spot_img
Home Blog Page 1998

ବିଜେପି ମାର୍କା ୱାଶିଂ ମେସିନରୁ ସଫାସୁତୁରା ହୋଇ ବାହାରିଛନ୍ତି ବୈଜୟନ୍ତ: ସସ୍ମିତ ପାତ୍ର

ଭୁବନେଶ୍ୱର: ବିଜେପିକୁ ପୁଣି ଧୋଇଲା ବିଜେଡି । ଗୁଣ୍ଡା, ଲୁଟେରାଙ୍କୁ ଦଳରେ ମିଶାଇ କ୍ଲିନଚିଟ ଦେବା ନେଇ ପ୍ରେସମିଟ କରି କଡ଼ାଭାଷାରେ ନିନ୍ଦା କରିଛି ବିଜେଡି । କହିଛି, ଓଡ଼ିଶା ବିଜେପିର ଅନନ୍ୟ, ଅଦ୍ଵିତୀୟ ୱାଶିଂ ମେସିନ ଅଛି । ବିଜେଡିରୁ ଗୁଣ୍ଡା, ଲୁଟେରାଙ୍କୁ ତଡାଗଲେ ବିଜେପି ସେମାନଙ୍କୁ କୋଳେଇ ନେଇ ସେହି ଅଦ୍ଵିତୀୟ ୱାଶିଂ ମେସିନରେ ପୂରାଇ ନିର୍ମଳ ଭାବମୂର୍ତ୍ତିରେ ପରିଣତ କରିଥାନ୍ତି । ତାଙ୍କୁ ପରବର୍ତ୍ତୀ ସମୟରେ ପୋଷ୍ଟର ବୟ କରେ ବିଜେପି । ନିର୍ବାଚନରେ ଦଳୀୟ ପ୍ରାର୍ଥୀ କରନ୍ତି ।

ବୈଜୟନ୍ତ ପଣ୍ଡାଙ୍କ ଉଦାହରଣ ଦେଇ ବିଜେଡି, ତାଙ୍କୁ ୱାଶିଂ ମେସିନରୁ ଧୋଇ ହୋଇ ବାହାରିଥିବା ନେତା କହିଛି । ବୈଜୟନ୍ତ ଚଞ୍ଚକତା କରି ଏସସି ଜମିକୁ କମ୍ପାନୀ ଆଳରେ ସରୁଅରେ ନେଇଗଲେ । ସେଠି ଷ୍ଟୁଡିଓ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ଗରିବ ଜମି ଫେରାଇବାକୁ ନାରାଜ । ଆଶ୍ଚର୍ଯ୍ୟ କଥା, ସେ ବାରମ୍ବାର କହିଛନ୍ତି ଗରିବଙ୍କ ନେତା, ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ହେଲେ ଗରିବଙ୍କ ୫ ଏକର ଜମି ଫେରାଇବାକୁ ନାରାଜ । ବୈଜୟନ୍ତଙ୍କ ଟିଭି କମ୍ପାନୀକୁ ତିନୋଟି ବାହାର କମ୍ପାନୀରୁ ୧୭ କୋଟି କଳା ଧନ ଆସିଲା । ଏହି ମାମଲା ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି । ଯାହା ବାହାମାସ ସ୍କାମ ନାଁରେ ପରିଚିତ ।

