spot_img
Home Blog Page 1810

ରାଜଧାନୀରେ ପୁଣି ଲଜ୍ଜା, ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର : ରାଜଧାନୀରେ ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଏୟାରଫିଲଡ୍ ଥାନା ପାଞ୍ଚ ଗାଁର ଗୋଠ ସାହିରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ସେହି ଗାଁର ଜଣେ ଯୁବକ ଏଭଳି କୁକର୍ମ କରିଥିବା ନେଇ ଏୟାରଫିଲଡ୍ ଥାନାରେ ଅଭିଯୋଗ ହୋଇଛି । ପୀଡିତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୀଡିତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ମାମଲାରେ ଅଭିଯୁକ୍ତର ଭାଇ ଓ ଭିଣୋଇକୁ ପୋଲିସ ପଚରାଉଚରା କରୁଛି ।

ନୂଆ ଆୟକରକୁ ବିରୋଧ କରି କେନିଆରେ ବିଦ୍ରୋହ; ୩୯ ମୃତ, ୩୬୦ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ : କେନିଆରେ ନୂଆ ଆୟକରକୁ ବିରୋଧ କରି ବିଦ୍ରୋହ ଘଟଣା । ସରକାରୀ ବିରୋଧୀ ଆନ୍ଦୋଳନରେ ୩୯ ଜଣଙ୍କର ମୃତ୍ଯୁ ହୋଇଛି । ୩୬୦ରୁ ଅଧିକ ଜଣ ଗୁରୁତର ହୋଇଛନ୍ତି । ୩୨ଟି ମାମଲାରେ ୬୨୭ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ଏନେଇ କେନିଆ ନ୍ଯାସନାଲ କମିଶନ ଅନ ହ୍ଯୁମାନ ରାଇଟ୍ସଙ୍କ ତରଫରୁ ସୂଚନା ଦିଆଯାଇଛି । ଦେଶରେ ବ୍ଯାପକ ସଙ୍କଟ ଜାରି ରହିଥିବାବେଳେ କେନିଆ ସରକାର ଏକ ବିବାଦୀୟ ଫାଇନାନ୍ସ ବିଲକୁ ଅନୁମୋଦନ କରିଥିଲେ । ଏହା କାର୍ଯ୍ୟକାରୀ ହେଲେ ଦେଶରେ ଟିକସ ବୃଦ୍ଧି ପାଇବ । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି ।

କୋଭିଡ ଓ ୟୁକ୍ରେନ ଯୁଦ୍ଧ ପରଠାରୁ ଦେଶରେ ଅର୍ଥନୈତିକ ସ୍ଥିତି ଅତ୍ଯନ୍ତ ଘନୀଭୂତ ହୋଇଛି। ଏହି ଟିକସ ଜରିଆରେ ସରକାର ଅତିରିକ୍ତ ୨.୭ ବିଲିୟନ ଡଲାର ସଂଗ୍ରହ କରିବାକୁ ଚାହୁଁଥିଲେ । ଗୋଟିଏ ପଟେ ମରୁଡି ସ୍ଥିତି ଥିବାବେଳେ ଅନ୍ଯ ପଟେ ରନ୍ଧନ ତେଲ, ପାଉଁରୁଟି, କାର ଆଦି ଉପରେ ଅଧିକ କର ପ୍ରସ୍ତାବ ରହିଥିଲା । ଯାହାକୁ ବିରୋଧ କରି ଆନ୍ଦୋଳନକୁ ଜୋରଦାର କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ ଲୋକେ । ଏପରିକି ଲୋକମାନେ ପାର୍ଲାମେଣ୍ଟ ମଧ୍ଯ ଜାଳିଦେଇଥିଲେ । ଟିକସ ବୃଦ୍ଧି ବିଲକୁ ନେଇ ଜୋରଦାର ବିକ୍ଷୋଭ ଓ ହିଂସାକାଣ୍ଡ ପରେ କେନିୟା ସରକାର ଏହାକୁ ପ୍ରତ୍ଯାହାର କରିବା ପାଇଁ ଘୋଷଣା କରିଛନ୍ତି ।

ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ

ପୁରୀ : ଆଜି ବସିବ ଶେଷ ରଥ ସମନ୍ୱୟ କମିଟି ବୈଠକ  । ଦିନ ୧୧ ଟା ୧୫ ମିନିଟରେ ପୁରୀ ଟାଉନ ହଲ ପରିସରରେ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ଯକ୍ଷତା କରିବେ । ଘୋଷଯାତ୍ରା ପୂର୍ବରୁ ରାସ୍ତା ଘାଟ, ପାନୀୟ ଜଳ, ପରିମଳ,ଗମନାଗମନ, ଭିଡ଼ ନିୟନ୍ତ୍ରଣ,ଆଇନ ଶୃଙ୍ଖଳା, ସ୍ବାସ୍ଥ୍ଯ ସେବାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ  ।

ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡିବେ ମୋହନ  । ସବୁ ବିଭାଗର ଅଧିକାରୀମାନେ ସେମାନଙ୍କ ପ୍ରସ୍ତୁତିର ରିପୋର୍ଟ ଉପସ୍ଥାପନ କରିବେ  । ରଥଯାତ୍ରା ପାଇଁ କେଉଁ ବିଭାଗ କେତେ ପ୍ରସ୍ତୁତ ଅଛି ତାହାର ସମୀକ୍ଷା କରାଯିବ । ବୈଠକରେ ବିଭାଗୀୟ ମନ୍ତ୍ରୀ, ବିଧାୟକ, ମୁଖ୍ଯ ଶାସନ ସଚିବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।

ଆଜି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଲଘୁଚାପ ଦୁର୍ବଳ ହେବା ପରେ ବି ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପଶ୍ଚିମ ଆସାମରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ଟ୍ରପ ଲାଇନ୍ ପ୍ରଭାବରେ ବର୍ଷା ଜାରି ରହିଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଟ୍ରପଲାଇନ ସହ ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ନିମ୍ନ ଚାପରେଖା । ପ୍ରଭାବରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ପ୍ରବଳ ବର୍ଷା ନେଇ ଝାରସୁଗୁଡ଼ା, ସୁନ୍ଦରଗଡ଼,ରାୟଗଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟଲୋ ୱାର୍ଣିଙ୍ଗ ଜାରି କରାଯାଇଛି । ସେପଟେ ଏବେବି ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ଏଯାଏଁ ୧୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୁରଭଂଜରେ ସର୍ବାଧିକ ୬୪ % ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ୧୬୪ ମିଲିମିଟର ବର୍ଷା ହୋଇଛି । ୧୩ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।

ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ : ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ : ମଧ୍ଯପ୍ରଦେଶରେ ଚାଞ୍ଚଲ୍ଯ । ଗୋଟିଏ ଘରୁ ୫ ଜଣଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମଧ୍ଯପ୍ରଦେଶ ଅଲ୍ଲିରାଜପୁର ରାଉଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗୋଟିଏ ପରିବାରର ୫ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ବାପାମାଆଙ୍କ ସମେତ ୩ ନାବାଳକ ପିଲା । ମୃତକ ହେଲେ ସ୍ବାମୀ ରାକେଶ ଦୋଦ୍ବା, ସ୍ତ୍ରୀ ଲଳିତା ଦୋଦ୍ବା ଏବଂ ୯ ବର୍ଷୀୟା ଝିଅ ଲକ୍ଷ୍ମୀ, ୭ ବର୍ଷୀୟ ପୁଅ ପ୍ରକାଶ ଓ ୫ ବର୍ଷୀୟ ଅକ୍ଷୟ ।

