ନନ୍ଦିଘୋଷ ବ୍ୟୁରୋ: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ। ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅଂଚଳର ଏ ଘଟଣା। ଦୀର୍ଘ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ବିବାହ କରିବ ବୋଲି କହି ପ୍ରେମିକାକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦେଇଥିଲା ତବାରସିଂ ଗାଁର ସୁଶାନ୍ତ ବଡ଼ରଇତ ନାମକ ଯୁବକ। ତେବେ କୌଶଳକ୍ରମେ ଖସି ଆସି ଯୁବତୀ ଜଣକ ଥାନାରେ ଜଣାଇଥିଲେ। ଉଭୟଙ୍କୁ ପୋଲିସ ବୁଝାସୁଝା କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲା। ଯୁବତୀ ଜଣଙ୍କୁ ଗାଁରେ ପରିବାର ଲୋକେ ପୁରାଉ ନଥିବାରୁ ଯୁବତୀଙ୍କ ଭରଣପୋଷଣ ଲାଗି ୩ ଲକ୍ଷ ଟଙ୍କା ଦେବାକୁ ଯୁବକ ଜଣକ ରାଜି ହୋଇଥିଲେ। ତେବେ ମାତ୍ର ୪୦ ହଜାର ଟଙ୍କା ଦେଇ ଯୁବକ ଏବେ ଫେରାର ମାରିଛନ୍ତି। ସେପଟେ ଘରେ ପୁରାଉ ନଥିବାରୁ ଯୁବତୀ ଜଣକ ଏବେ ଅସହାୟ ହୋଇ ପଡିଛନ୍ତି।ବର୍ତ୍ତମାନ ରହିବାକୁ ସ୍ଥାନ ନ ପାଇ ପିଡିତା ଏକାକୀ ନ୍ୟାୟ ପାଇଁ ସଙ୍ଘର୍ଷ କରୁଛନ୍ତି। ପୂର୍ବରୁ ସୁଶାନ୍ତ ନାମକ ଯୁବକ ବିବାହ କରିଥିବାବେଳେ ତାଙ୍କର ସନ୍ତାନ ମଧ୍ୟ ରହିଛି। ନ୍ୟାୟ ଦାବି କରି ସେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। ଘଟଣାର ତଦନ୍ତ କରି ନ୍ୟାୟ ଦାବି କରିଛନ୍ତି ସମ୍ପୃକ୍ତ ମହିଳା।
ସୋସିଆଲ ମିଡିଆରେ ଫଟୋ ସେୟାର କଲେ ସାମି, ଜାଣନ୍ତୁ କେମିତି ଅଛି ସ୍ବାସ୍ଥ୍ୟବସ୍ଥା
ନନ୍ଦିଘୋଷ ବ୍ୟୁରୋ: ନିଜ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଛନ୍ତି ସ୍ବିଙ୍ଗ୍ କିଙ୍ଗ୍ ଭାବେ ପରିଚିତ ମହମ୍ମଦ ସାମି । ଅସ୍ତ୍ରୋପଚାର ହେବାପରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହମ୍ମଦ ସାମି । ଏକ୍ସରେ ତିନୋଟି ଫଟୋ ସେୟାର କରିଛନ୍ତି ସାମି । ଯେଉଁଥିରେ ନିଜର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି । ଡାହାଣ ଗୋଡ଼ ଗୋଇଠିରେ ଯନ୍ତ୍ରଣା ହେଉଥିବାବେଳେ ଅସ୍ତ୍ରୋପଚାର ହୋଇଛି । ୨୬ ଫେବୃଆରୀରେ ଅସ୍ତ୍ରୋପଚାର ହୋଇଥିବାବେଳେ ପୂର୍ବରୁ ମଧ୍ୟ ନିଜର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅପଡେଟ୍ ଦେଇଥିଲେ । ବିଶ୍ବକପରେ ହିରୋ ପାଲଟିଥିବା ସାମିଙ୍କ ଅସ୍ତ୍ରୋପଚରା ହୋଇଥିବାବେଳେ ଚଳିତ ଆଇପିଏଲରେ ମଧ୍ୟ ଖେଳିନପାରନ୍ତି । ସେପଟେ ଟି-୨୦ ବିଶ୍ବକପ ହେବାକୁ ଥିବାବେଳେ ସାମି ସୁସ୍ଥ ହୋଇ ଦଳକୁ ଫେରିବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ଗତ ଆଇପିଏଲ ସିଜିନ ଏବଂ ବିଶ୍ବକପରେ ସାମି ପ୍ରଦର୍ଶନ ଭଲ ରହିଥିବାବେଳେ ଟି-୨୦ ବିଶ୍ବକପରେ ସେ ପୁଣି ଦଳକୁ ଫେରନ୍ତୁ ଏବଂ ଟିମ ଇଣ୍ଡିଆକୁ ବିଜୟ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି ।
