ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗିରିଧର ଗମାଙ୍ଗଙ୍କ ପରିବାର ବିରୋଧରେ କଂଗ୍ରେସ ଷଡଯନ୍ତ୍ର କରିଥିବା ଅଭିଯୋଗ । ପୁଅ ଶିଶିର ଗମାଙ୍ଗ ଦଳ ବିରୋଧରେ ଏପରି ଅଭିଯୋଗ ଆଣିଲେ। କହିଲେ ମୋ ମାଆଙ୍କ ଟିକେଟ କଟିବା ଏହାର ବଡ ପ୍ରମାଣ। ଟିକେଟ ଚୟନ କେଉଁ ଆଧାରେ ହୋଇଛି। କାହିଁକି ଗୋଟିଏ ପରିବାରକୁ ୪ଟି ଟିକେଟ ଓ ଆଉ ଗୋଟେ ପରିବାରକୁ ବାପା ଓ ପୁଅକୁ ଟିକେଟ ଦିଆଗଲା। କେବଳ ମୋ ପରିବାର ନୁହେଁ, କଂଗ୍ରେସ ଦଳ ପ୍ରତି ଏହା ଷଡଯନ୍ତ୍ର। ଏକଥା ଦିଲ୍ଲୀ ଦରବାରରେ ଆମେ କହିବା ସହ ଆମ ପରିବାରକୁ ନ୍ୟାୟ ଦେବାକୁ ଦାବି କରିବୁ।
ନାମାଙ୍କନ ଦାଖଲ କରିବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ରାହୁଲଙ୍କ ମହା ରାଲି। କେରଳ ୱାୟନାଡ ଆସନରୁ ଆଜି ନାମାଙ୍କନ ଦାଖଲ କରିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ। ନାମାଙ୍କନ ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧୀ ରୋଡ୍ ସୋ କରିବେ। ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ଅଛନ୍ତି।
ୱାୟନାଡରେ ବିଶାଳ ରାଲିରେ ବାହାରିଛନ୍ତି ରାହୁଲ। ହଜାର ହଜାର ସଂଖ୍ଯାରେ ସମର୍ଥକ ରାହୁଲଙ୍କ ସାଥିରେ ନାମାଙ୍କନ ରାଲିରେ ଚାଲିଛନ୍ତି। ରାହୁଲଙ୍କ ବିରୋଧରେ ସିପିଆଇରୁ ଆନି ରାଜା ପ୍ରତିନ୍ଦ୍ବନ୍ଦିତା କରିବେ। ସେହିପରି ବିଜେପିର କେ. ସୁରେନ୍ଦ୍ରନ ରାହୁଲ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି ।
ପୁରୀ ଲେପୋର୍ସି ମେଡିକାଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ପୁରୀ: ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପ୍ରୋସି ମେଡିକାଲ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। କେହି ହତ୍ୟା କରି ବ୍ଯକ୍ତିଙ୍କୁ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛିl ବିଳମ୍ବିତ ରାତିରେ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ।
ମୃତବ୍ୟକ୍ତିଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାବେଳେ ବେକରେ ମଧ୍ୟ ଗଭୀର ଆଘାତ ଲାଗିଛିl ନିଶା କାରବାର ନେଇ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ଘଟଣାର ଖବର ପାଇ ପୁରୀ ସିଟି ଡ଼ିଏସପି ଏବଂ ସମୁଦ୍ର କୂଳ ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଅଜଣା ଗାଡି ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
ଆଠଗଡ: ଦୁର୍ଘଟଣାରେ ଦମ୍ପତ୍ତି ମୃତ। ଅଜଣା ଗାଡି ଧକ୍କାରେ ଚାଲିଗଲା ଜୀବନ। ଆଠଗଡ ଥାନା ଚିରୁଗୁଡିଆ ଶୀତଳଭଣ୍ଡାର ନିକଟରେ ଘଟିଛି ଦୁର୍ଘଟଣା। ମୃତକ ହେଲେ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ। ଘଟଣାସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଅଧିକ ତଦନ୍ତ ଚଳାଇଛି ପୋଲିସ୍।
ସୂଚନା ଅନୁଯାୟୀ, ନାତିର ଦେହ ଖରାପ ଥିବାରୁ ଆଠଗଡ ଡାକ୍ତରଖାନାକୁ ଦେଖିବାକୁ ଆସୁଥିଲେ ଅଜା, ଆଇ। ହେଲେ ବିଧିର ବିଧାନ ଥିଲା ଅଲଗା। କିଛି ସମୟ ପରେ ହସ୍ପିଟାଲରେ ପହଞ୍ଚିଥାନ୍ତେ। କିନ୍ତୁ ବାଟରେ ଯେମିତି ଜଗି ବସିଥିଲା ଜମ। ଅଧା ବାଟରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ମୃତକ ଢେଙ୍କାନାଳ ସଦର ଥାନା ଝୁମ୍ପୁଡିଆ ଅଞ୍ଚଳର ଚଣିଆ ବାରିକ ଓ ପତ୍ନୀ ରେବତି ବାରିକ।
ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ୪ ମୃତ
ବ୍ୟୁରୋ ରିପୋର୍ଟ: ତାଇୱାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ। ଭୂକମ୍ପରେ ଥରିଲା ତାଇୱାନ ରାଜଧାନୀ ହୁଆଲିଏନ୍ ସହର। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୭.୪ ରେକର୍ଡ ହୋଇଛି। ଏକାଧିକ ସ୍ଥାନରେ ବଡବଡ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଏହି ଭୂମିକମ୍ପ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ଆହତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରିଥିବା ସୂଚନା ମିଳିଛି। ଏହି ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଘଟଣା ପରେ ପଡୋଶୀ ଦେଶ ଜାପାନ ପକ୍ଷରୁ ସୁନାମୀ ନେଇ ସତର୍କତା ଜାରି ହୋଇଛି। ସେପେଟେ ତାଇୱାନରେ ହୋଇଥିବା ଭୂକମ୍ପ ଏତେ ଶକ୍ତିଶଶାଳୀ ଥିଲା ଯେ ଚୀନ୍ର ସାଂଘାଇ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ଏଥିସହ ଦେଶର ବହୁ ଟ୍ରେନ୍ ସେବାକୁ ବାତିଲ କରି ଦିଆଯାଇଛି।
ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଅପହରଣ ଘଟଣାରେ ବିକ୍ଷୋଭ ପ୍ରଦର୍ଶନ
ବ୍ୟୁରୋ ରିପୋର୍ଟ: ପାକିସ୍ତାନରେ ଆଜି ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ୧୭ ବର୍ଷିୟା ହିନ୍ଦୁ ନାବାଳିକା ପ୍ରିୟା କୁମାରୀଙ୍କ ଅପହରଣ ଘଟଣାରେ ସିନ୍ଧ ଅଞ୍ଚଳର ଡେରା ମୁରାଦ ଜାମାଲିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଫେବ୍ରୁଆରି ୧୫ରେ ପ୍ରିୟା କୁମାରୀଙ୍କୁ ସ୍ଥାନୀୟ ନୌକଟ ବଜାରରୁ କେତେକ ମୁସଲିମ୍ ଯୁବକ ଅପହରଣ କରିନେଇଥିଲେ। ପ୍ରିୟା କୁମାରୀଙ୍କୁ ତୁରନ୍ତ ଉଦ୍ଧାର କରି ତାଙ୍କ ପରିବାରକୁ ହସ୍ତାନ୍ତର କରିବାକୁ ଦାବି କରି ଆଜି ସ୍ଥାନୀୟ ବ୍ୟବସାୟୀ ସଂଘର ନେତା ମୁଖି ମାନକ ଲାଲ, ସେଠ ତାରା ଚାନ୍ଦଙ୍କ ନେତୃତ୍ବରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବର୍ତ୍ତମାନ ଶୁଦ୍ଧା ପୋଲିସ ହାତରେ ପ୍ରିୟା ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଏ ଘଟଣାକୁ ନେଇ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ୍ ଓ ମୁଖ୍ୟମନ୍ତ୍ରୀ ମୁରାଦ ଅଲ୍ଲୀ ସାହାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦିଆଯାଇଛି । ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ବନ୍ଦ ପାଇଁ ଜରୁରୀ ପଦକ୍ଷେପ ନିମନ୍ତେ ଦାବି କରାଯାଇଛି। ଏଥିରେ ଶତାଧିକ ସଂଖ୍ୟାରେ ସ୍ଥାନୀୟ ହିନ୍ଦୁ ବାସିନ୍ଦା ଯୋଗ ଦେଇଥିଲେ।
ଅପହୃତ ପ୍ରିୟାଙ୍କ ବାପା ରମେଶ ଭୀଲ କହିଛନ୍ତି ଯେ, ସେମାନଙ୍କ ଅଭିଯୋଗର ଦେଢ଼ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇନାହିଁ କି ପ୍ରିୟାକୁ ଉଦ୍ଧାର କରିବାକୁ ପ୍ରଚେଷ୍ଟା କରାଯାଉନାହିଁ। ଏହି ଅଞ୍ଚଳରେ ନିୟମିତ ଭାବେ ହିନ୍ଦୁ ନାବାଳିକାଙ୍କୁ ଅପହଣ କରାଯାଉଛି। ବଳପୂର୍ବକ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇ ବିବାହ କରାଯାଉଥିବାରୁ ସଂଖ୍ୟାଲଘୁ ହିନ୍ଦୁମାନେ ଆତଙ୍କିତ ହୋଇ ରହିଛନ୍ତି।
ସେପଟେ ଯଦି ପ୍ରିୟାଙ୍କୁ ଉଦ୍ଧାର କରାନଯାଏ ତେବେ ଏହି ବିକ୍ଷୋଭ ଦେଶବ୍ୟାପୀ ହେବ ବୋଲି ହିନ୍ଦୁ ସମ୍ପ୍ରଦାୟ ଚେତାବନୀ ଦେଇଛି। ମାନବିକ ଅଧିକାର ଫୋକସ୍ ପାକିସ୍ଥାନ (HRFP) ମଧ୍ୟ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ନିର୍ଯାତନାକୁ ନିନ୍ଦା କରିଛି ।

