spot_img
Home Blog Page 1335

ଦୁଇ ଭାଗରେ ଭାଙ୍ଗିଗଲା ବିମାନ, ଦୁର୍ଘଟଣାରେ ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: କିଜକସ୍ଥାନରେ ଘଟିଛି ଏକ ବଡ଼ ଦୁର୍ଘଟଣା ।  ଯେଉଁ ଦୁର୍ଘଟଣା ଫଳରେ ଚାଲିଯାଇଛି ଅନେକ ଲୋକଙ୍କ ଜୀବନ । ଆଜେରବାଇଜାନ ଏୟାରଲାଇନ୍ସର ବିମାନ ବାକୁରୁ ଋଷିଆର ଚେଞ୍ଚିଆ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ବିମାନ ସହିତ ଏକ ପକ୍ଷୀ ମୁହାଁମୁହିଁ ହୋଇଥିଲେ ଏବଂ ପରେ ଏହି ଦୁର୍ଘଟଣା ଘଟିଛି  । ଉଦ୍ଧାରକାରୀ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିମାନରୁ ଆହତ ଯାତ୍ରୀ ଏବଂ ମୃତଦେହକୁ ବାହାର କରିଛନ୍ତି ।

ସୋସିଆଲ ମିଡିଆରେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରନୱେକୁ ଧକ୍କା ଦେବା ପରେ ବିମାନଟି ଦୁଇ ଭାଗରେ ଭାଙ୍ଗି ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଉଦ୍ଧାରକାରୀ ଦଳର ଲୋକମାନେ ବିମାନର ଧ୍ୱଂସାବଶେଷରୁ ଆହତ ତଥା ଯାତ୍ରୀଙ୍କ ମୃତଦେହ ବାହାର କରୁଥିବା ଦେଖିବାକୁ ମିଳିଛି  । ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ମୃତଦେହ ଦୀର୍ଘ ଦୂରତାରେ ଛିନଛତ୍ର ହୋଇଯାଇଥିଲା। ଆହତମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର କରୁଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାଅନୁସାରେ  ବିମାନରେ 67 ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ 42 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ଏବଂ 25 ଜଣ ଯାତ୍ରୀ ବଞ୍ଚିଥିଲେ। ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରେ 37 ଆଜେରବାଇଜାନ ନାଗରିକ, 16ଜଣ ରୁଷ ନାଗରିକ, 6 ଜଣ କାଜାକିଆ ନାଗରିକ ଏବଂ 3 ଜଣ କିର୍ଗିଜ ନାଗରିକ ଅଛନ୍ତି।

 

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପରିଚିତ ନବୀନ, ୨୮ ବର୍ଷର ରାଜନୀତିରେ ୨୪ ବର୍ଷ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନବୀନ ପଟ୍ଟନାୟକ। ଓଡ଼ିଶାର ସବୁଠାରୁ ଅଧିକ ସମୟର ମୁଖ୍ୟମନ୍ତ୍ରୀ । ଲଗାତର ୫ ଥର ମୁଖ୍ୟମନ୍ତ୍ରୀ । ଜାତୀୟ ରାଜନୀତିକୁ ଦେଖିଲେ ବି ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଅନ୍ୟତମ ନେତା। କେବଳ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ନବୀନ ପଟ୍ଟନାୟକଙ୍କଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଅପେକ୍ଷା ଓଡ଼ିଶାର ବିକାଶରେ, ରାଜ୍ୟ ତଥା ଦେଶ ରାଜନୀତିରେ ଯେଉଁ ଛାପ ଛାଡ଼ିଛନ୍ତି ନବୀନ ପଟ୍ଟନାୟକ, ତାହା ଅନନ୍ୟ। ପ୍ରାୟ ୨୮ ବର୍ଷର ରାଜନୈତିକ କ୍ୟାରିଅରରେ ୨୪ ବର୍ଷ ସେ ମୁଖ୍ୟମନ୍ତ୍ରୀ ରହିଛନ୍ତି  । ୨୦୦୦ ମସିହାରୁ ୨୦୨୪ ଯାଏ ଓଡ଼ିଶା ରାଜନୀତିର କେନ୍ଦ୍ର ବିନ୍ଦୁ ଥିଲେ। ତେବେ ରାଜ୍ୟରେ ବିକାଶରେ ସେ ଯେଉଁ ଛାପ ଛାଡ଼ିଛନ୍ତି, ତାହା ହିଁ ତାଙ୍କୁ ଜନନାୟକ କରିଛି । ତିଆରି ହୋଇଛି ନବୀନ ବ୍ରାଣ୍ଡ । ୨୦୦୦ ମସିହାରେ ସେ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ, ସଦ୍ୟ ମହାବାତ୍ୟାରେ ଛାରଖାର ହୋଇଥିଲା ଉପକୂଳ ଓଡ଼ିଶା। ତା ସହିତ ମରୁଡ଼ି, ଅଭାବ ଅନାଟନ, ଅନାହାର, ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିଲା ଓଡ଼ିଶା। ନବୀନଙ୍କ ଦୃଢ଼ ନେତୃତ୍ଵ ଓ ବିକାଶ ଦୃଷ୍ଟିକୋଣରୁ ଆଜି ଓ଼ଡ଼ିଶାର ଚେହେରା ବଦଳିଛି। ରାଜନୀତି, ଶିଳ୍ପ, କ୍ରୀଡ଼ା, ଆର୍ଥିକ ପ୍ରଗତି ସବୁ କ୍ଷେତ୍ରରେ ଆଗେଇଛି ଓଡ଼ିଶା। ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ପାଇଁ ସେ ତିଆରି କରିଥିଲେ ଏକ ଅସାଧାରଣ ଢାଞ୍ଚା। ଯେଉଁଥିରେ ଜିରୋ କାଜୁଆଲିଟି ଥିଲା ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବି ସ୍ଵୀକୃତି ମିଳିଛି। କ୍ଷମତାର ଅଳିନ୍ଦରେ ବି ନବୀନଙ୍କ ଷ୍ଟ୍ରାଟେଜି ଆଗରେ ହାର୍ ମାନିଛନ୍ତି ବହୁ ବଡ଼ ବଡ଼ ନେତା। ତାଙ୍କର ସାଦାସିଧା ଜୀବନଶୈଳୀ, ଧଳା କୁର୍ତ୍ତା ପାଇଜାମା ଓ କୋହ୍ଲାପୁରୀ ଚପଲ ହିଁ ତାଙ୍କର ବ୍ୟକ୍ତିତ୍ଵକୁ ଆହୁରି ପ୍ରସ୍ଫୁଟିତ କରେ। ରାଜନୀତିରେ ଏତେ ଦିନ ଧରି ଥିଲେ ବି କାହା ପ୍ରତି ତାଙ୍କର କୁତ୍ସାରଟନା ନାହିଁ । କଥା କମ୍‌, କାମ ବେଶି ହିଁ ତାଙ୍କର ମୂଳମନ୍ତ୍ର। ଏଥିପାଇଁ ତ ନବୀନ ପଟ୍ଟନାୟକ ଆଜି ଏତେ ଲୋକପ୍ରିୟ ଯେ ବିପକ୍ଷ ଦଳର ନେତା ବି ତାଙ୍କ ପାଇଁ ଭାରତ ରତ୍ନ ଦାବି କରୁଛନ୍ତି।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା

ଭୁବନେଶ୍ବର : ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ କୃଷକ ମଜଦୁର ମହାସଂଘର ଯୁଦ୍ଧଂ ଦେହି ଡାକରା। ଆସନ୍ତା ୨୯ ତାରିଖରେ ଗଂଜାମରେ କରାଯିବ ବିରାଟ ଚାଷୀ ସମାବେଶ। ଉଭୟ ସରକାର ଚାଷୀ ମାରଣ ନୀତି କରିଥିବା ପ୍ରତିବାଦରେ ଏହି ସମାବେଶ କରିବାକୁ କୃଷକ ମଜଦୁର ମହାସଂଘ ନିଷ୍ପତ୍ତି ନେଇଛି। ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଚାଷୀଙ୍କୁ ନ ମିଳିବା, ସରକାରଙ୍କ ଚାଷୀ ବିରୋଧୀ ନୀତି, କୃଷକଙ୍କ ପ୍ରତି ମନ୍ତ୍ରୀଙ୍କ ଉପହାସମୂଳକ ମନ୍ତବ୍ୟ ଓ ମିଛ ବିରୋଧରେ ଏହି ଆନ୍ଦୋଳନ। ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସମାବେଶ କରି ତାକୁ ବ୍ୟାପକ କରିବାକୁ କରାଯିବ ବୋଲି କହିଛି କୃଷକ ମଜଦୁର ମହାସଂଘ ।

ରାଜ୍ୟରେ ଦରଦାମ ବୃଦ୍ଧି ଲାଗି ରହିଥିବା ବେଳେ ତାକୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ବିଫଳ। ଏପରିକି ଆଳୁ ସଂକଟର ସମାଧାନ ଏଯାଏ କରିପାରିନାହାନ୍ତି। ଅଣନିଶ୍ଵାସୀ ହୋଇ ଗଲେଣି ସାଧାରଣ ଜନତା। କିନ୍ତୁ ସମାଧାନ କରି ନ ପାରି ମାର୍ ମାର୍ ଭଣ୍ଡାରିଆକୁ ମାର୍ ନ୍ୟାୟରେ ବ୍ୟବସାୟୀଙ୍କ ଉପରେ ଜୁଲମ୍ କରାଯାଉଥିବାର ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ରାଜ୍ୟ ବ୍ୟବସାୟୀ ମହାସଂଘ ଜାନୁଆରି ୧୯ ତାରିଖରେ ଭବାନୀ ପାଟଣାରେ ଏକ ବିରାଟ ସମାବେଶ କରିବ। ସେପଟେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଓଡ଼ିଶା ସିଟିଜେନସ ଫୋରମ୍ ମଧ୍ୟ ନୂଆ ବର୍ଷ ଆରମ୍ଭରୁ ଏକ ବିଶାଳ ବିକ୍ଷୋଭ ସମାବେଶ କରିବାକୁ ନିଷ୍ପତ୍ତି ନେଇଛି। ନିଜ କର୍ମର ପରିଣାମ ଭୋଗିବାକୁ ସରକାର ପ୍ରସ୍ତୁତ ରହନ୍ତୁ ବୋଲି ଚେତାଇ ଦେଇଛନ୍ତି ଦୁଇ ସଂଘ।  କ୍ଷମତାକୁ ଆସିବା ପରଠୁ ରାଜ୍ୟ ସରକାର କେବଳ ବଡ଼ ବଡ଼ ଭାଷଣ ମାରୁଛନ୍ତି। ହେଲେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଚାଷୀ, ବ୍ୟବସାୟୀମାନେ ବିଭିନ୍ନ କାରଣରୁ ହନ୍ତସନ୍ତ ହେଉଛନ୍ତି। ସହିବାର ସବୁ ସୀମା ଟପିବା ପରେ ସେମାନେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲେଣି। ଭୋଟରେ ବି ଜବାବ ଦିଆଯିବ ବୋଲି କହୁଛନ୍ତି।

ଆସନ୍ତାକାଲି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ, ନେତା ଓ କର୍ମୀଙ୍କୁ ଟିପ୍ସ ଦେବେ ନବୀନ