ଆଜିକାଲି ବୈଜୟନ୍ତ ପଣ୍ଡା ବିଜୁଳି କଥା କହୁଛନ୍ତି । ୨୦୧୭, ୨୦୦୧୮ ଓ ୨୦୧୯ ରେ ତାଙ୍କ ମାଲିକାନାର କମ୍ପାନୀ ବିଜୁଳି ଦେୟ ୪୮୦ କୋଟି ଦେଇଥାନ୍ତେ । ଯେତେବେଳେ ପେମେଣ୍ଟ କରିବାକୁ କୁହାଗଲା, ସୁପ୍ରିମକୋର୍ଟ ଗଲେ ଓ ଦେବେନି ବୋଲି କହିଲେ । ଏହି ବିଲ ଦେଇଥିଲେ, ଅନେକ ଭଲ କାମ ହୋଇ ପାରିଥାନ୍ତା । ୨୩ଶହ କୋଟି ଋଣ ବୈଜୟନ୍ତ ପଣ୍ଡାଙ୍କ କମ୍ପାନୀ ଉପରୁ ଛାଡ଼ କରିଥିଲେ ବିଭିନ୍ନ ବ୍ୟାଙ୍କ । ଚାଷୀ କି ମଧ୍ୟବିତ୍ତଙ୍କ ଋଣ ଛାଡ଼ ହେଉନି । ଯଦି ଏହି ଟଙ୍କା ଛାଡ଼ ହୋଇ ନଥାନ୍ତା, ସ୍କୁଲ ହସ୍ପିଟାଲ ହୋଇ ପାରିଥାନ୍ତା । ସେ ବିଷୟରେ ପଦେ କହୁ ନାହାନ୍ତି ବୈଜୟନ୍ତ।

ସେହିପରି ପ୍ରଶାନ୍ତ ଜଗଦେବଙ୍କ ସ୍ଥାନ ଜେଲରେ ବୋଲି ଅପରାଜିତା ଷଡ଼ଙ୍ଗୀ କହୁଥିଲେ । ଆଜି କହୁଛନ୍ତି କର୍ମଠ । ସେହି ଲୋକଙ୍କୁ ଡ଼ିଫେଣ୍ଡ କରୁଛନ୍ତି ଯିଏ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ । ପ୍ରଦୀପ ପାଣିଗ୍ରାହୀ ଵି ବିଜେପିରେ ମିଶିଲେ । ସେ ଯୁବକଙ୍କୁ ଟାଟାରେ ଚାକିରୀ କରାଇଦେବା ନାଁରେ ଠକୁଥିଲେ । ବିଜେପି ତାଙ୍କୁ ସଂସଦ ପଠାଇବାକୁ ପ୍ରାର୍ଥୀ କଲା । ସେ ସମସ୍ତଙ୍କ ବିରୋଧରେ ବିଜେପି ସହ ଆନ୍ଦୋଳନ କରୁଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କୁ ଚିଟ ଫଣ୍ଡ ଚୋର କହୁଥିଲେ । ଏହା ବିଜେପିର ଅସଲ ଚେହେରା । ଜମି ଜବରଦଖଲକାରୀ, ଠକ, ଗୁଣ୍ଡା, କଳାବଜାରୀଙ୍କୁ ଫୁଳମାଳ ପକାଇ ସ୍ୱାଗତ କରି ପ୍ରାର୍ଥୀ କରେ ବିଜେପି । ଏହା ଦ୍ୱାରା ସ୍ପଷ୍ଟ ଯେ ଲୋକ କାହାକୁ ଭୋଟ ଦେବେ, କ୍ରିମିନାଲ ବିଜେପିକୁ ନା ବିକାଶ କରୁଥିବା ବିଜେଡିକୁ ।

କେନ୍ଦ୍ର ଉପରେ ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ; କହିଲେ, ସଚ୍ଚୋଟ ଅଧିକାରୀଙ୍କ ବିରୋଧରେ କରାଯାଉଛି ଷଡଯନ୍ତ୍ର

ଭୁବନେଶ୍ୱର: ବିଜେପି ଯାହା ଚାହୁଁଛି ତାହା କରୁଛି। ସିଏମଓର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। ଏଭଳି ଜଣେ ଅଫିସର ନିଜ ଜୀବନକୁ ବାଜି ଲଗାଇ ଓଡ଼ିଶାକୁ ନକ୍ସଲମୁକ୍ତ କରିଛନ୍ତି। ତାଙ୍କ ଭଳି ଅଫିସରଙ୍କ ବିରୋଧରେ ପଦକ୍ଷେପ ନେବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।

