spot_img
Home Blog Page 2159

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହାତୁଡ଼ିରେ ପିଟି ପିଟି ବିଭତ୍ସ ହତ୍ୟା

ଓ୍ବାସିଂଟନ୍: ଆମେରିକା ଜର୍ଜିଆରେ ଭାରତୀୟ ଛାତ୍ରଙ୍କୁ ବିଭତ୍ସ ହତ୍ୟା । ହାତୁଡିରେ ତାଙ୍କୁ ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଛି । ଛାତ୍ରଙ୍କ ନାଁ ହେଉଛି ବିବେକ ।

ହତ୍ୟାକାରୀର କୌଣସି ଘର ନ ଥିବାରୁ ଏହି ଛାତ୍ର କିଛି ଦିନ ଧରି ତାଙ୍କୁ ସାହାଯ୍ୟ କରିଆସୁଥିଲେ। ଏବେ ହତ୍ୟାକାଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହତ୍ୟାକାରୀ ପ୍ରଥମେ ଛାତ୍ରଙ୍କ ପଛପଟକୁ ହାତୁଡ଼ିରେ ପିଟିଥିଲା । ତା’ ପରେ ପିଟି ପିଟି ହତ୍ୟା କରିଥିଲା ।

ପୋଲିସର ସୂଚନା ଅନୁସାରେ, ଭାରତୀୟ ଛାତ୍ର ବିବେକ ଏକ ଦୋକାନରେ ପାର୍ଟ ଟାଇମ୍ କାମ କରନ୍ତି । ୨୫ ବର୍ଷ ବୟସ୍କ ବିବେକ ସାଇନିଙ୍କ ମୃତ୍ୟୁ ଜାନୁଆରୀ ୧୮ ରେ ହୋଇଥିଲା । ବିବେକଙ୍କୁ ହତ୍ୟା କରାଯାଇଥିବାର ପ୍ରତ୍ୟକ୍ଷଦର୍ଶୀମାନେ ବି ଅଛନ୍ତି ।

୧୪ ଜାନୁଆରୀ ସନ୍ଧ୍ୟାରେ ବିବେକ ଜଣେ ବାସହୀନ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲା । ଯାହାଙ୍କ ବୟସ ୫୩ ହେବ । ବ୍ୟକ୍ତି ଜଣଙ୍କ ଚିପ୍ସ ଏବଂ କୋକ୍ ମାଗିଥିଲେ ଚିପ୍ସ କୋକ ସହ ପାଣି ଏବଂ କିଛି ଖାଇବା ବି ଦେଇଥିଲେ ବିବେକ । ଦୁଇ ଦିନ ହେବ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଥିଲେ ବିବେକ ।

ଷ୍ଟୋରରେ ଥିବା କର୍ମଚାରୀଙ୍କ ମତରେ ବ୍ୟକ୍ତି ଜଣଙ୍କ କମ୍ବଳ ଅଛି ନା ନାହିଁ ବୋଲି ପଚାରିଥିଲେ । କମ୍ବଳ ନଥିବାରୁ ଜଣେ କର୍ମଚାରୀ ଜ୍ୟାକେଟ ଦେଇଥିଲେ । ସେ ଦୋକାନ ପାଖରେ ବୁଲିବା ସମୟରେ ସିଗାରେଟ, ପାଣି ଏବଂ ଅନ୍ୟ ଜିନିଷ ମାଗୁଥିଲେ । ଏମିତି କରି ଦୁଇ ଦିନ ଯାଏ ସେ ସେଠାରେ ଥିଲେ  ଏବଂ ୧୬ ଜାନୁଆରୀରେ ଷ୍ଟୋର ବନ୍ଦ କରି ଗଲା ବେଳେ ବ୍ୟକ୍ତି ଜଣଙ୍କ ହାତୁଡ଼ିରେ ଆକ୍ରମଣ କରିଥିଲେ ।

ପୋଲିସ ପହଞ୍ଚିଲାବେଳକୁ ବ୍ୟକ୍ତି ଜଣଙ୍କ ହାତୁଡ଼ି ଧରି ସେଠାରେ ଠିଆ ହୋଇଥିଲେ । ଏହା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏବଂ ବିବେଙ୍କ ମୃତ୍ୟୁ ହୋଇସାରିଥିଲା ।

ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର, ଦାୟିତ୍ବ ନେଲେ ଆଇପିଏସ ସଞ୍ଜୀବ ପଣ୍ଡା

