spot_img
Home Blog Page 1319

ଆସନ୍ତାକାଲି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର : କ୍ଷତିଗ୍ରସ୍ତ ଚାଷୀଙ୍କ ଦୁଃଖ ବୁଝିବେ ନବୀନ। ଆସନ୍ତାକାଲି ୪ ଜିଲ୍ଲା ଗସ୍ତ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଫସଲହାନି ସ୍ଥିତିର ସମୀକ୍ଷା ଲାଗି ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ବୁଲି ଚାଷୀଙ୍କ ସହ କଥା ହେବେ ନବୀନ।  ପୁରୀ ଜିଲ୍ଲାର ସତ୍ୟବାଦୀରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବେ। ଜଗତସିଂହପୁର ଜିଲ୍ଲା ବାହାରଣା ପଞ୍ଚାୟତର ରତିସିଂହା ଯାଇ ସେଠାରେ ଚାଷୀଙ୍କ ସହ ଆଲୋଚନା କରିବେ। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଦୋସିଆ ଚାଷୀଙ୍କୁ ବି ଭେଟିବେ ନବୀନ। କଟକ ସାଲେପୁରରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସେ ଭେଟିବା ସହ ଫସଲ କ୍ଷୟକ୍ଷତି ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିବେ।

ନାଁକୁ ଚାଲିଛି କି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ? ଅଭିଯୋଗର ୩ ମାସ ପରେ ବି ହୀରଲଙ୍କୁ ମିଳିପାରୁନି ନ୍ୟାୟ

ଭୁବନେଶ୍ବର : ଗୁଜୁରାଟର ହୀରଲ ମୋଦି। ଅହମ୍ମଦାବାଦରେ ରହୁଥିବା ଏହି ମହିଳା ଜଣେ ଓଡ଼ିଆ ଯୁବକଙ୍କୁ ୫ବର୍ଷ ତଳେ ବାହା ହେବା ପରେ ଏବେ ସ୍ବାମୀଙ୍କ ବିରୋଧରେ ଆଣିଛନ୍ତି ଠକେଇ ଅଭିଯୋଗ। ଭଦ୍ରକର ମନୋଜ ନାୟକ ତାଙ୍କୁ ସତମିଛ କହି ତାଙ୍କ ପରିବାରରୁ ପ୍ରାୟ ୫କୋଟି ଟଙ୍କା ଠକି ନେଇଛନ୍ତି। ଠକ ସ୍ବାମୀଙ୍କୁ ଖୋଜିବାକୁ ୩ମାସ ହେଲା ଓଡ଼ିଶାରେ ଅଛନ୍ତି ହୀରଲ। ଭଦ୍ରକ ଜିଲ୍ଲାର ବନ୍ତ ଥାନାରେ ଏତଲା ଦେବା ପରେ ଏସପି ଓ ଡ଼ିଜିଙ୍କୁ ମଧ୍ୟ ବାରମ୍ବାର ଭେଟିଲେଣି। ହେଲେ ମନୋଜଙ୍କୁ ପୋଲିସ ଖୋଜୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଥିଲେ। ହେଲେ ସଫଳତା ନ ମିଳିବାରୁ ସେ ପୁଣିଥରେ ଦ୍ବାରସ୍ଥ ହୋଇଛନ୍ତି।  ଗୁଜରାଟ ଓ ଓଡ଼ିଶାରେ ଥିବା ବିଜେପି ସରକାର କିଛି କାମ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ବରଗଡ଼ ଜିଲ୍ଲାର ସାନନ୍ଦ ଛତର ନିଜ ଅଭିଯୋଗ ନେଇ ଆସିଥିଲେ ବି ତାଙ୍କ ସମସ୍ଯାର ସମାଧାନ ହୋଇପାରିନି। ୩ଥର ବରଗଡ଼ରୁ ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ ମଧ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରାଇ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି।

ସାଢେ ୬ ମାସର ସରକାରରେ ୭ଥର ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ୮ହଜାରରୁ ଅଧିକ ଅଭିଯୋଗ ଆସିଛି। ଗରିବ, ମହିଳା, ଦିବ୍ୟାଙ୍କ ମାନଙ୍କ ଅଭିଯୋଗକୁ ମୁଖ୍ୟମନ୍ତ୍ରୀ , ଅନ୍ୟମନ୍ତ୍ରୀ ଓ ଅଧିକାରୀମାନେ ଶୁଣିଛନ୍ତି। ଏଥିରୁ ୭୮ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜଟିଳ ରୋଗରେ ପୀଡ଼ିତ ଥିବା ବୌଦ୍ଧର ପ୍ରତ୍ୟୁଶା ଗିରିଙ୍କୁ ମୁଖ୍ୟମନ୍ତ୍ରୀ ଭେଟିବା ସହ ତୁରନ୍ତ ଏସସିବିକୁ ଚିକିତ୍ସା ପାଇଁ ପଠାଇଛନ୍ତି। ପ୍ରକୋଷ୍ଠକୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ହ୍ବିଲ ଚେୟାରରେ ଥିବା ଦିବ୍ୟାଙ୍ଗମାନଙ୍କ ପାଖକୁ ଅଭିଯୋଗ ଶୁଣୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ ପ୍ରତି ଥର ହଜାରେରୁ ଅଧିକ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଓ ଅଧିକାରୀ। ବାସ୍ତବରେ ଏହା କେତେ ପ୍ରତିଫଳିତ ହେଉଛି, ତାହା ସ୍ପଷ୍ଟ ହୋଇନାହିଁ।

