ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ

ନୂଆଦିଲ୍ଲୀ: ହିମାଚଳ ରାଜନୀତିରେ ତେଜିଲା ବିବାଦ। ବାଚସ୍ପତିଙ୍କ ଦ୍ଵାରା ଅଯୋଗ୍ୟ ଘୋଷିତ ୬ କଂଗ୍ରେସ ବିଧାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ଯାଲେଞ୍ଜ କରି ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛନ୍ତି ୬ ବିଧାୟକ। କଂଗ୍ରେସର ୬ ବିଧାୟକ ସୁଧୀର ଶର୍ମା, ରବି ଠାକୁର, ରାଜିନ୍ଦର ରାଣା, ଇନ୍ଦର ଦତ୍ତ ଲଖନପାଲ, ଚେତନ୍ଯ ଶର୍ମା ଓ ଦେବିନ୍ଦର କୁମାର ଭୁଟ୍ଟୋଙ୍କୁ ଦଳ ବିରୋଧୀ କାର୍ଯ୍ୟଲାଗି ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି।

ନିକଟରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପକୁ ଉଲ୍ଲଂଘନ କରି ବିରୋଧୀ ସଦସ୍ଯଙ୍କୁ ଦେଇଥିଲେ ଭୋଟ। ଆର୍ଥିକ ବିଲ୍ ଆଗତବେଳେ ମଧ୍ଯ କଂଗ୍ରେସ ସଦସ୍ୟ ଗୃହରେ ଅନୁପସ୍ଥିତ ଥିଲେ। ଏହାକୁ ନେଇ ବାଚସ୍ପତି କୁଲଦୀପ ସିଂ ୬ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଦଳ ମଧ୍ଯରେ ଥିବା ବିଧିବ୍ୟବସ୍ଥାକୁ ଉଲ୍ଲଂଘନ କରି କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଥିବା ଅଭିଯୋଗ କରିଛନ୍ତି ବିଧାୟକ।

ଏହା ପୂର୍ବରୁ ଗତକାଲି କଂଗ୍ରେସର ୬ ବିଦ୍ରୋହୀ ନିଷ୍କାଷିତ ବିଧାୟକଙ୍କ ସହ ଆଲୋଚନା କରିଥିଲେ ଦଳର ବରିଷ୍ଠ ନେତା। ବିଦ୍ରୋହୀ ୬ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ସେମାନଙ୍କୁ ଉତ୍ତର ରଖିବାକୁ ସମୟ ଦିଆଯାଇନଥିଲା ବୋଲି ବିଦ୍ରୋହୀଙ୍କ ପକ୍ଷ ଓକିଲ କହିଛନ୍ତି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳପ୍ରଦେଶରେ ଧରମଶାଳା, ଲାହୋଲ, ସ୍ପିତି, ସୁଜନପୁର, ଗାଗ୍ରେଟ ଏବଂ କୁଟଲେହର ବିଧାୟକ ପଦ ଖାଲି ହୋଇଛି। ବିଧାୟକଙ୍କ ସଭ୍ୟପଦ ରଦ୍ଦ ପରେ ହିମାଚଳ ପ୍ରଦେଶ ବିଧାନସଭାରେ ମୋଟ ଆସନ ସଂଖ୍ଯା ୬୮ ରୁ ୬୨କୁ ଖସି ଆସିଛି। ସେହିପରେ କଂଗ୍ରେସ ବିଧାୟକଙ୍କ ସଂଖ୍ଯା ୪୦ରୁ ୩୪କୁ ଖସିଛି। ବିଜେପି ବିଧାୟକଙ୍କ ସଂଖ୍ଯା ୨୫ ରହିଛି। କଂଗ୍ରେସ ବିଧାୟକଙ୍କ ବିଦ୍ରୋହ ପରେ ମଧ୍ଯ ସରକାର ପ୍ରତି କୌଣସି ବିପଦ ନଥିବା କହିଛନ୍ତି ଦଳର ବରିଷ୍ଠ ନେତା।