spot_img
Home Blog Page 1552

ଅଭିନୟରୁ ସନ୍ନ୍ୟାସ ନେଲେ ବିକ୍ରାନ୍ତ ମେସି, ୨୦ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ବଲିଉଡରୁ ସନ୍ନ୍ୟାସ ଘୋଷଣା କଲେ ବିକ୍ରାନ୍ତ ମେସି । ନିଜର ଚମତ୍କାରିତା ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ ମେସି । ହେଲେ ହଠାତ ବିକ୍ରାନ୍ତ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି, ଯାହାକି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛି । ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଲେଖି ଅଭିନୟରୁ ବିରତି ନେଉଥିବା ଘୋଷଣା କରିଛନ୍ତି। ବିକ୍ରାନ୍ତ ଏହି ନିଷ୍ପତ୍ତି ସେତେବେଳେ ନେଇଛନ୍ତି ଯେତେବେଳେ ସହ ସେ ନିଜ କ୍ୟାରିୟରରେ ସଫଳତାର ଶୀର୍ଷରେ ଅଛନ୍ତି ।

ବିଦାୟ ପୂର୍ବରୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି  । ଯେଉଁଥିରେ ଲେଖିଛନ୍ତି ଗତ କିଛି ବର୍ଷ ସ୍ମରଣୀୟ ଥିଲା। ଆପଣ ସମସ୍ତଙ୍କର ସମର୍ଥନ ଲାଗି ଧନ୍ୟବାଦ। ହେଲେ ଯେମିତି ମୁଁ ଆଗକୁ ବଢ଼ୁଛି, ମୋତେ ଜଣେ ସ୍ବାମୀ, ବାପା, ପୁଅ ଏବଂ ଅଭିନେତା ଭାବେ ଏହା ହେଉଛି ଠିକ୍‌ ସମୟ ପୁଣି ଥରେ ଘରକୁ ଫେରିଯିବାର ବୋଲି ମନେ ହେଉଛି। ୨୦୨୫ରେ ମୁଁ ଆପଣଙ୍କୁ ଶେଷ ଥର ଲାଗି ଭେଟିବି, ଯେବେ ଯାଏ ସଠିକ୍‌ ସମୟ ଆସିନାହିଁ। ଦୁଇ ଶେଷ ଫିଲ୍ମ, ଅଗଣିତ ସ୍ମୃତି, ସମସ୍ତଙ୍କ ନିକଟରେ ଋଣି ରହିବି।

ବିକ୍ରାନ୍ତଙ୍କ ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାସହିତ ଏହି ନିଷ୍ପତ୍ତି ଉପରେ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି, ।ତେବେ  ଜଣେ ପ୍ରଶଂସକ ଲେଖିଛନ୍ତି, “ଆପଣ ଏହା କାହିଁକି କରିବେ ? ଆପଣଙ୍କ ପରି ଅଭିନେତା ବଲିଉଡରେ ନାହାନ୍ତି । ଆମକୁ ଭଲ ସିନେମା ଦରକାର। ବିକ୍ରାନ୍ତଙ୍କ ଏଭଳି ପୋଷ୍ଟ ପରେ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। କେଉଁ କାରଣରୁ କ୍ୟାରିୟରର ଶୀର୍ଷରେ ଥାଇ ବି ସେ ଏଭଳି ଘୋଷଣା କଲେ ତା ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

କହିରଖୁଛୁ, ଗତ ବର୍ଷ ବିକ୍ରାନ୍ତଙ୍କ ଫିଲ୍ମ ‘12th ଫେଲ୍‌’ ରିଲିଜ ହୋଇଥିଲା। ଏହାକୁ ଲୋକେ ବହୁତ ପସନ୍ଦ କରିଥିଲେ । ନିକଟରେ ତାଙ୍କର ରିଲିଜ ହୋଇଥିବା ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ ୨୦୨୪ରେ ‘ପର୍ସନାଲିଟି ଅଫ୍‌ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି।

 

ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ବିବାଦୀୟ ପଦକ୍ଷେପ; ପୁଅଙ୍କୁ ଦେଲେ ରାଜକ୍ଷମା

