spot_img
Home Blog Page 1809

ଆଜି ୪ଟି ନିର୍ବାଚନମଣ୍ଡଳିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ବାରିପଦା: ଆଜି ତିନି ଲୋକସଭା କ୍ଷେତ୍ରରେ ହେବ ନବୀନ ଶୋ । ମୟୂରଭଞ୍ଜ, ବାଲେଶ୍ବର ଓ ଯାଜପୁର ଲୋକସଭା କ୍ଷେତ୍ରର ୪ଟି ନିର୍ବାଚନମଣ୍ଡଳିରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସକାଳ ସାଢେ ୧୧ଟାରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ରାଇରଙ୍ଗପୁରରେ ବିଶାଳ ଜନସଭାକୁ ନବୀନ ଉଦବୋଧନ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବାରିପଦା ନିର୍ବାଚନମଣ୍ଡଳିରେ କ୍ଯାମ୍ପେନ କରିବେ । ଏହାପରେ ବାଲେଶ୍ବର ଓ ଶେଷରେ ଯାଜପୁର ଲୋକସଭା କ୍ଷେତ୍ରର କୋରେଇ ନିର୍ବାଚନମଣ୍ଡଳିରେ ଭୋଟ ଭିକ୍ଷା କରିବେ ।

ଚତୁର୍ଥ ପର୍ଯ୍ୟାରେ ରାଜ୍ଯର ଏହି ଲୋକସଭା କ୍ଷେତ୍ର ଗୁଡ଼ିକରେ ଜୁନ ଏକ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନବୀନଙ୍କ ଗସ୍ତକୁ ନେଇ ସବୁଠୁ ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପି ପ୍ରଚାରପତ୍ର ଓ ଖେଳ ସାମଗ୍ରୀ ଜବତ ଘଟଣା, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରଚାରପତ୍ର ସହ ଖେଳ ସାମଗ୍ରୀ ଜବତ ଘଟଣା । ସିଇଓଙ୍କୁ ଫେରାଦ ହେଲା ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ, କିଶୋର ନଗର ବ୍ଲକ ପରଶୁମାଳ ଗାଁରେ ଅଚ୍ଯୁତାନନ୍ଦ ସାହୁଙ୍କ ଘରେ ଦୁଇଟି ବ୍ଯାଗକୁ ଲୋକ ଠାବ କରିଥିଲେ । ଅଚ୍ଯୁତାନନ୍ଦ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଅତ୍ଯନ୍ତ ଘନିଷ୍ଠ । ଦୁଇଟି ବ୍ଯାଗରୁ ଗୋଟିଏ ବ୍ଯାଗକୁ ପୋଲିସ ଜବତ କରିଛି । ସେଥିରେ ଖେଳ ସାମଗ୍ରୀ ରହିଥିଲା । ଏହାକୁ ଯୁବକଙ୍କୁ ବାଣ୍ଟି ବିଜେପିକୁ ଭୋଟ ହାସଲ କରିବାକୁ ଉଦ୍ଯମ କରୁଥିଲା । ଅନ୍ଯ ଗୋଟିଏ ବ୍ଯାଗ ଜବତ ହୋଇପାରନି ।  ସେଥିରେ ବିପୁଳ ଟଙ୍କା ଥିବା ସନ୍ଦେହ କରାଯାଉଛି । ଏଣୁ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

ମହାନଦୀ ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ଧର୍ମେନ୍ଦ୍ରଙ୍କ ପାଟି ଖନି ମାରିଗଲା

ସମ୍ବଲପୁର: ମହାନଦୀ ଓଡ଼ିଶାର ଲାଇଫଲାଇନ । ହେଲେ ମହାନଦୀ ସମସ୍ଯାକୁ ବରାଦିଆ କହିଲେ ଧର୍ମେନ୍ଦ୍ର ପ୍ରଧାନ । ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ନପାରି ଏଡାଇ ଚାଲିଗଲେ ।

