spot_img
Home Blog Page 1553

ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବାକୁ ନେଇ ଶ୍ରୀକାନ୍ତଙ୍କ ଉଦବେଗ

ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ଓ ଏହାକୁ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ୍ ସହିତ ମିଶ୍ରଣ କରିବାର ନିଷ୍ପତ୍ତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l ଓଡିଶାର ହକ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି l

ଚିଠିରେ ଶ୍ରୀକାନ୍ତ ଲେଖିଛନ୍ତି, ୧୯୯୬ରେ ଏହାର ପ୍ରତିଷ୍ଠା ପରଠାରୁ, ଇଷ୍ଟକୋଷ୍ଟ ରେଲୱେ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ୱ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ୱାଲ୍ଟିୟର ଡିଭିଜନର ଅପସାରଣ ଏହାକୁ ଯଥେଷ୍ଟ ଦୁର୍ବଳ କରିବ । ଏହାର କାର୍ଯ୍ୟକଳାପ ଓ ଓଡିଶାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିପଦରେ ପକାଇବ । ପୂର୍ବ ବିଚାର ବିମର୍ଶରେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ-କେନ୍ଦ୍ର ରେଳ ଜୋନ୍ ନିର୍ମାଣକୁ ପୃଥକ କରାଯାଇଥିଲା । ଯଦିଓ ବର୍ତ୍ତମାନର ସରକାର ରାଜ୍ୟ କୈନ୍ଦ୍ରିକ ଅଞ୍ଚଳକୁ ପ୍ରାଥମିକତା ଦେଉଛନ୍ତି । ତେବେ ଓଡିଶାକୁ ମଧ୍ୟ ଏହାର ବ୍ୟାପକ ରେଳ ଜୋନ୍ ଅନୁମତି ଦିଆଯିବା ଜରୁରୀ । ଉତ୍ତର ପ୍ରଦେଶରେ ଏକ ନୂତନ ରେଳ ବିଭାଗ ପ୍ରତିଷ୍ଠା କରି ସୁନ୍ଦରଗଡ, ବାଲେଶ୍ବର ଓ ମୟୂରଭଞ୍ଜକୁ ପୂର୍ବତଟ ରେଳବାଇରେ ମିଶ୍ରଣ କରିବାକୁ ମୁଁ ଦୃଢ ଭାବେ ସମର୍ଥନ କରୁଛି ବୋଲି କହିଛନ୍ତି ଶ୍ରୀକାନ୍ତ । ଏହାସହ ରାୟଗଡାରେ ଅନ୍ୟ ଏକ ରେଳ ବିଭାଗ ସୃଷ୍ଟି କରିବା ଦ୍ବାରା କାର୍ଯ୍ୟକ୍ଷମତା ବୃଦ୍ଧି କରିବ । ବର୍ଷ ବର୍ଷ ଧରି ପୂର୍ବତଟ ରେଳପଥ ଏହାର ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲ୍ଟିୟର ଡିଭିଜନ୍ ସହିତ ଓଡିଶାର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଓ ଏହାର ମୂଳ ଗଠନକୁ ଭାଙ୍ଗିବା ପରିବର୍ତ୍ତେ ପୂର୍ବତଟ ରେଳପଥକୁ ସୁଦୃଢ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀକାନ୍ତ । ଓଡିଶାବାସୀଙ୍କ ଚାହିଦା ଅନୁଯାୟୀ ଅଧିକ ବିସ୍ତୃତ ରେଳ ଜୋନ୍ ପ୍ରଦାନ କରି ଓଡିଶା ପାଇଁ ସମାନ ଚିକିତ୍ସା ସୁନିଶ୍ଚିତ କରିବାକୁ ଚିଠିରେ ନିବେଦନ କରିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l

ଡିଆଇଜି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ

ଭୁବନେଶ୍ବର: ଭୁବନେଶ୍ଵରରେ ଆୟୋଜିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସମ୍ମିଳନୀର ଥିଲା ଶେଷ ଦିନ । ଏହି ଅବସରରେ ଯୋଗ ଦେଇଥିବା ପୋଲିସ ଅଧିକାରୀଙ୍କୁ ସ୍ମାର୍ଟ ପୋଲିସିଂର ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ପୋଲିସର କାର୍ଯ୍ୟରେ ସ୍ଵଚ୍ଛତା ସହ ଲୋକଙ୍କ ଯେପରି ବିଶ୍ଵାସଭାଜନ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ।

