spot_img
Home Blog Page 1315

ଡିସେମ୍ବର ୨୪ରୁ ଭିଜିବ ଓଡ଼ିଶା, ୭ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଚାଲିଛି ବର୍ଷା ଶୀତର ଲୁଚକାଳି ଖେଳ। ଗୋଟିଏ ଦିନର ବିରତି ପରେ ପୁଣି କାଲିଠୁ ବର୍ଷା । ବର୍ଷା ସହ ଘନ କୁହୁଡି ଲୋକଙ୍କୁ ପୁଣି କଲବଲ କରିବ । ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୭ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରିରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି ।

ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡିକୁ ସତର୍କତା ଜାରି କରାଯାଇଛି । ୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପରେ ଶୀତର ପ୍ରଭାବ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଚତୁର୍ଥ ଥର ଲାଗି ଦିଲ୍ଲୀରେ ପ୍ରଜ୍ଞାପନ ମେଢ ରିଜେକ୍ଟ ; କେନ୍ଦ୍ରର ବିଜେପିକୁ ଟାର୍ଗେଟ କଲେ କେଜରିୱାଲ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ପ୍ରଜ୍ଞାପନ ମେଢକୁ ରିଜେକ୍ଟ କରାଯାଇଛି। ଲଗାତାର ଚତୁର୍ଥ ଥର ଲାଗି ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ ବାଦ ପଡିଛି। ଦିଲ୍ଲୀରେ ରାଷ୍ଟ୍ରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାବେଳେ ଲଗାତାର ଚତୁର୍ଥଥର ଲାଗି ପ୍ରଜ୍ଞାପନ ମେଢ ବାଦ ପଡିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କୁ କଡ଼ା ସମାଲୋଚନା କରିଛି ଦିଲ୍ଲୀ ବିଜେପି। ଆରମ୍ଭ ହୋଇଯାଇଛି ଦୁଇ ଦଳ ମଧ୍ୟରେ ବାକ ଯୁଦ୍ଧ। ପ୍ରସଙ୍ଗକୁ ନେଇ କେନ୍ଦ୍ରର ବିଜେପି ନେତୃତ୍ଵାଧିନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ କେଜରିୱାଲ।

କେଜରିୱାଲ କହିଛନ୍ତି, କିଛି ବର୍ଷ ହେଲାଣି ଦିଲ୍ଲୀର ପ୍ରଜ୍ଞାପନ ମେଢ଼ କାହିଁକି ପରେଡରେ ସାମିଲ ହେଉନାହିଁ । ଏହା କେଉଁ ପ୍ରକାର ରାଜନୀତି। ସେମାନେ କାହିଁକି ଦିଲ୍ଲୀର ଲୋକଙ୍କୁ ଏତେ ମାତ୍ରାରେ ଘୃଣା କରୁଛନ୍ତି। ୨୬ ଜାନୁଆରୀ ପ୍ୟାରେଡରେ ପ୍ରଜ୍ଞାପନ ମେଢ଼ ଓ ଦିଲ୍ଲୀର ଲୋକଙ୍କୁ ସାମିଲ ହେବାରେ କାହିଁକି ରୋକା ଯାଉଛି ବୋଲି ପଚାରିଛନ୍ତି କେଜରିୱାଲ। ଦେଶର ରାଜଧାନୀ ପ୍ରତିବର୍ଷ ଜାନୁଆରୀ ୨୬ ପ୍ୟାରେଡରେ ସାମିଲ ହେବା ଦରକାର ବୋଲି କହିଛନ୍ତି।

ସେପଟେ ବିଜେପି ମଧ୍ୟ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରିଛି। କହିଛନ୍ତି, ଆପ ପ୍ରଜ୍ଞାପନ ମେଢରେ କଣ ପ୍ରଦର୍ଶିତ କରିବାକୁ ଚାହୁଛନ୍ତି। କେଜ୍ରିୱାଲ ଏହି ପ୍ରସଙ୍ଗରେ ମଧ୍ୟ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି କହିଛି ବିଜେପି ।

ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ଆବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା କଥା ମାନିଲେ ଅଜିତ ପାୱାର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ମନ୍ତ୍ରିମଣ୍ଡଳ ଆବଣ୍ଟନ ପରେ ଅନେକ ମନ୍ତ୍ରୀ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଖବର ପଦାକୁ ଆସୁଛି। ଏହି କଥାକୁ ଖୋଦ ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ସ୍ୱୀକାର କରିଛନ୍ତି। ଦେବେନ୍ଦ୍ର ଫଡନାବିସଙ୍କ ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଥିବାବେଳେ ଏଥିରେ ମେଣ୍ଟର କିଛି ନେତା ଅସନ୍ତୁଷ୍ଟ ଥିବା କହିଛନ୍ତି ଅଜିତ ପାୱାର। ଆଜି ଅର୍ଥ ବିଭାଗର ଦାୟିତ୍ଵ ଗ୍ରହଣ କରିବେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର। ମନ୍ତ୍ରିମଣ୍ଡଳରେ ମୋଟ ୬ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଯେଉଁଠିକି ୩୬ ଜଣ କ୍ଯାବିନେଟ ମନ୍ତ୍ରୀ ରହିଛନ୍ତି। ଏତେ ସଂଖ୍ୟକ କ୍ୟାବିନେଟ ମନ୍ତ୍ରୀ ରହିଥିବବେଳେ ବିଭାଗ ବଣ୍ଟନକୁ ନେଇ ଅସନ୍ତୋଷ ଲାଗି ରହିଛି। ମେଣ୍ଟ ସରକାର ହୋଇଥିବାରୁ ଅଧିକାଂଶ ବିଭାଗ ଗୁଡିକୁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ନରଖି ବିଭାଗୀୟ ମନ୍ତ୍ରୀମାନଙ୍କୁ ଆବଣ୍ଟିତ କରିଛନ୍ତି। ଏହା ପରେ ବି ମନ୍ତ୍ରିମଣ୍ଡଳରେ ଅସନ୍ତୋଷ ଖବର ଶୁଣିବାକୁ ମିଳୁଛି।

ପ୍ରଥମେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଲାଗି ରହିବା ପରେ ଗୃହ ମନ୍ତ୍ରାଳୟ ବିଭାଗକୁ ନେଇ ମଧ୍ୟ ବିବାଦ ଲାଗି ରହିଥିଲା। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୃହ ମନ୍ତ୍ରାଳୟର ଦାୟିତ୍ଵ ନେବାକୁ ଇଚ୍ଛୁକ ଥିଲେ। ତେବେ ଏହି ବିଭାଗ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀ ବାରାମତିରେ ରୋଡ ଶୋ’ କରିବାବେଳେ ଏହି ସୂଚନା ଦେଇଥିଲେ ଅଜିତ ପାୱାର। ମହାରାଷ୍ଟ୍ରର କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜ ପାଖରେ ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ଏବଂ ସୂଚନା ଓ ଲୋକ ସମ୍ପର୍କ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଭଳି ବିଭାଗରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେପଟେ ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅର୍ଥ, ଯୋଜନା, ଓ ଅବକାରୀ ଭଳି ବିଭାଗ ମିଳିଛି।