ସମ୍ବଲପୁରରେ ବିଜେପିର ସାମ୍ବାଦିକ ସମ୍ମିଳନୀ ଅବସରରେ ମହାନଦୀ ପ୍ରସଙ୍ଗକୁ ନେଇ ସାମ୍ବାଦିକ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଥିଲେ । ହେଲେ ଧର୍ମେନ୍ଦ୍ର ଉତ୍ତର ଦେଇପାରି ନଥିଲେ । ସାମ୍ବାଦିକଙ୍କ ପ୍ରଶ୍ନରେ ତାଙ୍କ ପାଟି ଖନି ମାରି ଯାଇଥିଲା । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ରାଜ୍ଯ ସରକାର ମହାନଦୀ ପ୍ରସଙ୍ଗରେ ନ୍ଯାୟ ପାଇବାକୁ ଖୁବ ଧାଁ ଧଉଡ କରିଛନ୍ତି । କିନ୍ତୁ ବିଜେପି କେବଳ ରାଜନୀତି ହିଁ କରିଆସିଛି । ମହାନଦୀକୁ ଶୁଖାଇ ଚାଷୀଙ୍କୁ ହଇରାଣ କରିବାକୁ ଯୋଜନା କରିଥିଲେ ଓଡ଼ିଶାର ବିଜେପି ନେତା । କେନ୍ଦ୍ରର ବିଜେପି ସରକାର ଆଉ ଛତିଶଗଡ଼ ସରକାର ମିଶି ଓଡ଼ିଶା ବିରୋଧରେ ଲଢେଇ କରିଥିଲେ । କିପରି ଭାବେ ଟ୍ରିବ୍ଯୁନାଲ ଗଠନ ନହୋଇପାରିବ ସେଥିପାଇଁ ସୁପ୍ରିମକୋର୍ଟରେ ଷଡ଼ଯନ୍ତ୍ର କରିଥିଲେ । ଏଥିରେ ଓଡିଆ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ କରିଥିଲେ । ହେଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଯମ ଯୋଗୁଁ ଓଡ଼ିଶା ସୁପ୍ରିମକୋର୍ଟରେ ବିଜୟୀ ହେବା ସହ ଟ୍ରିବ୍ଯୁନାଲ ଗଠନ ହୋଇଛି । ଆଗକୁ ଟ୍ରିବ୍ଯୁନାଲ ମାଧ୍ଯମରେ ଓଡିଶା ନ୍ଯାୟ ପାଇବ ବୋଲି ଆଶା କରିଛି ।

ଧର୍ମେନ୍ଦ୍ର ଓଡ଼ିଶା ସଂସ୍କୃତି ବିରୋଧୀ, ବାହାର ରାଜ୍ୟ ନେତାଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଛନ୍ତି: ପ୍ରଣବ

ସମ୍ବଲପୁର: ପୁଣି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶାଣିତ ସମାଲୋଚନା କଲେ ପ୍ରଣବ ପ୍ରକାଶ ଦାସ । କହିଲେ- ବାହାର ରାଜ୍ଯର ନେତାଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶା ସଂସ୍କୃତି ବିରୋଧୀ କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଣବ ।

ସୋସିଆଲ ମିଡିଆ ଏକ୍ସରେ ପ୍ରଣବ କହିଛନ୍ତି, ୨୪ ବର୍ଷ ହେଲା ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ କରିଆସୁଛନ୍ତି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭାରି ଭଲ ପାଆନ୍ତି ଓ ନବୀନ ମଧ୍ଯ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ଭଳି ଭାବି କାର୍ଯ୍ୟ କରିଥାନ୍ତି । ହେଲେ ବାହାର ରାଜ୍ୟରୁ ନେତାଙ୍କୁ ଆଣି ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାବଦରେ ଅପମାନସୂଚକ ମନ୍ତବ୍ୟ ଦେଉଛି ବିଜେପି । ଅଶୋଭନୀୟ ଶବ୍ଦ ପ୍ରୟୋଗ କରିବା ଓଡ଼ିଶା ବିଜେପିକୁ ଆଦୌ ଶୋଭାଦେଉନି । ନିଜେ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ସେମାନଙ୍କ ସହ ମିଶି ସମାନ ଭାଷା ବ୍ୟବହାର କରିବା ଓଡ଼ିଶା ସଂସ୍କୃତି ବିରୋଧୀ ।

ସେ କହିଛନ୍ତି, ବାହାରୁ ଆସୁଥିବା ନେତା ଆମ ଅତିଥି, ସେଥିପାଇଁ ଆମେ ବିଶେଷ କିଛି ପ୍ରତିକ୍ରିୟା ରଖୁ ନଥିଲୁ, କାରଣ ବିଜେଡି ସବୁବେଳେ ଓଡ଼ିଶାର ସଂସ୍କୃତିକୁ ପାଳନ କରେ । ଗତ ୧୦ ବର୍ଷ ହେଲା ଓଡ଼ିଶା ବିଜେପି ନେତା ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ମନ୍ତବ୍ୟ ଦେଇ ଆସୁଛନ୍ତି । କାରଣ ସେମାନଙ୍କ ନିକଟରେ ଆଉ କିଛି ମୁଦ୍ଦା ନାହିଁ ।

