ପୁରୀ : ଚତୁର୍ଦ୍ଧା ମୂର୍ତ୍ତି ହେବେ ପୋଢୁଆଁ । ତେଣୁ ମାମୁଁ ଘରୁ ପୋଢୁଆଁ ଭାର ଯିବ। ଭଣଜା ପୋଢୁଆଁ ହେବା ପାଇଁ କାହିଁ କେତେ ପ୍ରକାର ସାମଗ୍ରୀ ପଠା ଯାଉଛି । କଟକ ଜିଲ୍ଲା ନିଆଳି ମାଧବାନନ୍ଦଙ୍କ ପୀଠରୁ ଏହି ପୋଢୁଆଁ ଭାର ଯାଉଛି। ପାଟ ମଠା ସାଙ୍ଗକୁ କାହିଁ କେତେ ପ୍ରକାର ସାମଗ୍ରୀର ଭାର ନେଇ ଆଜି ଶ୍ରୀ କ୍ଷେତ୍ର ଅଭିମୁଖେ ଯିବ ପୋଢୁଆଁ ଭାର । ପ୍ରଥମାଷ୍ଟମୀରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଏହି ସାମଗ୍ରୀ ଲାଗି କରାଯିବ। ଭୋରରୁ ଠାକୁରଙ୍କ ମଙ୍ଗଳ ଆରତୀ ଓ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ପୋଢୁଆଁ ଭାର ପ୍ରସ୍ତୁତ ହେଉଛି। ଘଣ୍ଟଘଣ୍ଟା, ଢୋଲ, ମହୁରୀ ଓ ଉତ୍କଳୀୟ ସମର କଳାର ପ୍ରଦର୍ଶନ କରି ଏକ ବିରାଟ ପଟୁଆରରେ ଭାର ନେଇ ଭାରୁଆମାନେ ଶ୍ରୀକ୍ଷେତ୍ର ଯାତ୍ରା କରିବାର ବିଧି ରହିଛି। ଆସନ୍ତା କାଲି ପୋଢୁଆଁ ହେବେ ଶ୍ରୀଜିଉ।
ଟ୍ରାନ୍ସଫର୍ମର ଚାର୍ଜ ବେଳେ ଜଳିଗଲା ଗାଁରେ ଥିବା ସମସ୍ତ ଇଲେକ୍ଟ୍ରିକ ଉପକରଣ
ଭୁବନେଶ୍ବର: ଟ୍ରାନ୍ସଫର୍ମର ଚାର୍ଜ ବେଳେ ଅଘଟଣ । ଜଳିଗଲା ଗାଁ ରେ ଥିବା ସମସ୍ତ ଇଲେକ୍ଟ୍ରିକ ଉପକରଣ । ଡବଲ ଭୋଲ୍ଟେଜ ଆସିବାରୁ ସମସ୍ତ ଇଲେକ୍ଟ୍ରୋନିକ ଉପକରଣ ଜଳିଯାଇଛି ।
ରାଜଧାନୀ ଉପକଣ୍ଠ ବାଲିଅନ୍ତା ପାଟଣା ଗାଁରେ ଘଟିଛି ଏଭଳି ଅଘଟଣ । ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଲେ ଉତ୍ତ୍ୟକ୍ତ ଲୋକେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଛି । ସେପଟେ ବିନା କ୍ଷତିପୂରଣରେ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଛଡ଼ାଯିବ ନାହିଁ ବୋଲି ଜିଦ ଧରିଛନ୍ତି ସ୍ଥାନୀୟ ଲୋକେ ।
ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣା ବିବାଦକୁ ନେଇ ସ୍ପଷ୍ଟିକରଣ ରଖିଲା କମ୍ପାନୀ
ଭୁବନେଶ୍ବର: ଓଡ଼ିଶାର ଗନ୍ଧମାର୍ଦ୍ଦନ ପାଦଦେଶରେ ଜମି କିଣିବା ପ୍ରସଙ୍ଗରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡର ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ପକ୍ଷରୁ କୁହାଯାଇଛି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ବନୀକରଣ ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ଇଚ୍ଛୁକ ଜମି ମାଲିକଙ୍କଠାରୁ ଘରୋଇ ଜମି ଅଧିଗ୍ରହଣ କରାଯାଇଛି । ଜମି ଅଧିଗ୍ରହଣର ଉଦ୍ଦେଶ୍ୟ ଜମି ମାଲିକମାନଙ୍କ ସହ ବିକ୍ରୟ ଦସ୍ତାବିଜରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
