ନନ୍ଦିଘୋଷ ବ୍ୟୁରୋ: ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ବିଜେପିକୁ ଫେରିବା ନେଇ ସେ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି । ଏହି କଥା ନିର୍ବାଚନ ଆଗରୁ ମଧ୍ଯ ଘୋଷଣା କରିଥିଲେ ଯେ ବିଧାୟକ ଭାବେ ଜିତିଲେ ଦଳକୁ ଫେରିବେ । ଏଥର ନିର୍ବାଚନରେ ଧର୍ମଶାଳାରୁ ହିମାଂଶୁଙ୍କୁ ପ୍ରାର୍ଥୀ କରିନଥିଲା ବିଜେପି । ବିଦ୍ରୋହୀ ପ୍ରାର୍ଥୀ ଭାବେ ସେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛନ୍ତି । ଜିତିବା ପରେ ସେ ପୁଣି ଥରେ ବିଜେପିକୁ ଫେରିଆସିଛନ୍ତି ।
ଜାଣନ୍ତୁ ନବୀନଙ୍କୁ କାହିଁକି ଏତେ ଭଲ ପାଆନ୍ତି ଜନତା
ନନ୍ଦିଘୋଷ ବ୍ୟୁରୋ: ନବୀନ ପଟ୍ଟନାୟକ। ଏକ ଦର୍ଶନ, ଏକ ସିଦ୍ଧାନ୍ତ । ସାଢେ ଚାରିକୋଟି ଓଡ଼ିଆଙ୍କ ସ୍ପନ୍ଦନ। ନମ୍ର, ନିରବ, ପ୍ରବୀଣ, ଦୃଢପ୍ରତିଜ୍ଞ ଦୂରଦ୍ରଷ୍ଟା । ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ ନବୀନ ପଟ୍ଟନାୟକ। ଓଡ଼ିଶା ବିକାଶର ମଙ୍ଗୁଆଳ। ଜନତାଙ୍କ ସେବକ, ନବୀନ ଓଡ଼ିଶାର ବିନ୍ଧାଣୀ । ରୂପାନ୍ତରିତ ଓଡ଼ିଶାର ରୂପକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫଳ ରାଜନେତା, ଜନପ୍ରିୟ ମୁଖ୍ୟମନ୍ତ୍ରୀ । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ବିଜୁ ପଟ୍ଟନାୟକ ରାଜ୍ୟ ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାଙ୍କ ସୁପୁତ୍ର ୨୪ ବର୍ଷର ଶାସନ ପରେ ଆଜି ଇସ୍ତଫା ପ୍ରଦାନ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ବହୁମତ ନମିଳିବା ଯୋଗୁ ସେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପ୍ରଦାନ କରିଛନ୍ତି।
ନିର୍ବାଚନରେ ବିଜୁ ଜନତା ଦଳକୁ ମାତ୍ର ୫୧ଟି ଆସନ ମିଳିଥିବା ବେଳେ, ବିଜେପିକୁ ୭୮ଟି ଆସନ ମିଳିଛି। ବିଜୁ ବାବୁଙ୍କ ଦାୟାଦ ଭାବେ ଯେ ନବୀନ ଦିନେ ଓଡିଶାକୁ ନିରବିଚ୍ଛିନ୍ନ ଭାବେ ସୁଶାସନ ଦେଇଆସିବେ ଏକଥା ବୋଧହୁଏ ବାପା ବିଜୁ ପଟ୍ଟନାୟକ ବି କଳ୍ପନା କରିନଥିଲେ । କିନ୍ତୁ ବିଜୁଙ୍କ ଅବର୍ତ୍ତମାନରେ ସମୟ ଚକ୍ରରେ ଓଡ଼ିଶାବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନବୀନ ୫୦ ବର୍ଷ ବୟସରେ ରାଜନୀତିରେ ପାଦ ଥାପିଥିଲେ । ଆଉ ବନିଗଲେ ଓଡ଼ିଶାବାସୀଙ୍କ ଅତି ଆପଣାର । ସମୟ ଏମିତି ଆସିଛି, ନବୀନଙ୍କୁ ବାଦ ଦେଇ ଓଡିଶା ଶାସନର କଥା ଚିନ୍ତା କରାଯାଇପାରିନାହିଁ। ତେବେ ପରିବର୍ତ୍ତିତ ପରିସ୍ଥିତିରେ ନବୀନଙ୍କୁ ଆଜି ସରକାରରୁ ହଟିବାକୁ ପଡିଛି।
