spot_img
Home Blog Page 2139

ଛୁଆ ମରିଯିବା ପରେ ମାଟି ତଳେ ଛୁଆକୁ ଖୋଜୁଛି ମାଆ ହାତୀ

କେନ୍ଦୁଝର : ମାଆର ଅନାବିଳ ମମତା ଓ ସ୍ନେହର ପଟ୍ଟାନ୍ତର ନାହିଁ । ମଣିଷ ହେଉ ଅବା ପଶୁ ସନ୍ତାନକୁ ହରାଇଲେ ମାଆ ଯେ ସବୁଠୁ ଅଧିକ ଦୁଃଖ ପାଇଥାଏ ତାହା କାହାକୁ ବା ଅଛପା । ସନ୍ତାନକୁ ମାଆ କେବେବି ଭୁଲି ପାରେ ନାହିଁ । ଆଉ ସେମିତି ଏକ ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଛି । ପାଖରୁ ଦେଖୁଥିବା ବାଟୋଇର ବି ଆଖି ଛଳ ଛଲ ହୋଇ ପଡ଼ୁଛି । କାରଣ ଛୁଆ ମରିଯିବା ପରେ ମାଟି ତଳେ ପୋତା ହୋଇଥିବା ଛୁଆକୁ ଖୋଜୁଛି ମାଆ ହାତୀ । ହୃଦୟକୁ ଆନ୍ଦୋଳିତ କରୁଥିବା ଏଭଳି  ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ୍ ଯୋଡ଼ା ସେକ୍ସନ ଦଡୁଆଁ ଜଙ୍ଗଲରେ । ଛୁଆକୁ ହରାଇ ଏକ ମାଆହାତୀ ଦୁଃଖରେ ଭାଙ୍ଗି ପଡ଼ିଛ ।  ଛୁଆ  ପୋତା ହୋଇଥିବା ସ୍ଥାନର ଚାରିପାଖରେ ରାତିସାରା ବୁଲୁଛି ମାଆହାତୀ । ଗତ ରବିବାର ଏଠାରେ ୧୨ ଟିକିଆ ହାତୀପଲରୁ ଏକ ମାଈହାତୀ ଛୁଆ ଜନ୍ମ ଦେଇଥିଲା ।

ହେଲେ କୌଣସି କାରଣରୁ ହାତୀଛୁଆର ମୃତ୍ୟୁ ହୋଇଥିଲା । ଗତକାଲି ବନ ବିଭାଗ କର୍ମଚାରୀ  ହାତୀଛୁଆର ବ୍ୟବଛେଦ କରି ସେଠାରେ ପୋତି ଦେଇଥିଲେ । କିଛି ସମୟ ପରେ ମାଆହାତୀ ସେଠାରେ ପହଞ୍ଚି ଲୁହ ଛଳଛଳ ଆଖିରେ ନିଜ ଛୁଆକୁ ଖୋଜି ବୁଲୁଥିବାର ଦେଖିବାକୁ ମିଳିଥିଲା । ବହୁ ସମୟ ଧରି ଠିଆ ହୋଇ ନିଜ ସନ୍ତାନକୁ ଅପେକ୍ଷା କରି ରହିଥିଲା ମାଆହାତୀ । ଏଭଳି ଘଟଣା ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରିଛି ।

