spot_img
Home Blog Page 2178

ବିଜେପି କର୍ମୀଙ୍କ ମାଡ଼ରେ ଗୋଟିଏ ପରିବାରର ୭ ଜଣ ଆହତ

ଭଦ୍ରକ: ରକ୍ତମୁଖା ବିଜେପି କର୍ମୀ । ବିଜେପି କର୍ମୀଙ୍କ ମାଡ଼ରେ ଗୋଟିଏ ପରିବାରର ୭ ଜଣ ଆହତ, ଡାକ୍ତରଖାନାରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ପୀରାହାଟ ଥାନା ଅଧୀନ ବାଲିଦାଣ୍ଡି ଗାଁରେ ଏହି ଘଟଣା ଘଟିଛି ।  ବାଲିଦାଣ୍ଡି ଗାଁର ଗୋବର୍ଦ୍ଧନ ନାୟକଙ୍କ ପୁଅ  ଜିତେନ୍ଦ୍ର ଓ ଦେବେନ୍ଦ୍ର  ଗୁଣ୍ଡାଗର୍ଦ୍ଦି କରି ସରକାରୀ ପାଣି ପାଇପ ବାବଦକୁ ଦେୟ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗାଁରେ ଡକାଯାଇଥିଲା ବୈଠକ । ଜିତେନ୍ଦ୍ର ଏବଂ ଦେବେନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ କୁନିଲତା ନାୟକଙ୍କ ପରିବାର ଉପରେ ଗତକାଲି ମଧ୍ୟାହ୍ନରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ପୀରାହାଟ ଥାନାରେ ମାମଲା ରୁଜୁ ହୋଇଛି । ପୁଣି ଗତକାଲି ବିଳମ୍ବିତ ରାତିରେ ଗୋବର୍ଦ୍ଧନ ନାୟକଙ୍କ ତିନି ପୁଅଙ୍କ ସମେତ ମାକ୍ସ ପିନ୍ଧା ୧୫ରୁ ଅଧିକ ବିଜେପି କର୍ମୀ କୁନିଲତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ବାଡ଼ିରେ ପିଟି ପୂରା ପରିବାରକୁ ଲହୁଲୁହାଣ କରି ପକାଇଛନ୍ତି । ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋବର୍ଦ୍ଧନ ନାୟକଙ୍କ ପରିବାର ଓ ବିଜେପି କର୍ମୀମାନେ ଜୋର ଜବରଦସ୍ତ ପାଣି ପାଇଁ ଟଙ୍କା ଆଦାୟ କରିବା ଓ ବିଦ୍ୟାଳୟ ଗୃହକୁ ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ ହୋଇଛି । କେହି ପ୍ରତିବାଦ କଲେ ମାଡ଼ ମାରି ମୁହଁ ବନ୍ଦ କରନ୍ତି । ଏମିତି ଗୁଣ୍ଡାଗର୍ଦ୍ଦିକୁ ରୋକିବା ସହ ଦୋଷୀକୁ ଦଣ୍ଡ ଦେବାକୁ କୁନିଲତାଙ୍କ ପରିବାର ଦାବି କରିଛନ୍ତି ।…

 

ଯେଉଁଠି ଆଣ୍ଟିବାୟୋଟିକସ ଦରକାର ପଡ଼ିବ ଦିଆଯିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର 

ଭୁବନେଶ୍ବର: ଡାକ୍ତର ଆଣ୍ଟିବାୟୋଟିକସ ଲେଖିବାର କାରଣ ଦର୍ଶାଇବା ପ୍ରସଙ୍ଗରେ ମତ ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଏନେଇ ପୂର୍ବରୁ ନିୟମ ରହିଛି । ଆଣ୍ଟିବାୟୋଟିକସର ରେଜିଷ୍ଟାନ୍ସ ବିଶ୍ୱସ୍ତରରେ ବଢୁଛି । ଅପବ୍ୟବହାର  ଯୋଗୁ ଏହା ଉପରେ କଟକଣା ଲାଗୁ କରିବାକୁ ବାହାରିଛନ୍ତି କେନ୍ଦ୍ର ସରକାର । ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର  । ଯେଉଁଠି ଆଣ୍ଟିବାୟୋଟିକସ ଦରକାର, ଦିଆଯିବ । ଡାଇଗ୍ନୋସିସ ପରି ଆଣ୍ଟିବାୟୋଟିକସ ପାଇଁ କାରଣ ଜଣାଇଲେ ମୌଳିକ ବ୍ୟବହାର ହେବ । ଡକ୍ୟୁମେଣ୍ଟେସନ ହୋଇପାରିବ । ଡ୍ରଗ୍ କଣ୍ଟ୍ରୋଲ ଆଇନରେ ମଧ୍ୟ ଏହା ଉଲ୍ଲେଖ ଅଛି ।

