spot_img
Home Blog Page 2037

ମେ’ ୨୫ରେ ଦେଶରେ ୬ଷ୍ଠ ଓ ଓଡ଼ିଶାରେ ହେବ ୩ୟ ପର୍ଯ୍ୟାୟ ନିର୍ବାଚନ; ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

ଭୁବନେଶ୍ୱର: ମେ ୨୫ରେ ଦେଶରେ ଷଷ୍ଠ ଓ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶର ମୋଟ ୫୭ ଆସନରେ ହେବ ଭୋଟ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବା ସହ ନାମାଙ୍କନ ଆରମ୍ଭ ହେବ।

ମେ ୬ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ୭ତାରିଖରେ ଯାଞ୍ଚ ଓ ୯ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ଯାହାରର ସୁଯୋଗ ରହିଛି। ତୃତୀୟ ପର୍ଯ୍ୟାୟ ଓଡ଼ିଶାର ୬ଟି ଲୋକସଭା କ୍ଷେତ୍ର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ବରରେ ଭୋଟ୍ ଗ୍ରହଣ ହେବ। ଏହି ଲୋକସଭା କ୍ଷେତ୍ର ଅଧିନ ୪୨ଟି ବିଧାନସଭା କ୍ଷେତ୍ରରେ ବି ଭୋଟ ଗ୍ରହଣ ହେବ।

ତୃତୀୟ ପର୍ଯ୍ୟାୟରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କି, ଆଠଗଡ଼, ବାରବାଟୀ କଟକ, ଚୌଦ୍ବାର, କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣି, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼ରେ ଭୋଟ୍ ଗ୍ରହଣ ହେବ ।

ଟିକେଟ ପାଇଁ ଅପରାଜିତା ମୋତେ ୨କୋଟି ଟଙ୍କା ମାଗିଥିଲେ : କାଳୁ ଖଣ୍ଡାୟତରାୟ

ଖୋର୍ଦ୍ଧା: ୨କୋଟି ଟଙ୍କା ଦେଲିନି ବୋଲି ଟିକେଟ କାଟିଦେଲେ ଅପରାଜିତା ଷଡ଼ଙ୍ଗୀ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ବିଜେପି ଆଶାୟୀ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ । ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି ଖୋର୍ଦ୍ଧାରୁ ପ୍ରାର୍ଥୀ କରିବା ପରେ ଆହୁରି ତେଜିଛି କାଳୁ କନ୍ଦଳ । ମଳିପଡ଼ାଠାରେ ହଜାର ହଜାର ସମର୍ଥକଙ୍କୁ ନେଇ ଖୋର୍ଦ୍ଧା ମାଟିର ସ୍ବାଭିମାନ ସମାବେଶ ନାଁରେ ଶକ୍ତି ପ୍ରଦର୍ଶନ କରି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ଉପରେ ବର୍ଷିଛନ୍ତି କାଳୁ । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ମିଥ୍ୟାବାଦିନୀ ଓ ଲାଞ୍ଚୁଆ ନେତ୍ରୀ । ଜିଲ୍ଲାପାଳ ଥିବାବେଳେ ୧୦ ହଜାର ଟଙ୍କା ବି ଲାଞ୍ଚ ନେଉଥିଲେ । ଖୋର୍ଦ୍ଧାର ଟିକେଟ ପ୍ରସଙ୍ଗରେ ରାଜ୍ଯ ସଭାପତି ଓ ଅନ୍ଯ ବରିଷ୍ଠ ନେତା ସମର୍ଥନ କରିଥିବାବେଳେ ଟିକେଟ ପାଇଁ ଅପରାଜିତା ୨କୋଟି ଟଙ୍କା ମାଗିଥିଲେ । ହେଲେ ଟଙ୍କା ନଦେବାରୁ ଟିକେଟ କାଟି ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିକ୍ରି କରିଦେଲେ । ଏ ସ୍ୱାଭିମାନର ମାଟି ପାଇଁ ଅପରାଜିତା ଷଡଙ୍ଗୀ ବେଇମାନ। ଅପରାଜିତା ଏଥର ଭୋଟ ପାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି କାଳୁ । ଏହାସହିତ ଆଗାମୀ ଦିନରେ କଡ଼ା ଜବାବ ଦିଆଯିବ ବୋଲି ଶୁଣାଇଦେଇଛନ୍ତି । କାଳୁ କହିଛନ୍ତି ଅପରାଜିତା ଷଡଙ୍ଗୀ ବିହାର ଯିବା ନିଶ୍ଚିତ । ଆଗକୁ ଲୋକଙ୍କ ପରାମର୍ଶରେ ଲଢିବି ବୋଲି କାଳୁ କହିଛନ୍ତି । କାଳୁଙ୍କ ସମର୍ଥକମାନେ ବି ଅପରାଜିତାଙ୍କ ଉପରେ ବର୍ଷିଛନ୍ତି । ୨୦୧୯ରେ କାଳୁଙ୍କ ପାଇଁ ହିଁ ଅପରାଜିତା ନିର୍ବାଚନ ଜିତିଥିଲେ । କାଳୁ ନିଜେ ୭୪ହଜାରରୁ ଅଧିକ ଭୋଟ ପାଇଥିବାବେଳେ ଅପରାଜିତାଙ୍କୁ ପ୍ରାୟ ୯୦ ହଜାର ଭୋଟ ଦେଇଥିଲେ । ହେଲେ ଜିତିବା ପରେ ଖୋର୍ଦ୍ଧା ପାଇଁ କାଣିଚିଏ କାମ କରିନାହାନ୍ତି ଅପରାଜିତା । ସ୍ବାଭିମାନର ମାଟି ପ୍ରତି ଅପରାଜିତା ବେଇମାନି କରିଛନ୍ତି ।