ଧର୍ମେନ୍ଦ୍ରଙ୍କ ଅପରାଗତା ପେଡ଼ି ଖୋଲି ପ୍ରଣବ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ଓ ସମଲେଇ ପ୍ରକଳ୍ପକୁ ବିରୋଧ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଏନଏଚ-୫୫ କାମ କିଭଳି ଶୀଘ୍ର ସରିବ ସେନେଇ ତତ୍ପରତା ଦେଖାଇନାହାନ୍ତି । ଯେଉଁଥିପାଇଁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି । ମହାନଦୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ଛତିଶଗଡ଼ ପାଇଁ କରିଥିବା ଓକିଲାତି କାହାକୁ ଅଛପା ନାହିଁ । ସମ୍ବଲପୁର ସଭାରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଚାରିଥିବା ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଇପାରିଲେନି ଧର୍ମେନ୍ଦ୍ର । କାରଣ ସେ ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ମିଛ ପ୍ରଚାର ହେଉ ଅବା ଓଡ଼ିଶାର ବିକାଶକୁ ବିରୋଧ କରିବାର ମାନସିକତା, ବିଜେପିର ମିଛକୁ ଓଡ଼ିଶାବାସୀ ଜାଣି ସାରିଲେଣି । ଏଭଳି ଡାହା ମିଛକୁ ସେମାନେ ଆଦୌ ଗ୍ରହଣ କରୁନାହାନ୍ତି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ତିନି ଚତୁର୍ଥାଂଶ ଆସନ ସହ ଜୁନ ୯ ତାରିଖରେ ଷଷ୍ଠ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ପ୍ରଣବ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଓଡ଼ିଶାରେ ୧୨୧ ପ୍ରାର୍ଥୀ କୋଟିପତି, ୯୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା

ଭୁବନେଶ୍ବର: ଜୁନ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ ୩୯୪ ଜଣ ପ୍ରାର୍ଥୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୯୬ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ଅଛନ୍ତି ୧୨୧ ଜଣ କୋଟିପତି ପ୍ରାର୍ଥୀ ।

ବିଜେଡିର ବସ୍ତା ପ୍ରାର୍ଥୀ ଶୁଭାଷିନୀ ଜେନା ସବୁଠାରୁ ଅଧିକ ଧନୀ । ଶୁଭାଷିନୀଙ୍କର ୧୩୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ନିରଞ୍ଜନ ପଟ୍ଟନାୟକ ୩ ନମ୍ବର ଧନୀ ପ୍ରାର୍ଥୀ । ସେ ୮୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମାଲିକ । ମୟୂରଭଞ୍ଜ ଜିଲ୍ଲା ଉଦଳାର ସ୍ବାଧୀନ ପ୍ରାର୍ଥୀ ବେଣୁଧର ମହାପାତ୍ର ସବୁଠାରୁ ଗରିବ ପ୍ରାର୍ଥୀ । ତାଙ୍କ ପାଖରେ ରହିଛି ମାତ୍ର ୬୪୫ ଟଙ୍କା । ବିଜେଡିରେ ସର୍ବାଧିକ କୋଟିପତି ପ୍ରାର୍ଥୀ ଅଛନ୍ତି । ୩୭ ଜଣ କୋଟିପତି ପ୍ରାର୍ଥୀ ବିଜେଡିରେ ଅଛନ୍ତି । ବିଜେପିର ୩୦ ଜଣ କୋଟିପତି ନିର୍ବାଚନ ଲଢୁଛନ୍ତି । କଂଗ୍ରେସର ଅଛନ୍ତି ୨୧ ଜଣ କୋଟିପତି ପ୍ରାର୍ଥୀ । ୧୭ ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି । ୨ ଜଣଙ୍କ ନାଁରେ ରହିଛି ବଳାତ୍କାର ମାମଲା ।

ଏଡିଆର ଓ ଓଡ଼ିଶା ଇଲେକ୍ସନ ୱାଚ ତରଫରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ସମ୍ପର୍କରେ ଏହି ତଥ୍ୟ ଦିଆଯାଇଛି ।

ବିଜେପି ଗୁଣ୍ଡାରାଜ ପ୍ରତିବାଦରେ ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ରାଜ୍ଯ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି । ବିଜେଡିର ଜଣେ ମହିଳା ସମର୍ଥକଙ୍କୁ ବିଜେପି କର୍ମୀ ଆକ୍ରମଣ କରି ସୁନା ଚେନ୍ ଓ  ମୋବାଇଲ ଛଡ଼ାଇ ନେଇଥିବା ନେଇ କଲା ଅଭିଯୋଗ ।