ରିଲ୍ସ କରୁ କରୁ ଜଳପ୍ରପାତକୁ ଖସିପଡ଼ିଲେ ଦୁଇ ଯୁବତୀ

ମାଲକାନଗିରି : ବିପଦ ଆଣିଲା ରିଲ୍ସ ନିଶା । ଅଳ୍ପକେ ବର୍ତ୍ତିଲେ ଦୁଇ ଯୁବତୀ । ରିଲ୍ସ କରୁ କରୁ ଅସାବଧାନତା ବଶତଃ ପାଣି ଭିତରକୁ ଖସି ପଡ଼ିଲେ ଦୁଇ ଯୁବତୀ। ପାଣିର ପ୍ରଖର ସୁଅ ଏମାନଙ୍କୁ ଭସାଇ ନେଇଥିଲା। ବଂଚିବା ପାଇଁ ଚିତ୍କାର କରୁଥିଲେ। ପାଖରେ ପରିବାର ଲୋକ ଥିଲେ ବି କେହି କିଛି କରି ପାରୁନଥିଲେ । ତେବେ ୨ଜଣ ଡ୍ରାଇଭର ନିଜ ଜୀବନକୁ ବାଜି ଲଗାଇ ପାଣି ଭିତରକୁ ଡେଇଁ ପଡିଥିଲେ। ଆଉ ମରଣ ମୁହଁରୁ ଦୁଇ ଜଣଙ୍କୁ ଟାଣି ଆଣିଥିଲେ। ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିଟକରେ ଥିବା ଗୁମ୍ମାଝରଣ ଜଳପ୍ରପାତର।

କୁଡୁମୁଲୁଗୁମ୍ମାର ୨ ଯୁବତୀ ପରିବାର ସହ ପିକନିକ ପାଇଁ ଆସିଥିଲେ। ବୁଲାବୁଲି କରିବା ସହ ଖୁସିର ମୁହୂର୍ତ୍ତ ସାଇତି ରଖିବା ପାଇଁ ରିଲ୍ସ କରୁଥିଲେ। ଆଉ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ସେଠାରେ ଖସି ଯାଇଥିଲା। ସେମାନେ ପାଣି ଭିତରକୁ ଖସି ଯାଇଥିଲେ। ତେବେ ଦୁଇ ଯୁବତୀଙ୍କୁ ଦୁଇଜଣ ଡ୍ରାଇଭର ଉଦ୍ଧାର କରିଛନ୍ତି ।

ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ମିଳିବ ପିଇବା ପାଣି

ଭୁବନେଶ୍ୱର : ରାଜ୍ୟର ସମସ୍ତ ଗାଁକୁ ୨୦୨୪ ଶେଷ ସୁଦ୍ଧା ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରହିଛି। ଆଜି ବିଧାନସଭାର ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ ଅମାତ ଏହି ସୂଚନା ଦେଇଛନ୍ତି। ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠାରେ ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ। ମାର୍ଚ୍ଚ ୨୦୨୩ ସୁଦ୍ଧା  ୫୮ ପ୍ରତିଶତ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଛି. ଯେଉଁଠି ପାଇପ ନାହିଁ କି କାମ ଜାରି ରହିଛି, ସେଠାରେ ଜିଲ୍ଲାପାଳ, PD DRDA ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନଳକୂଅ ବସାଇବାକୁ ନିର୍ଦେଶ ଦିଆଯାଇଛି।

ନୂଆ ଜନବସତିରେ ଅତିରିକ୍ତ ନtubewell ଲଗାଯିବ. ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ବି ନୂଆ tubewell ଲଗାଇବାକୁ ନିର୍ଦେଶ ଦିଆଯାଇଛି. ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ tubewell ଲଗାଯିବ. ହେଲେ ଯେଉଁଠି ଘରୋଇ tubewell କି ପାଇପ ଅଛି, ସେଠାରେ tubewell ଲଗାଯିବାର କୌଣସି ଯୋଜନା ନାହିଁ. ପାନୀୟ ଜଳ ସମସ୍ୟା ଥିଲେ, ୧୯୧୬ ହେଲ୍ପଲାଇନ ନମ୍ବର ଯୋଗେ ପ୍ରଶାସନକୁ ଜଣାଇବାର ବ୍ୟବସ୍ଥା ରହିଛି ।