ନନ୍ଦିଘୋଷ ବ୍ୟୁରୋ : କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିବାଦୀୟ ପଦକ୍ଷେପ। ପୁଅ ହଣ୍ଟରଙ୍କୁ ନିଶ୍ଚିତ ଜେଲଦଣ୍ଡରୁ ବଞ୍ଚାଇଛନ୍ତି ବାପା। ବନ୍ଧୁକ ଓ କର ଠକେଇ ମାମଲାରେ ରାଷ୍ଟ୍ରପତି ପୁଅଙ୍କୁ ଦେଇଛନ୍ତି ରାଜକ୍ଷମା। ପରିବାର ଲାଗି କୌଣସି କ୍ଷମତାର ପ୍ରୟୋଗ କରିବେ ନାହିଁ ବୋଲି ବାଇଡେନ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ନିଜେ ଉଲ୍ଲଂଘନ କରିଛନ୍ତି।

ଗତ ଜୁନ ମାସରେ ବାଇଡେନ ସ୍ପଷ୍ଟ ରୂପରେ ପୁଅକୁ କ୍ଷମା କିମ୍ବା ଦଣ୍ଡ କମ କରିବାକୁ ମନା କରିଦେଇଥିଲେ । ଯେତେବେଳେ ତାଙ୍କ ପୁଅ ବନ୍ଧୁକ ମାମଲାରେ ମୋକଦ୍ଦମାର ସାମ୍ନା କରିବାକୁ ପଡିଥିଲା ସେତେବେଳେ ସେ କହିଥିଲେ ନ୍ୟାୟିକ ଫଇସଲାକୁ ସେ ସମ୍ମାନ କରିବେ ଏବଂ ତାଙ୍କ ନିଷ୍ପତ୍ତିକୁ ପାଳନ କରିବେ । ଏହା ସହିତ ସେ କହିଥଲେ ହଣ୍ଟରଙ୍କୁ ସେ କେବେ କ୍ଷମା କରିବେନି । ହେଲେ ଆଜି ସେ ଦେଇଥିବା ପ୍ରତିଶୃତିରୁ ଓହରିଛନ୍ତି ।

ନଭେମ୍ବର ୮ରେ ହ୍ବାଇଟ ହାଉସରେ ବାଇଡେନ ପୁଅ ହଣ୍ଟରଙ୍କ କ୍ଷମା ଯାଚିକାରେ ହସ୍ତାକ୍ଷର କରିଥିଲେ ଏବଂ ଆରୋପ ଲଗାଇଥିଲେ ମୋ ବିରୁଦ୍ଧରେ ଏକ ରାଜନୈତିକ ଷଡଯନ୍ତ୍ର କରାଯାଇଛି ।  ଅନେକ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ପରୋକ୍ଷରେ ମୋତେ ଆକ୍ରମଣ କରିବା ପାଇଁ ଏମିତି ଷଡଯନ୍ତ୍ର ରଚିଥିଲେ । ଯଦି କୌଣସି ଯୁକ୍ତିଯୁକ୍ତ ବ୍ୟକ୍ତି ହଣ୍ଟର ମାମଲାର ତଦାରଖ କରିବ କୌଣସି ସିନ୍ଧାନ୍ତରେ ଉପନୀତ ହୋଇପାରିବ ନାହିଁ । ଏହି ଷଡଯନ୍ତ୍ରରେ ହଣ୍ଟର ମୋ ପୁଅ ହେଇଥିବାରୁ ତାକୁ ଚୟନ କରାଯାଇଥିଲା ।ମୁଁ ଆଶା କରୁଛି ଆମେରିକୀୟମାନେ ବୁଝିବେ କାହିଁକି ଜଣେ ପିତା ଏବଂ ରାଷ୍ଟ୍ରପତି ଏହି ନିଷ୍ପତ୍ତି ନେଇଛନ୍ତି ।

୨୦୧୮ରେ ଆଗ୍ନେୟାସ୍ତ୍ର କ୍ରୟ କରିବା ଅଭିଯୋଗରେ ହଣ୍ଟରକୁ ଡେଲୱାଲ ଫେଡେରାଲ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୨୦୧୪ ଜାନୁୟାରୀ ୧ରୁ ୨୦୨୪ ଡିସେମ୍ବର ୧ ପର୍ଯ୍ୟନ୍ତ ହଣ୍ଟର ବାଇଡେନ କରିଥିବା ସମସ୍ତ ଦୋଷୀରୁ ତାଙ୍କୁ ମୁକ୍ତ କରାଯାଇଛି। ଏହି ସମୟସୀମା ମଧ୍ୟରେ ସେ ଯେଉଁ ଦୋଷତ୍ରୁଟି ବା ଅପରାଧ କରିଛନ୍ତି ସେସବୁରୁ ତାଙ୍କୁ ବାଇଡେନ ରାଜକ୍ଷମା ପ୍ରଦାନ କରିଛନ୍ତି। ବେଆଇନ ଭାବରେ ବନ୍ଧୁକ ରଖିବା, ଟିକସ ଠକିବା ସହିତ ପାରିବାରିକ ବିବାଦ ନେଇ ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା। ସେ ଡ୍ରଗ୍ସ ଦ୍ଵାରା ମଧ୍ୟ କବଳିତ ହୋଇଥିଲେ।