ବଡ଼ଚଣା ବିଧାନସଭ ନିର୍ବାଚନ ମଣ୍ଡଳୀରେ ଶକୁନ୍ତଳା ବେହେରା ନାମକ ଜଣେ ବିଜେଡି କର୍ମୀ ଘର ଘର ବୁଲି ପ୍ରଚାର କରୁଥିଲେ । ଏହି ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଅମର କୁମାର ନାୟକଙ୍କ ସମର୍ଥକ ତାଙ୍କୁ ଅଟକ ରଖି ଆକ୍ରମଣ କରିଥିବା ଅଭିଯୋଗ କରିଛି ବିଜେଡି । ଶକୁନ୍ତଳାଙ୍କୁ ବିଶ୍ୱଜିତ ବଳ, କୁମାର ରଞ୍ଜନ ବଳ ଓ ବିଟୁ ବଳ ମଝିପଡ଼ା ଗାଁରେ ଅଟକାଇ ସୁନା ଚେନ ଓ ମୋବାଇଲ ଛଡ଼ାଇ ନେଇଥିବା ବାଲିଚନ୍ଦ୍ରପୁର ଥାନାରେ ଏତଲା ଦିଆଯାଇଛି ।

ଶକୁନ୍ତଳାଙ୍କୁ ନ୍ୟାୟ ଦେବା ମୁଖ୍ଯ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି ଟିମ୍ । ବିଜୁ ଜନତା ଦଳରେ ମହିଳାଙ୍କୁ ପ୍ରାଧାନ୍ୟ ଓ ସମ୍ମାନ ମିଳୁଥିବା ବେଳେ ସେମାନଙ୍କ ଖୁସି ଦେଖି ବିଜେପି ହତୋତ୍ସାହିତ ହୋଇପଡ଼ିଥିବା ବିଜେଡି କହିଛି ।

ବିଜେଡିରେ ମିଶିଲେ ବିଜେପିର ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦୀପ ନାୟକ

ଭୁବନେଶ୍ବର: ରାଜ୍ୟରେ ୨୫ରେ ତୃତୀୟ ଓ ଜୁନ ୧ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ହେଲେ ବିଜେପିକୁ ଝଟକା ଲାଗିବା ବନ୍ଦ ହେଉନି । ରାଜ୍ୟ ବିଜେପିର ଆଜି ଆଉ ଜଣେ ତୁଙ୍ଗ ନେତା ବିଜେପି ଡାଛି ବିଜେଡିରେ ମିଶିଛନ୍ତି । ସେ ହେଲେ ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରଦୀପ କୁମାର ନାୟକ ।

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ପ୍ରଦୀପଙ୍କୁ ଦଳକୁ ସ୍ବାଗତ କରିଛନ୍ତି । ପ୍ରଦୀପଙ୍କ ଯୋଗଦାନ ଭଦ୍ରକ ଲୋକସଭା କ୍ଷେତ୍ରରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ସସ୍ମିତ । ବିଜେଡି ରାଜ୍ଯର ବିକାଶ ପାଇଁ ନିରନ୍ତର ପ୍ରଚେଷ୍ଟା କରୁଛି । ଏଣୁ ନବୀନଙ୍କୁ ଷଷ୍ଠ ଥର ମୁଖ୍ଯମନ୍ତ୍ରୀ କରିବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି ବୋଲି ପ୍ରଦୀପ କହିଛନ୍ତି ।

ବୈଜୟନ୍ତ ଏବେ କେନ୍ଦ୍ରାପଡ଼ାର ନୁହଁନ୍ତି କି କେନ୍ଦ୍ରର ନୁହଁନ୍ତି

ଭୁବନେଶ୍ବର: ଉତ୍ତର ପ୍ରଦେଶ ପ୍ରଭାରୀ ହୋଇ ବି କାହିଁକି ୟୁପି ଯାଉନାହାନ୍ତି ବୈଜୟନ୍ତ ପଣ୍ଡା । ୟୁପିକୁ ଯିବାକୁ କିଏ କରିଛି ଆକଟ । ଗୋଟିଏ ରାଜ୍ଯର ପ୍ରଭାରୀ ହୋଇ ବି ସେହି ରାଜ୍ଯର ନିର୍ବାଚନ ସମୟରେ ନଯିବାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି । କୁହାଯାଉଛି ବୈଜୟନ୍ତ ଏବେ କେନ୍ଦ୍ରାପଡ଼ାର ନୁହଁନ୍ତି କି କେନ୍ଦ୍ରର ନୁହଁନ୍ତି ।