ଭୁବନେଶ୍ବର: ନୂଆ ବର୍ଷରୁ ଟ୍ବିନ ସିଟିକୁ ମିଳିଲା ନୂଆ ପୋଲିସ କମିଶନର । ଦାୟିତ୍ବ ନେଲେ ୧୯୯୪ ବ୍ୟାଚ ଆଇପିଏସ ସଞ୍ଜୀବ ପଣ୍ଡା । ଭୁବନେଶ୍ବର ସ୍ଥିତ ମୁଖ୍ୟାଳୟରେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବତନ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ସଞ୍ଜୀବ ପଣ୍ଡାଙ୍କୁ ଭୁବନେଶ୍ବର- କଟକ ଟୁଇନସିଟି ପୋଲିସ କମିଶନର ଦାୟିତ୍ୱ ମିଳିଛି । ତେବେ ଦାୟିତ୍ବ ଗ୍ରହଣ ପରେ ପ୍ରଥମେ ପୋଲିସ କମିଶନର ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି, ପୋଲିସିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସେ କାମ କରିବେ । 5T ଓ ମୋ ସରକାର ଅଧୀନରେ ଟୁଇନସିଟି ବାସିନ୍ଦାଙ୍କୁ ଉତ୍ତମ ପୋଲିସ ସେବା ଦେବାକୁ ସେ ଗୁରୁତ୍ୱ ଦେବେ । ପୋଲିସ ଲୋକଙ୍କ ସେବାରେ ରହିଛି ଓ ଆଗାମୀ ଦିନରେ କାମ କରିଚାଲିବ । ନୂଆ କମିଶନର ଭାବେ ସମସ୍ତ ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କହିବା ସହ ଅପରାଧ ନିୟନ୍ତ୍ରଣ ସହ ସାଇବର ଅପରାଧ ରୋକିବାକୁ ଖୁବଶୀଘ୍ର ନୂଆ ବ୍ଲୁ ପ୍ରିଣ୍ଟ କରାଯିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡିପ ଫେକ ଫଟୋ ନେଇ ଖୁବଶୀଘ୍ର ଆଲୋଚନା କରାଯିବ । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ସଂଜୀବ ପଣ୍ଡା ।

ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ହେଲେ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ, ଏଲନ ମସ୍କଙ୍କୁ ପକାଇଲେ ପଛରେ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ହେଲେ ଫ୍ରାନ୍ସର ବ୍ୟବସାୟୀ ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଏଲନ ମସ୍କଙ୍କୁ ପଛରେ ପକାଇ ଧନୀ ତାଲିକାରେ ସାମିଲ ହୋଇଛନ୍ତି ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ। ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତି ପରିମାଣ ଏବେ ୨୦୭.୬ ବିଲିୟନ ଡଲାରରେ ପହଞ୍ଚିଛି। ବ୍ଲୁମବର୍ଗ ଅନୁସାରେ ଆର୍ଣ୍ଣୋଲ୍ଟଙ୍କ ସମ୍ପତ୍ତିରେ ଏକା ଥରକରେ ୧୮.୬ ବିଲିୟନ ଡଲାର ଅଭିବୃଦ୍ଧି ଦେଖାଯାଇଛି। ଏହାସହିତ ସେ ଏଲନ ମସ୍କଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ମସ୍କଙ୍କ କମ୍ପାନୀ ଟେସଲା ସେୟାର ମୂଲ୍ୟରେ ହ୍ରାସ ଧାରା ଜାରି ରହିବା ଯୋଗୁ ତାଙ୍କ ମୋଟ ସମ୍ପତ୍ତି ହ୍ରାସ ପାଇ ୨୦୪.୭ ବିଲିୟନ ଡଲାର ହୋଇଯାଇଛି। ଅର୍ଥାତ ଦୁଇ ବିଲେନିୟରଙ୍କ ସମ୍ପତ୍ତି ମଧ୍ୟରେ ଏବେ ୨.୯ ବିଲିୟନ ଡଲାରର ପାର୍ଥକ୍ୟ ସୃଷ୍ଟି ହୋଇଛି। ୨୦୨୪ ବର୍ଷ ଆରମ୍ଭରୁ ଏ ପର୍ଯ୍ୟନ୍ତ ଯଦି ଆୟ କଥା କୁହାଯାଏ ତେବେ ଫ୍ରାନ୍ସର ଏହି ୭୪ ବର୍ଷ ବୟସ୍କ ବିଲେୟନାଏର ବର୍ଣ୍ଣାର୍ଡ ଆର୍ଣ୍ଣୋଲ୍ଟ ୭.୨୫ ବିଲିୟନ ଡଲାର ଆୟ କରିଛନ୍ତି। ଅନ୍ୟପଟେ ୫୨ ବର୍ଷୀୟ ମସ୍କଙ୍କୁ ବିପୁଳ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ବ୍ଲୁମବର୍ଗ ଅନୁସାରେ ମସ୍କଙ୍କ ସମ୍ପତ୍ତିରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୩୦.୫ ବିଲିୟନ ଡଲାର ହ୍ରାସ ଘଟିସାରିଛି। ତେବେ ଆର୍ଣ୍ଣୋଲ୍ଟ ପ୍ରଥମ ଥର ଧନୀ ତାଲିକାର ପ୍ରଥମ ସ୍ଥାନକୁ ଉଠିଛନ୍ତି ତା ନୁହେଁ ଏହା ପୂର୍ବରୁ ମଧ୍ୟ ସେ ପ୍ରଥମ ସ୍ଥାନରେ ରହିଥିଲେ। ବିଶ୍ୱର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଭାରତୀୟ ବିଲେୟନାଏର ତଥା ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମାଲିକ ମୁକେଶ ଅମ୍ବାନୀ ତାଙ୍କର ଦବଦବା କାୟମ ରଖିଛନ୍ତି। ଫୋର୍ବସ ବିଲେନିୟର ଇଣ୍ଡେକ୍ସ ଅନୁସାରେ ଅମ୍ବାନୀଙ୍କ ମୋଟ ସମ୍ପତ୍ତି ପରିମାଣ ୧୦୪.୪ ବିଲିୟନ ଡଲାର ରହିଛି। ଏହାସହିତ ସେ ବିଶ୍ୱ ଧନୀ ତାଲିକାର ୧୧ ନମ୍ବର ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଭାରତୀୟ ଅରବପତି ଗୌତମ ଆଦାନୀ ୯୧.୬ ବିଲିୟନ ଡଲାର ସମ୍ପତ୍ତି ସହ ଧନ ତାଲିକାରେ ୧୪ତମ ସ୍ଥାନରେ ରହିଛନ୍ତି।