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ୮ ବିଧାନ ସଭା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବଦଳିଲେ ସମ୍ବଲପୁର ସାଂସଦ ପ୍ରାର୍ଥୀ । ନଗେନ୍ଦ୍ର ପ୍ରଧାନ ହେଲେ ସମ୍ବଲପୁର କଂଗ୍ରେସ ପ୍ରାର୍ଥୀ । ପୂର୍ବରୁ ଦୁଲାଲ ଚନ୍ଦ୍ର ପ୍ରଧାନ ସମ୍ବଲପୁର ସାଂସଦ ପ୍ରାର୍ଥୀ ହୋଇଥିଲେ । ସୁରେଶ ମହାପାତ୍ର ହେଲେ କଟକ ସାଂସଦ ପ୍ରାର୍ଥୀ ।
୮ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବଦଳିଲେ ଦୁଇ ବିଧାନସଭା ପ୍ରାର୍ଥୀ । ବାରିପଦାରେ ବାଦଲ ହେମ୍ବ୍ରମଙ୍କ ସ୍ଥାନରେ ପ୍ରମୋଦ ହେମ୍ବ୍ରମ ପ୍ରାର୍ଥୀ । ଖଣ୍ଡପଡ଼ାରେ ବି ବଦଳିଲେ ପ୍ରାର୍ଥୀ । ବୈଜୟନ୍ତୀମାଳା ହେଲେ ଖଣ୍ଡପଡ଼ାର ନୂତନ ପ୍ରାର୍ଥୀ । ପୂର୍ବରୁ ମନୋଜ କୁମାର ପ୍ରଧାନ ହୋଇଥିଲେ ଖଣ୍ଡପଡ଼ା ପ୍ରାର୍ଥୀ ।

ଜିତୁ ମିତ୍ରଙ୍କ ଆଶୀର୍ବାଦ ନେଲେ ରାଜେନ୍ଦ୍ର ସାହୁ

ଖୋର୍ଦ୍ଧା: ରାଜନୀତିରେ ଗୁରୁ-ଶିଷ୍ଯ ସମ୍ପର୍କର ନିଆରା ଚିତ୍ର । ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରାର୍ଥୀ । ଖୋର୍ଦ୍ଧାର ବର୍ତ୍ତମାନର ବିଧାୟକ ଜିତୁ ମିତ୍ରଙ୍କ ଆଶୀର୍ବାଦ ନେଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ସାହୁ । ଖୋର୍ଦ୍ଧା ବିଧାନସଭାପାଇଁ ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏନେଇ ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ଯରେ ଖୁସି ଖେଳିଯାଇଛି । ବହୁ ସଂଖ୍ଯାରେ ସମର୍ଥକ ଆସି ରାଜେନ୍ଦ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମୟରେ ବର୍ତ୍ତମାନର ବିଧାୟକ ଜିତୁ ମିତ୍ରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ରାଜେନ୍ଦ୍ର । ଖୋର୍ଦ୍ଧାରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜେନ୍ଦ୍ର ସହଯୋଗ ଲୋଡ଼ିଛନ୍ତି। ସମସ୍ତଙ୍କୁ ସାଥିରେ ନେଇ ମୁଖ୍ଯମନ୍ତ୍ରୀଙ୍କ ଜନକଲ୍ଯାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ବୋଲି କହିଛନ୍ତି ରାଜେନ୍ଦ୍ର।