ଗଜପତି ହେଉ କିମ୍ବା ଆଇଜି ଅପରେସନ ନକ୍ସଲ ହଟାଇବାରେ ସେ ବଡ଼ ଭୂମିକା ଗ୍ରହଣ କରିଥିଲେ । ଏବେ ବି ତାଙ୍କ ଜୀବନ ପ୍ରତି ବିପଦ ଅଛି । ଛତିଶଗଡ଼ରେ ନକ୍ସଲ କାର୍ଯ୍ୟକଳାପ ବନ୍ଦ ହୋଇପାରିନଥିବାବେଳେ ଓଡ଼ିଶାରେ ବହୁତ ପରିମାଣରେ ହ୍ରାସ ପାଇଛି । ତେଣୁ ଜଣେ ସଚ୍ଚୋଟ ଅଧିକାରୀଙ୍କ ବିରୋଧ ପଦକ୍ଷେପକୁ ନାପସନ୍ଦ କରିଛନ୍ତି ପାଣ୍ଡିଆନ୍।

ରାଜନୈତିକ ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ସନ୍ଦେହ କରୁଛନ୍ତି ପାଣ୍ଡିଆନ୍। ନିର୍ବାଚନ ସମୟରେ କେନ୍ଦ୍ରର ଏଭଳି କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିପାରୁନାହାନ୍ତି ସାଧାରଣ ଜନତା। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ କି ବିଜେଡି କେବେ ଅଫିସରମାନଙ୍କୁ କୌଣସି ନିର୍ବାଚନ ପ୍ରକ୍ରିୟାରେ କେବେ ବି ବ୍ଯବହାର କରିନାହାଁନ୍ତି । ବିଜେଡି ବହୁତ ଷ୍ଟ୍ରଙ୍ଗ ଅଛି । କୋଟିଏ ସଦସ୍ଯତା ରହିଛି । ଅଫିସରଙ୍କ ସାହାଯ୍ୟ ବିଜେପିକୁ ପଡିପାରେ କିନ୍ତୁ ବିଜେଡିକୁ ନୁହଁ ବୋଲି କହିଛନ୍ତି ପାଣ୍ଡିଆନ ।

ପରିବାରର ୮ ଜଣଙ୍କୁ ଜୀବନରୁ ମାରିବା ପରେ ଯୁବକଙ୍କ ଆତ୍ମହତ୍ୟା

ଛିନ୍ଦୱାଡା: ମଧ୍ୟପ୍ରଦେଶ ଛିନ୍ଦୱାଡା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗୋଟିଏ ପରିବାରର ୮ ଜଣଙ୍କ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଘରର ମୁଖିଆ ଏହି ହତ୍ୟାକାଣ୍ଡ ଭିଆଇବାପରେ ଆତ୍ମହତ୍ୟା କରିଛନ୍ତି। ମାହୁଲଝିର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ହତ୍ୟାକାଣ୍ଡର କାରଣ କ’ଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ହୃଦୟ ବିଦାରକ ଘଟଣା ମାହୁଲଝିର ଥାନା ଅନ୍ତର୍ଗତ ବୋଦଲ କଛର ଗାଁରେ ଘଟିଛି। ସୂଚନା ଅନୁଯାୟୀ ପରିବାରର ମୁଖିଆ ନିଜ ମା, ବାପା, ଭାଇ, ପତ୍ନୀ ଏବଂ ପିଲାମାନଙ୍କୁ ହତ୍ୟା କରିଛି। ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା ।

ତେବେ ଘଟଣା ପରେ ପୂରା ଗାଁକୁ ସିଲ୍ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ। ଅପରପକ୍ଷେ ସମ୍ପୃକ୍ତ ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ନେଇ ଚର୍ଚ୍ଚା ହେଉଛି ।

 

ଗୁଜରାଟ ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣା; ମୃତକଙ୍କ ମଧ୍ୟରେ ରହିଛନ୍ତି ମାଲିକ

ରାଜକୋଟ: ଗୁଜରାଟ ରାଜକୋଟସ୍ଥିତ ଟିଆରପି ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ମାଲିକ ପ୍ରକାଶ ହିରାନଙ୍କ ମୃତ୍ୟୁ ଘଟିଛି।

