spot_img
Home Blog Page 2132

କୋଲକତାରେ ଭୁଶୁଡ଼ିଲା ନିର୍ମାଣାଧୀନ ୫ ମହଲା କୋଠା, ୨ ମୃତ

କୋଲକତା: କୋଲକତାର ଗାର୍ଡେନ ରିଚ୍‌ ଅଞ୍ଚଳରେ ରବିବାର ରାତିରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି। ଏକ ନିର୍ମାଣାଧୀନ ୫ ମହଲା କୋଠା ହଠାତ୍ ଭୁଶୁଡି ପଡିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ୨୫ ଜଣ ଆହତ ହୋଇଛନ୍ତି । ଭଗ୍ନାଂଶ  ତଳେ ଆଉ ୬ ଜଣ ଲୋକ ଚାପି ହୋଇ ରହିଥିବା ସୂଚନା ମିଳିଛି।  ଆହାତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୋଲିସର ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ୪୭ ବର୍ଷୀୟ ସମା ବେଗମ୍ ଏବଂ ୫୫ ବର୍ଷୀୟ ହସିନା ଖାତୁନ୍ ବୋଲି ଜଣାପଡିଛି। ପୋଲିସ କହିଛି ଯେ, ୧୦ ଜଣ ଆହତଙ୍କୁ ସ୍ଥାନୀୟ ନର୍ସିଂହୋମରେ, ୫ ଜଣ ଏସଏସକେଏମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ ଜଣ ଲୋକ ଭଗ୍ନାଂଶ ତଳେ ଫସି ରହିଛନ୍ତି।

ସୂଚନା ଅନୁଯାୟୀ, କୋଲକତା ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଗାର୍ଡେନ ରିଚ୍‌ ଅଞ୍ଚଳରେ ଏକ ନିର୍ମାଣାଧୀନ ୫ ମହଲା ଘର ଗତ ରାତିରେ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଉକ୍ତ ବିଲ୍ଡିଂ ଚାରିପାଖରେ ଛୋଟ ଛୋଟ ଝୁମ୍ପୁଡ଼ି ଥିବା ବେଳେ ବିଲ୍ଡିଂ ଏକ ଝୁମ୍ପୁଡ଼ି ଉପରେ ପଡ଼ି ଯାଇଥିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ସହାୟତରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

କେନ୍ଦୁଝରରେ ରେଳ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ

କେନ୍ଦୁଝର: କେନ୍ଦୁଝରରେ ଚକ, ଅଖ ବନ୍ଦ। ରେଳ ପ୍ରକଳ୍ପକୁ ବିରୋଧ କରି କେନ୍ଦୁଝରରେ ୨୪ ଘଣ୍ଟିଆ ବନ୍ଦ ପାଳନ କରୁଛି  ଟ୍ରକ ମାଲିକ ସଂଘ। କେନ୍ଦୁଝରଗଡ଼ ଷ୍ଟେସନରେ କେନ୍ଦୁଝରଗଡ଼-ଖୋର୍ଦ୍ଧାରୋଡ଼ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ କଲେ ଜିଲ୍ଲା ଟ୍ରକ୍‌ ମାଲିକ ସଂଘର ସଦସ୍ୟ । ଗାନ୍ଧିଛକରେ ଯାନବାହାନ ଚଳାଚଳ ବନ୍ଦ ହୋଇଛି। ସହରରେ ଦୋକନ ବଜାର ବନ୍ଦ ରହିବା ସହ ବସ୍ ଚଳାଚଳ ଠପ ହୋଇଛି।  ଟ୍ରକ, ବସ , ଟ୍ରେନ ସହ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ହୋଇଛି।

ତେବେ ଅତ୍ୟାବଶ୍ୟକ ସାମଗ୍ରୀ, ପରୀକ୍ଷା ଦେବାକୁ ଯାଉଥିବା ପିଲାଙ୍କ ସହ ମେଡ଼ିକାଲକୁ ଯାଉଥିବା ରୋଗୀଙ୍କୁ ଏହି ବନ୍ଦରୁ ବାଦ ଦିଆଯାଇଛି । କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ  ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି।