ବୈଜୟନ୍ତ ନା ଏବେ କେନ୍ଦ୍ରାପଡ଼ାର ହେଉଛନ୍ତି ନା କେନ୍ଦ୍ର ପଚାରୁଛି । ବିଜେପିରେ ବ୍ଯାକ ଡୋର୍ ଏଣ୍ଟ୍ରି ସ୍ବପ୍ନରେ ହିଁ ରହିଯାଇଛି । ଜଣେ ବେପାରୀ ରାଜନେତା, ଆତ୍ମଘୋଷିତ ଲୋକପ୍ରିୟ ନେତା । ବିଜେଡିରେ ଗୁଜବକାରୀର ଭୂମିକା ନିଭାଇ ବିଦା ହେବା ପରେ ବୈଜୟନ୍ତଙ୍କ କାତ ମାପି ସାରିଛି ବିଜେପି । କେନ୍ଦ୍ରାପଡ଼ାରୁ ଦେଢ ଲକ୍ଷରୁ ଅଧିକ ଭୋଟରେ ହାରିବା ପରେ ଜୟଙ୍କ ପାରିବା ପଣିଆ କାହାକୁ ବି ଅଛପା ନାହିଁ । ମିଡିଆ ଓ ଶିଳ୍ପପତିର ବହପ ଦେଖାଇ ସିନା ରାଷ୍ଟ୍ରୀୟ ଉପାଧ୍ଯକ୍ଷ ଚଉକିରେ ବସିପଡ଼ିଛନ୍ତି ହେଲେ କ୍ଷମତା ରାଜନୀତିରେ ବୈଜୟନ୍ତଙ୍କୁ ଚଉକିଟିଏ ଦେବାକୁ ବି ରାଜି ନାହିଁ ବିଜେପି ।

ଓଡ଼ିଶା ରାଜନୀତିରେ ପ୍ରାସଙ୍ଗିକତା ରଖି ନଥିବା ବୈଜୟନ୍ତ, ୨୦୧୯ରୁ ଲଗାତାର ଭାବେ ବିଜେପିର ରାଜ୍ଯସଭା ଲଡୁକୁ ଅନାଇ ବସିଛନ୍ତି । ଆସାମ ପ୍ରଭାରୀର ଦାୟିତ୍ବ ତୁଲାଇ ମନେ ମନେ ରାଜ୍ଯସଭା ମୁଆଁ ଖାଇ ବସିଥିଲେ । ଆସାମରେ ଚା’ ବଗିଚାରେ ଖୁବ ବୁଲିଲେ, ହେଲେ ଜୟଙ୍କ ପାଟିରେ କିନ୍ତୁ ରାଜ୍ଯସଭା ଚା’ କପେ ବାଜିଲାନି । ଏଥର ୟୁପିକୁ ଗଲେ ଯେ ଜୟଙ୍କ କୁପିନ୍ ଛଡାଇ ନେଲେ ଯୋଗୀ । ବୈଜୟନ୍ତ ଭାବିଥିଲେ ଯୋଗୀଙ୍କ ରନୱେରେ ହେଲିକପ୍ଟର ଲ୍ଯାଣ୍ଡ କରାଇବେ । ହେଲେ ଏମର୍ଜେନ୍ସି ଲ୍ଯାଣ୍ଡିଂ ପାଇଁ ବି ଯୋଗୀ ଦେଲେନି ଅନୁମତି । ଦେଶର ଏକମାତ୍ର ନେତା ବୈଜୟନ୍ତ ଯିଏ ପ୍ରଭାରୀ ହୋଇ ବି ଦିନକ ପାଇଁ ୟୁପିର ମାଟି ମାଡି଼ ପାରିଲେନି । ଏନସିସି କମିଟିର ଅଧ୍ଯକ୍ଷ ଓ ବିଜେପି ମହିଳା ମୋର୍ଚ୍ଚା ଭଳି ପତିଆରା ନଥିବା ସଂଗଠନର ପ୍ରଭାରୀ ଦାୟିତ୍ବ ଦେଇ ବୈଜୟନ୍ତଙ୍କୁ ଭୁତେଇ ଦେଇଛି ବିଜେପି । ଆଉ ନିର୍ବାଚନ ଲଢିବାକୁ ଚାହୁଁ ନଥିବା ଅଲୋଡ଼ା ବୈଜୟନ୍ତଙ୍କୁ ଠେଲି ପେଲି କେନ୍ଦ୍ରାପଡ଼ା ମାଟିକୁ ପଠାଇ ଦେଇଛି ।