ପୋଲିସ ବ୍ୟବସ୍ଥା ରଣନୀତିକ, ଯତ୍ନଶୀଳ ଓ ଗ୍ରହଣଯୋଗ୍ୟ ଯେପରେ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ପ୍ରଧାନମନ୍ତ୍ରୀ । କର୍ମଚାରୀଙ୍କ ଉପରେ ଯେପରି ବୋଝ କମ କରାଯାଇପାରିବ ସେଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟ ନେଇ ପୋଲିସର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି ।

ସାଇବର ଫ୍ରଡ ରୋକିବାକୁ ପୋଲିସ ହାକାଥନ ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାସହ ବନ୍ଦର ସୁରକ୍ଷାକୁ ଗୁରୁତ୍ଵ ଦେବା ସହ ଏହା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ସୁରକ୍ଷା, ଆତଙ୍କବାଦ ମୁକାବିଲା, ମାଓବାଦ ସମସ୍ଯା, ସାଇବର ଅପରାଧ, ଅର୍ଥନୈତିକ ନିରାପତ୍ତା, ଅନୁପ୍ରବେଶ, ଉପକୂଳ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୋଦି ।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଛି । ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।

ନରମିଲେ ଏକନାଥ ସିନ୍ଦେ, ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବାକୁ କରୁଛନ୍ତି ଚେଷ୍ଟା

ମୁମ୍ବାଇ: ବିଜେପି ମହାରାଷ୍ଟ୍ରର ଶପଥ ଗ୍ରହଣ ତାରିଖ ଘୋଷଣା କରିବା ପରେ ନରମିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏବେ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଲାଗିପଡ଼ିଛନ୍ତି ।

ଅଠାକାଠିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ବିଜେପି ଉପରେ ଚାପ ପକାଇବାକୁ ସେ ଯେଉଁ ଚେଷ୍ଟା କରିଥିଲେ, ତାହା କାମ ଦେଇ ନାହିଁ । ବରଂ ତାଙ୍କ ଉପରେ ଚାପ ପଡ଼ିଛି । ବିଜେପି ଏକ ପ୍ରକାର ସଂକେତ ଦେଇଛି ଯେ, ଏକନାଥ ସିନ୍ଦେ ନ ହେଲେ ମଧ୍ୟ ସରକାର ହେବ । ସେଥପାଇଁ ଗତକାଲି ହିଁ ଶପଥ ଗ୍ରହଣର ତାରିଖ ଘୋଷଣା କରିଦେଲା ବିଜେପି । ଏହାପରେ ଏକନାଥ ସିନ୍ଦେ ନରମିଛନ୍ତି । ସେ କହିଛନ୍ତି, ବିଜେପିର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତିକୁ ସେ ବିରୋଧ କରିବେ ନାହିଁ, ସମ୍ମାନ ଦେବେ ।

ନିଜ ପତ୍ତା କଟିଥିବା ସ୍ପଷ୍ଟ ହେବା ପରେ ଏବେ ଏକନାଥ ଲାଗିଛନ୍ତି, କେମିତି ହେଉ ତାଙ୍କ ପୁଅକୁ ଉପମୁଖ୍ୟମନ୍ତ୍ରୀ କରିବେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ରୁଷି କରି ସେ ଅସୁସ୍ଥ ବାହାନାରେ ଗାଁକୁ ପଳାଇଥିଲେ । ଆଜି ଥାଣେକୁ ଫେରି ଆସିଛନ୍ତି । କହିଛନ୍ତି, ବିଜେପିର ଯିଏ ବି ମୁଖ୍ଯମନ୍ତ୍ରୀ ହେଲେ ତାଙ୍କର ସମର୍ଥନ ରହିବ । ଆସନ୍ତାକାଲିର ବୈଠକରେ ସବୁକିଛି ସ୍ପଷ୍ଟ ହେବ । ଆସନ୍ତା ୫ ତାରିଖରେ ରାଜ୍ଯରେ ନୂଆ ମୁଖ୍ଯମନ୍ତ୍ରୀ ଶପଥ ନେବେ ବୋଲି ବିଜେପି ପକ୍ଷରୁ ଗତକାଲି କରାଯାଇଥିଲା ଘୋଷଣା ।

ଗୋଡ଼ାଇ ଗୋଡ଼ାଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟଙ୍କୁ ଧରୁଛି ପୋଲିସ