ଏକ ବିବୃତିରେ ସେ କହିଛନ୍ତି- ହଣ୍ଟରଙ୍କୁ କ୍ଷମା ପ୍ରଦାନ ଲାଗି ସେ ଏକ ନିର୍ଦ୍ଦେଶନାମାରେ ସ୍ବାକ୍ଷର କରିଛନ୍ତି। ତେବେ ପୁଅଙ୍କୁ ଟାର୍ଗେଟ କରାଯାଇ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ଡେଲୱାରେ ଓ କାଲିଫର୍ଣ୍ଣିଆରେ ପୁଅ ହଣ୍ଟରଙ୍କ ନାମରେ ଦୁଇଟି ମାମଲା ରହିଥିଲା। ହଣ୍ଟର ଜଣେ ନିଶାଡି ହୋଇଥିବାବେଳେ ସେ ଏଥିରୁ କ୍ରମଶଃ ଉପଶମ ଲାଭ କରୁଛନ୍ତି। ରିପବ୍ଲିକାନଙ୍କ ଟାର୍ଗେଟରେ ବି ସେ ରହିଛନ୍ତି। ୨୦୧୮ରେ ଏକ ଆଗ୍ନେୟାସ୍ତ୍ର କ୍ରୟ କରିବା ଅଭିଯୋଗରେ ଡେଲୱାଲ ଫେଡେରାଲ କୋର୍ଟରେ ଗତ ଜୁନ ମାସରେ ଦୋଷୀ ସାବ୍ଯସ୍ତ ହୋଇଥିଲେ ହଣ୍ଟର।

ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ

କେଉଁଝର: ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ବାଡ ଉପରେ ବାଲି ମାଫିଆଙ୍କ ଆକ୍ରମଣ। ଆକ୍ରମଣରେ କେନ୍ଦୁଝର ଖଣି ବିଭାଗ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ ଆହତ। ଆକ୍ରମଣରେ ଡ୍ରାଇଭର ଓ ସୁରକ୍ଷା କର୍ମୀଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଜୁନିୟର ମାଇନିଂ ଅଫିସର ସୁରଜ ହେମ୍ବ୍ରମ, ୩ଜଣ ସୁରକ୍ଷା କର୍ମୀଙ୍କୁ ଧରି ଆନନ୍ଦପୁର ଅଞ୍ଚଳରେ ଚୋରାବାଲି ଧରପଗଡ ପାଇଁ ଆସିଥିବା ସମୟରେ ତାଙ୍କ ଟିମ୍ ଉପରେ ହୋଇଥିଲା ଆକ୍ରମଣ।