ଏବେ ପୁଣି କେନ୍ଦ୍ରାପଡ଼ା ଆକାଶରେ ପଇଁତରା ମାରୁଛି ବୈଜୟନ୍ତରଙ୍କ ଚପ୍ପର । ନା ଲ୍ଯାଣ୍ଡିଂ କରିପାରୁଛି ନା କେନ୍ଦ୍ରର ରନୱେକୁ ଫେରି ପାରୁଛି । କାରଣ କେନ୍ଦ୍ରପଡାରେ ବିଜେଡି କରୁଛି ବିଜୟର କାଳବୈଶାଖୀ । ନବୀନଙ୍କ ବିକାଶ ପବନରେ ଦୋହଲୁଛି ଜୟଙ୍କ ଦଦରା ହେଲିକପ୍ଟର । ଟୁଇଟର ନେତାଙ୍କ ଟାଉଟର ଚରିତ୍ର ବିଜେପିର ଟପ୍ ନେତା ଜାଣିବା ପରେ ଟିମ ବିଜେପି ବି ଏକ୍ସଟ୍ରା ପ୍ଳେୟାର ତାଲିକାରୁ ତାଙ୍କୁ ବାଦ୍ ଦେଇସାରିଛି ।

ଏପଟେ ଓଡ଼ିଶା ବିଜେପିରେ ବି ବୈଜୟନ୍ତଙ୍କ ଅସ୍ଥିତ୍ବ ବି ଗ୍ରହଣୀୟତା ନାହିଁ । ରାଜ୍ଯ ରାଜନୀତିରେ ଧର୍ମେନ୍ଦ୍ରଙ୍କ ସହ ଜୟଙ୍କ ଅହିନକୁଳ ସଂପର୍କ । ଅପରାଜିତାଙ୍କ ଛାଇ ପଡ଼ିଲେ ତାଙ୍କର ନାହି ଡିଏଁ । ରାଜ୍ୟ ନେତାଙ୍କ ପାଇଁ ସେ ଆଗରୁ ହିଁ ଅଛୁଆଁ । ଏଣୁ ବିଜେପିକୁ ଯିବା ବେଳେ ଭାୟା ଦିଲ୍ଲୀ ଦେଇ ଓଡ଼ିଶା ସ୍ବପ୍ନ ଦେଖିଥିଲେ ଜୟ । ହେଲେ ଏବେ ସବୁ ସ୍ବପ୍ନ ଚୁରମାର୍ ହୋଇଯାଇଛି । ଜୟ ନା ଏ କୂଳର ହେଉଛନ୍ତି ସେ କୂଳର । ନିଜ ଘରୋଇ ମାଲିକାନାରେ ଥିବା ଟିଭି ଚ୍ଯାନେଲ ଓ ଟୁଇଟର ଛଡ଼ା ତୃତୀୟ ଭରସା ହିଁ ନାହିଁ । ଏପଟେ କେନ୍ଦ୍ରାପଡ଼ାରେ ପକ୍କା ପରାଜୟ ସମ୍ଭବନା ବି ଜଳଜଳ ଦିଶୁଛି । ଏଭଳି ପରିସ୍ଥିତିରେ ବୈଜୟନ୍ତ ପୂରା ବାଉଳା ଅବସ୍ଥାରେ । ସେଥିପାଇଁ କେବେ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି ଆଉ ଟୁଇଟରରେ ଆବୁରୁ ଚାବୁରୁ ଗପୁଛନ୍ତି । ହେଲେ ବାସ୍ତବ ସତ ହେଉଛି ବୈଜୟନ୍ତ ପଲିଟିକାଲ କ୍ଯାରିୟରର ଦି ଏଣ୍ଡ ହୋଇସାରିଛି ।

କଟକ ସଭାରେ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶାବାସୀଙ୍କୁ ମିଛ କୁହାଇଲା ରାଜ୍ୟ ବିଜେପି

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ଓଡ଼ିଶା ସମ୍ପର୍କରେ ମିଛ ପ୍ରଚାର । ରାଜ୍ୟ ବିଜେପି ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଶାବାସୀଙ୍କୁ ମିଛ କୁହାଇଛନ୍ତି । କଟକରେ ପ୍ରଚାର ବେଳେ ରାଜ୍ଯ ସରକାରଙ୍କ ସମାଲୋଚନା କରିବାକୁ ଯାଇ କହିଲେ କଟକ ନଦୀ ଅବବାହିକାରେ ଅବସ୍ଥିତ । କିନ୍ତୁ କଟକବାସୀ ସ୍ବଚ୍ଛ ପାନୀୟ ଜଳ ପାଇବାରୁ ବଞ୍ଚିତ । ତେବେ ମୋଦିଙ୍କୁ ଏକଥା ଜାଣି ନାହାନ୍ତି, କଟକବାସୀଙ୍କ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ଯ ସରକାର କ’ଣ କରିଛନ୍ତି ? ପ୍ରକୃତ କଥା ହେଲା ପ୍ରଧାନମନ୍ତ୍ରୀଙ୍କ ମୁହଁରେ ରାଜ୍ୟ ବିଜେପି ଏହି ମିଛ କୁହାଇଛି ।