ନୂଆଦିଲ୍ଲୀ: ଆଇନ ଜାଲରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ବିଷ୍ଣୋଇର ସହଯୋଗୀଙ୍କୁ ଗୋଡ଼େଇ ଗୋଡ଼େ଼ଇ ଧରୁଛି ପୋଲିସ । ସାରା ଦେଶରେ ଚାଲିଛି ଅଭିଯାନ । ଏହି କ୍ରମରେ ମଧ୍ଯପ୍ରଦେଶର ଇନ୍ଦୋରରୁ ଲରେନ୍ସର ୪ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ସେମାନେ ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି । ତାଙ୍କୁ ଜେରା କରି ବିଷ୍ଣୋଇ ଗ୍ୟାଙ୍ଗର ଅପରାଧ ଓ ଭବିଷ୍ୟତର ଯୋଜନା ସଂପର୍କରେ ପୋଲିସ ତଥ୍ୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି । ମୁମ୍ବାଇର ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ଓ ସଲମାନ ଖାନଙ୍କୁ ଖୋଲାଖୋଲି ଧମକ ଦେବା ପରେ ଚର୍ଚ୍ଚାକୁ ଆସିଛି ବିଷ୍ଣୋଇ ଗ୍ୟାଙ୍ଗ । ସର୍ଦ୍ଦାର ଲରେନ୍ସ ନିଜେ ଗୁଜରାଟର ସାବରମତୀ ଜେଲରେ ଥିବା ବେଳେ ସେଠାରୁ ସେ ଗ୍ୟାଙ୍ଗ ଅପରେଟ କରୁଛି । ତା’ ଭାଇ ଅଛି ଆମେରିକାରେ । ଆମେରିକାରେ ତାକୁ ଗିରଫ କରାଯାଇଛି ।

ସ୍କୁଟିରେ ମଦ ଚାଲାଣ ବେଳେ ଆଶା ଓ ଅଙ୍ଗନବାଡି ଦିଦି ଗିରଫ

ଖୋର୍ଦ୍ଧା: ଜଣେ ଆଶାଦିଦି, ଆଉ ଜଣେ ଅଙ୍ଗନବାଡି ଦିଦି । ଜଣଙ୍କ କାମ ସ୍ବାସ୍ଥ୍ୟସେବାରେ ସହଯୋଗ କରିବା ଓ ଅନ୍ୟ ଜଣଙ୍କ କାମ ଅଞ୍ଚଳର କୁନି କୁନି ଶିଶୁଙ୍କ ଶିକ୍ଷାର ମୂଳଦୁଆ ପକାଇବା । ହେଲେ ଏଠି ଆମେ ଯେଉଁ ଆଶା ଓ ଅଙ୍ଗନବାଡି ଦିଦିଙ୍କ କଥା କହିବାକୁ ଯାଉଛୁ, ତାଙ୍କ କାରନାମା ଶୁଣିଲେ ଆପଣ କହିବେ ‘ହେ ପ୍ରଭୁ…’ । ହଁ ଆଜ୍ଞା, ଏଠି ଆଶାଦିଦି ଓ ଅଙ୍ଗନବାଡି ଦିଦି ଏକାଠି ହୋଇ ଚୋରା ମଦ କାରବାର କରୁଛନ୍ତି । ଏମିତି ଦୁଇ ମହିଳାଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କ ସ୍କୁଟି ଜବତ କରିଛି । ଘଟଣା ଘଟିଛି ଖୋର୍ଦ୍ଧା ବାଣପୁର ଥାନା ଅଞ୍ଚଳରେ ।

କୋଷରଣାରୁ ବାଣପୁର ଆସୁଥିବାବେଳେ ସେମାନଙ୍କୁ ଦେଶୀ ମଦ ସହ ଧରିଥିଲା ବାଣପୁର ପୋଲିସ । ପାଟ୍ରୋଲିଂରେ ମୁତୟନ ଥିବା ପୋଲିସର ସେମାନଙ୍କ ଉପରେ ନଜର ପଡିଥିଲା । ସନ୍ଦେହରେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଯାଞ୍ଚବେଳେ ସେମାନଙ୍କ ଗାଡ଼ିରୁ ୩ ବସ୍ତାରେ ୧୫୦ ପ୍ୟାକେଟ ଭର୍ତ୍ତି ଦେଶୀ ମହୁଲି ମଦ ଜବତ ହୋଇଥିଲା । କୋଷରଡ଼ାରୁ ବାଣପୁର ବିକ୍ରି ପାଇଁ ଏହି ମଦ ସେମାନେ ନେଉଥିଲେ । ପରେ ଏକ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ବରବରା ପଞ୍ଚାୟତ କୋଶଡା ଗାଁର ଅଙ୍ଗନବାଡି ଦିଦି ଓ ଆଶାକର୍ମୀ ।

ସରକାରୀ ଗାଡ଼ିର ବ୍ଯାପକ ଅପବ୍ଯବହାର: ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଲାଗୁଛି ବ୍ଯକ୍ତିଗତ କାମରେ