କାଜାନ ଉପରେ ଡ୍ରୋନ୍ ଆକ୍ରମଣର ପରିଣାମ ୟୁକ୍ରେନକୁ ଭୋଗିବାକୁ ପଡିବ: ବ୍ଲାଦିମିର ପୁଟିନ

ନନ୍ଦିଘୋଷ ବ୍ୟୁରୋ: ଜେଲେନସ୍କିକୁ ଉଚିତ ଜବାବ ଦେବେ ପୁଟିନ। ରୁଷର କାଜାନ ସହରରେ ୟୁକ୍ରେନର ଆକ୍ରମଣ ଘଟଣା ପରେ ପ୍ରଥମ ପ୍ରତିକ୍ରିୟାରେ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ କହିଛନ୍ତି ଯେ, କାଜାନ ଉପରେ ଡ୍ରୋନ୍ ଆକ୍ରମଣର ପରିଣାମ ୟୁକ୍ରେନକୁ ଭୋଗିବାକୁ ପଡିବ। ରୁଷର କାଜାନରେ ଏକ ଆପାର୍ଟମେଣ୍ଟକୁ ଟାର୍ଗେଟ କରି ହମଲା କରିଥିଲା ୟୁକ୍ରେନ। ଡ୍ରୋନ୍ ଆକ୍ରମଣରେ ଆପାର୍ଟମେଣ୍ଟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ହଜାରେ କିଲୋମିଟର ଦୂରକୁ ଟାର୍ଗେଟ କରି ଏହି ମାଡ଼ କରିଥିଲା ୟୁକ୍ରେନ। ତେବେ ଏଥିଲାଗି ୟୁକ୍ରେନକୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡିବ। କାଜାନ ଆକ୍ରମଣ ତୁଳନାରେ ଅଧିକରୁ ଅଧିକ କ୍ଷତି ସହିବାକୁ ପଡିବ ବୋଲି କହିଛନ୍ତି ପୁଟିନ।

ରୁଷ୍‌ର କାଜାନ୍‌ ସହର ଉପରେ ଭୟାବହ ଆକ୍ରମଣ କରିଥିଲା ୟୁକ୍ରେନ। ପ୍ରଚଣ୍ଡ ବିସ୍ଫୋରଣ ହେବା ସହ ଭୀଷଣ ଅଗ୍ନିକାଣ୍ଡ ଯୋଗୁଁ ବ୍ୟାପକ କ୍ଷତି ଘଟିଥିଲା। କାଜାନ ସହରରେ ୩ଟି କୋଠା ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ବିଶାଳ କୋଠାଗୁଡ଼ିକର ବିସ୍ଫୋରଣର ଦୃଶ୍ୟ ଆମେରିକାର ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ୯/୧୧ର ସଦୃଶ ଥିଲା।

ଚୋରି ଅଭିଯୋଗରେ କଙ୍ଗାରୁକୋର୍ଟ, ୪ ଜଣଙ୍କୁ ନିସ୍ତୁକ ପିଟିଲେ ଦୋକାନ ମାଲିକ

ଜଳେଶ୍ୱର : ଲୁଗା ଦୋକାନରୁ ଚୋରି ଅଭିଯୋଗରେ ୪ ଜଣ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଦୋକାନୀଙ୍କ ପରିବାର । ଘଟଣା ସ୍ଥଳରେ ଜଣେ ଯୁବକର ମୃତ୍ଯୁ । ଅନ୍ଯ ୩ ଜଣ ଗୁରୁତର ଅବସ୍ଥାରେ ବାଲେଶ୍ବର ହସପିଟାଲରେ ଭର୍ତ୍ତି । ବାଲେଶ୍ବର ଜିଲ୍ଲା ସଦର ବ୍ଳକ୍ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗାଁରେ ଘଟିଛି ଏପରି ଘଟଣା । ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ତଳେ କିଛି ଦୁର୍ବୃତ୍ତ ତାଲା ଭାଙ୍ଗି ଚୋରି କରି ନେଇଥିଲେ ।

ଏନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ତେବେ ଅଜୟ ଦାସ ଏବଂ ତାଙ୍କ ଦୁଇପୁଅ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗାଁର ତ୍ରିଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ରାସ୍ତାକଡ଼ ଇଲେକ୍ଟ୍ରିକ ଖୁଣ୍ଟିରେ ବାନ୍ଧି ଲୁହା ରଡରେ ନିସ୍ତୁକ ପିଟିଥିଲେ । ଘଟଣା ସ୍ଥଳରେ ତ୍ରିଲୋଚନଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଜୟ ଦାସ ଏବଂ ତାଙ୍କ ପୁଅକୁ ପୋଲିସ ଅଟକ ରଖିଛି । ପରିବାରକୁ କ୍ଷତିପୂରଣ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ

ଭୁବନେଶ୍ୱର : ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବ୍ୟବସାୟୀ । ଭୁବନେଶ୍ବରଠାରୁ ଦଶପଲ୍ଲ। ଯାଉଥିବା ଟ୍ରେନ ଆଗକୁ ଧାଇଁ ଆସି ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ । ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ଖୋର୍ଦ୍ଧା ଟାଉନ ଷ୍ଟେସନ ନିକଟରେ ଘଟିଛି ଏଭଳି ଘଟଣା  । ମୃତକ ଖୋର୍ଦ୍ଧା ଭାଲିଆବାଡିର ଶରତ କୁମାର ମହାପାତ୍ର ବୋଲି ଆରପିଏଫ ସୂଚନା ଦେଇଛି । ଜିଆରପି ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

ଗୋଟିଏ ଦିନର ବିରତି ପରେ ପୁଣି ଫେରିବ ବର୍ଷା, ଡିସେମ୍ବର ୨୪ରୁ ଭିଜିବ ଓଡ଼ିଶା

ଭୁବନେଶ୍ୱର : ଚାଲିଛି ବର୍ଷା ଶୀତର ଲୁଚକାଳି ଖେଳ । ଗୋଟିଏ ଦିନର ବ୍ୟବଧାନ ପରେ ପୁଣି  ଡିସେମ୍ବର ୨୪ରୁ ବର୍ଷା । ବର୍ଷା ସହ ଘନ କୁହୁଡି କରିବ କଲବଲ ।  ପଶ୍ଚିମା ଝଡ ପ୍ରଭାବରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ୭ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ଆକଳନ କରାଯାଇଛି । କେନ୍ଦ୍ରାପଡା, ଜଗତସିଂହପୁର,ପୁରୀ,ଖୋର୍ଦ୍ଧା, ଗଞ୍ଜାମ, ଗଜପତି,ରାୟଗଡା ଜିଲ୍ଲାରେ ହେବ ବର୍ଷା ହେବା ସମ୍ଭାବନା ରହିଛି ।

୯ ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରିରେ ମଧ୍ଯମ ଧରଣର ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଆଜି ଏବଂ କାଲି ଘନ କୁହୁଡି ନେଇ ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଓ କଳାହାଣ୍ଡିକୁ ସତର୍କତା ଜାରି କରାଯାଇଛି ।

୫ ଜିଲ୍ଲାରେ ୫୦ ମିଟର ତଳକୁ ଖସିବ ଦୃଶ୍ୟମାନ ଦୂରତା। ୨୬ରୁ ୨୮ ତାରିଖ ଯାଏଁ ରହିବ ଶୁଖିଲା ପାଗ ରହିବ । ୨୯ ତାରିଖରୁ ପୁଣି କୋହଲା ପାଗ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୩ ଦିନ ପରେ ଶୀତର ପ୍ରଭାବ ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ : ଅଭିନେତା ଅଲୁ ଅର୍ଜୁନଙ୍କ ଘର ଉପରେ ପଥରମାଡ଼। ଘର ଆଗରେ ପ୍ରତିବାଦ କରିବା ସହ ଟମାଟୋ ଓ ଅଣ୍ଡା ମାଡ଼ କରିଛନ୍ତି କିଛି ଅଜଣା ଯୁବକ। ହାଇଦ୍ରାବାଦ ଜୁବୁଲି ହିଲ୍ସ ସ୍ଥିତ ବାସଭବନ ଆଗରେ ହୋଇଥିଲା ଏହି ପଥର ମାଡ଼। ଘର ବାହାରେ କିଛି ଅଜଣା ଛାତ୍ର ଆଖିବୁଜା ପଥରମାଡ଼ କରିଥିଲେ। ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବାସଭବନ ପରିସରକୁ ପଶି ଭଂଗାରୁଜା କରିଥିଲେ। ଆକ୍ରମଣରେ ହାଇଦ୍ରାବାଦ ଓସମାନିଆ ୟୁନିଭର୍ସିଟିରେ ସକ୍ରିୟ JAC ଛାତ୍ର ସଂଗଠନର ସଦସ୍ୟ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ଜେଏଲି ସଂଗଠନର ୬ ଜଣ ସଦସ୍ୟ ଏହି ଆକ୍ରମଣ କରିଥିବା ଜୁବଲି ହିଲ୍ସ ପୋଲିସ କହିଛି।

