spot_img
Home Blog Page 2158

କଂଗ୍ରେସକୁ ଟେନସନ ଯୁବ ନେତା, ଜଣକ ପରେ ଜଣେ ଛାଡୁଛନ୍ତି ଦଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ଘାରିଛି ସଂଗଠନ ଚିନ୍ତା । ନିର୍ବାଚନ ଘୋଷଣା ପରେ ଜଣଙ୍କ ପରେ ଜଣେ ଯୁବନେତା ଛାଡୁଛନ୍ତି ଦଳ । ୯ରୁ ୯୦ ସ୍କୋଗାନ ଦେଇ ଜୋରଦାର ଲଢ଼େଇ ପାଇଁ ଦଳ ଅଣ୍ଟା ଭିଡ଼ିଥିବା ବେଳେ ସୈନିକ କୁହାଯାଉଥିବା ଯୁବନେତା ଦଳ ଛାଡୁଛନ୍ତି । ଯାହାକୁ ନେଇ ହାତ ଶିବିର ଚିନ୍ତାରେ ପଡ଼ିଛି ।

ଅଂଶୁମାନ, ନିହାରଙ୍କ ପରେ ଅଧିରାଜ । ଜଣଙ୍କ ପରେ ଜଣେ ଯୁବ ନେତା ଛାଡୁଛନ୍ତି କଂଗ୍ରେସ ଶିବିର । ଭୁବନେଶ୍ବରରୁ ଦିଲ୍ଲୀ, ୨୪ ପାଇଁ ଜୋରଦାର କସରତ କରୁଛି ରାଜ୍ୟ କଂଗ୍ରେସ । ୨୪ ବର୍ଷ ଧରି କ୍ଷମତା ବାହାରେ ଥିବା କଂଗ୍ରେସ ଆଗାମୀ ନିର୍ବାଚନରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛି । ପିସିସି ସଭାପତି ୯ରୁ ୯୦ ଅଭିଯାନ ନେଇ ଡିଣ୍ଡିମ ପିଟୁଛନ୍ତି । ହେଲେ ଯୁବ ଚେହେରାମାନେ ଏହାକୁ ବିଶ୍ବାସ କରିପାରୁନାହାନ୍ତି । କଂଗ୍ରେସରେ ନିଜ ଭବିଷ୍ୟତ ନଦେଖି ଜଣଙ୍କ ପରେ ଜଣେ ଚର୍ଚ୍ଚିତ ଯୁବ ଚେହେରା ହାତ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ, ରଜତ ଚୌଧୁରୀ ଓ ଅଧିରାଜ ପାଣିଗ୍ରାହୀ ହାତ ଛାଡିଛନ୍ତି । ନିର୍ବାଚନ ପୂର୍ବରୁ ଦଳର ଯୁବ ଚେହେରା ଦଳ ଛାଡ଼ିବା ଓ ବହୁନେତା ଦଳ ଛାଡ଼ିବାକୁ ପ୍ରସ୍ତୁତ ଥିବାରୁ ଦଳର ବରିଷ୍ଠ ନେତାଙ୍କୁ ଚିନ୍ତାରେ ପକାଇଛି । ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ନେତାଙ୍କୁ ବୁଝାସୁଝା କରିବାକୁ ପ୍ରୟାସ କରିବୁ । ତାଙ୍କ ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟ ବରିଷ୍ଠ ନେତା ।

୨୦୧୯ ନିର୍ବାଚନ ପରେ କଂଗ୍ରେସର ଭୋଟ ହାର ଲଗାତାର କମିବା ସହ ତୃଣମୂଳସ୍ତରେ ସଂଗଠନ ଦୁର୍ବଳ ହେଉଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ବି ଦଳର ପ୍ରଦର୍ଶନ ନୈରାଶ୍ଯଜନକ ଥିଲା । ଏହାସହ ଦଳରେ ଚୌକି ପାଇଁ ଗୋଷ୍ଠୀ ବିବାଦ ତୁଟିବାର ନାଁ ନେଉନାହିଁ । ଯୁବନେତାମାନେ ଦଳରେ ନିଜର ଭବିଷ୍ୟତ ଦେଖିପାରୁଥିବାରୁ ଦଳ ଛାଡ଼ୁଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।

ଆଗକୁ ୨୦୨୪ ମହାସମର । ହେଲେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, କଂଗ୍ରେସର ଯୁଦ୍ଧ ମଇଦାନରୁ ଜଣକ ପରେ ଜଣେ ସୈନିକ ପଳାୟନ କରୁଛନ୍ତି । ଯାହା ସଂଗଠନ ପାଇଁ ଚିନ୍ତା ବଢ଼ାଇଛି ।