Hello everyone! I wanted to provide an update on my recovery progress. It has been 15 days since my surgery, and I recently had my stitches removed. I am thankful for the advancements I have achieved and looking forward to the next stage of my healing journey. 🙌 pic.twitter.com/wiuY4ul3pT
— 𝕸𝖔𝖍𝖆𝖒𝖒𝖆𝖉 𝖘𝖍𝖆𝖒𝖎 (@MdShami11) March 13, 2024
ଧୋନୀଙ୍କ ପରେ କିଏ ସମ୍ଭାଳିକ ସିଏସକେ ଭାର
ନନ୍ଦିଘୋଷ ବ୍ୟୁରୋ: ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ମହାସମର। କୁହାଯାଉଛି କି, ଏହି ସିଜିନ ଧୋନୀଙ୍କ ଶେଷ ମ୍ୟାଚ ହୋଇପାରେ। ଆଇପିଏଲକୁ ବାଏ ବାଏ କରିବେ ମାହି। ଯଦି ଧୋନୀ ଅବସର ନିଅନ୍ତି ତାହେଲେ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ କିଏ ହେବେ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏସଦମ୍ପର୍କରେ ଚେନ୍ନାଇ ମ୍ୟାନେଜମେଣ୍ଟ ଏବଂ ମାଲିକ କହିଛନ୍ତି କି, ଆମେ ଏ ସମ୍ପର୍କରେ ଆଲୋଚନା କରିନାହୁଁ। ସମୟ ଦେଖି ଧୋନୀଙ୍କ ଅବସର ପରେ ମ୍ୟାନେଜମେଣ୍ଟ ଘୋଷଣା କରିବ। କହି ରଖୁଛୁ କି, ଧୋନୀଙ୍କ ଅଧିନାୟକତ୍ବରେ ଚେନ୍ନାଇ ୫ଥର ଚାମ୍ପିୟନ ହୋଇଛି। ନିଜ ଆଇପିଏଲ କ୍ୟାରିୟରରେ ୨୫୦ ମ୍ୟାଚ ଖେଳିଛନ୍ତି ଧୋନୀ । ୫ ହଜାରରୁ ଅଧିକ ସ୍କୋର କରିଥିବାବେଳେ ୨୪ ଅର୍ଦ୍ଧଶତକ ମଧ୍ୟ ରହିଛି । ୨୦୧୦ ପ୍ରଥମ ଚାମ୍ପିୟନ ହୋଇଥିଲା ସିଏସକେ । ଶେଷଥର ପାଇଁ ୨୦୨୩ରେ ଚାମ୍ପିୟନ ହୋଇଥିଲା ଚେନ୍ନାଇ ।
ତ୍ରିକୋଣୀୟ ପ୍ରେମରୁ ଅପହରଣ
ଭୁବନେଶ୍ବର: ତ୍ରିକୋଣୀୟ ପ୍ରେମରୁ ଅପହରଣ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲା ପ୍ରଥମ ପ୍ରେମିକ । ଭୁବନେଶ୍ବର ପାର୍ସପୋର୍ଟ ଅଫିସ ସାମ୍ନାକୁ କିଡନାପ କରି ପୁରୀ ନେଇଯାଇଥିଲେ ଅଭିଯୁକ୍ତ । ମାମଲାର ତଦନ୍ତ କରି ପୁରୀରୁ ଅପହୃତ ରାଜା ସେଠୀଙ୍କୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ଯରେ ଦୁଇଜଣ ନାବାଳକ ଥିବା ସୂଚନା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଝିଅର ଭାଇ ପ୍ରକାଶ ନାୟକଙ୍କ ସହ ମିଶି ପ୍ରଥମ ପ୍ରେମିକ ଅଙ୍କିତ କଇଁର ଦୁଇଟି ବାଇକରେ ମାରଣାସ୍ତ୍ର ଦେଖାଇ ରାଜାଙ୍କୁ ଅପହରଣ କରିନେଇଥିଲେ। ଏନେଇ ଯୁବତୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ରହ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି।
କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ
ଭୁବନେଶ୍ୱର: କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରିଛି ଦିଲ୍ଲୀ ମେଟ୍ରୋ ରେଳ ନିଗମ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୂଳିଆ ଯାଏଁ ୨୬ କିଲୋମିଟର ମେଟ୍ରୋ ଟ୍ରେନ ଚାଲିବାକୁ ନିଷ୍ପତ୍ତି ହୋଇଛି। ତେବେ ପ୍ରଥମ ଟେଣ୍ଡରରେ କ୍ୟାପିଟାଲ ହସ୍ପିଟାଲରୁ ଆଚାର୍ଯ୍ୟ ବିହାର ଯାଏଁ ରେଳ ଲାଇନ ବିଛାଇବାକୁ ୬୩୦ କୋଟିର ଟେଣ୍ଡର ବାହାରିଛି।
