spot_img
Home Blog Page 1914

ବରଦାନ ସାଜିଛି ବିଶ୍ବ ଦକ୍ଷତା କେନ୍ଦ୍ର, ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓଡ଼ିଆ ଯୁବକ ଯୁବତୀ

ଭୁବନେଶ୍ୱର: ବରଦାନ ସାଜିଛି ବିଶ୍ବ ଦକ୍ଷତା କେନ୍ଦ୍ର। ଅତ୍ଯାଧୁନିକ ବିଷୟରେ ତାଲିମ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କମ୍ପାନୀରେ ନିଯୁକ୍ତି ପାଉଛନ୍ତି ଓଡ଼ିଆ ଯୁବକ ଯୁବତୀ। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ୨୦୨୩-୨୪ ବ୍ୟାଚରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗରେ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୪୩ ଜଣ ଟାଟା ଷ୍ଟିଲ, ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲ ଏବଂ ହିଣ୍ଡାଲକୋ ଭଳି ପ୍ରମୁଖ କମ୍ପାନୀରେ ନିଯୁକ୍ତି ପାଇଛନ୍ତି। ଟାଟା ଷ୍ଟିଲରେ ୩୭ ଜଣ, ଆର୍ସେଲର ମିତ୍ତଲ, ନିପନ୍ ଷ୍ଟିଲରେ ୩ ଜଣ ଏବଂ ହିଣ୍ଡାଲକୋରେ ୩ ଜଣ ନିଯୁକ୍ତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ରହି କାମ କରିବାର ସୁଯୋଗ ପାଇବେ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ ବିଭାଗ ଅଧୀନରେ ଦୁଇଟି ପାଠ୍ୟକ୍ରମରେ ତାଲିମ ନେଉଥିବା ଛାତ୍ରଛାତ୍ରୀଙ୍କ ଭିତରୁ ୩୦ ଜଣ IHCL ଏବଂ ରମ୍ଭା ପ୍ୟାଲେସରେ ନିଯୁକ୍ତି ସୁଯୋଗ ପାଇଛନ୍ତି। ଏହି ଛାତ୍ରଛାତ୍ରୀମାନେ ଓଡ଼ିଶା ସହିତ ଦେଶର ବିଭିନ୍ନ ସ୍ଥାନରେ କାମ କରିବାର ସୁଯୋଗ ପାଇବେ। ଏଥିପାଇଁ ସେମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏହି ସୁଯୋଗ ଦେଇ ଭବିଷ୍ଯତ ଗଢିଥିବାରୁ ଛାତ୍ରଛାତ୍ରୀମାନେ ବିଶ୍ୱ ଦକ୍ଷତା କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ ଅଫ୍ ସର୍ଭିସେସ୍ ବିଭାଗ ଅଧୀନରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ତାଲିମ ଦିଆଯାଉଛି। ଏଠାରୁ ତାଲିମ ଶେଷ କରିବା ପରେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ପାଇଁ ପ୍ରତିବର୍ଷ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ଲେସମେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

 

ବଢୁଛି ସାଇବର ଅପରାଧ ସଂଖ୍ଯା: ୧୦୦ ରାଷ୍ଟ୍ରକୁ ନେଇ ସର୍ଭେରେ ଭାରତର ସ୍ଥାନ ୧୦ମ

ନୂଆଦିଲ୍ଲୀ: ସାରା ବିଶ୍ବରେ ବଢୁଛି ସାଇବର ଅପରାଧ ସଂଖ୍ଯା। ଦୈନିକ ହଜାର ହଜାର ଲୋକ ସାଇବର ଅପରାଧୀଙ୍କ ଶିକାର ହେଉଛନ୍ତି। ତଥ୍ୟ ଅନୁସାରେ, ଭାରତ ୧୦ ନମ୍ବରରେ ସ୍ଥାନରେ ରହିଛି। ୧୦୦ଟି ରାଷ୍ଟ୍ରକୁ ନେଇ ବିଶ୍ବ ସାଇବର କ୍ରାଇମ ସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ଏହାର ଭୟଙ୍କରିତା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ରାନସମଓ୍ବେର, କ୍ରେଡିଟ କାର୍ଡ ଜରିଆରେ ଲୁଟ, ସ୍କାମ ଆଦିକୁ ବିଚାର କରାଯାଇ ଏହି ତଥ୍ୟ ପ୍ରସ୍ତୁତ ହୋଇଛି। ଏହି ତାଲିକାର ଶୀର୍ଷରେ ଋଷିଆ ରହିଥିବା ବେଳେ ତା ପଛକୁ ୟୁକ୍ରେନ, ଚୀନ, ଆମେରିକା, ନାଇଜେରିଆ, ରୋମାନିଆ ରହିଛନ୍ତି।

