spot_img
Home Blog Page 2026

ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ସକାଳୁ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ କଲେ ଦର୍ଶନ

ଜୟପୁର: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ଗତକାଲି ବିଶାଳ ରୋଡ ଶୋ’ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ। ଆଜି ସକାଳୁ ଜୟପୁରର ପ୍ରସିଦ୍ଧ ଜଗତଜନନୀ ମନ୍ଦିର ଯାଇ ମାଆଙ୍କୁ ଦର୍ଶନ କରିଛନ୍ତି। ସେଠାରେ ପୂଜାର୍ଚ୍ଚନା କରି ପୂଜକ ଓ ଶ୍ରଦ୍ଧାଳୁଙ୍କ ସହ ଆଲୋଚନା କରିଛନ୍ତି।

ଗତକାଲି  ସନ୍ଧ୍ଯାରେ କାର୍ତ୍ତିକ ପାଣ୍ଡିଆନ ଜୟପୁର ସହରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ବିଶାଳ ରୋଡ ଶୋ’ରେ ଜନତାଙ୍କୁ ଉଦବୋଧନ ଦେଇଥିଲେ ଆଉ ଲୋକଙ୍କଠାରୁ ସମ୍ବର୍ଦ୍ଧନା ବି ପାଇଥିଲେ। ହଜାର ହଜାର ଲୋକ ପାଣ୍ଡିଆନଙ୍କୁ ପାଛୋଟି ନେବା ସହ ନିଜ ନିଜର ଭଲପାଇବା ଓ ଭରସାକୁ ପ୍ରତିପାଦିତ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ବରେ ଯୁବକ, ଛାତ୍ର, ମହିଳା ଏକାଠି ହୋଇ ପାଣ୍ଡିଆନଙ୍କୁ ଅପେକ୍ଷା କରିଥିଲେ। ପାଣ୍ଡିଆନଙ୍କ ଉପରକୁ କିଏ ଫୁଲ ସ୍ବାଗତ କରୁଥିଲା ତ ଆଉ କିଏ ସେଲ୍ଫି ଟିଏ ନେବାକୁ ଅପେକ୍ଷା କରିଥିଲା। ବିକାଶ ପାଇଁ ବିଜେଡିକୁ ବାଛିବାକୁ ପାଣ୍ଡିଆନ ଜୟପୁରବାସୀଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କ ଗ୍ଯାରେଣ୍ଟି ଦେବା ସହ ଏଥର ଉଭୟ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନତାଙ୍କୁ ଅପିଲ କରିଛନ୍ତି।

ଆଜି ଆସିପାରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ରାୟବରେଲି ଓ ଆମେଠି ଆସନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ !

ନୂଆଦିଲ୍ଲୀ: ଆଜି ଆସିପାରେ ଉତ୍ତରପ୍ରଦେଶର ଚର୍ଚ୍ଚିତ ରାୟବରେଲି ଓ ଅମେଠି ଆସନ ଲାଗି କଂଗ୍ରେସର ପ୍ରାର୍ଥୀଙ୍କ ନାମ। ଗତକାଲି ୨୪ ଘଣ୍ଟା ମଧ୍ୟରେ କଂଗ୍ରେସ ଏହି ଦୁଇ ଆସନରେ ପ୍ରାର୍ଥୀ ନିଷ୍ପତ୍ତି କରିବ ବୋଲି କହିଥିଲା। ଦୁଇ ଆସନକୁ ନେଇ ଲାଗି ରହିଥିବା ସସପେନ୍ସ ଖୁବଶୀଘ୍ର ଦୂର ହୋଇଯିବ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଏ ନେଇ ନିଷ୍ପତ୍ତି ନେବ। କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ ଏହି ନିଷ୍ପତ୍ତି ନେବେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଘୋଷଣା ଆସିବ ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ।