ସାବଧାନ ! ମାତିଛନ୍ତି ସାଇବର ଠକ

ଭୁବନେଶ୍ବର: ଅନଲାଇନରେ ମାତିଛନ୍ତି ସାଇବର ଠକ। ପାର୍ଟ ଟାଇମ୍ ଜବ କରିବାକୁ କହି ଠକି ନେଉଛନ୍ତି ଲକ୍ଷାଧିକ ଟଙ୍କା। ୱାଟ୍ସଆପ ଗ୍ରୃପରେ ଦେଉଛନ୍ତି ମେସେଜ। ତାପରେ ଟେଲିଗ୍ରାମ ଗ୍ରୁପ ରେ ଆଡ କରି ଦେଉଛନ୍ତି ଲୋଭନୀୟ ଅଫର୍। ଥରେ ଫସିଗଲେ ଆକାଉଣ୍ଟ ହେଇ ଯାଉଛି ଖାଲି । ଅଭିଯୋଗ ପରେ ୩ ଜଣଙ୍କୁ ଗିରଫ କରିଛି ସାଇବର ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବାଳ ଗୋପାଳ ବାରିକ, ଦେବେନ୍ଦ୍ର କୁମାର ସେଠୀ ଓ ସନ୍ଦୀପ କୁମାର୍ ରାଉତ । ଅଧିକ ପାଠ ନ ପଢ଼ି ବି ଫେକ୍ କମ୍ପାନୀ ନାଁରେ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ କରି ଚଳାଇଥିଲେ ସାଇବର ଠକେଇ। ଏମାନଙ୍କ ସହିତ ବି ଆହୁରି ଅନେକ ଲୋକ ରହିଥିବା ବେଳେ ସେମାନଙ୍କୁ ବି ଖୋଜୁଛି ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ ଫୋନ୍, ଫେକ ଆଧାର କାର୍ଡ, ଅନେକ ଡକ୍ୟୁମେଣ୍ଟ ଜବତ କରିଛି ପୋଲିସ୍ । ବିଭିନ୍ନ ବ୍ୟାଙ୍କରେ ଅଭିଯୁକ୍ତଙ୍କ ରହିଛି କରେଣ୍ଟ ଆକାଉଣ୍ଟ। ଅଭିଯୁକ୍ତ ମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।

ମଧୁବାବୁଙ୍କ ଜନ୍ମପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

କଟକ: ରବିବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏହି ପବିତ୍ର ଦିବସରେ ମଧୁବାବୁଙ୍କ ଜନ୍ମପୀଠରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହାସହ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ସେ ମଧୁବାବୁଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ କରିଛନ୍ତି। ସତ୍ଯଭାମାପୁରରେ ପହଞ୍ଚିବା ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ ଲୋକ। ଆବାଳ ବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଲୋକଙ୍କ ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ । ଲୋକଙ୍କ ସହ ସୁଖଦୁଃଖ ହୋଇଥିଲେ । ପିଲାଙ୍କ ସହ ବେଶ କିଛି ସମୟ କାଟିଥିଲେ  । ଏହାପରେ ଏନ୍ତୁଡିଶାଳ ପରିଦର୍ଶନ କରି ମହାପୁରୁଷଙ୍କୁ ମନେ ପକାଇଥିଲେ କାର୍ତ୍ତିକ ପାଣ୍ଡିଆନ । ରାଜ୍ୟ ସରକାରଙ୍କ ପକ୍ଷରୁ କଟକ ସତ୍ୟଭାମାପୁର ମଧୁ ସ୍ମୃତି ପୀଠର ଉନ୍ନତିକରଣ ଜାରି ରହିଛି । ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲାଭଳି ଏକ ସୁବିଧା କେନ୍ଦ୍ର, ରାସ୍ତାର ପ୍ରଶସ୍ତୀକରଣ, ପୀଠ ଭିତରେ ବ୍ୟାଟେରୀ ଚାଳିତ ଯାନ, ଗାଡି ରହଣୀସ୍ଥଳ, ବିକାଶ ଓ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଏଭଳି କାର୍ଯ୍ୟକୁ ସ୍ଥାନୀୟବାସୀ  ପ୍ରଶଂସା କରିଛନ୍ତି ।

CEOଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜୁ ଜନତା ଦଳ l ସ୍ବଚ୍ଛ, ଅବାଧ, ନିରପେକ୍ଷ ନିର୍ବାଚନରେ ବାଧକ ସାଜିଛି ଭାରତୀୟ ଜନତା ପାର୍ଟି l ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ଚାଲିଛି ବିଜେପି l ସ୍କୁଲ ପଢ଼ୁଥିବା ଛୋଟ ପିଲାଙ୍କୁ ଵି ଦଳୀୟ କାର୍ଯ୍ୟରେ ଲଗାଉଛି ବିଜେପି l ପଦ୍ମକେଶରୀପୁରରେ ବିଜେପିର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଖୋଲା ଖୋଲି ଆଚରଣ ବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି। ଚେୟାର ଫିଲପ କରିବା ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି। କେଵଳ ଅପରାଜିତା ନୁହନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ , ବୈଜୟନ୍ତ ପଣ୍ଡା ମଧ୍ଯ  ବାରମ୍ବାର ଆଚରଣ ବିଧି ଉଲଂଘନ କରି ଆସୁଛନ୍ତି l ଏହି ସମ୍ବେଦନଶୀଳ ଘଟଣାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସ୍ୱତନ୍ତ୍ର ଗାଇଡ଼ଲାଇନ ଆଣିବାକୁ ଅନୁରୋଧ କରିଛନ୍ତି ବିଜେଡି ପ୍ରତିନିଧି।

କାରରୁ ଜବତ ହେଲା ନଗଦ ୫ ଲକ୍ଷ ଟଙ୍କା

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଗୌରପଡା ଛକରେ କାରରୁ ଜବତ ହେଲା ୫ ଲକ୍ଷ ଟଙ୍କା। ନିର୍ବାଚନ ସମୟରେ ଚେକିଂ ବେଳେ କାରରୁ ନଗଦ ଅର୍ଥ ଜବତ ହୋଇଛଛି। କାରଟି ଛତିଶଗଡ଼ ପଟୁ ଝାରସୁଗୁଡ଼ା ଆସୁଥିବାବେଳେ ଯାଞ୍ଚ କରିଥିଲା SST । ଜବତ ଟଙ୍କା ଝାଡ଼ଖଣ୍ଡର ମହମ୍ମଦ ମୈସାର ଶେଖଙ୍କର ବୋଲି ସୂଚନା ମିଳିଛି। ତେବେ ଟଙ୍କାର କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ଏହାକୁ ଜବତ କରି ତଦନ୍ତ କରାଯାଉଛି।

ବିଜୁବାବୁଙ୍କ କର୍ମଭୂମି ପ୍ରତି ମୁଖ୍ଯମନ୍ତ୍ରୀଙ୍କ ସ୍ବତନ୍ତ୍ର ଫୋକସ

ନନ୍ଦିଘୋଷ ବ୍ୟୁରୋ: ଗତଥର ଭଳି ଏଥର ମଧ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଚର୍ଚ୍ଚାରେ ରହିଛି। କାରଣ ବିଜେପିର ବୈଜୟନ୍ତ ଜୟ ପଣ୍ଡା କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଉଭୟ ନେତା ନିଜ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରିଛନ୍ତି। ସେପଟେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଭାବେ ଯୁବ ଚେହରା ସଦ୍ଧାର୍ଥ ସ୍ବରୂପ ଦାସଙ୍କୁ ଟିକେଟ ଦେଇଛି। ସିଦ୍ଧାର୍ଥ କେନ୍ଦ୍ରାପଡ଼ା ଲୋକ ସଭା ପାଇଁ ନୂଆ ଚେହେରା | ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ।