ଘସିପୁରା ଥାନା ବୈତରଣୀ ବ୍ରିଜ୍ ନିକଟ ସିଂହସାହି ଛକରେ ବାଲି ମାଫିଆ ମାନେ ତାଙ୍କ ଗାଡିକୁ ପିଛାକରି ଅଟକାଇବାପରେ ଲୁହା ପାଇପରେ ଗାଡି କାଚ ଭାଙ୍ଗି ଦେଇଥିଲେ। ପରେ ଖଣି ଅଧିକାରୀ ସୁରଜ ହେମ୍ବ୍ରମଙ୍କ ସହ ସିକ୍ଯୁରିଟି ଗାର୍ଡ ଓ ଡ୍ରାଇଭରଙ୍କ ଉପରେ ଆକ୍ରମଣ କରିଥିଲେ। ଚଢାଉ ପାଇଁ ଖଣି ଅଧିକାରୀ ଗତକାଲି କେନ୍ଦୁଝର କାର୍ଯ୍ଯଳୟ ଠାରୁ ବାହାରି ପ୍ରଥମେ ହରିଚନ୍ଦନପୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ହିଁ ୨ଟି ଗାଡି ତାଙ୍କୁ ଫଲୋ କରିଥିଲେ। ପରେ ସେ ଆନନ୍ଦପୁର ପହଁଞ୍ଚିବାପରେ ପ୍ରଥମେ ବୈତରଣୀ ବ୍ରିଜ୍ ପାରି ହୋଇ ଆନନ୍ଦପୁର କଲେଜ ପର୍ଯ୍ଯନ୍ତ ଯାଇଥିଲେ। ସେଠାରୁ ଫେରି ଆନନ୍ଦପୁର ବସଷ୍ଟାଣ୍ଡ ଦେଇ ଘସିପୁରା ପଟକୁ ଫେରିବା ସମୟରେ ଆନନ୍ଦପୁର ବ୍ରିଜ୍ ଛକ ଠାରେ ଥିବା ଆଉ ୫-୬ଟି ୪ ଚକିଆ ଯାନରେ କିଛି ଲୋକ ତାଙ୍କୁ ପିଛା କରିଥିଲେ। ବ୍ରିଜ ପାରି ହେବାପରେ ଏକ ହମ୍ପସରେ ଗାଡି ସ୍ଲୋ ହେବାର ସୁଯୋଗ ନେଇ ତାଙ୍କ ଗାଡି ଆଗରେ ଗାଡି ରଖି ଅତର୍କିତ ଆକ୍ରମଣ କରିଥିଲେ । ଆହତ ଅବସ୍ତାରେ ସମସ୍ତ ୫ଜଣ ସ୍କ୍ବାଡ ସଦସ୍ଯ ଘସିପୁରା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବାପରେ, ପୋଲିସ୍ ଆକ୍ରମଣକାରୀଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ କରିଛି।

ଆଳୁ ଦେଲେନି ଦିଦି, ୟୁପିରୁ ଓଡିଶାକୁ ଆସିଲା ଆଳୁ

ଭୁବନେଶ୍ବର: ଟଳିଲା ଆଳୁ ସଙ୍କଟ ୟୁପିରୁ ଆସିଲା ଆଳୁ । ବହୁ କସରତ ପରେ ଶେଷରେ ଓଡିଶାରେ ପହଞ୍ଚିଲା ୟୁପି ଆଳୁ । ତେବେ ଆଳୁ ପହଞ୍ଚିବା ପରେ ଆଳୁ ଦର କମିବା ନେଇ ସମ୍ଭାବନା ରହିଛି । ଉତ୍ତରପ୍ରଦେଶରୁ ଆସିଛି ଆଳୁ। ହେଲେ ଟ୍ରେନରେ ନୁହେଁ ଟ୍ରକରେ ଆସିଛି ଆଳୁ। ଆଇଗିଣିଆକୁ ଆସିଛି ୧୦ଟି ଆଳୁ ଗାଡ଼ି। ୧୦ ସୁଦ୍ଧା ଆହୁରି ଗାଡି ଆସିବ ବୋଲି ଜଣାପଡ଼ିଛି। ଆଜି ସକାଳୁ କିଛି ଆଳୁ ଟ୍ରକ ଆସି ପହଞ୍ଚିଛି। ଆଇଗିଣିଆ ଆଳୁ ଗୋଦାମରେ ଆଳୁ ଅନଲୋଡ ହେଉଛି।

ତେବେ ସରକାରଙ୍କ ଦ୍ଵାରା କେତେ ଆଳୁ ଟ୍ରକ୍ ଆସିଛି ତାହା ଜଣା ପଡ଼ିନାହିଁ। ପଶ୍ଚିମବଙ୍ଗରୁ ମଧ୍ୟ କିଛି ଗାଡି ଆସିଥିବା ଜଣାପଡିଛି।ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁଯାୟୀ ଆଜି ୬୦ରୁ୭୦ ଟ୍ରକ ଆଳୁ ରାଜ୍ୟକୁ ଆସିବ। ଏହା ପ୍ରଭାବରେ ଆଜି ଆଳୁ ରେଟ୍ କମିବା ନେଇ ସମ୍ଭାବନା ରହିଛି।