ତେବେ ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୋଗ କରାଯାଇନାହିଁ। ସୋସିଆଲ ମିଡିଆରେ ଆଜି ସୁପରଷ୍ଟାର ଅଲୁ ଅର୍ଜୁନ ପୋଷ୍ଟ କରି ବାର୍ତ୍ତା ଦେଇଥିଲେ। ଅଫଲାଇନ କିମ୍ବା ଅନଲାଇନରେ କାହାକୁ ଅପମାନଜନକ ଶବ୍ଦ ବ୍ୟବହାର ନକରିବାକୁ କହିଥିଲେ। ଗତକାଲି ପ୍ରେସମିଟ କରି ଘଟଣା ନେଇ ଦୁଃଖ ପ୍ରକାଶ କରିଥିଲେ ଅଲୁ ଅର୍ଜୁନ। ସିନେମା ପୁଷ୍ପା-୨କୁ ନେଇ ହାଇଦ୍ରାବାଦ ସଂଧ୍ୟା ସିନେମା ହଲରେ ଦଳାଚକଟା ହୋଇଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର ୮ ବର୍ଷୀୟ ନାବାଳକ ଗୁରୁତର ହୋଇ ପଡିଥିଲେ।ଏହି ମାମଲାରେ ଏଫଆଇଆର ହେବା ପରେ ଗତ ୧୩ ତାରିଖରେ ଗିରଫ ହୋଇଥିଲେ ଅଲୁ ଅର୍ଜୁନ। ତେବେ ତେଲଙ୍ଗାନା ହାଇକୋର୍ଟ ଅଲୁ ଅର୍ଜୁନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ବଦଳିଲା ନିର୍ବାଚନ ଆଚରଣ ଅଧିନିୟମ : ସାଧାରଣ ଲୋକ କିମ୍ବା ପ୍ରାର୍ଥୀଙ୍କୁ ମିଳିବନି ମତଦାନ କେନ୍ଦ୍ରର ଫୁଟେଜ୍