କ୍ୟାପିଟାଲ ହସ୍ପିଟାଲ, ବାପୁଜୀନଗର, ଭୁବନେଶ୍ୱର ରେଳ ଷ୍ଟେସନ, ରାମ ମନ୍ଦିର, ବାଣୀବିହାର ଓ ଆଚାର୍ଯ୍ୟବିହାର ମେଟ୍ରୋ ଷ୍ଟେସନରେ ଏଲିଭେଟେଡ ବ୍ରିଜ ନିର୍ମାଣ କରିବାକୁ ଟେଣ୍ଡର ଡକାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ମେଟ୍ରୋ ଷ୍ଟେସନ ପାଇଁ ଡିଜିସିଏରୁ ଅନୁମତି ମିଳିବା ପରେ ନିର୍ମାଣ ଆରମ୍ଭ ହେବ। ପୂର୍ବରୁ ଶିଶୁଭବନ ଛକରେ ଷ୍ଟେସନ ହେବାର ଯୋଜନା ଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇ ବାପୁଜୀନଗରରେ ଷ୍ଟେସନ ହେବ। ୭ କିଲୋମିଟରରୁ ଅଧିକ ଏହି ରାସ୍ତାରେ ଏବେ ଗୋଟିଏ ଲାଇନ ବିଛାଯିବ। ଟେଣ୍ଡର ଡକାଯାଇଥିବା ଏହି କାର୍ଯ୍ୟ ସାରିବାକୁ ୩ ମାସ ସମୟ ଦିଆଯାଇଅଛି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ୬୨୨୫ କୋଟି ଟଙ୍କା ରାଜ୍ୟ ସରକାର ବହନ କରିବେ। ୪ ବର୍ଷରେ ସମ୍ପୂର୍ଣ୍ଣ କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି। ଏବେ ଡକାଯାଇଥିବା ଟେଣ୍ଡର ଚୂଡାନ୍ତ କରିବାକୁ ମାର୍ଚ୍ଚ ୧୯ ରେ ବୈଠକ ବସିବ।
ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପ୍ରାପ୍ଯ
ଭୁବନେଶ୍ୱର: ବଢିଲା ମହାନଗର ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରତିନିଧିଙ୍କ ପ୍ରାପ୍ଯ। ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ଭତ୍ତା ଓ ପାରିତୋଷିକ ବୃଦ୍ଧି କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୃତ୍ୟୁ ଏବଂ ଅକ୍ଷମତା କ୍ଷେତ୍ରରେ ଅନୁକମ୍ପା ସହାୟତା ମଧ୍ଯ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ଘୋଷଣା ହୋଇଛି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଏବଂ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି।
ମହାନଗର ନିଗମଗୁଡିକରେ ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପାଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍.ଏ.ସି. କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏହା ବ୍ୟତୀତ ମହାନଗର ନିଗମର ଷ୍ଟାଣ୍ଡିଂ କମିଟି ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ। ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଲେ ପଞ୍ଚାୟତ ପ୍ରତିନିଧି ଏବଂ OPS ସଂଘ