ସାଉଦି ଆରବ ସହିତ ବନ୍ଧୁତା ପାଇଁ ପ୍ରସ୍ତୁତ ହୁତି

ନନ୍ଦିଘୋଷ ବ୍ୟୁରୋ : ୟେମେନର ହୁତି ବିଦ୍ରୋହୀମାନେ ସାଉଦି ଆରବ ସହିତ ଶାନ୍ତି ସ୍ଥାପନ କରିବାକୁ ପ୍ରସ୍ତୁତ । ସଂଗଠନର ଡେପୁଟି ବୈଦେଶିକ ମନ୍ତ୍ରୀ ହୁସେନ୍ ଅଲ-ହୁତି ୟେମେନରେ ଆମେରିକା ଏବଂ ବ୍ରିଟେନକୁ ସମର୍ଥନ କରୁ ନ ଥିବାରୁ ସାଉଦି ଆରବକୁ ବିଶେଷ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଆମେ ସାଉଦି ଆରବ ସହ ଶାନ୍ତି ଆଲୋଚନା କରିବାକୁ ଆଗ୍ରହୀ । ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ମଧ୍ୟରେ ଶତ୍ରୁତା ରହିଛି। ୟେମେନର ଏହି ସଂଗଠନ ସାଉଦିର ଟାର୍ଗେଟ ହୋଇ ରହିଛି। ହୁତି ଇରାନରୁ ସମର୍ଥନ ପାଇଥାଏ ଏବଂ ଇରାନ ସାଉଦି ଆରବକୁ ଏହାର ଶତ୍ରୁ ଭାବରେ ବିବେଚନା କରେ | ଜଣେ ଅଧିକାରୀ କହିଛନ୍ତି, ଜାନୁଆରୀ ୧୨ରୁ ଆମେରିକା ଏବଂ ବ୍ରିଟେନ ୟେମେନରେ ୩୦୦ରୁ ଅଧିକ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ଆମ ଉପରେ ଆକ୍ରମଣ କରୁଛି । ଯଦି କେହି ଆମ ଦେଶ ଉପରେ ଆକ୍ରମଣ କରନ୍ତି ତେବେ ଆମେ ଚୁପ୍ ରହିବୁ ନାହିଁ, ଗାଜା ଏବଂ ପାଲେଷ୍ଟାଇନ ପ୍ରତି ଆମର ଆଭିମୁଖ୍ୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଗତ ବର୍ଷ ନଭେମ୍ବରରୁ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଆମେରିକା ସମେତ ଅନେକ ୟୁରୋପୀୟ ଦେଶର ଜାହାଜକୁ ଟାର୍ଗେଟ କରିଥିଲେ । Who are Houthis? Yemen group that's declared war on Israel & how it plays  into Iran-Saudi proxy war

ଅଲ-ଇଜି କହିଛନ୍ତି ଯେ ପାଲେଷ୍ଟାଇନର ସମର୍ଥନରେ ଦେଶକୁ ଯାଉଥିବା ହୁତିମାନେ କେବଳ ଇସ୍ରାଏଲ୍ ସହ ଜଡିତ ଜାହାଜକୁ ଟାର୍ଗେଟ କରୁଛନ୍ତି। ୟେମେନର ହୁତି ବିଦ୍ରୋହୀମାନେ ଶିଆ ମୁସଲମାନମାନଙ୍କର ଏକ ସଂଗଠନ, ଯାହାକି ଜାଇଦିର ସମର୍ଥକ। ସେମାନେ ନିଜକୁ ଇସ୍ରାଏଲ୍, ଆମେରିକା ଏବଂ ପାଶ୍ଚାତ୍ୟ ବିରୁଦ୍ଧରେ ଇରାନର ନେତୃତ୍ୱାଧୀନ “ପ୍ରତିରୋଧର ଅଂଶ” ଭାବରେ ବର୍ଣ୍ଣନା କରିଛନ୍ତି, ଏବଂ ହାମାସ ଓ ଲେବାନାନର ହିଜବୁଲ ଭଳି ସଶସ୍ତ୍ର ଗୋଷ୍ଠୀ ସହିତ। ଏହି ଗୋଷ୍ଠୀ ୧୯୯୦ ଦଶକରେ ଉଭା ହୋଇଥିଲା ଏବଂ ଏହି ଆନ୍ଦୋଳନର ପ୍ରତିଷ୍ଠାତା ସ୍ୱର୍ଗତ ହୁସେନ୍ ଅଲ-ହୁତିଙ୍କ ନାମରେ ନାମିତ ହୋଇଥିଲା। କିନ୍ତୁ ଏହାର ନେତା ହେଉଛନ୍ତି ହୁସେନ୍ ଅଲ-ହୁତିଙ୍କ ଭାଇ ଅବଦୁଲ ମଲିକ ଅଲ-ହୁତି।

ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ

ନନ୍ଦିଘୋଷ ବ୍ୟୁରୋ : ଜ୍ଞାନବାପି ମସଜିଦ ମାମଲାରେ ଆଜି ଆସିବ ରାୟ। ମାମଲାର ଶୁଣାଣି କରିବେ ଆହ୍ଲାବାଦ ହାଇକୋର୍ଟ। ଜ୍ଞାନବାପି ମସଜିଦ ଭିତରେ ହିନ୍ଦୁମାନଙ୍କୁ ପ୍ରାର୍ଥନା କରିବା ଲାଗି ବାରାଣସୀ କୋର୍ଟ ଯେଉଁ ଅନୁମତି ଦେଇଥିଲେ ତାହା ଉପରେ ରହିତାଦେଶ ଦେବାକୁ ଅଗ୍ରାହ୍ଯ କରିଦେଇଥିଲେ ହାଇକୋର୍ଟ। ବାରାଣସୀ କୋର୍ଟର ରାୟ ବିରୋଧରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଅଞ୍ଜୁମାନ ଇନ୍ତଜାମିଆ ମସଜିଦ କମିଟି।

ଏହି ମାମଲାର ଶୁଣାଣି କରିବାକୁ ପୂର୍ବରୁ ସୁପ୍ରିମକୋର୍ଟ ଅଗ୍ରାହ୍ଯ କରିଦେଇଥିଲେ। ଗତ ୨୦୨୩ ଜାନୁଆରୀ ୩୧ରେ ଜ୍ଞାନବାପି ମସଜିଦରେ ଜଣେ ପୂଜକଙ୍କୁ ପୂଜା କରିବା ଲାଗି ଅନୁମତି ଦେଇଥିଲେ କୋର୍ଟ।

ଆଜି ଓଡ଼ିଶା ପ୍ରବେଶ କରିବ ଭାରତ ଯୋଡ଼ ନ୍ୟାୟଯାତ୍ରା

ରାଉରକେଲା : ଆଜି ଓଡ଼ିଶା ପ୍ରବେଶ କରିବ କଂଗ୍ରେସର ଭାରତ ଯୋଡ଼ ନ୍ୟାୟଯାତ୍ରା। ଝାଡ଼ଖଣ୍ଡର ବାସଜୋଲ ପରେ ସୁନ୍ଦରଗଡ଼ ବୀରମିତ୍ରପୁରରେ ଏହି ଅଭିଯାନ ପହଞ୍ଚିବ। ବୀରମିତ୍ରପୁରର ବିଜାବାହାଲରେ ଅଭିଯାତ୍ରୀ କରିବେ ରାତ୍ରୀଯାପନ। ଆସନ୍ତାକାଲି ସକାଳେ ରାଉରକେଲା ଉଦିତ ନଗରରୁ ଆରମ୍ଭ ହେବ ପଦଯାତ୍ରା। ସକାଳ ୧୦ଟାରେ ପାନପୋଷରେ ସାଧାରଣ ସଭା ହେବ। ଅପରାହ୍ଣ ୨ଟାରେ ରାଜଗାଙ୍ଗପୁର ରାଣୀବନ୍ଧରେ ସାଧାରଣ ସଭା ହେବା ପରେ କୁତ୍ରା ଓ ବରଗାଁ ଯିବ। ଅପରାହ୍ଣ ସାଢେ ୪ଟାରେ ବସଷ୍ଟାଣ୍ଡ ଛକରୁ ପଦଯାତ୍ରା ଆରମ୍ଭ ହୋଇ ଷ୍ଟେଟବ୍ଯାଙ୍କ ଛକ ଯିବ। ସେଠାରେ ସାଧାରଣ ସଭା କାର୍ଯ୍ଯକ୍ରମ ରହିଛି। ଆସନ୍ତା ୮ ତାରିଖରେ ଝାରସୁଗୁଡାରେ ସାଧାରଣ ସଭା କାର୍ଯ୍ୟକ୍ରମ ରହିଛି।