ସୂଚନା ଅନୁଯାୟୀ, ରେଳ ପ୍ରକଳ୍ପ ହେଲେ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ ଠପ ହୋଇଯିବା ଆଶଙ୍କାରେ ଟ୍ରକ ମାଲିକ ସଂଘ ଆଜି ସଂମ୍ପୂର୍ଣ୍ଣ ଜିଲ୍ଲାରେ ବନ୍ଦ ଡାକରା ଦେଇଛି ।

ପିଲାମାନଙ୍କୁ ବୁଦ୍ଧିମାନ କରିବା ସହ ଏହି ସବୁ ରୋଗରୁ ମୁକ୍ତି ଦେଇଥାଏ ଦେଶୀ ଘିଅ

ବ୍ୟୁରୋ ରିପୋର୍ଟ: ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଘିଅ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇବା ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ଫାଇଦା ମିଳିଥାଏ। ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ ରଖିଥାଏ। ତେବେ ଆସନ୍ତୁ ଜାଣିବା ଘିଅ ଖାଇବାର ଫାଇଦା ସମ୍ପର୍କରେ ।

ପିଲାମାନଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଘିଅ ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଶରୀରକୁ ଶକ୍ତି ଦେବା ବ୍ୟତୀତ ଏହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢାଇଥାଏ। ଏହାଦ୍ୱାରା ଅନେକ ପ୍ରକାରର ରୋଗକୁ ମୁକ୍ତି ମିଳିଥାଏ। ଆୟୁର୍ବେଦରେ ୨୫ ବର୍ଷ ଧରି କାର୍ଯ୍ୟ କରୁଥିବା ଆୟୁର୍ବେଦିକ ଡାକ୍ତର ଅନୁରାଗ କହିଛନ୍ତି ଯେ, ଘିଅରେ ଥିବା  ଓମେଗା-3  ଫ୍ୟାଟି ଏସିଡ୍, ଭିଟାମିନ୍-A, ଭିଟାମିନ୍ ବି12, ଭିଟାମିନ୍-ଡି, ଆଣ୍ଟିଅକ୍ସିଡାଣ୍ଟ ସୁସ୍ଥ ତ୍ୱଚା ଏବଂ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଘିଅ ହୃଦୟକୁ ଶକ୍ତି ପ୍ରଦାନ କରେ ।

ଆହୁରୀ ମଧ୍ୟ କହିଛନ୍ତି , ଶିଶୁମାନଙ୍କ ଖାଦ୍ୟରେ ଘିଅକୁ ଅନ୍ତର୍ଭୁକ୍ତ କରିବା ନିଶ୍ଚିତ ଆବଶ୍ୟକ। ଘିଅ ଖାଇବା ଦ୍ୱାରା ପିଲାମାନଙ୍କର ମାନସିକ ଏବଂ ଶାରୀରିକ ବିକାଶ ସଠିକ୍ ଭାବରେ ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି କରିବାରେ ଘିଅର ମୁଖ୍ୟ ଭୂମିକା ରହିଛି ଏବଂ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ।

ଘିଅ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ ହୁଏ । ଏହାର ବ୍ୟବହାର ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଥାଏ । ଘିଅ ଖାଇବା ଦ୍ୱାରା ଆପଣ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ କୋଷ୍ଠକାଠିନ୍ୟ ଓ ହଜମ ସହିତ ନିଜଠାରୁ ଦୂରରେ ରଖିବାରେ ସଫଳ ହୋଇପାରିବେ ।

ଯକ୍ଷ୍ମା ଏକ ଗୁରୁତର ରୋଗ ଏବଂ ଏହାକୁ ଠିକ୍ ସମୟରେ ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ। ଆୟୁର୍ବେଦ ଅନୁଯାୟୀ, ଘିଅ ଖାଇବା ଟିବି ରୋଗୀଙ୍କ ପାଇଁ ଲାଭଦାୟକ ଅଟେ। ତଥାପି, ଯକ୍ଷ୍ମା ଚିକିତ୍ସା ପାଇଁ କେବଳ ଘରୋଇ ଉପଚାର ଉପରେ ନିର୍ଭର କରନ୍ତୁ ନାହିଁ, ବରଂ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, କେବଳ ଶୁଦ୍ଧ ଦେଶୀ ଘିଅ ଖାଇବା ଉଚିତ୍। ଏଥିରେ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ।