ସଂସଦ ଅଧିବେଶନର ଆଜି ପଞ୍ଚମ ଦିନ; ବିଭିନ୍ନ ପ୍ରସଙ୍ଗ ନେଇ କମ୍ପିବ ଗୃହ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ଆଜି ପଞ୍ଚମ ଦିନ। ନଭେମ୍ବର ୨୫ରୁ ଆରମ୍ଭ ହୋଇଥିବା ଅଧିବେଶନରେ ଆଜି ବିଭିନ୍ନ ପ୍ରସଂଗରେ ଗୃହ ସରଗରମ ରହିବା ସମ୍ଭାବନା ରହିଛି । ଅଧିବେଶନ ଆରମ୍ଭରୁ ଆଦାନୀ ପ୍ରସଙ୍ଗ ,ମଣିପୁର ପ୍ରସଙ୍ଗ ,ୟୁପିର ସମ୍ଭଲ ହିଂସା ପ୍ରସଙ୍ଗ ପ୍ରଭୃତି ଆଲୋଚନା ଦାବୀରେ ଉଭୟ ଗୃହରେ ହଟ୍ଟଗୋଳ କରୁଛନ୍ତି। ଆଜି ଉଭୟ ଗୃହରେ ମୋଟ ୫ଟି ବିଲ ଆଲୋଚନା ପାଇଁ ସରକାର ଏଜେଣ୍ଡା ପ୍ରସ୍ତୁତ କରିଛନ୍ତି।

ଏହା ସହ ରାଜ୍ଯସଭାରେ ବିଜେଡି ସାଂସଦମାନେ ଶୂନ୍ଯକାଳରେ ରେଳ ସୁରକ୍ଷା ପାଇଁ ଅତିରିକ୍ତ ପାଣ୍ଠିର ବ୍ଯବସ୍ଥା ସହ ପୁରୀ ସହରରେ ପାଇପ ଯୋଗେ ଗ୍ଯାସ ଯୋଗାଇଦେବାରେ ଅହେତୁକ ବିଳମ୍ବ ପ୍ରସଙ୍ଗ ଉଠାଇବେ। ଏହା ସହ ପ୍ରଶ୍ନ କାଳରେ ପୋଲାଭରମ ପ୍ରକଳ୍ପର ସ୍ଟାଟସ,ଓଡିଶାରେ ପିଏମ କିଷାନ ଯୋଜନା ପ୍ରଭୃତି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡିଛି।

ସୁଧୁରୁଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ତଥାପି ଏସବୁ ଅଞ୍ଚଳରେ ସ୍ଥିତି ଗମ୍ଭୀର

ଦିଲ୍ଲୀ: ସୁଧୁରୁନି ଦିଲ୍ଲୀ ବାୟୁ ପ୍ରଦୂଷଣ, AQI ରେକର୍ଡ ଲଗାତାର ଖରାପ ଶ୍ରେଣୀକୁ ଗତି କରୁଛି । ଯେଉଁ କାରଣରୁ ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଦିଲ୍ଲୀର ବାୟୁରେ ନିଶ୍ୱାସ ନେବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି। ତେବେ ଶନିବାର ତୁଳନାରେ ସୋମବାର AQIରେ ସାମାନ୍ୟ ସୁଧାର ଆସିଛି । ସୋମବାର ଦିଲ୍ଲୀରେ AQI ୨୭୩  ରେକର୍ଡ କରାଯାଇଛି । କିନ୍ତୁ ଦିଲ୍ଲୀର ଅନେକ ଅଞ୍ଚଳରେ ପରିସ୍ଥିତି ଏବେବି ଗୁରୁତର ରହିଛି ।

ଗତ ମାସରୁ ଦିଲ୍ଲୀରେ ଶୀତ ବୃଦ୍ଧି ପାଇଥିବା ବେଳେ ରାଜଧାନୀବାସୀ ବର୍ତ୍ତମାନ ପ୍ରଦୂଷଣ ସହିତ କୁହୁଡ଼ିର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନସୁଦ୍ଧା ଦିଲ୍ଲୀର ଅନେକ ଅଞ୍ଚଳ ବିଷବଳୟରେ ଘେରି ହୋଇ ରହିଛି । ଏଥିମଧ୍ୟରୁ ଆର.କେ ପୁରାମ ଅନ୍ତର୍ଭୁକ୍ତ, ଯେଉଁଠାରେ AQI ୩୦୭, ଶାଦିପୁର, ଯେଉଁଠାରେ AQI ୩୧୯, ନେହେରୁ ନଗରରେ AQI ୩୩୬, ଦ୍ୱାରକା ସେକ୍ଟର ୮ ରେ AQI ୩୦୮, ଜହାଙ୍ଗୀରପୁରୀରେ AQI ୩୧୦, ଆନନ୍ଦ ବିହାରରେ AQI ୩୦୪ ଅଛି  ।ଏହି ସବୁ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏଗୁଡିକ ଏପରି କ୍ଷେତ୍ର, ଯାହାର AQI ଏପର୍ଯ୍ୟନ୍ତ ୩୦୦ ରୁ କମ୍ ହୋଇନାହିଁ   ।