ITI ଛାତ୍ରଛାତ୍ରୀଙ୍କ ନିଆରା ଉଦ୍ୟମ, ୨୦ ହଜାର ପ୍ଲାଷ୍ଟିକ ବୋତଲରେ ତିଆରି କଲେ ମାଛ

ବ୍ରହ୍ମପୁର: ପ୍ଲାଷ୍ଟିକ ବୋତଲରେ ମାଛ । ଗୋଟିଏ କି ଦୁଇଟା ନୁହେଁ, ଲାଗିଛି ୨୦ ହଜାର ପ୍ଲାଷ୍ଟିକ ବୋତଲ । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟ ନେଇ ଏମିତି ଏକ ମାଛ ତିଆରି କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ । ଏପରି ମାଛ ତିଆରି କରି ଛାତ୍ରଛାତ୍ରୀ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଲକ୍ଷ୍ୟ ରଖିଥିବା ବେଳେ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ।

ବିଭିନ୍ନ ସମୟରେ ଅଦରକାରୀ ବସ୍ତୁରୁ ଭିନ୍ନ ଭିନ୍ନ ଜିନିଷ ପ୍ରସ୍ତୁତ କରି ବେଶ ସୁନାମ ଅର୍ଜନ କରିଛି ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ । ଆଉ ବହୁବାର ରେକର୍ଡର ମଧ୍ୟ ଅଧିକାରୀ ହୋଇଛି । ଏବେ ବୋତଲ ଖିଆ ମାଛ ପ୍ରସ୍ତୁତ କରି ଛୁଇଁଛି ଆଉ ଏକ ମାଇଲଖୁଣ୍ଟ । ୨୦ ହଜାର ପ୍ଲାଷ୍ଟିକ ବୋତଲରେ ୩୦ ଫୁଟ ଉଚ୍ଚତା ଓ ୧୦୦ କିଲୋ ଓଜନର ଏହି ମାଛ ପ୍ରସ୍ତୁତ ହୋଇଛି । ପ୍ଲାଷ୍ଟିକ ମୁକ୍ତ ପରିବେଶ ଓ ୱେଷ୍ଟ ଟୁ ୱେଲଥକୁ ଗୁରୁତ୍ୱ ଦିଆଯାଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରୁ ୨୦ ହଜାର ବ୍ୟବହୃତ ପ୍ଲାଷ୍ଟିକ ବୋତଲକୁ ସଂଗ୍ରହ କରିଥିଲେ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀ । ଏଥିରେ ନିର୍ମାଣ ହୋଇଥିଲା ଏହି ମାଛ, ଯାହାକୁ ଶେଷ କରିବାକୁ ୧୫ରୁ ୨୦ ଦିନ ଲାଗିଥିଲା ।

ଅନୁଷ୍ଠାନର ଛାତ୍ରୀନିବାସ ପରିସର ରାସ୍ତା ପାର୍ଶ୍ୱରେ ଏହି ମାଛର ପ୍ରତିକୃତିକୁ ରଖାଯାଇଛି । ତାକୁ ଯିଏ ବି ଦେଖିବ ତା’ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ସଚେତନ ସୃଷ୍ଟି ହେବ ବୋଲି ଆଶା ରଖାଯାଇଛି । କେବଳ ମାଛ ନୁହେଁ, ଆଗରୁ ଏହି ଅଦରକାରୀ ପ୍ଲାଷ୍ଟିକ ବୋତଲରେ ଏକ ବିରାଟକାୟ ହାତୀ ବି ପ୍ରସ୍ତୁତ କରିଥିଲେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ । ଯାହା ଗିନିଜ ବୁକ ଅଫ ରେକର୍ଡ, ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି । ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଅଦରକାରୀ ଦ୍ରବ୍ୟରେ ଏମିତି ସଚେତନତା ଧର୍ମୀ ବସ୍ତୁ ପ୍ରସ୍ତୁତ କରାଯାଇ ନିଜ କ୍ୟାମ୍ପସ ଓ ସହରର ବିଭିନ୍ନ ଛକରେ ଏହାକୁ ସ୍ଥାପନ କରାଯାଉଛି । ଆଉ ଏସବୁ ସାମଗ୍ରୀ ପ୍ରସ୍ତୁତ କରି ବେଶ ଖୁସି ଥିବା କହିଛନ୍ତି ଅନୁଷ୍ଠାନର ଛାତ୍ରଛାତ୍ରୀ ।

ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଦେଲେ ଏସବିଆଇ, ସୁପ୍ରିମକୋର୍ଟରେ ଦାଖଲ କଲା ସତ୍ୟପାଠ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ଯାୟାଳୟ କଠୋର ହେବା ପରେ ନିର୍ବାଚନ ଆୟୋଗଙ୍କୁ ସମସ୍ତ ତଥ୍ୟ ଦେଲା ଷ୍ଟେଟ୍ ବ୍ଯାଙ୍କ । ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ମାଧ୍ୟମରେ ଅର୍ଥ ପ୍ରଦାନ ମାମଲାରେ ବାରମ୍ବାର ଦାଗିଦ ପରେ ଆଜି ଷ୍ଟେଟ ବ୍ଯାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିଥିବା କହିଛି ।

ଷ୍ଟେଟ ବ୍ଯାଙ୍କ ଦେଇଥିବା ଏହି ତଥ୍ୟରେ ସମସ୍ତ ବଣ୍ଡର ୟୁନିକ୍ ନମ୍ବର ରହିଛି । ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ସୂଚନା ଦେଇଛି ଏସବିଆଇ । ଷ୍ଟେଟ ବ୍ଯାଙ୍କ ଅଧ୍ୟକ୍ଷ ଦୀନେଶ ଖାରାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରାଯାଇଛି । ପ୍ରତି ବଣ୍ଡର ୟୁନିକ ନମ୍ବର, କେତେ ଅର୍ଥ କାହାକୁ ଦିଆଯାଇଛି ଓ କିଏ ଅର୍ଥ ଦେଇଛି ଏହି ସମସ୍ତ ତଥ୍ୟ ଦେଇଛି ଏସବିଆଇ । ନିର୍ବାଚନୀ ବଣ୍ଡ ନେଇ ଆଉ କୌଣସି ତଥ୍ୟ ନଥିବା କହିଛି ଷ୍ଟେଟ ବ୍ଯାଙ୍କ ।

ବ୍ଯାଙ୍କ ଦେଇଥିବା ୟୁନିକ ନମ୍ବର ଜରିଆରେ ପ୍ରଦାନ ହୋଇଥିବା ଅର୍ଥର ସମସ୍ତ ତଥ୍ୟ ମିଳିପାରିବ । ଖୁବଶୀଘ୍ର ଏସବିଆଇ ଦ୍ଵାରା ଦିଆଯାଇଥିବା ବିବରଣୀ ନିର୍ବାଚନ କମିଶନ ନିଜର ୱେବସାଇଟରେ ଅପଲୋଡ କରିବେ । ଗତ ୧୮ ମାର୍ଚ୍ଚରେ ନିର୍ବାଚନୀ ବଣ୍ଡକୁ ନେଇ ଏସବିଆଇକୁ ତାଗିଦ କରିଥିଲେ ସୁପ୍ରିମକୋର୍ଟ । ଯେଉଁ ସବୁ ତଥ୍ୟ ମଗାଯାଇଥିବା ଏସବିଆଇ ଦେଇ ନଥିବା କହିଥିଲେ ସୁପ୍ରିମକୋର୍ଟ । ଏହି ସମସ୍ତ ତଥ୍ୟ ଆଜି ଅପରାହ୍ନ ୫ଟା ସୁଦ୍ଧା ଦେବାକୁ କହିଥିଲେ । ତେବେ ଧାର୍ଯ୍ୟ ସମୟ ପୂର୍ବରୁ ଷ୍ଟେଟ୍ ବ୍ଯାଙ୍କ ସମସ୍ତ ତଥ୍ୟ ପ୍ରଦାନ କରିଛି ।

୨୦୨୪ ନିର୍ବାଚନ: ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ବିଗୁଲ ବାଜିବା ପରେ ବିଭିନ୍ନ ରାଜନେଅତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି । ଏହି କ୍ରମରେ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୯ ଜଣଙ୍କ ନାଁ ରହିଛି ।

