spot_img
Home Blog Page 1908

ସଲମାନ୍ ଖାନଙ୍କ ଘର ବାହାରେ କିଏ ଚଳାଇଲା ଗୁଳି ?

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ କିଏ ଚଳାଇଲା ଗୁଳି ? ରବିବାର ସକାଳ ସମୟରେ ଦୁଇଜଣ ଯୁବକ ବାଇକରେ ଆସି ତିନି ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏମାନେ କିଏ? କାହିଁକି ସେମାନେ କାହିଁକି ଏଭଳି ସଲମାନଙ୍କୁ ଟାର୍ଗେଟ କରିଛନ୍ତି । ଏହାକୁଚ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଅଲ ଇଣ୍ଡିଆ ସିନେ ଓ୍ବାର୍କର୍ସ ଆସୋସିଏସନ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସଲମାନଙ୍କ ସୁରକ୍ଷା ପାଇଁ ଅନୁରୋଧ କରିଛନ୍ତି । ତେବେ ଏହି ଗୁଳି ଚାଳନାରେ ପରେ କଳାକାରମାନେ ସଲମାନ ଖାନଙ୍କ ଘରକୁ ଯାଇ ତାଙ୍କ ସହ ସାକ୍ଷାତ କରି ସାନ୍ତ୍ବନା ଦେଇଛନ୍ତି । ତେବେ ଅଲ ଇଣ୍ଡିଆ ସିନେ ଓ୍ବର୍କର୍ସ ପକ୍ଷରୁ ଅଭିଯୋଗ କରାଯାଇଛି କି, ଯଦି ଜଣେ ଜଣାଶୁଣା କଳାକାରଙ୍କ ଘରକୁ ଟାର୍ଗେଟ କରି ଭିଆଇପି ଏରିଆରେ ଗୁଳି ଚାଳନା ହୋଇ ପାରୁଛି ତାହେଲେ ସାଧାରଣ ଲୋକେ କେତେ ସୁରକ୍ଷିତ । ଏହାକୁ ନେଇ ସାଧାରଣରେ ମଧ୍ୟ ପ୍ରଶ୍ନ ଉଠିଛି ।

ସେପଟେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ମଧ୍ୟ ସଲମାନଙ୍କ ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚି ତାଙ୍କ ସହ ସାକ୍ଷାତ କରିଛନ୍ତି । ତେବେ ଘଟଣାର ତଦନ୍ତ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି । ଲରେନ୍ସ ବିଷ୍ନୋଇଙ୍କ ଭାଇ ଏହି ଘଟଣାରେ ନିଜକୁ ଦାୟି କରିଛି । ଏହାସହ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ଏହା କେବଳ ଏକ ଟ୍ରେଲର ଥିଲା । ଆଗକୁ ଆଉ ଗୁଳି ଘର ଉପରେ ଚାଲିବନି । କେବଳ ଏତିକି ନୁହେଁ ବହୁ କଳାକାର ଏବଂ ଫ୍ୟାନ୍ସମାନେ ସଲମାନଙ୍କ ସୁରକ୍ଷା ପାଇଁ ଅପିଲ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଚେନ୍ନାଇଠାରୁ ମୁମ୍ବାଇ ହାରିବାର ମୁଖ୍ୟ କାରଣ

ନନ୍ଦିଘୋଷ ବ୍ୟୁରୋ: ରବିବାର ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ମୁମ୍ବାଇର ପରାଜୟ ହୋଇଛି । ’ପତା ହେ ହମ୍ କାହାଁ ହାରେ’ ମହେନ୍ଦ୍ର ସିଂ ଧୋନୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ଏମ.ଏସ୍.ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀରେ ଏହି ଡାଏଲଗ ବେଶ ହିଟ୍ ହୋଇଥିଲା । ପଞ୍ଜାବ ବିପକ୍ଷ ମ୍ୟାଚରେ ଧୋନୀ ନିଜ ସାଥୀ ଖେଳାଳିଙ୍କୁ ଏଭଳି କହିଥିବା ଦେଖିବାକୁ ମିଳିଥିଲା । ମାତ୍ର ଧୋନୀ ଆନ୍ତର୍ଜାତୀୟ କ୍ରିକେଟ ଏବଂ ଆଇପିଏଲରେ ଧୋନୀ ଯେବେଠାରୁ ଅଧିନାୟକ ବନିଲେ ସେବେଠାରୁ ବିପକ୍ଷ ଅଧିନାୟକମାନେ ଏହି ଡାଏଲଗ ମାରୁଛନ୍ତି । ବିଚକ୍ଷଣ ରଣକୌଶଳ ପାଇଁ ଧୋନୀ ବାହିନୀ ସବୁବେଳେ ବିଜୟୀ ହୋଇଥାଏ । ତେବେ ରବିବାର ମୁମ୍ବାଇ ବିପକ୍ଷ ମ୍ୟାଚରେ ଧୋନୀ ମାଷ୍ଟରମାଇଣ୍ଡ ଦେଖିବାକୁ ମିଳିଥିଲା ।

ପଥିରାନାଙ୍କ ଘାତକ ବୋଲିଂ ଏବଂ ଧୋନୀ ଅନ୍ତିମ ଓଭରରେ ମାଡ଼ ମୁମ୍ବାଇ ପାଇଁ ପ୍ଲସ ପଏଣ୍ଟ ହୋଇଛି । ତେବେ ଏମିତି ଏକ ସମୟ ଥିଲା କି, ମୁମ୍ବାଇ ସପକ୍ଷରେ ଚାଲିଥିଲା ମ୍ୟାଚ୍ । ରୋହିତ ଏବଂ ତିଲକ ବର୍ମାଙ୍କ ବ୍ୟାଟିଂ ଦଳକୁ ବିଜୟ ପଥରେ ଅଗ୍ରସର କରୁଥିଲା । ମାତ୍ର ୧୩ରୁ ୧୬ ଓଭର ମଧ୍ୟରେ ଚେନ୍ନାଇ ସପକ୍ଷରେ ମ୍ୟାଚ ଆସିଥିଲା । ଏହି ୩ ଓଭର ମଧ୍ୟରେ ମୁମ୍ବାଇ ମାତ୍ର ୧୭ ରନ ସଂଗ୍ରହ କରିବା ସହ ୨ ମୂଲ୍ୟବାନ ଓ୍ବିକେଟ ହରାଇଥିଲା । ସେପଟେ ପାଣ୍ଡ୍ୟା, ସେଫର୍ଡ, ଟିମ୍ ଡେଭିଡ୍ ଏବଂ ନବିଙ୍କ ଭରସା ରହିଥିବାବେଳେ ଏମାନେ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ ।

କଣ ହେବ ମଧ୍ଯପ୍ରାଚ୍ଯ ସ୍ଥିତି?

ନନ୍ଦିଘୋଷ ବ୍ୟୁରୋ: କଣ ହେବ ମଧ୍ଯପ୍ରାଚ୍ଯ ସ୍ଥିତି? ସଙ୍କଟର ପରିସମାପ୍ତି ନା ଆଗକୁ ଚାଲିବ ବଡ଼ ଧରଣର ଯୁଦ୍ଧ। ଏହାକୁ ନେଇ ଜାରି ରହିଛି ସସପେନ୍ସ। ଇରାନ ଉପରେ ଯଦି ଇସ୍ରାଏଲ ଆକ୍ରମଣ କରେ ତେବେ ଏଥିରେ ଆମେରିକା ଭାଗ ନେବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ବାଇଡେନଙ୍କ ଏହି ସୂଚନା ପରେ ସମ୍ଭବତଃ ଇସ୍ରାଏଲ ନରମି ଥିବା କୁହାଯାଉଛି। ଇରାନ ଆକ୍ରମଣ ପରେ ଇସ୍ରାଏଲ କେଉଁ ପଦକ୍ଷେପ ଗ୍ରହଣ କରିବ ତାହାକୁ ନେଇ ସସପେନ୍ସ ଜାରିରହିଛି। ସେପଟେ ଇରାନର ତେହରାନ ସମେତ ଅନେକ ସହରରେ ବହୁ ବିମାନ ବନ୍ଦର ବନ୍ଦ ରହିଛି। ଇସ୍ରାଏଲ-ଇରାନ ମଧ୍ଯରେ ବିବାଦ ପରେ ଦିଲ୍ଲୀରୁ ତେଲଆବିବକୁ ବିମାନ ଚଳାଚଳ ସାମୟିକ ବନ୍ଦ କରିଛି ଏୟାର ଇଣଅଡିଆ। ଦିଲ୍ଲୀ ଓ ତେଲଆବିବ ମଧ୍ଯରେ ସପ୍ତାହରେ ୪ ଥର ବିମାନ ଚଳାଚଳ ହୋଇଥାଏ।

ସ୍ଥିତିରେ ସାମାନ୍ଯ ଉନ୍ନତି ଆସିବା ପରେ ଇସ୍ରାଏଲର ଆକାଶ ମାର୍ଗକୁ ଉନ୍ମୁକ୍ତ କରାଯାଇଛି। ଇସ୍ରାଏଲ ଉପରେ ଇରାନର ଏକପାଖିଆ ଆକ୍ରମଣକୁ ନେଇ ହଲଚଲ ବିଶ୍ବ। ଇରାନର ଆକ୍ରମଣକୁ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଓ ଅନ୍ଯାନ୍ଯ ଶକ୍ତି ନିନ୍ଦା କରିବା ପରେ ଥମିଛି ଇରାନ। ସେପଟେ ଇରାନ ବୈଦେଶିକ ମନ୍ତ୍ରୀ ଅମିରାବଦୋଲାହିନା କହିଛନ୍ତି- ଇସ୍ରାଏଲ ଉପରେ ଆକ୍ରମଣ ଲାଗି କିଛି ଦିନ ପୂର୍ବରୁ ଇରାନ ପକ୍ଷରୁ ଆମେରିକାକୁ ସୂଚନା ଦିଆଯାଇଥିଲା। ଏହି ଆକ୍ରମଣ ସୀମିତ ଓ ଆତ୍ମରକ୍ଷା ଉଦ୍ଦେଶ୍ୟରେ କରାଯିବ ବୋଲି କୁହାଯାଇଥିଲା। ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ଇରାନ ସଚେତନ ରହିଛି ବୋଲି ସେ କହିଛନ୍ତି। ଏପରିକି ଜାତିସଂଘର ଧାରା ୫୧ ଅନୁସାରେ ଆଇନଗତ ପ୍ରତିରକ୍ଷା ସକାଶେ ଏହି ସାମରିକ ଆକ୍ରମଣ କରାଯାଇଛି ବୋଲି ଜାତିସଂଘରେ ବି ଇରାନ ପକ୍ଷରୁ କୁହାଯାଇଛି।