ନୂଆ ବର୍ଷରେ ନୂଆ ରୂପ ନେବ ଦେଶର ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡି

ଭୁବନେଶ୍ବର : ନବୀନ ନିବାସରୁ ଶଙ୍ଖଭବନ। ଚାଲିଛି ସମୀକ୍ଷା ଓ ଆଲୋଚନା । ତୃଣମୂଳ ସ୍ତରରୁ ବିଜେଡିକୁ ମଜଭୁତ କରିବା ଉପରେ ଫୋକସ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିଷ୍ଠା ଦିବସରେ ଦଳ ନିର୍ବାଚନୀ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିବା ପରେ ଜୋସରେ ଆସିଛନ୍ତି ନେତା। ଏବେଠାରୁ ଦଳ ପଂଚାୟତ ଓ  ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ବିରୋଧୀ ଦଳ ନେତା ନବୀନ ଜିଲ୍ଲାଗସ୍ତରେ ବାହାରିବା ପରେ ବିଜେଡ଼ି ମହଲ ଉତ୍ସାହିତ ଅଛନ୍ତି। ବରିଷ୍ଠ ବିଜେଡ଼ି ବିଧାୟକ ଅଶ୍ବନୀ ପାତ୍ର କହିଛନ୍ତି ନବୀନଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଅତୁଟ ରହିଛି । ନୂଆ ବର୍ଷରେ ଦଳ ନୂଆ ସଂକଳ୍ପ ନେଇ ଆଗକୁ ବଢିବ ବୋଲି ନେତାଏ କହିଛନ୍ତି । ପ୍ରତିଷ୍ଠା ଦିବସରେ ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସ  କହିଥିଲେ- ବିଜେଡି କର୍ମୀ କେବେ ଦଳ ଛାଡ଼ୁନାହନ୍ତି, ଯେଉଁମାନେ ଦଲାଲ ସେମାନେ ଦଳ ଛାଡ଼ୁଛନ୍ତି ।  ବିଜେଡ଼ି ସ ବୁବେଳେ ବିକାଶକୁ  ନେଇ କାମ କରିଛି ଓ କରିବ ବୋଲି ସେ କହିଥିଲେ।

ସେପଟେ ବିଜେପି ଓ କଂଗ୍ରେସକୁ ବି ଘାରିଛି ସଂଗଠନ ଚିନ୍ତା । ଶାସକ ବିଜେପି ବେକରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ନିଗମ ବଣ୍ଟନ କଣ୍ଟା ସାଜିଛି । ସରକାର ଗଠନର ୬ ମାସ ପରେ ବି ନିଗମ ବଣ୍ଟନ କରିପାରିନାହିଁ ଦଳ । ଦଳୀୟ ବିଧାୟକଙ୍କ ପାଖରେ ଏ ସମ୍ପର୍କରେ କୌଣସି ଖବର ନାହିଁ ବୋଲି ବିଧାୟକ ସରୋଜ ପାଢୀ କହିଛନ୍ତି। ସେହିପରି ନୂଆ ବର୍ଷରେ କଂଗ୍ରେସ ନୂଆ ପିସିସି ସଭାପତି ପାଇବ ବୋଲି ନେତାଏ ଆଶା ରଖିଛନ୍ତି । ବିଜେଡ଼ି କହିଛି ନୂଆ ବର୍ଷ ବିଜେଡ଼ି ପାଇଁ ନୂଆ ସମ୍ଭାବନା ଆଣିବ । ୬ମାସ ପରେ ସରକାର ନିର୍ବାଚନ ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଥିବାରୁ ଆଗ୍ରେସିଭ ମୁଡ଼କୁ ଆସିଛି ବିଜେଡ଼ି । ଲୋକଙ୍କ ସ୍ବର ସାଜି ସରକାରଙ୍କ ଦୋଷତୃଟିକୁ ପଦାକୁ ଆଣୁଛି ଦଳ।

