ଭୁବନେଶ୍ବର: ରାଜ୍ଯରେ ବଢୁଛି ଗ୍ରୀଷ୍ମ ପ୍ରବାହ। ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ହିଟ୍ ୱେଭ ମୁକାବିଲା ଟିପ୍ସ । ଗଣଶିକ୍ଷା ବିଭାଗ ଏ ନେଇ ସବୁ ଜିଲ୍ଲାପାଳ, ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି । ସବୁ ଶିକ୍ଷାନୁଷ୍ଠାନ ପାଇଁ ମଧ୍ଯ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ । ପାନୀୟ ଜଳ ଓ ORS ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦେବା ସହିତ ଆଉଟଡୋର କାର୍ଯ୍ୟକଳାପ ଉପରେ କଟକଣା ଲାଗୁ କରାଯାଇଛି । ସ୍କୁଲ, କଲେଜ ଯିବା ବେଳେ ପାଣି ବୋତଲ ନେବାକୁ ପରାମର୍ଶ ରହିଛି । ଏଥିପାଇଁ ଅଭିଭାବକ ସଚେତନ ରହିବାକୁ ନିବେଦନ କରାଯାଇଛି ।
ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି
ଭୁବନେଶ୍ୱର: ଅଧ୍ଯାପକ, ଅଫିସର ଓ ଷ୍ଟାଫ ନିଯୁକ୍ତି । ଆଜି ୧୧୫୨ ନୂଆ ଅଧ୍ଯାପକ, ଅଫିସର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଯେଉଁଥିରେ ରହିଛନ୍ତି ୯୭୭ ଅଧ୍ଯାପକ, ୮୭ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଫିସର, ୫୭ ସମବାୟ ସମିତି ନିରୀକ୍ଷକ, ସୂଚନା ଓ ଲୋକ ସଂପର୍କର ୩୧ ଜଣ କର୍ମଚାରୀ । ନିଜ ନିଜ ଚାକିରି କ୍ଷେତ୍ରରେ 5T ଉପକ୍ରମରେ ଲୋକଙ୍କ ସେବା କରିବାକୁ ଏହି ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ଯମନ୍ତ୍ରୀ । ନୂଆ ଅଧ୍ଯାପକ ଓ ଅଫିସରଙ୍କ ପ୍ରତିଭା, ପ୍ରତିଶ୍ରୁତି ଓ କଠିନ ପରିଶ୍ରମ ନିଜ ଚାକିରି କ୍ଷେତ୍ରରେ ଅଧିକ ଫଳବତୀ ହୋଇପାରିବ।
5T ଉପକ୍ରମରେ ସରକାର ସବୁ କ୍ଷେତ୍ରରେ ବିକାଶ କାମକୁ ଆଗେଇ ନେଉଛନ୍ତି । 5T ଉପକ୍ରମ ଦ୍ବାରା ଉନ୍ନତିମୂଳକ ପ୍ରକଳ୍ପ ସ୍ବଚ୍ଛତାର ସହ କରାଯାଉଛି। ପ୍ରତ୍ଯେକ କ୍ଷେତ୍ରରେ ସମସ୍ତଙ୍କୁ ଏହା ସଶକ୍ତ କରିବା ଉପାନ୍ତରେ ଥିବା ଶେଷ ଲୋକ ପାଖରେ ସରକାର ପହଞ୍ଚିପାରିଛନ୍ତି । ତେଣୁ ନିଷ୍ଠାର ସହ କାମ କରି ରାଜ୍ଯର ଉନ୍ନତିରେ ଭାଗୀଦାର ହେବାକୁ ମୁଖ୍ଯମନ୍ତ୍ରୀ ନବ ନିଯୁକ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ
ନୂଆଦିଲ୍ଲୀ: ହିମାଚଳ ରାଜନୀତିରେ ତେଜିଲା ବିବାଦ। ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛନ୍ତି ୬ ବିଧାୟକ। କଂଗ୍ରେସର ୬ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚେତନ୍ଯ ଶର୍ମା ଓ ଦେବିନ୍ଦର କୁମାର ଭୁଟ୍ଟୋଙ୍କୁ ଦଳ ବିରୋଧୀ କାର୍ଯ୍ୟଲାଗି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି।
ନିକଟରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପକୁ ଉଲ୍ଲଂଘନ କରି ବିରୋଧୀ ସଦସ୍ଯଙ୍କୁ ଦେଇଥିଲେ ଭୋଟ। ଆର୍ଥିକ ବିଲ୍ ଆଗତବେଳେ ମଧ୍ଯ କଂଗ୍ରେସ ସଦସ୍ୟ ଗୃହରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ବାଚସ୍ପତି କୁଲଦୀପ ସିଂ ୬ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଦଳ ମଧ୍ଯରେ ଥିବା ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ।
