ନନ୍ଦିଘୋଷ ବ୍ୟୁରୋ: ଆଜି ପବିତ୍ର ଅମୃତ ସ୍ନାନ। ପ୍ରୟାଗରାଜରେ ମହାକୁମ୍ଭର ଆଜି ତୃତୀୟ ଅମୃତ ସ୍ନାନର ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ଆଖଡ଼ା ତରଫରୁ ଅମୃତ ସ୍ନାନ ଚାଲିଛି । ସାଧୁ ସନ୍ଥ ଓ ନାଗା ସାଧୁମାନେ ମହାକୁମ୍ଭରେ ବୁଡ଼ ପକାଉଛନ୍ତି । ବସନ୍ତ ପଞ୍ଚମୀ ଅବସରରେ ଅନୁଷ୍ଠିତ ହେଉଛି ଅମୃତ ସ୍ନାନ। ମହାକୁମ୍ଭରେ ଏବେ ଜମୁଛି ଅଜସ୍ର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଆଜି ତୃତୀୟ ଅମୃତ ସ୍ନାନ ଅବସରରରେ କୋଟି କୋଟି ଶ୍ରଦ୍ଧାଳୁ ବୁଡ଼ ପକାଉଛନ୍ତି । ଏହି ମହାକୁମ୍ଭରେ ଦେଶବିଦେଶର କୋଟି କୋଟି ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି। ପୂର୍ବରୁ ଦୁଇଟି ଅମୃତ ସ୍ନାନ ସରିଥିବା ବେଳେ ଆଜି ତୃତୀୟ ଅମୃତ ସ୍ନାନ ହେଉଛି । ଆସନ୍ତା ଫେବୃଆରୀ ୧୨ ତାରିଖ ମାଘ ପୂର୍ଣ୍ଣିମାରେ ଆସିବ ପରବର୍ତ୍ତୀ ଅମୃତ ସ୍ନାନ। ତୃତୀୟ ଅମୃତ ସ୍ନାନ ପାଇଁ ୟୁପି ପୋଲିସ ପକ୍ଷରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼଼ି କରାଯାଇଛି। ଏହି ମହାକୁମ୍ଭ ମେଳା ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଦେଢ଼ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହାକୁମ୍ଭରେ ଯୋଗଦେବା ପାଇଁ ଦେଶ ବିଦେଶରୁ ବହୁ ସାଧୁସନ୍ଥ ଓ ଭକ୍ତଙ୍କ ସୁଅ ଛୁଟୁଛି। ଅପରେସନ ଇଲେଭେନ୍ ଅନୁଯାୟୀ ଭୀଡ଼କୁ ନିୟନ୍ତ୍ରଣ କରାଯାଉଛି । ସୁରକ୍ଷାକୁ ନେଇ ୱାନ ୱେ ରୁଟ୍ ବ୍ୟବସ୍ଥା କରାଯାଇଛି । ତ୍ରିବେଣୀ ଘାଟରେ ଅତ୍ୟଧିକ ବିଡ଼ ରୋକିବାକୁ ପୋଲିସ ଉଦ୍ୟମ ଜାରି ରଖିଛି । ସୁରକ୍ଷା ବଳ ସହିତ ବ୍ୟାରିକେଡକୁ ବଢ଼ାଇ ଦିଆଯାଇଛି ।
ଫେବୃଆରୀ ୮ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ବର: ଫେବୃଆରୀରେ ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଫେବୃଆରୀ ୮ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେଓ୍ବାଇସି କରିବାକୁ ବାକି ଅଛନ୍ତି । ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ ବାୟୋମେଟ୍ରିକ ସହ NPCI କରିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ଏନପିସିଆଇ ଚେକ କରିପାରିବେ । ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ । ଚଳିତବର୍ଷ ମାର୍ଚ୍ଚ ୩୦ ସୁଦ୍ଧା ସୁଭଦ୍ରା ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ । ସବୁଠୁ ଅଧିକ NPCI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ବାକି ଅଛି । ତେଣୁ ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିବା ଆବେଦନକାରୀମାନେ ଷ୍ଟେଟ ବ୍ୟାଙ୍କ ଶାଖାକୁ ଯାଇ ଏନପିସିଆଇ କରାଇ ନିଅନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ମଲ୍ଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ପ୍ରଭାବ: ସହଜରେ ଯକ୍ଷ୍ମାରୁ ଭଲ ହୋଇ ପାରୁ ନାହାନ୍ତି ପିଲା