ଡାମାସ୍କସସ୍ଥିତ ଦୂତାବାସ ଉପରେ ଇସ୍ରାଏଲର ଆକ୍ରମଣର ଜବାବ ଲାଗି ଏହା ଉଦ୍ଦିଷ୍ଟ ଥିଲା ବୋଲି କହିଛି ଇରାନ। ପୂର୍ବ ସୂଚନା ଅନୁସାରେ ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ ଡ୍ରୋନ ଓ ମିସାଇଲ ହମଲା କରିଥିଲେ ବି ସେଥିରୁ ୯୯ ପ୍ରତିଶତକୁ ଧ୍ବଂସ କରିଦେଇଥିଲା ଇସ୍ରାଏଲ।ଆମେରିକା ସହଯୋଗରେ ପ୍ରତିଷ୍ଠିତ ଆରୋ ଏରିଆଲ ଡିଫେନସ ସିଷ୍ଟମ ସାରା ଇସ୍ରାଏଲକୁ ଦେଇଥିଲା ସୁରକ୍ଷା।   ଇରାନର ଇସଲାମିକ ରିଭଲ୍ଯୁସନାରୀ ଗାର୍ଡ ପକ୍ଷରୁ ଏହି  ହମଲା କରାଯାଇଥିଲା। ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆଲୋଚନା କରିଛନ୍ତି।

ଆଜି କେଜରିୱାଲ ଗିରଫ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦନୀତି ମାମଲାରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ପ୍ରସଙ୍ଗ। ଗିରଫଦାରୀ ବିରୋଧରେ ହୋଇଥିବା ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମଦନୀତି ମାମଲାରେ ତାଙ୍କୁ ଗତ ମାର୍ଚ୍ଚ ୨୧ରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତ ମାମଲାର ଶୁଣାଣି କରିବେ। ସେପଟେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆଜି ଭେଟିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ । କେଜରିଓ୍ବାଲଙ୍କୁ ଭେଟିବା ଲାଗି ତିହାର ଜେଲକୁ ଅନୁମତି ମାଗିବା ପରେ ଏହାକୁ ଅନୁମତି ଦେଇଛନ୍ତି କର୍ତ୍ତୃପକ୍ଷ । ଅନୁମତି ପରେ ଦୁଇ ମୁଖ୍ଯମନ୍ତ୍ରୀ ପରସ୍ପରକୁ ଭେଟିବେ ବୋଲି ସୂଚନା ମିଳିଛି । ମାନଙ୍କ ଗସ୍ତ ଲାଗି ତିହାର ଜେଲ କର୍ତ୍ତୃପକ୍ଷ, ଦିଲ୍ଲୀ ପୋଲିସ ଓ ପଞ୍ଜାବ ପୋଲିସ ନିରାପତ୍ତା ପ୍ରସଙ୍ଗରେ ସମୀକ୍ଷା କରିଥିଲେ । ଦିଲ୍ଲୀ କାରାଗାର ନିୟମାବଳୀ ଅନୁସାରେ ଏହି ସାକ୍ଷାତ ଆଲୋଚନା ହେବ । ସେପଟେ ଯେଉଁ ୬ ଜଣଙ୍କ ସହ ସାକ୍ଷାତ କରିବା ଲାଗି କେଜରିଓ୍ବାଲ ଅନୁମତି ମାଗିଥିଲେ ସେମାନଙ୍କ ମଧ୍ୟରେ ମାନ୍ ଥିବା ଜଣାଯାଇଛି । ଦିଲ୍ଲୀ ମଦନୀତି ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜରିଓ୍ବାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେ ଆସନ୍ତା ଏପ୍ରିଲ ୧୫ ଯାଏ ବିଚାର ବିଭାଗୀୟ ହେପାଜତରେ ରହିବେ ।

କୋଇଡା ଓ ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ

ବଣାଇ/ଝାରସୁଗୁଡ଼ା: ପୁଣି ବଢ଼ିଲା ବିଜେଡି ବଳ । ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଅନ୍ୟ ଦଳର ନେତା ଓ କର୍ମୀ । କୋଇଡା ଓ ଝାରସୁଗୁଡ଼ାରେ ହୋଇଛି ବିଜେଡିର ମିଶ୍ରଣ ପର୍ବ ।

ବଣାଇଁ ନିର୍ବାଚନ ମଣ୍ଡଳୀର କୋଇଡାରେ ବିଜେଡି ପକ୍ଷରୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତିରେ ବନ୍ଧୁ ମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋଇଡ଼ା ବ୍ଲକ୍ ବିଜେଡି ସଭାପତି କରୁଣାର ପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବଣାଇଁ ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଭୀମସେନ ଚୌଧୁରୀ, କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି କୁଶ ଆପଟ, ରାଉରକେଲା ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ବଣାଇଁ ବିଜେଡି ପର୍ଯ୍ୟବେକ୍ଷକ ଷ୍ଟାଲିନ୍ ପରିଜା, ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, କୋଇଡା ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ନାଏକ, ମହିଳା ସାଙ୍ଗଠନିକ ସଭାପତି ଆମଲେନ୍ ଟପ୍ନୋ ,ବ୍ଲକ୍ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ଟିଟୁନ୍ ଦାଶ, ବଣାଇଁ କିଷାନ ସମାଜ ସଭାପତି ରତ୍ନାକର କିଷାନ, ଉତ୍ତମ କିଷାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ଭୀମରାଓ ଆମ୍ବେଦକରଙ୍କ ପଟ୍ଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିପିଆଇଏମ୍ ର ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ ।