ଭୁବନେଶ୍ବର : ଆସନ୍ତାକାଲି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳକୁ ପୂରିବାକୁ ଯାଉଛି ୨୮ ବର୍ଷ । ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ବିଜେଡି ପାଳିବାକୁ ଯାଉଛି ୨୮ ତମ ପ୍ରତିଷ୍ଠା ଦିବସ । ସକାଳୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଶଙ୍ଖ ଭବନରେ ଆୟୋଜିତ ହେବ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ । ଯେଉଁଥିରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସକାଳ ୧୧ଟାରେ ଯୋଗ ଦେଇ ଉଦବୋଧନ ଦେବେ । ତାଙ୍କ ଉଦବୋଧନକୁ ଉତ୍ସାହ ସହ ଅପେକ୍ଷା କରିଛନ୍ତି ବିଜେଡି ନେତା ଓ କର୍ମୀ । ଶଙ୍ଖ ଭବନ ସହ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବି ପ୍ରତିଷ୍ଠା ଦିବସ ପାଳନ କରାଯିବ । ନବୀନଙ୍କ ନେତୃତ୍ବରେ ଗତ ୨୭ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ ନିଷ୍ଠାପର ଭାବେ ଜନସେବା ଯୋଗାଇ ଆସୁଛି ବିଜେଡି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିକଶିତ ଓଡ଼ିଶାର ସ୍ବପ୍ନକୁ ସାକାର କରିବାରେ ନବୀନଙ୍କ ରହିଛି ବଡ଼ ଉଦ୍ୟମ । ଯାହା ବିଜେଡିକୁ ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ସହ ସାମାଜିକ ଆନ୍ଦୋଳନରେ ପରିଣତ କରିଛି । ବିକାଶର ଏଜେଣ୍ଡା ନେଇ ନବୀନ ଓଡ଼ିଶାକୁ ଆସିଥିଲେ । ଯାହା ପୂରଣ କରିବାକୁ ସେ ଦିନରାତି ଏକ କରି ଦେଇଥିଲେ । ହେଲେ ନୂଆ ସରକାର ବିକାଶର ନକଲି ମୁଖା ପିନ୍ଧି ଗତ ଛଅ ମାସରେ ରାଜ୍ୟକୁ ବିଫଳତାର ଶୀର୍ଷକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଲାଣି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଦରଦାମ ବୃଦ୍ଧି, ଅନାହାର ମୃତ୍ୟୁ ପରି କଳଙ୍କ ପୁଣି ଥରେ ଓଡ଼ିଶାକୁ ଫେରୁଥିବା ଅଭିଯୋଗ ଉଠୁଛି । ସରକାରଙ୍କ ଏହି ବିଫଳତା ସହ ନବୀନ ସରକାର ସମୟର ସଫଳତା ନେଇ ଜନସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବିଜୁ ଜନତା ଦଳ ।

ଏହି ପ୍ରତିଷ୍ଠା ଦିବସ ହେବ ସଂକଳ୍ପର ଦିନ । ବିଜେଡିକୁ ଆହୁରି ଶକ୍ତିଶାଳୀ କରି ଆହୁରି ଲୋକଙ୍କ ପାଇଁ ସମର୍ପିତ ହେବାକୁ ଶପଥ ନେବେ ଦଳୀୟ ନେତା ଓ କର୍ମୀ । ଗତ ୨୭ ବର୍ଷରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ନୂଆ ଓଡ଼ିଶା ଗଠନ ହୋଇଛି । ଯେଉଁଥି ପାଇଁ ଗତ ନିର୍ବାଚନରେ ବିରୋଧୀ ଦଳ ଜନାଦେଶ ପାଇଥିବା ସତ୍ତ୍ବେ ୪୨ ପ୍ରତିଶତ ସହ ସର୍ବାଧିକ ଭୋଟ ହାର ପାଇଥିଲା ବିଜେଡି । ସେବା ମନୋବୃତ୍ତି ନେଇ କାମ ହିଁ ଏହି ବିଶ୍ବାସର ମାଧ୍ୟମ ସାଜିଛି । ନବୀନଙ୍କ ନେତୃତ୍ବରେ ଓଡ଼ିଶାବାସୀଙ୍କ ସ୍ବାଭିମାନକୁ ରକ୍ଷା କରିବାରେ ଲାଗି ପଡ଼ିଛନ୍ତି ବିଜେଡି ନେତା ଓ କର୍ମୀ । ଆଦିବାସୀଙ୍କ ସ୍ବାର୍ଥ ରକ୍ଷା କରି ଜାନୁଆରୀରୁ ଆନ୍ଦୋଳନକୁ ଆହୁରି ଶାଣିତ କରିବ ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଡବଲ ଇଂଜୀନ ସରକାରକୁ ଜାନୁଆରୀ ୬ ତାରିଖରେ ଘେରିବାକୁ ବିଜେଡି ସଜ୍ଜବାଜ ହେଉଛି । ସେହିପରି ଜାନୁଆରୀରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଆହୁରି ତୀବ୍ର କରିବ ବିଜୁ ଜନତା ଦଳ ।

ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ପଛରେ କ‘ଣ ରହିଛି ରହସ୍ୟ ?