ଭୁବନେଶ୍ବର: ମଲଟି ଡ୍ରଗସ୍ ରେସିଷ୍ଟାନସ ଯୋଗୁଁ ଯାହାକୁ ଯକ୍ଷ୍ମା ହେଉଛି, ସହଜରେ ସେ ଭଲ ହେଉ ନାହାନ୍ତି । ବିଶେଷ କରି ପିଲାଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ । ନବଜାତଠାରୁ ଆରମ୍ଭ କରି ତରୁଣ ତରୁଣୀଙ୍କ କ୍ଷେତ୍ରରେ ଏହା ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଡ୍ରଗସ୍ ରେସିଷ୍ଟାନସ । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅନୁଧ୍ୟାନରୁ ଜଣାପଡ଼ିଛି, ନିଜେ ନିଜେ ମନ ଇଚ୍ଛା ଔଷଧ କିଣି ଖାଉଥିବାରୁ ଏହି ସମସ୍ୟା ହେଉଛି । ଏପରି ନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
ଛୋଟ ପିଲାଙ୍କୁ ହେଉଛି ଯକ୍ଷ୍ମା । ଯଦି ଗର୍ଭବତୀଙ୍କୁ ଯକ୍ଷ୍ମା ହୁଏ, ତାଙ୍କ ସନ୍ତାନକୁ ମଧ୍ୟ ଯକ୍ଷ୍ମା ହେବାର ଆଶଙ୍କା ଅଛି । ଏପରିକି ବାହାର ସଂକ୍ରମଣ ଯୋଗୁଁ ଯକ୍ଷ୍ମାରେ ୫ ବର୍ଷରୁ କମ ବୟସର ପିଲାଙ୍କ ଜୀବନ ଯାଉଛି । ୧୮ରୁ ୧୯ ବର୍ଷ କିଶୋର କିଶୋରୀ ବି ଯକ୍ଷ୍ମାରେ ଆକ୍ରାନ୍ତ ହେଉଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକାର ୧୯ ବର୍ଷରୁ କମ୍ ବୟସର ୨୩ ହଜାର ୩୬୯ ପିଲାଙ୍କ ଉପରେ ୪୨ ପ୍ରକାର ବିଶ୍ଲେଷଣ କରି ଏହି ଉଦବେଗଜନକ ତଥ୍ୟ ପାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ବୈଜ୍ଞାନିକ । ଏଥିପାଇଁ ମଲ୍ଟି ଡ୍ରଗସ୍ ରେସିଷ୍ଟାଣ୍ଟ୍ ଓ ରିଫାମ୍ସିନ୍ ରେସିଷ୍ଟାଣ୍ଟ୍ ଦାୟୀ । ରିଫାମ୍ସିନ୍ ଔଷଧ ଯକ୍ଷ୍ମାକୁ ଭଲ କରିବା ପାଇଁ ବ୍ୟବହାର କରାଯାଏ । ଯଦି ପିଲାଟିର ଓଜନ କମୁଛି, କାଶ, କଫ, ଥଣ୍ଡା ସହ ଜ୍ବର ଅଧିକ ଦିନ ଲାଗି ରହୁଛି ତା’ହେଲେ ସେହି ପିଲାକୁ ତୁରନ୍ତ ଛାତି ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଦରକାର । ନହେଲେ ଭିତରେ ଭିତରେ ସେ ଯକ୍ଷ୍ମାରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି ।
ସାଧାରଣତଃ ପିଲାଙ୍କୁ ଥଣ୍ଡା କାଶ ହେଲେ ମାଆବାପା ନିଜେ ନିଜେ ଔଷଧ ଦୋକାନରୁ ମେଡିସିନ୍ କିଣି ଦେଇଥାନ୍ତି । ହେଲେ ଏଭଳି କରିବା ଭୁଲ । ଥଣ୍ଡା ଓ କାଶ କିମ୍ବା ଜ୍ଵର ଯଦି ୩ ସପ୍ତାହରୁ ଅଧିକ ଦିନ ଲାଗି ରହୁଛି, ତା’ହେଲେ ଛାତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଉଚିତ । ବିଶେଷଜ୍ଞ କହୁଛନ୍ତି, ମନଇଚ୍ଛା ନିଜେ ଔଷଧ କିଣି ଆଣି କିମ୍ଵା କ୍ଵାକରୁ ଔଷଧ ନେଇ ପିଲାକୁ ଦେବା ଅନୁଚିତ । ଭାରତରେ ବିନା ପ୍ରେସକ୍ରିପସନରେ ଅଧିକ ଔଷଧ କାରବାର ହେଉଥିବାରୁ ପିଲା ଓ ତରୁଣଙ୍କ ଶରୀରରେ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ଅଧିକ ଦେଖାଯାଉଛି । ଗବେଷଣାରୁ ଜଣାପଡ଼ିଛି ମଲଟି ଡ୍ରଗ୍ସ ରେସିଷ୍ଟାଣ୍ଟ୍ ଯୋଗୁ ଭାରତରେ ୯୦ ପ୍ରତିଶତ ପିଲାଙ୍କ ଦେହରେ ଯକ୍ଷ୍ମା ରୋଗର ଲକ୍ଷଣ ଦେଖାଦେଉଛି ।