ତୃତୀୟ ପର୍ଯ୍ୟାୟରେ ବିଜେପି ୯ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ସମସ୍ତ ପ୍ରାର୍ଥୀ ତାମିଲନାଡୁ ପାଇଁ ଘୋଷଣା କରାଯାଇଛି । ଚେନ୍ନାଇ ସାଉଥ ପାଇଁ ବିଜେପି ତାମିଲ ସାଇ ସୁନ୍ଦରରାଜନଙ୍କ ନାଁ ଘୋଷଣା କରିଛି । ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ତାମିଲ ସାଇ ସୁନ୍ଦରରାଜନ । ଚେନ୍ନାଇ ସେଣ୍ଟ୍ରାଲ ପାଇଁ ବିନୋଜ ପି. ସେଲଭାମ, ଭେଲ୍ଲୋର ପାଇଁ ଏ.ସି. ଶନମୁଗମ, କ୍ରିଷ୍ଣଗିରି ପାଇଁ ସି. ନରସିଂହମ, ନୀଳଗିରି ପାଇଁ ଏଲ. ମୁରୁଗନ୍, କୋୟମ୍ବଟୁରୁ ପାଇଁ କେ. ଅନ୍ନାମଲାଇ, ପରମବଲୁର ପାଇଁ ଟି.ଆର. ପାରିଓ୍ବେନଧର, ଥୋଥୁକ୍କୁଡି ପାଇଁ ନୋନର ନାଗେନ୍ଦ୍ରନ ଏବଂ କନ୍ୟାକୁମାରୀ ପାଇଁ ପାଓ୍ବନ ରାଧାକୃଷ୍ଣନଙ୍କ ନାଁ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ବିଜେପି ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୭୨ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା ।

୭୨ ଦିନ ହେଲା ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ, ପୋଲିସ ଦିନ ଗଡାଉଥିବା ଅଭିଯୋଗ

ରାୟଗଡ଼ା: ଜାନୁଆରୀ ୩ ତାରିଖ । ରାୟଗଡ଼ା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରି ସବୁ ଦିନ ପରି ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ । ଏହା ମଧ୍ୟରେ ୭୨ ଦିନ ବିତି ଗଲାଣି, ନା ଝିଅର କିଛି ଖବର ମିଳୁଛି, ନା ପୋଲିସ କିଛି କହୁଛି । ପରିବାର ଲୋକେ ଚିନ୍ତାରେ ଥିବା ବେଳେ ପୋଲିସ ବିଭିନ୍ନ ବାହାନା ଦେଖାଇ ଦିନ ଗଡାଇ ଚାଲିଥିବା ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜଣେ ଯୁବକ ବଳପୂର୍ବକ ଝିଅକୁ ଅପହରଣ କରି ନେଇଛି । ଏ ସମ୍ପର୍କରେ ପଚାରିଲେ ପୋଲିସ ମୁହଁ ଖୋଲୁ ନଥିବା ଅଭିଯୋଗ ହୋଇଛି ।

ଜାନୁଆରୀ ୩ ତାରିଖରେ ଝିଅ ଘରକୁ ନଫେରିବାରୁ ପରିବାର ଲୋକେ ସ୍କୁଲକୁ ଯାଇ ପଚରାଉରା କରିଥିଲେ । କ୍ଲାସ ସରିବା ପରେ ସ୍କୁଲରେ ପ୍ରାର୍ଥନା ହୋଇଥିଲା, କିନ୍ତୁ ଝିଅଟି ପ୍ରାର୍ଥନାରେ ଅନୁପସ୍ଥିତ ଥିବା କହିଥିଲେ ଶିକ୍ଷକ । ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ମିଳି ନଥିଲା । ଏ ନେଇ ପରିବାର ଲୋକ ରାୟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲା, ହେଲେ ଝିଅ କେଉଁଠି, କେଉଁ ଅବସ୍ଥାରେ ଅଛି ତାକୁ ନେଇ ପରିବାର ଲୋକ ନାନା ଆଶଙ୍କା ମଧ୍ୟରେ ରହିଛନ୍ତି । ଝିଅକୁ ସ୍ଥାନୀୟ ଜଣେ ଯୁବକ ଅପହରଣ କରି ନେଇଥିବା ପରିବାର ଲୋକ ଥାନାରେ ଅଭିଯୋଗ ଥାନା କରିଛନ୍ତି, ହେଲେ ପୋଲିସର ନୀରବତାକୁ ନେି ପ୍ରଶ୍ନ ଉଠିବାରେ ଲାଗିଛି ।

ସ୍କୁଲରେ ଥିବା ବେଳେ କିପରି ସଂପୃକ୍ତ ଯୁବକ ଝିଅକୁ ଅପହରଣ କରିବାକୁ ସାହସ କଲା ? ଅନ୍ୟ ଛାତ୍ରୀ କି ସ୍କୁଲର ଶିକ୍ଷକ ଏ ସଂପର୍କରେ ପରିବାରକୁ କାହିଁକି ଜଣାଇଲେ ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ଘଟଣାକୁ ପୋଲିସ ଯେତିକି ଗୁରୁତର ସହ ନେବା କଥା ସେଭଳି ନେଇନାହିଁ । ପରିବାର ଲୋକ ବାରମ୍ବାର ଥାନାକୁ ଦୌଡି ଦୌଡି ନିରାଶ ହେଉଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଚେନ୍ନାଇ ସୁପର କିଙ୍ଗସ୍ ଅଧିନାୟକତ୍ବ ଛାଡିଲେ ଧୋନୀ, ଋତୁରାଜଙ୍କୁ ଦାୟିତ୍ବ

