ଜମୁଛି ପ୍ରଚାର: ଶୋଭାଯାତ୍ରା ଓ ସମାବେଶରେ କମ୍ପୁଛି ଗାଁଠୁ ସହର

1 min read

ଭୁବନେଶ୍ବର: ବଢ଼ିବାରେ ଲାଗିଛି ନିର୍ବାଚନୀ ତାତି । ଜୋରସୋରରେ ଚାଲିଛି ପ୍ରଚାର । ଭୋଟରଙ୍କୁ ମନେଇବାକୁ ପ୍ରାର୍ଥୀଙ୍କ ମାରାଥନ କ୍ଯାମ୍ପେନ । ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର । ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ । ରାଲିରେ ଦେଖାଉଛନ୍ତି ଶକ୍ତି । ଶୋଭାଯାତ୍ରା, ସମାବେଶରେ କମ୍ପୁଛି ପରିବେଶ ।

ବାଲେଶ୍ବରରେ ବିଜେଡି ଲୋକସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ହାଇଭୋଲଟେଜ୍ ପ୍ରଚାର । କ୍ଷୀରଚୋରା ଗୋପୀନାଥଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି ଲେଖାଶ୍ରୀ । ଠାକୁରଙ୍କ ଆଶୀର୍ବାଦ ନେଇ ବାଲେଶ୍ଵର ଲୋକସଭା କ୍ଷେତ୍ରରେ ଆରମ୍ଭ କରିଛନ୍ତି କ୍ଯାମ୍ପେନ୍ । ସେହିପରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଲୁଣା ଚିତ୍ରୋତ୍ପଳା ଅଂଚଳରେ ବିଜେଡିର ଜୋରଦାର ପ୍ରଚାର । ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ନେତୃତ୍ଵରେ ନଗସପୁର ଅଞ୍ଚଳରେ ବିଶାଳ ଶୋଭାଯାତ୍ରା କରିଥିଲେ କେନ୍ଦ୍ରାପଡ଼ା ବିଜେଡି ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ମାହାଙ୍ଗା ବିଜେଡି ବିଧାନସଭା ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବିଭିନ୍ନ ସାହି ଓ ବସ୍ତିରେ ଲୋକଙ୍କୁ ଭେଟି ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ ଦୁଇ ପ୍ରାର୍ଥୀ । ହିନ୍ଦୁ-ମୁସଲମାନ ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ହାତରେ ହାତ ମିଳାଇ ନୂଆ ଓଡ଼ିଶା ଗଠନରେ ନିଜକୁ ସାମିଲ କରିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ନେତା ଓ ପ୍ରାର୍ଥୀ ।

ସେହିପରି ଯାଜପୁର ପୌରପାଳିକାରେ ପ୍ରଚାର ଆରମ୍ଭ କରିଛି ବିଜେଡି । ବିରଜା କଲ୍ୟାଣ ମଣ୍ଡପରେ ଆୟୋଜିତ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ବିଜେଡି ବିଧାନସଭା ପ୍ରାର୍ଥୀ ସୁଜାତା ସାହୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରକୁ ପାଥେୟ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ସେହିପରି ବରଗଡ଼ ଲୋକସଭା ଆସନ ପ୍ରାର୍ଥୀ ପରିଣିତା ମିଶ୍ର ଅତାବିରା ସ୍ଥିତ ବୀର ହନୁମାନ ଓ ମା’ ଦୁର୍ଗାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଆରମ୍ଭ କରିଛନ୍ତି କ୍ଯାମ୍ପେନ । ତାଙ୍କ ସହ ଅତାବିରା ବିଧାନସଭା ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଡୋର ଟୁ ଡୋର କ୍ଯାମ୍ପନ କରିଛନ୍ତି । ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ପ୍ରଚାର କରିଛନ୍ତି ଦୁଇ ନେତ୍ରୀ ।

ପୁରୀରେ ବିଜେପି ପକ୍ଷରୁ ଜୋରଦାର କ୍ଯାମ୍ପେନ୍ ଆରମ୍ଭ । ବିଧିବଦ୍ଧ ପ୍ରଚାର ଆରମ୍ଭ କରିଛନ୍ତି ପୁରୀ ବିଜେପି ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ଆଶିଷ ଭିକ୍ଷା କରି ପ୍ରଚାର କରିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ପୁରୀରେ ଜୟନ୍ତଙ୍କ ସହ ମିଶି ପ୍ରଚାର କରିଛନ୍ତି । ଯାଜପୁର ସଂସଦୀୟ କ୍ଷେତ୍ରରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି । ଯାଜପୁର ଲୋକସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଅଂଚଳ ଦାସ ଆରମ୍ଭ କରିଛନ୍ତି ପ୍ରଚାର । ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରି ସେ ପ୍ରଚାର ଆରମ୍ଭ କରିଛନ୍ତି ।