ସେହିପରି ଝାରସୁଗୁଡ଼ାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଝାରସୁଗୁଡ଼ା ମ୍ୟୁନିସିପାଳିଟିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ଏମାନେ । ରୁବିନା ଖାନ, ରବି ରଞ୍ଜନ ରାୟଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ବିଜେପିରେ ଅତିଷ୍ଠ ହୋଇ ଦଳ ଛାଡିଥିବା କହିଛନ୍ତି କର୍ମୀ । ଏହି ଯୋଗଦାନ ଆଗାମୀ ସମୟରେ ଝାରସୁଗୁଡ଼ାକୁ ବିକାଶ ପାଇଁ ସହାୟକ ହେବ ବୋଲି କହିଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

ଦ୍ବିତୀୟ ପର୍ଯ୍ୟାୟରେ କଂଗ୍ରେସର ୭୫ ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟରେ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ । ଆନନ୍ଦପୁରରୁ ଜୟଦେବ ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାଁ ଭଣ୍ଡାରିପୋଖରୀରୁ ଘୋଷଣା ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା ହୋଇଥିବା ୭୫ ଆସନରୁ ୩ଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ । ବାକି ୭୨ ଆସନରେ ଦଳ ପୂରୁଣା ଚେହେରା ଉପରେ ପୁଣି ଭରଷା ଦେଖାଇଛି । ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଦଳ ୪୭ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଦୁଇଟି ଆସନ ମେଣ୍ଟ ସହଯୋଗୀଙ୍କୁ ଛାଡିଥିଲା । ବର୍ତ୍ତମାନ ସୁଦ୍ଧା ବିଜେଡି ୧୧୭, ବିଜେପି ୧୧୨ ଓ କଂଗ୍ରେସ ୧୨୪ (୨ଟି ମେଣ୍ଟ ଦଳ)ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ସାରିଛନ୍ତି ।

ସେହିପରି ଭୁବନେଶ୍ୱର ଏକାମ୍ରରୁ ପ୍ରଶାନ୍ତ କୁମାର ଚମ୍ପତ୍ତି, ଜୟଦେବରୁ ଜୟନ୍ତ କୁମାର ଭୋଇ, ବାଙ୍କୀରୁ ଦେବାଶିଷ ପଟ୍ଟନାୟକ, ଜଟଣୀରୁ ସନ୍ତୋଷ ଜେନା, ବେଗୁନିଆରୁ ପୃଥ୍ବୀବଲ୍ଲଭ ପଟ୍ଟନାୟକ, ଯାଜପୁରରୁ ସୁଦୀପ କୁମାର କର, ରେମୁଣାରୁ ସୁଦର୍ଶନ ଜେନା, ସମ୍ୱଲପୁରରୁ ଦୁର୍ଗା ପ୍ରସାଦ ପାଢୀ, ପୁରୀରୁ ସୁଜିତ ମହାପାତ୍ର, ଅତାବିରାରୁ ଅଭିଷେକ ସେଠ୍, ଯଶିପୁରରୁ ଶ୍ୱେତା ଛତରଙ୍କୁ ଦଳ ପ୍ରାର୍ଥୀ କରିଛି ।

ତଲସରାରେ ପ୍ରଭୋଦ ତିର୍କୀଙ୍କ ସ୍ଥାନରେ ଦେବେନ୍ଦ୍ର ଭିତରିଆଙ୍କୁ ପ୍ରାର୍ଥୀ କରିଛି ଦଳ । ରେଙ୍ଗାଲିରୁ ଦିଲ୍ଲୀପ କୁମାର ଦୁରିଆ, ରେଢ଼ାଖୋଲରୁ ଅସଫ ଅଲ୍ଲୀ ଖାନ, ଦେବଗଡ଼ରୁ ସିମ୍ ହମ୍ବ୍ରମ, ତେଲକୋଇରୁ ନିର୍ମଳ ଚନ୍ଦ୍ର ନାୟକ, ଘସିପୁରାରୁ ସୁବ୍ରତ ଚକ୍ର, ପାଟନାରୁ ହୃଶିକେଷ ନାୟକ, କେନ୍ଦୁଝରରୁ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆରୁ ଯଶୋବନ୍ତ ଲାଗୁରୀ, ସରସକଣାରୁ ରାମକୁମାର ସୋରେନ, ରାଇରଙ୍ଗପୁରରୁ ଯୋଗେନ୍ଦ୍ର ବନରା, ବାଙ୍ଗିରିପୋଷିରୁ ମୂରଲୀଧର ନାୟକ, କରଞ୍ଜିଆରୁ ଲକ୍ଷ୍ମୀଧର ସିଂ, ଉଦଳାରୁ ଦୁର୍ଗାଚରଣ ଟୁଡୁ, ବାରିପଦାରୁ ବାଦଲ ହେମ୍ବ୍ରମ୍, ମୋରଡାରୁ ପ୍ରଭାଷ କୁମାର ମହାପାତ୍ର, ଭୋଗରେଇରୁ ସତ୍ୟ ସାହେବ ଦାସ, ବସ୍ତାରୁ ବିଜନ ନାୟକଙ୍କ ନାଁ ଘୋଷଣା କରିଛି ଦଳ ।

