ଇଜିଏମ ପ୍ରସ୍ତାବକୁ ନେଇ ବାୟଜୁ ରବୀନ୍ଦ୍ରନ ଖପ୍ପା, କହିଲେ- ମୁଁ ସିଇଓ ଅଛି, ରହିବି

1 min read

ନୂଆଦିଲ୍ଲୀ: ବାୟଜୁସରେ ଲାଗି ରହିଥିବା ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ଅର୍ଥ ହେରଫେର ଅଭିଯୋଗରେ ଫସିଥିବା ଏହି କମ୍ପାନୀର ଫାଉଣ୍ଡର ଓ ସିଇଓ ବାୟଜୁ ରବୀନ୍ଦ୍ରନଙ୍କୁ ବାହାର କରିବାକୁ ଇଜିଏମରେ ପ୍ରସ୍ତାବ ପାରିତ ହୋଇଛି । ଏହାକୁ ନେଇ ରବୀନ୍ଦ୍ରନ ପୂରା ଖପ୍ପା ଥିବା ବେଳେ କହିଛନ୍ତି, ମୁଁ ସିଇଓ ଅଛି ଓ ଆଗକୁ ବି ରହିବି । ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ । ଗତ ଶୁକ୍ରବାର ଏକ ବୈଠକରେ ବାୟଜୁସ ନିବେଶଙ୍କ ଏକ ଦଳ ରବୀନ୍ଦ୍ରନ ଓ ତାଙ୍କ ପରିବାରକୁ କମ୍ପାନୀରୁ ବାହାର କରିବାକୁ ପ୍ରସ୍ତାବ ପାରିତ କରିଥିଲେ ।

ରବୀନ୍ଦ୍ରନଙ୍କ ଉପରେ ମିସ୍ ମ୍ୟାନେଜମେଣ୍ଟ ଆରୋପ

ବାୟଜୁସର ସଙ୍କଟ କମ ହେବାର ନା ନେଉନି । ଗୋଟିଏ ପଟେ ନିବେଶକ ଫର୍ମ ପ୍ରୋସସ କମ୍ପାନୀର ମୂଲ୍ୟାଙ୍କନ ୨୨ ବିଲିୟନ ଡଲାରରୁ କମାଇ ୫.୧ ବିଲିୟନ ଡରାଲ କରିଦେଇଛି । ଅନ୍ୟପଟେ ଶୀର୍ଷ ନେତୃତ୍ବ ଉପରେ ମିସ୍ ମ୍ୟାନେଜମେଣ୍ଟ ଅଭିଯୋଗ ଲଗାଇ କମ୍ପାନୀରୁ ବାହାର କରିବାକୁ ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଶୁକ୍ରବାର ହୋଇଥିବା ବାୟଜୁସ ଇଜିଏମରେ Investors Prosus, General Atlantic ଓ Peak XV ପରି ବଡ଼ ସେୟାର ହୋଲ୍ଡର୍ସ କମ୍ପାନୀର ଫାଉଣ୍ଡର ବାୟଜୁ ରବୀନ୍ଦ୍ରନ ଏବଂ କୋ ଫାଉଣ୍ଡର ଦିବ୍ୟା ଗୋକୁଲନାଥ ଏବଂ ତାଙ୍କ ଭାଇ ରିଜୁ ରବୀନ୍ଦ୍ରନଙ୍କୁ ବୋର୍ଡରୁ ହଟାଇବାକୁ ପ୍ରସ୍ତାବ ପାରିତ କରିଛନ୍ତି ।

କମ୍ପାନୀରୁ ବିଦା ହେବା ଖବର ଆସିବା ପରେ ଏହାର ଜବାବ ରଖିଛନ୍ତି ବୟଜୁ ରବୀନ୍ଦ୍ରନ । ନିବେଶକଙ୍କୁ ଏକ ପତ୍ର ଲେଖି ରବୀନ୍ଦ୍ରନ ବୟାନ ଜାରି କରିଛନ୍ତି । ଏଥିରେ ସେ ସିଇଓ ଭାବେ ନିଜ ସ୍ଥିତି ସ୍ପଷ୍ଟ କରିବା ସହ କହିଛନ୍ତି, ସଙ୍ଗଠନ ଭିତରେ ସବୁକିଛି ଠିକ୍ ଅଛି । କମ୍ପାନୀରୁ ବିଦା ହେବାକୁ ନେଇ ସେ ଲେଖିଛନ୍ତି, ‘ମୁଁ ଆପଣମାନଙ୍କୁ କମ୍ପାନୀର ସିଇଓ ଭାବେ ଏହି ପତ୍ର ଲେଖୁଛି । ଆପଣମାନେ ଗଣମାଧ୍ୟମରେ ଯାହା ପଢ଼ିଛନ୍ତି ତାହାର ବିପରୀତ ମୁଁ ସିଇଓ ଭାବେ ରହିବି । ମ୍ୟାନେଜମେଣ୍ଟରେ କୌଣସି ପରିବର୍ତ୍ତନ ହେବନାହିଁ ଏବଂ ପୂର୍ବ ବୋର୍ଡ ବି ରହିବ ।’ ଶୁକ୍ରବାରକୁ ହୋଇଥିବା ବୈଠକକୁ ସେ ତମାସା କହି କଟାକ୍ଷ କରିଛନ୍ତି ।