ଲୁଟେରା ଗିରଫ, ୨୬୯ ଗ୍ରାମର ସୁନା ଅଳଙ୍କାର ଜବତ

ନୟାଗଡ଼: ନୟାଗଡ଼ ଟ୍ରାଫିକ ଛକରେ ବ୍ୟାଗ ଧରି ଛିଡ଼ା ହୋଇଥିବା ବେଳେ ଧରାପଡିଲା ଲୁଟେରା । ଅଭିଯୁକ୍ତର ଘର ପଶ୍ଚିମବଙ୍ଗ କୁଲପି ଥାନା ଅଞ୍ଚଳର ଆଲୋମିଗିରି ମୋଲା ବୋଲି ଜଣାପଡ଼ିଛି । ତା’ ବ୍ୟାଗରୁ ୨୬୯ ଗ୍ରାମର ସୁନା ଅଳଙ୍କାର ମିଳିଥିବା ବେଳେ ପାଖରୁ ୪ ଲକ୍ଷ ୮୯ ହଜାର ୧୦୦ ଟଙ୍କା ଜବତ କରାଯାଇଛି ।

ଲୁଟେରା ଜଣଙ୍କ ଛିଡା ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ଏହାପରେ ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ବ୍ୟାଗ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ତା’ ବ୍ୟାଗରୁ ୧୦ଟି ସୁନା ନେକ୍ଲେସ୍, ୬ଟି ଚେନ୍, ୩ଟି ସୁନା ରାଣୀ ହାର, ଲକେଟ୍, ୬ଟି ଆମ୍ବକସି ଲକେଟ୍, ୨୮ଟି ସୁନା ଟପ୍ସ, ୨ଟି ସୁନା ମୁଦି, ୩ ହଳ କାନ ରିଙ୍ଗ ଓ ଅନ୍ୟ ଅଳଙ୍କାର ମିଳିଥିଲା । ଏହି ସବୁ ଚୋରି ସାମଗ୍ରୀ ବୋଲି ଜଣାପଡ଼ିଛି ।

ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ରହୁଥିବା ଜଣାପଡିଛି । ତେବେ ସେ କେଉଁ ଅଞ୍ଚଳରୁ ଚୋରି କରୁଥିଲା, ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଓ ଚୋରି ସାମଗ୍ରୀ ନେଇ କୁଆଡ଼େ ଯାଉଥିବା ସେନେଇ ତଦନ୍ତ କରୁଛି ପୋଲିସ ।