ହିମାଂଶୁ ସେଖର ବେହେରାଙ୍କୁ ଦଳ ସୋରରୁ ପ୍ରାର୍ଥୀ କରିଥିବା ବେଳେ ଭଦ୍ରକରୁ ଅସିତ ପଟ୍ଟନାୟକ, ବାସୁଦେବପୁରରୁ ଅଶୋକ କୁମାର ଦାସ, ଧାମନଗରରୁ ରଞ୍ଜନ କୁମାର ବେହେରା, ଚାନ୍ଦବାଲିରୁ ଅମୀୟ କୁମାର ମହାପାତ୍ର, ବିଞ୍ଝାରପୁରରୁ କନକଲତା ମଲ୍ଲିକ, ବରୀରୁ ଆରତୀ ଦେଓ, ଧର୍ମଶାଳାରୁ କିଷାନ ପଣ୍ଡା, କୋରେଇରୁ ବନ୍ଦିତା ପରିଡ଼ା, ଢେଙ୍କାନାଳରୁ ସୁସ୍ମିତା ସିଂଦେଓ, ହିନ୍ଦୋଳରୁ ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପରଜଙ୍ଗରୁ ରଞ୍ଜିତ କୁମାର ସାହୁ, ତାଳଚେରରୁ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳରୁ ଅମ୍ବିକା ପ୍ରସାଦ ଭଟ୍ଟଙ୍କ ନାଁ ଘୋଷଣା କରାଯାଇଛି ।

ଛେଣ୍ଡିପଦରୁ ନରୋତ୍ତମ ନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁରରୁ ପ୍ରଦୀପ ସେଠୀ, ସୋନପୁରରୁ ପ୍ରିୟବ୍ରତ ସାହୁ, ଟିଟିଲାଗଡ଼ରୁ ବୀରେନ୍ଦ୍ର ବାଗ୍, ଖଡିଆଡରୁ କମଲ ଚରଣ ତାଣ୍ଡିଙ୍କୁ ଦଳ ପ୍ରାର୍ଥୀ କରିଛି ।

ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି । ବଡମ୍ବାରୁ ସଞ୍ଜୟ କୁମାର ସାହୁଙ୍କ ନାଁ ଘୋଷଣା କରାଯାଇଛି । ମେହବୁବ ଅହମ୍ମଦ ଖାନଙ୍କୁ ଦଳ ଆଠଗଡ଼ରୁ ପ୍ରାର୍ଥୀ କରିଥିବା ବେଳେ ଚୌଦ୍ବାର-କଟକରୁ ମୀରା ମଲ୍ଲିକ, ନିଆଳିରୁ ଜ୍ୟୋତିରଞ୍ଜନ ମଲ୍ଲିକ, କଟକ ସଦରରୁ ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁରରୁ ଆକ୍ୟୁବ ଉଜମନ ଖାଁ, ପାଟକୁରାରୁ ରତୀକାନ୍ତ କାନୁନଗୋ, ଆଳିରୁ ଦେବସ୍ମିତା ଶର୍ମା, ପାରାଦୀପରୁ ନିରଞ୍ଜନ ନାୟକ, ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ, ଏରସମା-ବାଲିକୁଦାରୁ ନଳିନୀ ସ୍ବାଇଁ, ବ୍ରହ୍ମଗିରିରୁ ମିତ୍ରଭାନୁ ମହାପାତ୍ର, ରଣପୁରରୁ ବିଭୂପ୍ରସାଦ ମିଶ୍ର, ନୟାଗଡ଼ରୁ ରଞ୍ଜିତ ଦାସଙ୍କ ନାଁ ଘୋଷଣା କରାଯାଇଛି ।

ସେହିପରି କବିସୂର୍ଯ୍ୟନଗରରେ ପ୍ରାର୍ଥୀ ବଦଳାଇଛି ଦଳ । ଚିରଞ୍ଜୀବ ବିଷୋୟୀଙ୍କ ସ୍ଥାନରେ ବିପିନ ବିହାରୀ ସ୍ବାଇଁଙ୍କ ନାଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଖଲ୍ଲିକୋଟରୁ ଚିତ୍ରସେନ ବେହେରା, ଆସିକାରୁ ସୁରଭୀ ବିଷୋୟୀ, ହିଞ୍ଜିଳିରୁ ରଞ୍ଜିକାନ୍ତ ପାଢ଼ୀ, ବ୍ରହ୍ମପୁରରୁ ଦୀପକ ପଟ୍ଟନାୟକ ଏବଂ ଦିଗପହଣ୍ଡିରୁ ଶ୍ରୀଧର ଦେବଙ୍କୁ ଦଳ ପ୍ରାର୍ଥୀ କରିଛି ।

ଜମୁଛି ପ୍ରଚାର: ଶୋଭାଯାତ୍ରା ଓ ସମାବେଶରେ କମ୍ପୁଛି ଗାଁଠୁ ସହର

ଭୁବନେଶ୍ବର: ବଢ଼ିବାରେ ଲାଗିଛି ନିର୍ବାଚନୀ ତାତି । ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ମାରାଥନ କ୍ଯାମ୍ପେନ । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ରାଲିରେ ଦେଖାଉଛନ୍ତି ଶକ୍ତି । ଶୋଭାଯାତ୍ରା, ସମାବେଶରେ କମ୍ପୁଛି ପରିବେଶ ।