ଏହା ପୂର୍ବରୁ ଗତକାଲି କଂଗ୍ରେସର ୬ ବିଦ୍ରୋହୀ ନିଷ୍କାଷିତ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଦଳର ବରିଷ୍ଠ ନେତା। ବିଦ୍ରୋହୀ ୬ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ସେମାନଙ୍କୁ ଉତ୍ତର ରଖିବାକୁ ସମୟ ଦିଆଯାଇନଥିଲା ବୋଲି ବିଦ୍ରୋହୀଙ୍କ ପକ୍ଷ ଓକିଲ କହିଛନ୍ତି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳପ୍ରଦେଶରେ ଧରମଶାଳା, ଲାହୋଲ, ସ୍ପିତି, ସୁଜନପୁର, ଗାଗ୍ରେଟ ଏବଂ କୁଟଲେହର ବିଧାୟକ ପଦ ଖାଲି ହୋଇଛି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ ଆସନ ସଂଖ୍ଯା ୬୮ ରୁ ୬୨କୁ ଖସି ଆସିଛି। ସେହିପରେ କଂଗ୍ରେସ ବିଧାୟକଙ୍କ ସଂଖ୍ଯା ୪୦ରୁ ୩୪କୁ ଖସିଛି। ବିଜେପି ବିଧାୟକଙ୍କ ସଂଖ୍ଯା ୨୫ ରହିଛି। କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ମଧ୍ଯ ସରକାର ପ୍ରତି କୌଣସି ବିପଦ ନଥିବା କହିଛନ୍ତି ଦଳର ବରିଷ୍ଠ ନେତା।
ମୃତ୍ଯୁ ପରେ ବି ଅମର: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ
ବ୍ୟୁରୋ ରିପୋର୍ଟ: ନିଜେ ଦୁନିଆ ଛାଡ଼ିଗଲେ, କିନ୍ତୁ ଅନ୍ୟ ଦୁଇ ଜଣଙ୍କ ଜୀବନ ବଞ୍ଚାଇଦେଲେ । କେନ୍ଦ୍ରାପଡ଼ା ଡିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗାଁର ଯୁକ୍ତଦୁଇ ଛାତ୍ର ଶ୍ରୀଓମ୍ ଶିବୁଙ୍କ ବ୍ରେନ୍ ଡେଡ୍ ପରେ ତାଙ୍କର ଦୁଇଟି ଯାକ କିଡନୀ ଦାନ କରିଛନ୍ତି ପରିବାର। ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହୋଇ ଦେଢ଼ ମାସ ଧରି କଟକ ଏସସିବିରେ ମେଡିକାଲରେ ସେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶ୍ରୀଓମ ଶିବୁଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିଲା। ଏହାପରେ ତାଙ୍କ ବାପା, ମାଆ ଓ ପରିବାର ଲୋକ ଶ୍ରୀଓମ ଶିବୁଙ୍କ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଆଜି ମୂତ୍ରରୋଗ ଶଲ୍ୟ ଚିକିତ୍ସା ଓ ବୃକକ୍ ପ୍ରତିରୋପଣ ବିଭାଗରେ ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରାଯାଇ ଅନ୍ୟ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ କିଡିନୀ କଟକ ଏସସିବି ମେଡିକାଲ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି ।
ଅନ୍ୟପଟେ କଟକ ବଡ଼ ମେଡିକାଲରେ ନିଶ୍ଚିନ୍ତକୋଇଲି ବଡ଼କ୍ଷୀର ଗ୍ରାମର ମଳୟ କୁମାର ସାମଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହୋଇଥିଲା। ତାଙ୍କ ପରିବାର ସଦସ୍ୟ ମଳୟଙ୍କ ଚକ୍ଷୁଦାନ ପାଇଁ ଆଇବ୍ୟାଙ୍କ୍ ସହିତ ଯୋଗାଯୋଗ କରିଥିଲେ। ମଳୟଙ୍କ ଚକ୍ଷୁଦାନ କରାଯାଇଛି। ମଳୟ ସିନା ଆରପାରିକୁ ଚାଲିଗଲେ, ହେଲେ ତାଙ୍କ ଆଖିରେ ଆଉ ଦୁଇଜଣ ଦୃଷ୍ଟିହୀନ ଦୁନିଆ ଦେଖିପାରିବେ। ଏଥିପାଇଁ ସମସ୍ତେ ମଳୟଙ୍କ ପରିବାରକୁ ପ୍ରଶଂସା କରିଛନ୍ତି।
ମେ’ ମାସରୁ ରାଜ୍ଯ ସରକାର ଗଣିବେ କଲରାପତରିଆ ବାଘ
ଭୁବନେଶ୍ୱର: ମେ’ ମାସରୁ ରାଜ୍ଯ ସରକାର ଗଣିବେ କଲରାପତରିଆ ବାଘ । ନିଜସ୍ବ ଉଦ୍ଯମରେ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସେଥିପାଇଁ NTCA ରିପୋର୍ଟକୁ ତର୍ଜମା କରାଯାଉଛି। ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ିଛି । ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ।
