ଭୁବନେଶ୍ବର: ବିଜେପିରେ ଟିକେଟ ଟେନସନ ଜାରି। ଅସନ୍ତୋଷ ଏବେ ଆକ୍ରୋଶରେ ପରିଣତ ହେଲାଣି । ବୁଧବାର ଜଗତସିଂହପୁର ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ନେତା ବିଜେଡି ଛାଡି ବିଜେପିରେ ମିଶିଥିବା ଅମରେନ୍ଦ୍ର ଦାସଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ବକୁ ବିରୋଧ କରୁଛନ୍ତି । ଯିଏ ସଂଗଠନ ସଜାଡ଼ିଛି, ଦଳ ପାଇଁ ବର୍ଷ ବର୍ଷ ଧରି କାମ କରିଛି, ତାଙ୍କୁ ହତାଦର କରାଯାଉଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କରିଛନ୍ତି। ଜଗତସିଂହପୁର ବିଧାନସଭା ଆସନରେ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ ସତ୍ୟବ୍ରତ । ଏଥର ତାଙ୍କ ଟିକେଟ କଟିବା ନେଇ ଆଶଙ୍କା କରୁଥିବାରୁ ସେ ନେଇ ଦଳୀୟ ମୁଖ୍ଯାଳୟରେ ପ୍ରତିବାଦ କରୁଛନ୍ତି ।
ବିଜେଡିରେ ଯୋଗଦେଲେ ଭଦ୍ରକ ପୌରାଧ୍ୟକ୍ଷା
ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ । ବିଜେଡିରେ ସାମିଲ ହେଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କି ହବିବ। ତାଙ୍କ ସହ ଶତାଧିକ କର୍ମୀଙ୍କ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ସଞ୍ଜୟ ଦାସବର୍ମା ଏବଂ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।
କାଳବୈଶାଖୀ ବର୍ଷା ପ୍ରଭାବରେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ତାତିରୁ ମିଳିପାରେ ତ୍ରାହି
ଭୁବନେଶ୍ବର: କାଳବୈଶାଖୀ କମାଇଲା ତାତି। ରାଜଧାନୀ ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସହରର ତାପମାତ୍ରା ୭ ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମିଛି । କାଳବୈଶାଖୀ ବର୍ଷା ପ୍ରଭାବରେ ଆହୁରି ଦୁଇ ତିନି ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। କାଲିଠୁ ରାଜ୍ୟରେ ପାଗ ବଦଳିବା ସହ ଧିରେ ଧିରେ ତାପମାତ୍ରା ବଢିବ । ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି। ତାପମାତ୍ରା ବୃଦ୍ଧି ହେଲେ ମଧ୍ୟ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବଜ୍ରପାତ ଜନିତ ବର୍ଷା ପବନ ସମୟରେ ଯଥା ସମ୍ଭବ ଘରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।
’ଟାର୍ଗେଟ୍ କିଲିଂ’ ପଛରେ ଭାରତ । ଜାଣନ୍ତୁ ପାକିସ୍ତାନର ଏଭଳି ମନ୍ତବ୍ୟକୁ ନେଇ କଣ ଜବାବ ରଖିଲା ଆମେରିକା