ଗୋଟିଏ ପଟେ କାଠଯୋଡ଼ି ଅନ୍ଯପଟେ ମହାନଦୀ । ମଝିରେ ରାଜ୍ଯରେ ପୁରୁଣା ରାଜଧାନୀ କଟକ । ରାଜ୍ଯ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ଜଳ ଯୋଗାଣ ପାଇଁ ହୋଇଛି ଅନେକ ଯୋଜନା । CDA ୧୩ରେ ନିର୍ମାଣ ହୋଇଛି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ । ଏହି ପ୍ଲାଣ୍ଟ ହେବା ପଛର ମୁଖ୍ୟ କାରଣ ହେଉଛି ସିଏମସି ବାସିନ୍ଦା କିଭଳି ଶୁଦ୍ଧ ପାନୀୟ ଜଳ ପାଇବେ । ପ୍ଲାଣ୍ଟରୁ ଆସୁଥିବା ଶତକଡା ୭୦ ଭାଗ ସୁଦ୍ଧ ପାଣି ସହରବାସୀଙ୍କୁ ମିଳୁଛି । କିନ୍ତୁ ପ୍ରଧାନମନ୍ତ୍ରୀ କଟକ ନିର୍ବାଚନ ପ୍ରଚାରରେ ଆସି କିଛି ନ ବୁଝି ମିଛ କହିଗଲେ । ଲୋକଙ୍କୁ ପ୍ରଭାବିତ କରିବାକୁ ଜନ ସମାବେଶରେ ପ୍ରଧାନମନ୍ତ୍ରୀଙ୍କ ଏପରି ମିଛି ଭାଷଣ ଦୁର୍ଭାଗ୍ଯଜନକ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।

ରାଜ୍ଯ ସରକାରଙ୍କ ଅମୃତ ଯୋଜନାରେ ପ୍ରତି ଘରକୁ ଯୋଗାଇ ଦିଆଯାଉଛି ଶୁଦ୍ଧ ପାନୀୟ ଜଳ । ଦିନକୁ ଦିନ ଭୂତଳ ଜଳସ୍ତର କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି CDA ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ତିଆରି କରାଗଲା । ପୁରୀ, ଭୁବନେଶ୍ୱର ପରେ କଟକରେ ଶତକଡା ୭୦ ଭାଗ ଘରେ ପାଇପ ଯୋଗେ ପାଣି ପହଞ୍ଚିଛି । ଆଉ ୨ ମାସ ଭିତରେ ସମ୍ପୂର୍ଣ୍ଣ ସହରକୁ ମିଳିବ ଜଳ । କିନ୍ତୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରରୁ ଆସୁଥିବା ମନ୍ତ୍ରୀ କିଛି ନଜାଣି ଏପରି କହିବା ନିତାନ୍ତ ନିନ୍ଦନୀୟ । କଟକବାସୀ ଏହାର ନିଶ୍ଚିତ ଜବାବ ଦେବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ଠକିଦେଲେ ବୈଜୟନ୍ତ: ୮ ବର୍ଷ ଖଟାଇଲେ, ପ୍ରାପ୍ୟ ଦେବା ବେଳକୁ ଛୁ…

ଭୁବନେଶ୍ବର: ଠକି ଦେଲେ ବୈଜୟନ୍ତ ପଣ୍ଡା । ଆବଶ୍ୟକ ବେଳେ ଖଟାଇଲେ, ହେଲେ ପଇସା ଦେବା ବେଳକୁ ଧରାଛୁଆଁ ଦେଲେନି । ଲକ୍ଷେ କି ଦୁଇ ଲକ୍ଷ ଟଙ୍କା ନୁହେଁ ୨୭ ଲକ୍ଷ ଟଙ୍କା ଠକି ଦେଲା ପୂର୍ବରୁ ବୈଜୟନ୍ତଙ୍କ ମାଲିକାନାରେ ଥିବା ଓରଟେଲ୍ କମ୍ପାନୀ । ୮ ବର୍ଷ ହେଲା ଜଗବନ୍ଧୁ ଟ୍ରାନ୍ସପୋର୍ଟ କମ୍ପାନୀର ମାଲିକ ଅଶ୍ବିନୀ ତ୍ରିପାଠୀ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ।