ଡିଏନଏ ଟେଷ୍ଟିଂରୁ ପ୍ରକାଶଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାସ୍ଥଳରୁ ମିଳିଥିବା ସାମ୍ପଲ ସହ ଡିଏନଏ ମ୍ୟାଚ୍ କରିଥିବା ନେଇ ସୂଚନା ଦେଇଛନ୍ତି ପ୍ରକାଶଙ୍କ ମା’ । ଏହି ଗେମିଂ ଜୋନର ଜଣେ ମୁଖ୍ୟ ଶେୟାର ହୋଲ୍ଡର ଥିଲେ ପ୍ରକାଶ । ତେବେ ଅଗ୍ନିକାଣ୍ଡ ସମୟରେ ଘଟଣାସ୍ଥଳରେ ପ୍ରକାଶ ଥିବାନେଇ ସିସିଟିଭି ଫୁଟେଜରୁ ଜଣାପଡିଛି ।

ତେବେ ପ୍ରକାଶଙ୍କ ଭାଇ ପୋଲିସ ସହ ଆଲୋଚନା କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଜିତେନ୍ଦ୍ର ହିରାନଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣା ପରଠାରୁ ପ୍ରକାଶଙ୍କ ଖୋଜଖବର ମିଳିନଥିବା ବେଳେ ତାଙ୍କ ଫୋନ୍ ସୁଇଚଅଫ୍ ଦେଖାଉଥିଲା । ଏପରିକି ତାଙ୍କ କାର୍ ଅଗ୍ନିକାଣ୍ଡ ହୋଇଥିବା ପାଖରେ ଦେଖିବାକୁ ମିଳିଥିଲା । ଅପରପକ୍ଷେ ଜିତେନ୍ଦ୍ରଙ୍କ ସୂଚନା ପରେ ପରିବାର ବର୍ଗଙ୍କ ଡିଏନଏ ସାମ୍ପଲ୍ ଗ୍ରହଣ କରାଯାଇଥିଲା । ଯାହାପରେ ମୃତ ବ୍ୟକ୍ତିଙ୍କ ସହ ଡିଏନଏ ମ୍ୟାଚ୍ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ୨୭ ଜଣଙ୍କ ମୃତ୍ୟୁ ଘଟିଛି । ୬ ଜଣଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଥିଲା, ଯେଉଁଥିରେ ପ୍ରକାଶଙ୍କ ନାମ ମଧ୍ୟ ସାମିଲ ଥିଲା । ସେପଟେ ଏହି ଘଟଣାରେ ଗୁଜରାଟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ବଦଳି କରିଛନ୍ତି। ବଦଳି ହୋଇଥିବା ଅଫିସରଙ୍କ ମଧ୍ଯରେ ରହିଛନ୍ତି ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ। ଏହି ଭୟାନକ ଘଟଣାରେ ରାଜ୍ଯ ସରକାରଙ୍କୁ ଗୁଜରାଟ ହାଇକୋର୍ଟ ଭର୍ତ୍ସନା କରିବା ପରେ ପରେ ଏହି ବଦଳି କରାଯାଇଛି।

ମେ ୨୫ ତାରିଖରେ ରାଜକୋଟର ନାନା-ମାଭା ଅଞ୍ଚଳରେ ଥିବା ଟିଆରପି ଗେମ ଜୋନରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଘଟଣାରେ ଏଯାବତ୍ ଅନେକ ଶିଶୁଙ୍କ ସମେତ ୨୭ ଜଣଙ୍କ ପ୍ରାଣ ଯାଇଛି।

 

ଘରେ ରହି ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ

କାକଟପୁର: ଘରେ ରହି ଭୋଟ ଦେଲେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ। ଓଡିଶାରେ ଚତୃର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କିଛି ଦିନ ଥିବାବେଳେ କାକଟପୁର ନିର୍ବାଚନମଣ୍ଡଳୀରେ ଆରମ୍ଭ ହୋଇଛି ହୋମ ଭୋଟିଂ। ଆଉ ପୋଲିଂ ବୁଥକୁ ଯାଇ ଲାଇନରେ ଠିଆ ହେବେନି ୮୫ବର୍ଷରୁ ଅଧିକ ବର୍ଷର ବୃଦ୍ଧବୃଦ୍ଧା ଏବଂ ଦିବ୍ୟାଙ୍ଗ ଭୋଟର।