କେନ୍ଦ୍ରାପଡ଼ା ହେଉଛି ବିଜେଡିର ଗଡ଼। ବିଜୁ ବାବୁଙ୍କର କର୍ମଭୂମି ସେଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବଦା କେନ୍ଦ୍ରାପଡ଼ା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆସୁଛନ୍ତି । ଗତଥର କେନ୍ଦ୍ରାପଡାରେ ଅନୁଭବ ମହାନ୍ତି ବିଜେଡିରୁ ବାଜିମାତ କରିଥିଲେ। ଅନୁଭବ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀଙ୍କୁ ୧ଲକ୍ଷ ୮୧ହଜାର ୪୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ଅନୁଭବ ମହାନ୍ତି ୬ଲକ୍ଷ ୨୮ ହଜାର ୯୩୯ ଖଣ୍ଡ ଭୋଟ ପାଇଥିବା ବେଳେ ବୈଜୟନ୍ତ ପଣ୍ଡା ୪ ଲକ୍ଷ ୪୭ହଜାର ୪୫୬ଖଣ୍ଡ ଭୋଟ ପାଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ୧ ଲକ୍ଷ ୧୩ ହଜାର ୮୪୧ ଖଣ୍ଡ ଭୋଟ ପାଇଥିଲେ।

ରାଜନୀତି ସମୀକ୍ଷକଙ୍କ ମତରେ ୨୦୧୯ରେ ପାଟକୁରାରୁ ବିଜୟ ମହାପାତ୍ର ପ୍ରାଥୀ ହୋଇଥିଲେ ଯାହା ଫଳରେ ବିଜୟଙ୍କ ଭୋଟ ବୈଜୟନ୍ତ ପଣ୍ଡାଙ୍କ ପାଖକୁ ଯାଇଥିଲା କିନ୍ତୁ ଏବେ ସ୍ଥିତି ବଦଳିଛି। ବିଜୟ ମହାପାତ୍ର ଙ୍କ ପୁଅ ଅରବିନ୍ଦ ବିଜେଡିରୁ ପ୍ରାଥୀ ହୋଇଥିବାରୁ ଅଂଶୁମାନ ମହାନ୍ତିଙ୍କ ପାଖକୁ ଅଧିକ ଭୋଟ ଯିବାର ସମ୍ଭାବନା ରହିଛି,ହେଲେ ମତଦାନ ଏକପାଖିଆ ନହୋଇ ପ୍ରତିଦ୍ବନ୍ଦୀତା କଡ୍ଡା ଟକ୍କର ହେବ ବୋଲି  ମତ ଦେଇଛନ୍ତି ଭୋଟର ତଥା ରାଜନୈତିକ ସମୀକ୍ଷକ ମାନେ।

କେନ୍ଦ୍ରାପଡ଼ାର ନିର୍ବାଚନ ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଲୋକସଭା ଆସନ। ଅଂଶୁମାନ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁତ୍ର। ଫଳରେ ଅଂଶୁମାନଙ୍କ କେବଳ ରାଜନଗର ନୁହେଁ ପୁରା କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳିରେ ରହିଛି ପତିଆରା। ପୂର୍ବରୁ ବାପା ନଳିନୀ ମହାନ୍ତିଙ୍କ ବିଜୁବାବୁଙ୍କ ସହ ଘନିଷ୍ଠତା ଥିଲା। ତେଣୁ କେନ୍ଦ୍ରାପଡ଼ାରେ ଅଣ କଂଗ୍ରେସ ଭୋଟ ର ଗୁରୁତ୍ବ ସବୁବେଳେ ରହି ଆସିଛି ।