ଏହା ବ୍ୟତୀତ ଆଇଟିଓ, ଜବାହରଲାଲ ନେହେରୁ ଷ୍ଟାଡିୟମ, ଲୋଦୀ ରୋଡ, ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମ, ମନ୍ଦିର ମାର୍ଗ, ପୁସା ଦିଲ୍ଲୀ, ରୋହିଣୀ, ସିରୀ ଦୁର୍ଗ, ସୋନିଆ ବିହାର, ବିବେକ ବିହାର, ୱାଜିରପୁର, ଶ୍ରୀ ଅରୋବିନ୍ଦ ପାର୍କ, ନରେଲା, ନେହରୁ ନାଗର ଏହି ସବୁ ସ୍ଥାନଗୁଡିକରେ ୨୫୦ ରୁ ଅଧିକ AQI ଅଛି  ।

୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ବର: ୩ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା। ୩ ଦିନିିଆ ଓଡ଼ିଶା ଗସ୍ତ ସାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଫେରିଯିବା ପରେ, ଓଡ଼ିଶା ପାଇଛି କଣ ତାହାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇପାରେ। ଆଜି ଗୃହ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି।

ଶୂନ୍ୟକାଳରେ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୂର୍ବତଟ ରେଳପଥକୁ ସଙ୍କୁଚିତ କରିବା, ଆମ୍ବ ଟାକୁଆ, କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ। ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ। ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପରେ ଆଲୋଚନା ହେବ। ପୂର୍ବରୁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଥଲ।

ହାତୀ ଆକ୍ରମଣରେ ଆହତ ବନ କର୍ମଚାରୀଙ୍କ ମୃତ

ବଲାଙ୍ଗୀର: ହାତୀ ଆକ୍ରମଣରେ ଜଣେ ବନ କର୍ମଚାରୀ ମୃତ । ବଲାଙ୍ଗୀର କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ତିନି ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା ହାତୀ । ଗୁରୁତର ଥିବା ବନ କର୍ମଚାରୀ ରୁପେଶ ଛତ୍ରିଆଙ୍କ ମୃତ୍ୟୁ ଘଟିଛି ।

ଗୋଠଛଡ଼ା ଦନ୍ତାକୁ ଘଉଡାଇବା ବେଳେ ହାତୀ ଆକ୍ରମଣରେ ତିନି ବନ କର୍ମଚାରୀ  ଆହତ ହୋଇଥିଲେ । ଏଥିରେ ୨ ଜଣ ଗୁରୁତର ହୋଇପଡିଥିଲେ । ଗୁରୁତର ରୂପେଶଙ୍କ ଆଜି ମୃତ୍ୟୁ ଘଟିଛି । ପ୍ରଶାନ୍ତ ନାୟକ ନାମକ ଅନ୍ୟ ଜଣେ ବନ କର୍ମଚାରୀ ଏବେ ବି ଗୁରୁତର ଅଛନ୍ତି । ପାରାଷ୍ଟାଫ୍ ତାରେଶ୍ୱର ରଣା ନାମକ କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି I ବଲାଙ୍ଗୀର ମେଡିକାଲରେ ବଲାଙ୍ଗୀର ଡିଏଫଓ ଡିଏଫଓଙ୍କ ସହ ବନ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝାସୁଝା କରିଛନ୍ତି I