ଜମି ହଡ଼ପ ମାମଲାରେ ଇଡିରେ ହାଜର ହେଲେ ଲାଲୁ ଯାଦବ

ପାଟନା: ଚାକିରି ଲାଗି ଜମି ହଡ଼ପ ଘୋଟାଲା ମାମଲାରେ ଇଡିରେ ହାଜର ହେଲେ ଆରଜେଡି ପ୍ରମୁଖ ଲାଲୁ ଯାଦବ। ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ପାଟନାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହୋଇଛନ୍ତି। ଜମି ହଡ଼ପ ମାମଲାରେ ଲାଲୁଙ୍କୁ ହାଜର ହେବାକୁ ନୋଟିସ ଜାରି କରିଥିଲା ଇଡି। ଲାଲୁ ଯାଦବ ଏବଂ ପୁଅ ତଥା ବିହାର ପୂର୍ବତନ ଉପମୁଖ୍ଯମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ ନୋଟିସ ପଠାଇଥିଲା ଇଡି। ଲାଲୁ ଯାଦବଙ୍କୁ ଆଜି ହାଜର ହେବାକୁ ନୋଟିସ ହୋଇଥିବାବେଳେ ଆସନ୍ତାକାଲି ତେଜସ୍ବୀ ଯାଦବଙ୍କୁ ହାଜର ହେବାକୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପୂର୍ବରୁ ଏହି ମାମଲାରେ ଗତ ବର୍ଷ ଦିଲ୍ଲୀରେ ଇଡି କାର୍ଯାଳୟରେ ହାଜର ହୋଇସାରିଛନ୍ତି ତେଜସ୍ବୀ ଯାଦବ। ରାଜନୈତିକ କାର୍ଯ୍ଯକ୍ରମର ବ୍ଯସ୍ତତାକୁ ନେଇ ଦିଲ୍ଲୀରେ ହାଜର ହୋଇପାରିବେନି ବୋଲି କହିଥିଲେ ଲାଲୁ ଯାଦବଙ୍କ ସହ ପୁଅ ତେଜସ୍ବୀ ଯାଦବ। ରେଲଵେ ବିଭାଗରେ ଜମି ହଡ଼ପ ମାମଲାରେ ଇଡି ଲାଲୁ ଯାଦବଙ୍କ ସହ ପତ୍ନୀ ରାବଡ଼ି ଦେବୀ, ଝିଅ ତଥା ଆରଜେଡି ସାଂସଦ ମିସା ଭାରତୀଯ ହେମା ଯାଦବ ସହ ପରିବାରର ଅନ୍ଯ ସଦସ୍ଯଙ୍କୁ ସମନ ଜାରି କରିଥିଲା। ସମନକୁ ବିରୋଧୀ ଆକ୍ରୋଶମୂଳକ ଭାବେ ସରକାରଙ୍କ ସହାୟତାରେ କରୁଥିବା ଅଭିଯୋଗ କରିଆସୁଛି ଆରଜେଡି। ମାମଲାରେ ପୁର୍ବରୁ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି। ସିବିଆଇ ମାମଲାରେ ଲାଲୁ ଯାଦବ, ରାବଡି ଏବଂ ତେଜସ୍ବଙ୍କୁ ତଳ କୋର୍ଟରୁ ସିବିଆଇ ମାମଲାରେ ଜାମିନ ମିଳିସାରିଛି।ସିବିଆଇ ଚାର୍ଜସିଟ୍ ଅନୁସାରେ ନିଯୁକ୍ତି ଲାଗି କୌଣସି ବିଜ୍ଞାପନ ନବାହାର କରି ଚାକିରି ଦିଆଯାଇଥିଲା। ଏହାର ପ୍ରତିବଦଳରେ ଏକ ଚତୁର୍ଥାଂଶ ଦରରେ ଚାକିରୀ ଆଶାୟୀ କିମ୍ବା ତାଙ୍କ ସମ୍ପର୍କୀଙ୍କଠାରୁ ଜମି ପ୍ରସାଦ ପରିବାରଙ୍କ ସଦସ୍ଯଙ୍କ ନାଁରେ ବିକ୍ରି ହୋଇଥିଲା।…