କାଲି ସରିବ ଦିଲ୍ଲୀ ପ୍ରଚାର: ହାଟ୍ରିକ ଲକ୍ଷ୍ଯରେ ଆପ, ଶାସନକୁ ଫେରିବାକୁ କଂଗ୍ରେସ-ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ଯମ
ନୂଆଦିଲ୍ଲୀ: ଆସନ୍ତାକାଲି ସରିବ ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର । ୫ ତାରିଖରେ ଭୋଟ । ୮ ତାରିଖରେ ଗଣତି । ସବୁ ରାଜନୈତିକ ଦଳର ଆଖିରୁ ହଜିଯାଇଛି ନିଦ । ଭୋଟ ହାତେଇବା ଲାଗି ବିଜେପିର ଉଦ୍ଯମକୁ ଖୁଲାସା କରିଛନ୍ତି କେଜ୍ରିଓ୍ବାଲ । ବ୍ଲାକମେଲର ଶିକାର ନହେବାକୁ ସେ ଦେଇଛନ୍ତି ଆହ୍ବାନ । ତେଣେ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ କେନ୍ଦ୍ରମନ୍ତ୍ରୀ । ଅମୃତସରରେ ଆମ୍ବେଦକର ପ୍ରତିମୂର୍ତ୍ତି ଭଙ୍ଗା ରାଜନୀତିର ପ୍ରଭାବ ପଡିଛି ଦିଲ୍ଲୀରେ ।
ବର୍ତ୍ତମାନ ଦିଲ୍ଲୀ ଦଖଲ ପାଇଁ ବଡ଼ ଷଡଯନ୍ତ୍ର ଚର୍ଚ୍ଚା । ଭୋଟ ହାତେଇବା ଲାଗି ଖୋଲାଖୋଲି ଭୋଟରଙ୍କୁ କରାଯାଉଛି ବ୍ଲାକମେଲ । ଏପରିକି ଘର ଘର ବୁଲି ଇଙ୍କ ଲଗାଇବା ପାଇଁ ଚାଲିଛି ଯୋଜନା । ଏଭଳି ବ୍ଯକ୍ତି ବିଶେଷଙ୍କ ଜାଲରେ ନପଡିବାକୁ ଆହ୍ବାନ ଦେଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି- ଯଦି ବିଜେପି ସରକାରକୁ ଆସିବ ତେବେ କିଛି ମାସରେ ଦିଲ୍ଲୀରୁ ବସ୍ତି ମୂଳପୋଛ ହୋଇଯିବ । ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ଯ କରାଯାଉଛି । ବିଭିନ୍ନ ଧମକ ଚମକ ଦିଆଯାଉଛି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ।
ତେବେ କେଜ୍ରିଓ୍ବାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀରେ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ । ଦିଲ୍ଲୀବାସୀ ସଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ।
ଆସନ୍ତାକାଲି ସରିବ ବିଧାନସଭା ନିର୍ବାଚନ ପ୍ରଚାର । ଭୋଟରଙ୍କୁ ମନାଇବାକୁ ମଇଦାନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ରାଜେନୖତିକ ଦଳ ଆପ, ବିଜେପି ଓ କଂଗ୍ରେସ । ଆପ ହାଟ୍ରିକ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ । ପ୍ରଚାରରେ ସାମିଲ ହୋଇଛନ୍ତି ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ । ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ । ତେଣେ ପଞ୍ଜାବ ଅମୃତସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ବଢିଛି ରାଜନୀତି । ଏହି ଘଟଣାରେ ଆପକୁ ଦାୟୀ କରି କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ । ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ ଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।