ଭୁବନେଶ୍ବର: ସରକାର କା ମାଲ୍ ଦରିଆମେ ଡାଲ୍ । ସରକାରୀ ବାବୁଙ୍କୁ ଦିଆଯାଇଥିବା ଗାଡ଼ି ବ୍ଯବହାର କରୁଛନ୍ତି ପରିବାର ଲୋକ । ସରକାର ନିୟମର ହେଉଛି ବ୍ଯାପକ ଉଲ୍ଲଂଘନ । କେବଳ ରାଜଧାନୀ ଭିତରେ ନୁହେଁ, ଦୂରଦୂରାନ୍ତରୁ ବି ବେଫିକର ଆସୁଛନ୍ତି ବାବୁ । ରାଜକୋଷରୁ ଅର୍ଥ ଅପବ୍ୟୟ ହେଉଥିବାବେଳେ ଆଦର୍ଶରୁ ବିଚ୍ଯୁତ ହେଉଛନ୍ତି ସରକାରୀ ଅଧିକାରୀ ।

ଭୁବନେଶ୍ବରର ଏକ ସପିଂ ମଲ ଆଗରେ ସରକାରୀ ଗାଡିର ଲମ୍ବା ଲାଇନ୍ ଲାଗିଛି । ଆଉ ମଲ ଭିତରକୁ ଯାଇଛନ୍ତି ସରକାରୀ ବାବୁ ଓ ତାଙ୍କ ପରିବାର ଲୋକେ । ଇଏ କେବଳ ରାଜଧାନୀ ଭୁବନେଶ୍ବରର ନୁହେଁ, ସବୁଆଡେ ଏକା ଅବସ୍ଥା । ଅଧିକାରୀମାନଙ୍କ ଯାତାୟାତ ବାବଦକୁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଗାଡି ବ୍ୟବହାର ହେଉଛି ବ୍ଯକ୍ତିଗତ କାମରେ । ଏହି ମଲ ଆଗରେ ଲାଗିଥିବା ଗାଡି କେବଳ ରାଜଧାନୀରେ ଚାକିରି କରିଥିବା ସରକାରୀ ବାବୁଙ୍କର ନୁହେଁ । ଶନିବାର ଓ ରବିବାର ଛୁଟି ଦୃଷ୍ଟିରୁ ବ୍ରହ୍ମପୁର, ପୁରୀ ତଥା ଅନ୍ଯ ଦୂର ଅଞ୍ଚଳରୁ ବି ଆସିଛି ସରକାରୀ ଗାଡ଼ି ।

ଓଡିଶା ଟ୍ରାଭେଲିଂ ଆଲାଉନ୍ସ ରୁଲ୍ସ ଅନୁଯାୟୀ କେଉଁ ପାହ୍ଯାର ଅଧିକାରୀ ସରକାରୀ ଗାଡିର କିଭଳି ବ୍ଯବହାର କରିବେ ସେନେଇ ନିର୍ଦ୍ଦେଶାବଳୀ ରହିଛି । ଜଣେ ଅଧିକାରୀ ଗାଡି ବ୍ଯବହାର କରିବା ପୂର୍ବରୁ ସମ୍ପୃକ୍ତ ଗାଡିର ଅଫିସର ଇନଚାର୍ଜଙ୍କଠାରୁ ଅନୁମତି ନେବେ । ଯଦି ଅଧିକ ବ୍ଯବହାର କରନ୍ତି ତେବେ ତାଙ୍କୁ ଭଡା ପଇଠ କରିବାକୁ ପଡିବ । ମନୋରଞ୍ଜନ ପାର୍ଟି, ପ୍ଲେଜର ଟ୍ରିପ କିମ୍ବା କୌଣସି ବିବାହ ଉତ୍ସବରେ ସରକାରୀ ଗାଡିର ବ୍ଯବହାରକୁ ସ୍ପଷ୍ଟ ବାରଣ କରାଯାଇଛି । ଯଦି ଏଥିରେ ଉଲ୍ଲଘଂନ କରାଯାଏ ବିଭାଗୀୟ କାର୍ଯ୍ଯାନୁଷ୍ଠାନ, କ୍ଷତିଭରଣା, ପଦୋନ୍ନତି ରୋକିବା ପରି ନିୟମ ରହିଛି । ହେଲେ ସବୁ ନିୟମକୁ କରାଯାଉଛି ଫୁ ।

