେ। ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ପାଇଁ ନିୟୋଜିତ ଅଛନ୍ତି ସ୍ଵତନ୍ତ୍ର ଡାକ୍ତରୀ ଟିମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ବରିଷ୍ଠ ନାଗରିକମାନଙ୍କ ତୀର୍ଥଯାତ୍ରାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଯିବା ଆସିବା, ରହିବା ଓ ଭ୍ରମଣ ବ୍ୟବସ୍ଥା ବିନା ମୂଲ୍ୟରେ କରାଯାଇଛି । ଏହା ପୂର୍ବରୁ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଛି ତୀର୍ଥଯାତ୍ରା ଯୋଜନା । ଏହି ଯୋଜନାରେ ବରିଷ୍ଠ ନାଗରିକମାନେ ଖୁବ୍ ସହଜରେ ବିଭିନ୍ନ ତୀର୍ଥକ୍ଷେତ୍ର ବୁଲି ଆସୁଛନ୍ତି ।

ବର୍ଷା ଦିନେ ଘରେ ପଶୁଥିଲା ପାଣି, ଘରକୁ ୬ ଫୁଟ ଉପରକୁ ଉଠାଇଲେ ମାଲିକ

ନୀଳଗିରି: ନୂଆ ଟେକ୍ନୋଲୋଜି ସହାୟତାରେ ସ୍ଥାୟୀ ଘରକୁ ମାଟି ଠାରୁ ଉପରକୁ ଉଠାଯାଉଛି। ୬ ଫୁଟ ପର୍ଯ୍ୟନ୍ତ ଘର ଉପରକୁ ଉଠାଇବା ପାଇଁ କାର୍ଯ୍ୟ ଚାଲିଛି। ନୀଳଗିରି କୋଳିଗଡି ସନ୍ତରାଗଡିଆରେ ଏକ ମହଲା ବିଶିଷ୍ଟ ଘରକୁ ଉପରକୁ ଉଠାଇବା ପାଇଁ ଲାଗିଛନ୍ତି ୧୨ ଜଣିଆ ଟିମ୍। ୨ ଶହରୁ ଅଧିକ ଜଗ ସହାୟତାରେ ଚାଲିଛି କାମ। ପ୍ରଥମ ପ୍ରୟାସରେ ଘର ୫ ଫୁଟ ଉପରକୁ ଉଠିଥିବା କହିଛନ୍ତି ଘର ମାଲିକ। ବର୍ଷାଦିନେ ଘରେ ପାଣି ପଶୁଥିବା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଥିଲେ। ଅନଲାଇନ ମାଧ୍ୟମରେ ବିହାରର ହାଉସ ସିଫ୍ଟିଂ ସଂସ୍ଥା ଜୟ ଶ୍ରୀରାମ ସିନ୍ସ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ ଘର ମାଲିକ।  ଜାନୁଆରୀ ୮ରୁ ଚାଲିଛି ଘର ଉଠା କାମ।