ସେପଟେ ଅମେଠିରେ ଗାନ୍ଧୀ ପରିବାରରୁ କେହି ଜଣଙ୍କୁ ଟିକେଟ ଦେବାକୁ କର୍ମୀଙ୍କ ମଧ୍ୟରେ ଦାବି ଜୋର ଧରିଛି। ଅମେଠିରୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରାର୍ଥୀ ହୋଇପାରନ୍ତି। ୨୦୧୯ରେ ରାହୁଲ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ଏହି ଆସନରୁ ପରାସ୍ତ ହୋଇଥିଲେ। ୨୦୦୪ରୁ ରାୟବରେଲି କଂଗ୍ରେସ କବଜାରେ ରହିଛି। ରାୟବରେଲି ଆସନରୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହେବା ସମ୍ଭାବନା ରହିଛି। ଏହି ଦୁଇ ଆସନରେ ଆସନ୍ତା ୨୦ ତାରିଖରେ ଭୋଟ ଗ୍ରହଣ ହେବ। ପ୍ରିୟଙ୍କାଙ୍କ ସ୍ଵାମୀ ରବର୍ଟ ଭଦ୍ରାଙ୍କ ନାଁ ମଧ୍ୟ ପ୍ରାର୍ଥୀ ହେବା ନେଇ ଶୁଣିବାକୁ ମିଳୁଛି। ତେବେ କିଏ ଏହି ଦୁଇ ଆସନରୁ ପ୍ରାର୍ଥୀ ହେବ ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।

ବଢ଼ିଲା ଇମ୍ରାନଙ୍କ ଅଡୁଆ, ତୋଷଖାନା ଦୁର୍ନୀତି ମାମଲାରେ ପତି-ପତ୍ନୀଙ୍କ ବିରୋଧରେ NABର ତନାଘନା

ବ୍ୟୁରୋ ରିପୋର୍ଟ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବଢିଲା ଅଡୁଆ। ଜେଲରେ ଇମ୍ରାନଙ୍କୁ ଜେରା କରିବ ପାକିସ୍ତାନର ତଦନ୍ତକାରୀ ସଂସ୍ଥା ଏନଏବି। ଇମ୍ରାନଙ୍କ ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ କରିପାରେ ଜେରା। ଏ ନେଇ ଇମ୍ରାନ ଥିବା ଜେଲ ସୁପରିଟେଣ୍ଡେଣ୍ଟକୁ ଚିଠି ଲେଖିଛି ତଦନ୍ତକାରୀ ସଂସ୍ଥା। ଜେଲରେ ପଚରାଉରଚାର ଲାଗି ଇମ୍ରାନଙ୍କୁ ଉପସ୍ଥିତ ରଖିବାକୁ ଚିଠିରେ ଉଲ୍ଲେଖ ହୋଇଛି।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ତେହରିକ ଏ ଇନସାଫ ଦଳର ମୁଖ୍ୟ ହେଉଛନ୍ତି ଇମ୍ରାନ ଖାନ। ଇମ୍ରାନ ଏବେ ରାୱଲପିଣ୍ଡିର ଆଦିଆଲା ଜେଲରେ ଅଛନ୍ତି। ପାକିସ୍ତାନ ତୋଷଖାନା ମାମଲାରେ ଇମ୍ରାନ ଖାନଙ୍କୁ ୧୪ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ଅଦାଲତ। ପତ୍ନୀ ବୁଶରା ବିବିଙ୍କୁ ମଧ୍ୟ ୧୪ ବର୍ଷ କାରାଦଣ୍ଡାଦେଶ ହୋଇଛି। ଗତ ଜାନୁଆରୀ ୩୧ରେ ଏହି ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ଦଣ୍ଡାଦେଶ ଶୁଣାଇବା ସହ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ସରକାରୀ ପଦ ପଦବୀରେ ରହିପାରିବେନି ଉଭୟ। ଦୁହିଁଙ୍କୁ ପାକିସ୍ତାନୀ ମୁଦ୍ରାରେ ୭୮୭ ନିୟୁତ ଟଙ୍କା ଜରିମାନା କରିଛନ୍ତି କୋର୍ଟ। ଇମ୍ରାନଙ୍କ ଶାସନ କାଳରେ ବୈଦେଶିକ ମନ୍ତ୍ରୀ ଥିବା ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ଏହି ମାମଲାରେ ୧୦ ବର୍ଷ କାରାଦଣ୍ଡାଦେଶ ହୋଇଛି।