ଗତକାଲି ସକାଳେ ରାକେଶଙ୍କର ଜଣେ ସମ୍ପର୍କୀୟ ଘରକୁ ଆସିଥିବାବେଳେ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ପରେ ସେ ଗାଁ ଲୋକ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତ ରାକେଶର ପରିବାରର ଆର୍ଥିକ ଅବସ୍ଥା କେମିତି ଥିଲା ଓ ଅନ୍ଯାନ୍ଯ ଦିଗ ସମ୍ପର୍କରେ ପୋଲିସ ତଦନ୍ତ କରୁଛି । ଏହା ଆତ୍ମହତ୍ଯା ନା ହତ୍ଯା ସେନେଇ ସ୍ପଷ୍ଟ ହୋଇନଥିବାବେଳେ ସମ୍ପର୍କୀୟ ଓ ପଡ଼ୋଶୀଙ୍କୁ ପୋଲିସ ପଚରାଉଚରା କରୁଛି ।

ଆଜି ଲୋକସଭାରେ ଧନ୍ଯବାଦ ପ୍ରସ୍ତାବ ଉପରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ବି ବେଶ୍ ସରଗରମ ରହିବ ସଂସଦ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ଯବାଦ ପ୍ରସ୍ତାବ ଉପରେ ଲୋକସଭାରେ ଉତ୍ତର ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଗୃହ ସରଗରମ ରହିବାର ସମ୍ଭାବନା ଅଛି । ଗତକାଲି ରାହୁଲ ଗାନ୍ଧି ଉଭୟ ବିଜେପି ଓ ଆରଏସଏସ୍ କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ଉଭୟ ଗୃହ ଭିତରେ ଓ ବାହାରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଜି ରାହୁଲ ଗାନ୍ଧିଙ୍କୁ ଏହାର ଜବାବ ଦେଇପାରନ୍ତି ନରେନ୍ଦ୍ର ମୋଦି ।

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ଯବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗାନ୍ଧି କହିଥିଲେ ଯେ, ହିନ୍ଦୁ ଧର୍ମ କେବେ ବି ଲୋକଙ୍କୁ ଭୟଭୀତ କରେନି, ବିଦ୍ବେଷ ସୃଷ୍ଟି କରେନି, ମିଥ୍ଯା କଥା ପ୍ରଚାର କରେ ନାହି । ସବୁ ବେଳେ ସତ୍ଯ ସହିତ ରହିଥାଏ। ଏପରିକି ସେ ଭଗବାନ ଶିବ ଓ ଅନ୍ଯ ଧର୍ମର ଧର୍ମଗୁରୁଙ୍କ ଚିତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ । ଯାହାକୁ ଅନୁମତି ଦେଇନଥିଲେ ବାଚସ୍ପତି। ବିଜେପି ଓ ଆରଏସଏସକୁ ଆକ୍ଷେପ କରି ରାହୁଲ କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ଲୋକଙ୍କୁ ଡରାଉଛନ୍ତି, ବିଦ୍ବେଷ ସୃଷ୍ଟି କରୁଛନ୍ତି। ମିଛ କଥା କହୁଛନ୍ତି । ଏହାର ଜବାବରେ ମୋଦି କହିଥିଲେ, ସମସ୍ତ ହିନ୍ଦୁଙ୍କୁ ହିଂସକ କହିବା ଠିକ୍ ନୁହେଁ। ଏହା ଏକ ଗୁରୁତର କଥା। ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଅମିତ ଶାହା।

