spot_img
Home Blog Page 2113

କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ

ବାସୁଦେବପୁର: ଚାଷୀ ମୁଣ୍ଡରେ ଚଡକ। କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ସୁନାର ଫସଲ ଖେଳାଇଥିଲେ ବାସୁଦେବପୁର ବ୍ଲକ ନୂଆଗାଁ ଚାଷୀ। ବର୍ଷା ପାଇଁ ସୂର୍ଯ୍ୟମୁଖୀ ଗଛ ନଇଁ ଯାଇଥିବା ବେଳେ ବିଲରେ ପାଣି ଜମିଛି। ଶହ ଶହ ହେକ୍ଟର ଜମିରେ ହୋଇଛି ସୂର୍ଯ୍ୟମୁଖୀ ଚାଷ । କ୍ଷେତରେ ଲହରୀ ଭାଙ୍ଗୁଛି  ସବୁଜିମା। ହଳଦୀ ଗୁରୁ ଗୁରୁ ସୂର୍ଯ୍ୟମୁଖୀ ଚାଷ ଉପରେ କାଳବୈଶାଖୀ ବର୍ଷାର ପ୍ରଭାବ। ବାସୁଦେବପୁର ବ୍ଲକ ନୂଆଗାଁରେ ଅଦିନିଆ ବର୍ଷାରେ ଶୋଇପଡିଛି ସୂର୍ଯ୍ୟମୁଖୀ ଫୁଲ। ମାଳ ମାଳ ପକ୍ଷୀ ସୂର୍ଯ୍ୟମୁଖୀ ଫୁଲକୁ ଖଣ୍ଡିଆ କରିଦେଇଛନ୍ତି। ଜମିରେ ଠିଆ ହୋଇଛି ବର୍ଷା ଜଳ। ଧାର କରଜ କରି ଚାଷ କରିଥିବା ଚାଷୀକୂଳ ଚିନ୍ତାରେ।

ବାସୁଦେବପୁର ବ୍ଲକ ନୂଆଗାଁ, ଇରମ, ଅଢୁଆଁ ପଞ୍ଚାୟତର ଦୁଇ ଶହ ହେକ୍ଟର ଜମିରେ ହୋଇଛି ସୂର୍ଯ୍ୟମୁଖୀ ଚାଷ । ୩ ଶହରୁ ଊର୍ଦ୍ଧ୍ବ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଉନ୍ନତ ମାନର ମଞ୍ଜି ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ସହକାରୀ କୃଷି ଅଧିକାରୀ ।

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ତାରା

ନନ୍ଦିଘୋଷ ବ୍ୟୁରୋ: ଆକ୍ରୋଶମୂଳକ ଭାବେ ବିରୋଧୀ ଦଳମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର। କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳ କରୁଛନ୍ତି ତ ବିରୋଧୀ ମୁଖ୍ୟମନ୍ତ୍ରୀମାନଙ୍କୁ ଇଡି ଭୟ ଦେଖାଇ ଗିରଫ କରୁଛନ୍ତି । ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହାକୁ କଂଗ୍ରେସ ଡରେ ନାହିଁ । ଲୋକେ ବୁଝିଲେଣି, ଠିକ ସମୟରେ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଧାନର ସର୍ବନିମ୍ନ ସାହାୟକ ମୂଲ୍ୟ ଦେଲେନାହିଁ କାହିଁକି କେନ୍ଦ୍ର ସରକାର ? ପୂର୍ବ ନିର୍ବାଚନବେଳେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ଆସନ୍ତା ନିର୍ବାଚନରେ କଂଗ୍ରେସ ଏହାକୁ ପ୍ରସଙ୍ଗ କରି ମଇଦାନକୁ ଓହ୍ଲାଇବ ବୋଲି କହିଛନ୍ତି ତାରା ।

ଚିନ୍ତା ବଢ଼ାଇଲା ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ, ୧୯୫୦ରୁ ଦେଶରେ ହ୍ରାସ ପାଉଛି ପ୍ରଜନନ ହାର