ପୁରୀ ବାଲିଘାଟ ଛକ ସ୍ପେୟାରପାର୍ଟସ୍ ଦୋକାନ ଉପରକୁ ବୋମାମାଡ

ପୁରୀ ବାଲିଘାଟ ଛକ ନିକଟରେ ଏକ ସ୍ପେୟାରପାର୍ଟସ୍ ଦୋକାନ ଉପରକୁ ବୋମାମାଡ। ବୋମାମାଡରେ ଦୋକାନ ସାମ୍ନାରେ ଲାଗିଥିବା କାଚ ଭାଙ୍ଗିଯାଇ । ସେଠାରେ କାମ କରୁଥିବା ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣା ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଦାଦାବାଟିକୁ ନେଇ ବୋମାମାଡ଼ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଦୁର୍ବୃତ୍ତ ୩ଟି ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି। ବୋମାମାଡ଼ର ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାର ଯାଞ୍ଚ କରିଛି।

ଖୁବଶୀଘ୍ର ଯୁକ୍ତ ଦୁଇ କଲେଜରେ ନିଯୁକ୍ତ ହେବେ ୧ ହଜାର ୬୧ ପିଜିଟି, ଆଜିଠୁ ଆବେଦନ ଆରମ୍ଭ

ଭୁବନେଶ୍ୱର: ସ୍କୁଲ ହେଉ କି କଲେଜ। କୌଣସି ଶିକ୍ଷାନୁଷ୍ଠାନରେ ରହିବନି ଶିକ୍ଷକ ଅଭାବ। ଖୁବଶୀଘ୍ର ଯୁକ୍ତ ଦୁଇ କଲେଜରେ ନିଯୁକ୍ତ ହେବେ ୧ ହଜାର ୬୧ ସ୍ନାତକୋତ୍ତର ଶିକ୍ଷକ । ଏଥିପାଇଁ ଆଜିଠୁ ଆରମ୍ଭ ହେଉଛି ଆବେଦନ। ଇଚ୍ଛୁକ ପାର୍ଥୀମାନେ SSBର ୱେବସାଇଟରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ଆଜି ଅପରାହ୍ନ ଗୋଟାଏରୁ ଏପ୍ରିଲ ୧୮ ତାରିଖ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଏହି ପିଜିଟି ଶିକ୍ଷକ ନିଯୁକ୍ତ ହେବେ । ୨୩ ଗୋଟି ବିଭିନ୍ନ ବିଷୟରେ ୧ ହଜାର ୬୧ ଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହେବ ।

ମୁମ୍ବାଇରେ ବରିଷ୍ଠ କଂଗ୍ରେସ ନେତା ରାହୁଲଙ୍କ ମେଗାରାଲି, ୬୩ ଦିନର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମ୍ପନ୍ନ

ମୁମ୍ବାଇ: ମୁମ୍ବାଇରେ କଂଗ୍ରେସ ବରିଷ୍ଠ ନେତା ରାହୁଲଙ୍କ ମେଗା ରାଲି। କଂଗ୍ରେସ ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟର ନେତା ଏହି ମେଗା ରାଲିରେ ସାମିଲ ହୋଇଥିଲେ। ରାହୁଲଙ୍କ ୬୩ ଦିନିଆ ଭାରତ ଯୋଡୋ ନ୍ଯାୟ ଯାତ୍ରା ଏହି ମେଗା ରାଲି ସହ ସମାପନ ହୋଇଛି। ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ହୋଇଥିଲା ଏ ରାଲି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଶିବସେନା ୟୁବିଟି ସଭାପତି ଉଦ୍ଧବ ଥାକରେ, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତଥା ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ମେଗା ରାଲିରେ ସାମିଲ ହୋଇଥିଲେ।

ଏହି ମେଗା ରାଲିରେ ଆମ ଆଦମି ପାର୍ଟି ନେତା ସୌରଭ ଭାରଦ୍ଵାଜ, ଏନସି ନେତା ଫାରୁକ ଅବଦୁଲ୍ଲା ସିପିଆଇ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସହ ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ତାଙ୍କ ପତ୍ନୀ କଳ୍ପନା ସୋରେନ ଯୋଗ ଦେଇଥିଲେ। ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣାର ଦିନକ ପରେ ଇଣ୍ଡିଆ ମେଣ୍ଟ ଏହି ମେଗା ରାଲି କରିଥିଲା। ଏହି ଅବସରରେ ମୁମ୍ବାଇର ମଣି ଭବନରୁ ଅଗଷ୍ଟ କ୍ରାନ୍ତି ମୈଦାନ ପର୍ଯ୍ୟନ୍ତ ନ୍ୟାୟ ସଂକଳ୍ପ ଯାତ୍ରା କରିଥିଲେ ରାହୁଲ। ଆସନ୍ତା ଏପ୍ରିଲ ୧୯ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ଭୋଟଗ୍ରହଣର ଏକାଧିକ ପର୍ଯ୍ୟାୟ। ଜୁନ ୪ ତାରିଖରେ ଭୋଟ ଗଣତି ହେବ।