କେମିତି ଫସିଥିଲେ ଜଙ୍ଗଲରେ, ଛାତ୍ର କହିଲେ ପୁରା କାହାଣୀ

ନନ୍ଦିଘୋଷ ବ୍ୟୁରୋ: କେମିତି ଥିଲା ଘଞ୍ଚ ଜଙ୍ଗଲରେ ଫସି ଯିବାର ପୁରା କାହାଣୀ । ଏନେଇ କ୍ଯାମରେ ଆଗରେ ବର୍ଣ୍ଣନା କରିଛନ୍ତି କଟକର ଶୁଭନ ମହାପାତ୍ର । ଜଙ୍ଗଲରୁ ବାହାରିବାକୁ ଯେତେ ଚେଷ୍ଟା କରି ଯେଉଁ ବାଟେ ଯାଉଥିଲେ ବି ପୁଣି ପୂର୍ବ  ଜାଗାରେ ପହଞ୍ଚି ଯାଉଥିଲେ । ପାଖରେ ଏକ ବଡ ଗୁମ୍ଫା ଥିଲା । ରାସ୍ତାରେ ବିରାଟ ସାପର ମଧ୍ଯ ସାମ୍ନା ହୋଇଥିଲା । ଏକ ଧଳା ବସ୍ତ୍ର ପିନ୍ଧା କେହି ଜଣେ ସେଇବାଟେ ଦେଇ ଯାଉଥିବା ଅନୁଭବ କରିଥିଲେ । ନେଟୱର୍କ ବାରମ୍ବାର ଅପଆଉଟ୍ ହେଉଥିଲା । ଦୂର ଦୂର ଯାଏ ଚିତ୍କାର କଲେ ବି କେହି ଶୁଣିବାକୁ ନ ଥିଲେ। ମାଆ ଭୁଆସୁଣୀଙ୍କୁ ପ୍ରସାଦ ନ ଦେଲେ ସେଠାରୁ ଫେରିବା ମୁସ୍କିଲ୍ ବୋଲି ସେମାନେ ଅନୁଭବ କରିଥିଲେ । ସପ୍ତଶଯ୍ୟା ପାହାଡରେ ବାଟବଣା ହୋଇ ହଜି ଯାଇଥିଲେ ୫ ସାଙ୍ଗ । ଭୋଜିଭାତ କରି ଖାଇବା ପରେ ସପ୍ତଶଯ୍ୟା ପାହାଡ ଉପରକୁ ଚଢିଥିଲେ । କିନ୍ତୁ ପ୍ରବଳ ବର୍ଷା ହେବା ପରେ ପାହାଡ ଉପରେ ସେମାନେ ରହି ଯାଇଥିଲେ। ସେଠାରେ କାହାର ବି ଫୋନ ମଧ୍ୟ ଲାଗୁନଥିଲା। ରାତି ପ୍ରାୟ ସାଢେ ଗୋଟାଏ ସମୟରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ଓ ସଦର ପୋଲିସ ଟିମ ।

କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା

ନନ୍ଦିଘୋଷ ବ୍ୟୁରୋ: ଏମ୍ଏସ୍ଏମ୍ଇ ଶିଳ୍ପକୁ ସହଜ ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଆସୁ ସ୍ବତନ୍ତ୍ର କର୍ପସ ପାଣ୍ଠି । ଏ ନେଇ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି ଓଡ଼ିଶାର ଏମ୍ଏସ୍ଏମଇ ଶିଳ୍ପ ସଂଘ । ଓଡ଼ିଶାରେ ପ୍ରତିରକ୍ଷା ଓ ଏରୋସ୍ପେସ୍ କ୍ଲଷ୍ଟର ପ୍ରତିଷ୍ଠା କଲେ ଏମଏସଏମଇ ଶିଳ୍ପର ବ୍ୟାପକ ଅଭିବୃଦ୍ଧି ଘଟିବ । ଫଳରେ ରାଜ୍ୟରେ ଅଧିକରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବା ସହ ଆର୍ଥିକ ବିକାଶ ତ୍ବରାନ୍ବିତ ହେବ ବୋଲି ସଂଘ ଦାବି କରିଛି ।

କେନ୍ଦ୍ର ବଜେଟ୍କୁ ନେଇ ଓଡ଼ିଶା ଏମ୍ଏସ୍ଏମ୍ଇ ଶିଳ୍ପଙ୍କ ଆଶା । ବିନା କୋଲାଟେରାଲ ସିକ୍ୟୁରିଟିରେ ବ୍ୟାଙ୍କ ଋଣ ପାଇବାରେ ବହୁ ଅସୁବିଧା ହେଉଛି । ଋଣ ପ୍ରଦାନ ପାଇଁ କେନ୍ଦ୍ର ବଜେଟ୍ରେ ଗୋଟିଏ ସ୍ବତନ୍ତ୍ର କର୍ପସ୍ ପାଣ୍ଠିର ବ୍ୟବସ୍ଥା କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି ଶିଳ୍ପ ସଂଘ । ଓଡ଼ିଶାରେ ଷ୍ଟିଲ୍ ଓ ଆଲୁମିନା ଉତ୍ପାଦନ ହେଉଛି । କିନ୍ତୁ ଭ୍ୟାଲୁ ଆଡିସନ ନ ହୋଇ ବାହାରକୁ ପଠାଇ ଦିଆଯାଉଛି । ଉତ୍ପାଦନ ପାଇଁ ରାଜ୍ୟର ଏମ୍ଏସ୍ଏମ୍ଇ ୟୁନିଟ ଆବଶ୍ୟକ କଞ୍ଚାମାଲ ପାଉନାହନ୍ତି ।