୫ମ ଟି-ଟ୍ବଣ୍ଟି: ଇଂଲଣ୍ଡକୁ ୨୪୮ ରନର ଟାର୍ଗେଟ୍ ଦେଲା ଭାରତ
ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ୫ମ ଟି-ଟ୍ବଣ୍ଟି ମ୍ୟାଚରେ ଇଂଲଣ୍ଡ ଆଗରେ ଭାରତ ୨୪୮ ରନର ଟାର୍ଗେଟ ରଖିଛି । ପ୍ରଥମେ ବ୍ୟାଟି କରି ଭାରତ ୯ ଓ୍ବିକେଟ ହରାଇ ୨୪୭ ରନ୍ କରିଛନ୍ତି । ଆଜିର ମ୍ୟାଚରେ ଭାରତୀୟ ଓପନର ଅଭିଶେକ ଶର୍ମାଙ୍କ ଧୂଆଁଧାର ବାଟିଂ ଦେଖିବାକୁ ମିଳିଛି । ଅଭିଶେକ ୫୪ ବଲର ସମ୍ମୁଖୀନ ହୋଇ ୧୩ ଛକା ଓ ୭ ଚୌକା ସହାୟତାରେ ୧୩୫ ରନ୍ କରିଛନ୍ତି । ଏହାସହ ସେ ଭାରତୀୟ ବ୍ୟାଟର ଭାବେ ଟି-ଟ୍ବଣ୍ଟିରେ ସର୍ବାଧିକ ରନ୍ କରିବାର ରେକର୍ଡ କରିଛନ୍ତି । ଅଭିଶେକ ରୋହିତଙ୍କ ୧୨୮ ରନର ରେକର୍ଡକୁ ଭାଙ୍ଗିଛନ୍ତି ।
ଟିସ୍ ହାରିବା ପରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତର ଆରମ୍ଭ ଭଲ ହୋଇଥିଲା । ସଞ୍ଜୁ ଏବଂ ଅଭିଶେକ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ସଞ୍ଜୁ ୧୬ ରନ୍ କରି ଆଉଟ ହୋଇଥିଲେ । ପରେ ଟି. ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨ ରନ୍ କରି ଆଉଟ୍ ହୋଇଥିଲେ । ଏହାପରେ ଅଭିଶେକଙ୍କ ସହ ଶିଭମ୍ ଦୁବେ ଭାରତର ସ୍କୋରକୁ ଆଗକୁ ବଢ଼ାଇଥିଲେ । ସୁବେ ୧୩ ବଲରେ ୨ ଛକା ଓ ୪ ଚୌକା ସହାୟତାରେ ଧୂଆଁଧାର ୩୦ ରନର ପାରି ଖେଳିଥିଲେ । ପରେ ହାର୍ଦ୍ଧିକ ଏବଂ ରିଙ୍କୁ ସିଂ ୯ ରନ୍ ଲେଖାଏଁ କରି ପ୍ୟାଭିଲିୟନ ଫେରି ଯାଇଥିବା ବେଳେ ଅକ୍ସର ପଟେଲ ୧୫ ରନ କରି ନଟ ଆଉଟ ଥିଲେ । ରବି ବିଷ୍ଣୋଇ ଖାତା ଖୋଲି ପାରି ନଥିଲେ ।
ଇଂଲଣ୍ଡ ପକ୍ଷରୁ କାରସେ ୩ଟି ଓ୍ବିକେଟ ନେଇଥିବା ବେଳେ ମାର୍କ ଉଡ ୨ଟି ଓ୍ବିକେଟ୍ ନେଇଥିଲେ । ସେହିପରି ଜୋଫ୍ରା, ଓଭରଟନ ଏବଂ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।
ଅଭିଶେକ ଶର୍ମାଙ୍କ ଧୂଆଁଧାର ବ୍ୟାଟିଂ, ୩୭ ବଲରେ ସେଞ୍ଚୁରୀ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ୫ମ ଟି-୨୦ ମ୍ୟାଚରେ ଭାରତୀୟ ଓପନର ଅଭିଶେକ ଶର୍ମାଙ୍କ ଜଲଓ୍ବା ଦେଖିବାକୁ ମିଳିଛି । ବର୍ତ୍ତମାନ ଖେଳ ଚାଲିଥିବା ବେଳେ ଇଂଲଣ୍ଡ ବୋଲରଙ୍କୁ ନିର୍ଦ୍ଦୟ ଭାବେ ଛକା, ଚୌକା ମାରି ଚାଲିଛନ୍ତି ଅଭିଶେକ । ୩୭ ବଲରେ ସେ ତାଙ୍କ ସେଞ୍ଚୁରୀ କରିଛନ୍ତି । ଏଥିରେ ୬ଟି ଚୌକା ଏବଂ ୧୦ଟି ଛକା ରହିଛି । ବର୍ତ୍ତମାନ ୧୦୬ ରନରେ ଅଭିଶେକ ବ୍ୟାଟିଂ କରୁଛନ୍ତି । ଏହାସହ ୧୩.୩ ଓଭରରେ ଭାରତ ୪ ଓ୍ବିକେଟ ହରାଇ ୧୮୩ ରନ୍ କରି ଖେଳୁଛି ।
ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୁ ସୁମନ ୭ ବଲରୁ ୧୬ ରନ୍ କରିଥିବା ବେଳେ ଟି. ବର୍ମା ୨୪, ସୂର୍ଯ୍ୟକୁମାର ଯାଦବ ୨ ଏବଂ ଶିବମ ଦୁବେ ଧୂଆଁଧାର ୩୦ ରନ୍ କରି ଆଉଟ ହୋଇଛନ୍ତି । ବର୍ତ୍ତମାନ ଫିଲ୍ଡରେ ଅଭିଶେକଙ୍କ ସମହ ହାର୍ଦ୍ଧିକ ପାଣ୍ଡ୍ୟା ବାଟିଂ କରୁଛନ୍ତି ।