ରାଜ୍ୟରେ ବଦଳିବ ପାଗ, ପୁଣି ହେବ ବର୍ଷା

ଭୁବନେଶ୍ବର: ପୁଣି ଭିଜିବ ଓଡିଶା । ୩୧ ତାରିଖରୁ ରାଜ୍ୟରେ ବଦଳିବ ପାଗ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ନେଇ ଆକଳନ କରାଯାଇଥିବା ବେଳେ ୧ ତାରିଖରେ ବାଲେଶ୍ବର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକା ବର୍ଷା ହେବ ।

୪ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବ । ସେପଟେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଛି । ଉପାନ୍ତରୁ ଉପକୂଳ ସବୁଠି ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ହାଲୁକା ଶୀତ ହେବ । ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହେବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୫୦ ରୁ ୨୦୦ ମିଟର ଭିଜିବିଲିଟି ରହିବ । ବାକି ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମଧରଣର କୁହୁଡି ଅନୁଭୂତ ହେବ । ଘନ କୁହୁଡ଼ି ସମୟରେ ସାବଧାନତାର ସହ ଗାଡି ଚାଳନା ନେଇ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।

ଟ୍ରଲର, ଟ୍ରକ ଏବଂ ପିକଅପ ଭ୍ୟାନ ମଧ୍ୟରେ ଧକ୍କା, ନିଆଁ ଲାଗି ଜଳିଗଲା ପିକଅପ୍ ଭ୍ୟାନ

ଅନଗୁଳ: ଅନଗୁଳ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲଗେଟରେ ସିରିଜ ଦୁର୍ଘଟଣା। ଖମାର ଥାନା ଅନ୍ତର୍ଗତ ୧୪୯ ଜାତୀୟ ରାଜପଥ ଟୋଲ ଗେଟ ନିକଟରେ ଟ୍ରଲରକୁ ପଛପଟୁ ପିଟିଲା ଟ୍ରକ, ତା ପଛକୁ ଏକ ପିକଅପ ଭ୍ୟାନ ଧକ୍କା ଦେବା ଫଳରେ ପିକଅପ ଗାଡ଼ିରେ ପ୍ରଥମେ ନିଆଁ ଲାଗି ଜଳିଯାଇଛି। ଖବର ପାଇ ପାଳଲହଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ, ଦୁର୍ଘଟଣାରେ ପିକଅପରେ ଥିବା ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଟୋଲଗେଟ କର୍ମଚାରୀ ଖମାର ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଅନ୍ୟ ଦୁଇ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ମାରିଥିଲେ।ଖମାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I..

ଆଜିଠାରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଜଗା ଦର୍ଶନ, ବିଭିନ୍ନ ବ୍ଲକରୁ ଆସିବେ ଶ୍ରଦ୍ଧାଳୁ

ପୁରୀ : ଆଜି ଠାରୁ ଶ୍ରୀଜୀଉଙ୍କୁ ଦର୍ଶନ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁ। ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ସରକାର ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାର ଶ୍ରଦ୍ଧାଳୁମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ଓ ଏହି ପ୍ରକଳ୍ପ ପରିକ୍ରମଣ କରିବା ନେଇ ଆସନ୍ତାକାଲି ଠାରୁ ପର୍ଯ୍ୟାୟ କ୍ରମେ ଶ୍ରଦ୍ଧାଳୁଙ୍କ ଆଗମନ ପାଇଁ ବ୍ୟବସ୍ଥା କରାଯାଇଛି।
ପ୍ରଥମ ଦିନ ଗଞ୍ଜାମ, ବାଲେଶ୍ଵର, ମୟୂରଭଞ୍ଜ, କଟକ ଓ କେନ୍ଦ୍ରାପଡା ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ଆସିବେ। ସମସ୍ତ ଶ୍ରଦ୍ଧାଳୁଙ୍କୁ ନେଇ ଆସୁଥିବା ବସ ଗୁଡିକ ବୀରହରେକୃଷ୍ଣପୁର ଡାହାଣ ପାର୍ଶ୍ଵରେ ଯାଇ ସମଙ୍ଗ ପାର୍କିଂ ସ୍ଥଳରେ ପହଞ୍ଚିବେ। ସେଠାରୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଫିଡର ବସ ମାଧ୍ୟମରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟରକୁ ନିଆଯିବ। ସେଠାରୁ ଶ୍ରୀମାର୍ଗ ଦେଇ ମହାପ୍ରଭୁଙ୍କ ଦର୍ଶନ ଓ ପରିକ୍ରମା ପ୍ରକଳ୍ପ ପରିକ୍ରମଣ କରାଯିବ। ଏହି କାର୍ଯ୍ୟ ପାଇଁ ବିଭିନ୍ନ ଅଧିକାରୀ କର୍ମଚାରୀ, ସୁରକ୍ଷା କର୍ମଚାରୀ ଓ ସ୍ୱଛାସେବୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ବି ସଂସଦରେ ରଖିଛନ୍ତି ବଜେଟ? ଜାଣନ୍ତୁ କେବେ ଓ କିଏ ?

ନୂଆଦିଲ୍ଲୀ: ଉପସ୍ଥାପନ ହେବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ । ଏଥର ବଜେଟରେ କ’ଣ ସବୁ ପରିବର୍ତ୍ତନ ହେବ ? କେଉଁ ସବୁ ଦିଗକୁ ଦିଆଯିବ ଗୁରୁତ୍ବ । ଆଗକୁ ନିର୍ବାଚନ ଆସୁଥିବାରୁ ଏବେଠୁ ବଜେଟ ଉପରେ ସାଧାରଣ ଲୋକଙ୍କଠୁ ଆରମ୍ଭ କରି ଅର୍ଥନୀତିଜ୍ଞଙ୍କର ନଜର ରହିଛି । କିନ୍ତୁ ବଜେଟ ବିଷୟରେ ଏପରି କିଛି ରୋଚକ କଥା ଅଛି ଯାହା ଆପଣ ଜାଣି ନଥିବେ । କ’ଣ ସେହି ରୋଚକ କଥା ଜାଣନ୍ତୁ ୧୦ଟି ପଏଣ୍ଟରେ ।

୧, ଇଷ୍ଟ ଇଣ୍ଡିଆ କମ୍ପାନୀ ନେତା ତଥା ଅର୍ଥନୀତିଜ୍ଞ ଜେମ୍ସ ଓ୍ବିଲସନ ବ୍ରିଟିସ ସରକାରଙ୍କୁ ବଜେଟ ପ୍ରସ୍ତାବ ଦେଇଥିଲେ । ୨୬ ନଭେମ୍ବର ୧୯୪୭ ମସିହାରେ ଅର୍ଥମନ୍ତ୍ରୀ ଆର୍. କେ ଶାନମୁଖମ୍ ଚେତୀ ଆମ ଦେଶର ପ୍ରଥମ ବଜେଟ ଉପସ୍ଥାପନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ପ୍ରଥମ ମହିଳା ଭାବେ ବଜେଟ ଉପସ୍ଥାପନ କରିଥିଲେ । ବଜେଟ ଉପସ୍ଥାପନ କରିବାରେ ନିର୍ମଳା ସୀତାରମଣ ହେଉଛନ୍ତି ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ ।