ପ୍ରଥମତଃ ଏହା NTCAର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ। ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା । ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ। ତେବେ ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। NTCAର କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ। କିନ୍ତୁ ସେମାନେ ବହୁତ କମ ଅଞ୍ଚଳରେ କ୍ୟାମେରା କଭର କରିଥିବାରୁ ଆକଳନ ନେଇ ସହମତ ହୋଇପାରିନାହୁଁ ବୋଲି ପିସିସିଏଫ କହିଛନ୍ତି।
ଜେଏନୟୁରେ ଛାତ୍ର ସଂଘର୍ଷ, ଗଣ୍ଡଗୋଳରେ ବହୁ ଛାତ୍ର ଆହତ
ବ୍ୟୁରୋ ରିପୋର୍ଟ: ଜେଏନୟୁରେ ଛାତ୍ର ସଂଘର୍ଷ। ଜେଏନୟୁ କ୍ୟାମ୍ପସରେ ଏବିଭିପି ଓ ବାମପନ୍ଥୀ ଗୋଷ୍ଠୀର ଛାତ୍ରଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଗଣ୍ଡଗୋଳରେ ବହୁ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଛାତ୍ରମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ରାତିରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଭାଷା ଅନୁଷ୍ଠାନ ବିଭାଗରେ ନିର୍ବାଚନ କମିଟି ସଦସ୍ୟ ଚୟନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ। ଗଣ୍ଡଗୋଳର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗଣ୍ଡଗୋଳ ସମୟର ଏକାଧିକ ଭିଡିଓ ସାମ୍ନାକୁ ଆସିଛି।
ଭିଡ଼ିଓରେ ଲାଠିରେ ଛାତ୍ରଙ୍କୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। କିଏ ସାଇକେଲ ଉଠାଇ ଛାତ୍ରଙ୍କୁ ମାରୁଛି ତ ଅନ୍ୟ ଭିଡ଼ିଓରେ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟର ସୁରକ୍ଷାକର୍ମୀ ବଞ୍ଚାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷରେ ବହୁ ଛାତ୍ର ଲହୁଲୁହାଣ ହୋଇଛନ୍ତି। ଏବିଭିପି ଓ ବାମପନ୍ଥୀ ଛାତ୍ର ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିମ୍ବା ଆହତ ଛାତ୍ରଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହିଁ ବିଶ୍ବବିଦ୍ୟାଳୟ।
ହସ୍ପିଟାଲ ନମ୍ବରକୁ ଫୋନ କଲେ ଆକାଉଣ୍ଟରୁ କଟୁଛି ଟଙ୍କା
ଭୁବନେଶ୍ୱର: ହସ୍ପିଟାଲକୁ ଫୋନ କଲେ ଆକାଉଣ୍ଟରୁ କଟୁଛି ଟଙ୍କା। ଗୁଗୁଲ ସର୍ଚ୍ଚ କରି ହସ୍ପିଟାଲ ନମ୍ବରରେ କଲ୍ କଲେ ଆକାଉଣ୍ଟରୁ ଟଙ୍କା କଟୁଥିବା ଅଭିଯୋଗ ହୋଇଛି। ଏଭଳି ଠକେଇର ଶିକାର ହୋଇଛନ୍ତି ବାଲୁଗାଁର ଜଣେ ଯୁବକ। ସୂଚନା ଅନୁଯାୟୀ, ବାପାଙ୍କର ମୃତ୍ଯୁ ସାର୍ଟିଫିକେଟ୍ ପାଇବା ପାଇଁ ଯୁବକ ମେଡିକାଲକୁ ଫୋନ୍ କରିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିଥିଲା। ଏନେଇ ସେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସେପଟେ ହସ୍ପିଟାଲ ନମ୍ବର ହ୍ୟାକ ହୋଇଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