ସେହିଭଳି ବୈଜୟନ୍ତ ପଣ୍ଡା ବିଜୁ ଜନତା ଦଳରେ ଥିବା ସମୟରେ କେନ୍ଦ୍ରାପଡ଼ାର ଦୁଇ ଦୁଇଥର ସାଂସଦ ଥିଲେ କିନ୍ତୁ ସେ ବିଜେଡି ଛାଡି ବିଜେପି କୁ ଗଲାପରେ ୨୦୧୯ନିର୍ବାଚନରେ ଲୋକଙ୍କ ଅସ୍ଥା ହରାଇଥିଲେ। ବୈଜୟନ୍ତ ପଣ୍ଡା ବିଜେପି ରୁ ଟିକେଟ ପାଇବା ପରେ ଏବେ କେନ୍ଦ୍ରାପଡ଼ାରେ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି। ସେହିଭଳି କଂଗ୍ରେସ ନୂଆ ଚେହେରା ଦେଇଛି। କଂଗ୍ରସ ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ ଦାସ ଛାତ୍ର ଜୀବନରୁ ରାଜନୀତି ସହ ଜଡିତ ରହିଛନ୍ତି। ଏହା ସହ ସେ ସମାଜସେବା କ୍ଷେତ୍ରରେ ମଧ୍ୟ ଜଡିତ। ତେବେ କେନ୍ଦ୍ରାପଡ଼ା ବିଜେଡିର ଗଡ଼ କୁହାଯାଉଥିବା ବେଳେ ଏଥର ପ୍ରତିଦ୍ବନ୍ଦୀଙ୍କୁ ହାଲକାରେ ନେବା ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ନିର୍ବାଚନରେ ପ୍ରାର୍ଥୀଙ୍କ ଅପେକ୍ଷା ବିକାଶ ସବୁବେଳେ ଭୋଟରଙ୍କ ପ୍ରଥମ ପସନ୍ଦ ହୋଇରହିଛି। ରୁପାନ୍ତର ପକ୍ରିୟାରେ କେନ୍ଦ୍ରାପଡା ସାମିଲ ହେବାପରେ ଏଠାରେ ଦଳୀୟ ପ୍ରାର୍ଥୀଙ୍କ ଭାଷଣ ଅପେକ୍ଷା ବିକାଶ ହିଁ ମୁଖ୍ୟ ମୁଦ୍ଦା ହେବ ବୋଲି ଭୋଟରଙ୍କ ମତ ।

ବର୍ଷା ପାଇଁ ଚର୍ଚ୍ଚାରେ ବେଙ୍ଗ ବେଙ୍ଗୁଲି ବାହାଘର

ନନ୍ଦିଘୋଷ ବ୍ୟୁରୋ: ଲାଗାତର ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନର ତାପମାତ୍ରା ୪୫ଡିଗ୍ରୀ ଛୁଇଁଥିବା ବେଳେ ଜୀବଜଗତ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ସମସ୍ତଙ୍କ ମନ ଅସରାଏ ବର୍ଷା ପାଇଁ ଉଛୁର ହେଉଥିବା ଦେଖିବାକୁ ମିଳୁଛି । ତେବେ ଏ ବିଜ୍ଞାନ ଯୁଗରେ ମଧ୍ୟ ବର୍ଷା ହେବା ପାଇଁ ପାରମ୍ପରିକ ବିଶ୍ୱାସ ଉପରେ ମଣିଷ ଭରସା କରିଛି। ବିଶ୍ୱାସ ଅଛି  ବେଙ୍ଗ ଓ ବେଙ୍ଗୁଲିର ପାରମ୍ପରିକ ରୀତିନୀତିରେ ବିବାହ କରାଇଲେ ବର୍ଷା ହୁଏ । ଏହି ବିଶ୍ୱାସକୁ ପାଥେୟ କରି ପଶ୍ଚିମବଙ୍ଗ ନଦିଆ ଜିଲ୍ଲାର ଶାନ୍ତିପୁର ଥାନା ଅଧୀନ ଦେଶବନ୍ଧୁ କଲୋନୀର ୫ ଟି ବଙ୍ଗାଳି ପରିବାର ମିଶି ଆଜି ମହା ଆଡମ୍ବରରେ ପାରମ୍ପରିକ ରୀତିନୀତି ଓ ଵିଧି ବିଧାନ ଅନୁସାରେ ବେଙ୍ଗ ଓ ବେଙ୍ଗୁଲିର ବିବାହ ସମ୍ପନ୍ନ କରିଛନ୍ତି। କେବଳ ଦେଶବନ୍ଧୁ କଲୋନୀ ନୁହେଁ ଶାନ୍ତିପୁର ଅଞ୍ଚଳର ଶହ ଶହ ଲୋକେ ଏହି ଶୁଭକାର୍ଯ୍ୟରେ ସାମିଲ ହେବା ସହିତ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।