ନିର୍ବାଚନ କମିଶନର ଅରୁଣ ଗୋଏଲଙ୍କ ଇସ୍ତଫା, କଂଗ୍ରେସ ପଚାରିଲା ନିର୍ବାଚନ ଲଢ଼ିବ କି ?

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଇସ୍ତଫା ଦେଇଛନ୍ତି ନିର୍ବାଚନ କମିଶନର ଅରୁଣ ଗୋଏଲ । ୪୫ ମାସ ପୂର୍ବରୁ ଗୋଏଲ ଇସ୍ତଫା ଦେଇଛନ୍ତି ଗୋଏଲ । ୨୦୨୭ ଡିସେମ୍ବର ୫ରେ ତାଙ୍କ କାର୍ଯ୍ୟକାଳ ସରୁଥିଲା । ଆସନ୍ତା ବର୍ଷ ସେ ମୁଖ୍ୟ ନିର୍ବାଚନ କମିାନର ହୋଇଥାନ୍ତେ । ଗତ ଫେବୃଆରୀରେ ଅନୁପ ଚନ୍ଦ୍ର ପାଣ୍ଡେ ଅବସର ନେଇଥିବା ବେଳେ ଏବେ ଅରୁଣ ଇସ୍ତଫା ଦେଇଛନ୍ତି । ତିନି ଜଣିଆ ନିର୍ବାଚନ ଆୟୋଗରେ ଏବେ ମାତ୍ର ଜଣେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି ।

ତେବେ ଗୋଏଲଙ୍କ ଇସ୍ତଫାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।  ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ନିର୍ବାଚନ କମିଶନର ପଦରୁ ଅରୁଣ ଗୋଏଲଙ୍କ ଇସ୍ତଫା ୩ଟି ପ୍ରଶ୍ନ ଛିଡ଼ା କରୁଛି ।

ଜୟରାମ ପଚାରିଛନ୍ତି, କ’ଣ ମୁଖ୍ୟ ନିର୍ବାଚନ କମିଶନର ନା ମୋଦି ସରକାର ସହ ମତଭେଦ କାରଣରୁ ଇସ୍ତଫା ଦେଇଛନ୍ତି ? କ’ଣ ସେ ନିଜସ୍ବ କାମ ପାଇଁ ଇସ୍ତଫା ଦେଇଛନ୍ତି ? କ’ଣ ସେ କୋଲକାତା ହାଇକୋର୍ଟ ବିଚାରପତିଙ୍କ ପରି ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଇଛନ୍ତି ?

ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନିର୍ବାଚନ ଆୟୋଗ ନା ନିର୍ବାଚନ ଭୁଲ ? କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ ଏବେ ଭାରତରେ ଜଣେ ନିର୍ବାଚନ କମିଶନର ଅଛନ୍ତି । ଯଦି ସ୍ବତନ୍ତ୍ର ସଂସ୍ଥାରେ ବ୍ୟବସ୍ଥିତ ବିନାଶ ବନ୍ଦ କରାନଯାଏ ତେବେ ଏକଛତ୍ରବାଦ ଲୋକତନ୍ତ୍ରକୁ ନିଜ ଅକ୍ତିଆରକୁ ନେଇଯିବ ।