ଖୋର୍ଦ୍ଧା ପୌରାଞ୍ଚଳରେ ମନ୍ମଥଙ୍କ ଜୋରଦାର ପ୍ରଚାର

ଖୋର୍ଦ୍ଧା: ଖୋର୍ଦ୍ଧା ପୌରାଞ୍ଚଳରେ ପ୍ରଚାର କରିଛନ୍ତି ବିଜେଡିର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ। ଗତକାଲି ରାତିରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁ ଏବଂ କାଉନସିଲର ପ୍ରବିଣା ଜଗଦେବ ରାୟଙ୍କ ସହ ମିଶି ଲୋକଙ୍କୁ ଭେଟି ଭୋଟ ମାଗିଛନ୍ତି ମନ୍ମଥ । ରାଜ୍ଯ ସରକାରଙ୍କ ଜନକଲ୍ଯାଣକାରୀ ଯୋଜନାର ବାର୍ତ୍ତା ଦେବା ସହ ବିକାଶ ପାଇଁ ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଉଭୟ ବିଧାୟକ ଓ ସାଂସଦ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ମନ୍ମଥ।

ଆଜି ବି ଅଧିକ ରହିବ ଖରା, ଅପରାହ୍ନରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ଯରେ ପାଗରେ ଆସିଛି ପରିବର୍ତ୍ତନ। ଗତକାଲିର କାଳବୈଶାଖୀ ବର୍ଷା ଆଣିଛି ସମାନ୍ଯ ଆଶ୍ବସ୍ତି। ତେବେ ଆଜି ସାରା ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ଆସନ୍ତାକାଲି ଯାଏଁ ରାଜ୍ଯରେ ପ୍ରବଳ ଖରା ହେବ। ତେବେ ପୂର୍ବାପେକ୍ଷା ତାପମାତ୍ରା ସମାନ୍ଯ କମ ରହିପାରେ।   ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରାହ୍ନରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ଘଟିବ। କାଲିପରଠୁ ଖରା କମିବା ସହ ତାତିରୁ ଆଶ୍ବସ୍ତି ମିଳିବ। ଅନ୍ଯପଟେ ୬ ତାରିଖରୁ ସାରା ଓଡ଼ିଶାରେ ପାରଦ ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ବୃଦ୍ଧି ପାଇବ। ପବନରେ ପରିବର୍ତ୍ତନ ହେବାରୁ ଏହି ସ୍ଥିତି ହେବାକୁ ଯାଉଛି।

ନବୀନଙ୍କ ଏଣ୍ଟ୍ରି ପଶ୍ଚିମ ଓଡିଶା ପାଇଁ ନୂଆ ଉର୍ଜା

ବ୍ୟୁରୋ ରିପୋର୍ଟ: ୨୦୧୯ ନିର୍ବାଚନରେ ନବୀନ ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ଉଭୟ ଆସନରୁ ସେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ନବୀନ ବିଜେପୁରରେ ଲଢିବାର ପ୍ରଭାବ ସାରା ବରଗଡ଼ ଲୋକସଭା କ୍ଷେତ୍ରରେ ପଡ଼ିଥିଲା। ୭ଟି ଯାକ ବିଧାନସଭା ଆସନ ବିଜେଡି ଦଖଲକୁ ଯାଇଥିଲା। ୨୦୧୪ରେ ବରଗଡ଼ ଲୋକସଭାର ପଦମପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗର ବିରୋଧୀ ଖାତାକୁ ଯାଇଥିଲା। ଏପରିକି ବିଜେପୁର ବି କଂଗ୍ରେସ କବଜାରେ ଥିଲା। କେବଳ ଉପନିର୍ବାଚନରେ ବିଜେଡି ଜିତିଥିଲା ବିଜେପୁର। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରୁ ଲଢିବା ନେଇ ଘୋଷଣା କରିବା ପରେ, ବରଗଡ଼ ଲୋକସଭା ଅଧୀନରେ ଥିବା ୭ଟି ଯାକ ବିଧାନସଭାରେ ଉତ୍ସାହ ବଢି ଯାଇଥିଲା। ବିରୋଧୀଙ୍କ ପାଖରେ ଥିବା ଆସନ ବି ବିଜେଡି ଖାତାକୁ ଆସି ସଂପୂର୍ଣ୍ଣ ୭ରୁ ୭ ବିଧାନସଭା ଦଖଲ କରିଥିଲା ବିଜେଡି।

୨୦୧୯ ନିର୍ବାଚନରେ ବଲାଙ୍ଗୀର ଲୋକସଭା, ବଲାଙ୍ଗୀର ବିଧାନସଭା, ଲୋଇସିଂହା ସମେତ କଣ୍ଟାବାଞ୍ଜି ବି ଯାଇଥିଲା ବିରୋଧୀଙ୍କ ଖାତାକୁ। କଣ୍ଟାବାଞ୍ଜିରେ ମାତ୍ର ୧୧୫ ଖଣ୍ଡ ଭୋଟରେ କଂଗ୍ରେସ ଜିତିଥିଲା। ହେଲେ ବିଜେଡି ଚାଲିଯାଇଥିଲା ତୃତୀୟ ସ୍ଥାନକୁ ।

ଏଥର ନବୀନଙ୍କ ଏଣ୍ଟ୍ରି ବଲାଙ୍ଗୀରରେ ନୂଆ ଉର୍ଜା ସୃଷ୍ଟି କରିଛି। କଣ୍ଟାବାଞ୍ଜି ସମେତ ସମଗ୍ର ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀ ସମେତ ସାରା ପଶ୍ଚିମ ଓଡିଶାରେ ଖୁସିରେ ମାହୋଲ ଖେଳିଯାଇଛି । କଣ୍ଟାବାଞ୍ଜିରେ ନବୀନଙ୍କ ପ୍ରାର୍ଥିତ୍ବ ସାରା ବଲାଙ୍ଗୀରକୁ ବିଜେଡିକୁ ଜିତାଇବା ପାଇଁ ବାଟ ଫିଟାଇବାର ଆଶା ସଞ୍ଚାର ହୋଇଛି ।

ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜେଡିର ମିଶନ ପଶ୍ଚିମ ଓଡ଼ିଶା। ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଗତଥର ଭଳି ଏଥର ବି ଦୁଇଟି ଆସନରେ ଲଢେଇ କରୁଛନ୍ତି ନବୀନ। ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ନବୀନ ହିଞ୍ଜିଳି ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିବେ। ଏଥିପାଇଁ ସାଢେ ୯ ଟାରେ ମୁଖ୍ଯମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ କଣ୍ଟାବାଞ୍ଜି ଅଭିମୁଖେ ଗସ୍ତ କରିବେ । ୧୦ଟା ୨୫ରେ ତୁଷୁରା ଏୟାରପୋର୍ଟରେ ପହଞ୍ଚି ୧୧ଟା ୫ରେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ଦାଖଲ କରିବେ। ଏହି ସମୟରେ ବରିଷ୍ଠ ବିଜେଡି ନେତା ତଥା ଫାଇଭ-ଟି ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ରହିବେ।

କଣ୍ଟାବାଞ୍ଜିରେ ନବୀନ ବିଜେଡିରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିପକ୍ଷରେ ବିଜେପି ଲକ୍ଷ୍ମଣ ବାଗ ଓ କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଛି।

 

ଓଡ଼ିଆ ସ୍ବାଭିମାନ ସବୁବେଳେ ବଞ୍ଚିଛି : ସୁର ରାଉତରାୟ

ଭୁବନେଶ୍ବର: ଦିଲ୍ଲୀର କିଛି ନେତା ୧୦ ମିନିଟ ଭାଷଣ ଦେଇ ଓଡ଼ିଆ ସ୍ବାଭିମାନ କଥା କହୁଛନ୍ତି । କେବଳ ରାଜନୀତି ପାଇଁ ସେମାନେ ଏପରି କହୁଛନ୍ତି କହି ବିଜେପିକୁ ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି,  ଓଡ଼ିଆ ସ୍ବାଭିମାନ ସବୁବେଳେ ବଞ୍ଚିଛି । ଓଡ଼ିଆ ଜାତି କେବେବି ପଛଘୁଞ୍ଚା ଦେଇନି । ବ୍ରିଟିଶ ସରକାର ବିରୋଧରେ ଓଡ଼ିଆଙ୍କ ଲଢେଇ ସାରା ବିଶ୍ବ ଦେଖିଛି । ଜୟିରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବ ଆମର ଗର୍ବ । ହେଲେ ବିରୋଧୀ ଦଳ କେବଳ ଡ୍ରାମା କରୁଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ସୁରେଶ ରାଉତରାୟ ।

ଜୟପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମେଗା ରୋଡ୍ ଶୋ’

ନନ୍ଦିଘୋଷ ବ୍ୟୁରୋ: ଜୟପୁରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ । ରୋଡ୍ ଶୋ’ରେ ଯୋଗଦେଲେ ହଜାର ହଜାର ଜନତା । ଛକ ଛକରେ ପାଣ୍ଡିଆନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ଲୋକେ । ରୋଡ ଶୋ’ ବେଳେ ବର୍ଷା ହେଲା ଫୁଲ । ରାସ୍ତାର ଉଭୟ କଡରେ ଉତ୍ସାହିତ ଜନତା । ମହିଳା, ଯୁବକ ଓ ଛାତ୍ରଙ୍କ ଭିଡ଼ ଲାଗିଛି । ନିଜ ନେତାଙ୍କୁ ଦେଖିବାକୁ ନାହିଁ ନଥିବା ଉତ୍ସାହ । ଭୀଷଣ ଗୁଳୁଗୁଳିରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ହାତ ହଲାଇ ଅଭିବାଦନ ଗ୍ରହଣ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ । ନବୀନଙ୍କ ବିକାଶ ନାରାରେ କମ୍ପିଲା ଜୟପୁର ସହର ।

କାହାର ହେବ କଳାହାଣ୍ଡି ଲୋକସଭା କ୍ଷେତ୍ର ?

ନନ୍ଦିଘୋଷ ବ୍ୟୁରୋ: ଚଳଚଞ୍ଚଳ କଳାହାଣ୍ଡି ଲୋକସଭା ଆସନ। ତିନି ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର। କାହାକୁ ବାଛିବେ ଜନତା ? କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ ତାକୁ ନେଇ ଚାଲିଛି ଅଙ୍କ କଷା। ପ୍ରାର୍ଥୀଙ୍କ ଭାଗ୍ଯ ନିରୂପଣ କରିବେ ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର। ତେବେ ବିକାଶ ହିଁ ସାଜିଛି ପ୍ରମୁଖ ମୁଦ୍ଦା।

ସଭା, ସମିତି ଶୋଭାଯାତ୍ରାରେ କମ୍ପୁଛି ମଇଦାନ । ବିଶାଳ ବାଇକ ରାଲି ସାଙ୍ଗକୁ ଜିନ୍ଦାବାଦ ନାରାରେ କମ୍ପୁଛି ପରିବେଶ । ଗ୍ରାଉଣ୍ଡରେ ବୁଲୁଛନ୍ତି ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା ପରେ ସରଗରମ ହେବାରେ ଲାଗିଛି ରାଜନୈତିକ ପାଣିପାଗ । କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବଢୁଛି ରାଜନୈତିକ ଉଷ୍ମତା । ତେବେ କାହାର ହେବ କଳାହାଣ୍ଡି ଲୋକସଭା ଆସନ ? କାହାକୁ ବାଛିବେ ଭୋଟର ? ତାକୁ ନେଇ ଚାଲିଛି ଅଙ୍କକଷା ।