ନୂଆଦିଲ୍ଲୀ :  ବଦଳିଲା ନିର୍ବାଚନ ଆଚରଣ ଅଧିନିୟମ । ଗଣତନ୍ତ୍ର ପ୍ରତି ବଡ଼ ଚାଲେଞ୍ଜ। ଆଉ ସାଧାରଣ ଲୋକ କିମ୍ବା ପ୍ରାର୍ଥୀଙ୍କୁ ମିଳିବନି ମତଦାନ କେନ୍ଦ୍ରର ସିସିଟିଭି ଫୁଟେଜ୍ କି ଅନ୍ୟ ତଥ୍ୟ । ଯେ ପର୍ଯ୍ୟନ୍ତ କମ୍ପିଟେଣ୍ଟ୍ କୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି ଭାରତୀୟ ନିର୍ବାଚନ କମିଶନ ଏହି ତଥ୍ୟ କାହାରିକୁ ଉପଲବ୍ଧ କରିବେନାହିଁ । ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ଗତ ଶୁକ୍ରବାର ୧୯୬୧ ନିର୍ବାଚନ ଆଚରଣ ବିଧି ଅଧିନିୟମ ଧାରା ୯୩ ଉପଧାରା ୨ କ୍ଲଜ୍ କ’ରେ କରିଛି ସଂଶୋଧନ । ଏ ନେଇ ଫାଳିକିଆ ଗେଜେଟ୍ ବିଜ୍ଞପ୍ତି ପରେ ବିରୋଧୀ ଆଖି ଲାଲ କଲେଣି । ଅଭିଯୋଗ କରିଛନ୍ତି, ଭାରତର ନିର୍ବାଚନ ପ୍ରକ୍ରିୟାକୁ ହାଇଜାକ୍ କରୁଛି ବିଜେପି । କିପରି ହେବ ସ୍ବଚ୍ଛ ନିର୍ବାଚନ ? ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକ ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଥିଲା ମତଦାନ କେନ୍ଦ୍ର ସମସ୍ତ ଭୋଟର ତାଲିକା ଓ ବୈଦ୍ୟୁତିକ ପ୍ରମାଣ ଦେବାକୁ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ନ କରି ବିଜେପିକୁ ସୁହାଇଲା ଭଳି ଅଧିନିୟମ ପରିବର୍ତ୍ତନ କରାଗଲା । ଯଦି ନିୟମ ରହିଛି କମ୍ପିଟେଣ୍ଟ୍ କୋର୍ଟଙ୍କ ନିର୍ଦ୍ଦେଶରେ ମତଦାନ କେନ୍ଦ୍ରର ସମସ୍ତ ତଥ୍ୟ ଦିଆଯାଇପାରିବ, ତାହେଲେ ପଞ୍ଜାବ-ହରିୟାଣା କୋର୍ଟ କଣ କମ୍ପିଟେଣ୍ଟ୍ କୋର୍ଟ ନୁହଁନ୍ତି କି? ଏହି ପ୍ରସଙ୍ଗରେ ଏପରି କହିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ରାଷ୍ଟ୍ରୀୟ ମୁଖପାତ୍ର ଜୟରାମ ରମେଶଙ୍କ ସମେତ କଂଗ୍ରେସର ତୁଙ୍ଗ ନେତା ସୋସିଆଲ ମିଡିଆରେ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ଏପରି କରିବା ଦ୍ବାରା ନିର୍ବାଚନ ପ୍ରକ୍ରିୟା ଉପରେ ବିଶ୍ବାସ ଉଠିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପଟେ ବାମଦଳ, ଆମ ଆଦମୀ ପାର୍ଟି ଓ ବିଶେଷଜ୍ଞ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଭାରତର ନିର୍ବାଚନ କମିଶନଙ୍କ ବିଶ୍ବସନୀୟତା ନେଇ ପ୍ରଶ୍ନ ଉଠାଇଛନ୍ତି । ଆପ୍ ଅଭିଯୋଗ କରିଛି ଆଗକୁ ଦିଲ୍ଲୀ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ନିଜକୁ ସୁହାଇଲା ଭଳି ଏପରି କରିଛନ୍ତି । ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଯେତେ ଯାହା କହିଲେ ବି ଅଧିନିୟମ ସଂଶୋଧନ ଆବଶ୍ୟକ ଥିଲା ବୋଲି ଯୁକ୍ତି ଦର୍ଶାଇଛନ୍ତି ନିର୍ବାଚନ କମିଶନଙ୍କ ପୂର୍ବତନ ବରିଷ୍ଠ ଉପଦେଷ୍ଟା । କହିଛନ୍ତି, ରାଜନୈତିକ ଦଳମାନେ ନିର୍ବାଚନ ଅଧିନିୟମକୁ ଭଲ କରି ଅଧ୍ଯୟନ କରିବା ଆବଶ୍ୟକ ରହିଛି । ଭୋଟରଙ୍କ ଜୀବନକୁ ସୁରକ୍ଷା ଦେବା ମଧ୍ୟ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ବ । ଜମ୍ମୁ ଓ କଶ୍ମୀର ଓ ନକ୍ସଲ ପ୍ରବଣ ଭଳି ସମ୍ବେଦନଶୀଳ ଅଞ୍ଚଳରେ ନିର୍ବାଚନ କରିବା ଦୁରୂହ ବ୍ୟାପାର । ମତଦାନ କେନ୍ଦ୍ର ତଥ୍ୟ ସାଧାରଣରେ ଉପଲବ୍ଧ ହେଲେ ସମ୍ବେଦନଶୀଳ ଅଞ୍ଚଳରେ ଭୋଟରଙ୍କ ଜୀବନ ବିପଦରେ ପଡ଼ିପାରେ । ଏହି ପ୍ରସଙ୍ଗରେ ରାଜ୍ୟ ଆଇନ ମନ୍ତ୍ରୀ ମୁହଁ ଖୋଲିବାକୁ ନାରାଜ । ନିର୍ବାଚନରେ ସ୍ବଚ୍ଛତା ଓ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ନିର୍ବାଚନ ଆଚରଣ ଅଧିନିୟମରେ ପରିବର୍ତ୍ତନ କରାଯାଇଛି । କିନ୍ତୁ ଭାରତୀୟ ଗଣତନ୍ତ୍ରରେ ଜନତା ଓ ପ୍ରାର୍ଥୀଙ୍କ ଅଧିକାରକୁ ଏହା ବାଧିତ କରୁଛି କି ନାହିଁ ତାକୁ ନେଇ ନୂଆ ବିତର୍କ ସୃଷ୍ଟି କରିଛି ।