ପ୍ରେସକ୍ରିପସନ ନ ଦେଖି ଔଷଧ ଦେବା କଥା ନୁହେଁ । କିଛି ଡ୍ରଗ୍ ବିନା ପ୍ରେସକ୍ରିପସନ ବିକ୍ରି ହୋଇପାରିବ ନାହିଁ । ନନ୍- କମ୍ୟୁନେବଲ ଜୁନୋଟିକ ରୋଗ ପରି ଆଣ୍ଟି ମାଇକ୍ରୋବାଲ ରେଜିଷ୍ଟାନ୍ସ ବଡ଼ ବିପଦ ଆଣିପାରେ । ରୋଗର ସମ୍ବେଦନଶୀଳତା ବୁଝିବାକୁ ପଡ଼ିବ । ଡାକ୍ତର ଆଣ୍ଟିବାୟୋଟିକସର କାରଣ ଜୁଡିସିଅସଲି ଲେଖନ୍ତୁ ବୋଲି  ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି  । ସେପଟେ ଡ୍ରଗସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର କହିଛନ୍ତି, ଡ୍ରଗସ ଏବଂ କସମେଟିକସ ଆକ୍ଟ ଅନୁଚ୍ଛେଦ ଏଚରେ ଏହା ଲେଖା ଅଛି  । ଏଚରେ ୫୫୧ ଡ୍ରଗସ ଥିବାବେଳେ ଏଚ-ୱାନରେ ୪୭ ଡ୍ରଗ୍ସ ସାମିଲ ଅଛି ଯାହା ଉଚ୍ଚ ଆଣ୍ଟିବାୟୋଟିକସ । ଏଥିପାଇଁ ଦୋକାନରେ ରେଜିଷ୍ଟରରେ ଲେଖିବା ନିୟମ ରହିଛି  । ନିୟମ ଉଲ୍ଲଂଘନ କଲେ କାରଣ ଦର୍ଶାଅ ନୋଟିସ ଜାରି ହେଉଛି  । ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଛି  । ଆବଶ୍ୟକ ପଡିଲେ ଲାଇସେନ୍ସ ବାତିଲ ହୋଇପାରିବ  । ବିନା ଚିଠାରେ ନ ବିକିବାକୁ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି  । କିଛି ଔଷଧ ବିନା ଚିଠା ଦେଇ କିଣି ହେବ  । ଡ୍ରଗସ କଣ୍ଟ୍ରୋଲର ତଦାରଖ କରୁଛନ୍ତି । କାରଣ ଆଣ୍ଟିବାୟୋଟିକ୍ସର ପ୍ରତିକୂଳ ପ୍ରଭାବ ମଧ୍ୟ ରହିଛି ବୋଲି କହିଛନ୍ତି ଡ୍ରଗସ କଣ୍ଟ୍ରୋଲର ଅଶୋକ କୁମାର ପାତ୍ର  ।

