ଓଡି଼ଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ମତଦାନ ହେବାକୁ ଥିବା ବେଳେ ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ବିଶେଷକରି ପ୍ରଥମ ପର୍ଯ୍ୟାୟ ମତଦାନକୁ ନେଇ ଦକ୍ଷିଣ ଓଡ଼ିଶା ରାଜନୀତି ବେଶ୍ ସରଗରମ ହୋଇଉଠିଛି। ଏହି ପର୍ଯ୍ୟାୟରେ ସମସ୍ତ ୪ ଲୋକସଭା ଆସନ ସହ ପ୍ରାୟ ୭ ରୁ ୮ ବିଧାନସଭା ଆସନ ବେଶ୍ ଚର୍ଚ୍ଚାରେ ରହିଛି। ଏଠାରେ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି।

ନର୍ଲା, ନୂଆପଡ଼ା, ପାରଳାଖେମୁଣ୍ଡି, ଧର୍ମଗଡ଼, ଭବାନୀପାଟଣା, କୋରାପୁଟ, ଜୟପୁର ପରି ଆସନରେ ବିଭିନ୍ନ ଦଳର ହେଭିୱେଟ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ନିର୍ବାଚନରେ ବିଜୟ ସଭିଁଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଏହାକୁ ନେଇ ଭୋଟରଙ୍କ ମନରେ ଉତ୍କଣ୍ଠା ଚରମ ସୀମାରେ ପହଞ୍ଚିଛି।