ରାଜ୍ୟର ସ୍ଵାର୍ଥ ଏବଂ ଓଡ଼ିଆଙ୍କ ହିତ ପାଇଁ ଶୀତ ଅଧିବେଶନରେ ଲଢ଼ିଲେ ବିଜେଡିର ସପ୍ତରଥୀ ସାଂସଦ

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନରେ ବିଜେଡି ସାଂସଦମାନଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ରାଜ୍ୟସଭାର ଗୃହକାର୍ଯ୍ୟରେ ସେମାନେ ସକ୍ରିୟ ଅଂଶଗ୍ରହଣ କରି ପ୍ରଶ୍ନ ପଚାରିବା ସହିତ ଆଲୋଚନାରେ ଭାଗ ନେଇଛନ୍ତି। ରାଜ୍ୟର ସ୍ଵାର୍ଥକୁ ନେଇ ବିଜେଡି ସାଂସଦ ଅନେକ ପ୍ରଶ୍ନ ପଚାରି ଥିଲେ, ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିଲେ । ତାସହିତ ବିଭିନ୍ନ ଜାତୀୟ ସ୍ଵାର୍ଥ ସମ୍ମିଳିତ ଆଲୋଚନାରେ ସକ୍ରିୟ ଭାବେ ଭାଗ ନେଇଥିଲେ । ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ପାଇଁ ଏଥର ମଧ୍ୟ ରାଜ୍ୟସଭାରେ ଦାବି ଦୋହରାଇଥିଲେ ସସ୍ମିତ ପାତ୍ର । ଏ ନେଇ ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ସସ୍ମିତ ପାତ୍ର ମୋଟ ୩୮ ଟି ଅଣତାରକା ଓ ୫ଟି ତାରକା ପ୍ରଶ୍ନ ଉତଥାପନ କରିଥିଲେ। ରାଜ୍ୟର ସ୍ଵାର୍ଥ ସମ୍ମିଳିତ ପ୍ରସଙ୍ଗ ଉଠାଇବା ସହିତ କୋଷ୍ଟାଲ ହାଇୱେ, ପୋଲାଭରମ ପ୍ରକଳ୍ପ, ଓଡ଼ିଶା ଉପରେ ଏହି ପ୍ରକଳ୍ପର ନକରାତ୍ମକ ପ୍ରଭାବ ପ୍ରସଙ୍ଗ ଉଠାଇଥିଲେ ସସ୍ମିତ ପାତ୍ର । ଏହା ସହିତ କୋଇଲା ରୟାଲଟି ସଂଶୋଧନ ପାଇଁ ସେ ଦାବି ଦୋହରାଇଥିଲା। କୋଇଲା ରୟାଲଟି ସଂଶୋଧନ ହେଲେ ଓଡ଼ିଶା ଲାଭବାନ ହେବ। କିନ୍ତୁ କେନ୍ଦ୍ର ଏହା କରୁନଥିବାରୁ, ଦୃଷ୍ଟି ଆକର୍ଷଣ କରିଥିଲେ ସସ୍ମିତ ପାତ୍ର।