ଭୁବନେଶ୍ୱର: ନବୀନ ନିବାସରେ ପଞ୍ଚାୟତ ପ୍ରତିନିଧିଙ୍କ ଭିଡ଼। ପ୍ରାପ୍ଯ ବଢ଼ିଥିବାରୁ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଭିନ୍ନ ଅଞ୍ଚଳର ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ। ଗତକାଲି ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଦରମା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲା ପରିଷଦ ସଭାପତିଙ୍କଠାରୁ ସରପଞ୍ଚ ପର୍ଯ୍ୟନ୍ତ ମାସିକ ପାରିତୋଷିକ ରାଶିକୁ ୩ ଗୁଣରୁ ଅଧିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାହା ବାବଦରେ ରାଜ୍ୟ ସରକାର ୧୬୨ କୋଟି ୬୮ ଲକ୍ଷ ଟଙ୍କା ଅତିରିକ୍ତ ଅର୍ଥ ବହନ କରିବେ। ଆଶାଠାରୁ ଅଧିକ ମୁଖ୍ୟମନ୍ତ୍ରୀ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ପଞ୍ଚାୟତ ପ୍ରତିନିଧି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଲେ ରାଜ୍ୟ OPS ସଂଘ। ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ବିଭିନ୍ନ ଦାବି ପୂରଣ ନେଇ ଧନ୍ଯବାଦ ଜଣାଇଛନ୍ତି। ଦୀର୍ଘ ଦିନରୁ ସେମାନଙ୍କ କ୍ୟାଡ଼ର ପୁନର୍ଗଠନ ପାଇଁ ଦାବି ଥିଲା। ଯାହା ପୂରଣ ହୋଇଛି। ଏଥିପାଇଁ ଅଧିକ ପଦବୀ ବି ସୃଷ୍ଟି ହୋଇଛି। ଯେଉଁଥିପାଇଁ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଭେଟି କୃତଜ୍ଞତା ଅର୍ପଣ କରିଛନ୍ତି ରାଜ୍ୟ OPS ସଂଘ।
ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟର ମୁସଲମାନ ଭାଇମାନେ ଆଜି ବିରାଟ ପଟୁଆରରେ ନବୀନ ନିବାସ ଆସି ଦାବି ପୂରଣ ଲାଗି ମୁଖ୍ଯମନ୍ତ୍ରୀ ଓ 5T ଅଧ୍ଯକ୍ଷଙ୍କୁ ଧନ୍ଯବାଦ ଜଣାଇଛନ୍ତି । ସେମାନଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମରେ ୨ ଏକର ଜମି କବରସ୍ଥାନ ପାଇଁ, MPCC ଜରିଆରେ ୬୮ ମୁସଲମାନ କମ୍ଯୁନିଟି ସେଣ୍ଟର ପାଇଁ ୩୦ ଲକ୍ଷ ଲେଖାଏଁ ଓ ୱାକଫ ବୋର୍ଡ ଅଫିସ ପାଇଁ ୮ କୋଟି ଟଙ୍କା ମଂଜୁର ହୋଇଛି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡିଶା ଅପସ୍କିଲ୍ଲିଂ ଆଣ୍ଡ ପ୍ଲେସମେଣ୍ଟ ପୋଗ୍ରାମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ଯୁବକ ଯୁବତୀଙ୍କୁ ମିଳିଲା ନିଯୁକ୍ତି
ଭୁବନେଶ୍ୱର: ଦକ୍ଷ ହେଉଛନ୍ତି ଓଡିଶାର ଯୁବପିଢୀ। ଓଡିଶା ଅପସ୍କିଲ୍ଲିଂ ଆଣ୍ଡ ପ୍ଲେସମେଣ୍ଟ ପୋଗ୍ରାମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ୧୮୧ ଜଣ ଯୁବକ ଯୁବତୀଙ୍କୁ ମିଳିଛି ନିଯୁକ୍ତି। ଟେକ୍ ମହିନ୍ଦ୍ରା କମ୍ପାନୀର ଦେଶରେ ଥିବା ବିଭିନ୍ନ କେନ୍ଦ୍ରରେ ମାସିକ ୪ ଲକ୍ଷ ୨୫ ହଜାର ଟଙ୍କା ଦରମାରେ ଏମାନେ ନିଯୁକ୍ତି ପାଇଛନ୍ତି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଏହି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏହି ଅବସରରେ 5T ଅଧ୍ୟକ୍ଷ କହିଛନ୍ତି 5T କାର୍ଯ୍ୟକ୍ରମ ଅଧୀନରେ ଏହା ଏକ ସ୍ବପ୍ନର ପ୍ରକଳ୍ପ। ରାଜ୍ୟର ଶିକ୍ଷିତ ଯୁବବର୍ଗଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଶିକ୍ଷଣ ଓ ନିଯୁକ୍ତିର ଯୋଜନା କରାଯାଉଛି। ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀମାନେ ସଫଳତା ପାଇଥିବାରୁ ସେ ଖୁସି ପ୍ରକାଶ କରିବା ସହ ପରବର୍ତ୍ତୀ ପିଢୀ ପାଇଁ ଏହା ଉଦାହରଣ ସାଜିବ ବୋଲି କହିଛନ୍ତି।