ଭୁବନେଶ୍ବର : ରାଜ୍ୟପାଳ ପଦରୁ କାହିଁକି ଇସ୍ତଫା ଦେଲେ ରଘୁବର ଦାସ। ଇସ୍ତଫା ପଛରେ କଣ ରହିଛି ଗୁଢ଼ ରହସ୍ୟ ? ଚାପ ନା ରାଜନୈତିକ ସ୍ବାର୍ଥ ହାସଲ। ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଉଭୟ ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ, ନିଜର ପଦ ମର୍ଯ୍ୟାଦାକୁ ଭୁଲି ରାଜନୀତିରେ ମାତିଥିଲେ ରଘୁବର। ଯାହା ବିରୋଧୀଙ୍କ ପାଇଁ ବଡ଼ ଅସ୍ତ୍ର ହୋଇଥିବା ବେଳେ, ବିଜେପିର ବଢ଼ିଥିଲା ମୁଣ୍ଡବ୍ୟଥା। ଏବେ ଆସନ୍ତୁ ନଜର ପକାଇବା ରଘୁବରଙ୍କ ବିରୋଧରେ ଆସିଥିବା କିଛି ବିବାଦ ଉପରେ। କାରଣ ନମ୍ବର ୧। ରାଜନୀତିରୁ ଉର୍ଦ୍ଧ୍ବରେ ରାଜ୍ୟପାଳଙ୍କ ପଦବୀ ବୋଲି ସମ୍ବିଧାନ କହେ। କିନ୍ତୁ ରଘୁବର ଦାସ ୩୧ ଅକ୍ଟୋବର ୨୦୨୩ରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ଆରମ୍ଭ କରିଥିଲେ ନିଜ ରାଜନୈତିକ ଅଭିଯାନ । ଅନାବଶ୍ୟକ ଭାବେ ରାଜ୍ୟର ବିଭିନ୍ନ ଅଚଳ ଗସ୍ତ କରି ରାଜନୈତିକ ବୟାନବାଜି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ତାଙ୍କ ରାଜନୈତିକ ଉଦ୍ଦେଶ୍ୟ ଚରିତୀର୍ଥ କରିବା ପାଇଁ ସେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ହସ୍ତକ୍ଷେପ ଆରମ୍ଭ କରିଥିଲେ। କାରଣ ନମ୍ବର ୨। ନିର୍ବାଚନ ସମୟରେ ଜଣେ ରାଜନୈତିକ କର୍ମୀଭଳି ଆଚରଣ ପ୍ରଦର୍ଶନ କରିଥିଲେ ରଘୁବର । ରାଜଭବନ ରାଜନୈତିକ ଆଡ୍ଡାରେ ରୂପାନ୍ତରିତ ହୋଇଥିଲା ବୋଲି ବିଭନ୍ନ ମହଲରୁ ଅଭିଯୋଗ ଉଠିଥିଲା। ନିର୍ଦ୍ଧିଷ୍ଟ ଜାତୀୟ ରାଜନୈତିକ ଦଳକୁ ଫାଇଦା ଦେବା ପାଇଁ ସେ କାର୍ଯ୍ୟ କରୁଥିଲେ ବୋଲି କଂଗ୍ରେସ ଠୁ ଆରମ୍ଭ କରି ଅନ୍ୟାନ୍ୟ ରାଜନୈତିକ ଦଳ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ। କାରଣ ନମ୍ବର ୩। ରାଜ୍ୟପାଳଙ୍କ ପଦମର୍ଯ୍ୟାଦା ସଂପୂର୍ଣ୍ଣ କ୍ଷୁର୍ଣ୍ଣ ହେଲା। ଯେଉଁ ଦିନ ରାଜ୍ୟପାଳଙ୍କ ପୁଅ ପୁରୀରେ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ମାରି ଲହୁଲୁହାଣ କଲେ । ରାଜ୍ୟପାଳଙ୍କ ପୁଅ ବିରୋଧରେ ଥାନାରେ ମାମଲା ହେଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁଅ ବିରୋଧରେ ଯେପରି କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ, ସେଥିପାଇଁ ରାଜ୍ୟପାଳ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଭଳି ଗୁରୁତର ଅଭିଯୋଗ ଉଠିଥିଲା । ଓଡ଼ିଆ ଅସ୍ମିତାର ନାରା ଦେଉଥିବା ରାଜ୍ୟ ସରକାର ରାଜ୍ୟପାଳଙ୍କ ଚାପରେ ଚେପା ହୋଇଯାଇଥିଲେ ।  ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ରାଜ୍ୟପାଳଙ୍କ ପୁଅର ମାଡ଼ ଘଟଣା ରାଜ୍ୟ ସରକାରଙ୍କ ଓଡ଼ିଆ ଅସ୍ମିତା ନାରାକୁ ଫିକା କରି ଦେଇଥିଲା । ଏହି ଘଟଣାରେ କଂଗ୍ରେସ, ବିଜେଡି ଭଳି ପ୍ରମୁଖ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ରାଜ୍ୟପାଳଙ୍କ ଇସ୍ତଫା ଦାବି କରିଥିଲେ । ଏପରିକି ଝାଡ଼ଖଣ୍ଡ ନିର୍ବାଚନରେ ମଧ୍ୟ ଏ ପ୍ରସଙ୍ଗ ଜୋର ଧରିଥିଲା । କାରଣ ନମ୍ବର ୪। ଝାଡ଼ଖଣ୍ଡ ନିର୍ବାଚରେ ରଘୁବାର ଦାସ ନିଜେ ପ୍ରାର୍ଥୀ ହେବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକଳାପକୁ ଦେଖି ବିଜେପି ତାଙ୍କୁ ଟିକେଟ ଦେଇନଥିଲା । ବରଂ ତାଙ୍କ ବୋହୂଙ୍କୁ ପ୍ରାର୍ଥୀ କରାଯାଇଥିଲା । ଚର୍ଚ୍ଚା ହେଲା, ଟିକେଟ ନମିଳିବାର ରାଗ ସୁଝାଇବା ପାଇଁ ରଘୁବର  ଦଳ ବିରୋଧରେ ଷଡ଼ଯନ୍ତ୍ର ରଚିଥିଲେ । ନିଜେ ବୋହୂକୁ ଜିତାଇବା ଓ ବିଜେପିକୁ ହରାଇବା ପାଇଁ ଓଡ଼ିଶା ରାଜଭବନ ସେତେବେଳେ କଣ୍ଟ୍ରୋଲ ରୁମ ପାଲଟିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ରଘୁବରଙ୍କ ଷଡ଼ଯନ୍ତ୍ର ସମ୍ପର୍କରେ ଅନ୍ୟ ରାଜନୈତିକ ଦଳ ଭଳି ଖୋଦ ବିଜେପି ନେତାମାନେ ମଧ୍ୟ ହାଇକମାଣ୍ଡଙ୍କ ପାଖରେ ଅଭିଯୋଗ କରିଥିବା ଚର୍ଚ୍ଚା ହୋଇଥିଲା । ଏହା ନିଶ୍ଚିତ ଦଳୀୟ ହାଇକମାଣ୍ଡଙ୍କୁ କ୍ଷୁବ୍ଧ କରିଥିବ । କାରଣ ନମ୍ବର ୫। ନିକଟରେ ବିଶ୍ବବିଦ୍ୟାଳୟ ଆଇନରେ ରାଜ୍ୟ ସରକାର ସଂଶୋଧନ ଆଣିବାକୁ ଚାହୁଁଥିଲେ। ଏହା ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ଯାଇଥିଲା । କିନ୍ତୁ ଅନୁମୋଦନ ନଦେଇ ରାଜ୍ୟପାଳ ଏହାକୁ ଫେରାଇ ଦେଇଥିଲେ । ଏହା ଚଳିତ ରାଜ୍ୟ ସରକାରଙ୍କୁ ଚାପୁଡ଼ା ମାରିବା ଭଳି ହୋଇଥିଲା । ବିବାଦ ଏତିକିରେ ସୀମିତ ନୁହେଁ । ବିଭିନ୍ନ ଖଣି କାରବାର ଠୁ ଆରମ୍ଭ କରି ଟେଣ୍ଡର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ବା ଚାପ ରହୁଥିବା  ବୋଲି ମଝିରେ ମଝିରେ ଗୁଞ୍ଜରଣ ଉଠୁଥିଲା । ଅବଶ୍ୟ ଏସବୁ ତଦନ୍ତ ସାକ୍ଷେପ ।