 

ଋଷରେ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ: ଭ୍ଲାଦିମିର ପୁଟିନ ଋଷ ରାଷ୍ଟ୍ରପତି ଭେବେ ନିର୍ବାଚିତ। ୨୦୦ ବର୍ଷ ଇତିହାସରେ ହୋଇଛନ୍ତି ସର୍ବାଧିକ କାଳ କ୍ଷମତାସୀନ ରାଷ୍ଟ୍ରପତି। ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପ୍ରାୟ  ୮୮ ପ୍ରତିଶତ ଭୋଟ ହାସଲ କରିଛନ୍ତି ପୁଟିନ। କମ୍ଯୁନିଷ୍ଟ ଦଳ ପ୍ରାର୍ଥୀ ସମେତ ୩ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ହୋଇଥିବା ନିର୍ବାଚନରେ ଭାଗ ନେଇଥିଲେ ଅଧିକାଂଶ ଋଷ ନାଗରିକ। ନିର୍ବାଚନକୁ ଭଣ୍ଡୁର କରିବା ଲାଗି ୟୁକ୍ରେନ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିଥିଲା ଋଷ।

ନିର୍ବାଚନରେ କମ୍ଯୁନିଷ୍ଟ ପାର୍ଟିର ନିକୋଲାଇ କାରିତୋନୋଭ, ଲିବରାଲ ଡେମୋକ୍ରାଟିକ ପାର୍ଟି ଅଫ ଋଷିଆର ଲିଓନିଦ ସ୍ଲଟସ୍କି, ନ୍ଯୁ ପିପୁଲ ପଲିଟିକାଲ ପାର୍ଟିର ଭ୍ଲାଦିସ୍ଲାଭ ଦାଭାନକୋଭଙ୍କ ପରାଜୟ ଘଟିଛି। ନିର୍ବାଚନକୁ ଜାତିସଂଘ ନିରାପତ୍ତା ପରିଷଦର ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ଭ୍ଲାଦିମିର ପୁଟିନ ବଞ୍ଚିଥିବା ଯାଏ ରାଷ୍ଟ୍ରପତି ରହିବାକୁ ଚାହାଁନ୍ତି ବୋଲି କହିଥିଲେ ବିଭିନ୍ନ ସାମାଜିକ ଅଧିକାର ଓ ଦୁର୍ନୀତି ବିରୋଧୀ ସଂଗଠନ। ୨୦୦୦ ମସିହାରୁ ଋଷର ରାଷ୍ଟ୍ରପତି ଭାବେ କ୍ଷମତା ଦଖଲ କରିଆସୁଛନ୍ତି ପୂର୍ବତନ କେଜିବି ଏଜେଣ୍ଟ। ୟୁକ୍ରେନର ଯେଉଁ ଯେଉଁ ଅଞ୍ଚଳ ଋଷ କବଜାରେ ରହିଛି ସେଠାରେ ବି ଏହି ନିର୍ବାଚନ ହୋଇଥିଲା।

୭୧ବର୍ଷ ବୟସ୍କ ପୁଟିନ ପଞ୍ଚମ ଥର ଲାଗି ରାଷ୍ଟ୍ରପତି ହୋଇଛନ୍ତି। ପୁଟିନଙ୍କ ଅଧିକାଂଶ ସମାଲୋଚକ ଓ ବିରୋଧୀ ଜେଲରେ ଅଛନ୍ତି କିମ୍ବା ନିର୍ବାସନରେ ଅଛନ୍ତି। ତାଙ୍କର ସବୁଠାରୁ ବଡ ବିରୋଧୀ କୁହାଯାଉଥିବା ଆଲେକ୍ସି ନାଭାଲନିଙ୍କ ମୃତ୍ୟୁ ଗତ ଫେବୃଆରୀରେ ହୋଇଛି। ଭାରତ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ରରେ ବାସ କରୁଥିବା ଋଷ ନାଗରିକମାନେ ବି ଦେଇଥିଲେ ଭୋଟ। ପୁଟିନ ହୋଇଛନ୍ତି ଋଷର ୨୦୦ ବର୍ଷର ଇତିହାସରେ ସର୍ବାଧିକ କାଳ ରହିଥିବା ରାଷ୍ଟ୍ରପତି।

