ଇଶାନ- ଶ୍ରେୟସଙ୍କ ଘଟଣାରେ ମୁହଁ ଖୋଲିଲେ ରିଦ୍ଧିମାନ

ନନ୍ଦିଘୋଷ ବ୍ୟୁରୋ: ବିସିସିଆଇ ନିକଟରେ ଘୋଷଣା କରିଥିବା ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ୍ ପଡ଼ିଛନ୍ତି ଇଶାନ କିଶାନ ଏବଂ ଶ୍ରେୟସ ଆୟାର । ସେମାନେ ରଣଜୀ ଖେଳିବାକୁ ମନା କରିବା ପରେ ଏଭଳି କଠୋର ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ତେବେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଦୀର୍ଘଦିନ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ଶାହା ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି, ରଣଜୀ ଖେଳିବାକୁ ସେମାନଙ୍କୁ କାହିଁକି ଦବରଦସ୍ତି କରାଯାଉଛି । ଯଦି ଜଣେ ଖେଳାଳି ଚାହୁଁନି ତାଙ୍କୁ କାହିଁକି ଜବରଦସ୍ତି କରାଯାଉଛି । ଯଦିଓ ପ୍ରଥମ ଶ୍ରେଣୀ କ୍ରିକେଟ ଜଣେ ଖେଳାଳିଙ୍କ କ୍ୟାରିୟରରେ ବହୁତ ପ୍ରଭାବ ପକାଇଥାଏ । ତଥାପି ତାହା ତାଙ୍କ ବ୍ୟକ୍ତିଗତ ବ୍ୟାପାର ।

ଶାହା ଉଦାହରଣ ଦେଇ କହିଛନ୍ତି କି, ମୁଁ ଯେତେବେଳେ ଫିଟ୍ ରହେ ସେତେବେଳେ ପ୍ରତ୍ୟେକ ମ୍ୟାଚକୁ ଗୁରୁତ୍ବ ଦିଏ । ସେ କ୍ଲବ ମ୍ୟାଚ ହେଉ ବା ଅଫିସ କିମ୍ବା ଆନ୍ତର୍ଜାତୀୟ ମ୍ୟାଚ୍ । ତେବେ କିଏ କେଉଁ ମ୍ୟାଚକୁ କେଉଁଭଳି ଭାବେ ତାହା ତାଙ୍କ ଉପରେ ନିର୍ଭର କରେ । କିନ୍ତୁ ପ୍ରତ୍ୟେକ ମ୍ୟାଚକୁ ଗୁରୁତ୍ବର ସହ ନେବା ଉଚିତ । ଯାହାକି କ୍ୟାରିୟରରେ ବହୁ ଉପରକୁ ନେବାରେ ସହାୟକ ହେବ । କହି ରଖୁଛୁ କି, ଓ୍ବେଷ୍ଟବେଙ୍ଗଲ ପାଇଁ ଏବେ ଘରୋଇ କ୍ରିକେଟ ଖେଳୁଛନ୍ତି ରିଦ୍ଧିମାନ ଶାହା । ସେ ଆଇପିଏଲରେ ଗୁଜୁରାଟ ପକ୍ଷରୁ ଖେଳୁଥିବାବେଳେ ପୂର୍ବରୁ ପଞ୍ଜାବ, କୋଲକାତା ପକ୍ଷରୁ ମଧ୍ୟ ଖେଳିସାରିଛନ୍ତ । ପାଳି ଆରମ୍ଭରୁ ବଡ଼ ବଡ଼ ସଟ ଖେଳିବାରେ ମଧ୍ୟ ମାହିର ଶାହା ।