ପୁଣି ରାଜ କରିବ ତାତି

ଭୁବନେଶ୍ବର: ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମପ୍ରବାହ । ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା । କାଲିଠୁ ରାଜ୍ୟରେ ଧିରେ ଧିରେ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପରବର୍ତ୍ତୀ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ । ୧୬ ତାରିଖରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୧୭ରୁ ସାଂଘାତିକ ତାତି । ସବୁଠି ରାଜ କରୁଛି ଗ୍ରୀଷ୍ମ ପ୍ରବାହ । ୧୫ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ତାପମାତ୍ରା । ୪୩ ରୁ ୪୫ ଡିଗ୍ରୀ ଛୁଇଁବ ଆଭ୍ୟନ୍ତରୀଣ ଓଡ଼ିଶା । ୧୭ ରୁ ୨୦ ତାରିଖ ପିକ୍ ସମୟ ଘୋଷଣା । ଦିନ ସହ ରାତି ତାପମାତ୍ରା କରିବ ଅସ୍ତବ୍ୟସ୍ତ । ଅସହ୍ୟ ପାଗ ଶରୀର ପାଇଁ ହେବ ଘାତକ । ସତର୍କ କରାଇଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ । କିଛି ଦିନର କାଳବୈଶାଖୀ ବର୍ଷା ପରେ ରାଜ୍ୟକୁ ପୁଣି ଫେରିବ ତାତି । ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ସମ୍ଭାବନା ନଥିବା ବେଳେ ୪ ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୧୪ ରୁ ୧୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ ବୋଲି ଆକଳନ କରାଯାଇଛି ।

ଶୁକ୍ରବାର ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହୋଇଛି । ଶନୀବାର ମଧ୍ୟ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ । କିନ୍ତୁ ୧୪ ତାରିଖରୁ ରାଜ୍ୟରେ ତାତି ବଢିବ । ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ କଟକ, ଖୋର୍ଦ୍ଧା, ନୟାଗଡ, ଅନୁଗୁଳ ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୫ ତାରିଖରେ ଉପକୂଳ ସହ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି କରାଯାଇଛି । ୧୬ ତାରିଖରେ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ନୟାଗଡ, ବୌଦ୍ଧ, କନ୍ଧମାଳ, କୋରାପୁଟ ଏବଂ ମାଲକାନଗିରିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।