ମତଦାନ ହାର ବଢ଼ାଇବାକୁ ନିର୍ବାଚନ ଆୟୋଗଙ୍କ ଲକ୍ଷ୍ୟ ରହିଛି। ଏନେଇ ମତଦାନ କେନ୍ଦ୍ର ନୁହେଁ ଘରେ ପହଂଚିଥିଲେ ପୋଲିଂ ଅଫିସର। ସାଙ୍ଗରେ ନେଇଥିଲେ ଭୋଟ ବାକ୍ସ। ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀ ଅସ୍ତରଙ୍ଗ, କାକଟପୁର, ଗୋପ ଓ କୋଣାର୍କରେ ଜିଲ୍ଲାପ୍ରଶାସନ ପକ୍ଷରୁ ପୋଲିଂ ଅଧିକାରୀ ଆରମ୍ଭ କରିଛନ୍ତି ହୋମ ଭୋଟିିଂ ପ୍ରକ୍ରିୟା। ଏହି ମହାନ ପର୍ବରେ ସାମିଲ ହୋଇଥିଲେ କାକଟପୁରର ୯୦ରୁ ଅଧିକ ଭୋଟର।

ନେଲା ବେଳକୁ ଚତୁର୍ଭୂଜ, ଦେବା ବେଳକୁ ଖାଲିହାତ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: କେନ୍ଦ୍ରର ପୋଲ ଖୋଲିଦେଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। କହିଲେ ନେଲା ବେଳକୁ ଚତୁର୍ଭୂଜ, ଦେବା ବେଳକୁ ଖାଲିହାତ। ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍।

ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ଯ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶୃତି, ଗର୍ଭଗୃହ ଖୋଲିବା ପ୍ରସଙ୍ଗ ଉଠାଇ ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ।

ଟ୍ରକକୁ ପିଟିଲା ବସ୍, ଜଣେ ମୃତ ଓ ୧୦ରୁ ଅଧିକ ଆହତ

ବଡ଼ଚଣା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଥାନା ଅଧୀନ ବନ୍ଦାଳ ନିକଟରେ ବସ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବାରିପଦାରୁ ଏକ ଘରୋଇ ବସଟି କଟକ ଅଭିମୁଖେ ଯାଉଥିବା ବେଳେ ବନ୍ଦାଳ ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବସର ଆଗ କ୍ୟାବିନଟି ସମ୍ପୂର୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଘଟଣାସ୍ଥଳରେ ବସ ଡ୍ରାଇଭରର ମୃତ୍ୟୁ ହୋଇଛି। ଆହତ ହୋଇଥିବା ୧୦ ଯାତ୍ରୀଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି। ସେହିପରି ଗୁରୁତର ଥିବା ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ଆଖି ଲାଗି ଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା, ତିନି ରଥରେ ଯୋଡ଼ା ହେବ ଚକ-ଅଖ

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ। ସେଥିପାଇଁ ପରମ୍ପରା ମୁତାବକ ରଥଖଳାକୁ ବିଜେ ହେବ ଆଜ୍ଞାମାଳ । ତିନି ରଥରେ ଯୋଡ଼ା ହେବ ଚକ-ଅଖ। ବିଧି ଅନୁସାରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।