WPL ଚାମ୍ପିୟନ ହେଲା ବାଙ୍ଗାଲୋର

ନନ୍ଦିଘୋଷ ବ୍ୟୁରୋ: ନୂଆଦିଲ୍ଲୀରେ ବାଙ୍ଗାଲୋର ରାଜ୍ । ମହିଳା ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦ୍ବିତୀୟ ସ୍କଂସ୍କରଣର ଫାଇନାଲରେ ଆରସିବିର ରୋମାଞ୍ଚକର ବିଜୟ । ଦିଲ୍ଲୀ କ୍ଯାପିଟାଲ୍ସକୁ ୮ ୱିକେଟରେ ହରାଇ ପ୍ରଥମ ଥର ପାଇଁ WPL ଚାମ୍ପିଅନ ହୋଇଛି ଆରସିବି । ଏହା ସହିତ ଦିଲ୍ଲୀ କ୍ଯାପାଟାଲ୍ସର ପ୍ରଥମ ଟାଇଟଲ ଆଶା ଧୂଳିସାତ ହୋଇଯାଇଛି । ପ୍ରଥମେ ଟସ୍ ଜିତି ବ୍ଯାଟିଂ କରିଥିଲା ଦିଲ୍ଲୀ କ୍ଯାପିଟାଲ୍ସ । ୧୮ ଦଶମିକ ୩ ଓଭରରେ ଦଳ ୧୧୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଆରମ୍ଭରୁ କ୍ଯାପଟେନ୍ ଲାନିଙ୍ଗ ଓ ଶେଫାଳୀ ବର୍ମା ଭଲ ଆରମ୍ଭ କରିଥିଲେ । ୭ ଓଭରରେ ଦଳୀୟ ସ୍କୋର ୬୪ ଥିବାବେଳେ ୨୭ ବଲରେ ୪୪ ରନ କରି ଆଉଟ୍ ହୋଇଥିଲେ ଶେଫାଳୀ । ଏହାପରେ କ୍ରମାଗତଭାବେ ଦଳ ୱିକେଟ୍ ହରାଇଥିଲା । ସେହି ୬୪ ରନରେ ହିଁ ୩ ୱିକେଟ ହରାଇ ଦିଲ୍ଲୀର ପ୍ରାରମ୍ଭିକ ବ୍ଯାଟିଂ ବିପର୍ଯ୍ୟସ୍ତ ହୋଇଯାଇଥିଲା ।

ପରେ ୧୧୩ ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଶ୍ରେୟଙ୍କା ପାଟିଲ ୪ ୱିକେଟ ନେଇ ଦିଲ୍ଲୀକୁ ଦୁର୍ବଳ କରିଦେଇଥିଲେ । ମୋଲିନେକ୍ସ ୩ଟି ଓ ଆଶା ଶୋଭନା ୨ଟି ୱିକେଟ ନେଇଥିଲେ । ଦିଲ୍ଲୀ ତରଫରୁ ଶେଫାଳୀ ସର୍ବାଧିକ ୪୪ ରନ କରିଥିବାବେଳେ ଲାନିଙ୍ଗ ୨୩ ରନ କରିଥିଲେ । ୧୧୪ ରନର ବିଜୟ ଲକ୍ଷକୁ ନେଇ ପଡିଆକୁ ଓହ୍ଲାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବାଂଲାଲୋର । ସ୍ମୃତି ମନ୍ଦାନା ଓ ସୋଫିଆ ଦେବୀନା ଦଳକୁ ଭଲ ଆରମ୍ଭ ଦେଇଥିଲେ । ପରେ ଏଲିସ ପେରୀ ଓ ରିଚା ଘୋଷ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆରସିବିର ଭଲ ପ୍ରଦର୍ଶନ ସତ୍ତ୍ବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚି ଯାଇଥିଲା ମ୍ଯାଚ୍ । ହେଲେ ଏଲିସ ପେରୀ ଓ ରିଚାଙ୍କ ଲଢୁଆ ବ୍ଯାଟିଂ ଦଳକୁ ବିଜୟ ଦ୍ବାରଦେଶକୁ ନେଇଯାଇଥିଲା । ଶେଷ ଓଭରରେ ୩ଟି ବଲ ବାକିଥାଇ ଟାର୍ଗେଟ ୧୧୪ ରନକୁ ହାସଲ କରିଥିଲା ଆରସିବି । ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଦଳ ପ୍ରଥମ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ଚାମ୍ପିଅନ ହୋଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତରଫରୁ ଏଲିସ ସର୍ବାଧିକ ୩୫, ସୋଫିଆ ୩୨, ସ୍ମୃତି ମନ୍ଦାନା ୩୧ ଓ ରିଚା ୧୭ ରନ କରିଥିଲେ ।