ସେହିପରି ସପ୍ତମ ସ୍ଥାନରେ ନର୍ଥ କୋରିଆ, ଅଷ୍ଟମ ସ୍ଥାନରେ ବ୍ରିଟେନ ଓ ନବମ ସ୍ଥାନରେ ବ୍ରାଜିଲ ରହିଛନ୍ତି। ଭର୍ଚୁଆଲରେ ହେଉଥିବା ଅପରାଧଗୁଡିକର ସଂଖ୍ୟା ବହୁସଂଖ୍ୟାରେ ବଢିଥିବା କୁହାଯାଇଛି। ରାନସମଓ୍ବେର, ମାଲଓ୍ବେର, ହ୍ଯାକିଂ, ମନିଲଣ୍ଡରିଂ, ଭର୍ଚୁଆଲ କରେନ୍ସି ଆଦିକୁ ଆକଳନ କରି ଏହି ରିପୋର୍ଟ ପ୍ରକାଶ ପାଇଛି। ସାଇବର କ୍ରାଇମର ପ୍ରକାର ଭେଦକୁ ନେଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଟେକ୍ନିକାଲ ସାଇବରକ୍ରାଇମ କ୍ଷେତ୍ରରେ ଋଷିଆ ଓ ୟୁକ୍ରେନ ହବ୍ ପାଲଟିଛନ୍ତି।

ଭୁବନେଶ୍ବର ପ୍ରତିଷ୍ଠା ଦିବସ: ୭୬ ବର୍ଷରେ ପାଦ ଥାପିଲା ରାଜଧାନୀ

ଭୁବନେଶ୍ବର: ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରର ୭୬ ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ବାରା ରାଜଧାନୀର ଶୁଭ ଦିଆଯାଇଥିଲା। ସମୟ ସହିତ ତାଳ ଦେଇ ଭୁବନେଶ୍ବରର ବୃଦ୍ଧି ପାଇଛି କଳେବର।

ବିକାଶ ଧାରାରେ ସାମିଲ ହୋଇ ଦେଶର ୧ ନମ୍ବର ସ୍ମାର୍ଟସିଟିର ମଧ୍ୟ ମାନ୍ୟତା ହାସଲ କରିଛି ରାଜଧାନୀ ଭୁବନେଶ୍ବର। ଚାଲିଚଳନରେ ପରିବର୍ତ୍ତନ ସହ ଜନସଂଖ୍ୟା ୧୫ ହଜାରରୁ ୧୫ ଲକ୍ଷରେ ପହଞ୍ଚିଛି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା, ସବୁ କ୍ଷେତ୍ରରେ ଜାରି ରହିଛି ବିକାଶ। ଦେଶର ନମ୍ବର ଓ୍ବାନ୍ ସ୍ମାର୍ଟସିଟିର ମାନ୍ୟତା ହାସଲ କରିସାରିଛି ଭୁବନେଶ୍ବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ବିଭିନ୍ନ ପ୍ରକଳ୍ପ ଓ ଯୋଜନା ଜରିଆରେ ବଢିବାରେ ଲାଗିଛି ଭୁବନେଶ୍ବରର ବିକାଶ ।