ରଘୁବରଙ୍କ ଏହି ବିବାଦୀୟ ଭୂମିକାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଜାତୀୟ ଦଳ। କଂଗ୍ରେସ କହିଛି ବିଜେପିର ଓଡ଼ିଆ ଅସ୍ମିତା ଏକ ବାହାନା ଥିଲା। ଯାହାର ଜବାବ ରଖିଛି ବିଜେପି। ଏଭଳି ବିବାଦକୁ ଆଖି ଆଗରେ ରଖି ରଘୁବରଙ୍କୁ ରାଜ୍ୟପାଳ ପଦରୁ ହଟାଇବା ପାଇଁ ହାଇକମାଣ୍ଡ ଚାହିଁଥିବା ଆଲୋଚନା ହେଉଛି । ଯାହା ଫଳରେ ଗତକାଲି ରଘୁବରଙ୍କ ସ୍ଥାନରେ ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି ।

ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି ଓଡ଼ିଶା ନିର୍ବାଚନ ଗଡ଼ବଡ଼ ପ୍ରସଙ୍ଗ

ଭୁବନେଶ୍ବର : ନିର୍ବାଚନ ଗଡ଼଼ବଡ଼ ନେଇ ନିର୍ବାଚନ କମିଶନଙ୍କ ନିକଟରେ ବିଜେଡିର ଅଭିଯୋଗକୁ ଗୁରୁତର ସହ ନେଇଛି ଜାତୀୟ ଗଣମାଧ୍ଯମ । ସୋମବାର ଦିନ ବିଜେଡିର ପୂର୍ବତନ ସାଂସଦ ଓ ସାଂସଦମାନେ ଦିଲ୍ଲୀଠାରେ ନିର୍ବାଚନ କମିଶନଙ୍କୁ ଭେଟି ମତଗ୍ରହଣ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ମତଦାନ ସଂଖ୍ଯା ନେଇ ଦେଇଥିବା ତଥ୍ଯ ଓ ରିଟର୍ଣ୍ଣିଂ ଅଧିକାରୀ କାଉଟିଂ ସେଣ୍ଟରରେ ଦେଇଥିବା ତଥ୍ଯ ମଧ୍ଯରେ ତାଳମେଳ ରହୁନଥିବା ଅଭିଯୋଗ କରିଥିଲେ । ଏଥିସହ ଭୋଟହାର ସଂପର୍କରେ ଇଆଇସିଙ୍କ ପକ୍ଷରୁ ବିଭିନ୍ନ ସମୟର ସୂଚନା ନେଇ ମଧ୍ଯ ସନ୍ଦେହ ସୃଷ୍ଟି ହେଉଥିବା ବିଜେଡି ଦର୍ଶାଇଛି । ସର୍ବୋପରି ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ ଲାଗି ନିୟମ ରହିଥିଲେ ସୁଦ୍ଧା ଫର୍ମ-୧୭ (ସି) ଓ ଫର୍ମ ୨୦ର ତଥ୍ଯ ଦିଆଯାଇନଥିବା ଅଭିଯୋଗ ହୋଇଛି ।

ଏପରି ଅଭିଯୋଗ ପରେ ଗତ ଦୁଇ ଦିନ ହେଲା ଜାତୀୟ ଗଣମାଧ୍ଯମ ଏହି ଖବରକୁ ଗୁରୁତ୍ବ ଦେଇ ପ୍ରସାରଣ କରିଆସୁଛି । ଆଜତକ, ଏବିପି, ନ୍ଯୁଜ ନାଇନ ଭଳି ଆଗଧାଡ଼ିର ନ୍ଯୁଜ ଚ୍ଯାନେଲ, ପିଟିଆଇ, ଏଏନଆଇ ଭଳି ନ୍ଯୁଜ ଏଜେନ୍ସି, ହିନ୍ଦୁ, ଦି ଇକୋନୋମିକ୍ସ ଟାଇମ୍ସ, ଇଣ୍ଡିଆନ ଏକ୍ସପ୍ରେସ, ଟାଇମ୍ସ ଅଫ ଇଣ୍ଡିଆ, ଦୈନିକ ଭାସ୍କର, ଡେକାନ ହେରାଲ୍ଡ, ପ୍ରଭାସାକ୍ଷୀ, ଦେଭ ଡିସକୋର୍ସ, ଦି ୱିକ ଭଳି ବିଭିନ୍ନ ଆଗଧାଡ଼ିର ସମ୍ବାଦପତ୍ର ଏହି ଖବରକୁ ଶିରୋନାମା କରିଛନ୍ତି । ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ଦିଲ୍ଲୀ କନଷ୍ଟିଚ୍ଯୁସନ କ୍ଲବରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନିର୍ବାଚନ ଗଡ଼ବଡ଼ି ସମେତ ବିଭିନ୍ନ ପ୍ରମାଣ ଗଣମାଧ୍ଯମ ଆଗରେ ଉପସ୍ଥାପନ କରିଥିଲା । ଏହି ପ୍ରମାଣକୁ ମଧ୍ଯ ଜାତୀୟ ଗଣମାଧ୍ଯମ ନିଜ ନିଜ ଆଲେଖ୍ଯରେ ସାମିଲ କରିଛନ୍ତି । ଦେଶର ନିର୍ବାଚନ ଇତିହାସରେ ଏହା ପ୍ରଥମ ଘଟଣା ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ନିର୍ବାଚନ ଗଡ଼ବଡ଼ ନେଇ ସମଗ୍ର ଓଡ଼ିଶା ପଚାରୁଛି ପ୍ରଶ୍ନ