ନନ୍ଦିଘୋଷ ବ୍ୟୁରୋ: ୧୯୫୦ରୁ ଦେଶରେ ହ୍ରାସ ପାଉଛି ପ୍ରଜନନ ହାର। ଲାନସେଟ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟ ବଢ଼ାଇଛି ଚିନ୍ତା। ୧୯୫୦ରେ ଭାରତରେ ପ୍ରଜନନ ହାର ୬.୨ ରହିଥିବାବେଳେ ୨୦୨୧ରେ ଏହା ୨ରୁ କମ ରହିଛି।  ୧୯୫୦ରେ ଜଣେ ମହିଳା ହାରାହାରି ୬ ସନ୍ତାନଙ୍କୁ ଜନ୍ମ ଦେଉଥିବାବେଳେ ୨୦୨୧ରେ ଜଣେ ମହିଳା ହାରାହାରି ୨ରୁ କମ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ୨୦୫୦ ଓ ୨୧୦୦ ମସିହା ସୁଦ୍ଧା ଏହା ଯଥାକ୍ରମେ ୧.୨୯ ଓ ୧.୦୪କୁ ହ୍ରାସ ପାଇବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେହିପରି ୧୯୫୦ରେ ବିଶ୍ବରେ ପ୍ରଜନନ ହାର ୪.୮ ଥିବାବେଳେ ୨୦୨୧ରେ ଏହା ୨.୨କୁ ହ୍ରାସ ପାଇଥିଲା। ୨୦୫୦ ଓ ୨୧୦୦ ସୁଦ୍ଧା ଏହି ହାର ଯଥାକ୍ରମେ ୧.୮ ଏବଂ ୧.୬କୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ୧୯୫୦ରେ ଭାରତରେ ୧.୬ କୋଟି ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ୨୦୨୧ରେ ଏହା ୨.୨ କୋଟି ରହିଥିଲା। ୨୦୫୦ରେ ଏହା ୧.୩ କୋଟିକୁ ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି। ସେହିପରି ୧୯୫୦ରେ ବିଶ୍ବରେ ୯.୩ କୋଟି ଶିଶୁ ଜନ୍ମଗ୍ରହଣ କରିଥିବାବେଳେ ୨୦୨୧ରେ ନବଜାତକଙ୍କ ସଂଖ୍ୟା ୧୨.୯ କୋଟି ରହିଥିଲା।

ଏକବିଂଶ ଶତାବ୍ଦୀରେ ବିଶ୍ବରେ ପ୍ରଜନନ ହାର ସମସ୍ୟା ସୃଷ୍ଟି କରିଥିବାବେଳେ ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ଏହା ସନ୍ତୋଷଜନକ ରହିଥିବା କୁହାଯାଇଛି। ଏଭଳି ରାଷ୍ଟ୍ର ମଧ୍ୟରେ ଅଧିକାଂଶ ଆଫ୍ରିକା ମହାଦେଶରେ ରହିଛି। ତେବେ ଗରିବ ତଥା ସ୍ବଳ୍ପ ଆୟକାରୀ ରାଷ୍ଟ୍ରରେ ପ୍ରଜନନ ହାର ବୃଦ୍ଧି ପାଉଥିବାରୁ ବିଶ୍ବରେ ଏହା ସନ୍ତୁଳନ ବଜାୟ ରଖିପାରୁଛି। ଏଥିଯୋଗୁଁ ୨୦୨୧ରୁ ୨୧୦୦ ମସିହା ମଧ୍ୟରେ ବିଶ୍ବରେ ପ୍ରଜନନ ହାର ୧୮ରୁ ୩୫ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ବୈଶ୍ବିକ ସମସ୍ୟାଭାବେ ଉଭା ହୋଇଥିବାବେଳେ ଆଫ୍ରିକାର ଏହି ରାଷ୍ଟ୍ରଗୁଡିକରେ ଆଗାମୀ ଦିନରେ ବନ୍ୟା, ମରୁଡି ଏବଂ ଗ୍ରୀଷ୍ମପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ। ଫଳରେ ସେଠାରେ ଖାଦ୍ୟ, ପାନୀୟଜଳ ସଂକ୍ରାନ୍ତ ସମସ୍ୟା ଉତ୍କଟ ରୂପ ଧାରଣ କରିବ। ବର୍ତ୍ତମାନ ବିଶ୍ବ ଲୋକସଂଖ୍ୟାର ଅଧିକାଂଶ ବୟସ୍କ ହୋଇପଡିଥିବାରୁ ପ୍ରଜନନ ହାର ହ୍ରାସ ପାଇଲେ ଏହାର ପ୍ରତିକୂଳ ପ୍ରଭାବ ଅର୍ଥନୀତି, ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ ଏବଂ ପରିବେଶ ଉପରେ ପଡିବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି। ଅପରପକ୍ଷରେ ବିଶ୍ବ ଜନସଂଖ୍ୟା ହ୍ରାସ ପାଇଲେ ପରିବେଶ ଅଧିକ ସୁରକ୍ଷିତ ରହିବ ବୋଲି କୁହାଯାଇଛି।