ଖୁବ୍ ଶିଘ୍ର ପରବର୍ତ୍ତୀ ବ୍ୟାଚକୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ଓ ଅଧିକରୁ ଅଧିକ ଯୁବପିଢୀଙ୍କ ପାଇଁ ଏହି କାଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି 5T ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ନିଯୁକ୍ତି ପାଇଥିବା ଯୁବକ ଯୁବତୀମାନେ ମଧ୍ୟ ସରକାରଙ୍କ ଏହି ଦୂରଦୃଷ୍ଟି ସମ୍ପର୍ଣ୍ଣ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଳା ଖଣିଜ ପାଣ୍ଠି ଓ ଟାଟା ଷ୍ଟିଲ ଫାଉଣ୍ଡେସନର ମିଳିତ ସହଯୋଗରେ କରାଯାଉଛି।
‘ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତ୍ତି ସନ୍ତାନଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା’
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତୀ ସନ୍ତାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି। ଏପ୍ରିଲ ୨୦୨୪ରୁ ପ୍ରଦାନ କରାଯିବ ଏହି ସମ୍ମାନ ରାଶି। ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ।
ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ବାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି । ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଅର୍ଥ ସମ୍ମାନ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଏପ୍ରିଲ ମାସରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ।
CAA ବିରୋଧରେ ସାଉଥର ଦୁଇ ବଡ ସୁପରଷ୍ଟାର
ନୂଆଦିଲ୍ଲୀ: ଦେଶରେ ସିଏଏ ଲାଗୁ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସମସ୍ତ ବିରୋଧୀ ଦଳ ବିରୋଧ କରୁଛନ୍ତି। ଏବେ ଏହି ତାଲିକାରେ ସାଉଥର ଦୁଇ ବଡ ବଡ ସୁପରଷ୍ଟାର ମଧ୍ୟ ସାମିଲ ହୋଇଛନ୍ତି। ସୁପରଷ୍ଟାର ଥଲପତି ବିଜୟ ଏବଂ ତାମିଲ ସୁପରଷ୍ଟାର କମଲ ହାସନ ଏହାକୁ ବିରୋଧ କରିବା ସହ କଡା ସମାଲୋଚନା କରିଛନ୍ତି ।
CAA ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କମଲ ହାସନ ଏବଂ ଥଲପତି ବିଜୟ । କମଲ ହାସନ କହିଛନ୍ତି ଯେ, ମୁଁ ଏହି ବିଲ୍ ବିପକ୍ଷରେ ରହିଛି। ଏହା ଭାରତ ପାଇଁ ଅନ୍ଧାକାରର ଦିନ କହି କଡା ସମାଲୋଚନା କରିଛନ୍ତି ।
ନିକଟରେ ଅଭିନୟରୁ ରାଜନୀତିରେ ଏଣ୍ଟ୍ରି କରିଥିବା ଥଲପତି ବିଜୟ ସିଏଏକୁ ବିରୋଧ କରିବା ସହ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଥଲପତି ବିଜୟ ଏହି ନାଗରିକତା ସଂଶୋଧନ ବିଲ୍କୁ ବେକାର୍ ତଥା ଫାଲତୁ ବୋଲି କହିଛନ୍ତି। ଏଥିସହ ତାମିଲନାଡୁରେ ଏହି ସିଏଏକୁ ଲାଗୁ ନକରିବା ପାଇଁ ସେ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି।