ରାଜଧାନୀର ପ୍ରତିଷ୍ଠା ଉତ୍ସବ ପାଇଁ ବିଧାନସଭା ଆଗରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ ସହିତ ପତାକା ଉତ୍ତୋଳନ କରାଯାଇଛି । ଏହାପରେ ଅତିଥିଙ୍କ ଦ୍ଵାରା ଜୟଦେବ ଭବନରେ ଏକ ସ୍ଵତନ୍ତ୍ର ଫଟୋ ଚିତ୍ର ପ୍ରଦର୍ଶନୀର ଉଦଘାଟନ କରାଯାଇଛି।

ପ୍ରତିଷ୍ଠା ଦିବସ ଉପଲକ୍ଷେ ସଜେଇ ହୋଇଛି ରାଜଧାନୀ । ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ବିଲ୍ଡିଂ ସମେତ ରାସ୍ତାଘାଟ ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି। ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସମେତ ପୋଲିସ କମିଶନର ସଂଜୀବ ପଣ୍ଡା, ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବଚ୍ଛ, ସୁନ୍ଦର ଭୁବନେଶ୍ବର ନିଜ ଐତିହ୍ୟ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖି ଲୋକଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଭୁବନେଶ୍ବର ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ଲେଖିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା, ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !

ବ୍ୟୁରୋ ରିପୋର୍ଟ: ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା। କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ। ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ଦେଶର ତୁଙ୍ଗ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ସପ୍ତାହ ତଳେ ସିରିଆର ଡାମାସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଦୁଇ ଜଣ ତୁଙ୍ଗ କମାଣ୍ଡରଙ୍କ ମୃତ୍ଯୁ ପରେ ଉତକ୍ଷିପ୍ତ ହୋଇଥିଲା ଇରାନ। ଏହାରି ଭିତରେ ଇସ୍ରାଏଲ-ଲେବାନନ ସୀମାରେ ୪୦ରୁ ଅଧିକ ରକେଟ ଓ ମିସାଇଲ ମାଡ଼ ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଅଧିକାଂଶ ରକେଟକୁ ମଝି ଆକାଶରୁ ଧୂଳିସାତ କରିବାରେ ସଫଳ ହୋଇଛି ଆଇଡିଏଫ। ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ଯ ଆକ୍ରମଣ ଲାଗି ଆମେରିକା ଆଲର୍ଟ ଜାରି କରିଛି।

ସେପଟେ ଇରାନ ଓ ଇସ୍ରାଏଲ ନ ଯିବା ଲାଗି ଭାରତୀୟଙ୍କୁ କେନ୍ଦ୍ର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି। ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ଅବିଳମ୍ବେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ଯଥେଷ୍ଟ ସତର୍କ ହେବା ଲାଗି ବି ପରାମର୍ଶ ଦିଆଯାଇଛି।

ଭାରତ ପରି ଫ୍ରାନସ ମଧ୍ଯ ନିଜ ଦେଶର ନାଗରିକଙ୍କ ଉଦ୍ଦେଶ୍ଯରେ ଗାଇଡଲାଇନ ଜାରି କରିଛି। ଯୁଦ୍ଧ ଚାଲିଥିବା ଅଞ୍ଚଳକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତେହେରାନକୁ ବିମାନ ଯିବା ଆସିବା ଉପରେ ରୋକ ଲଗାଇଛି ଜର୍ମାନ ଏୟାରଲାଇନ ଲୁଫାନସା। ସେପଟେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲର ଜୋରଦାର ଆକ୍ରମଣ ହୋଇଥିବା ସୂଚନା ମିଳିଛି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜମୁଛି କ୍ଯାମ୍ପେନ, ୧୨ଶହ ପ୍ରାର୍ଥୀଙ୍କ ଭାଗ୍ଯ ପରୀକ୍ଷା