ଭଗଲପୁର ଆସନରୁ ନିର୍ବାଚନ ଲଢ଼ିପାରନ୍ତି ନେହା ଶର୍ମା

ନନ୍ଦିଘୋଷ ବ୍ୟୁରୋ: ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ତଥା ମଡେଲ ନେହା ଶର୍ମା । ସେ ଭଗବଲପୁର ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିପାରନ୍ତି । ଏନେଇ ତାଙ୍କ ପିତା ଏକ ଖୁଲାସା କରିଥିବା ଦେଖିବାକୁ ମିଳିଛି । ଭଗଲପୁର ବିଧାୟତ ଅଜିତ ଶର୍ମା କହିଛନ୍ତି କି, ଯଦି ଗଠବନ୍ଧନ ଟିକେଟ ବଣ୍ଟାରେ ଏହି ଆସନରେ ସେମାନଙ୍କୁ ମିଳେ ତାହେଲେ ନେହା ପ୍ରାର୍ଥୀ ହୋଇପାରନ୍ତି । ତେବେ କଂଗ୍ରେସକୁ ଏହି ଆସନ ମିଳିବା ଦରକାର । କାହିଁକି ନାଁ ଏହା ହେଉଛି କଂଗ୍ରେସର ଗଡ଼ । ଏଣୁ ଦଳ ଯଦି ମୋ ମତ ନିଅନ୍ତି ତାହେଲେ ଏହି ଆସନରୁ ମୁଁ କିମ୍ବା ମୋ ଝିଅ ନିର୍ବାଚନ ଲଢ଼ିବୁ ବୋଲି କହିବୁ । ଏହାସହ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି, ଏଥରକ ବିହାରରେ ଏନଡିକୁ ସଫା କରିଦେବୁ । ସେପଟେ ବିହାରରେ ଏନଡିଏର ଆସନ ବୁଝାମଣା ସରିଛି । ବିଜେପି ୧୭ ଆସନରେ ନିର୍ବାଚନ ଲଢ଼ିବାକୁ ଥିବାବେଳେ ଜେଡିୟୁ ୧୬ ଲୋକସଭା ଆସନରେ ନିର୍ବାଚନ ଲଢ଼ିବ । ଏହାସହ ସହଯୋଗି ଦଳମାନଙ୍କୁ ମଧ୍ୟ କିଛି ଆସନ ଦିଆଯାଇଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଯଦି ନେହା ଶର୍ମା ନିର୍ବାଚନ ଲଢ଼ନ୍ତି ତାହେଲେ ତାଙ୍କୁ ଜନତା କିଭଳି ସମର୍ଥନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

 

 

ଗାନ୍ଧିଜୀଙ୍କୁ ମନେ ପକାଇଲେ ଓଡ଼ିଶାବାସୀ

ନନ୍ଦିଘୋଷ ବ୍ୟୁରୋ: ଜାତିର ପିତା ମହାତ୍ମା ଗାନ୍ଧି ପ୍ରଥମଥର ଲାଗି ୧୯୨୧ ରେ ଓଡିଶା ଆସିଥିଲେ । ଏହି ଅବସରରେ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ କଟକ ପୁରୀଘାଟ କାଠଯୋଡ଼ି ବାଲିରେ ଏକ ବିଶାଳ ସଭାରେ ଯୋଗ ଦେଇଥିଲେ। ପରେ ଓଡିଶାର ବିଭିନ୍ନ ଅଂଚଳ ବୁଲି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ବାଧୀନତା ଆନ୍ଦୋଳନକୁ ଶାଣିତ କରିଥିଲେ । ଗାନ୍ଧିଜୀଙ୍କ ସେହି ପୁରୀଘାଟ ସଭାକୁ ସ୍ମରଣୀୟ କରିବା ପାଇଁ ବେଲଭ୍ୟୁ ଗାନ୍ଧି ସ୍ମାରକୀ ପାର୍କରେ ପ୍ରଶାସନ ଓ ଗାନ୍ଧିବାଦୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଗାନ୍ଧିଜୀଙ୍କୁ ମନେ ପକାଇଲେ ଓଡ଼ିଶାବାସୀ । କଟକରେ ଗାନ୍ଧି ସ୍ମୃତିରେ କାର୍ଯ୍ୟକ୍ରମ । ସ୍ମୃତିଚାରଣ କଲେ ଗାନ୍ଧିବାଦୀ । ଭାରତୀୟ ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର ଜାତିର ପିତା ମହାତ୍ମା ଗାନ୍ଧି ୧୯୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ପ୍ରଥମଥର ଲାଗି କଟକ ଆସିଥିଲେ । ଏହି ଅବସରରେ କାଠଯୋଡ଼ିର ନଦୀକୂଳରେ ଏକ ବିରାଟ ସାଧାରଣ ସଭାରେ ଯୋଗ ଦେଇଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧିଜୀଙ୍କ ଏହି ଗସ୍ତ ଓ ସଭା ସ୍ବାଧୀନତା ଆନ୍ଦୋଳନକୁ ଆହୁରି ଶାଣିତ କରିଥିଲା । ସଭାରେ ୧୦ ହଜାର ଲୋକ ଯୋଗ ଦେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ସେହି ସଭାକୁ ୧୦୩ ବର୍ଷ ପୂର୍ତ୍ତି ଅବସରରେ କଟକ ବେଲଭ୍ୟୁରେ ଥିବା ଗାନ୍ଧି ସ୍ମାରକୀ ପାର୍କରେ ଗାନ୍ଧିବାଦୀ ଏକାଠି ହୋଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଛନ୍ତି ।