ଏହିଠାରେ ଭ୍ୟାଲୁ ଆଡିସନ କରାଯାଇ ନାଲକୋ ଓ ଷ୍ଟିଲ୍ ପ୍ଲାଣ୍ଟ୍ ଘରୋଇ ବଜାରରେ ଓଡ଼ିଶା ଏମ୍ଏସ୍ଏମଇ ଶିଳ୍ପଙ୍କୁ ଆବଶ୍ୟକ କଞ୍ଚାମାଲ ଯୋଗାନ୍ତୁ । ଓଡ଼ିଶାରେ ପ୍ରତିରକ୍ଷା ସଂରଜାମ, ରିଭଲଭର, ବନ୍ଧୁକ, ରେଳ ଓ୍ବାଗନ୍ କାରଖାନା, ଏରୋସ୍ପେସ୍ କମ୍ପାନୀ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । ଏ କ୍ଷେତ୍ରରେ ବଡ଼ କ୍ଲଷ୍ଟର ପ୍ରତିଷ୍ଠା ହେଲେ ଡାଉନଷ୍ଟ୍ରିମ୍ ଶିଳ୍ପ ଏମ୍ଏସ୍ଏମ୍ଇ ଶିଳ୍ପମାନଙ୍କୁ କାମ ମିଳିବ । ଯାହାଯୋଗୁ ରୋଜଗାର ସୃଷ୍ଟି ହେବା ସହିତ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ଶିଳ୍ପ ସଂଘ ଆଶା କରିଛି ।

ରାଜ୍ୟରେ କୃଷି ଶିଳ୍ପ ପାଇଁ ବହୁତ ସୁଯୋଗ ରହିଛି । ଓଡ଼ିଶାର ଚାଷୀ କେବଳ ଧାନ ଉପରେ ନିର୍ଭର ନ କରି ଅନ୍ୟ ଅର୍ଥକରୀ ଫସଲ କରିବା ଦରକାର । ଧାନର ଏମ୍ଏସ୍ପି ଧାର୍ଯ୍ୟ ହେଉଥିଲେ ବି ଚାଷୀର ଅଭାବ ଦୂର କରିପାରୁନି । ପନିପରିବା, ଡାଲି, ତୈଳବୀଜ ପାଇଁ ଅନ୍ୟରାଜ୍ୟ କିମ୍ବା ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି । ଧାନ ସଂଗ୍ରହ ନେଇ ଯେତେ ନିୟମ ରହିଲେ ବି ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି । ଓଡ଼ିଶାର ଚାଷୀ ଅନ୍ୟ ଫସଲ ନେଇ ଯେପରି ଆଗ୍ରହ ପ୍ରକାଶ କରିବେ ସେ ନେଇ କେନ୍ଦ୍ର ବଜେଟ୍ରେ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ନେଇ ବ୍ୟୟବରାଦ ହେବା ଦରକାର ।