ଗତ ୧୫ ଦିନ ହେଲା ଗୋଠଛଡା ହାତୀ ଆତଙ୍କ ସୃଷ୍ଟି କରିଥିଲା । ହାତୀ ଘଉଡାଇବାକୁ କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା ଓ ତୁରେକେଲା ରେଞ୍ଜର ପାଖାପାଖି ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ I ଘଉଡାଇବା ସମୟରେ ହାତୀଟି ବୁଲି ପଡ଼ି ଆକ୍ରମଣ କରିଥିଲା । ଜୀବନ ରକ୍ଷା ପାଇଁ କର୍ମଚାରୀମାନେ ଯିଏ ଯୁଆଡେ ଦୌଡ଼ି ଚାଲିଯାଇଥିଲେ I ହାତୀ ୩ ଜଣକୁ ପାଖରେ ପାଇ ଆକ୍ରମଣ କରିଥିଲା I ଉପସ୍ଥିତ କର୍ମଚାରୀ ପାଟି ଧାଇଁ ଆସିବାରୁ ହାତୀ ଚାଲିଯାଇଥିଲା I ପରେ ସେମାନଙ୍କୁ ଉଦ୍ଧାର କରି ବଙ୍ଗୋମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା I ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଥିଲା ।

ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବାକୁ ନେଇ ଶ୍ରୀକାନ୍ତଙ୍କ ଉଦବେଗ

ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲ୍ଟିୟର ଡିଭିଜନକୁ ବିଚ୍ଛିନ୍ନ କରିବା ଓ ଏହାକୁ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ୍ ସହିତ ମିଶ୍ରଣ କରିବାର ନିଷ୍ପତ୍ତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l ଓଡିଶାର ହକ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି l

ଚିଠିରେ ଶ୍ରୀକାନ୍ତ ଲେଖିଛନ୍ତି, ୧୯୯୬ରେ ଏହାର ପ୍ରତିଷ୍ଠା ପରଠାରୁ, ଇଷ୍ଟକୋଷ୍ଟ ରେଲୱେ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ୱ ଯୋଗଦାନକାରୀଙ୍କ ମଧ୍ୟରେ ସ୍ଥାନିତ ହୋଇଛି । ୱାଲ୍ଟିୟର ଡିଭିଜନର ଅପସାରଣ ଏହାକୁ ଯଥେଷ୍ଟ ଦୁର୍ବଳ କରିବ । ଏହାର କାର୍ଯ୍ୟକଳାପ ଓ ଓଡିଶାର ବିକାଶରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ବିପଦରେ ପକାଇବ । ପୂର୍ବ ବିଚାର ବିମର୍ଶରେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ-କେନ୍ଦ୍ର ରେଳ ଜୋନ୍ ନିର୍ମାଣକୁ ପୃଥକ କରାଯାଇଥିଲା । ଯଦିଓ ବର୍ତ୍ତମାନର ସରକାର ରାଜ୍ୟ କୈନ୍ଦ୍ରିକ ଅଞ୍ଚଳକୁ ପ୍ରାଥମିକତା ଦେଉଛନ୍ତି । ତେବେ ଓଡିଶାକୁ ମଧ୍ୟ ଏହାର ବ୍ୟାପକ ରେଳ ଜୋନ୍ ଅନୁମତି ଦିଆଯିବା ଜରୁରୀ । ଉତ୍ତର ପ୍ରଦେଶରେ ଏକ ନୂତନ ରେଳ ବିଭାଗ ପ୍ରତିଷ୍ଠା କରି ସୁନ୍ଦରଗଡ, ବାଲେଶ୍ବର ଓ ମୟୂରଭଞ୍ଜକୁ ପୂର୍ବତଟ ରେଳବାଇରେ ମିଶ୍ରଣ କରିବାକୁ ମୁଁ ଦୃଢ ଭାବେ ସମର୍ଥନ କରୁଛି ବୋଲି କହିଛନ୍ତି ଶ୍ରୀକାନ୍ତ । ଏହାସହ ରାୟଗଡାରେ ଅନ୍ୟ ଏକ ରେଳ ବିଭାଗ ସୃଷ୍ଟି କରିବା ଦ୍ବାରା କାର୍ଯ୍ୟକ୍ଷମତା ବୃଦ୍ଧି କରିବ । ବର୍ଷ ବର୍ଷ ଧରି ପୂର୍ବତଟ ରେଳପଥ ଏହାର ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲ୍ଟିୟର ଡିଭିଜନ୍ ସହିତ ଓଡିଶାର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଓ ଏହାର ମୂଳ ଗଠନକୁ ଭାଙ୍ଗିବା ପରିବର୍ତ୍ତେ ପୂର୍ବତଟ ରେଳପଥକୁ ସୁଦୃଢ କରିବାକୁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀକାନ୍ତ । ଓଡିଶାବାସୀଙ୍କ ଚାହିଦା ଅନୁଯାୟୀ ଅଧିକ ବିସ୍ତୃତ ରେଳ ଜୋନ୍ ପ୍ରଦାନ କରି ଓଡିଶା ପାଇଁ ସମାନ ଚିକିତ୍ସା ସୁନିଶ୍ଚିତ କରିବାକୁ ଚିଠିରେ ନିବେଦନ କରିଛନ୍ତି କଂଗ୍ରେସ ନେତା ଶ୍ରୀକାନ୍ତ ଜେନା l