ଯୋଗାଣ ମନ୍ତ୍ରୀଙ୍କ ବେଫିକର ବୟାନକୁ ବିରୋଧୀଙ୍କ କଡ଼ା ସମାଲୋଚନା

ଭୁବନେଶ୍ବର : ଫସଲ ଉଜୁଡ଼ି ଯାଇଛି। ଚାଷୀ ଜୀବନ ହାରିଛି।ହେଲେ ଯୋଗାଣ ମନ୍ତ୍ରୀ କହୁଛନ୍ତି ଚାଷୀର ହୋଇଛି ସ୍ବାଭାବିକ ମୃତ୍ୟୁ। ଯାହାକୁ ନେଇ ଯୋଗାଣ ମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ। ସରକାର ବୀମା ଆଧାରରେ କ୍ଷତିପୂରଣ ଦେବା ଦୁଃଖଦାୟକ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ପ୍ରଦୀପ ଦିଶାରୀ। ସବୁ ଚାଷୀ ବୀମା କରିନାହାଁନ୍ତି। ଚାଷୀ ଆତ୍ମହତ୍ୟା କଲେଣି। ଏଯାଏ ସରକାର ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଉନାହାନ୍ତି।ଏହାକୁ ନେଇ ଚାଷୀ ଆଶଙ୍କାରେ।ଏପରି ସ୍ଥିତିରେ ମନ୍ତ୍ରୀଙ୍କ ବେଫିକର ବୟାନ ଦୁଭାର୍ଗ୍ୟଜନକ। ବିଜେପି କହୁଛି ନବୀନ ବାବୁ କିଛି କରିନାହାଁନ୍ତି। ଯଦି କୃଷି ପାଇଁ କିଛି କରିନାହାଁନ୍ତି କେନ୍ଦ୍ର ସରକାର କିପରି କୃଷି କର୍ମଣ ପୁରସ୍କାର ଦେଲେ।ନବୀନ ବାବୁଙ୍କ ଗସ୍ତ କଥା ଶୁଣି ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ତରବରିଆ ଭାବେ ଗ୍ରାଉଣ୍ଡ ଜିରୋକୁ ଗଲେ। ସରକାର ଦଳ ଏବେ ଭୟଭୀତ। ଅନ୍ୟପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ମୁଖ୍ୟମନ୍ତ୍ରୀ ଓ  ଅନ୍ୟ ମନ୍ତ୍ରୀଙ୍କ ଜିଲ୍ଲାଗସ୍ତକୁ  ସମାଲୋଚନା କରିଛନ୍ତି। ଯୋଗାଣ ମନ୍ତ୍ରୀ ଜିଲ୍ଲାଗସ୍ତ କଲେ, ହେଲେ ଜୀବନ ହାରିଥିବା ଚାଷୀ ପରିବାର ପାଖରେ ପହଞ୍ଚିପାରିଲେନି। ବିଜେପି ସରକାର ଚାଷୀ ବିରୋଧୀ ସରକାର ବୋଲି ଅଭିଯୋଗ କରିଛି କଂଗ୍ରେସ। ଚାରିଆଡ଼ୁ ବିରୋଧ ପରେ ଏବେ ସ୍ଵର ବଦଳାଇଛନ୍ତି ଯୋଗାଣ ମନ୍ତ୍ରୀ ।

ସେପଟେ ଚାଷୀ ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଦେଇଛନ୍ତି କଡା ଜବାବ। ବୀମା କମ୍ପାନୀ ସହ ବୈଠକ ସରକାର କରିଛନ୍ତି କି ? ୬ ଟି ଜୋନ୍ ପାଇଁ ବୀମା କମ୍ପାନୀ ଅଛନ୍ତି।କେଉଁ ଜୋନ୍ ପାଇଁ କେଉଁ ବୀମା କମ୍ପାନୀ ନିଯୁକ୍ତ ହୋଇଛନ୍ତି କୁହନ୍ତୁ ? କ୍ଵିଣ୍ଟାଲ ପିଛା ଚାଷୀଙ୍କୁ ୩୧୦୦ ଟଙ୍କା କେବେ ଦେବେ ଘୋଷଣା କରନ୍ତୁ। ଧାନ ସଂଗ୍ରହ ଧିମେଇ ଯାଇଛି। ଏହାର ପ୍ରଭାବ ରବିଋତୁରେ ପଡ଼ିବ। ରାଜନୀତି ନକରି ଚାଷୀଙ୍କ କଥା ସରକାର ବୁଝନ୍ତୁ ବୋଲି କହିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ସରକାରଙ୍କୁ ଘେରିଛନ୍ତି। ଜବାବରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି ଚାଷୀଙ୍କୁ ଠକି ପାରିବେନି ବୀମା କମ୍ପାନୀ । ରାଜ୍ୟରେ ଚାଷୀ ଦୁଃଖରେ ଥିବାବେଳେ ବିଜେଡ଼ି ଚାଷୀଙ୍କ ସ୍ବର ସାଜି ସରକାରଙ୍କ ସହ ଲଢୁଛି। ବିରୋଧୀ ଦଳ ନେତା ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କ ଦୁଃଖ ବୁଝିବା ପରେ ଉଷ୍ମ ହୋଇଛି ରାଜନୀତି।

