ବଢୁଛି ପାରଦ, ଆଜିଠୁ ପ୍ରବଳ ତାତି

ଭୁବନେଶ୍ବର: ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ଆଜିଠୁ ହେବ ପ୍ରବଳ ଖରା ।  ସ୍ବାଭାବିକ ଠାରୁ ୪ରୁ ୬ ଡିଗ୍ରୀ ବଢିବ ତାପମାତ୍ରା । ତିନି ଦିନ ଲାଗି ରହିବ ହଟ୍ ଓ୍ବେଦର କଣ୍ଡିସନ୍ । ୪୦ ଡିଗ୍ରୀ ଛୁଇଁପାରେ ତାପମାତ୍ରା । ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ସ୍ଥିତି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ୧୧, ୧୨ ଓ ୧୩ ତାରିଖରେ ସବୁଠୁ ଅଧିକ ଖରା ହେବ । କଟକ, ଭୁବନେଶ୍ବର ସମେତ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ ଭଳି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି । ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବରେ ଲାଗି ରହିଥିବା ମେଘୁଆ ପାଗ ଧିରେ ଧିରେ ବଦଳିଛି । ଦକ୍ଷିଣ ଓଡ଼ିଶା ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବି ଦୁର୍ବଳ ହୋଇଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ । ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ ଓ ଯାଜପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ।