spot_img
Home Blog Page 2017

ହିଞ୍ଜିଳିକାଟୁରେ ମହିଳା ସମାବେଶ ଅନୁଷ୍ଠିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ଅନୁଷ୍ଠିତ ହୋଇଛି ମହିଳା ସମାବେଶ। ଏହି ସମାବେଶରେ ହିଞ୍ଜିଳିକାଟୁ ବ୍ଲକ,ଶେରଗଡ ବ୍ଲକ,ଏବଂ ହିଞ୍ଜିଳିକାଟୁ ଟାଉନର ବହୁ ମହିଳା ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବାରୁ ଫୋକସରେ ରହଛି ଏହି ଆସନ। ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ କନଫରେନ୍ତ୍ର ମାଧ୍ୟମରେ ଯୋଡିହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ହିଞ୍ଜିଳି ବିଧାନ ସଭା ଆସନ ଆସିକା ଲୋକସଭା ଅଧୀନରେ ରହିଥିବା ବେଳେ ଆସନ୍ତା ୨୦ ତାରିଖ ଦ୍ଵିତୀୟ ପର୍ଯ୍ୟାୟରେ ଏହାର ନିର୍ବାଚନ ହେବ।ଏଠାରୁ ବିଧାୟକ ପ୍ରାର୍ଥୀ  ନବୀନ ପଟ୍ଟନାୟକ ହୋଇଥିବା ବେଳେ ସାଂସଦ ପ୍ରାର୍ଥୀ ଭାବେ ରଞ୍ଜିତା ସାହୁ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ହିଞ୍ଜିଳିକାଟୁ ଠାରେ ଗତ ୧୯ ତାରିଖ ଦିନ ବିଜେଡ଼ି ପକ୍ଷରୁ ଏକ ଯୁବ ସମାବେଶ କରାଯାଇଥିବା ବେଳେ ଆଜି ମହିଳା ସମାବେଶର ଆୟୋଜନ ହୋଇଛି।

ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା, ନଜର ପକାନ୍ତୁ ଦିନ ୨ଟା ୩୦ ସୁଦ୍ଧା କେଉଁଠି କେତେ ରହିଛି ତାପମାତ୍ରା

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ପ୍ରଚଣ୍ଡ ଖରା । ପଶ୍ଚିମରେ ଅଧିକ ଖରା ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଆଜି ଦିନ ସାଢେ ଦୁଇଟା ସୁଦ୍ଧା କେନ୍ଦୁଝର ଓ ଝାରସୁଗୁଡ଼ାରେ ସର୍ବୋଚ୍ଚ ୪୩.୬ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ହୀରାକୁଦରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୧.୭, ଭୁବନେଶ୍ୱର ଓ ଚାନ୍ଦବାଲିରେ ୪୧.୬, ବାଲେଶ୍ୱରରେ ୪୦.୫, ପୁରୀରେ ୩୪.୬, ଗୋପାଳପୁର ଓ ପାରାଦୀପରେ ୩୩.୫ ଡିଗ୍ରୀ ଲେଖାଏଁ ପାରଦ ରେକର୍ଡ ହୋଇଛି ।

ଏପ୍ରିଲ ୨୫ ତାରିଖରୁ ଖରା ଛୁଟି: ୨୨ରୁ ୨୪ ତାରିଖ ସକାଳ ସାଢ଼େ ୬ଟାରେ ସ୍କୁଲ

ଭୁବନେଶ୍ବର: ସାମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗ ସୂଚନା ଆଧାରରେ ଗ୍ରୀଷ୍ମ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତା ଏପ୍ରିଲ ୨୫ ତାରିଖରୁ ରାଜ୍ୟରେ ହେବ ଶ୍ରୀଷ୍ମ ଛୁଟି । ତେବେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ପୂର୍ବଭଳି ସକାଳୁଆ ସ୍କୁଲ ଚାଲିବ । ଅର୍ଥାତ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ ।

ଚଳିତବର୍ଷ ଅସ୍ୟ ଖରାକୁ ଗୁଳୁଗୁଳି ଲୋକଙ୍କୁ କଲବଲ କରୁଛି । ଦିନ ୮ଟା ପରେ ଘରୁ ବାହାରିବା ବି ଅସମ୍ଭବ ହୋଇଯାଉଛି । ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଏମିତି ସ୍ଥିତିରେ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଉଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ସକାଳୁଆ ସ୍କୁଲ ଘୋଷଣା କରିଥିଲେ । ତେବେ ଗ୍ରୀଷ୍ମ ପ୍ରବାହ ଅଧିକ ହେବାରୁ ୩ ଦିନ ସ୍କୁଲ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର ।

ମହିଳା ନକ୍ସଲ ଗିରଫ, ଛତିଶଗଡ଼ ପୋଲିସକୁ ହସ୍ତାନ୍ତର

ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ମହିଳା ନକ୍ସଲ ଗିରଫ । ଗିରଫ ନକ୍ସଲକୁ ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରାଯାଇଛି । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଏକାୱାରି ଗାଁରୁ ଆହତ ମହିଳା ମାଓବାଦୀ ଜଣଙ୍କୁ ଗିରଫ କରାଯାଇଛି ।

ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରେ ନବରଙ୍ଗପୁର ପୋଲିସର ଗୋଇନ୍ଦା ଟିମ, ଦୁଇଟି ଏସଓଜି ଟିମ୍ ଓ ଗୋଟିଏ ଡିଭିଏଫ ଟିମ୍ ସହ ୨୧ ସଦସ୍ୟ ବିଶିଷ୍ଟ ନବରଙ୍ଗପୁର ପୋଲିସର ଟିମ୍ ଏକ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଅପରେସନ ସମୟରେ ଛତିଶଗଡ଼ ଏକୱାରି ଗ୍ରାମରୁ ଏକ ଘର ମଧ୍ୟରୁ ଜଣେ ମହିଳା ନକ୍ସଲଙ୍କୁ ଗିରଫ କରାଯାଇଥିଲା ।

ଗିରଫ ମାଓବାଦୀଙ୍କ ନାଁ ମ୍ୟାଙ୍ଗ ନୁରେଟି (ସିନ୍ଧୁ) । ବୟସ ପ୍ରାୟ ୨୫ ବର୍ଷ ହେବ । ଗତ ୧୨ ତାରିଖରେ କରିପାନୀ ଓ ଏକୱାରି ଗାଁ ନିକଟରେ ହୋଇଥିବା ପୋଲିସ-ନକ୍ସଲ ଗୁଳି ବିନିମୟରେ ସେ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି ।

ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର, ଅଧା ରାସ୍ତାରେ କାରରୁ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍

ଉଦଳା: ନାବାଳକଙ୍କୁ ଅପହରଣ ଉଦ୍ୟମ ଭଣ୍ଡୁର । ପିଲାଟି ପାଟି କରିବାରୁ ଧରାପଡିଯିବା ଭୟରେ କାରରୁ ଫିଙ୍ଗି ଦେଇ ଚମ୍ପଟ ମାରିଲେ ଅପହରଣକାରୀ । ସ୍ଥାନୀୟ ଲୋକେ ପିଲାଟିକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଫକୀରମୋହନ ବିଶ୍ୱ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଚନ୍ଦନେଶ୍ୱର ସାହୁଙ୍କ ପୁଅ ଜନ୍ମେଞ୍ଜୟ ସାହୁଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ । ଜନ୍ମେଞ୍ଜୟ ଟ୍ୟୁସନରୁ ଫେରୁଥିବା ବେଳେ, ଏକ କାର ତାଙ୍କ ପାଖରେ ଅଟକି ଥିଲା । କାର ଭିତରୁ କିଛି ଲୋକ ତାଙ୍କୁ ଉଦଳାକୁ ରାସ୍ତା ପଚାରିଥିଲେ । ନାବାଳକ ଜଣଙ୍କ ସେମାନଙ୍କୁ ରାସ୍ତା ବତାଉଥିବା ବେଳେ ଦୁର୍ବୃତ୍ତ ମାନେ ତାଙ୍କୁ କାର ଭିତରକୁ ଟାଣି ନେଇ ଫେରାର ହୋଇଯାଇଥିଲେ । ପିଲାକୁ ଚୁପ କରିବାକୁ ଅପହରଣକାରୀ ତାଙ୍କୁ ନିଶା ଇଞ୍ଜେକ୍ସନ ଦେଇ ଦେଇଥିଲେ ।

ଅପହରଣକାରୀ ଉଦଳା ରାସ୍ତାରେ ଯିବା ବେଳେ ପିଲାଟିର ଚେତା ଚାଲି ଆସିଥିଲା ଓ ସେ ଚିତ୍କାର କରିବାକୁ ଲାଗିଥିଲା । ଫଳରେ ଧରାପଡିଯିବା ଭୟରେ ଅପହରଣକାରୀ ତାଙ୍କୁ ଉଦଳା ରାସ୍ତାରେ କାରରୁ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି ।

ପ୍ରାଥମିକ ତଦନ୍ତରୁ ଗାଡିରେ ୩ ଜଣ ଦୁର୍ବୃତ୍ତ ଥିବା ଜଣାପଡିଛି । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।

ଜଳୁଛି ଓଡ଼ିଶା: ଦିନ ସାଢ଼େ ୧୧ଟା ସୁଦ୍ଧା ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଅଗ୍ନୀବର୍ଷା । ତାତି ଓ ଝାଞ୍ଜି ପବନରୁ ମିଳୁନି ତ୍ରାହୀ । ଡହ ଡହ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ତାତି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ରହିଛି ୪ ସହରର ତାପମାତ୍ରା ।

ଝାରସୁଗୁଡା ଓ କେନ୍ଦୁଝରରେ ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୭ ଡିଗ୍ରୀ ଥିବା ବେଳେ, ବାଲେଶ୍ୱରରେ ତାପମାତ୍ରା ୪୦.୧ ଡିଗ୍ରୀ ରହିଛି ।

ଅନ୍ୟ ସହର ଗୁଡିକ ମଧ୍ୟରେ ରାଉରକେଲା ୩୯.୬, ଚାନ୍ଦବାଲି ୩୯.୨, ସମ୍ବଲପୁର ୩୮.୨, ହୀରାକୁଦ ୩୭.୮, ପୁରୀ ୩୪.୪, ପାରାଦୀପ ୩୩.୫ ଓ ଗୋପାଳପୁରରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି । ୨୩ ତାରିଖରୁ କାଳବୈଶାଖୀ ବର୍ଷା କମିବା ସହ ପୁଣି ତାତି ବଢିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କହିଛି ।

ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ; ବିଜେପି ଛାଡି ଶଙ୍ଖ ଫୁଙ୍କିଲେ ବିଜେପି ନେତା ଓ କର୍ମୀ

ଭୁବନେଶ୍ବର: ଭୁବନେଶ୍ବର (ଉତ୍ତର)ରେ ବଢ଼ିଲା ବିଜେଡି ଶକ୍ତି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ନେତା ଓ କର୍ମୀ । ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ବିଜେପି ନେତା ଓ କର୍ମୀ ହୋଇଛନ୍ତି ବିଜେଡିରେ ସାମିଲ ।

ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ । ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ବିଜେପି ନେତା ଓ କର୍ମୀ । ସାଂସଦ ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ ।

ମୁଖ୍ୟମନ୍ତ୍ରୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୨୦୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ପଣ ନେଇଛନ୍ତି ଏହି ନେତା ମାନେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ସ୍ବପ୍ନକୁ ସାକାର କରିବାକୁ ଯାହା ଦାୟିତ୍ବ ମିଳିବ ତୁଲାଇବେ ବୋଲି କହିଛନ୍ତି ।

ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଜେଡି ବିଧାୟକ ପ୍ରାର୍ଥୀ

ଭୁବନେଶ୍ବର: ବିଧାୟକ ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପ୍ରାର୍ଥୀ । କରଞ୍ଜିଆ ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆର ସନାତନ ମହାକୁଡ଼, ସାରସକଣା ପ୍ରାର୍ଥୀ ଦେବାଶିଷ ମାରାଣ୍ଡି, ଚିଲିକା ପ୍ରାର୍ଥୀ ରଘୁନାଥ ସାହୁ, ସିମୁଳିଆ ପ୍ରାର୍ଥୀ ସୁଭାଷିନୀ ସାହୁ, ବଡ଼ଚଣା ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ନବୀନ ନିବାସରେ ପହଞ୍ଚିଥିଲେ । ଟିକେଟ ଦେଇଥିବାରୁ ସେମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଘରକୁ ଘର ବୁଲି ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବା ସହ ନବୀନ ପଟ୍ଟନାୟକଙ୍କ ବିକାଶ କାମକୁ ଆଗକୁ ନେବା ପାଇଁ ସେମାନେ ପ୍ରୟାସ କରିବେ ବୋଲି କହିଛନ୍ତି ।

ନିର୍ବାଚନୀ ପ୍ରଚାରରେ ପିଲାଙ୍କୁ ସାମିଲ କରୁଛି ବିଜେପି, CEOଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବାରମ୍ବାର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି ବିଜେପି ପ୍ରାର୍ଥୀ । ଛୋଟ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବ୍ଯବହାର କରୁଛନ୍ତି । ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ଗତକାଲି ସମ୍ବଲପୁର ବିଧାନସଭା ଆସନ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ୪୫ ଡିଗ୍ରୀ ଖରାରେ ସମ୍ବଲପୁର ବିଜେପି ପାର୍ଟି ଅଫିସରେ ସଭା କାର୍ଯ୍ୟରେ ଛୋଟ ପିଲାଙ୍କୁ ନିୟୋଜିତ କରିଥିବା ଦେଖିବାକୁ ମିଳିଥିଲା । ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ବିଜେଡି । ଗତ ୫ ବର୍ଷରେ ଜୟନାରାୟଣ ମିଶ୍ର ଲୋକଙ୍କ ଲାଗି କିଛି କରି ନାହାନ୍ତି । ତେଣୁ ତାଙ୍କ ସଭାରେ ଲୋକ ହେଉ ନାହାନ୍ତି । ଛୋଟ ପିଲାଙ୍କୁ ସେ ପ୍ରଚାରରେ ଲଗାଉଛନ୍ତି । ଏହାଦ୍ବାରା ଶିଶୁଙ୍କ ଅଧିକାର କ୍ଷୁଣ୍ଣ ହେଉଛି ।

ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ ଓ ବୈଜୟନ୍ତ ପଣ୍ଡା  ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ବିଜେଡି କହିଛି । କେନ୍ଦ୍ରରେ ସରକାର ଥିବାରୁ ନିର୍ବାଚନ କମିଶନଙ୍କୁ ଆଳ କରି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ବିଜେପି ନେତା ଭାବୁଛନ୍ତି । ଏଥିରୁ ବିଜେପି ନିବୃତ୍ତ ରହୁ । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ଗୁରୁତ୍ବ ଦିଅନ୍ତୁ । ବିଜେପି ବିରୋଧରେ ଦୃଢ଼ କଯ୍ୟନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

ଲୋଇସିଂହାରେ ବିଜେଡି ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର, ବିଜେପି ଓ କଂଗ୍ରେସ ଛାଡି ଶଙ୍ଖ ଫୁଙ୍କିଲେ ଶତାଧିକ କର୍ମୀ

ବଲାଙ୍ଗୀର: ତାତି ଯେତିକି ବଢୁଛି ରାଜନୈତିକ ଉଷ୍ମତା ମଧ୍ୟ ସେତିକି ଦେଖିବାକୁ ମିଳୁଛି । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରଚାରକୁ ଜୋରଦାର କରିଛି । ଲୋଇସିଂହା ବ୍ଲକ ଗେର୍ଡି ଗାଁରେ ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଏବଂ ଲୋଇସିଂହା ବିଜେଡ଼ି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ପ୍ରଚାର କରିଛନ୍ତି ।

ଗେର୍ଡିରେ ୪ଟି ପଞ୍ଚାୟତର ଜୋନ ସ୍ତରୀୟ କର୍ମୀ ସମାବେଶ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ସମସ୍ତ ଛାତ୍ର ଓ ଯୁବ ଭୋଟଙ୍କୁ ସ୍ଵାଗତ କରିବା ସହ ଆଗାମୀ ନିର୍ବାଚନରେ ବିଧାନସଭା ଓ ଲୋକସଭା ଆସନରେ ବିଜେଡ଼ି ପ୍ରାର୍ଥୀଙ୍କୁ ବହୁ ମାତ୍ରରେ ଜୟଯୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି । ଏହାସହ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ସମସ୍ତେ ଶପଥ ନେଇଥିଲେ ।

ଏହି ପରିପ୍ରେକ୍ଷୀରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରlଣିତ ହୋଇ ଶତାଧିକ ନୂତନ ଭୋଟର ସହ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ମିଶିଥିଲେ । ତାଙ୍କୁ ସାଂସଦ ପ୍ରାର୍ଥୀ ଓ ବିଧାୟକ ପ୍ରାର୍ଥୀ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ସଭାରେ ଲୋଇସିଂହା ବିଜୁ ଜନତା ଦଳ ବ୍ଲକ ସଭାପତି ହୃଦାନନ୍ଦ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲାପରିଷଦ ସଭ୍ୟା ଲିଲିମା ବେହେରା, ବ୍ଲକ ମହିଳା ସଭାନେତ୍ରୀ ଜୋସ୍ନା ନାଗ, ବଲାଙ୍ଗୀର ଜିଲ୍ଲା ଯୁବ ଉପ ସଭାପତି ନୀତିଶ ଅଗ୍ରୱାଲ, ସଂଯୁକ୍ତା ବରିହା ସହ ଯୁବ, ଛାତ୍ର ଓ ସମସ୍ତ  କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ଅବସରରେ ଅଞ୍ଚଳ ଶତାଧିକ ଜନତା ସାମିଲ ହୋଇଥିଲେ ।