ଭୁବନେଶ୍ବର : କାହିଁକି ପ୍ରିଜାଇଡିଂ ଅଫିସର ଓ ରିଟର୍ଣ୍ଣିଂ ଅଫିସରଙ୍କ ତଥ୍ୟରେ ନାହିଁ ତାଳମେଳ ? କିଏ କହୁଛି ସତ ? ତଥ୍ୟରେ ତାଳମେଳ ଭୋଟ ଗଡ଼ବଡ଼ର ବଡ ସଙ୍କେତ ଦେଉଛି । ତେବେ ଭୋଟ ଅସଙ୍ଗତି ପାଇଁ ଦାୟୀ କିଏ ? ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାକୁ ଆଣିବାକୁ ଏଭଳି ଗୋଳମାଳିଆ କରାଯାଇଛି କି ? ରାଜ୍ୟରେ ଭୋଟ ଗଡ଼ବଡ଼ ହୋଇଥିବା ତଥ୍ୟ ପଦାକୁ ଆସିବା ପରେ ସାରା ରାଜ୍ୟରେ ଏବେ ଏହାକୁ ନେଇ ଚର୍ଚ୍ଚା । ଗାଁ ଗାଁ ଓ ହାଟବଜାରରେ ସବୁଠି ସୃଷ୍ଟି ହୋଇଛି ସନ୍ଦେହର ମାହୋଲ । ଏହି ଗଡ଼ବଡ଼ ପଛରେ କାହାର ହାତ ରହିଛି ଓ କିଏ ଏଥିପାଇଁ ଦାୟୀ ତାର ପର୍ଦ୍ଦାଫାସ ହେବା ଉଚିତ ବୋଲି ଦାବି କରୁଛନ୍ତି ସାଧାରଣ ଭୋଟର । ଏଭଳି ଗଡ଼ବଡ଼କୁ ନେଇ ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି । ଏଭଳି ଭୋଟ ଗଡ଼ବଡ଼ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ କ୍ଷମତାସୀନ କରିବାକୁ କରାଯାଇଛି କି ? ଏହାର ବିଧିବଦ୍ଧ ତଦନ୍ତ ହେବା ଉଚିତ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।

ଓଡିଶାର ୧୮ଟି ସଂସଦୀୟ କ୍ଷେତରେ ଏଭଳି ଅସଙ୍ଗତି ହୋଇଥିବା ଜଣାପଡିଛି । କେବଳ ସେତିକି ନୁହେଁ, ଗୋଟିଏ ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଭୋଟରେ ମଧ୍ୟ ତାଳମେଳ ନାହିଁ । ତେଣୁ କେଉଁଠି ନା କେଉଁଠି ଭୋଟ ଗଡ଼ବଡ଼ ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଏଭଳି ଅସଙ୍ଗତି ବିରୋଧୀଙ୍କୁ ଯୋଗାଇଛି ଖୋରାକ । ସବୁଠାରୁ ଉଦବେଗର କଥା ହେଉଛି ପ୍ରିଜାଇଡିଂ ଅଫିସରଙ୍କ ରିପୋର୍ଟ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଆରଟିଆଇରେ ତଥ୍ୟ ମାଗିଲେ ମିଳୁନାହିଁ । ତଥ୍ୟ ଲୁଚାଯାଉଥିବାରୁ ଭୋଟ ଗଡ଼ବଡ଼ ସନ୍ଦେହ ଆହୁରି ଘନୀଭୂତ ହେଉଛି । କାହା ଚାପରେ ରିପୋର୍ଟ ସାର୍ବଜନୀନ କରାଯାଉନି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ସ୍ପଞ୍ଜ ଆଇରନ କାରଖାନା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ବଢୁଛି ପ୍ରଦୂଷଣ