ଗଞ୍ଜାମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦୁଃଖ ଜଣାଇଲେ ଅନ୍ନଦାତା

ଭୁବନେଶ୍ବର : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଗଂଜାମ ଗସ୍ତ ବେଳେ ଏମିତି କିଛି ଦୃଶ୍ୟ ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଅଦିନିଆ ବର୍ଷାରେ ନଷ୍ଟ ହୋଇଥିବା ଧାନ କେଣ୍ଡାକୁ ମୁଣ୍ଡରେ ଧରି ଆଣିଥିଲେ ଚାଷୀ । କାନ୍ଦି କାନ୍ଦି ନବୀନଙ୍କୁ ଜଣାଇଥିଲେ ଗୁହାରୀ । ଧାର କରଜ କରି ଚାଷ କରିଥିଲେ । କିନ୍ତୁ ଅଦିନିଆ ବର୍ଷାରେ ସବୁ ଧୋଇ ହୋଇଯାଇଛି । ବିଲରେ ଧାନ ଗଜା ହୋଇଗଲାଣି । ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଭାଗଚାଷୀ । ସରକାର ବଦଳି ଯାଇଥିଲେ ବି ଏବେ ବି ନବୀନଙ୍କ ଉପରେ ଚାଷୀଙ୍କ ଅଗାଢ ବିଶ୍ବାସ । କେବଳ ସେ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ।

ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପ୍ରଶାସନ ସେମାନଙ୍କ ଗୁହାରୀ ଶୁଣୁନି । ଏମଏ ପାସ କରିଥିବା ଜଣେ ଯୁବକ ମଧ୍ୟ ଚାଷ ପ୍ରତି ଆକୃଷ୍ଠ ହୋଇଥିଲେ । ହେଲେ ଏବେ ଫସଲ ହାନୀ ତାଙ୍କୁ ଦୋହଲାଇ ଦେଇଛି । ସେ ଏହି ଫସଲ ହାନୀ ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି । କାରଣ ପ୍ରଶାସନ କୌଣସି ପ୍ରାକ ସୂଚନା ଦେଇନଥିଲା । ବିଜେପି ସରକାର ଚାଷୀଙ୍କୁ ସ୍ବାର୍ଥ ପୂରଣର ପ୍ରତିଶୃତି ଦେଉଥିବା ବେଳେ ସମସ୍ୟା ସମାଧାନ ପରିବର୍ତ୍ତେ ସେମାନେ ଚାଷୀଙ୍କ ପିଠିକୁ ବିଧା ମାରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କିଛି ମହିଳା ଚାଷୀ ।

ନବୀନ ଆଜି ଗଂଜାମ ଜିଲ୍ଲା ଶେରଗଡ ବ୍ଲକର ତାକରଡା ଓ ଗୋବିନ୍ଦପୁର, ହିଂଜିଳି ବ୍ଲକର ପୋଡିଙ୍ଗ, ଆସିକା ବ୍ଲକର ବରଗାଁ, କବିସୂର୍ଯ୍ୟନଗରର ଆମ୍ବଶିଖରପୁର ଏବଂ ଖଲିକୋଟର ଭରସାଗାଁରେ ବିଲମୁଣ୍ଡରେ ପହଁଚି ଚାଷୀଙ୍କ ଦୁଃଖ ଶୁଣିଥିଲେ । ଦାବି କରିଛନ୍ତି ବିଜେଡି ସରକାର ଅମଳରେ ଯେଉଁଭଳି ଚାଷୀଙ୍କୁ ତୁରନ୍ତ ସହାୟତା ଦିଆଯାଉଥିଲା, ଏବେ ମଧ୍ୟ ସରକାର ସେହିଭଳି କ୍ଷତିପୂରଣ ପ୍ରକ୍ରିୟା ତ୍ବରାନ୍ବିତ କରନ୍ତୁ । ନବୀନଙ୍କ ଗଂଜାମ ଗସ୍ତ ପ୍ରମାଣିତ କରିଥିଲା ରାଜ୍ୟବାସୀଙ୍କର ତାଙ୍କ ପ୍ରତି ରହିଥିବା ଆସ୍ଥା ଓ ବିଶ୍ବାସ । ନବୀନ ମୁଖ୍ୟମନ୍ତ୍ରୀ ନହାଁନ୍ତି ସତ, ହେଲେ ଲୋକଙ୍କ ମନରେ ସେ ହିଁ ତାଙ୍କ ସମସ୍ୟାର ସମାଧାନ କରିପାରିବେ ।