ବଡକଥା ହେଉଛି ଗାନ୍ଧିଜୀଙ୍କ କଟକ ପୁରୀଘାଟ ସଭା ଓ ଓଡିଶା ଗସ୍ତ ବେଳେ ସେ ଗରିବ ଲୋକମାନଙ୍କ ଖାଦ୍ଯାଭାବକୁ ଅତି ନିକଟରୁ ଦେଖିଥିଲେ । ଏହା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ଏହା ପରେ ସେ ଆଉ ପୋଷାକ ପିନ୍ଧିଲେ ନାହିଁ । କେବଳ ନିଜର ଧୋତିକୁ ଦୁଇ ଫାଳ କରି ଖଣ୍ଡେ ପିନ୍ଧିଲେ ଓ ଆଉ ଖଣ୍ଡେ କାନ୍ଧରେ ପକାଇଲେ । ଏହାସହ କଟକ ଗସ୍ତ ବେଳେ ତାଙ୍କ ପାଦରେ ଆଘାତ ଲାଗିବାରୁ ଏଠାରେ ତାଙ୍କୁ ଏକ ଆଶ୍ରାବାଡି ମିଳିଥିଲା, ଯାହାକୁ ସେ ସବୁଦିନ ନିଜ ସାଥିରେ ରଖିଥିଲେ । ଗାନ୍ଧିଜୀଙ୍କ ସେହି ଦିନକୁ ସ୍ମରଣପୂର୍ବକ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ପାର୍କର ବିକାଶ ପାଇଁ ପ୍ରତିଶ୍ରୁତି ଦିଆଯାଇଛି ।

 

 

ସାରା ରାଜ୍ୟରେ ଉପରମୁହାଁ ପାରଦ

ଭୁବନେଶ୍ବର: ତାତି କରିବ ଅସ୍ତବ୍ୟସ୍ତ ।  ଲଗାଣ ବର୍ଷା ପରେ ପାଗରେ ପରିବର୍ତ୍ତନ ହେବା ସହ ତାତି ବଢିଛି । ସ୍ବାଭାବିକଠାରୁ ୩ ରୁ ୫ ଡିଗ୍ରୀ ତାତି ବଢିଥିବା ବେଳେ ଆଗାମୀ ଦିନରେ ଆହୁରି ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ଅଧିକାଂଶ ସହରର ତାପମାତ୍ରା ୪୦ ଛୁଇଁବା ସମ୍ଭାବନା ରହିଛି । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ତାତି ବୃଦ୍ଧି ପାଇବ । ଉପକୂଳ ଓଡିଶାରେ ତାତି ସହ ଅସମ୍ଭାଳ ଗୁଳୁଗୁଳି ହେବ । ୨୫ ଏବଂ ୨୬ ତାରିଖରେ ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଶ୍ବସ୍ତି ଆଣିବ ହାଲୁକା ବର୍ଷା । କିନ୍ତୁ ୨୮ ତାରିଖରୁ ଅସମ୍ଭାଳ ହେବ ତାତି ।

ସାରା ରାଜ୍ୟରେ ଉପରମୁହାଁ ପାରଦ। ଉପାନ୍ତରୁ ଉପକୂଳ ସବୁଠି ବଢିଲା ତାତି । ୨୮ ତାରିଖରୁ ଜଳିବ ପଶ୍ଚିମ ଓଡ଼ିଶା । ସୃଷ୍ଟି ହେବ ହଟ୍ ଓ୍ବେଦର କଣ୍ଡିସନ୍ । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏଁ ବଢିବ ତାତି । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଜନିତ ବର୍ଷାରେ ବ୍ରେକ୍ ଲାଗିବା ପରେ ଏବେ ସାରା ରାଜ୍ୟରେ ତାତି ବଢିଛି । ଆଜି ଏବଂ କାଲି ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ସୋନପୁର, ବୌଦ୍ଧ, ବଲାଙ୍ଗିର, ସମ୍ବଲପୁର, ବରଗଡ, ଝାରସୁଗୁଡା, ମାଲକାନଗିରି ଏବଂ କଳାହାଣ୍ଡିରେ ତାତି ବଢିବ ।

୨୫ ଏବଂ ୨୬ ତାରିଖରେ ପୁଣି ସକ୍ରୀୟ ହେବ ପଶ୍ଚିମା ଝଡ । ପ୍ରଭାବରେ ବଡ ବର୍ଷା ନ ହେଲେ ମଧ୍ୟ ଉତ୍ତର ଓଡ଼ିଶାର ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ ଏବଂ ଯାଜପୁର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ବାକି ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ତାତି ଅନୁଭୁତ ହେବ। ଆଇଏମ୍ଡିର ଆକଳନ ଅନୁସାରେ ୨୮ ତାରିଖରୁ ମେଘମୁକ୍ତ ଆକାଶ ଏବଂ ଶୁଖିଲା ପାଗ ପାଇଁ ଟାଇଁ ଟାଇଁ ଖରା ହେବ । ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ହେତୁ ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ୪୦ କିମ୍ବା ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ହେବାକୁ ବସିଥିବା ବେଳେ ତାତି ସେତେ ଅଧିକ ଅନୁଭୁତ ହୋଇନାହିଁ। ବିଶେଷ କରି ବାରମ୍ବାର ପଶ୍ଚିମା ଝଡର ସକ୍ରିୟତା ପାଇଁ ବଜ୍ରପାତ ଜନିତ ବର୍ଷା ହୋଇଥିବାରୁ ତାପମାତ୍ରା କମ୍ ରହିଛି। କିନ୍ତୁ ୨୮ ପରେ ସ୍ଥିତି ଅସମ୍ଭାଳ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି ।

 

ପଞ୍ଜାବ କିଙ୍ଗ୍ସ ଆଗରେ ୧୭୫ ରନର ବିଜୟ ଲକ୍ଷ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ର ଦ୍ବିତୀୟ ମ୍ୟାଚରେ ସାମନା ସାମନି ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ । ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୯ ଓ୍ବିକେଟ ବିନିମୟରେ ୧୭୪ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ସାଇ ହୋପ୍ସ ସର୍ବାଧିକ ୩୨ ରନ ସଂଗ୍ରହ କରିଛନ୍ତି । ତେବେ ଅନ୍ତିମ ୨ ଓଭରରେ ଆଭିଶେକ ପୋରେଲଙ୍କ ଘାତକ ବ୍ୟାଟିଂ ପାଇଁ ଦଳ ଏକ ସମ୍ମାନଜନକ ସ୍କୋର କରିବାରେ ସକ୍ଷମ ହୋଇଛି । ସେପଟେ ଦୀର୍ଘ ୪୫୫ ଦିନ ପରେ କ୍ରିକେଟ ମଇଦାନରେ ନଜର ଆସିଥିବା ଋଷଭ ପନ୍ଥ ୧୩ ବଲରୁ ୧୮ ରନ କରିଛନ୍ତି । ପଞ୍ଜାବ କିଙ୍ଗ୍ସ ଜିତିବାକୁ ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ ୧୭୫ ରନ ସଂଗ୍ରହ କରିବାକୁ ପଡ଼ିବ ।