ବାଲେଶ୍ବରରେ ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ହାଇଭୋଲଟେଜ୍ ପ୍ରଚାର । କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି ଲେଖାଶ୍ରୀ । ଠାକୁରଙ୍କ ଆଶୀର୍ବାଦ ନେଇ ବାଲେଶ୍ଵର ଲୋକସଭା କ୍ଷେତ୍ରରେ ଆରମ୍ଭ କରିଛନ୍ତି କ୍ଯାମ୍ପେନ୍ । ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଲୁଣା ଚିତ୍ରୋତ୍ପଳା ଅଂଚଳରେ ବିଜେଡିର ଜୋରଦାର ପ୍ରଚାର । ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ନେତୃତ୍ଵରେ ନଗସପୁର ଅଞ୍ଚଳରେ ବିଶାଳ ଶୋଭାଯାତ୍ରା କରିଥିଲେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ମାହାଙ୍ଗା ବିଜେଡି ବିଧାନସଭା ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବିଭିନ୍ନ ସାହି ଓ ବସ୍ତିରେ ଲୋକଙ୍କୁ ଭେଟି ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ ଦୁଇ ପ୍ରାର୍ଥୀ । ହିନ୍ଦୁ-ମୁସଲମାନ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତରେ ହାତ ମିଳାଇ ନୂଆ ଓଡ଼ିଶା ଗଠନରେ ନିଜକୁ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ନେତା ଓ ପ୍ରାର୍ଥୀ ।

ସେହିପରି ଯାଜପୁର ପୌରପାଳିକାରେ ପ୍ରଚାର ଆରମ୍ଭ କରିଛି ବିଜେଡି । ବିରଜା କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ବିଜେଡି ବିଧାନସଭା ପ୍ରାର୍ଥୀ ସୁଜାତା ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରକୁ ପାଥେୟ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ସେହିପରି ବରଗଡ଼ ଲୋକସଭା ଆସନ ପ୍ରାର୍ଥୀ ପରିଣିତା ମିଶ୍ର ଅତାବିରା ସ୍ଥିତ ବୀର ହନୁମାନ ଓ ମା’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି କ୍ଯାମ୍ପେନ । ତାଙ୍କ ସହ ଅତାବିରା ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଡୋର ଟୁ ଡୋର କ୍ଯାମ୍ପନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ପ୍ରଚାର କରିଛନ୍ତି ଦୁଇ ନେତ୍ରୀ ।

ପୁରୀରେ ବିଜେପି ପକ୍ଷରୁ ଜୋରଦାର କ୍ଯାମ୍ପେନ୍ ଆରମ୍ଭ । ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି ପୁରୀ ବିଜେପି ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ପ୍ରଚାର କରିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ପୁରୀରେ ଜୟନ୍ତଙ୍କ ସହ ମିଶି ପ୍ରଚାର କରିଛନ୍ତି । ଯାଜପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଯାଜପୁର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଅଂଚଳ ଦାସ ଆରମ୍ଭ କରିଛନ୍ତି ପ୍ରଚାର । ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ସେ ପ୍ରଚାର ଆରମ୍ଭ କରିଛନ୍ତି ।

ଫସର ଫାଟିଲା ହାଇଭୋଲଟେଜ କ୍ୟାମ୍ପେନ ପ୍ଲାନ: କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ବିଜେପି କର୍ମୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

କଟକ: କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ପ୍ରଚାରକୁ ଶାଣିତ କରିବା ଲକ୍ଷ୍ଯ ବିଜେପି ପ୍ରାର୍ଥୀଙ୍କୁ ପଡିଲା ମହଙ୍ଗା । ଟିକେଟ ଆଶାୟୀଙ୍କ ସମର୍ଥକ ଓ ପ୍ରାର୍ଥୀଙ୍କ ସମର୍ଥକ ମଧ୍ୟରେ ହାତାହାତି ପରିସ୍ଥିତି । କଟକ କଲେଜ ଛକରେ ଆୟୋଜିତ ବିଜେପି ସମାବେଶ ଓ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଶାୟୀ ପ୍ରମୋଦ ସାହୁଙ୍କ ସମର୍ଥକ ଚୌଦ୍ବାର ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କ ସମର୍ଥକ ମଧ୍ୟରେ ଖଣ୍ଡଯୁଦ୍ଧ । ହାତାହାତିରେ କିଛି କର୍ମୀଙ୍କ ମୁଣ୍ଡଫାଟି ଆହତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏଭଳି ଟିକେଟ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ବୁମେରାଂ ପାଲଟିଲା ବିଜେପିର ହାଇଭୋଲଟେଜ କ୍ୟାମ୍ପେନ ପ୍ଲାନ । ବିଜେପି ପ୍ରାର୍ଥୀଙ୍କୁ ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଜନସମର୍ଥନ ସାଉଁଟିବା ଯୋଜନା । ରକ୍ତଭୂମି ପାଲଟିଲା ପ୍ରଚାର ମଇଦାନ । ସଭାମଞ୍ଚ ନିକଟରେ ଉଭୟ ଗୋଷ୍ଠୀ ସମର୍ଥକ ହାତାହାତି । ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା ଟିକେଟ କଳି । ଆରୋପ ପ୍ରତ୍ୟାରୋପ ସହ ଉଡ଼ିଲା ଚେୟାର, ଫାଟିଲା ମୁଣ୍ଡ ।