କଳାହାଣ୍ଡି ଓ ନୂଆପଡା ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ନିର୍ବାଚନ ମଣ୍ଡଳୀ । ଏଠାରେ  ୧୬ ଲକ୍ଷ ୯୬ ହଜାର ୭୫୯ ଜଣ ଭୋଟର ଥିବାବେଳେ ପୁରୁଷ ଭୋଟର ୮ ଲକ୍ଷ ୪୮ ହଜାର ୯୧୬ ଜଣ । ସେହିପରି ମହିଳା ଭୋଟର ଅଛନ୍ତି ୮ ଲକ୍ଷ ୪୭ ହଜାର ୭୩୬ ଜଣ । ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୬୯ ଜଣ ଅଛନ୍ତି। ଏଥର ନୂତନ ଭାବେ ମତଦାନ କରିବେ ୩୪ ହଜାର ୬୫୮ ଜଣ ଯୁବ ଭୋଟର । ତେବେ ଚଳିତ ଥର ହେଉଛି ତ୍ରିମୁଖୀ ଲଢେଇ । ବିଜେଡିରୁ ଲମ୍ବୋଦର ନିଆଲ , ବିଜେପିରୁ ମାଳବିକା କେଶରୀ ଦେଓ ଏବଂ କଂଗ୍ରେସରୁ ଦ୍ରୌପଦୀ ମାଝୀ ମଇଦାନକୁ ଓହ୍ଲାଇଛନ୍ତି ।

୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଜୟ ହୋଇଥିବା ବେଳେ ପୁଷ୍ପେନ୍ଦ୍ର ସିଂହ ଦେଓ ଓ ଭକ୍ତ ଚରଣ ଦାସ ପରାଜୟ ହୋଇଥିଲେ । ବିଜେପି ପ୍ରାର୍ଥୀ ବସନ୍ତ ପଣ୍ଡା ୪ ଲକ୍ଷ ୩୩ ହଜାର ୭୪ ଖଣ୍ଡ ଭୋଟପାଇ ବିଜୟୀ ହୋଇଥିଲେ । ବିଜେଡିର ପୁଷ୍ପେନ୍ଦ୍ର ସିଂହ ଦେଓ ୪ ଲକ୍ଷ ୬ ହଜାର ୨୬୦, କଂଗ୍ରେସର ଭକ୍ତ ଚରଣ ଦାସ ୩ ଲକ୍ଷ ୧୯ ହଜାର ୨୦୨ ଖଣ୍ଡ ଭୋଟ ପାଇଥିଲେ । ହେଲେ ଚଳିତ ନିର୍ବାଚନରେ ତିନି ଦଳର ପ୍ରାର୍ଥୀ ପରିବର୍ତ୍ତନ ହୋଇଛନ୍ତି ।

ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ବିଜେଡି ନେତା ଲମ୍ବୋଦର ନିଆଲ। କଂଗ୍ରେସ ପ୍ରାର୍ଥୀ ଦୌପଦୀ ମାଝୀ ଦୀର୍ଘ ବର୍ଷ ଧରି କଂଗ୍ରେସର ଜଣେ ନାରୀ ନେତ୍ରୀ ଭାବେ କାମ କରିଆସୁଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ମାଳବିକା ଦେଓ ରାଜ ପରିବାରର ବୋହୂ ହୋଇଥିବାରୁ ରାଜନୀତିକୁ ବେଶ ନିକଟରୁ ଦେଖିଛନ୍ତି । ଯାହାକୁ ନେଇ କଳାହାଣ୍ଡି ରାଜନୀତି ବେଶ୍ ରୋଚକ ହେବାରେ ଲାଗିଛି। କଳାହାଣ୍ଡିରେ ତିନି ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ଜୋରଦାର ଚାଲିଛି ନିର୍ବାଚନୀ ପ୍ରଚାର । ତେବେ ଜନତାଙ୍କ ମତ ବିକାଶ ଯେଉଁଠି, ଭୋଟ ସେଇଠି ।