ଭୁବନେଶ୍ବରରେ ଜିରୋ ନାଇଟ ସେଲିବ୍ରେସନ ପାଇଁ ଜୋରଦାର ପ୍ରସ୍ତୁତି

ଭୁବନେଶ୍ବର : ରୋନାଇଟ ସେଲିବ୍ରେସନ୍ ପାଇଁ କାଉଣ୍ଟଡାଉନ୍ । ତାରକା ହୋଟେଲରେ ମାଳମାଳ ଅଫର । ଅନଲିମିଟେଡ ଖାଇବା ଓ ପାନୀୟ ଫ୍ରି । ଗୋଟିଏ ପ୍ୟାକେଜରେ ଲାଇଭ ମ୍ୟୁଜିକ ସହ ରାତି ରହଣୀ । ନାଚି ନାଚି ହାଲିଆ ହେଲେ ମାଲିସ ବ୍ୟବସ୍ଥା ବି ରହିଛି । କପଲ, ସିଙ୍ଗଲ ଏବଂ ପିଲାଙ୍କ ପାଇଁ ରହିଛି ଭିନ୍ନ ଭିନ୍ନ ଦର । ଡିସେମ୍ବର ୩୧  ମଧ୍ୟରାତ୍ରରେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବାକୁ ପ୍ରସ୍ତୁତ ରାଜଧାନୀ । ସହିଦନଗର ହୋଟେଲ ଏମ୍ପାୟାର୍ସରେ କପଲ ଲଣ୍ଟ୍ରି ୯ ହଜାର ୯୯୯ ଥିବା ବେଳେ ସିଙ୍ଗଲ ୬ ହଜାର ୪୯୯ ଏବଂ ଚିଲଡ୍ରେନ୍ ୩ ହଜାର ୪୯୯ ରହିଛି ।  ରାତି ରହଣୀ ସହ ଫୁଲ ପ୍ୟାକେଜ ମାତ୍ର ୧୫ ହଜାର ଟଙ୍କା ରହିଛି । ମ୍ୟୁଜିକ ନାଇଟରେ ୟୁଥ ସେନସେସନ୍ ସିଙ୍ଗର ଚେଲସି ରହିଥିବା ବେଳେ ମନ ମୋହିବେ ସ୍ବତନ୍ତ୍ର ଡ୍ୟାନ୍ସ ଟ୍ରୁପ୍ । ଏହାସହ ଖାଇବାରେ ରହିଛି ୮୦ ପ୍ରକାରର ବ୍ୟଞ୍ଜନ ।

ସେହିଭଳି ହୋଟେଲ ସ୍ବସ୍ତି ପ୍ରିମିୟମ ରେ ଡିଜେ ସୁରଭି ଓ ଲେଡି ଗ୍ରୁପ ଧୁମ୍ ମଚାଇବେ । ଆଙ୍କର ଅର୍ପିତା ସାଜିବେ ଆକର୍ଷଣ । ଏହାସହ ଜିରୋ ନାଇଟ ପାର୍ଟି ରେ ରହିଛି ଗାଲା ଡିନରରେ ଶହେ ପ୍ରକାର ଆଇଟମ୍ । ଚାଇନିଞ୍ଜ, ଥାଇ, କଣ୍ଟିନେଟାଲ ଫୁଡ୍ ସହିତ ଭାରତୀୟ ଖାଦ୍ଯର ପସରା । କପଲ୍ ଏଣ୍ଟ୍ରି ଫି ୧୦ ହଜାର ଥିବା ବେଳେ ସିଙ୍ଗିଲ ପାଇଁ ରହିଛି ୭ ହଜାର । ଜିରୋ ନାଇଟ ସେଲିବ୍ରେସନ ପାଇଁ ରାଜଧାନୀବାସୀ ବେଶ ଉତ୍ସହିତ ଥିବା ବେଳେ ସମସ୍ତେ ସୁରକ୍ଷିତ ଭାବରେ ନୂଆବର୍ଷ ସେଲିବ୍ରେସନ କରିବା ପାଇଁ ହୋଟେଲ ବି ନିୟୋଜିତ ହୋଇଛନ୍ତି ସ୍ବତନ୍ତ୍ର ସୁରକ୍ଷାକର୍ମୀ ।

ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼, ପୁରୀରେ ସବୁ ହୋଟେଲରେ ବୁକିଂ ଶେଷ

ପୁରୀ : ଶ୍ରୀକ୍ଷେତ୍ରରେ ବଢୁଛି ଭିଡ଼ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବେ ପର୍ଯ୍ଯଟକ । ବର୍ଷର ପ୍ରଥମ ଦିନରେ ନେବେ ମହାପ୍ରଭୁଙ୍କ ଆଶିଷ । ଜିରୋନାଇଟ ସେଲିବ୍ରେସନ ସହ ସମୁଦ୍ରକୂଳରେ ୨୦୨୫ର ପ୍ରଥମ ସୂର୍ଯ୍ୟଙ୍କୁ ସ୍ବାଗତ କରିବେ । ଏଥିପାଇଁ ପୁରୀର ସବୁ ହୋଟେଲରେ ସରିଛି ବୁକିଂ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଖାଦ୍ଯ ପାନୀୟର ବ୍ଯବସ୍ଥା । ବଲିଉଡ ଓ ଓଲିଉଡ କଳାକାରଙ୍କ ନାଚଗୀତରେ ଝୁମିବେ ଲୋକେ । ଗାଇଡଲାଇନ୍ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ହୋଟେଲ ମାଲିକ ।

