ଜଳେଶ୍ବରରେ ଗୋଟିଏ ରାତିରେ ଦୁଇଟି ଚୋରି

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ମାତିଛନ୍ତି ଚୋର । ରାତି ହେଲେ ଘରେ ପଶୁଛନ୍ତି । ସବୁ କିଛି ଧରି ଚମ୍ପଟ ମାରୁଛନ୍ତି । ଚୋରି ଭୟ ଲୋକଙ୍କ ନିଦ ହଜାଇ ନେଇଛି । ଗତକାଲି ଜଳେଶ୍ବର ଥାନା ଅନ୍ତର୍ଗତ ଓଳିନ୍ଦା ଗାଁରେ ଦୁଇ ଦୁଇଟି ଚୋରି ହୋଇଛି । ଚୋର ଦଳ ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟଇ ନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଚୋର ଦଳ ଓଲିନ୍ଦା ଗାଁର ଲକ୍ଷ୍ମୀ ନାରାୟଣ ମିଶ୍ର ଓ ଶଶିକାନ୍ତ ଦେ’ଙ୍କ ଘରେ ପଶିଥିଲେ । ବିଳମ୍ବିତ ରାତିରେ ଚୋର ଦଳ ପ୍ରଥମେ ଗାଁର ଲକ୍ଷ୍ମୀ ନାରାୟଣଙ୍କ ଘରେ ପଶି ଆଲମିରା ଭାଙ୍ଗି ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଲୁଟ୍ ନେଇଛନ୍ତି । ସକାଳେ  ଘର ଭିତରେ ଓ ବାହାରେ ବାକ୍ସ, ଲୁଗାପଟା ସବୁ ଏଣେତେଣେ ହୋଇ ପଡିଥିବାର ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଘରୁ ପ୍ରାୟ ୮୦ ହଜାର ଟଙ୍କା, ଦୁଇ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି ।

ସେହିପରି ଲକ୍ଷ୍ମୀ ନାରାୟଣଙ୍କ ଘରେ ଲୁଟ କରିବା ପରେ ଚୋର ଦଳ ଶଶିକାନ୍ତଙ୍କ ଘରେ ପଶିଥିଲେ । ସେଠାରୁ ସେମାନେ ନଗଦ ୧୮ ହଜାର ଟଙ୍କା ଓ ଦୁଇ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି ।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।