୨୪ ବର୍ଷ ଲୋକଙ୍କ ଭଲ ପାଇବା ପ୍ରତିବଦଳରେ ନବୀନ ମଧ୍ୟ ନିଜର ସବୁ ସୁଖ ସ୍ବାଚ୍ଛନ୍ଦକୁ ଆଡେଇଦେଇ ରାଜ୍ୟବାସୀଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ରାଜନୀତିକୁ ଆସିବା ପୂର୍ବରୁ ନବୀନ ଥିଲେ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ସାରସ୍ବତ ସାଧକ । ୧୯୮୫ରୁ ୧୯୯୩ ମଧ୍ୟରେ ସେ ଚାରୋଟି ବହି ଲେଖିଛନ୍ତି । ୧୯୮୩ରେ ନବୀନଙ୍କ ପରିଚୟ ହୋଇଥିଲା ଆମେରିକାର ପୂର୍ବତନ ପ୍ରଥମ ମହିଳା ଜାକଲିନ କେନେଡିଙ୍କ ସହ । ଉଭୟ ମିଳିତ ଭାବେ ଦୁଇଟି ବହି ଲେଖିଥିଲେ । ନବୀନଙ୍କ ଲିଖିତ ଏ-ସେକେଣ୍ଡ ପାରାଡାଇଜ୍, ଏ-ଡେଜାର୍ଟ କିଙ୍ଗଡମ୍, ଦ ଗାର୍ଡେନ ଅଫ ଲାଇଫ ଭଳି ପୁସ୍ତକ ବିଶ୍ବ ଦରବାରରେ ବେଶ ଆଦୃତ ହେବା ସହ ବେଷ୍ଟ ସେଲରର ମାନ୍ୟତା ପାଇଛି ।
ନବୀନ ଜଣେ ଅତି ଭ୍ରମଣପ୍ରିୟ ବ୍ୟକ୍ତି । ରାଜନୀତିକୁ ଆସିବା ପୂର୍ବରୁ ନିଜ ବନ୍ଧୁମାନଙ୍କ ସହ ଦେଶ ବିଦେଶର ବହୁ ଅଞ୍ଚଳ ବୁଲିଛନ୍ତି । ୧୯୮୮ରେ ଦି ଡିସିଭର୍ସ ନାମକ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । କେବଳ ସେତିକି ନୁହେଁ, ନବୀନ ଜଣେ ଭଲ ଚିତ୍ରକର ମଧ୍ୟ । ଏବେ ବି ଫୁରସତ ମିଳିଲେ ନବୀନ ଚିତ୍ର ଆଙ୍କନ୍ତି । ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ବଡ଼ ଦିଗ ହେଉଛି ସେ କମ କୁହନ୍ତି । ଶତ ଚେଷ୍ଟା କଲେ ମଧ୍ୟ ତାଙ୍କ ମୁହଁରୁ ଆପଣ ସେଇ କଥା ଶୁଣିବାକୁ ପାଇବେନି, ଯାହା ସେ କହିବାକୁ ଚାହାନ୍ତି ନାହିଁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ବହୁ ବଡ଼ବଡ଼ ରଥୀ ମହାରଥୀ ତାଙ୍କୁ ବୁଲେଇ ବଙ୍କେଇ ବିଭିନ୍ନ ସମୟରେ ଅସୁବିଧାରେ ପକେଇବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।
ନବୀନଙ୍କ ମାଇଣ୍ଡ ଓ୍ୱାସ୍ କରିବା ସମ୍ଭବ ନୁହେଁ, ଏକଥାକୁ ସେ ବାରମ୍ବାର ପ୍ରମାଣିତ କରିଛନ୍ତି । ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ପାଦଥାପିଥିଲେ ନବୀନ । ସେତେବେଳେ ତାଙ୍କୁ ରାଜନୀତିର ଗ୍ରୀନହର୍ଣ୍ଣ ବୋଲି କୁହାଯାଉଥିଲା । କିନ୍ତୁ ରାଜନୀତିର ର-ଅକ୍ଷର ଜାଣିନଥିବା ଏହି ନେତା ଯେ ଏତେ ବିଚକ୍ଷଣ ଓ ଧୁରୀଣ ଜନନେତା ସାଜିବେ ଏକଥା ସେ ସମୟର କୌଣସି କଥାକଥିତ ବରିଷ୍ଠ ନେତା କି ରାଜନୈତିକ ବିଶ୍ଳେଷକ ଠଉରାଇ ପାରିନଥିଲେ । ନବୀନ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। କିନ୍ତୁ ଆଜି ମଧ୍ୟ ଓଡ଼ିଶାରେ ତାଙ୍କ ସମକକ୍ଷ ନେତା ନାହାଁନ୍ତି କି ଓଡିଶାବାସୀ ବି ନବୀନଙ୍କୁ ଭୁଲି ନାହାନ୍ତି।
୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହୋଇଥିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ୧୯୯୯ ମହାବାତ୍ୟା ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡିଶାବାସୀ ଭରସା କଲେ ନବୀନ ପଟ୍ଟନାୟକଙ୍କୁ । ନବୀନ ମଧ୍ୟ ଓଡିଶାବାସୀଙ୍କୁ ଭେଟିଦେଲେ ଦୁର୍ନୀତିମୁକ୍ତ, ସ୍ବଚ୍ଛ, ଲୋକାଭିମୁଖୀ ଶାସନ । ସିଏ ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ପ୍ରଶାସକ। ଦୁର୍ନୀତିର ଛିଟା ପଡିବା ମାତ୍ରେ କାର୍ଯ୍ୟାନୁଷ୍ଠାନ। ଗତ ୨୫ ବର୍ଷରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡିଛନ୍ତି ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି ଆଗରେ। ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ ହାର ବଢିଥିଲା। ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ୨୭ରୁ ୨୯ ପ୍ରତିଶତ ଭୋଟ ପାଇଥିଲା ।
୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା । ତେବେ ଚଳିତ ନିର୍ବାଚନରେ ଭୋଟ ହାର ୪୦ ପ୍ରତିଶତକୁ ଖସି ଆସିବା ଫଳରେ ଦଳର ଆସନ ସଂଖ୍ୟା ୫୧କୁ ଖସି ଆସିଥିଲା। ତେବେ ଏହା ପୂର୍ବରୁ କେବଳ ସମସ୍ତ ସାଧାରଣ ନିର୍ବାଚନ ନୁହେଁ, ସବୁ ପୌର ଓ ପଂଚାୟତ ନିର୍ବାଚନରେ ବି ବିଜେଡି କରି ଆସୁଥିଲା ବାଜିମାତ । ଯାହାକି ନବୀନଙ୍କ ବିକାଶର କ୍ରେଜକୁ ପ୍ରମାଣିତ କରିଛି । ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ଓଡିଶା – ଯାହା ଦିନେ ସ୍ବପ୍ନ ଲାଗୁଥିଲା ନବୀନଙ୍କ ନେତୃତ୍ବରେ ତାହା ସମ୍ଭବ ହୋଇଛି । ଭୋକର ଭୁଗୋଳରୁ ଓଡିଶା ବିକାଶର ପ୍ରୟୋଗଶାଳରେ ପରିଣତ ହୋଇଥିଲା।
ରାଜ୍ୟବାସୀଙ୍କ ସ୍ବାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି । ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟର ଏହି ଖେଳାଳି ପ୍ରମାଣିତ କରିଛନ୍ତି, ବିଶ୍ବ ଦରବାରରେ ଓଡିଆ ଅଛୁଆଁ ନୁହେଁ । ଆକ୍ଷେପ-ପ୍ରତିଆକ୍ଷେପର ଚିରାଚରିତ ରାଜନୀତିରୁ ବହୁ ଉର୍ଦ୍ଧ୍ବରେ ରହି ସକାରାତ୍ମକ ରାଜନୀତିର ନୂଆ ଧାରା ଆରମ୍ଭ କରିଥିଲେ ନବୀନ ପଟ୍ଟନାୟକ । ଧର୍ଯ୍ୟ ଓ ସ୍ଥିତପ୍ରଜ୍ଞତାର ପ୍ରତୀକ ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶା ଅଗ୍ରଣୀ । କଥା କମ କହୁଥିବା ସକରାତ୍ମକ ମଣିଷଙ୍କୁ ସାରା ଦେଶ ଭୂରିଭୂରି ପ୍ରଶଂସା କରୁଛି । ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ ସରକାର ସ୍ବୀକୃତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ମଧ୍ୟ ଓଡ଼ିଶାବାସୀ ତାଙ୍କ ପ୍ରଶଂସାରେ ଶତମୁଖ।
ଉଦ୍ଧାର ହେଲେ ଅପହୃତ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ
ନନ୍ଦିଘୋଷ ବ୍ୟୁରୋ: ଉଦ୍ଧାର ହେଲେ ଅପହୃତ ଯୁବ ଡାକ୍ତର ଅମ୍ଲାନ କୁମାର ଭୋଇ । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ସେ ସୁରକ୍ଷିତ ଏବଂ ସ୍ବାଭାବିକ ଅଛନ୍ତି । ତାଙ୍କୁ କର୍ଣ୍ଣାଟକରେ ଠାବ କରାଯାଇ ମାଲକାନଗିରି ଅଣାଯାଉଛି ବୋଲ ଏସପି କହିଛନ୍ତି । ଦୁଇ ଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ କର୍ଣ୍ଣାଟକରୁ ଉଦ୍ଧାର କରାଯାଇଛି । କିନ୍ତୁ କାହିଁକି ଏବଂ କିଏ ତାଙ୍କୁ ଅପହରଣ କରିଥିଲା ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଡାକ୍ତର ରହୁଥିବା ସରକାର କ୍ଵାର୍ଟର୍ସରୁ ମାଓବାଦୀଙ୍କ ନାଁରେ ଲେଖାଥିବା ଏକ ଚିଠି ମିଳିଥିଲା । ତେଣୁ ଅପହରଣ ପଛରେ ମାଓବାଦୀଙ୍କ ହାତ ଥିବା ମଧ୍ଯ ସନ୍ଦେହ କରାଯାଉଛି । ସବୁ ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ନେଇ ଯାଞ୍ଚ୍ କରିବା ସହ ଖୁବଶୀଘ୍ର ଏହାର ସମାଧାନ କରିବା ନେଇ ଆଶାପ୍ରକଟ କରିଛନ୍ତି ମାଲକାନଗିରି ଏସପି। ଘଟଣାରେ ଡାକ୍ତରଙ୍କ ନିଖୋଜ ନେଇ ଏତଲା ଦିଆଯାଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ କହିଛନ୍ତି । ପୋଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଅମ୍ଳାନ ଭୋଇଙ୍କ ପରିବାର ମାଲକାନଗିରି ଆସୁଥିବା ସୂଚନା ମିଳିଛି।
ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କଲେ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ। ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ। ଇସ୍ତଫା ପତ୍ର ସହ ଦୀର୍ଘ ୨୪ ବର୍ଷର ରାଜନୀତିରେ ଲାଗିଛି ବ୍ରେକ୍। ରାଜ୍ୟବାସୀଙ୍କୁ ସୁଶାସନ ଦେବା ସହ ପ୍ରତିଟି କ୍ଷେତ୍ରରେ ଲୋକଙ୍କ ନିକଟତର ହୋଇଥିଲେ ନବୀନ। ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି ନବୀନ।
ଘର ଉପରକୁ ମାଡିଗଲା ଚିପ୍ସ ବୋଝେଇ ଡମ୍ପର
ନନ୍ଦିଘୋଷ ବ୍ୟୁରୋ: ଘର ଉପରକୁ ମାଡିଗଲା ଚିପ୍ସ ବୋଝେଇ ଡମ୍ପର। ଘଟଣାସ୍ଥଳରେ ସ୍ବାମୀ ସ୍ତ୍ରୀ ଙ୍କ ମୃତ୍ଯୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନାତି ବୋହୂ। ବାଲେଶ୍ବର ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳିଅଠା ଛକରେ ଅଘଟଣ। ମୃତ ଦମ୍ପତ୍ତି କାଶିଡିହା ଗାଁର ସୁଧୀର ଜେନା ଏବଂ ଗୀତାରାଣୀ ଜେନା। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ବିଳମ୍ବିତ ରାତି ରେ ଓଡିଶାରୁ ପଶ୍ଚିମବଙ୍ଗକୁ ଡମ୍ପରରେ ଚିପ୍ସ ଚୋରା ଚାଲାଣ ବେଳେ ଡମ୍ପରଟି ଭାରସାମ୍ଯ ହରାଇ ଘର ଉପରକୁ ମାଡି ଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ହୋଇଯାଇଛି।
ମହାନଦୀ ସେତୁ ଉପରେ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ
ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ମହାନଦୀ ସେତୁ ଉପରେ ମାଲବାହୀ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତିଲେ ଡ୍ରାଇଭର । ଭାଙ୍ଗିଲା ସେତୁର ସୁରକ୍ଷା ବାଡ଼। ବିଳମ୍ବିତ ରାତିରେ ଟିଟିଲାଗଡରୁ ସମ୍ବଲପୁରକୁ ଯାଉଥିବା ଏକ ମାଲବାହୀ ଟ୍ରକ୍ ମହାନଦୀ ବ୍ରିଜ ଉପରେ ପଛ ଚକା ଫାଟି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକଟି ବ୍ରିଜ ସାଇଡ଼ରେ ପିଟି ହୋଇଥିଲା ଫଳରେ ବ୍ରିଜ କଡ଼ରେ ଥିବା ସୁରକ୍ଷା ବାଡ଼ ଭାଙ୍ଗିଯାଇଥିଲା । ଡ୍ରାଇଭର ଜଣକ ବ୍ରିଜ ତଳକୁ ଖସି ପଡ଼ିଥିଲେ ହେଁ ପାଣିରେ ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରକରେ ଥିବା ତୈଳ ଡ୍ରମ ସବୁ ରାସ୍ତା ଉପରେ ପଡ଼ିଥିବା ଦେଖିବାକୁ ମିଳିଛି ।
ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ
ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଭାରତର ଟି-୨୦ ବିଶ୍ବକପ ଅଭିଯାନ । ଆୟାରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ମ୍ୟାଚ ଖେଳିବ ଭାରତ । ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ବୁଧବାର ଆୟର୍ଲାଣ୍ଡ୍ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ତେବେ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ମେନ ଇନ୍ ବ୍ଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଟିମ ଇଣ୍ଡିଆ ଏବେ ଦମଦାର ଫର୍ମରେ ରହିଥିବାବେଳେ ବିଶ୍ବକପ ଚାମ୍ପିୟନ ହେବାର ମୁଖ୍ୟ ଦାବିଦାର ହେବ ବୋଲି କୁହାଯାଉଛି । ତେବେ ଦଳର ପ୍ରଦର୍ଶନ କିଭଳି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଋଷଭ ପନ୍ତ୍ (ୱିକେଟରକ୍ଷକ), ସୂର୍ଯ୍ୟକୁମାର ୟାଦବ, ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, କୁଲଦୀପ ୟାଦବ, ଯଶପ୍ରୀତ୍ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ଯଶସ୍ବୀ ଜୟସ୍ବାଲ, ସଂଜୁ ସାମସନ୍, ୟୁଝବେନ୍ଦ୍ର ଚହଲ।
ଆୟର୍ଲାଣ୍ଡ୍ ଦଳ: ପଲ୍ ଷ୍ଟର୍ଲିଂ (ଅଧିନାୟକ), ମାର୍କ ଆଡୈର, ଆଣ୍ଡି ବଲ୍ବର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକ୍ରେଲ୍, ଗ୍ରାହାମ ହୁମ୍, ଜୋସ୍ ଲିଟଲ୍, ବାରି ମ୍ୟାକର୍ଥି, ନିଲ୍ ରକ୍ (ୱିକେଟରକ୍ଷକ), ହ୍ୟାରି ଟେକ୍ଟର, ଲୋର୍କାନ ଟକ୍କର (ୱିକେଟରକ୍ଷକ), ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ୍।
ସାଢେ ଚାରିକୋଟି ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ଦୀର୍ଘ ୨୪ ବର୍ଷ ଧରି ବିଜେଡି ଓ ଏହାର ସଭାପତି ନବୀନ ପଟ୍ଟନାୟକଙ୍କୁ ଅକୁଣ୍ଠ ଆଶୀର୍ବାଦ କରିଛନ୍ତି ସାଢେ ଚାରିକୋଟି ଓଡ଼ିଶାବାସୀ । ଏଥିପାଇଁ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛି ବିଜେଡି । ଜନମତକୁ ସମ୍ମାନ ଦେବା ସହ ରାଜ୍ଯବାସୀ ଏବେ ଯେଉଁ ଦାୟିତ୍ବ ଦେଇଛନ୍ତି ତାହା ସୁଚାରୁରୂପେ ପାଳନ କରିବାରୁ ବୋଲି କହିଛି ବିଜେଡି । ବିଜେଡି ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଓ ସୁଲତା ଦେଓ ମିଳିତ ଭାବେ ପ୍ରେସମିଟ କରି ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସସ୍ମିତ କହିଛନ୍ତି, ବିଜେଡିକୁ ଓଡ଼ିଶାବାସୀ ନିରନ୍ତର ଆଶୀର୍ବାଦ କରିଆସିଛନ୍ତି । ଲୋକଙ୍କ ଆଶୀର୍ବାଦ ବଳରେ ଆମେ ସେବା କରିଆସିଛୁ । ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ଆମେ କୃତଜ୍ଞ । ଏଥର ନିର୍ବାଚନରେ ବିଜେଡିକୁ ୪୦ ପ୍ରତିଶତ ଭୋଟ ଦେଇଛନ୍ତି ରାଜ୍ଯବାସୀ । ସମର୍ଥନ ପାଇଁ ଜନସାଧାରଣଙ୍କୁ କୃତଜ୍ଞତା ଜଣାଉଛି । ଏହାସହି ବିଜେପିକୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଓଡ଼ିଶାବାସୀ ଯେଉଁ ଭୂମିକା ଦେବେ ଓଡ଼ିଶାର ସ୍ବାର୍ଥ ଓ ଓଡ଼ିଶାବାସୀଙ୍କ ସେବା କରିବାକୁ ତାହା ତୁଲାଇବୁ ବୋଲି ସସ୍ମିତ କହିଛନ୍ତି । ସାଂସଦ ମାନସ ମଙ୍ଗରାଜ କହିଛନ୍ତି, ୨୪ ବର୍ଷ ଧରି ବିଜେଡି ଓ ନବୀନଙ୍କୁ ଓଡ଼ିଶାବାସୀ ଅକୁଣ୍ଠ ସମର୍ଥନ ଦେଇଛନ୍ତି । ଏଥିପାଇଁ ଓଡ଼ିଶାବାସୀଙ୍କ ପାଖରେ ଆମେ କୃତଜ୍ଞ । ଯେଉଁ ଦାୟିତ୍ବ ଓଡ଼ିଶାବାସୀ ଦେଇଛନ୍ତି ଆମେ ତାହା ତୁଲାଇବୁ । ସାଂସଦ ସୁଲତା ଦେଓ ମଧ୍ଯ ରାଜ୍ଯବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ୟୁସୁଫ ପଠାନଙ୍କ ବିଜୟ ପରେ ଏମିତି ପୋଷ୍ଟ କଲେ ଭାଇ ଇରଫାନ
ନନ୍ଦିଘୋଷ ବ୍ୟୁରୋ: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନଙ୍କ ବଡ଼ ବିଜୟ । କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ପଶ୍ଚିମବଙ୍ଗର ବାହରାମପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହୋଇଛନ୍ତି । ତେବେ ବଡ଼ଭାଇଙ୍କ ବିଜୟ ପରେ ଭାବୁକ ହୋଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି ଇରଫାନ ପଠାନ । ୨୫ ବର୍ଷ ଧରି ବିଜୟୀ ହୋଇ ଆସୁଥିବା ଅଧିର ରଞ୍ଜନ ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି । ୟୁସୁଫଙ୍କ ଏକ ଭିଡିଓ ପୋଷ୍ଟ କରି ସେ ଭାବପ୍ରବଣ ଭାବେ ଲେଖିଛନ୍ତି ।
Lala @iamyusufpathan With unyielding confidence in your noble cause, you embarked on the daunting journey to triumph over seasoned politicians. Armed with integrity and unwavering resolve, may your noble intentions translate into transformative actions, enriching the lives of our… pic.twitter.com/fmDdJY5Kvp
— Irfan Pathan (@IrfanPathan) June 4, 2024
ହିଞ୍ଜିଳିରେ ଜିତିଲେ ନବୀନ ପଟ୍ଟନାୟକ
ନନ୍ଦିଘୋଷ ବ୍ୟୁରୋ: ଚାଲିଛି ମତ ଗଣନା । ଆସୁଛି ରେଜଲ୍ଟ । ହିଞ୍ଜିଳି ଆସନରେ ଜିତିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