ଭିଡ଼କୁ ନଜରରେ ରଖି ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ ସହ ପାଟ୍ରୋଲିଂ ଟିମ ସଜାଗ ଅଛନ୍ତି । ପର୍ଯ୍ୟଟକ ମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ ନେଇ ପୁରୀ ପୋଲିସ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି । ସମୁଦ୍ରକୂଳରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବେ ଲୋକେ । କୌଣସି ଅଘଟଣକୁ ଏଡାଇବାକୁ ବେଳାଭୂମିରେ ବ୍ୟାପକ ଲାଇଫଗାର୍ଡ ମୃତୟନ କରାଯାଇଅଛି । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି । ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କ ଆଶିଷ ନେବେ ଶ୍ରଦ୍ଧାଳୁ । ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ସିଂହଦ୍ବାର ଦେଇ ପ୍ରବେଶ ସହ ଅନ୍ଯଦ୍ବାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ୩୧ରୁ ସହରରେ ଟ୍ରାଫିକ କଟକଣା ଜାରି ହେବ । ପୁରୀକୁ ଆସୁଥିବା ପର୍ଯ୍ୟଟକ ସୁଖଦ ଅନୁଭୁତି ନେଇ ଫେରିବେ ବୋଲି ଆଶା ରଖିଛି ପ୍ରଶାସନ ।

ବାଲେଶ୍ବରବାସୀଙ୍କ ଦୁଃଖ ସାଜିଛି ମହାନାଳ, ପ୍ରୋଟେକ୍ସନ ୱାଲ ନଥିବାରୁ ଘର ତଳୁ ଧୋଇ ନେଉଛି ମାଟି

ବାଲେଶ୍ବର : ବର୍ଷକ ପୂର୍ବରୁ ତିଆରି ହୋଇଥିଲା ଘର । ହେଲେ କାନ୍ଥ ଫାଟି ଆଁ କରିଛି । ତଳେ ଢଳେଇ ବି ଦୁଇଫାଳ । ଛାତରୁ କାନ୍ଥ ଅଲଗା ହେବାକୁ ବସିଲାଣି । କେତେବେଳେ ଯେ ମାଟିରେ ମିଶିଯିବ, ସେଇ ଚିନ୍ତାରେ ବାଲେଶ୍ବର ମ୍ୟୁନିସିପାଲିଟି ୨୪ ନମ୍ବର ଓ୍ବାର୍ଡ଼ ଓଲନ୍ଦାସାହିର ରାଧାକୃଷ୍ଣନଗର ବାସିନ୍ଦା । ସହରର ବନ୍ୟାଜଳ ଓ ବର୍ଜ୍ୟଜଳ ବୁଢାବଳଙ୍ଗ ନଦୀକୁ ନିସ୍କାସନ ପାଇଁ ରହିଛି ମହାନାଳ । ନାଳର ଦୁଇ ପାଖରେ ମାଟି ଧସିବାକୁ ଲାଗିଛି । ଫଳରେ ଘରର କାନ୍ଥ ମୂଳରୁ ମାଟି ନାଳରେ ଭାସି ଯାଉଛି । ଯେଉଁଥିପାଇଁ ଘରର କାନ୍ଥ ସହିତ ଚଟାଣ, ଛାତ ଫାଟି ଯାଉଛି । ରାଧାକୃଷ୍ଣନଗରର ୫୦ ରୁ ଅଧିକ ଘରେ ଏହି ସମସ୍ୟା । ଲୋକେ ପରିବାର ସହିତ ଏହି ଅଧାଭଙ୍ଗା ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛନ୍ତି । ସମସ୍ୟା ସମ୍ପର୍କରେ ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ଲୋକେ ।

ମ୍ୟୁନିସିପାଲିଟିରେ ୨୭ କିଲୋମିଟର ସହ ମୋଟ ୫ ଶହ କିଲୋମିଟର ନାଳ ରହିଛି । ସହଦେବଖୁଣ୍ଟା, ଗୁଡ଼ିପଦା, ଶୁଭାରମପୁର, ଦର୍ଜିପୋଖରୀ, ରାଜାବଗିଚା, ବାରବାଟୀ, କଂଗ୍ରେସ୍ ଅଫିସ ଗଳିରେ ଥିବା ମହାନାଳରେ ପ୍ରୋଟେକ୍ସନ ଓ୍ବାଲ, ସ୍ଲାବ୍, ବେଡ ନିର୍ମାଣ କରିବାକୁ ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ଓଲନ୍ଦାସାହିର କଂକ୍ରିଟ୍ ମହାନାଳ ନିର୍ମାଣ କରିବାକୁ ୪୧ କୋଟି ୪୧ ଲକ୍ଷ ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇ ଉନ୍ନୟନ ବିଭାଗକୁ ମଞ୍ଜୁରୀ ପାଇଁ ପଠାଇ ଦିଆଯାଇଛି । କେବଳ ସେତିକି ନୁହେଁ । ମ୍ୟୁନିସିପାଲିଟିରେ ବିଭିନ୍ନ ଉନ୍ନୟନ ମୂଳକ କାମ, ସୌନ୍ଦର୍ଯ୍ୟ କରଣ, ପିଇବା ପାଣି, ଜଳ ନିସ୍କାସନ ଆଦି ପାଇଁ ୧୫୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ମଧ୍ୟ ମଞ୍ଜୁରୀ ପାଇଁ ବିଭାଗରେ ପଡ଼ି ରହିଛି । ରାଜ୍ୟ ସରକାର ଅନୁମୋଦନ କଲେ ଜନସାଧାରଣଙ୍କର ସମସ୍ୟାର ସ୍ଥାୟୀ ସମାଧାନ ହୋଇଯିବ ବୋଲି ବିଭାଗ କହିଛି । ପ୍ରଶାସନ ଓ ସରକାରୀ ଉଦାସୀନତାର ଫଳ ଭୋଗୁଛନ୍ତି ସହରବାସୀ