୨, ୧୯୭୩-୭୪ ମସିହା ଆର୍ଥିକ ବର୍ଷର ବଜେଟକୁ ‘ବ୍ଲାକ୍ ବଜେଟ’ ବୋଲି କୁହାଯାଏ । ଏହି ବଜେଟକୁ ତତ୍କାଳୀନ ଅର୍ଥମନ୍ତ୍ରୀ ଯଶବନ୍ତ ରାଓ ବି ଚୌହାନ ଉପସ୍ଥାପନ କରିଥିଲେ । ୫୫୦ କୋଟିର ବଜେଟ ଘାଟା ହୋଇଥିବାରୁ ଏହାକୁ ‘ବ୍ଲାକ୍ ବଜେଟ’ ବୋଲି କୁହାଯାଏ ।

୩, ୧୯୫୫ ଯାଏ କେନ୍ଦ୍ରୀୟ ବଜେଟ କେବଳ ଇଂରାଜୀ ଭାଷାରେ ଉପସ୍ଥାପନ ହୋଉଥିଲା । ଏହା ପରେ ସରକାର ଇଂରାଜୀ ଏବଂ ହିନ୍ଦି ଭାଷାରେ ବଜେଟ ଉପସ୍ଥାପନ କରିବପାଇଁ ନିଷ୍ପତ୍ତି ନେଇଥିଲେ ।

୪, ଇଂରେଜମାନେ ୧୯୨୪ ମସିହାରେ ବଜେଟ ସହ ରେଳ ବଜେଟ ଆଣିବା ଆରମ୍ଭ କରିଥିଲେ । ରେଳ ବଜେଟ ଏବଂ କେନ୍ଦ୍ରୀୟ ବଜେଟକୁ ୨୦୧୬ ଯାଏ ଅଲଗା ଅଲଗା ଉପସ୍ଥାପନ କରାଯାଇଥିଲା । ୨୦୧୭ରେ ଏହି ଦୁଇ ବଜେଟକୁ ଏକା ସହ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ଯାଞ୍ଚ କରିବା ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଏହା ପରେ ୨୦୧୭ ମସିହାରେ ଅରୁଣ ଜେଟଲୀ ମିଳିତ ୟୁନିୟନ ବଜେଟ ଉପସ୍ଥାପନ କରିଥିଲେ ।

୫, ଅର୍ଥମନ୍ତ୍ରୀ ମନମୋହନ ସିଂ ୧୯୯୧- ୯୨ ମସିହାରେ ‘ଦି ଇପୋକଲ ବଜେଟ’ ଉପସ୍ଥାପନ କରିଥିଲେ । ଏହି ବଜେଟ ଭାରତ ଅର୍ଥନୀତିର ଗେମ୍ ଚେଞ୍ଚର ବୋଲି କୁହାଯାଏ । ଏହି ବଜେଟ ଦେଶରେ ଆର୍ଥିକ ଉଦାରୀକରଣର ଆରମ୍ଭ କରିଥିଲା ।

୬, ସଂଧ୍ୟାରେ ଆସୁଥିଲା ବଜେଟ । ୧୯୯୯ ମସିହା ପର୍ଯନ୍ତ ସଂଧ୍ୟାରେ ବଜେଟ୍ ଆସୁଥିଲା । ବ୍ରିଟିଶ ଶାସନ କାଳରୁ ଏମିତି ହେଉଥିଲା । ବ୍ରିଟିଶ ଶାସନ କାଳରେ ୟୁନିୟନ୍ ବଜେଟକୁ ଫେବୃଆରୀ ମାସ ଶେଷ ତାରିଖ ସନ୍ଧ୍ୟା ୫ଟା ବେଳେ ଉପସ୍ଥାପନ କରାଯାଉଥିଲା । ଭାରତରେ ସଂଧ୍ୟା ସମୟରେ ବଜେଟ ଉପସ୍ଥାପନ କରିବା ପଛର କାରଣ ଥିଲା ଯେ, ସେହି ସମୟରେ ଲଣ୍ଡନରେ ଦିନ ହେଉଥିଲା । ତେବେ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ୧୯୯୯ ମସିହାରେ ବଜେଟ୍ ଉପସ୍ଥାପନ କରିବାର ସମୟ ପରିବର୍ତ୍ତନ କରିଥିଲେ। ସେ ପୂର୍ବାହ୍ନ ୧୧ଟାରେ ବଜେଟ ଉପସ୍ଥାପନ କରିବା ପରମ୍ପରା ଆରମ୍ଭ କରିଥିଲେ । ସେହିଭଳି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭ ମସିହାରେ ଫେବୃଆରୀ ୧ ତାରିଖରେ ବଜେଟ୍ ଉପସ୍ଥାପନ କରିଥିଲେ । ସେବେଠାରୁ ବଜେଟ୍ ଫେବ୍ରୁଆରୀ ୧ ତାରିଖରେ ଆସୁଛି ।