ଗତ ଜାନୁଆରୀ ୧୪ ତାରିଖରେ ମଣିପୁରର ଥୋବୁଲ ଜିଲ୍ଲା ଖୋନଗଜୋମରୁ ଆରମ୍ଭ ହୋଇଥିବା ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଯାତ୍ରା ଚାଲିବ ୬୬ ଦିନ । ୧୫ ରାଜ୍ୟର ୧୧୦ ଜିଲ୍ଲା, ୧୦୦ ଲୋକସଭା ଓ ୩୩୭ ବିଧାନ ସଭା କ୍ଷେତ୍ର ଦେଇ ପ୍ରାୟ ୬ ହଜାର ୭୦୦ କିଲୋମିଟର ଅତିକ୍ରମ କରିବ ।

ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ୟୁସିସି ବିଲ୍

ଉତ୍ତରାଖଣ୍ଡ : ଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ଏକକ ନାଗରିକ ସଂହିତା ବା ୟୁସିସି ବିଲ୍ । ଗତ ରବିବାର ୟୁସିସି ରିପୋର୍ଟକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଥିଲା । ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ନେତୃତ୍ବରେ ଗଠିତ ପାଞ୍ଚ ଜଣିଆ ୟୁସିସି ଡ୍ରାଫ୍ଟିଂ କମିଟି ପକ୍ଷରୁ ଏହି ଚିଠା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିକଟରେ ଦାଖଲ କରାଯାଇଥିଲା । ରାଜ୍ୟରେ ଗୋଟିଏ ପ୍ରକାର ସିଭିଲ ଆଇନ କାର୍ଯ୍ୟକାରୀ କରିବା ଲାଗି ୟୁସିସି କମିଟି ରିପୋର୍ଟରେ ଦର୍ଶାଇଛି । ଯଦି ବିଧାନସଭାରେ ଏହା ଗୃହୀତ ହୁଏ ତେବେ ୟୁସିସି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ । ଏନେଇ ମୁଖ୍ୟମନ୍ତ୍ରୀ ଧାମି କହିଛନ୍ତି- ଏକ ଭାରତ ଶ୍ରେଷ୍ଠ ଭାରତ ଆହ୍ବାନକୁ ଏହି ପଦକ୍ଷେପ ସଫଳ କରାଇବ । ୟୁସିସି କମିଟିରେ ଅନ୍ୟ ଯେଉଁମାନେ ସଦସ୍ୟ ରହିଛନ୍ତି ସେମାନେ ହେଲେ ଅବସରପ୍ରାପ୍ତ ବିଚାରପତି ପ୍ରମୋଦ କୋହଲି, ସାମାଜିକ କର୍ମୀ ମନୁ ଗୌର, ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂ, କୁଳପତି ସୁରେଖା ଦଣ୍ଡଓ୍ବାଲ ।

ଧର୍ମନିର୍ବିଶେଷରେ ବିବାହ, ଛାଡପତ୍ର, ଜମିଜମା, ସମ୍ପତ୍ତି, ଉତ୍ତରାଧିକାରୀତ୍ବ କ୍ଷେତ୍ରରେ ରାଜ୍ୟର ସମସ୍ତ ନାଗରିକଙ୍କ ଲାଗି ୟୁସିସି ଲାଗୁ କରିବାକୁ ସରକାର ଚାହିଁଛନ୍ତି । ୟୁସିସି କାର୍ଯ୍ୟକାରୀ କରିବାକୁ ଗତ 2022 ବିଧାନସଭା ନିର୍ବାଚନରେ ପ୍ରତିଶ୍ରୁତି ଦେଇଥିଲା ବିଜେପି । 740 ପୃଷ୍ଠା ସମ୍ବଳିତ ଚିଠା ରିପୋର୍ଟ ଚାରି ଖଣ୍ଡରେ ବିଭକ୍ତ ଏବଂ 2 ଲକ୍ଷ 33 ହଜାର ଲୋକଙ୍କ ପରାମର୍ଶକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।

ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ

ଭୁବନେଶ୍ୱର : ଆଜି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ଦିନ । ଅଧିବେଶନର ଦ୍ବିତୀୟ ଦିନ ବେଶ୍ ସରଗରମ ରହିବା ଆଶା କରାଯାଉଛି । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ । ସେହିପରି ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠିପାରେ । କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିପାରେ ।Odisha Legislative Assembly: Latest Articles, Videos and Photos of Odisha  Legislative Assembly - Telegraph India