ତୃତୀୟ ବିବାହ କଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ, ଜୋର ଧରିଲା ସାନିଆ-ସୋଏବ ବିବାହ ବିଚ୍ଛେଦ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ କଲେ ଦ୍ବିତୀୟ ବିବାହ। ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କ ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ ଆଜି ତୃତୀୟ ବିବାହ କରିଛନ୍ତି । ପାକିସ୍ତାନର ଲୋକପ୍ରିୟ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେ ବିବାହ କରିଛନ୍ତି। ବିବାହ ଉତ୍ସବ ପରେ ଉଭୟ ସୋସିଆଲ ମିଡିଆରେ ଉଭୟ ଫଟୋ ସେୟାର କରିଛନ୍ତି। ଏହି ବିବାହ ପରେ ଭାରତୀୟ ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ସହ ସୋଏବ ମଲ୍ଲିକଙ୍କ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଏ ନେଇ କୌଣସି ବିଧିବଦ୍ଧ ତଥ୍ୟ ଆସିନାହିଁ। ଏହି ଫଟୋ ଆସିବା ପରେ ସାନିଆ-ସୋଏବଙ୍କ ବିଚ୍ଛେଦ ନେଇ ଚାଲିଥିବା ଚର୍ଚ୍ଚା ଆହୁରି ଜୋର ଧରିଛି। ଗତ ବର୍ଷ ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ। ଉଭୟ ପୂର୍ବରୁ ଡେଟିଂ କରୁଥିବା ନେଇ ଚର୍ଚ୍ଚା ଲାଗି ରହିଥିଲା। ୨୦୧୦ରେ ଟେନିସ ଷ୍ଟାର ସାନିଆ ମିର୍ଜାଙ୍କୁ ବିବାହ କରିଥିଲେ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ । ଇସଲାମ ରୀତିନୀତି ଅନୁସାରେ ହାଇଦ୍ରାବାଦରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଏହାପରେ ପାକିସ୍ତାନର ସିଆଲକୋଟରେ ଉଭୟ ବିବାହ ଉତ୍ସବ ପାଳନ କରିଥିଲେ । ସାନିଆଙ୍କ ୨୦୧୮ରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଛି ।

ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ, ଆରମ୍ଭ ହେବ ନାଚୁରାଲ ନାଇଟ୍ ଟ୍ରେଲ

ଭୁବନେଶ୍ବର: ଚନ୍ଦକା ଅଭୟାରଣ୍ୟରେ ନାଇଟ୍ ସଫାରୀ। ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ। ଭରତପୁର ସଫାରୀରେ ଆରମ୍ଭ ହେବ ନାଚୁରାଲ ନାଇଟ୍ ଟ୍ରେଲ । ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବ ଏହି ସଫାରୀ । ରାତି ସାଢ଼େ ୯ ଟା ଯାଏଁ ଖୋଲା ରହିବ ସଫାରୀ, ଚାଲିବ ଟ୍ରେଲ୍। ଯେଉଁମାନେ ଦିନରେ ସମୟ ପାଉନାହାନ୍ତି ସେମାନେ ସନ୍ଧ୍ୟା ସମୟରେ ଅଭୟାରଣ୍ୟ ବୁଲିବାର ସୁଯୋଗ ପାଇପାରିବେ। ଏହାଯୋଗୁଁ ଛାତ୍ରଛାତ୍ରୀ ଓ ଗବେଷଣା କରୁଥିବା ବିଦ୍ୟାର୍ଥୀ ଅଧିକ ଉପକୃତ ହେବେ । ଏଠାରେ ଲୋକମାନେ ହରୀଣ, ବାରହା, ସମ୍ବର, ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କୁ ଦେଖିପାରିବେ । ଏହି ବନ୍ୟଜନ୍ତୁଙ୍କ ବିଷୟୟରେ ଅଧିକ ଜାଣିପାରିବେ। ରାତି ସାଢ଼େ ୯ଟା ରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ ସଫାରୀ ।