ନନ୍ଦିଘୋଷ ବ୍ୟୁରୋ: ଭାରତ ଉପରେ ସାଙ୍ଘାତିକ ଆରୋପ ଲଗାଇଛି ପାକିସ୍ତାନ । ଭାରତ କରୁଛି ଟାର୍ଗେଟ କିଲିଂ । ଏଭଳି ଅଭିଯୋଗ ଆଣିଛି ପାକିସ୍ତାନ । ବ୍ରିଟିସ୍ ଖବରକାଗଜ ’ ଦ ଗାର୍ଜିୟନ’ରେ ପ୍ରକାଶିତ ରିପୋର୍ଟରେ ପାକିସ୍ତାନ ,ଭଳି ଆରୋପ ଲଗାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ମୁହଁ ଖୋଲିଛି ଆମେରିକା ଆମେରିକାର ବୈଦେଶିକ ବିଭାଗ ପ୍ରବକ୍ତା ମ୍ୟାଥୁ ମିଲର କହିଛନ୍ତି କି, ଆମେ ଏହି ଘଟଣାକୁ ବିଚାର କରୁଛୁ ଏବଂ ବୁଝୁଛୁ । ତେବେ ଏହା ଉପରେ ଆମର କୌଣସି ପ୍ରତିକ୍ରିୟା ରହିବ ନାହିଁ । ଆମେ କାହାକୁ ସମର୍ଥନ କରୁନାହୁଁ । ଏଥିରେ ଆମର ପଡ଼ିବାର ନାହିଁ । ସେପଟେ ରିପୋର୍ଟରେ ପ୍ରକାଶ ପାଇଛି କି, ଭାରତ ୨୦୨୦ରୁ ଏଯାବତ ୨୦ ଟାର୍ଗେଟ କିଲିଂ କରିଛି । ତେବେ ଏହାର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛି । ଟାର୍ଗେଟ କିଲିଂ କରିବା ଭାରତର ନୀତି ନୁହେଁ । ଅନ୍ୟପଟେ ଏହାର ଉତ୍ତର ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି କି, ଭାରତ ସବୁବେଳେ ଆତଙ୍କବାଦୀଙ୍କୁ ମୁହଁତୋଡ଼ ଜବାବ ଦେଇଛି । ଭାରତ କେବେ କେଉଁ ଦେଶ ଉପରେ ଆକ୍ରମଣ କରିନାହିଁ । କିନ୍ତୁ ଆତଙ୍କବାଦୀଙ୍କ ଘରେ ପଶି ସେମାନଙ୍କୁ ନିପାତ କରିଛି । ତେବେ ଯଦି କେହି ଭାରତର ଶାନ୍ତି ଭାଙ୍ଗିବାକୁ ଚେଷ୍ଟା କରେ ତାହେଲେ ଭାରତ କେବେ ଛାଡ଼େ ନାହିଁ ।
#WATCH | On being asked about the United States' position on Pakistan's allegations against India about carrying out state killings in Pakistan, US State Department Spokesperson Matthew Miller says, "So we have been following the media reports about this issue. We don't have any… pic.twitter.com/vwaKjkvK0Q
— ANI (@ANI) April 9, 2024
ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିଲା ଜିଆଇ ଟ୍ୟାଗ
ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଖୁସିର ଲହରୀ । ଜିଆଇ ଟ୍ୟାଗ୍ ପ୍ରମାଣପତ୍ର ପାଇଲା ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣ । ୫୩୭ ନମ୍ବରରେ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ନୀଳମାଧବ କୃଷି ସଙ୍ଗଠନ ବାଣପୁରକୁ ଏହି ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଚେନାଇରେ ଥିବା ଏହି କାର୍ଯ୍ୟାଳୟରୁ ଖଣ୍ଡପଡ଼ାର କଣ୍ଢେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ କରିଛି । ନୟାଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟିର ମିଳିତ ଉଦ୍ୟମରେ ଜିଆଇ ଟ୍ୟାଗ୍ ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଜାନୁଆରୀ ମାସ ୨ ତାରିଖରେ ଏହା ଘୋଷଣା କରାଯାଇଥିଲା । ଆଜି ପ୍ରମାଣପତ୍ର ମିଳିଛି । ଖଣ୍ଡପଡ଼ା ଅଞ୍ଚଳର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍ର ମାନ୍ୟତା ମିଳିଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଲେ ବିଭିନ୍ନ ସଂଗଠନର କର୍ମକର୍ତ୍ତା
ଭୁବନେଶ୍ବର: ନବୀନ ନିବାସରେ ବିଭିନ୍ନ ସଂଗଠନର ଭିଡ଼ l ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ମୟୂରଭଞ୍ଜ ଓ ସମ୍ବଲପୁରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି l ମୟୂରଭଞ୍ଜ ଜିଲ୍ଲାର ଭୁଇଆ, ହୋ, ସାନ୍ତାଳ, ଭୂମିଜ, ବାଥୁଡ଼ି, ମୁଣ୍ଡା ଆଦି ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ଆଗାମୀ ନିର୍ବାଚନ ରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ସଂକଳ୍ପ ନେଇଛନ୍ତି l ସେହିପରି ସମ୍ୱଲପୁର ଗଣ୍ଡ ଆଉ କିଶlନ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି l ଓଡ଼ିଶାରେ ରୂପାନ୍ତରଣ ନୂଆ ଯୁଗ ଆରମ୍ଭ ହେବା ସହ ସାଧାରଣ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କରିଥିବା ବିଭିନ୍ନ ଯୋଜନାରେ ଲୋକେ ଉପକୃତ ହୋଇଥିବାରୁ ସମ୍ବଲପୁରବାସୀଙ୍କ ତରଫରୁ ଧନ୍ୟବାଦ ଦେଇଛନ୍ତି l
ଚଳଚଞ୍ଚଳ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ
କାକଟପୁର: ଚଳଚଞ୍ଚଳ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠ। ମାଙ୍କ ଚୈତ୍ର ମାସର ତୃତୀୟ ପାଳିରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି । ପବିତ୍ର ଚୈତ୍ର ମାସର ତୃତୀୟ ମଙ୍ଗଳବାରରେ ପ୍ରତ୍ୟୁଷରେ ମାଙ୍କ ସ୍ନାନ ମାର୍ଜନା, ସୂର୍ଯ୍ୟ ପୂଜା, ବଲ୍ଲଭ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ କରିବା ସହ ବରୀ ବିଧାୟିକା ସୁନନ୍ଦା ଦାଶ ଦର୍ଶନକରି ମାଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ବିଭିନ୍ନ ଗାଁ ଦାଣ୍ଡରେ ମାନସିକଧାରୀ ମହିଳା ମାନେ ପନ୍ଥେଇ ନିର୍ମାଣ କରି