ଚେନ୍ନାଇ: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସରୁ ଆସିଛି ବଡ଼ ଖବର । ସିଏସକେର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମିଷ୍ଟର କୁଲ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଚଳିତ ସିଜିନରେ ଋତୁରାଜ ଗାଏକ୍ବାଡଙ୍କ ନେତୃତ୍ବରେ ସିଏସକେ ଖେଳୁଥିବା ଦେଖିବାକୁ ପାଇବେ କ୍ରିକେଟ୍ ପ୍ରେମୀ ।

ସୂଚନାଯୋଗ୍ୟ, ୨୭ ବର୍ଷିୟ ଋତୁରାଜ ଚେନ୍ନାଇ ଟିମର ଚତୁର୍ଥ ଅଧିନାୟକ ହେବାକୁ ଯାଉଛନ୍ତି । ଏହାପୂର୍ବରୁ ଧୋନୀଙ୍କ ବ୍ୟତୀତ ରବୀନ୍ଦ୍ର ଜାଡେଜା ଏବଂ ସୁରେଶ ରାଇନା ଅଧିନାୟକ ରହି ସାରିଛନ୍ତି । ଧୋନୀ ୨୧୨ ମ୍ୟାଚରେ ସିଏସକେର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି । ଜାଡେଜା ୮ଟି ଓ ରାଇନା ୫ଟି ମ୍ୟାଚରେ ଅଧିନାୟକ ରହିଛନ୍ତି ।

୨୦୨୨ IPLରେ ଜାଡେଜା ହୋଇଥିଲେ ଅଧିନାୟକ

IPLର ୨୦୨୨ ସଂସ୍କରଣର ଗୋଟିଏ ଦିନ ପୂର୍ବରୁ ଚେନ୍ନାଇ ନୂଆ ଅଧିନାୟକ ଭାବେ ଜାଡେଜାଙ୍କ ନାଁ ଘୋଷଣା କରିଥିଲା । ହେଲେ ଜାଡେଜାଙ୍କ ଅଧିନାୟକତ୍ବରେ ସିଏସକେର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ଏପରିକି ଜାଡେଜାଙ୍କ ନିଜ ପ୍ରଦର୍ଶନ ବି ଖରାପ ରହିଥିଲା । ଏମିତି ସ୍ଥିତିରେ IPL ଚାଲିଥିବା ବେଳେ ଧୋନୀଙ୍କୁ ପୁଣି ଥରେ ସିଏସକେ ଅଧିନୟକ କରାଯାଇଥିଲା ।

ଧୋନୀଙ୍କ ଅଧିନାୟକତ୍ବରେ ୫ ଥର ଚାମ୍ପିୟନ ହୋଇଛି CSK

୨୦୨୦ ଅଗଷ୍ଟରେ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ହେଲେ ସେ IPL ଖେଳୁଛନ୍ତି । ନିଜ ଅଧିନାୟକତ୍ବରେ ସେ ଚେନ୍ନାଇକୁ ୫ ଥର IPL ଟ୍ରଫି ଜିତାଇଛନ୍ତି । ୨୦୨୩ ସିଜିନ ମଧ୍ୟ ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ଜିତିଥିଲା । ଫାଇନାଲରେ ଚେନ୍ନାଇ ଗୂଜୁରାଟକୁ ହରାଇଥିଲା ।

ପୂର୍ବରୁ ସଙ୍କେତ ଦେଇଥିଲେ ଧୋନୀ

ଅଧିନୟକତ୍ବ ଛାଡିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲେ ଧୋନୀ । ଫେସବୁକରେ ଏକ ପୋଷ୍ଟ କରି ଧୋନୀ ଏଥିରେ ଲେଖିଥିଲେ, ୨୦୨୪ IPLରେ ନୂଆ ରୋଲରେ ଦେଖିବାକୁ ପାଇବେ । ଧୋନୀଙ୍କ ଏହି ପୋଷ୍ଟ ତାଙ୍କ ସମର୍ଥକଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଥିଲା ।