୭, ୧୯୫୦ ମସିହାରେ ରାଷ୍ଟ୍ରପତି ଭବନରେ ବଜେଟ ଛପା ଯାଉଥିଲା । ବଜେଟ ତିଆରିରେ ନିୟମ ଉଲ୍ଲଂଘନ ଯୋଗୁ ସେହି ବର୍ଷ ମୁଦ୍ରଣ ସ୍ଥାନ ବଦଳାଯାଇଥିଲା । ଏହା ପରେ ନୂଆଦିଲ୍ଲୀର ମିଣ୍ଟୋ ରୋଡରେ ବଜେଟର ମୁଦ୍ରଣ ଆରମ୍ଭ ହୋଇଥିଲା।

୮, ବଜେଟ ଉପସ୍ଥାପନ ପୂର୍ବରୁ ଏହାକୁ ଏକ ବ୍ରିଫକେସରେ ରଖାଯାଉଥିଲା । କିନ୍ତୁ ୨୦୧୯ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ବହିରେ ପରିବର୍ତ୍ତନ କରିଥିଲେ । ଏଥିରେ ଜାତୀୟ ସଙ୍ଗୀତ ଲେଖାଥିଲା ।

୯, ବଜେଟ ଉପସ୍ଥାପନର କିଛି ଦିନ ପୂର୍ବରୁ ହାଲଓ୍ବା ସେରେମନି କରାଯାଏ । ଏକ ବଡ଼ ପାତ୍ରରେ ହାଲଓ୍ବା ତିଆରି କରାଯାଏ ଏବଂ ଏହାକୁ ସମସ୍ତ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯାଏ ।

୧୦, ସ୍ବାଧୀନତା ପରଠୁ ଆଜି ଯାଏ ମୋଟ ୭୫ ଥର ବଜେଟ ଉପସ୍ଥାପନ କରାଯାଇ ସାରିଛି । ଏହା ସହ ୧୪ଟି ଅନ୍ତରୀଣ ବଜେଟ , ୪ଟି ସ୍ବତନ୍ତ୍ର ବଜେଟ ବା ମିନି ବଜେଟ ଉପସ୍ଥାପିତ ହୋଇସାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲା ନେହେରୁ, ଇନ୍ଦିରା ଗାନ୍ଧି ଏବଂ ରାଜୀବ ଗାନ୍ଧି ଯିଏକି ପ୍ରଧାନମନ୍ତ୍ରୀ ଭାବେ ବଜେଟ ଉପସ୍ଥାପନ କରିଥିଲେ ।

ବଢିଲା BSKY ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ବର: ବଢିଲା BSKY- ନବୀନ କାର୍ଡ ପଞ୍ଜୀକରଣ ଅବଧି । ଜାନୁଆରୀ ୨୬ରେ BSKY ନବୀନ କାର୍ଡ ଆବେଦନ ଶେଷ ହୋଇଥିଲେ ମଧ୍ୟ ଗ୍ରାମାଞ୍ଚଳ ଲୋକଙ୍କ ସୁବିଧା ପାଇଁ ପୁଣି ଆବେଦନ ବଢାଇଛନ୍ତି ରାଜ୍ୟ ସରକାର। ଫେବ୍ରୁଆରୀ ୮ତାରିଖ ଯାଏଁ ଆବେଦନ ଅବଧି ବଢାଯାଇଛି। କୌଣସି ବି ଯୋଗ୍ୟ ହିତାଧିକାରୀ ଯେପରି ଏହି କାର୍ଡ ପାଇବାରୁ ବଞ୍ଚିତ ନହେବେ, ତାହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଅବଧି ବୃଦ୍ଧି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ପରେ ଆଜିଠୁ ପୁଣିଥରେ ଆବେଦନ ଆରମ୍ଭ ହୋଇଛି । BSKY ନବୀନ କାର୍ଡ ଆବେଦନ ଅବଧି ଦ୍ବିତୀୟ ଥର ପାଇଁ ବୃଦ୍ଧି କରାଯାଇଛି। ଏହାପୂର୍ବରୁ ଥରେ ଆବେଦନ ତାରିଖ ବୃଦ୍ଧି କରାଯାଇଥିଲା। ଜାନୁଆରୀ ୬ ତାରିଖରୁ BSKY ନବୀନ କାର୍ଡ ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ ଆରମ୍ଭ କରାଯାଇ ଜାନୁୟାରୀ ୧୬ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଏହାପରେ ପୁଣି ଏହି ଅବଧି ବୃଦ୍ଧି କରାଯାଇ ଜାନୁଆରୀ ୨୬ ତାରିଖ ଯାଏଁ ରଖାଯାଇଥିଲା। ତେବେ ଆଜି ପୁଣି ଥରେ BSKY ନବୀନ କାର୍ଡ ଆବେଦନ ତାରିଖକୁ ବୃଦ୍ଧି କରାଯାଇ ଫେବ୍ରୁଆରୀ ୮ତାରିଖ ରଖାଯାଇଛି।