ନଡ଼ିଆ, କଦଳୀ, ଖଇ କ୍ଷୀର ଓ ହଳଦୀ ପାଣିରେ ମାଙ୍କ ନାମରେ ବ୍ରତ ରଖୀ ପନ୍ଥେଇ ପୂଜା କରିଛନ୍ତି । ଏହି ବ୍ରତ ପାଞ୍ଚ ପାଳିରେ ଶେଷ ହେବ। ଗାଁ ଗଣ୍ଡା ଓ ପୁରପଲ୍ଲୀରେ ମହିଳାମାନେ ପନ୍ଥେଇ ଓଷା ପାଳନ କରୁଛନ୍ତି । ଏହି ସମୟରେ ମା ମଙ୍ଗଳାଙ୍କ ନିକଟରେ ମାନସିକ କଲେ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର: ରାଜଧାନୀରେ ରାଜ୍ୟସ୍ତରୀୟ ମହିଳା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ । ମୃତକ ହେଲେ ପୁରୀ ଜିଲ୍ଲା ଡେଲାଙ୍ଗ ଜଗଦଳପୁରର ସରୋଜିନୀ ସୁନ୍ଦରା । ଭୁବନେଶ୍ୱର କୋର୍ଟ ପଛପଟେ ଥିବା ହରିହର ବିଦ୍ୟାପୀଠ ନିକଟ ଏକ ଭଡ଼ାଘରୁ ଝୁଲନ୍ତା ମୃତଦେହ ମିଳିଛି । ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିନଥିବା ବେଳେ, ବଡ଼ଗଡ଼ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।ସରୋଜିନୀ ରାଜ୍ୟସ୍ତରୀୟ ବକ୍ସିଂ ଓ ଖୋଖୋ ଖେଳାଳି ଥିଲେ I କଟକ ରୋଡ୍ରେ ଏକ ବାଇକ୍ ସୋ-ରୁମ୍ରେ ଚାକିରି କରୁଥିଲେ ସରୋଜିନୀ ।
ଅବ୍ କି ବାର ସେନସେକ୍ସ ୭୫ ହଜାର ଉପରେ,ନିଫ୍ଟିର ନୂଆ ରେକର୍ଡ୍
ନନ୍ଦିଘୋଷ ବ୍ୟୁରୋ: ସେୟାର ବଜାରରେ ଖୁସିର ମାହୋଲ । ନିଫ୍ଟିର ନୂଆ ରେକର୍ଡ । ମଙ୍ଗଳବାର ସେନସେକ୍ସ ୭୫ ହଜାର ପାର୍ କରିଛି । ଦେଶରେ ଏବେ ଯେଭଳି ରାଜେନୖତିକ ମାହୋଲ ଚାଲିଛି ଏଭଳି ସମୟରେ ସେୟାର ବଜାରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ଏବେ ସେୟାର ବଜାରରେ ପ୍ରତିଦିନ ପୁରୁଣା ଦିନର ରେକର୍ଡ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ସକାଳୁ ସେନସେକ୍ସ ୭୫,୧୨୪.୨୮ ଅଙ୍କରୁ ଖୋଲିଛି । ଯାହାକି ଏହାର ଅଲଟାଇମ ରେକର୍ଡ ବୋଲି କୁହାଯାଇପାରେ । ସୋମବାର ୭୪,୭୪୨.୫୦ରେ ବନ୍ଦ ହୋଇଥିଲା । ତେବେ ସକାଳୁ ସେନସେକ୍ସ ଖସିଥିବାବେଳେ ସକାଳ ୯ଟା ୫୫ରେ ୩୦୦ ଅଙ୍କ ବଢ଼ିବା ସହ ୭୫,୦୪୫.୫୨ ଅଙ୍କରେ ଟ୍ରେଡ ହେଉଛି । ତେବେ ମଙ୍ଗଳବାର ଆନ୍ତର୍ଜାତୀୟ ମାର୍କେଟରେ ମଧ୍ୟ ସେନସେକ୍ସ ବଢ଼ିଥିବା ଦେଖିବାକୁ ମିଳିଥିଲା ।
ହିନ୍ଦୁ- ମୁସଲିମ ଭାଇଚାରାର ପର୍ବ ଗୋପ ସାଗରସ୍ନାନ ମେଲଣ
ନିମାପଡ଼ା: ବହୁ ପ୍ରାଚୀନ ଓ ପାରମ୍ପରିକ ମେଲଣ ଭାବେ ଗୋପର ହିନ୍ଦୁ ମୁସଲିମ ଭାଇଚାରା ମେଲଣ ବେଶ୍ ପରିଚିତ । କାହିଁ କେଉଁ କାଳରୁ ଚାଲିଥିବା ଏହି ମେଲଣ ହିନ୍ଦୁ ମୁସଲମାନଙ୍କ ମଧ୍ୟରେ ସମନ୍ବୟ ରଖିବା ସହ ଉଭୟଙ୍କ ମଧ୍ୟରେ ବନ୍ଧୁତାର ଏକ ମାଧ୍ୟମ ବୋଲି ଜଣାଯାଏ । ବ୍ରିଟସ ଅମଳରେ ଏହି ଭାଇଚାରା ମେଲଣରେ ଉଭୟ ସମ୍ପ୍ରଦାୟର ଲୋକମାନେ ମିଳନ ହେବାର ସୁଯୋଗ ବୋଲି କୁହାଯାଏ । ଏପଟେ ଏହି ଉତ୍ସବ ଉପଲକ୍ଷେ ଅତାଶବାଜୀୟରେ ରଙ୍ଗୀନ ହୋଇପଡ଼ିଲା ମେଲଣ ପଡିଆ। ସ୍ଥାନୀୟ ଅଞ୍ଚଳର ଲୋକେ ଏହି ମେଲଣ ଦେଖିବାକୁ ଲଗାଇଛନ୍ତି ଭିଡ଼ ।