ରାଉରକେଲା : ପ୍ରଦୂଷଣ ବଳୟରେ ସୁନ୍ଦରଗଡ଼ । ଗଛ, ଘର, ରାସ୍ତା, କାନ୍ଥବାଡ଼ ଯେଉଁଠି ଦେଖିବା କଳା ଆସ୍ତରଣ । ଘରୁ ଝାଡ଼ୁ ମାରିରେ ବାହାରୁଛି କୁଢକୁଢ ପାଉଁଶ । ଧୂଳି ଓ ଧୂଆଁ ଯୋଗୁଁ ଅସ୍ତବ୍ଯସ୍ତ ଜନଜୀବନ, ବଢୁଛି ରୋଗ । ଜିଲ୍ଲାର ସ୍ପଞ୍ଜ ଆଇରନ କାରଖାନା ସହ ବିଭିନ୍ନ କାରଖାନାରୁ ନିର୍ଗତ କଳା ଧୁଆଁ ସାରା ଅଞ୍ଚଳକୁ ପ୍ରଦୂଷିତ କରୁଛି । ଖାଦ୍ଯାପଦାର୍ଥ, ପରିବା ସବୁଠି ଧୂଳି ଓ କଳା ଧୂଆଁ ଗୁଣ୍ଡ । ଜିଲ୍ଲାର କଲୁଙ୍ଗା ଶିଳ୍ପାଞ୍ଚଳ ସହିତ ରାଜଗାଙ୍ଗପୁର, ଵଣାଇ ଓ କୁଆଁରମୁଣ୍ଡା ଅଞ୍ଚଳ ଅଧିକ ପ୍ରଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନର କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ସ୍ପଞ୍ଜ ଆଇରନ କାରଖାନା ସହିତ ରାସ୍ତାରେ ଉଡୁଥିବା ଧୂଳି ପ୍ରଦୂଷଣକୁ ଦ୍ଵିଗୁଣିତ କରୁଛି । ଦିନରାତି ସବୁବେଳେ କାରଖାନା ପାଇପରୁ ନିର୍ଗତ ହେଉଛି କଳା ଧୂଆଁ । ଏହାସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ଓଭରଵ୍ରିଜ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ଓ ରାସ୍ତାରେ ପାଣି ପକାଯାଉ ନଥିବାରୁ ଧୂଳି ଉଡୁଥିବା ଅଭିଯୋଗ ହୋଇଛି । ସେପଟେ ବାରମ୍ବାର ଅଭିଯୋଗ ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ତୁରନ୍ତ ପଦକ୍ଷେପ ନନେଲେ ଲୋକେ ଆନ୍ଦୋଳକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । କାରଖାନା କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରି ପ୍ରଦୂଷଣ ବଢାଉ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବା ଆବଶ୍ଯକ ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସାଣ୍ଟା କ୍ଳଜ ଡ଼୍ରେସ ପିନ୍ଧି କରୁଥିଲେ ଫୁଡ଼ ଡ଼େଲିଭରି , ରାସ୍ତାରେ କିଛି ଯୁବକ ଅଟକାଇ ଖୋଲିଲେ ତାଙ୍କ ଡ଼୍ରେସ

ନନ୍ଦିଘୋଷ ବ୍ୟୁରୋ: ଖ୍ରୀଷ୍ଟମାସ୍ ରେ ଇନ୍ଦୋରରୁ ଏକ ଅଜବ ଘଟଣା ସାମ୍ନାକୂ ଆସିଛି ।  ଜଣେ ଫୁଡ଼୍ ଡ଼େଲିଭରୀ ବୟେ ଆଜିର ଦିନରେ  ସାଣ୍ଟା କ୍ଳଜ ଙ୍କର ଡ଼୍ରେସ ପିନ୍ଧି ନିଜର ଡ଼େଲିଭରି କରୁଥିଲେ । ଅଚାନକ ତାଙ୍କୁ ହିନ୍ଦୁ  ଜାଗରଣ ମଞ୍ଚର କିଛି ଜଣ ଯୁବକ ରାସ୍ତାରେ  ଅଟକାଇଥିଲେ । ଏବଂ ସେ ସାଣ୍ଟାଙ୍କର ଡ଼୍ରେସ ପିନ୍ଧିଥିବାରୁ ତାଙ୍କୁ ରାସ୍ତା ଉପରେ ଡ଼୍ରେସ ଖୋଲିବାକୁ କହିଥିଲେ । ସେମାନଙ୍କର କହିବାର ଉଦ୍ଦେଶ୍ୟ ଥିଲା ଯେ ଆମ ପର୍ବ ଗୁଡ଼ିକରେ  କାହିଁକି ଏଭଳି ଡ଼୍ରେସ କରି ପିନ୍ଧିବାକୁ ଦିଆଯାଉନାହିଁ । ମାତ୍ର ଖ୍ରୀଷ୍ଟିଆନ , ମୁସଲିମ ମାନଙ୍କ ଦିନ ଗୁଡ଼ିକରେ କାହିଁକି ଏଭଳି ଡ଼୍ରେସ ଦେଇ ତାଙ୍କ ପର୍ବ ଗୁଡ଼ିକର ପ୍ରଚାର ପ୍ରସାର ପାଇଁ ଅନୁମତି ଦିଆଯାଉଛି । ବାସ୍ତବରେ ଜୋମାଟୋ ରେ କାମ କରୁଥିବା ସେହି ଡ଼େଲିଭରି ବୟେ କହିଛି ଯେ ଖ୍ରାଷ୍ଟମାସ୍ ଦିନ ତାଙ୍କ ସମସ୍ତଙ୍କୁ କମ୍ପାନୀ ତରଫରୁ ଏହି ଡ଼୍ରେସ ଗିଫ୍ଟ ମିଳିଥିଲା ।

ତେବେ ହିନ୍ଦୁ ଜାଗରଣ ମଞ୍ଚର ଲୋକମାନଙ୍କ କହିବା ଅନୁଯାୟୀ ଯଦି ଏପରି କରି ପର୍ବ ଗୁଡ଼ିକର ସନ୍ଦେଶ ବାଣ୍ଟୁଛ ତେବେ ଆମ ହିନ୍ଦୁ ପର୍ବ ଗୁଡ଼ିକରେ କାହିଁକି ଏଭଳି କରି ସେନ୍ଦଶ ବାଣ୍ଟୁନାହାନ୍ତି  କମ୍ପାନୀ ମାନେ । ହିନ୍ଦୁ ଜାଗରଣ ମଞ୍ଚର ଜିଲ୍ଲା ସମ୍ପାଦକ ସୁମିତ୍ ହାଣ୍ଡିଆ ପ୍ରଶ୍ନ କରିଥିଲେ ଯେ ଯେତେବେଳେ ଆମ ହିନ୍ଦୁ ମାନଙ୍କର ପର୍ବ ଆସୁଛି ସେତେବେଳେ ଏହି ବଡ଼  ବଡ଼ କମ୍ପାନୀ ଏବଂ ତାର ଲୋକମାନେ କୁଆଡ଼େ ଯାଉଛନ୍ତି? ଆମ ପର୍ବ ଗୁଡ଼ିକରେ ଭଗବାନ ରାମ, କି ଶିବ କି କୃଷ୍ଣ ହୋଇ କାହିଁକି ବାହାରକୁ ଏପରି ବାହାରୁନାହାଁନ୍ତି?   ଯେବେକି ସେମାନଙ୍କଠାରୁ ଅଧିକ ଅର୍ଡ଼ର ହିନ୍ଦୁ ଲୋକମାନେ କରୁଛନ୍ତି । ଯେହେତୁ ଆମ ପର୍ବ ଗୁଡ଼ିକରେ ଏଭଳି ପ୍ରମୋସନ କରାଯାଉନାହିଁ ସେଥିପାଇଁ ଆମକୁ ଖରାପ ଲାଗିଲା ଓ ଆମେ ମାନେ ମିଶି ସେ ପିଲା ପିନ୍ଧିଥିବା ଡ଼୍ରେସକୁ କାଢିଲୁ ।