ବ୍ୟୁରୋ ରିପୋର୍ଟ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର ଚାଲିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜମୁଛି କ୍ଯାମ୍ପେନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୬ରେ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୧୩ ରାଜ୍ଯର ୮୯ଟି ଆସନ ଲାଗି ହେବ ଭୋଟ। ମୋଟ ୧୨୦୦ ପ୍ରାର୍ଥୀ କରୁଛନ୍ତି ଭାଗ୍ଯ ପରୀକ୍ଷା। କେରଳର କନ୍ନୁର, ଓ୍ବାୟନାଡ, କୋଝିକୋଡ, ତ୍ରଶୂର, ଥିରୁବନନ୍ତପୁରମର ୨୦ଟି ଆସନରେ ହେବ ଭୋଟ। କର୍ଣ୍ଣାଟକର ବେଙ୍ଗାଳୁରୁ, ଚିତ୍ରଦୁର୍ଗ, ହାସନ, ମହୀଶୂର ସମେତ ୧୪ଟି ଆସନରେ ହେବ ଭୋଟ ।
ସେହିପରି ରାଜସ୍ଥାନର ବିକାନିର, ଜୟପୁର, ଅଲଓ୍ବର ସମେତ ୧୩ଟି ଆସନରେ ହେବ ନିର୍ବାଚନ। ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ମଧ୍ୟପ୍ରଦେଶର ୭, ଆସାମର ୫, ବିହାରର ୫, ଛତିଶଗଡର ୩, ପଶ୍ଚିମବଙ୍ଗର ୩, ଜାମ୍ମୁ ଓ କାଶ୍ମୀରର ଗୋଟିଏ, ମଣିପୁରର ଗୋଟିଏ, ତ୍ରିପୁରାର ଗୋଟିଏ ଆସନରେ ହେବ ଭୋଟ। ସପ୍ତଦଶ ଲୋକସଭାର କାର୍ଯ୍ୟକାଳ ଆସନ୍ତା ୧୬ ଜୁନରେ ଶେଷ ହେବ।

ଯାଜପୁରରେ ବିଜେଡିର ଦମଦାର ପ୍ରଚାର

ଯାଜପୁର: ଯାଜପୁରରେ ଜମିଛି ନିର୍ବାଚନ ପ୍ରଚାର। ଗାଁରୁ ସହର ଏବଂ ପଞ୍ଚାୟତରୁ ପଞ୍ଚାୟତକୁ ବୁଲି ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର କରିଛନ୍ତି । ଜୁନ ୧ ତାରିଖରେ ଭୋଟିଂ ହେବାକୁ ଥିବା ବେଳେ ପ୍ରଚାର ପାଇଁ ଯଥେଷ୍ଟ ସମୟ ରହିଛି । ବିଜେଡି ପ୍ରାର୍ଥିନୀ ସୁଜାତା ସାହୁ ଭୂଇଁପୁର ପଞ୍ଚାୟତରେ ଜନସଭା ଜରିଆରେ ଭୋଟରଙ୍କ ପାଖରେ ପହଞ୍ଚିଛନ୍ତି । ବିଜେଡି ସାଂସଦ ପ୍ରାର୍ଥିନୀ ସର୍ମିଷ୍ଠା ସେଠୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରଚାରର ମଙ୍ଗ ଧରିଥିବା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଭବ ପ୍ରସାଦ ଦାସ ବି‌ଜୁ ଜନତା ଦଳ ପଲ୍ଲୀରୁ ଦିଲ୍ଲୀ ଯାଏ ମହିଳାଙ୍କୁ ସମ୍ମାନ ଦେଉଥିବା ପ୍ରସଙ୍ଗ ଉଠାଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଯାଜପୁର ବ୍ଲକ ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ପ୍ରଦୀପ ନାୟକ, ଜିଲ୍ଲା ବିଜେଡି ଉପ ସଭାପତି ପ୍ରକାଶ ତ୍ରିପାଠୀ, ଦିଲ୍ଲୀପ ଜେନା ଓ ଦେବଦତ୍ତ ଦାସ ପ୍ରମୁଖଙ୍କ ସହ ବହୁ ନେତା ସାମିଲ ‌ହୋଇଥିଲେ।

ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜୋରଦାର ପ୍ରଚାର

ନୟାଗଡ଼: ନୟାଗଡରେ ଦମ ଦେଖାଉଛି ବିଜେଡି। ନୟାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡଗାଁ ବ୍ଲକର ବାଣପୁର ଏବଂ ଗୌଡ଼ପୁଟ ପଂଚାୟତରେ ବିଧାୟକ ପ୍ରାର୍ଥୀ ଅରୁଣ ସାହୁଙ୍କ ନେତୃତ୍ୱରେ ବିଶାଳ ଲୋକସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଛି। ଅଭିଯାନରେ ବିଜେଡି ନେତ୍ରୀ ଇରାନି ରାୟ, ଓଡଗାଁ ବ୍ଲକ ଚେୟାରମ୍ୟାନ  ଲୋକନାଥ ସାହୁ, ଭାଇସ ଚେୟାରମ୍ୟାନ ମୀରା ନାୟକ, ଜିଲ୍ଲା ପରିଷଦ ଜୋନର ଝିଲ୍ଲୀ ପ୍ରଧାନ, ଓଡଗାଁ ବ୍ଲକ ସଭାପତି ସୂର୍ଯ୍ୟ ଚୌଧୁରୀଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୂଖୀ ଯୋଜନା ଗୁଡିକ କିପରି ଭାବେ ଘରେ ଘରେ ପହଂଚି ପାରିବ ଏବଂ ସମସ୍ତେ କିପରି ସରକାରଙ୍କ ଯୋଜନା ସୁବିଧାରେ ପାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ଏହା ବ୍ୟତୀତ ଉପସ୍ଥିତ କର୍ମୀକୁ ଡବଲ ଶଙ୍ଖରେ ଭୋଟ ଦେବାକୁ ଆହ୍ବାନ ଦିଆଯାଇଥିଲା।

ଅସିତ ପଟ୍ଟନାୟକଙ୍କ କବିତା ସଂକଳନ ’ଶ୍ରୀରାଧା’ ଉନ୍ମୋଚିତ

ଭୁବନେଶ୍ବର: ଉନ୍ମୋଚିତ ହୋଇଛି କବି ଅସିତ ପଟ୍ଟନାୟକଙ୍କ କବିତା ସଂକଳନ ଶ୍ରୀରାଧା ।କାଳଜୟୀର ସ୍ରଷ୍ଟା ରମାକାନ୍ତ ରଥଙ୍କ ରଚିତ ଶ୍ରୀରାଧା କାବ୍ୟଗ୍ରନ୍ତ ଦ୍ବାରା ଅନୁପ୍ରାଶରୀ ହୋଇ କବି ଅସିତ କୁମାର ସୃଷ୍ଟି କରିଛନ୍ତି କବିତା ଶ୍ରୀରାଧା। ରମାକାନ୍ତ ରଥଙ୍କ ବାସଭବନରେ ଉନ୍ମୋଚନ ହୋଇଛି ଶ୍ରାରାଧା। ରମାକାନ୍ତଙ୍କ ସମେତ ଓଡିଆ ସାହିତ୍ୟର ଅନ୍ୟତମ ସୁନାମଧନ୍ୟ ସାହିତ୍ୟକ ହରପ୍ରସାଦ ଦାଶ,ଗାଳ୍ପିକ ତଥା ପ୍ରକାଶକ ପ୍ରକାଶ ମହାପାତ୍ରଙ୍କ କରକମଳରେ ଶ୍ରୀରାଧାକୁ ଉନ୍ମୋଚନ କରାଯାଇଛି। ଅସିତ ପଟ୍ଟନାୟକଙ୍କର ଅନବଦ୍ୟ ସୃଷ୍ଟି ମଧ୍ୟରୁ “ଅଳକା ମାଡାମ୍ ଓ ଅଣପୁରୁଷ କଥା”, “କବିଭୂଷଣ ପ୍ରବନ୍ଧ ସମଗ୍ର”, “ଅନ୍ଧକାର ର ଛାଇ” ସହିତ ଭକ୍ତି ରସାତ୍ମକ କବିତା “ଭକ୍ତି ଅଭକ୍ତି” ଅନ୍ୟତମ ।ତେବେ ଶ୍ରୀରାଧା କବିତା ସଂକଳନ ପାଠକଙ୍କ ଦ୍ବାରା ଆଦୃତ ହେବ ବୋଲି ରମାକାନ୍ତ ରଥ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଇରାନ ଓ ଇସ୍ରାଏଲ ନ ଯିବା ଲାଗି ଭାରତୀୟଙ୍କୁ କେନ୍ଦ୍ର ବୈଦେଶିକ ବ୍ଯାପାର ମନ୍ତ୍ରାଳୟର ଗାଇଡଲାଇନ