କମ୍ପାନୀ ପକ୍ଷରୁ ଆଡୁରି କୁହାଯାଇଛି, ଏହି ଜମି ଅଧିଗ୍ରହଣ କୌଣସି ବାଣିଜ୍ୟିକ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ନୁହେଁ ଏବଂ କ୍ଷତିପୂରଣ ବନୀକରଣ କାରଣରୁ ସ୍ଥାନୀୟ ପରିବେଶକୁ ଏହା ସମୃଦ୍ଧ କରିବ । ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବ୍ୟାପକ ମାର୍ଗଦର୍ଶିକା ଅନୁଯାୟୀ ହୋଇଛି । ଯେଉଁଥିରେ ପ୍ରକଳ୍ପ ପ୍ରସ୍ତାବକ ରାଜ୍ୟ କିମ୍ବା ରାଜ୍ୟ ବାହାରେ ଯେକୌଣସି ସ୍ଥାନରେ ଜମି କିଣି ପାରିବେ । ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ତତ୍ପରତା ପରେ ବଲାଙ୍ଗୀର ଡିଭିଜନର ଜିଲ୍ଲା ବନ ଅଧିକାରୀ ଏଥିପାଇଁ ଅକ୍ଟୋବର ମାସରେ ଉପଯୁକ୍ତ ପ୍ରମାଣପତ୍ର ପ୍ରଦାନ କରିଥିଲେ ।
୨୦୨୨ ମସିହାରେ ଭାରତ ସରକାରଙ୍କ କୋଇଲା ମନ୍ତ୍ରାଳୟ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ବାଣିଜ୍ୟିକ ଖଣି ଉଦ୍ଦେଶ୍ୟରେ ପ୍ରତିଯୋଗିତାମୂଳକ ନିଲାମ ମାଧ୍ୟମରେ ବିଜାହାନ କୋଇଲା ଖଣିକୁ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସକୁ ହସ୍ତାନ୍ତର କରିଥଲେ । ଏହି ପ୍ରକଳ୍ପ ଅଞ୍ଚଳରେ ଉଲ୍ଲେଖନୀୟ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବା ସହ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଟିକସ ରାଜସ୍ୱ ବୃଦ୍ଧି କରିବ । ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ଏହି ଅଞ୍ଚଳର ଅଭିବୃଦ୍ଧି ଓ ବିକାଶ, ସକାରାତ୍ମକ ପରିବର୍ତ୍ତନ ଓ ସ୍ଥାନୀୟ ତଥା ଅନ୍ୟ ଅଂଶୀଦାରଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ଆନ୍ଦୋଳନରୁ ଓହରିଲା ମିଳିତ ଟ୍ରକ ମାଲିକ ମହାସଂଘ
ଭୁବନେଶ୍ବର: ନଭେମ୍ବର ୧୦ ତାରିଖରୁ ମିଳିତ ଟ୍ରକ ମାଲିକ ମହାସଂଘର ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଆଜି ତୃତୀୟ ଥର ପାଇଁ ପରିବହନ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିଛି ସଂଘ । ଆସନ୍ତାକାଲିଠାରୁ ସ୍ଵାଭାବିକ ହେବ ଟ୍ରକ୍ ଚଳାଚଳ ।
ନଭେମ୍ବର ୧୦ ତାରିଖରୁ ୧୧ ଦଫା ଦାବି ନେଇ ୧୩ ଜିଲ୍ଲାର ବାଲି ପରି ଲଘୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ସଂଘ ଆନ୍ଦୋଳନ ଜାରି ରଖିଥିଲେ । ଆସନ୍ତା ଫେବୃଆରୀ ମାସ ସୁଦ୍ଧା ସଂଘର ସମସ୍ତ ଦାବି ପୂରଣ ଲାଗି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଯାଇଛି ସଂଘ । ଟ୍ରକକୁ ଇ-ଟ୍ରାନଜିଟ ପାସ୍ ଦିଆଯିବା, ବାଲିଘାଟରେ ଓଜନ ବ୍ଯବସ୍ଥା କରାଯିବା, ଏନଜିଟି ଗତ ଅକ୍ଟୋବର ୨୫ ତାରିଖରେ ଦେଇଥିବା ନିର୍ଦ୍ଦେଶରେ କୋହଳ କରାଯିବା, ଘାଟରେ ସିସିଟିଭିର ବ୍ଯବସ୍ଥା କରାଯିବା, ପ୍ରତ୍ଯେକ ଘାଟରେ ସାଇନ ବୋର୍ଡ ଲଗାଯିବା, ରାଜ୍ଯ ସାରା ପ୍ରତ୍ଯେକ ବାଲି ଘାଟର ସଠିକ ମୂଲ୍ଯ ନିର୍ଦ୍ଧାରଣ କରାଯିବା, ସ୍ବତନ୍ତ୍ର ଆପ ତିଆରି କରାଯିବା, ଜିଲ୍ଲାୱାରୀ ବାଲିଘାଟର ତାଲିକା ପ୍ରକାଶ କରାଯିବା, ଇ-ଟ୍ରାନଜିଟ ପାସର ଅବଧି ୧୨ ଘଣ୍ଟାକୁ ବୃଦ୍ଧି କରାଯିବା ଭଳି ପ୍ରମୁଖ ଦାବି ରଖିଥିଲା ସଂଘ ।