ଫୁଡ ବ୍ଲଗର ସୋନାଲି ସଂଘମିତ୍ରାଙ୍କ ମୃତ୍ୟୁକୁ ନେଇ ସସପେନ୍ସ

ଭୁବନେଶ୍ବର : ମାଆଙ୍କ ଆଖିରେ ଲୁହ । କୋହ ସମ୍ଭାଳି ପାରୁନାହାନ୍ତି ଭାଇ । ପୁରା ପରିବାର ସ୍ତବ୍ଧ । ବେଶ ହସ ଖୁସି ମନୋଭାବର ଅଲିଅଳି ଝିଅର ମୃତ୍ୟୁରେ ଭାଙ୍ଗି ପଡିଛି ପୁରା ପରିବାର । ଇଏ ହେଉଛନ୍ତି ସୋନାଲି ସଂଘମିତ୍ରା ପରିଡା । ବୟସ ୨୫ ବର୍ଷ । ଘର କେନ୍ଦ୍ରାପଡା ସ୍ଥିତ ପାଟକୁରା । ୩ ବର୍ଷ ହେଲା ପଟିଆ ଆଦର୍ଶ ବିହାର ଲେନ ୨ ରେ ଥିବା ଏହି ଲେଡିଜ ହଷ୍ଟେଲରେ ରହୁଥିଲେ । ବରମୁଣ୍ଡା ଫାୟାର ଷ୍ଟେସନ ନିକଟରେ ଥିବା ଏକ କନଷ୍ଟ୍ରକ୍ସନ କମ୍ପାନୀରେ କାମ କରୁଥିଲେ । ଜଣେ ଫୁଡ ବ୍ଲଗର ଭାବେ ବେଶ ପ୍ରସିଦ୍ଧି ମଧ୍ୟ ଲାଭ କରିଥିଲେ ସୋନାଲି । ହେଲେ ରବିବାର ବିଳମ୍ବିତ ରାତିରେ ହଠାତ ଝୁଲନ୍ତା ଅବସ୍ଥାରେ ମିଳିଥିଲା ମୃତଦେହ । କିନ୍ତୁ ଗୋଡ଼ ତଳକୁ ଲାଗିଥିବାରୁ ପରିବାର ଏହାକୁ ଏକ ହତ୍ୟା ବୋଲି ଅଭିଯୋଗ ଆଣିବା ପରେ ସେହି ଆଧାରରେ ତଦନ୍ତ ଆରମ୍ଭ କରିଛି କମିଶନରେଟ ପୋଲିସ ।

ମୃତ ଯୁବତୀଙ୍କ ବାପା ଦିଲ୍ଲୀପ ପରିଡାଙ୍କ ଅଭିଯୋଗ ପରେ ପୋଲିସ କେସ ନମ୍ବର ୧୬୦/୨୦୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଯେଉଁ ରୁମରେ ସୋନାଲି ରହୁଥିଲେ, ସେହି ରୁମରେ ରହୁଥିବା ଅନ୍ୟ ଦୁଇ ଯୁବତୀ ଗତ ୭ ଦିନ ହେଲା ଛୁଟିରେ ଗାଁ କୁ ଯାଇଛନ୍ତି । ମୃତ୍ୟୁ ପୂର୍ବରୁ ସୋନାଲି କାହାକୁ କଲ କରଥିଲେ ତାର ତଦନ୍ତ ଚାଲିଛି । ଲେଡିଜ ହଷ୍ଟେଲ ମାଲିକଙ୍କୁ ପଚରାଉଚରା କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୋନାଲିଙ୍କ ଡିପ୍ରେସନ ପଛର କାରଣ କଣ ? ପ୍ରେମରେ ପ୍ରତାରଣା ପାଇଁ ପ୍ରାଣ ହାରିଲେ କି ୟୁଟ୍ୟୁବ ବ୍ଲଗର ? ନାଁ କାର୍ଯ୍ୟ କ୍ଷେତ୍ରରେ ମିଳୁଥିଲା ନିର୍ଯାତନା ?