ଗୁରୁଙ୍କ ନାଁରେ ଲାଗିଲା କଳଙ୍କ, ବିଦ୍ୟାଳୟରେ ଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ପୁଣି ଗୁରୁଙ୍କ ନାଁରେ ଲାଗିଲା କଳଙ୍କ l ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟରେ ଦୁଷ୍କର୍ମ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଘଡ଼ିଆମାଳ ମଧୁସୂଦନ ବିଦ୍ୟାମନ୍ଦିରରୁ ଆସିଛି ଏଭଳି ଗୁରୁତର ଅଭିଯୋଗ ।  ଗତ ୧୬ ତାରିଖରେ ଶ୍ରେଣୀଗୃହକୁ ଦୁଇଜଣ ଛାତ୍ରୀଙ୍କୁ ଡକାଇ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀଙ୍କଠାରୁ ପରିବାର ଲୋକ ଘଟଣା ଜାଣିବା ପରେ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଜନଗର ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ପ୍ରଦୀପ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଡାକ୍ତର ଅଭାବ ହେବ ଦୂର, ପ୍ରତି ମାସରେ ହେବ ଡାକ୍ତର ପଦବୀ ପାଇଁ ସାକ୍ଷାତକାର

ଭୁବନେଶ୍ବର: ସରକାରୀ ମେଡିକାଲ କଲେଜରେ ଡାକ୍ତର ଅଭାବ ଦୂର ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ଏଣିକି ପ୍ରତି ମାସରେ ସାକ୍ଷାତକାର ଆୟୋଜନ କରାଯାଇ ଜୁନିଅର ରେସିଡେଣ୍ଟ, ସିନିୟର ରେସିଡେଣ୍ଟ, ଟ୍ୟୁଟର୍, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଓ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରରେ ମାସିକିଆ ସାକ୍ଷାତକାର କରାଯିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଅନୁସାରେ, ପ୍ରତି ମାସରେ ସାକ୍ଷାତକାର ପାଇଁ ୧୨ ତାରିଖ ଧାର୍ଯ୍ୟ କରାଯାଇଛି । ଏହି ଦିବସରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ପିଜିଆଇଏମ୍ଇଆର କ୍ୟାପିଟାଲ ହସ୍ପିଟାଲ, ଏସସିବି ଡେଣ୍ଟାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରାଯିବ । ସେହିପରି ଖାଲି ଥିବା ବିଭିନ୍ନ ପଦବୀ ପଦବୀରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ଲକ୍ଷ୍ୟରେ ଡିଏମ୍ଇଟି ପଦକ୍ଷେପ ନେବେ । ରାଜ୍ୟସ୍ତରରେ ଡିଏମ୍ଇଟିଙ୍କ ପକ୍ଷରୁ ପ୍ରତି ମାସ ୨୫ ତାରିଖରେ ସାକ୍ଷାତକାର କରାଯିବ । ଉଭୟ ରାଜ୍ୟ ଓ ଅନୁଷ୍ଠାନ ସ୍ତରୀୟ ନିଯୁକ୍ତି ସମ୍ପର୍କରେ ପରବର୍ତ୍ତି ମାସର ୫ ତାରିଖ ସୁଦ୍ଧା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିପୋର୍ଟ ପ୍ରଦାନ କରାଯିବ ।

ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା

ଭୁବନେଶ୍ବର: ବିମାନ ସଂଯୋଗୀକରଣରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା । ହାଇଦ୍ରାବାଦରେ ଅନୁଷ୍ଠିତ ଓ୍ବିଙ୍ଗସ ଇଣ୍ଡିଆ ୨୦୨୪ରେ ରାଜ୍ୟକୁ ଏହି ମାନ୍ୟତା ମିଳିଛି । ରାଜ୍ୟକୁ ରାଜ୍ୟ ବିମାନ ସେବା ଆରମ୍ଭ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହୋଇଛି । ଏଥିରେ ଦ୍ରୁତଗତିରେ ଗମନାଗମନର ସୁବିଧା ହେବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସକୁ ଜାତୀୟ ସ୍ତରରେ ଏହି ବଡ଼ ସ୍ବୀକୃତି ମିଳିଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁବାଇ, ବ୍ୟାଙ୍କକକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଥିଲା । ଏହାସହ ରାଜ୍ୟର ଉତକେଲା, ମାଲକାନିଗରି, ଜୟପୁର, ରଙ୍ଗେଇଲୁଣ୍ଡା, ଝାରସୁଗୁଡ଼ା ଓ ରାଉରକେଲାକୁ ବିମାନସେବା ଆରମ୍ଭ ହୋଇଛି ।