ନିଖୋଜ ନାବାଳିକାଙ୍କ ମୃତଦେହ ଠାବ

ରାୟଗଡ଼ା: ନିଖୋଜ ନାବାଳିକାଙ୍କ ମୃତଦେହ ଠାବ। ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାଙ୍କ ମୃତଦେହ ଠାବ ହୋଇଛି। ଛାତ୍ରୀ ଜଣକ ଗତ ୧୨ଦିନ ତଳେ ରାତିରୁ ନିଖୋଜ ହୋଇଯାଇଥିଲେ । ପରିବାରଲୋକେ ଆଖପାଖ ଗାଁରେ ଖୋଜାଖୋଜି କରିବା ପରେ ନାବାଳିକାଙ୍କ ସନ୍ଧାନ ନପାଇ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଦେଖି ଗାଁରେ ଖବର ଦେଇଥିଲେ କିଛି ଛେଳି ଚରାଳି। ଖବରପାଇବା ପରେ  ପରିବାର ଲୋକେ ମୃତଦେହର ପୋଷାକ ଦେଖି ନିଜଝିଅ ବୋଲି ଚିହ୍ନଟ କରିଥିଲେ। ହତ୍ୟା ନେଇ ପୁଣି ପରିବାର ଲୋକାଙ୍କ ଅଭିଯୋଗ ପରେ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସନ୍ଦେହଘେରରେ ଛାତ୍ରୀଙ୍କ ମୃତ୍ୟୁ

ମାଲକାନଗିରି: ସନ୍ଦେହ ଜନକ ଅବସ୍ଥାରେ ଘରୋଇ ହଷ୍ଟେଲରେ ନାବାଳିକା ଛାତ୍ରୀର ମୃତ୍ୟୁ । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ୍ଭି-୭ ଗାଁରେ ଥିବା ଗଣେଶ ହଷ୍ଟେଲରେ ଏମ୍ପିଭି-୧୩୦ ଗାଁର ବିଶ୍ଵଜିତ ମଣ୍ଡଳଙ୍କ ଝିଅର ସନ୍ଧେହ ଜନକ ଅବସ୍ତାରେ ମୃତ୍ୟୁ ହୋଇଛି ।  ବିଶ୍ଵଜିତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଏହି ଘରୋଇ ହଷ୍ଟେଲରେ ରହି ଆସୁଥିଲା । ହଟାତ ଆଜି ଝିଅଟିର ଦେହ ଗୁରୁତ୍ତର ଥିବା ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ହଷ୍ଟେଲ ପରିଚାଳକ ଖବର ଦେଇଥିଲେ । ପରିବାର ଲୋକେ ଚିକିତ୍ସାଳୟରେ ପହଞ୍ଚିବା ପରେ ଝିଅଟି ମୃତ୍ୟୁ ବରଣ କରିଥିବା ଜାଣିବାକୁ ପାଇଥିଲେ ।  ଝିଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରି ଏହାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ । ସେପଟେ  ଝିଅଟି ଆତ୍ମହତ୍ୟା କରିଥିବା ପ୍ରକାଶ କରିଛନ୍ତି ହଷ୍ଟେଲ କର୍ତ୍ତୁପକ୍ଷ  । ତେବେ ଏନେଇ ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।