ଡିଆଇଜି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ମୋଦିଙ୍କ ଗୁରୁତ୍ବ

ଭୁବନେଶ୍ବର: ଭୁବନେଶ୍ଵରରେ ଆୟୋଜିତ ସର୍ବଭାରତୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ସ୍ମାର୍ଟ ପୋଲିସିଂ ଉପରେ ଗୁରୁତ୍ଵାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସମ୍ମିଳନୀର ଥିଲା ଶେଷ ଦିନ । ଏହି ଅବସରରେ ଯୋଗ ଦେଇଥିବା ପୋଲିସ ଅଧିକାରୀଙ୍କୁ ସ୍ମାର୍ଟ ପୋଲିସିଂର ମନ୍ତ୍ର ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ପୋଲିସର କାର୍ଯ୍ୟରେ ସ୍ଵଚ୍ଛତା ସହ ଲୋକଙ୍କ ଯେପରି ବିଶ୍ଵାସଭାଜନ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ।

ପୋଲିସ ବ୍ୟବସ୍ଥା ରଣନୀତିକ, ଯତ୍ନଶୀଳ ଓ ଗ୍ରହଣଯୋଗ୍ୟ ଯେପରେ ହୋଇପାରିବ ସେଥିପ୍ରତି ଗୁରୁତ୍ଵାରୋପ କରିଥିଲେ ପ୍ରଧାନମନ୍ତ୍ରୀ । କର୍ମଚାରୀଙ୍କ ଉପରେ ଯେପରି ବୋଝ କମ କରାଯାଇପାରିବ ସେଥିରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଥିଲେ । ବିକଶିତ ଭାରତ ଲକ୍ଷ୍ୟ ନେଇ ପୋଲିସର ଆଧୁନିକୀକରଣରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାରକୁ ଗୁରୁତ୍ଵ ଦେଇଛନ୍ତି ।

ସାଇବର ଫ୍ରଡ ରୋକିବାକୁ ପୋଲିସ ହାକାଥନ ଉପରେ ଗୁରୁତ୍ଵ ଦେଇଛନ୍ତି। ଏହାସହ ବନ୍ଦର ସୁରକ୍ଷାକୁ ଗୁରୁତ୍ଵ ଦେବା ସହ ଏହା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଦେଶର ସୁରକ୍ଷା, ଆତଙ୍କବାଦ ମୁକାବିଲା, ମାଓବାଦ ସମସ୍ଯା, ସାଇବର ଅପରାଧ, ଅର୍ଥନୈତିକ ନିରାପତ୍ତା, ଅନୁପ୍ରବେଶ, ଉପକୂଳ ସୁରକ୍ଷା ଉପରେ ଗୁରୁତ୍ଵାରୋପ କରିଛନ୍ତି ମୋଦି ।

ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଦେଶର ସୁରକ୍ଷାକୁ ନେଇ ନୂଆ ନକ୍ସା ପ୍ରସ୍ତୁତ କରିଛନ୍ତି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳା ନିୟନ୍ତ୍ରଣକୁ ଗୁରୁତ୍ଵ ଦିଆଯାଇଛି । ସୀମା ସୁରକ୍ଷାକୁ ନେଇ ହୋଇଛି ଆଲୋଚନା । ଆତଙ୍କବାଦୀଙ୍କୁ ମାତ ଦେବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଶାନ୍ତି ବଜାୟ ରଖିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରାଯାଇଥିଲା । ୩ ଦିନ ଧରି ଚାଲିଥିବା ଏହି ବୈଠକରେ ମୋଟ ୧୫୦ ପ୍ରତିନିଧି ମଣ୍ଡଳୀ ସାମିଲ ହୋଇଥିଲେ ।