ଚିଲିକା ଏବଂ ଭିତରକନିକାରେ ଚାଲିଛି ଡଲଫିନ୍ ଗଣନା

ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ଚାଲିଛି ଡଲଫିନ୍ ଗଣତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା l ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମରେ ୫ରୁ ୬ ଜଣ ସଦସ୍ୟଙ୍କ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି । ବାଲୁଗାଁ, ବଡ଼କୂଳରେ ୧୦ ଟିମ୍ ଏବଂ ସାତପଡାରେ ୮ ଟିମ ଡଲଫିନ୍ ଗଣନା ପାଇଁ ନିୟୋଜିତ ହୋଇଛନ୍ତି । ଜିପିଏସ ଓ ବାଇନା କୁଲାର ଜରିଆରେ ଡଲଫିନ୍ ଗଣନା ଚାଲିଛି । ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରି, ଜଙ୍ଗଲ ବିଭାଗ, ଓୟୁଏଟି ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଓ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି । ଗତବର୍ଷ ଚିଲିକାରେ ମୋଟ ୧୭୩ଟି ଡ଼ଲଫିନ ଠାବ ହୋଇଥିବା ବେଳେ, ଏଥିରୁ ୧୫୪ଟି ଏରାଓ୍ବାଡି ପ୍ରଜାତିର ଏବଂ ୧୯ଟି ବଟଲ ନୋଜ ପ୍ରଜାତିର ଡଲଫିନ ଥିଲେ । …

ଅନ୍ୟପଟେ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜିଠାରୁ ଡଲଫିନ ଗଣନା ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବ ଗଣତି । ବନବିଭାଗର ୯ଟି ଟିମ ଡଲଫିନ ଗଣତି କରୁଛନ୍ତି । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ଏହି ଗଣନା ଚାଲିବ । ପ୍ରତ୍ୟେକ ଗଣନା ଟିମ ସଦସ୍ୟଙ୍କୁ ସହାୟତା ପାଇଁ ବୋଟ ସହିତ ବାଇନାକୁଲାର, ଜିପିଏସ, ହ୍ୟାଣ୍ଡସେଟ କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ଉପକରଣ ଯୋଗାଇ ଦିଆଯାଇଛି । ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି । ପ୍ରତି ଗ୍ରୁପରେ ୩ ରୁ ୫ ଜଣ ଲେଖାଏଁ ଗଣାନାକାରୀ ରହିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକ୍‌ରେ ୪ଟି ଟିମ୍ ଡଲ୍‌ଫିନ୍ ଗଣନା କରିବେ । ଚିଲିକା ଅଂଚଳରେ କେବଳ ଏରାୱାଡି ପ୍ରଜାତିର ଡଲ୍‌ଫିନ୍ ଦେଖାଯାଆନ୍ତି । ମାତ୍ର ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍ ଦେଖା ଯାଇଥାନ୍ତି । ଗତବର୍ଷ ଗଣନା ସମୟରେ ସାରା ଓଡିଶାରେ ୭୩୩ଟି ଡଲଫିନ ଚିହ୍ନଟ ହୋଇଥିବା ବେଳେ, ସେଥିମଧ୍ୟରୁ ଗହୀରମଥା ଓ ଭିତରକନିକାରେ ୫୫୦ଟି ଡଲଫିନ ଚିହ୍ନଟ ହୋଇଥିଲା ।