ସରକାରୀ ଅଧିକାରୀ ସାଧୁତା ଓ କର୍ତ୍ତବ୍ଯ ପରାୟଣତା କ୍ଷେତ୍ରରେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ହେବା ବଦଳରେ ଆଇନକୁ ଖୋଲାଖୋଲି କରୁଛନ୍ତି ଉଲ୍ଲଂଘନ ।

ବର୍ଷ ବର୍ଷ ଧରି ବିଚାରପତି ପଦବୀ ଖାଲି, ହୋଇପାରୁନି ମାମଲାର ଶୁଣାଣି: ହାଇକୋର୍ଟରେ ପଡ଼ିଛି ୧ ଲକ୍ଷରୁ ଅଧିକ ମାମଲା

କଟକ: ରାଜ୍ଯରେ ଖାଲିପଡିଥିବା ବିଚାରପତି ପଦବୀ ନିଯୁକ୍ତିରେ ବିଳମ୍ବ ଯୋଗୁଁ ନ୍ଯାୟ ଅପେକ୍ଷାରେ ୪ ଲକ୍ଷରୁ ଅଧିକ ଆବେଦନକାରୀ । ହାଇକୋର୍ଟ ବିତାରପତି ନିଯୁକ୍ତି ପାଇଁ ସ୍ବତନ୍ତ୍ର କଲେଜିୟମ ବ୍ଯବସ୍ଥା ଥିବାବେଳେ ନିମ୍ନ ଅଦାଲତର ନିଯୁକ୍ତି ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ଯ ସରକାର କରିଥାନ୍ତି । ତେବେ ବିଚାରପତି ନିଯୁକ୍ତିରେ ବିଳମ୍ବ ଯୋଗୁଁ ହାଇକୋର୍ଟରୁ ଆରମ୍ଭ କରି ନିମ୍ନ ଅଦାଲତ ସବୁଠି ବର୍ଷ ବର୍ଷ ଧରି ଗଡୁଛି ମାମଲା । ଭାଗ୍ଯକୁ ଆଦରି ଚାଲିଛନ୍ତି ଦୁଇ ପକ୍ଷର ଲୋକେ ।

ବିଶ୍ବନାଥ ଚାନ୍ଦ, ଘର ସାଲେପୁର ଜିଲ୍ଲା ତଟିକଟା । ଏବେ ରହୁଛନ୍ତି ଭୁବନେଶ୍ବରରେ । ୧୯୯୫ ମସିହାରେ ଦୂରଦର୍ଶନରେ ସାଇଟମ୍ୟାନ ଭାବେ କାର୍ଯ୍ଯ ଆରମ୍ଭ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ କାର୍ଯ୍ଯରୁ ଛଟେଇ ହେବାରୁ ୧୯୯୮ରେ ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବୁନାଲର ନେଲେ ଆଶ୍ରୟ । ଗତ ୨୮ ବର୍ଷ ଧରି କେବେ ଟ୍ରିବୁନାଲ ତ ଆଉ କେବେ ହାଇକୋର୍ଟଙ୍କ ଚକ୍କର କାଟି କାଟି ଏବେ ତାକୁ ୫୩ ବର୍ଷ । ହେଲେ ଏଯାଏଁ ତାଙ୍କୁ ମିଳିନି ନ୍ୟାୟ ।

ଏଇ ଗୋଟିଏ ନୁହେଁ ଏଭଳି ରାଜ୍ଯରେ ମୋଟ ୪ ଲକ୍ଷ ୩୭ ହଜାର ୮୧୦ ମାମଲା ବିଭିନ୍ନ କୋର୍ଟରେ ପଡିରହିଛି । ସେ ମଧ୍ୟରୁ ହାଇକୋର୍ଟରେ ରହିଛି ୧ ଲକ୍ଷ ୪୫ ହଜାର ୬୪୦ ମାମଲା । ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ସର୍ବାଧିକ ୧୫ ହଜାର ୧୭୦ ମାମଲା ରହିବା ଉଦବେଗଜନକ । ଏଥିରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୨୫୩ ଓ ବରଗଡରେ ସର୍ବନିମ୍ନ ୩୯ ମାମଲା ରହିଛି । ସେହିଭଳି ୩୯ ହଜାର ୪୫୬ଟି ସିଭିଲ ସୁଟ ମାମଲା ରହିଛି । ଏହି ବର୍ଗରେ ଖୋର୍ଦ୍ଧାରେ ସର୍ବାଧିକ ୬ ହଜାର ୬୯ ମାମଲା ଥିବାବେଳେ ଝାରସୁଗୁଡାରେ ସବୁଠାରୁ କମ ୪୧ ମାମଲା ରହିଛି ।

ରାଜ୍ଯରେ ପଡି ରହିଥିବା ଏତେ ସଂଖ୍ଯକ ମାମଲାର କେବେ ଶୁଣାଣି ହେବ ତାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ଯସଭାରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ ସୂଚନା ଦେଇ କହିଛନ୍ତି, ଓଡିଶାରେ ଏବେ ଜିଲ୍ଲା ଓ ଅଧସ୍ତନ ନ୍ଯାୟାଳୟମାନଙ୍କରେ ୧୯୯ଟି ଜଜ୍ ପଦବୀ ଖାଲି ପଡିଛି । ଓଡ଼ିଶା ହାଇକୋର୍ଟରେ ମୋଟ ୩୩ ଜଜଙ୍କ ମଧ୍ୟରୁ ୧୯ ଜଣ ଅଛନ୍ତି । ୧୪ଟି ବିଚାରପତି ପଦବୀ ଖାଲି ପଡ଼ିଛି । ଜିଲ୍ଲା ଓ ରାଜ୍ୟ ଖାଉଟି ଅଦାଲତରେ ମଧ୍ୟ ବିଚାରପତି ଖାଲି ପଡ଼ିଛି ।ସେପଟେ ବର୍ତ୍ତମାନ ସୀମିତ ସଂଖ୍ଯକ ବିଚାରପତି ଥିବାରୁ ସେମାନଙ୍କ ଉପରେ କାର୍ଯ୍ଯର ଚାପ ମଧ୍ଯ ଅଧିକ ରହୁଛି ବୋଲି କହିଛନ୍ତି ପୂର୍ବତନ ବିତାରପତି ।

ସୀମିତ ସଂଖ୍ଯକ ବିଚାରପତିଙ୍କୁ ନେଇ ଓଡିଶା ହାଇକୋର୍ଟ ଚଳିତବର୍ଷ ମୋଟ ୮୩ ହଜାର ୭୫୩ଟି ମାମଲାର ରାୟ ପ୍ରକାଶ କରିଛନ୍ତି । ଅନ୍ଯପଟେ ବର୍ତ୍ତମାନ ହାଇକୋର୍ଟରେ ପଡିରହିଥିବା ୧୦ ବର୍ଷରୁ ଊର୍ଦ୍ଧ୍ଵ ମାମଲା ମଧ୍ଯ୍ଯରୁ ୫୫ ପ୍ରତିଶତ ଦେୱାନୀ ଓ ୪୫ ପ୍ରତିଶତ ମାମଲା ଫୌଜଦାରୀ ବୋଲି ଜଣାପଡିଛି ।

ଆରମ୍ଭ ହେଲା କୋଣାର୍କ ଉତ୍ସବ: ନୃତ୍ୟରସରେ ରଙ୍ଗୀନ ହେବ ଶୀତୁଆ ସନ୍ଧ୍ୟା

କୋଣାର୍କ: ଆରମ୍ଭ ହେଲା ୩୫ ତମ କୋଣାର୍କ ଉତ୍ସବ । ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ପାଇଁ ଉତ୍ସବ ମୁଖର କୋଣାର୍କ । ଶାସ୍ତ୍ରୀୟ ନୃତ୍ୟରେ କମ୍ପିବ ମୁକ୍ତାକାଶ ରଙ୍ଗମଞ୍ଚ । ଦେଶର କଳା ସଂସ୍କୃତିର ପ୍ରଚାର ପ୍ରସାର ଓ ପର୍ଯ୍ଯଟନ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ଆରମ୍ଭ ହୋଇଥିଲା ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ପ୍ରତିବର୍ଷ ପରି ଚଳିତବର୍ଷ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ସହିତ ଚନ୍ଦ୍ରଭାଗା ସ୍ଵର୍ଣ୍ଣିମ ବେଳାଭୂମିରେ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେଉଛି ।

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ସହ କୋଣାର୍କ ସହର ଓ ଚନ୍ଦ୍ରାଭାଗା ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି । ବିଶେଷ କରି ସୂର୍ଯ୍ୟ ମନ୍ଦିର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚର ମଞ୍ଚ ସଜ୍ଜା, ତୋରଣ ନିର୍ମାଣ, ଆଲୋକ ସଜ୍ଜା, ଅନ୍ୟାନ୍ୟ ବାହ୍ୟ ସାଜ ସଜ୍ଜା ସହ ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବ୍ଯାରିକେଟ ନିର୍ମାଣ ହୋଇଛି ।

