ଫସର ଫାଟିଲା ହାଇଭୋଲଟେଜ କ୍ୟାମ୍ପେନ ପ୍ଲାନ: କେନ୍ଦ୍ରମନ୍ତ୍ରୀଙ୍କ ଆଗରେ ବିଜେପି କର୍ମୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ

1 min read

କଟକ: କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ପ୍ରଚାରକୁ ଶାଣିତ କରିବା ଲକ୍ଷ୍ଯ ବିଜେପି ପ୍ରାର୍ଥୀଙ୍କୁ ପଡିଲା ମହଙ୍ଗା । ଟିକେଟ ଆଶାୟୀଙ୍କ ସମର୍ଥକ ଓ ପ୍ରାର୍ଥୀଙ୍କ ସମର୍ଥକ ମଧ୍ୟରେ ହାତାହାତି ପରିସ୍ଥିତି । କଟକ କଲେଜ ଛକରେ ଆୟୋଜିତ ବିଜେପି ସମାବେଶ ଓ ମିଶ୍ରଣ ପର୍ବରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ଆଶାୟୀ ପ୍ରମୋଦ ସାହୁଙ୍କ ସମର୍ଥକ ଚୌଦ୍ବାର ବିଜେପି ପ୍ରାର୍ଥୀ ନୟନ ମହାନ୍ତିଙ୍କ ସମର୍ଥକ ମଧ୍ୟରେ ଖଣ୍ଡଯୁଦ୍ଧ । ହାତାହାତିରେ କିଛି କର୍ମୀଙ୍କ ମୁଣ୍ଡଫାଟି ଆହତ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏଭଳି ଟିକେଟ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ବୁମେରାଂ ପାଲଟିଲା ବିଜେପିର ହାଇଭୋଲଟେଜ କ୍ୟାମ୍ପେନ ପ୍ଲାନ । ବିଜେପି ପ୍ରାର୍ଥୀଙ୍କୁ ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଜନସମର୍ଥନ ସାଉଁଟିବା ଯୋଜନା । ରକ୍ତଭୂମି ପାଲଟିଲା ପ୍ରଚାର ମଇଦାନ । ସଭାମଞ୍ଚ ନିକଟରେ ଉଭୟ ଗୋଷ୍ଠୀ ସମର୍ଥକ ହାତାହାତି । ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା ଟିକେଟ କଳି । ଆରୋପ ପ୍ରତ୍ୟାରୋପ ସହ ଉଡ଼ିଲା ଚେୟାର, ଫାଟିଲା ମୁଣ୍ଡ ।

କଟକ କଲେଜ ଛକରେ ଆୟୋଜିତ ବିଜେପି ସମାବେଶ ଓ ମିଶ୍ରଣ ପର୍ବ ବେଳେ ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଟକ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଏହି ସମୟରେ ହୋହାଲ୍ଲା, ନାରାବାଜି, ମାରପିଟ, ରକ୍ତାକ୍ତ ସଂଘର୍ଷ ଦେଖି ହତବାକ୍ ନେତା, କର୍ମୀ ଓ ସାଧାରଣ ଜନତା । ଚୌଦ୍ବାର-କଟକ ବିଜେପି ପ୍ରାର୍ଥୀ ନୟନ କିଶୋର ମହାନ୍ତିଙ୍କୁ ନେଇ ବିଜେପି କର୍ମୀଙ୍କ ଭିତରେ ଥିବା ଅସନ୍ତୋଷ ବିସ୍ଫୋରଣର ରୂପ ନେଇଛି । ଆଶାୟୀ ପ୍ରମୋଦ ସାହୁଙ୍କ ସମର୍ଥକ ନୟନ ମହାନ୍ତିଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରୁଥିବାବେଳେ ନୟନଙ୍କ ସମର୍ଥକମାନେ ଅନ୍ଯ ଗୋଷ୍ଠୀକୁ ଆକ୍ରମଣ କରିଥିଲେ । ପରସ୍ପରରର ଆକ୍ରମଣରେ କିଛି ବିଜେପି କର୍ମୀଙ୍କ ମୁଣ୍ଡ ଫାଟିଥିବାରୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୫ ଥର ନିର୍ବାଚନ ହାରିଥିବା ନେତାଙ୍କୁ କିଭଳି ଓ କାହିଁକି ପ୍ରାର୍ଥୀ କରାଗଲା ବୋଲି ବିଜେପି କର୍ମୀ ଦଳର ଶୀର୍ଷ ନେତୃତ୍ବଙ୍କୁ ପ୍ରଶ୍ନ କରିଛନ୍ତି । ତୁରନ୍ତ ନିଷ୍ପତ୍ତି ବଦଳାଇବାକୁ ଦାବି କରିଛନ୍ତି କର୍ମୀ ।

ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ଫରକ ପକାଇ ନଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନଙ୍କ ଉପସ୍ଥିତି । ହଟ୍ଟଗୋଳ, ନାରାବାଜି ଓ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ବିଜେପି କର୍ମୀ । ମଞ୍ଚରେ ଅବାକ ହୋଇ ବସି ରହିଥିଲେ କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ । ଖଣ୍ଡଯୁଦ୍ଧରୁ ବର୍ତ୍ତି ନଥିଲେ ମହିଳା । ମାରପିଟ ପରେ କିଛି କର୍ମୀ ମଙ୍ଗଳବାଗ ଥାନାରେ ଏତଲା ଦେଇଛନ୍ତି । ନୟନ ମହାନ୍ତିଙ୍କ ପକ୍ଷରୁ ମଧ୍ୟ ଏଫଆଇର ଦିଆଯାଇଛି ।