କଣ ରହିବ କେନ୍ଦ୍ର ବଜେଟର ଆଭିମୁଖ୍ୟ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଫେବୃଆରୀ ପହିଲାରେ ଆସିବ କେନ୍ଦ୍ରର ଅନ୍ତରୀଣ ବଜେଟ । କଣ ରହିବ ବଜେଟର ଆଭିମୁଖ୍ୟ । କେଉଁ କ୍ଷେତ୍ରକୁ ଫୋକସ ଦେବେ ସରକାର । ଆଗକୁ ନିର୍ବାଚନ ଥିବାରୁ ବିଶେଷ କରି ଭିତ୍ତିଭୂମିର ବିକାଶ, କର୍ମନିଯୁକ୍ତିକୁ ଫୋକସ ଦେବା ସହ ଆୟକର ସୀମା ଅପରିପର୍ତ୍ତିତ ରଖିପାରନ୍ତି ସରକାର । ସେହିପରି ଗ୍ରୀନ ଏନର୍ଜିକୁ ଦିଆଯାଇପାରେ ଗୁରୁତ୍ବ । ଷଷ୍ଠଥର ପାଇଁ ଲଗାତାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ବାଚନୀ ବର୍ଷରେ କାମଚଳା ବଜେଟ ଆସୁଥିଲେ ମଧ୍ୟ ଦେଶବାସୀଙ୍କ ନଜର ବଜେଟ ଉପରେ ରହିବ ।

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସାଙ୍ଗକୁ ଦରଦାମ ବୃଦ୍ଧି ଉପରେ ରୋକ ଲଗାଇବା ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଆହ୍ବାନ ହେବ । ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ଫୋକସ କରିବେ କେନ୍ଦ୍ର ସରକାର । ସାଧାରଣ ନିର୍ବାଚନ ଦୃଷ୍ଟିରୁ ସବୁ ବର୍ଗଙ୍କୁ ଖୁସି କରିବାକୁ ବଜେଟରେ ଉଦ୍ୟମ କରିବେ କେନ୍ଦ୍ର ସରକାର। ଆୟକର ଟିକସ ସ୍ଲାବରେ ପରିବର୍ତ୍ତନ ନେଇ ଆଶା ରଖିଛନ୍ତି ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ । ଏହା ସହ ଚାଷୀ, ଶ୍ରମିକ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ପାଇଁ କିଛି ଉପହାର ବଜେଟରେ ମିଳିବାର ସମ୍ଭାବନା ରହିଛି। ହେଲେ ଏଥର ଅନ୍ତରୀଣ ବଜେଟ ଆସିବାକୁ ଥିବାରୁ ପଲିସିରେ ବିଶେଷ କିଛି ପରିବର୍ତ୍ତନ ହୋଇନପାରେ। ଟେକ୍ନୋଲୋଜି ଜରିଆରେ ସମସ୍ତଙ୍କୁ ସବୁଠି ଶିକ୍ଷା, ଜାତୀୟ ସ୍ବାସ୍ଥ୍ୟ ନୀତି ଅନୁସାରେ ଦେଶବାସୀଙ୍କ ପାଇଁ ପ୍ରତିଷେଧକ ସ୍ବାସ୍ଥ୍ୟ ଚିକିତ୍ସା ବ୍ୟବସ୍ଥା ଉପରେ ଅର୍ଥ ମନ୍ତ୍ରୀ ଜୋର୍ ଦେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ଜିଏସଟିରେ ସରକାରଙ୍କ ରୋଜଗାର ଆଶାନୁରୁପ ହୋଇଥିବାରୁ ଏହାସହ ଅଧିକ ଲୋକ କିପରି ଟିକସ ସ୍ଲାବ ଭିତରକୁ ଆସିବେ ସେଥିପାଇଁ ଅର୍ଥମନ୍ତ୍ରୀ ଉଦ୍ୟମ କରିବେ ବୋଲି ଅର୍ଥନୈତିଜ୍ଞ ଆଶା କରୁଛନ୍ତି ।