ଓଡ଼ିଶାର ଏମ୍ଏସ୍ଏମ୍ଇ ଶିଳ୍ପ ଯେପରି ସୁବିଧାରେ ବିନା ସିକ୍ୟୁରିଟିରେ ଋଣ ବ୍ୟାଙ୍କରୁ ପାଇବେ ସେ ନେଇ କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲ ଇଞ୍ଜିନ୍ ସରକାର ପ୍ରାୟ ୨୦ ହଜାର କୋଟିର ବ୍ୟୟ ବରାଦ ଆଣନ୍ତୁ । ଏହାସହିତ ବିପଣନ କ୍ଷେତ୍ରରେ ସ୍ଥାନୀୟ ଏମ୍ଏସ୍ଏମ୍ଇ ଶିଳ୍ପକୁ ଅଗ୍ରାଧିକାର ଦେବାକୁ ଶିଳ୍ପ ସଂଘ ଦାବି କରିଛି । ଗଲା ଅନ୍ତରୀଣ ବଜେଟ୍ରେ ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୨ ହଜାର ୧୩୭ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ରେ ଏହି ପରିମାଣ ବଢିବା ଆଶା ରହିଛି ।

ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ ନୂଆ ମୁଖ୍ୟ ଶାସନ ସଚିବ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତ କଲେ ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଆଜି ସନ୍ଧ୍ୟାରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । ଗତକାଲି ଓଡ଼ିଶାର ମୁଖ୍ଯ ଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ । ଆଜି ତାଙ୍କର ପ୍ରଥମ ବୈଠକ କରିଥିବାବେଳେ ବିଭିନ୍ନ ବିଭାଗ ଦାୟିତ୍ବରେ ଥିବା ସଚିବ ଓ କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ ।

ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ପାଇଁ ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ ପୁରୀ । ଏହା ସହ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପୋଲିସ ବିଭାଗ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଲେ ଡିଜିପି । ରଥଯାତ୍ରା ପାଇଁ ପ୍ରାରମ୍ଭିକ ସମୀକ୍ଷା ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି । ରଥ ଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ୪ ଅତିରିକ୍ତ ଡିଜି ପାହ୍ୟା ଅଧିକାରୀ,୬ ଜଣ ଆଇଜି ଏବଂ ଡିଆଇଜି ପାହ୍ୟା ଅଧିକାରୀ , କମାଣ୍ଡାଣ୍ଟ ବା ଏସପି ପାହ୍ୟାର ୧୯ ଜଣ ,ଅତିରିକ୍ତ ଏସପି ବା ଡେପୁଟି କମଣ୍ଡାଣ୍ଟ ପାହ୍ୟାର ୩୩ଜଣ, ଆସିଷ୍ଟାଣ୍ଟ କମାଣ୍ଡର ବା ଡିଏସପି ପାହ୍ୟାର ୭୫ ଜଣ , ଇନ୍ସପେକ୍ଟର ୧୩୦ ଜଣ , ୬୭୫ ଜଣ ଏଏସଆଇ ଓ ଏସ ଆଇ ପାହ୍ୟାର ଅଧିକାରୀ ସୁରକ୍ଷା ଦାୟିତ୍ଵରେ ମୁତୟନ ରହିବେ । ୩ ପ୍ଲାଟୁନ ଓଏସଏଏଫ୍ ଙ୍କୁ ମୁତୟନ କରାଯିବା ସହିତ କେନ୍ଦ୍ର ସରକାରଙ୍କୁ ୫ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ପାଇଁ ଆବେଦନ କରାଯାଇଛି । ସେପଟେ ଡ୍ରୋନ ସାହାଯ୍ୟରେ ପାର୍କିଂ ସ୍ଥାନର ଅନୁଧ୍ୟାନ କରାଯିବ। ସୋସିଆଲ ମିଡ଼ିଆ ହ୍ୟାଣ୍ଡଲରେ ଲୋକଙ୍କୁ ପାର୍କିଂ ଅଞ୍ଚଳର ସ୍ଥିତି ବିଷୟରେ ଲାଇଭ ସୂଚନା ଦିଆଯିବ। ମହାମହିମ ରାଷ୍ଟ୍ରପତି ଓ ବିଶିଷ୍ଟ ଅତିଥି ମାନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ବ୍ଲାଙ୍କେଟ ସୁରକ୍ଷା ରେ ରହିବ ଶ୍ରୀକ୍ଷେତ୍ର।