ପେନସନ ସ୍କିମରୁ ୨୦ ଲକ୍ଷ ହଡ଼ପ ଘଟଣା, ବିଇଓଙ୍କୁ ଉଠାଇ ନେଲା ଭିଜିଲାନ୍ସ

ଦାରିଙ୍ଗବାଡ଼ି: ନ୍ୟାସନାଲ ପେନସନ୍ ସ୍କିମରୁ ୨୦ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କରଙ୍କୁ ଉଠାଇ ନେଲା ଭିଜିଲାନ୍ସ । ପେନସନ ସ୍କିମରୁ ୨୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ନେଇ ସେୟାର ମାର୍କେଟରେ ବିନିଯୋଗ କରିଥିଲେ ରସାନନ୍ଦ । ଗତ ଜାନୁଆରୀ ମାସରୁ ଦୁଇଟି ପର୍ଯ୍ୟାୟରେ ୧୦ ଲକ୍ଷ ଟଙ୍କା ଲେଖାଏଁ ନିଜ ଆକାଉଣ୍ଟକୁ ନେଇ ତାହାକୁ ସେୟାର ମାର୍କେଟରେ ଲଗାଇଥିଲେ ।

ସରକାରୀ ଅର୍ଥର ଅପବ୍ଯବହାର ଓ ହଡ଼ପ ଅଭିଯୋଗରେ ରସାନନନ୍ଦଙ୍କ ଉପରେ ଗତ ମାସେ ଧରି ନଜର ରଖିଥିଲା ଭିଜିଲାନ୍ସ । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି । ରସାନନ୍ଦ ଦୀର୍ଘ ବର୍ଷ ହେଲା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରି ଏହାକୁ ସେୟାର ବଜାରରେ ଲଗାଉଥିବା ଜଣାପଡ଼ିଛି । ବଦଳିର ଭୟ ଓ ପସନ୍ଦ ଅନୁସାରେ ବଦଳି ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ରସାନନ୍ଦ । ଏସବୁ ଟଙ୍କାକୁ ସେ ସେୟାର ମାର୍କେଟରେ ବିନିଯୋଗ କରୁଥିଲେ । ରସାନନ୍ଦ ଏତେ ଟଙ୍କା କିପରି ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲେ ଓ ତାଙ୍କୁ ଏଥିରେ ଆଉ କେହି ସହଯୋଗ କରିଛନ୍ତି କି ନାହିଁ ସେ ବିଷୟରେ ଖୋଳତାଡ଼ କରାଯାଉଛି ।  ପୂର୍ବରୁ ବିଇଓ ରସାନନ୍ଦ କର କିଛି ଶିକ୍ଷକଙ୍କ ନିକଟରୁ ହାଉସିଂ ଲୋନ୍ କରାଇ ଦେବାକୁ କହି ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

କଂଗ୍ରେସକୁ ଆର୍ଥିକ ଭାବେ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି: ସୋନିଆ

ନୂଆଦିଲ୍ଲୀ: କେନ୍ଦ୍ରକୁ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆଙ୍କ ଟାର୍ଗେଟ । କହିଲେ- କଂଗ୍ରେସକୁ ଆର୍ଥିକ ଭାବେ ଦୁର୍ବଳ କରିବାକୁ ଯୋଜନାବଦ୍ଧ ଉଦ୍ୟମ ହେଉଛି । ଦେଶରେ ଗଣତନ୍ତ୍ର ବୋଲି କିଛି ନାହିଁ । ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ଯାୟ ନେଇ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେନ୍ଦ୍ର ଉପରେ ଏଭଳି କହି ବର୍ଷିଛି କଂଗ୍ରେସ ।