କଟକ କଲେଜ ଛକରେ ଆୟୋଜିତ ବିଜେପି ସମାବେଶ ଓ ମିଶ୍ରଣ ପର୍ବ ବେଳେ ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଏହି ସମୟରେ ହୋହାଲ୍ଲା, ନାରାବାଜି, ମାରପିଟ, ରକ୍ତାକ୍ତ ସଂଘର୍ଷ ଦେଖି ହତବାକ୍ ନେତା, କର୍ମୀ ଓ ସାଧାରଣ ଜନତା । ଚୌଦ୍ବାର-କଟକ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ନେଇ ବିଜେପି କର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ବିସ୍ଫୋରଣର ରୂପ ନେଇଛି । ଆଶାୟୀ ପ୍ରମୋଦ ସାହୁଙ୍କ ସମର୍ଥକ ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଥିବାବେଳେ ନୟନଙ୍କ ସମର୍ଥକମାନେ ଅନ୍ଯ ଗୋଷ୍ଠୀକୁ ଆକ୍ରମଣ କରିଥିଲେ । ପରସ୍ପରରର ଆକ୍ରମଣରେ କିଛି ବିଜେପି କର୍ମୀଙ୍କ ମୁଣ୍ଡ ଫାଟିଥିବାରୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୫ ଥର ନିର୍ବାଚନ ହାରିଥିବା ନେତାଙ୍କୁ କିଭଳି ଓ କାହିଁକି ପ୍ରାର୍ଥୀ କରାଗଲା ବୋଲି ବିଜେପି କର୍ମୀ ଦଳର ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନ କରିଛନ୍ତି । ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି କର୍ମୀ ।

ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଫରକ ପକାଇ ନଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନଙ୍କ ଉପସ୍ଥିତି । ହଟ୍ଟଗୋଳ, ନାରାବାଜି ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବିଜେପି କର୍ମୀ । ମଞ୍ଚରେ ଅବାକ ହୋଇ ବସି ରହିଥିଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଖଣ୍ଡଯୁଦ୍ଧରୁ ବର୍ତ୍ତି ନଥିଲେ ମହିଳା । ମାରପିଟ ପରେ କିଛି କର୍ମୀ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି । ନୟନ ମହାନ୍ତିଙ୍କ ପକ୍ଷରୁ ମଧ୍ୟ ଏଫଆଇର ଦିଆଯାଇଛି ।

ଶୀଘ୍ର ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର, ଛାତ୍ର ଓ ଯୁବକଙ୍କୁ ପ୍ରାଥମିକତା

ଭୁବନେଶ୍ବର: ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗତକାଲି ଶଙ୍ଖ ଭବନରେ ପ୍ରଥମ ବୈଠକ ବସିବା ପରେ ମତାମତ ଆସିବା ଆରମ୍ଭ ହୋଇଛି । ଏଥର ଛାତ୍ର ଓ ଯୁବକଙ୍କୁ ଇସ୍ତାହରରେ ବିଜେଡି ଦେବ ପ୍ରାଥମିକତା । ସେପଟେ ପ୍ରତିଦିନ ନବୀନ ନିବାସରେ ବଢୁଛି ସମର୍ଥକଙ୍କ ଭିଡ଼ । ବିକାଶ କାର୍ଯ୍ୟକ୍ରମ ସମେତ ସଠିକ୍ ପ୍ରାର୍ଥୀ ଚୟନ ଯୋଗୁଁ ସମସ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

ଚାଷୀ, ମହିଳାଙ୍କ ପରି ବିଜେଡି ଫୋକସରେ ଯୁବକ ଓ ଛାତ୍ର । ଏଥର ବି ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ମିଳିବ ପ୍ରାଧାନ୍ୟ । ଖାସ୍ କରି ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ ଗୁରୁତ୍ବ ଦେବ ବିଜୁ ଜନତା ଦଳ । ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ଗଢିବାରେ ଏସବୁ ହେବ ସହାୟକ । ଛାତ୍ର ଇସ୍ତାହାରରେ କ’ଣ ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ ମତାମତ ଅଣାଯାଇଛି । ସେହିପରି କୃଷି ବଜେଟ ପରି ଯୁବ ବଜେଟ ଆଣାଯିବ । ଦକ୍ଷତା ବିକାଶ ସହ ଯୁବକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ଯ ନେଇ ଏହି ବଜେଟ ପ୍ରସ୍ତୁତ କରାଯିବ । ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ ହିଁ ଛାତ୍ର ଇସ୍ତାହାର ଓ ଯୁବ ବଜେଟ ଉପରେ ମୋହର ମାରିବେ ନବୀନ । ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରି ଦେଇଛି । ଏ ସମସ୍ତ ନେତା ସମାଜର ବିଭିନ୍ନ କ୍ଷେତ୍ର, ବିଭିନ୍ନ ଅଞ୍ଚଳ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆଲୋଚନା କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି ।  [email protected] ଜରିଆରେ ଇସ୍ତାହାର ପାଇଁ ମତାମତ ଆସିବାରେ ଲାଗିଲାଣି । ଇସ୍ତାହାରର ଚୂଡ଼ାନ୍ତ ରୂପରେଖରେ ମୋହର ମାରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ମୌଳିକ ଆବଶ୍ୟକତାକୁ ଫୋକସ ଦିଆଯାଇଥିବାବେଳେ ସେଥିରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଗ୍ୟାରେଣ୍ଟି ।