ଏହାସହ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଗୃହରେ ଆଲୋଚନା ହେବ । ସ୍ବଳ୍ପ ଅଧିବେଶନରେ ମୁଖ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଗୃହରେ ଘେରିବା ପାଇଁ ରଣନୀତି କରିଛନ୍ତି । ଅନ୍ଯପଟେ ବିଜେଡି ବିଧାୟକ ଦଳ ବୈଠକରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିକାଶ, ବିଶ୍ବ ଓଡ଼ିଆ ସମ୍ମିଳନୀକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରସଙ୍ଗରେ ଭାଗନେବା ସହ ବିରୋଧୀଙ୍କ ପ୍ରଶ୍ନର ସଠିକ ମୁକାବିଲା କରିବାପାଇଁ ବିଧାୟକମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ଭୟଙ୍କର ବନାଗ୍ନିରେ ଜଳୁଛି ଦକ୍ଷିଣ ଆମେରିକୀୟ ଦେଶ ଚିଲି

ନନ୍ଦିଘୋଷ ବ୍ୟୁରୋ: ଭୟଙ୍କର ବନାଗ୍ନିରେ ଜଳୁଛି ଦକ୍ଷିଣ ଆମେରିକୀୟ ଦେଶ ଚିଲି । ଏବେ ଜନବସତିରେ ଆସି ନିଆଁ ପହଞ୍ଚିଲାଣି । ଏଥିପାଇଁ ଚିଲି ସରକାରଙ୍କର ଚିନ୍ତା ବଢିବାରେ ଲାଗିଛି । ନିଆଁ ଅଣାୟତ୍ତ ହେଉଥିବା ବେଳେ ଏଯାଏ ୧୧୨  ଜଣଙ୍କର ମୃତ୍ୟୁ ଘଟିବା ସହ ଶତାଧିକ ନିଖୋଜ ଅଛନ୍ତି । ଏଥିସହ ୧୧୦୦ରୁ ଅଧିକ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଭିନାଡେଲମାର ସମେତ ପଡୋଶୀ ସହର ଗୁଡିକରେ କର୍ଫ୍ୟୁ ଜାରି କରାଯାଇଛି । ପାଖାପାଖି ୧୬୧ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି ନିଆଁ । ଦେଶର ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଭିନାଡେଲମାର ସହର ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା । ଧୂଆଁ ଓ ନିଆଁ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଲୋକମାନଙ୍କୁ ଘରୁ ନ ବାହାରିବାକୁ ଅପିଲ କରାଯାଇଛି  । ଦେଶରେ ଉଦ୍ଧାର କାର୍ଯ୍ୟ ଓ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ବନାଗ୍ନି ଯୋଗୁ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

 

କଟକରେ ସୁନା ଦୋକାନରେ ଅଗ୍ନିକାଣ୍ଡ

କଟକ: ଜଳିଗଲା ସୁନା ଦୋକାନ । କଟକ ନିମଚଉଡ଼ି ଅଞ୍ଚଳରେ ଥିବା ଓମ ଅଳଙ୍କାର ଦୋକାନରେ ଅଗ୍ନିକାଣ୍ଡ ଘଟିଛି ।  ସନ୍ଧ୍ୟାରେ ହଠାତ ଦୋକାନରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା।  ସହକାରୀ ଅଗ୍ନିଶମ ଅଧିକାରୀ ସଂଜୀବ ବେହେରାଙ୍କ ସମେତ 2ଟି ଦମକଳ ଗାଡି ପହଂଚି ନିଆଁକୁ ଆୟତ୍ତ କରିଥିଲେ ।  ନିଆଁ କିପରି ଲାଗିଲା ଓ  କ୍ଷୟକ୍ଷତିର ପରିମାଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।  ଇଲେକଟ୍ରିକ ସର୍ଟ ସର୍କିଟରୁ ଏପରି ହୋଇଥିବା ଅନୁମାନ କରାଯାଉଛି।