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସମାନ ଅଭିଯୋଗ କରି କେନ୍ଦ୍ର ଉପରେ ବର୍ଷିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ତୀବ୍ର ସମାଲୋଚନା କରିଛନ୍ତି ରାହୁଲ । କଂଗ୍ରେସର ଦଳୀୟ ବ୍ଯାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯାଇଛି । ଏହା କେବଳ କଂଗ୍ରେସର ନୁହେଁ ଗଣତନ୍ତ୍ରର ପତନ ବୋଲି କହିଛନ୍ତି ରାହୁଲ । ଏହାକୁ ନେଇ କଂଗ୍ରେସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । ଗଣତନ୍ତ୍ର ଉପରେ ଏହି ହମଲା କରାଯାଉଛି । ସାଧାରଣ ନିର୍ବାଚନରେ ପ୍ରଚାର ଲାଗି ସ୍ଲଟ୍ ମିଳୁନାହିଁ । ଏହା ଯୋଜନାବଦ୍ଧ ଷଡ଼ୟନ୍ତ୍ର ବୋଲି କହିଛନ୍ତି ରାହୁଲ । ଏହା ଉପରେ କୌଣସି ଅଦାଲତ ନା ଅନ୍ଯ କେହି କିଛି କହୁନାହାନ୍ତି । ଦେଶର ୨୦ ପ୍ରତିଶତ ଲୋକଙ୍କ ଆମେ ପ୍ରତିନିଧିତ୍ଵ କରୁଛୁ । ହେଲେ ଆମ ଦଳର ନେତାଙ୍କ ଲାଗି ଗୋଟିଏ ଟ୍ରେନ ଟିକେଟ ମଧ୍ୟ ବୁକ୍ କରିପାରୁନାହୁଁ । ଏହା ଉପରେ ନିର୍ବାଚନ କମିଶନ କିଛି କହୁନାହାନ୍ତି । କଂଗ୍ରେସକୁ ଲୋପ କରିବାକୁ ସବୁ ପ୍ରକାର ଯୋଜନା କରାଯାଉଛି । ଗତ ମାସରେ ଆୟକର ବିଭାଗ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ବକେୟା ଜରିମାନା ଆକାରରେ ୨୧୦ କୋଟି ଦାବି କରି କଂଗ୍ରେସ ବ୍ଯାଙ୍କ ଖାତାରୁ ୧୧୫ କୋଟି ଫ୍ରିଜ୍ କରି ଦେଇଛି ବୋଲି କହିଛନ୍ତି ରାହୁଲ ।

ଝାରପଡ଼ା ଜେଲରୁ ଅନ୍ୟ ଜେଲକୁ ସ୍ଥାନାନ୍ତର ହେବେ ଚକରା ଓ ଶମ୍ଭୁ !

ଭୁବନେଶ୍ବର: ଝାରପଡା ଜେଲ ଗୋଷ୍ଠୀ ସଂଘର୍ଷ ଘଟଣା । ଅଭିଯୁକ୍ତ ଚକରା ଓ ଶମ୍ଭୁକୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରିବାକୁ ଯୋଜନା । ଏଥିପାଇଁ କୋର୍ଟଙ୍କ ଅନୁମତି ମଗାଯାଇଛି । ମୋଟ ୨୦ ଜଣଙ୍କୁ ସ୍ଥାନାନ୍ତର ପାଇଁ କୋର୍ଟର ଅନୁମତି ମଗାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଜେଲ ଡିଜି ଏ. ଏମ. ପ୍ରସାଦ ।

ଗଣ୍ଡଗୋଳ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ହସ୍ତଗତ ହୋଇଛି । ଡିଆଇଜି ଅନସୂୟା ଜେନା ଓ ସିନିୟର ସୁପରିଟେଣ୍ଡେଣ୍ଟ ଡିଏନ ବାରିକ ଜେଲକୁ ଯାଇ ତଦନ୍ତ କରିଛନ୍ତି । ଗୃହ ବିଭାଗକୁ ଏ ସମ୍ପର୍କିତ ରିପୋର୍ଟ ପଠାଯାଇଛି । ଜେଲ କର୍ତ୍ତୃପକ୍ଷଙ୍କ ବିଭାଗୀୟ ତ୍ରୁଟି ଧରାପଡିଥିବା କହିଛନ୍ତି ଡିଜି । ଗତକାଲି ବିପୁଳ ପରିମାଣର ନିଶାଦ୍ରବ୍ୟ  ଜବତ ହୋଇଥିଲା । କମିଶନରେଟ ପୋଲିସ ପକ୍ଷରୁ ଜେଲରେ ଚଢ଼ାଉ ହୋଇଥିଲା । ୩ ଦିନ ତଳେ ଚକରା ଓ ଶମ୍ଭୁ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ମଧ୍ୟ ହୋଇଛି । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜେଲ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି । ଜେଲକୁ କିଭଳି ନିଶାଦ୍ରବ୍ୟ ଚାଲାଣ ନହେବ ସେ ନେଇ ତାଗିଦ କରାଯାଇଛି ।