ଆଠଗଡ଼ରେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ଆଠଗଡ଼ ଡାଳୁଆ ଗାଁରେ ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗକୁ ଆକ୍ରମଣ ଘଟଣାରେ ଜଣେ ଗିରଫ ।  ମଦ ବ୍ୟବସାୟୀ ରବିନ୍ଦ୍ର ସ୍ଵାଇଁକୁ ଗିରଫ କରିଛି ପୋଲିସ । ଶନିବାର ଦେଶୀ ମଦ ଭାଟି ଉପରେ ଚଢାଉ କରିବା ପାଇ ପହଞ୍ଚିଥିଲା  ଅବକାରୀ ବିଭାଗ। ଏହି ସମୟରେ ଗାଁର କିଛି ଲୋକ ଏହାକୁ ବିରୋଧ କରି ଅବକାରୀ ବିଭାଗକୁ ଆକ୍ରମଣ କରିଥିଲେ ।  ପୂର୍ବରୁ ମଧ୍ୟ ଅବକାରୀ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ଦଶରୁ ଅଧିକ ଚୋରା ଦେଶୀ ମଦ ମାଫିଆ ଠେଲାପେଲା ସହିତ ଗାଳି ଗୁଲଜ ଓ ଗାଡ଼ି ଭଙ୍ଗାରୁଜା କରିଥିଲେ । ଆଠଗଡ଼ ଅବକାରୀ ବିଭାଗ  ପକ୍ଷରୁ ଖୁଣ୍ଟୁଣୀ ଥାନାରେ ଏତଲା ଦିଆଯାଇଥିଲା । ସେପଟେ ଗିରଫ ପ୍ରତିବାଦରେ ଡାଳୁଆ ଗ୍ରାମର ମହିଳା ମାନଙ୍କ ପକ୍ଷରୁ ଆଠଗଡ଼ ଅବକାରୀ କାର୍ଯ୍ୟାଳୟ ଘେରାଉ କରାଯାଇଛି । ୫୦ରୁ ଅଧିକ ମହିଳା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦଶନ କରିଛନ୍ତି ।  ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ମହିଳାମାନଙ୍କ ସହ ଆଲୋଚନା ଜାରି ରଖିଛି ।

ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ପୁରୁଷ ହକି ଦଳ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ଭାରତୀୟ ପୁରୁଷ ହକି ଦଳ। ଆଗାମୀ ଅଷ୍ଟ୍ରେଲିଆ ଟେଷ୍ଟ ଟୁରକୁ ସଫଳ କରିବା ଲକ୍ଷ୍ୟରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରିଛି ଦଳ।ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛି ହକି ଦଳ। ସ୍ୱତନ୍ତ୍ର ବସ ଯୋଗେ ପୁରୀ ପହଁଚିଥିବା ବେଳେ ମାର୍କେଟ ଛକ ଠାରୁ ବ୍ୟାଟେରୀ ଗାଡ଼ିରେ ସିଂହଦ୍ଵାର ପହଞ୍ଚିଥିଲେ।ହକି ଇଣ୍ଡିଆର ଅଧ୍ୟକ୍ଷ ଦିଲ୍ଲୀପ ତିର୍କିଙ୍କ ଆସିଥିବା ବେଳେ ଦଳ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି।ଭୁବନେଶ୍ୱର ଠାରେ ଦଳର କ୍ୟାମ୍ପ ଜାରି ରହିଥିବା ବେଳେ ଆଗାମୀ ୨୯ ତାରିଖରୁ ଅଷ୍ଟ୍ରେଲିଆ ସହ ଟେଷ୍ଟ ମ୍ୟାଚ ଖେଳିବ। ପରବର୍ତ୍ତୀ ସମୟରେ ପ୍ୟାରିସ ଅଲମ୍ପିକ ରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ସେଠି ପାଇଁ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ ପୁରା ଟିମ ଦର୍ଶନ କରିଛନ୍ତି।

ଦେବଗଡର ନୂତନ ଏସ୍ପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଅନୁପମା ଜେମ୍ସ

ଦେବଗଡ଼: ଦେବଗଡର ନୂତନ ଏସ୍ପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଅନୁପମା ଜେମ୍ସ । ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୧ ତାରିଖରେ ଏସ୍ପି ରାମ ପ୍ରସାଦ ସାହୁଙ୍କୁ ବଦଳି କରାଯାଇଥିଲା । ଏହାପରେ୧୯୧୩ ବ୍ୟାଚ ଆଇପିଏସ ଅନୁପମା ଜେମ୍ସଙ୍କୁ ଦାୟିତ୍ବ ଦିଆଯାଇଛି । ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅତିରିକ୍ତ ଏସ୍ପି ହେମନ୍ତ ପଣ୍ଡାଙ୍କଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଦେବଗଡ଼ ଜିଲ୍ଲାରେ ଭୟମୁକ୍ତ ଅବାଧ ଓ ନିରପେକ୍ଷ ପରିଚାଳନା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ଅନୁମପା ଜେମ୍ସ କହିଛନ୍ତି ।