କମିଶନରେଟ୍ ପୋଲିସକୁ ବଡ଼ ସଫଳତା, ବନ୍ଧୁକ ଦେଖାଇ ଲଘୁ ଖଣିଜ ଲୁଟ୍ ମାମଲାରେ କାବୁ ହେଲେ ଅଭିଯୁକ୍ତ

ଭୁବନେଶ୍ବର : ଆକ୍ସନ ମୋଡରେ ଟିମ୍ ପିନାକ । ବଡ଼ ଦିନରେ ବଡ଼ ସଫଳତା । କ୍ରିମିନାଲଙ୍କୁ ଆକ୍ସନ ପୂର୍ବରୁ ପୋଲିସର ରିଆକ୍ସନ । ଗ୍ରୀଲ କଟା ଗ୍ୟାଙ୍ଗକୁ ବି ଘାଇଲା କଲା ପୋଲିସ୍ । ରାଜଧାନୀରେ ଡନ୍ ବନୁଥିଲେ । ମେସିନ୍ ଧରି କ୍ରାଇମ୍ କରିବା ପାଇଁ ମୌକା ଖୋଜୁଥିଲେ । କିନ୍ତୁ ସେମାନଙ୍କ ହିରୋଗିରି ପୂର୍ବରୁ ଘାଇଲା କରିଦେଇଛି ପିନାକଙ୍କ ସ୍କ୍ବାଡ।  ବନ୍ଧୁକ ମୁନରୁ ଲଘୁ ଖଣିଜ ଲୁଟ ଉଦ୍ୟମ ଓ ରାଜଧାନୀର ୪ ଥାନା ଅଞ୍ଚଳରୁ ଲୁଟ୍ କରିଥିବା ବଡ଼ ଅପରାଧୀ ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୋଲିସ । ଡିସିପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗତ ଦୁଇଦିନ ହେଲା ରାତିରେ ରାଜଧାନୀର ବିଭିନ୍ନ ସ୍ଥାନରେ ଚାଲିଥିଲା ଚେକିଂ, ବ୍ଳକିଂ ଓ ନାକାବନ୍ଦୀ । ଏହି ସମୟରେ ଏକ ଧଳା ରଙ୍ଗର ଟାଟା ହ୍ୟାରିୟର ଗାଡ଼ିରେ ସନ୍ଦିଗ୍ଧ ଅବସ୍ଥାରେ ଧରା ପଡିଥିଲେ ୫ ଯୁବକ । ଅଭିଯୁକ୍ତ ଭବାନୀ ପ୍ରସାଦ ମହାନ୍ତି, ଏସ.କେ ରେହମତ ଅଲ୍ଲୀ, ଏମଡି ଜାକିର, ଦୀପକ କୁମାର ସାହୁ, ଚନ୍ଦନ ପ୍ରଧାନଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୫ ଟି ମାଉଜର, ୧୫ ଟି ଗୁଳି, ୭ ଟି ମୋବାଇଲ, ୮୪ ହଜାର ଟଙ୍କା ଜବତ କରାଯାଇଛି ।

ଏହି ପେଶାଦାର ଅପରାଧୀଙ୍କ ନାଁ ରେ ଖୋର୍ଦ୍ଧା, କଟକ, ଜଗତସିଂହପୁରରେ ମର୍ଡର ଠାରୁ ଅପହରଣ ପର୍ଯ୍ୟନ୍ତ ସଙ୍ଗୀନ କେସ ଥିବା ବେଳେ ଆବଶ୍ୟକ ସ୍ଥଳେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡିଛି । ସେପଟେ ପୋଲିସ ପାଇଁ ଗତକିଛି ଦିନ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସିନ୍ଧିଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏୟାରପୋର୍ଟ, ତମାଣ୍ଡୋ, ମଞ୍ଚେଶ୍ୱର, ଭରତପୁର ରେ ଏହି ଅଭିଯୁକ୍ତ ମାନେ ଗ୍ରୀଲ କାଟି ଲୁଟୁଥିଲେ । ସେମାନଙ୍କ ଠାରୁ ୧୦୨ ଗ୍ରାମ ସୁନା , ଫରେନ ମନି, ନଗଦ ଟଙ୍କା, ଦାମୀ ମୋବାଇଲ , ବ୍ରାଣ୍ଡେଡ ଘଣ୍ଟା ଆଦି ଜବତ କରାଯାଇଛି । ଆଗାମୀ ଦିନରେ ନୂଆବର୍ଷ ଥିବା ବେଳେ ଆଗକୁ ଅପରେସନ ଆହୁରି ଜୋରଦାର ହେବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ଓ ଡିସିପି । କମିଶନରେଟ ପୋଲିସର ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଗତ କିଛିଦିନ ହେଲା ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିବା ବେଳେ ଏଭଳି ଅପରାଧୀ ଗ୍ୟାଙ୍ଗ ଠାବ ଘଟଣା ରାଜଧାନୀବାସୀଙ୍କ ପାଇଁ ଆଣିଦେଇଛି ଆସ୍ୱସ୍ତି ।