ଲକ୍ଷ୍ମୀ ବସ୍ ସୁବିଧା ମିଳୁଛି କି ନାହିଁ ତଦାରଖ କରିବ ଏନଫୋର୍ସ ଟିମ୍

ଭୁବନେଶ୍ବର: ଓଡ଼ିଶାର ସଫଳତାର ସହ ଗଡ଼ି ଚାଲିଛି ଲକ୍ଷ୍ମୀ ବସ୍ । ଲୋକଙ୍କ ସୁବିଧା ପାଇଁ ଆଉ ପାଦେ ଆଗେଇଲା ରାଜ୍ୟ ସଡ଼କ ପରିହନ ବିଭାଗ । ଗଠନ ହେଲା ଏନଫୋର୍ସ ଟିମ । ୫୮ଟି ସବଡିଭିଜନରେ ମୃତୟନ ହେବ ଏହି ଟିମ୍ । ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନେତୃତ୍ବରେ ୨ରୁ ୪ ଜଣ RAT ବା Revenue assure team କାମ କରିବେ । ଲକ୍ଷ୍ମୀ ଯୋଜନାରେ ଦିଆଯାଉଥିବା ସୁବିଧା ଯାତ୍ରୀ ପାଉଛନ୍ତି ନା ନାହିଁ ତାହାର ତଦାରଖ କରିବ ଏହି ଟିମ୍ ।

କିଛି ଜାଗାରେ ଲକ୍ଷ୍ମୀ ଯୋଜନାର ସୁବିଧା ଲୋକେ ପାଉ ନଥିବା ଅଭିଯୋଗ ଆସିବା ପରେ ଏହି ଟିମ ଗଠନ କରାଯାଇଛି । ସବ ଡିଭିଜନକୁ ଯାତାୟତ କରୁଥିବା ଗାଡିଗୁଡିକର ପରିଚୟପତ୍ର ଯାଞ୍ଚ କରିବ ଏହି ଟିମ । ଯାତ୍ରୀ ବସରେ ଟଙ୍କା ଦେବା ପରେ ଟିକେଟ ପାଉଛନ୍ତି ନା ନାହିଁ ଯାଞ୍ଚ ହେବ । ଗାଡି ସଫା ସୁତରା, ଗାଡିରେ ଇନ୍ଧନ ଅଛି ନା ନାହିଁ, ଯାତ୍ରୀ କୌଣସି ଅଘଟଣର ଶିକାର ନହେବେ, ପକେଟ ମାର, ମହିଳାଙ୍କ ଲାଗି ସିଟ ସଂରକ୍ଷଣ, ବୟସ୍କ ଯାତ୍ରୀଙ୍କୁ ସମ୍ମାନ ସହ କଲେଜ ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପଯୁକ୍ତ ଟିକେଟ କଟାଯାଉଛି ନା ନାହିଁ ଏହାର ତଦାରଖ କରିବ ଟିମ୍ । ସମସ୍ତ ବସରେ ETM ମେସିନ ରହିଛି । ଯାତ୍ରୀ ଟିକେଟ ଦର ବିନା ଦ୍ୱିଧାରେ ଦେଇପାରିବେ । କେଉଁ ରୁଟରେ କେତେ ଯାତ୍ରୀ ଯାଇଛନ୍ତି ତାହା ଜଣାପଡିବ। ଏହାଦ୍ଵାରା କୌଣସି ଅନିୟମିତତା ହେଲେ ଜଣାପଡିବ । ଯାତ୍ରୀ ସେବାରେ ସ୍ୱଚ୍ଛତା ଆସି ପାରିବ । ବୟସ୍କ ଓ ମହିଳା ଯାତ୍ରା କରୁଥିବାବେଳେ କୌଣସି ଅସୁବିଧାର ସମ୍ମୁଖିନ ହେଲେ ଏହି ବିଷୟରେ ଜଣାଇ ପାରିବେ । ବସରେ ପାଣି ମିଳୁଛି ନା ନାହିଁ, ଯାତାୟାତ ବେଳେ ବସ ପକ୍ଷରୁ ଯଦି ସହଯୋଗ କରାଯାଉ ନଥିବ,  ଡ୍ରାଇଭର ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ ଭିଡ଼ିଓ କରି ସୋସିଆଲ ମିଡିଆ କିମ୍ବା ଏକ୍ସରେ ଟ୍ୟାଗ କରି ଜଣାଇ ପାରିବେ । ଯାହା ଫଳରେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ସବୁର ତଦାରଖ କରିବା ପାଇଁ ଏନଫୋର୍ସ ଟିମ ଚଢ଼ାଉ କରି ଯାଞ୍ଚ କରିବେ । ଆଗାମୀ ଦିନରେ ଲକ୍ଷ୍ମୀ ବସରେ ସ୍ମାର୍ଟ କାର୍ଡର ବ୍ୟବସ୍ଥା କରିବାକୁ ଯୋଜନା କରିଛି OSRTC  ।