ଓଡ଼ିଶାରେ ବଢ଼ିଲା ବାଘ ସଂଖ୍ୟା, ଅଛନ୍ତି ୩୦ଟି ବାଘ ଓ ୮ଟି ଛୁଆ

1 min read

ଭୁବନେଶ୍ବର: ଓଡ଼ିଶାରେ ମୋଟ ବାଘ ସଂଖ୍ୟା ୩୦। ଏହା ସହ ଅଛନ୍ତି ଆଉ ୮ଟି ଛୁଆ। ଗତ ୨୦୨୨ରେ ରାଜ୍ଯରେ ଥିଲେ ୨୦ଟି ବାଘ। ଅଲ ଓଡିଶା ଟାଇଗର ଏଷ୍ଟିମେସନ ଅନୁସାରେ ୧୪ଟି ବାଘୁଣୀ ଓ ୧୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇଥିବାବେଳେ ଆଉ ୩ଟି ବାଘ ଶିମିଳିପାଳରେ ଥିବା ସୂଚନା ମିଳିଛି। ଏହି ୩ଟି ବାଘଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇପାରିନାହିଁ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୨୪ଟି, କେନ୍ଦୁଝର ଡିଭିଜନରେ ଗୋଟିଏ, ପାରଳାଖେମୁଣ୍ଡି ଡିଭିଜନରେ ଗୋଟିଏ, ହାରାକୁଦ ଡିଭିଜନରେ ଗୋଟିଏ ବାଘ ଥିବା ଜଣାଯାଇଛି।

ରାଜ୍ୟରେ ବାଘ ଗଣନା ଲାଗି ମୋଟ ୧୪୩୨ଟି କ୍ୟାମେରା ବ୍ଯବହୃତ ହୋଇଥିବାବେଳେ ୨୦୨୩ ଅକ୍ବୋବର ୧୫ରୁ ଗତ ୧୦ ଫେବ୍ରୁଆରୀ ଯାଏ କ୍ଯାମେରା ଜରିଆରେ ବାଘଙ୍କ ଗତିବିଧି ଲକ୍ଷ୍ଯ କରାଯାଇଥିଲା। ବାଘ ଗଣନା ପ୍ରକ୍ରିୟା ୪୭ଟି ଡିଭିଜନରେ କରାଯାଇଥିଲା। କ୍ଯାମେରାରେ ୫୬୭ଟି ଫଟୋଗ୍ରାଫ ଉଠାଯାଇଥିବାବେଳେ ମୋଟ ବାଘ ସଂଖ୍ୟା ୩୦ ଓ ବାଘଛୁଆ ସଂଖ୍ଯା ୮ ବୋଲି ଜଣାଯାଇଛି। ରାଜ୍ଯରେ ବାଘ ସଂଖ୍ଯା ବୃଦ୍ଧି ନେଇ ଖୁସି ବ୍ଯକ୍ତ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି- ବାଘମାନଙ୍କ ଲାଗି ଓଡ଼ିଶା ବର୍ତ୍ତମାନ ଅନୁକୂଳ ପରିବେଶ ସୃଷ୍ଟି କରିଛି।