ଜାନୁଆରୀ ପହିଲାରୁ ହେବ ବଡ଼ ପରିବର୍ତ୍ତନ ! ବଦଳିବ ଅନେକ ନିୟମ

ନୂଆଦିଲ୍ଲୀ : ବର୍ଷ ୨୦୨୪ ସରିବାକୁ ଆଉ ଗୋଟିଏ ଦିନ ବାକି ଅଛି । ସବୁଠି ନୂଆବର୍ଷ ୨୦୨୫କୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଅନ୍ୟପଟେ ଜାନୁଆରୀ ପହିଲାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । LPG ସିଲିଣ୍ଡର ଠାରୁ ଆରମ୍ଭ କରି EPFO ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ଆସିପାରେ । ଜାଣନ୍ତୁ କେଉଁ କେଉଁ ଜିନିଷରେ ଆସିବ ପରିବର୍ତ୍ତନ…

  • ସାଧାରଣଃ ପ୍ରତ୍ୟେକ ମାସର ୧ ତାରିଖରେ ସରକାର ଏଲପିଜି ମୂଲ୍ୟ ବଦଳାନ୍ତି  । କିଛି ଦିନ ଧରି ୧୯ କେଜି କମର୍ଶିଆଲ LPG ସିଲିଣ୍ଡରର ମୂଲ୍ୟରେ ଅନେକ ପରିବର୍ତ୍ତନ ହୋଇଛି । ଅନ୍ୟପଟେ ଅନେକ ଦିନ ଧରି ୧୪ କେଜି ସିଲିଣ୍ଡରର ଦାମ ସ୍ଥିର ରହିଛି । ଏଥିପାଇଁ ନୂଆବର୍ଷରୁ LPG ସିଲିଣ୍ଡରର ଦରରେ ପରିବର୍ତ୍ତନ ହେବାର ଆଶଙ୍କା ରହିଛି ।
  • ୨୦୨୫ର ଆରମ୍ଭରୁ EPFO ଆକାଉଣ୍ଟଧାରୀଙ୍କୁ ଖୁସି ଖବର ମିଳିପାରେ । ଯାହା ମାଧ୍ୟମରେ ଏଟିଏମ୍ ମେସିନରୁ EPFO ଟଙ୍କା ଉଠାଇପାରିବେ ।  ଶ୍ରମମନ୍ତ୍ରୀ ଏହା ଉପରେ କାମ କରୁଛନ୍ତି । ନିକଟରେ ଶ୍ରମ ସଚିବ କହିଛନ୍ତି କି, ଶ୍ରମ ଏବଂ ରୋଜଗାର ମନ୍ତ୍ରଳାୟର EPFO ସେବାରେ ଉନ୍ନତି ଆଣିବା ପାଇଁ ନୂଆ ଅପଗ୍ରେଡ୍ କରାଯାଉଥିବା କହିଛନ୍ତି ।
  •  ଅନ୍ୟପଟେ, ଆରବିଆଇ ପକ୍ଷରୁ ଫିଚର ଫୋନ ୟୁଜର୍ସଙ୍କ ପାଇଁ ଖୁସି ଖବର ଦିଆଯାଇଛି । ବର୍ତ୍ତମାନ ୟୁପିଆଇ ପେ’ ଜରିଆରେ ୧୦ ହଜାରରୁ ଅଧିକ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ । ଏହି ସୁବିଧା ଜାନୁଆରୀ ୧, ୨୦୨୫ରୁ ଜାରି ହେବ । ଏହା ପୂର୍ବରୁ ପେମେଣ୍ଟ ଲିମିଟ୍ ୫ହାଜର ଥିଲା ।
  • ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କୃଷକଙ୍କ ପାଇଁ  ମଧ୍ୟ ଏକ ବଡ଼ ଘୋଷଣା କରିଛି । ଆରବିଆଇ କୃଷକଙ୍କୁ ବିନା ସୁଧରେ ମିଳୁଥିବା ଲୋନର ଲିମିଟକୁ ବଢାଇ ୨ ଲକ୍ଷ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ଏହି ନୂଆ ନିୟମ ମଧ୍ୟ ଜାନୁଆରୀ ପହିଲାରୁ ଲାଗୁ ହେବ ।  ଏହା ପୂର୍ବରୁ ଏହା ୧ଲକ୍ଷ ୬୦ହାଜର ପର୍ଯ୍ୟନ୍ତ ଥିଲା ।
  • ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଚୁକ୍ତିନାମା ମଧ୍ୟ ପରିବର୍ତ୍ତନ ଘୋଷଣା କରିଛି  । ଯାହା ଜାନୁଆରୀ ୧ରୁ କାର୍ଯ୍ୟକାରୀ ହେବ  । ଏନେଇ ୨୯ ନଭେମ୍ବରରେ ଏ ବାବଦରେ ଏକ ସର୍କୁଲାର ଜାରି କରାଯାଇଥିଲା । ବର୍ତ୍ତମାନ FinNifty, MidCPNifty ଏବଂ NiftyNext50 ର ମାସିକ ଚୁକ୍ତିନାମା ଖୁବ୍ ଶୀଘ୍ର ସମାପ୍ତ ହେବ  । ବ୍ୟାଙ୍କନିଫ୍ଟିର ମାସିକ ଏବଂ ତ୍ରିମାସିକ ଚୁକ୍ତିନାମା ମଧ୍ୟ ମାସର ଶେଷରେ ସମାପ୍ତ ହେବ ।