ଖୋଲିବ ଗଞ୍ଜେଇ ଡିଲ ଗୁମର, ରିମାଣ୍ଡରେ ଯିବେ ନିଶା ମାଫିଆ

ଭୁବନେଶ୍ବର: ରିମାଣ୍ଡରେ ଆସି ଗଞ୍ଜେଇ ଡିଲ ସମ୍ପର୍କରେ ଗୁମର ଖୋଲିବେ ନିଶା ମାଫିଆ। ଝାଡଖଣ୍ଡୀ ନିଶା ମାଫିଆଙ୍କୁ ରିମାଣ୍ଡରେ ଆଣିବ ସ୍ପେଶାଲ କ୍ରାଇମ ୟୁନିଟ। ୩ ଦିନ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ହୋଇଛି ଆବେଦନ। ଆର୍ଥିକ କାରବର, ପ୍ରଭାବଶାଳୀ ଲୋକଙ୍କ ସମ୍ପୃକ୍ତି ନେଇ ହେବ ଖୋଳତାଡ଼। ସ୍ପେଶାଲ କ୍ରାଇମ ୟୁନିଟ ପରେ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଝାଡଖଣ୍ଡ ପୋଲିସ। ଝାଡ଼ଖଣ୍ଡର ରବିଶଙ୍କର ଦାସ, ରାଜେଶ ଦାସ ଓ ଲ’ କିଶୋର ସହଦେବ ରିମାଣ୍ଡରେ ଆସିବେ। ୩ ଅଭିଯୁକ୍ତଙ୍କୁ ୧୨ ଫେବ୍ରୁଆରୀରେ ଗିରଫ କରିଥିଲା ସ୍ପେଶାଲ କ୍ରାଇମ ୟୁନିଟ। ମାଲକାନାଗିରିରୁ ପଶ୍ଚିମବଙ୍ଗ ଯାଉଥିବା ବେଳେ କାବୁ କରିଥିଲା ପୋଲିସ। ପିତାପଲ୍ଲୀ ଛକ ନିକଟରେ ଚକମା ଦେଇଥିଲେ ନିଶା ମାଫିଆ। କିନ୍ତୁ ପାହାଳ ଛକ ନିକଟରେ ୨ଟି କାର ସହ ୩ ଅଭିଯୁକ୍ତଙ୍କୁ ଗୋଡେଇ ଗୋଡାଇ ଧରିଥିଲା ପୋଲିସ। ଗାଡି ଭିତରୁ ୩୦୦ କେଜି ଗଞ୍ଜେଇ ଜବତ ହୋଇଥିଲା। ସିକ୍ରେଟ ଚାମ୍ବର ଯୋଗେ ଚାଲାଣ ହେଉଥିଲା ଗଞ୍ଜେଇ। ରିମାଣ୍ଡରେ ଆସିବା ପରେ ଆହୁରି ଅନେକ ଗୁମର ଖୁବଶୀଘ୍ର ଖୋଲିବ ବୋଲି ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀ ସୂଚନା ଦେଇଛନ୍ତି।

ଜୁଆ ଆଡ୍ଡାରେ ରେଡ କରିବାକୁ ଯାଇଥିଲାବେଳେ ମହିଳା ଥାନା ଅଧିକାରୀଙ୍କୁ ମାଡ଼

ବାଲେଶ୍ବର: ଜୁଆ ଆଡ୍ଡାରେ ରେଡ୍ କରିବାକୁ ଯାଇଥିବା ବେଳେ ମହିଳା ଥାନା ଅଧିକାରୀଙ୍କୁ ନିର୍ଯାତନା। ମାଡ଼ ମାରିବା ସହ ଥାନା ଅଧିକାରିଙ୍କୁ ତାଲା ପକାଇଦେଲେ ଜୁଆଡି। ବାଲେଶ୍ବର ଜିଲ୍ଲା ଭୋଗରାଇର ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ସୂଚନା ଅନୁସାରେ, ଭୋଗରାଇର ଉଦୟପୁର ଗାଁ ମଧ୍ଯ ଦେଇ ପାଟ୍ରୋଲିଂ କରୁଥିଲେ ଥାନା ଅଧିକାରୀ। ଉଦୟପୁର ଗାଁର ଜଣେ ବ୍ଯକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଦୋକାନ ଘରେ ପୂରାଇ ଦେଇଥିଲେ । ଥାନାର ଗାଡି ଚାଳକ ଏହାକୁ ବିରୋଧ କରିବାରୁ ତାଙ୍କୁ ମାରି ଲହୁ ଲୁହାଣ କରିଥିଲେ ଜୁଆଡ୍ଡି। ଏପରିକି ଗାଡିରେ ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଭୋଗରାଇ ପୋଲିସ ଓ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ପହଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି। ଘଟଣାରେ ୧୧ ଜଣଙ୍କୁ ଉଠାଇ ନେଇଛି ପୋଲିସ।