୩ ପୂଜାପଣ୍ଡା ସକାଳ ଧୂପ ପରେ ୩ଟି ଆଜ୍ଞାମାଳ ଆଣି ୩ ରଥର ଚକ ଅଖ ନିକଟରେ ଲାଗି କରିବା ପରେ ବିଶ୍ୱକର୍ମାମାନେ ଅନୁକୁଳ କରିଥାନ୍ତି । ସେପଟେ ରଥ ଖଳାରେ ୩ ରଥର ୩ଟି ନାହାକା ଅଖ ଓ ୬ଟି ଚକ ପ୍ରସ୍ତୁତ କରି ରଖାଯାଇଥିବା ବେଳେ, ଶୀତଳ ଷଷ୍ଠୀ ପୂର୍ବରୁ ୪୨ଟି ଚକକୁ ୨୧ଟି ଅଖ ସଂପୂର୍ଣ୍ଣ କରି ଡେରାଯିବ। ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନର ପଟୁଆରରେ ବଡ଼ଦାଣ୍ଡରେ ଉଭା ହେବେ ଦେବଦେବୀ। ହଜାର ହଜାର ଶ୍ରଦ୍ଧାଳୁ ସାଧୁସନ୍ଥଙ୍କ ଗହଣରେ ନରେନ୍ଦ୍ର ଚକଡା଼ରେ ପହଞ୍ଚିବେ ଚନ୍ଦନ ଠାକୁର ।

ଶ୍ରୀରାମକୃଷ୍ଣ ଓ ମଦନମୋହନ, ଲକ୍ଷ୍ମୀ ସରସ୍ବତୀଙ୍କ ସହ ପଞ୍ଚମହାଦେବ ନରେନ୍ଦ୍ର ଜଳରେ ନନ୍ଦା ଓ ଭଦ୍ରାରେ ଅଧିଷ୍ଠିତ ହୋଇ ୨୧ ବାର ଚାପ କ୍ରୀଡା କରିବେ । ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଉପକୂଳ ଓଡିଶାରେ ଆହୁରି ବଢିବ ତାତିର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ପାରଦ। ପଶ୍ଚିମରେ ଅସମ୍ଭାଳ ତାତି ଉପକୂଳରେ ଅସହ୍ୟ ଗୁଳୁଗୁଳି। ଉପକୂଳ ଓଡିଶାରେ ଆହୁରି ବଢିବ ତାତିର ପ୍ରକୋପ। ଆଜି ଏବଂ ଆସନ୍ତାକାଲି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟୱେଭ କଣ୍ଡିସନ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ତେବେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ବିଜୁଳି ଘଡଘଡି ସହ ବର୍ଷା ଓ ଝଡତୋଫାନ ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଅନ୍ୟପଟେ ମେ ୩୧ରୁ ଜୁନ ୧ ତାରିଖ ସୁଦ୍ଧା ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ। ମୌସୁମୀ ବାୟୁ କେରଳ ଆସିବା ନେଇ ପାଗ ଅନୁକୂଳ ରହିଛି।

କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ। ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି।

ଆଜି ନିମାପଡାରେ ନବୀନଙ୍କ ରୋଡ ଶୋ’

ନିମାପଡା: ଆଜି ନିମାପଡାରେ ନବୀନ ଶୋ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ରୋଡ ଶୋ’ କାର୍ଯ୍ୟକ୍ରମ ପାଇଁ ଉତ୍ସାହିତ ବିଜେଡି ଶିବିର। ରୋଡ ଶୋ’ ଦ୍ବାରା ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ସଂଧ୍ୟାରେ ନିମାପଡାରେ ଏହି ରୋଡ ଶୋ’ କାର୍ଯ୍ୟକ୍ରମ ରହିଛି। ଗୁଲଗୁଲା ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ବମ୍ବେ ଢାବା ଛକରେ ଶେଷହେବ।

ଏହି ରୋଡ ଶୋ ବେଳେ ଦଳୀୟ ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିବେ ମୁଖ୍ୟମନ୍ତ୍ରୀ। ରୋଡ ଶୋ ପାଇଁ କଡ଼ାକଡ଼ି ହେବ ସୁରକ୍ଷା ବ୍ଯବସ୍ଥା । ନବୀନଙ୍କ ଗସ୍ତକୁ ନେଇ ବିପୁଳ ଜନସମାଗମ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମସ୍ତ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ନବୀନଙ୍କ ଝଲକ ପାଇଁ ପ୍ରବଳ ଜନସମାଗମ ହେବାର ସମ୍ଭାବନା ରହିଛି।