ନନ୍ଦିଘୋଷ ବ୍ୟୁରୋ: ଯୁଦ୍ଧ ସଂକଟରେ ଥରହର ମଧ୍ଯପ୍ରାଚ୍ୟ। ଇରାନ ଓ ଇସ୍ରାଏଲ ନ ଯିବା ଲାଗି ଭାରତୀୟଙ୍କୁ କେନ୍ଦ୍ର ବୈଦେଶିକ ବ୍ଯାପାର ମନ୍ତ୍ରାଳୟର ପରାମର୍ଶ। ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ଅବିଳମ୍ବେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ଯଥେଷ୍ଟ ସତର୍କ ହେବା ଲାଗି ବି ପରାମର୍ଶ ଦିଆଯାଇଛି। ଭାରତ ପରି ଫ୍ରାନସ ମଧ୍ଯ ନିଜ ଦେଶର ନାଗରିକଙ୍କ ଉଦ୍ଦେଶ୍ଯରେ ଗାଇଡଲାଇନ ଜାରି କରିଛି। ଯୁଦ୍ଧ ଚାଲିଥିବା ଅଞ୍ଚଳକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତେହେରାନକୁ ବିମାନ ଯିବା ଆସିବା ଉପରେ ରୋକ ଲଗାଇଛି ଜର୍ମାନ ଏୟାରଲାଇନ ଲୁଫାନସା। ସେପଟେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲର ଜୋରଦାର ଆକ୍ରମଣ ହୋଇଥିବା ସୂଚନା ମିଳିଛି। ସିରିଆ ଡାମାସ୍କସରେ ହୋଇଥିବା ଆକ୍ରମଣର ଜବାବ ସ୍ବରୂପ ଇରାନର ଆକ୍ରମଣ ଘନୀଭୂତ ହେଉଥିବାବେଳେ ରକ୍ତମୁଖା ହୋଇଛି ଇସ୍ରାଏଲ। ଗତ ସପ୍ତାହରେ ଗାଜାର ଖାଁ ୟୁନିସରୁ ଇସ୍ରାଏଲ ନିଜର ସୈନ୍ଯ ପ୍ରତ୍ଯାହାର କରିଥିଲା।  ଦୁଇ ଦିନ ତଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ- ଇସ୍ରାଏଲ ଉପରେ ଜୋରଦାର ହମଲା ଲାଗି ଇରାନ ଯୋଜନା କରୁଛି।

ପୁଣି ରାଜ କରିବ ତାତି

ଭୁବନେଶ୍ବର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା । କାଲିଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ୧୬ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୧୭ରୁ ସାଂଘାତିକ ତାତି । ସବୁଠି ରାଜ କରୁଛି ଗ୍ରୀଷ୍ମ ପ୍ରବାହ । ୧୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା । ୪୩ ରୁ ୪୫ ଡିଗ୍ରୀ ଛୁଇଁବ ଆଭ୍ୟନ୍ତରୀଣ ଓଡ଼ିଶା । ୧୭ ରୁ ୨୦ ତାରିଖ ପିକ୍ ସମୟ ଘୋଷଣା । ଦିନ ସହ ରାତି ତାପମାତ୍ରା କରିବ ଅସ୍ତବ୍ୟସ୍ତ । ଅସହ୍ୟ ପାଗ ଶରୀର ପାଇଁ ହେବ ଘାତକ । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ । କିଛି ଦିନର କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ପୁଣି ଫେରିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୪ ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୧୪ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରାଯାଇଛି ।

ଶୁକ୍ରବାର ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି । ଶନୀବାର ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ୧୪ ତାରିଖରୁ ରାଜ୍ୟରେ ତାତି ବଢିବ । ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୫ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ୧୬ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।