ସେପଟେ ଦିନକୁ ଦିନ ବିଜେଡିର ସମର୍ଥନ ବଢିବାରେ ଲାଗୁଛି । ମସଜିଦ୍ ଓ ଚର୍ଚ୍ଚର ବିକାଶ ସହ କବରସ୍ଥାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ଜମି ପ୍ରଦାନ କରିଛନ୍ତି । ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟ ଦୈନିକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛନ୍ତି । ସେହିପରି ବାରବାଟୀ-କଟକରୁ ପ୍ରକାଶ ବେହେରାଙ୍କୁ ବିଧାୟକ ପ୍ରାର୍ଥୀ ଓ ସଂତୃପ୍ତ ମିଶ୍ରଙ୍କୁ କଟକ ସାଂସଦ ପ୍ରାର୍ଥୀ କରିଛି ବିଜେଡି । ଏ ନେଇ ବାରବାଟ-କଟକର ୧୫ ଜଣ କର୍ପୋରେଟରଙ୍କ ସହ ଆଶୀର୍ବାଦ ବେହେରା ଓ ଓସିଏ ସଂପାଦକ ସଞ୍ଜୟ ବେହେରା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେହିପରି ଜୟଦେବ ଆସନର ବିଧାୟକ ପ୍ରାର୍ଥୀ ନବ ମଲ୍ଲିକ ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛନ୍ତି ଧନ୍ଯବାଦ ।

ସମ ବିକାଶ ଓ ଧର୍ମନିରପେକ୍ଷ ରାଜନୀତି ହେଉଛି ନବୀନ ମନ୍ତ୍ର । ସମସ୍ତଙ୍କୁ ନେଇ ଦୁଇ ଦଶନ୍ଧିରୁ ଅଧିକ କାଳ ରାଜ୍ୟର ବିକାଶରେ ଲାଗି ପଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଦିବାସୀ ମୂଲକରେ ଗର୍ଭବତୀଙ୍କ ସାହାରା ସାଜିଛି ବାଇକ୍ ଆମ୍ବୁଲାନ୍ସ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଅନେକ ଗାଁ ରହିଛି ଯେଉଁଠିକୁ ଆମ୍ବିୁଲାନ୍ସ ପହଞ୍ଚିବା କଷ୍ଟକର । ସେଠାରେ ପହଞ୍ଚି ଯାଉଛି ବାଇକ ଆମ୍ବୁନାଲ୍ସ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୧୭ରୁ ଆରମ୍ଭ ହୋଇଥିଲା ବାଇକ ଆମ୍ବୁଲାନ୍ସ ସେବା । ବର୍ତ୍ତମାନ ସୁଦ୍ଧା ଶତାଧିକ ମହିଳାଙ୍କୁ କରିଛି ସାହାଯ୍ଯ ।

ବଣ ପାହାଡ଼ ଘେରା ଥୁଆମୂଳ ରାମପୁରରେ ଦେବଦୂତ ସାଜିଛି ଏହି ବାଇକ ଆମ୍ବୁଲାନ୍ସ ।  ମାତୃ ମୃତ୍ୟୁହାର ରୋକିବା ଓ ଗର୍ଭବତୀଙ୍କୁ ପ୍ରସୂତୀ କାଳୀନ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ବାଇକ ଆମ୍ବୁଲାନ୍ସ । ପ୍ରସବ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପହଞ୍ଚାଇବା ଉଦ୍ଦେଶ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ସାଇସୁରନିଠାରେ ଆରମ୍ଭ ହେଲା ବାଇକ ଆମ୍ବୁଲାନ୍ସ ସେବା ଓ ମା’ ଗୃହ ।

ଗୁଣପୁର, ବାଲିସରା, କାଣିଗୁମା, କର୍ଲlପାଟ, କିଆ ପଦର, ନାକରୁଣ୍ଡି ଓ କେରପାଇ ଆଦି ୭ଟି ସବ ସେଣ୍ଟରର ୧୨୦ଟି ଗାଁର ଗର୍ଭବତୀଙ୍କୁ ବାଇକ ଆମ୍ବୁଲାନ୍ସ ଯୋଗେ ମା’ ଗୃହକୁ ଅଣାଯାଉଛି । ସେହି ମା’ ଗୃହରେ ସେମାନଙ୍କୁ କିଛିଦିନ ରଖି ସେବା ଯତ୍ନ ନିଆଯିବା ସହ ଖାଦ୍ୟ ପେୟ ବ୍ୟବସ୍ଥା କରାଯାଉଛି l ତା’ପରେ ପ୍ରସବ ଗୃହକୁ ପଠା ଯାଉଛି । ଆବଶ୍ୟକ ସ୍ଥଳେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି । ବାଇକ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ଦାୟିତ୍ୱ କାରଡ଼ା ସଂସ୍ଥାର । ଏ ଯାଏଁ ପ୍ରାୟ ୧୭୦୦ରୁ ଅଧିକ ଗର୍ଭବତୀ ମହିଳାଙ୍କୁ ବାଇକ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଥିବା ଜଣାପଡିଛି l ୬ ଶଯ୍ୟା ବିଶିଷ୍ଟ ସାଇସୁରନି ମା’ ଗୃହ ବର୍ଷକୁ ପ୍ରାୟ ୨୫୦ରୁ ୩୦୦ ଗର୍ଭବତୀ ମହିଳାଙ୍କୁ ପ୍ରସୂତୀ କାଳୀନ ସେବା ଯୋଗାଇ ଆସୁଛି ।