ବ୍ରହ୍ମପୁର: ପୁଣି ଅଶାନ୍ତ ହେଲା MKCG କ୍ୟାମ୍ପସ। ଶିଶୁ ବିଭାଗର ପିଜି ଛାତ୍ରଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ। ଅନ୍ୟ ବିଭାଗର ପିଜି ଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ନିୟମିତ ରାଗିଂ ହେଉଥିବା ବି ଅଭିଯୋଗ ହୋଇଛି। ଶିଶୁରୋଗ ବିଭାଗ ମୁଖ୍ୟ ହସ୍ତକ୍ଷପ ପରେ ବି ହେଉନି ସମାଧାନ। କ୍ୟାମ୍ପସରେ ଲାଗି ରହିଛି ଅଶାନ୍ତ ବାତାବରଣ।
ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ମଧ୍ୟପ୍ରଦେଶର ଦେବାସ ସହରର ନୟାପୁର ଅଞ୍ଚଳରେ ଅଗ୍ନିକାଣ୍ଡ । ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛିନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିସମ ବାହିନୀର ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ସୂଚନା ଅନୁଯାୟୀ, ନୟାପୁର ଅଞ୍ଚଳରେ ଦିନେଶ ତାଙ୍କ ପରିବାରକୁ ନେଇ ରହୁଥିଲେ । କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଦେଖୁ ଦେଖୁ ଚାରିଆଡେ ବ୍ୟାପି ଯାଇଥିଲା । ଦିନେଶ ଓ ତାଙ୍କ ପତ୍ନି ଏବଂ ତାଙ୍କ ୨ଜଣ ପିଲା ଘରୁ ବାହାରିବାରେ ବିଫଳ ହୋଇଥିଲେ । ଫଳରେ ୪ ଜଣ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି।
ନେପାଳରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
ନନ୍ଦିଘୋଷ ବ୍ୟୁରୋ: ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଭୂକମ୍ପରେ ଘରଦ୍ବାର ଥରିଥିବା ସୂଚନା ମିଳିଛି। ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ ଲୋକେ। ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୯ ସମୟରେ ନେପାଳରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଜୁଲ୍ମା ଜିଲ୍ଲାର ୧୦ କିଲୋମିଟର ଗଭୀରତାରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ନ୍ୟାସନାଲ ସେଣ୍ଟର ଫର ସେସିମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ !
ଭୁବନେଶ୍ବର: ଭୁବନେଶ୍ବର ପାଇଁ ଆଜି ସବୁଠାରୁ ଛୋଟଦିନ ହେବ । ଦିନ ପ୍ରାୟ ୧୦ ଘଣ୍ଟା ୫୪ ମିନିଟ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ୩୬ ସେକେଣ୍ଡ ହେବ । ଭୁବନେଶ୍ବରରେ ଡିସେମ୍ବର ୧୫ରୁ ଡିସେମ୍ବର ୨୭ ପ୍ରାୟ ୧୨ ଦିନ ଧରି ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ହୁଏ । ଆଜି ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୧ ମିନିଟ ହେବ ।
ସେହିଭଳି ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା ୩୯ ମିନିଟ୍ ହେବ । ଜୁନ ୨୧ ବା ୨୨ ତାରିଖରେ ସବୁଠାରୁ ବଡ଼ ଦିନ ହୋଇଥାଏ । ମେରୁ ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ବର୍ଷ ସାରା ଦିନର ଦୌର୍ଘ୍ୟରେ ବଡ଼ ପ୍ରାର୍ଥକ୍ୟ ଅନୁଭୂତ ହୁଏ । ସେଠାରେ ଶୀତଋତୁରେ ଦିନ ଗୁଡିକ ଅତ୍ୟନ୍ତ ଛୋଟ ହୁଏ।
ମଝି ଚିଲିକାରେ ଫସିଲା ଡଙ୍ଗା, ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ
ଚିଲିକା: ଚିଲିକା ମଝିରେ ଫସିଲା ଡ଼ଙ୍ଗା। ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ପର୍ଯ୍ୟଟକ ମାନେ ଉଦ୍ଧାର ପାଇଁ ୧୧୨ ର ସହାୟତା ଲୋଡିଥିଲେ । ବାଲୁଗାଁ ଅଗ୍ନିଶମ ବାହିନୀ ଚିଲିକା ମଝିରେ ପହଞ୍ଚି ଫସିଥିବା ଡ଼ଙ୍ଗା ସହ ପର୍ଯ୍ୟଟକଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତ୍ୟୁ ଚାଲିଛି । ଆଜି ଭୁବନେଶ୍ୱରରୁ ୧୨ରୁ ୧୪ଜଣ ପର୍ଯ୍ୟଟକ ସାତପଡ଼ା ଡଲଫିନ ଦେଖିବାକୁ ଯାଇଥିଲେ । ୪ଟା ପରେ କୋହଲା ପାଗ ଏବଂ ଅନ୍ଧାର ଯୋଗୁ ଚିଲିକା ମଝିରେ ଡ଼ଙ୍ଗା ଫସି ଯାଇଥିଲା । ପର୍ଯ୍ୟଟକ ମାନେ ଉଦ୍ଧାର କରିବାକୁ ସହାୟତା ଲୋଡିଥିଲେ। ନନ୍ଦିଘୋଷ ଟିଭ ହାତରେ ଲାଗିଛି ଚିଲିକା ମଝିରେ ଉଦ୍ଧାର କରିବାର ଭିଡିଓ କିଳ୍ପିଂ। ବାଲୁଗାଁ ଅଗ୍ନିଶମ ବାହିନୀ ସେମାନଙ୍କୁ ଚିଲିକା ମଝିରୁ ନିରାପଦରେ ଏସ୍କର୍ଟ କରି କୂଳକୁ ଆଣିଛନ୍ତି।