କୋଣାର୍କକୁ ପର୍ଯ୍ୟଟକମାନେ ଆସିବା ପାଇଁ ରାଜ୍ୟ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଆମେରିକା, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ବେଲାରୁଷ ଆଦି ୬ଟି ଦେଶର ବିଦେଶୀ ଶିଳ୍ପୀଙ୍କ ସମେତ ରାଜ୍ଯ ବାହାରୁ ସମୁଦାୟ ୧୦୦ରୁ ଅଧିକ ବାଲୁକା ଶିଳ୍ପୀ ସେମାନଙ୍କ ବାଲୁକା କଳା ପ୍ରଦର୍ଶନ କରିବାକୁ ଆସିଛନ୍ତି । ମୋଟ ୩୮ଟି ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ ହେଉଛି । କୋଣାର୍କ ଉତ୍ସବ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ ପରିମଳ ବ୍ୟବସ୍ତା, ପାନୀୟ ଜଳ ଯୋଗାଣ, ପାର୍କିଂ ଓ ମୀନାବଜାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ବିଜେପିକୁ ପ୍ରସନ୍ନଙ୍କ କଟାକ୍ଷ: ନିଆଁ କୁହୁଳୁ ନି, ଲାଗି ଗଲାଣି

ଭୁବନେଶ୍ବର: ଗତକାଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସ୍ବର୍ଗଦ ସମୀର ଦେଙ୍କ ସ୍ମୃତି ସଭାରେ ବିଜେପି ଦଳକୁ ନେଇ ଯାହା କହିଲେ, ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି ବିରୋଧୀ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେପିର ନାଁ ନେଇ ନଥିଲେ ବି କହିଛନ୍ତି, କେଉଁ ଦଳରେ ଗୋଷ୍ଠୀ କନ୍ଦଳ ଅଛି, ଗତକାଲି ତାହା  ସ୍ପଷ୍ଟ ହୋଇଛି । ଜଣେ ବରିଷ୍ଠ ବିଧାୟକ, ଯାହା କହିଛନ୍ତି, ସେଥିରୁ ଜଣାପଡୁଛି ନିଆଁ କୁହୁଳୁ ନାହିଁ, ବରଂ ନିଆଁ ଲାଗି ଗଲାଣି । ସେ କହିଛନ୍ତି, ବିଜେଡ଼ି ଆଜି ବି ଲୋକପ୍ରିୟ ଅଛି । ସର୍ବାଧିକ ଭୋଟ ପାଇଛି । ଆଗକୁ କ’ଣ ହେଉଛି ଦେଖନ୍ତୁ ।

ସୂଚନାଯୋଗ୍ୟ, ଗତକାଲି ନିଜ ଦଳ ବିରୋଧରେ ବର୍ଷିଥିଲେ ସମ୍ବଲପୁରର ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସମୀର ଦେଙ୍କ ଶ୍ରଦ୍ଧାଞ୍ଜଳି ସଭାରେ, ରାଜ୍ଯ ସଭାପତି ମନମୋହନ ସାମ,, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପୂର୍ବତନ ସଭାବତି ସମୀର ମହାନ୍ତି ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ଜୟ ନାରାୟଣ ମିଶ୍ର କହିଥିଲେ, ଦଳରେ ତାଙ୍କୁ କୋଣଠେସା କରି ରଖାଯାଇଛି । ତାଙ୍କ ବିରୋଧରେ ଲୋକ ଲଗାଯାଇଛି । ଦଳରେ ତାଙ୍କୁ ଯେମିତି ସମ୍ମାନ କି ଗୁରୁତ୍ଵ ମିଳିବା କଥା, ତାହା ମିଳୁନାହିଁ । ସମୀର ଦେଙ୍କୁ ମଧ୍ୟ ସେମିତି କରାଯାଇଥିଲା ବୋଲି କହି ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ଜୟ ନାରାୟଣ ।

ଜଳ, ସ୍ଥଳ ଓ ଆକାଶ: ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ପାଲଟିଛି ଯୁଦ୍ଧକ୍ଷେତ୍ର