ଏହାରି ଭିତରେ ଅଶ୍ବିନୀ ଅନେକ ଥର ଓରଟେଲ କାର୍ଯ୍ୟାଳୟ, ଓଟିଭି ଅଫିସ ସହିତ ପୂର୍ବତନ ମାଲିକ ବୈଜୟନ୍ତ ପଣ୍ଡାଙ୍କ ବାସଭବନ ଚକର କାଟି ନିରାଶ ହୋଇଛନ୍ତି । ଅଶ୍ୱିନୀଙ୍କ କଟକ ଜିଲ୍ଲା କଟକ ଜିଲ୍ଲା ଅସୁରେଶ୍ୱର ଜମରା ଗ୍ରାମର ବାସିନ୍ଦା । କଟକ ଜଗତପୁର ଶିଳ୍ପ ଅଞ୍ଚଳରେ ତାଙ୍କର ଏକ ଟ୍ରାନ୍ସପୋର୍ଟ କମ୍ପାନୀ ଖୋଲି ଥିଲେ । ୨୦୧୫ ମସିହାରେ ଓରଟେଲ କମ୍ପାନୀର HR ଓ ମ୍ୟାନେଜର ଅଶ୍ୱନୀଙ୍କୁ ଯୋଗାଯୋଗ କରିଥିଲେ । ମାସିକ ଗାଡି ଓରଟେଲ ଭଡ଼ା ସୂତ୍ରରେ ଲଗାଇବ ପାଇଁ ଅନୁରୋଧ କରିଥିଲେ । ମାସିକ ଗାଡି ଭଡ଼ା ବାବଦରେ ୫ ଲକ୍ଷ ଦେବେ ବୋଲି ସ୍ଥିର ହୋଇଥିଲା । ପରେ ଅଶ୍ଵନୀ ନିଜ ଗାଡି ସହ ବାହାରୁ ଭଡ଼ା ସୂତ୍ରରେ ଗାଡି ଆଣି ଓରଟେଲରେ ଲଗାଇଥିଲେ । ପ୍ରଥମେ ସବୁ କିଛି ଠିକ୍ ଚାଲିଥିଲା । ହେଲେ ୨୦୧୬ରୁ ଓରଟେଲ ଟଙ୍କା ଦେବା ବନ୍ଦ କରିଦେଇଥିଲା । ବୈଜୟନ୍ତ ପଣ୍ଡାଙ୍କୁ ଗୁହାରୀ କଲେ ଅପେକ୍ଷା କର ପଇସା ଦିଆଯିବ ହେଲେ କେବେ ଦେବେ କିଛି କହୁ ନଥିବା ସେ ଅଭିଯୋଗ କରିଛନ୍ତି ।

ଋଣ ପଇସା ନଦେବାରୁ ବନ୍ଧକ ରଖିଥିବା ଘର ସୁନା ଜବତ କରିଛି ବ୍ୟାଙ୍କ । ସେପଟେ ଅର୍ଥ ଅଭାବରୁ ଅଶ୍ବିନୀଙ୍କ ଦୁଇ ଝିଅଙ୍କ ପାଠ ପଢା ବି ବନ୍ଦ ହେଲାଣି । ଓଲଟେଲ୍ କମ୍ୟୁନିକେସନ ଅଫିସ ସମ୍ମୁଖରେ ଆମରଣ ଅନଶନ କରିଥିଲେ । ହେଲେ ଟଙ୍କା ବଦଳରେ ସେଠାରୁ ତଡି ଦିଆଗଲା । ମାନସିକ ନିର୍ଯାତନା ସହି ନପାରି ବ୍ରେନ୍ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହେଲେ ଅଶ୍ବିନୀ । କଟକ ବଡ ମେଡିକାଲରେ ଚିକିତ୍ସିତ ହେବା ପରେ ଏବେ ପୁଣି ଟଙ୍କା ଫେରି ପାଇବା ପାଇଁ ଗୁହାରୀ କରିଛନ୍ତି । ଯଦି ଓରଟେଲ୍ କମ୍ୟୁନିକେସନ ୨୭ ଲକ୍ଷ ଟଙ୍କା ନଫେରାଇବ ତେବେ ପରିବାର ସହ କମ୍ପାନୀ ସମ୍ମୁଖରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଅଶ୍ବିନୀ । ସୂଚନାଯୋଗ୍ଯ, ବୈଜୟନ୍ତଙ୍କ ମାଲିକାନାରେ ଥିବା ଓରଟେଲ କମ୍ପାନୀ ଏବେ ଅନ୍ଯ ମାଲିକାନାକୁ ଚାଲିଯାଇଛି । ଏହାର ପୁରୁଣା ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ଯ ସେମାନଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।