ଆଜି ପବିତ୍ର ଶାମ୍ବଦଶମୀ, ଘରେ ଘରେ ସୂର୍ଯ୍ୟଦେବଙ୍କୁ କରାଯାଉଛି ପୂଜା

ଭୁବନେଶ୍ବର: ଆଜି ପବିତ୍ର ଶାମ୍ବଦଶମୀ । ପରମ୍ପରା ଅନୁଯାୟୀ ଆଜି ପ୍ରାତଃ କାଳରେ ଘରେ ଘରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଇଛି । ନିଜ ପରିବାରକୁ ନିରୋଗ ରଖିବା ପାଇଁ ପ୍ରାତଃ, ମଧ୍ୟାହ୍ନ ଓ ଅପରାହ୍ନରେ ଲୋକେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କୁ ଆଜି ପୂଜା କରିଥାନ୍ତି । ସାମ୍ବଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ଆପ୍ରସିଦ୍ଧ ସୂର୍ଯ୍ୟ ରଥ ବାହାରିବାର ପରମ୍ପରା ରହିଛି । କଥିତ ଅଛି, ଅର୍କକ୍ଷେତ୍ର କୋଣାର୍କରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଉପାସନା କରି ଦୁରାରୋଗରୁ ମୁକ୍ତି ପାଇଥିଲେ । ଏଠାରେ ଥିବା ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା କରିବ । ରଥ ଉପରେ କାକରା, ବରା ଓ ପୋଡପିଠା ଲାଗି କରାଯିବ । ରଥ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବା ପରେ ୨୭ ନକ୍ଷତ୍ରରେ ପୂଜାର୍ଚ୍ଚନା କରାଯାଇ ମାଘ ସପ୍ତମୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ ।

ବରଗଡ଼ ଧନୁଯାତ୍ରା: ଆସନ୍ନ ଯୁଦ୍ଧ ପାଇଁ ମନ୍ତ୍ରଣା କରିବେ ମଥୁରାଧିପତି

ବରଗଡ଼: ଆସନ୍ନ ଯୁଦ୍ଧକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି କଂସ ମହାରାଜା । ବାଳକୃଷ୍ଣଙ୍କୁ ମାରିବାକୁ ପଠାଇଥିବା ସମସ୍ତ ଅସୁରଙ୍କୁ ଗୋଟି ଗୋଟି କରି ବଧ କରିଛନ୍ତି ବେନିଭାଇ ।  ଆଜି ବରଗଡ଼ ଧନୁଯାତ୍ରାର ଷଷ୍ଠ ଦିନରେ ଆସନ୍ନ ଯୁଦ୍ଧ ପାଇଁ ରାଜପରିଷଦ ସହ ମନ୍ତ୍ରଣା କରିବେ ମଥୁରା ଅଧିପତି । ଏହାସହ ତଥାକଥିତ ଅଧିକାରୀଙ୍କ ସହ ଆଲୋଚନା କରିବେ । କୃଷ୍ଣଙ୍କୁ ନେଇ ମଥୁରାବାସୀଙ୍କ ମନରେ ଭକ୍ତିଭାବ ସୃଷ୍ଟି ହୋଇଛି । କଂସର ତାଡନାରୁ ମୁକ୍ତି ପାଇଁ ନିଜ ତ୍ରାଣକର୍ତ୍ତା ଶ୍ରୀକୃଷ୍ଣଙ୍କ ଆସିବା ବାଟକୁ ଚାହିଁ ରହିଛନ୍ତି ମଥୁରାବାସୀ । ଏହାଦେଖି ଭୟଭୀତ କଂସ । ତେଣୁ ନିଜର ଭୟ ଲୁଚାଇବାକୁ ରଙ୍ଗସଭାରେ ନୃତ୍ୟଗୀତ ଆୟୋଜନ କରିଛନ୍ତି ମହାରାଜ । ସେପଟେ ଗୋପରେ କୃଷ୍ଣ ପ୍ରେମରେ ରଙ୍ଗାୟିତ ହୋଇଛନ୍ତି ଗୋପୀ ଗୋପାଙ୍ଗନା । ଆଜି ଗୋପରେ ଗୋପୀଙ୍କ ଦଧିବିକା ଓ ବସ୍ତ୍ର ହରଣ ଦୃଶ୍ୟ ଅଭିନିତ ହେବ । ଯାତ୍ରାର ପଞ୍ଚମ ଦିନରେ ଜାମଳାର୍ଜୁନଙ୍କୁ ଉଦ୍ଧାର କରିବା ସହ କାଳୀୟ ନାଗର ଗର୍ବ ଖଣ୍ଡନ କରି କାଳୀୟ ଦଳନ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ । ଏହାସହ ମାଟି ଖାଇ ବିଶ୍ବରୂପ ଦର୍ଶନ କରାଇଛନ୍ତି ।