ବ୍ରିଟିଶ ଅମଳର ଗୋପ ଥାନା ଦ୍ୱାରା ଆରମ୍ଭ ହୋଇଥିବା ଏହି ମେଲଣର ରହିଛି ଅନେକ କିମ୍ବଦନ୍ତୀ। ୧୮୦୬ ମସିହାରେ ପ୍ରଭୁ ଗୋପାଳଜୀଉ କୌଣସି କାରଣରୁ ଗୋପ ଥାନା ମାଲଖାନା ହାଜତରେ ଥିଲେ । ଦିନେ ରାତିରେ ତତ୍କାଳୀନ ଦାରୁଗା ବାବୁଙ୍କୁ ପ୍ରଭୁ ଗୋପାଳଜୀଉ ସ୍ୱପ୍ନଦେଶ ମାଧ୍ୟମରେ ମେଲଣ କରିବାକୁ ନିର୍ଦ୍ଦେଶ ଦେବାପରେ, ଦାରୁଗା ବାବୁ ଉଭୟ ଗୋଷ୍ଠୀ ତଥା ସ୍ଥାନୀୟ ହିନ୍ଦୁ ଏବଂ ମୁସଲମାନ ଜମିଦାରଙ୍କ ସହିତ ଆଲୋଚନା କରି ଏହି ମେଲଣ ଆରମ୍ଭ କରିଥିଲେ । ଯାହାକି କିମ୍ବଦନ୍ତୀରେ ରହିଥିବା ସ୍ଥାନୀୟ ଅଞ୍ଚଳର ପୁରୁଖା ଲୋକମାନେ କୁହନ୍ତି । ତେବେ ସେବେଠାରୁ ହିନ୍ଦୁ- ମୁସଲମାନ ଉଭୟ ସଂପ୍ରଦାୟ ଏହି ସାଗରସ୍ନାନ ମେଲଣକୁ ଭାଇଚାରା ରୂପେ ପାଳନ କରିଆସୁଛନ୍ତି ।
ଭୋରୁ ପ୍ରଭୁ ଗୋପାଳଜୀଉଙ୍କୁ ଗୋପ ଥାନା ଅଧିକାରୀ ନିମନ୍ତ୍ରଣ ଦେବାସହ ବାଜା ବାଣ ରୋଷଣୀରେ ସୁସଜ୍ଜିତ ବିମାନରେ ମେଲଣ ପଡିଆକୁ ଅଣାଯାଇ ପୂଜାର୍ଚ୍ଚନା କରଯାଇଥାଏ । ପ୍ରଥମେ ପ୍ରଭୁ ଗୋପ ସେନାପତି ସାହିରେ ଥିବା ପ୍ରଭୁ ଗାଦୀ ଆର୍ତ୍ତଦାସଙ୍କ ପାଖରେ ଛାଚି ଭୋଗ ଖାଇ ବାହାରି ଥାନ୍ତି କୁଶଭଦ୍ର ନଦୀପଠା ସାଗର ସ୍ନାନ ମେଲଣ ପଡିଆକୁ । ସେଠାରେ ପ୍ରଭୁ ଗୋପାଳଜୀଉ ସ୍ଥାନ ଅଳଙ୍କୃତ କଲାପରେ ଅନ୍ୟ ଦୋଳ ମେଲଣ ପଡିଆରେ ରହି ପୂଜାପାଇଥାନ୍ତି ।
ପୂର୍ବରୁ ଏହି ମେଲଣ ଏକ ମାସ ଧରିଚାଲୁଥିବାବେଳେ ୧୦୮ ଦୋଳ ମେଲଣ ପଡିଆରେ ପୂଜା ପାଉଥିଲେ । କାଳକର୍ମେ ଏହା କମି ଯାଇ ଏବେ ମେଲଣ ପଡିଆରେ ୫୦ରୁ ଉର୍ଦ୍ଧ ଦୋଳ,ମେଲଣ ପଡିଆରେ ଏକତ୍ରିତ ହେବା ପରେ ପୂଜା ପାଉଛନ୍ତି । ଏହି ମେଲଣ ସାତ ଦିନଧରି ଚାଲିଥାଏ । ମେଲଣ ପଡିଆରେ ଆତସ ବାଜି ଶବ୍ଦରେ ପ୍ରକମ୍ପିତ ହେଉଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥାନ୍ତି ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ । ଏପଟେ ମେଲଣ ପଡିଆରେ ପ୍ରବଳ ଜନ ସମାଗମ ସାଙ୍ଗକୁ ବିଭିନ୍ନ ଦୋକାନ ଖୋଲା ଯାଇଥିବା ବେଳେ ଘରର ଉପକରଣ ଜିନିଷ ସହିତ ଅନେକ ଶୁଖାଦ୍ୟ ସାମଗ୍ରୀ ଏଠାରେ ଦେଖିବାକୁ ମିଳିଥାଏ । ଉଭୟ ସମ୍ପ୍ରଦାୟର ଲୋକମାନେ ପ୍ରତ୍ୟେକ ବର୍ଷ ଏହି ସାଗରସ୍ନାନ ଭାଇ ଚାରା ମେଲଣର ମଜା ଉଠାଇଥାନ୍ତି ।