ପୁରୀ: ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଉପରେ ଏବେ ନା କେବଳ ଦେଶ ବରଂ ଅନ୍ୟ ରାଷ୍ଟ୍ରଙ୍କ ନଜର । କାରଣ ଆସନ୍ତା ୪ ତାରିଖରେ ଏହି ବ୍ଲୁ ଫ୍ଲାଗ ବେଳାଭୂମିରୁ ସାରା ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ । ଜଳ, ସ୍ଥଳ ଓ ଆକାଶରେ ନୌସେନାର ଯୋଦ୍ଧା ଯବାନ ଦେଖାଇବେ ସେମାନଙ୍କ ଯୁଦ୍ଧ କଳାକୌଶଳ । ନୌସେନା ଦିବସ ଉପଲକ୍ଷେ ପୁରୀରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ କଟକଣା ଲାଗୁ କରାଯାଇଛି । ସେପଟେ ବେଳାଭୂମିରେ ପରେଡ ସାଙ୍ଗକୁ ବୀର ଯୋଦ୍ଧା ଚଲାଇଛନ୍ତି ଜୋରଦାର ରିହରସାଲ । ମାର୍କୋସ କମାଣ୍ଡୋଙ୍କର ସ୍ୱତନ୍ତ୍ର ଅପେରସନ ସହ ଭିନ୍ନ ଭିନ୍ନ ସମରକୌଶଳ ପ୍ରଦର୍ଶନ ସହ ପଇଁତରା ମାରୁଛି ହେଲିକପ୍ଟର ।

ନୌସେନା ଦିବସ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ୪ରେ ସାରା ଦେଶ ଦେଖିବ ଭାରତୀୟ ବୀରଙ୍କ ପରାକ୍ରମ । ମାର୍କୋସ କମାଣ୍ଡୋଙ୍କ ଯୁଦ୍ଧ କୌଶଳ ସାଙ୍ଗକୁ ମିଲିଟାର ବ୍ଯାଣ୍ଡରେ କମ୍ପିବ ପରିବେଶ । ଡିସେମ୍ବର ୪ ନୌସେନା ଦିବସ ପାଇଁ ପୁରୀରେ ଏବେ ହାଇ ସିକ୍ୟୁରିଟି ବ୍ଯବସ୍ଥା । ବ୍ଲୁ ଫ୍ଲାଗ ବିଚରେ ହେବାକୁ ଥିବା ଏହି ଭବ୍ଯ ରାଷ୍ଟ୍ରୀୟ କାର୍ଯ୍ଯକ୍ରମ ପାଇଁ ପ୍ରଶାସନ ଓ ପୋଲିସ ବାହିନୀ ପ୍ରସ୍ତୁତ ।

କାର୍ଯ୍ଯକ୍ରମରେ ଯୋଗଦେବେ ୩ ସେନାର ମୁଖ୍ଯ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲକ୍ଷ ଲକ୍ଷ ଦର୍ଶକ ଓ ପର୍ଯ୍ୟଟକଙ୍କ ସମାଗମକୁ ନଜରରେ ରଖି ସହରରେ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ କରାଯାଇଛି । ୨୦ଟି ଅତିରିକ୍ତ ସ୍ଥାନରେ ଗାଡି ପାର୍କିଂ ବ୍ୟବସ୍ଥା ସହ ମୁତୟନ ହେବେ ୮୫ ପ୍ଲାଟୁନ ପୋଲିସ ଫୋର୍ସ । ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସମୀକ୍ଷା କରିଛନ୍ତି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା l

ପୁରୀ ସମୁଦ୍ର ତଟରେ ନୌସେନାର ଅନେକ ଯୁଦ୍ଧ ଜାହାଜ ପହଁଚି ସାରିଥିବା ବେଳେ ଅଭ୍ଯାସ ଓ ପରେଡରେ ଦୁଲୁକୁଛି ବିଚ୍ । ପ୍ରତିଦିନ ସମରାଭ୍ଯାସ ସାଙ୍ଗକୁ ଗର୍ଜୁଛି ଟ୍ଯାଙ୍କ ଓ ଫୁଟୁଛି ମାର୍କୋସ କମାଣ୍ଡୋଙ୍କ ଗୁଳି । ଏହାକୁ ଦେଖିବାକୁ ଲୋକଙ୍କ ମଧ୍ଯରେ ଉତ୍କଣ୍ଠା ବଢିବାରେ ଲାଗିଛି । ହେଲିକପ୍ଟର ଯୋଗେ ଫ୍ଲାଗ ଫରମେସନଠାରୁ ଆରମ୍ଭ କରି ଯବାନମାନଙ୍କୁ ଗଭୀର ସମୁଦ୍ରରେ ଅବତରଣ ସହ ରେସ୍କୁର ଦୃଶ୍ୟ ଦର୍ଶକଙ୍କୁ ଆଚମ୍ବିତ କରୁଛି । ନୌସେନା ଦିବସରେ ଭିନ୍ନ ଭିନ୍ନ ୨୦ ପ୍ରକାରର ଯୁଦ୍ଧ କୌଶଳ ଓ ପରାକ୍ରମ ପଦର୍ଶନ କରିବେ ଯବାନ ।