୪୦ ଫୁଟ୍ ଗଭୀର ବୋରଓ୍ବେଲରେ ଫସିଛି ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ପୁଣି ବୋରଓ୍ବେଲ ଟ୍ରାଜେଡି । ଦିଲ୍ଲୀରେ ଏକ ବୋରଓ୍ବେଲରେ ଫସିଛି ଜଣେ ଶିଶୁ । ୪୦ ଫୁଟ ଭିତରେ ଚାଲିଛି ଜୀବନ ମରଣର ସଂଗ୍ରାମ । କେଶୋପୁର ମଣ୍ଡି ନିକଟ ଜଳବୋର୍ଡ ପ୍ଲାଣ୍ଟ ନିକଟରେ ଘଟିଛି ଅଘଟଣ । ପୀଡ଼ିତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ରେସକ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ, ଏନଡିଆରଏଫ ଓ ପୋଲିସ । ବୋରଓ୍ବେଲରେ ପଡ଼ିଥିବା ପୀଡ଼ିତ ଶିଶୁ ବୋଲି କୁହା ଯାଉଥିବା ବେଳେ କିଛି ଲୋକ ଜଣେ ବ୍ୟକ୍ତି ବୋଲି କହୁଛନ୍ତି । ତେବେ ବୋରଓ୍ବେଲରେ ଶିଶୁ ନା ବଡ଼ ଲୋକ ପଡ଼ିଛନ୍ତି ତାହା ବର୍ତ୍ତମାନ ସୁଦ୍ଧ ସ୍ପଷ୍ଟ ହୋଇପାରିନି ।

ଦିଲ୍ଲୀ ପୋଲିସ ଅନୁସାରେ ରବିବାର ରାତି ପ୍ରାୟ ଗୋଟାଏ ୧୫ରେ ପିସିଆର କଲ୍ ଆସିଥିଲା । ଜଳବୋର୍ଡ କର୍ମଚାରୀ କହିଥିଲେ, କେହି ଜଣେ ଚୋରି କରିବାକୁ ଆସି ବୋରଓ୍ବେଲରେ ପଡି ଯାଇଛନ୍ତି । ବୋରଓ୍ବେଲରେ ପଡିଥିବା ବ୍ୟକ୍ତି କିଏ ସେ ସମ୍ପର୍କରେ ଜାଣିବାକୁ ଚେଷ୍ଟା କରାଯାଉଥିବା ପୋଲିସ କହିଛି ।

ଘଟଣାରେ ଜଳବୋର୍ଡର ଅବହେଳା ସାମ୍ନାକୁ ଆସିଛି । ପ୍ରଥମେ ପାଇପ୍ ଦ୍ବାରା ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା, ଯାହା ସଫଳ ହୋଇ ନଥିଲା । ଏବେ ବୋରଓ୍ବେଲ ପାଖରେ ଆଉ ଏକ ଗାତ ଖୋଳାଯାଉଛି । ଯେଉଁଥିରେ ପଡ଼ିଥିବା ଲୋକକୁ ଉଦ୍ଧାର କରାଯାଇପାରିବ ।