ସାଂସଦ ମାନସ ମଙ୍ଗରାଜ ୩୦ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉତଥାପନ କରିଥିଲେ। ବରିଷ୍ଠ ନାଗରିକଙ୍କ କଲ୍ୟାଣ, କୋଇଲା ଖନନ ଏବଂ ଓଡ଼ିଶାରେ MSME ର ବିକାଶ ସଂପର୍କିତ ପ୍ରଶ୍ନ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମାନସ ମଙ୍ଗରାଜ । ଅଏଲ ଫିଲ୍ଡସ ସଂଶୋଧନ ବିଲ୍-୨୦୨୪ ଆଲୋଚନାରେ ଅଂଶଗ୍ରହଣ କରି, ପ୍ରଭାବିତ ହେବାକୁ ଥିବା ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଇନରେ ସଂଶୋଧନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଅଏଲ ରିଫାଇନାରି ଦୁର୍ଘଟଣା ସଂପର୍କରେ ଗୃହକୁ ଅବଗତ କରାଇଥିଲେ ମାନସ ମଙ୍ଗରାଜ।

ସାଂସଦ ସୁଲତା ଦେଓ ୧୮ ଟି ଅଣତାରକା ଓ ୨ଟି ତାରକା ପ୍ରଶ୍ନ ଉଠାଇଥିଲେ । ଦୁଇଟି ପ୍ରମୁଖ ଆଲୋଚନାରେ ସେ ଅଂଶ ଗ୍ରହଣ କରିଥିଲେ। ଭାରତୀୟ ବାୟୁଯାନ ବିଧେୟକ ସଂଶୋଧନ ବିଲ୍ ଓ ବଏଲର ସଂଶୋଧନ ବିଲ୍ ଆଲୋଚନାରେ ଅଂଶଗ୍ରହଣ କରି ଗଠନମୂଳକ ପ୍ରସ୍ତାବ ଦେଇଥିଲେ। ସେହିପରି ସାଂସଦ ମୁନ୍ନା ଖାନ୍ ୨୬ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉଠାଇଥିଲେ। ପୋଲାଭରମ ପ୍ରକଳ୍ପକୁ କେନ୍ଦ୍ର ସରକାର ଏକ ପାଖିଆ ସମର୍ଥନ କରି, ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଘଂନ କରୁଛନ୍ତି ବୋଲି କହିଥିଲେ ମୁନ୍ନା ଖାଁ ।

ସେହିପରି ସାଂସଦ ନିରଞ୍ଜନ ବିଶି ୩୧ଟି ଅଣତାରକା ଓ ଗୋଟିଏ ତାରକା ପ୍ରଶ୍ନ ଉଠାଇଥିଲେ । ସମ୍ବିଧାନର ଅଷ୍ଟମ ଅନୁଛେଦରେ ହୋ, ମୁଣ୍ଡାରି, ଭୂମିଜ, କୁଇ, କୋଶଲୀ ଏବଂ ସଉରା ଭାଷାକୁ ସାମିଲ କରିବା ପାଇଁ ଦାବି କରିଥିଲେ ନିରଂଜନ ବିଶି। ସାଂସଦ ଦେବାଶିଷ ସାମନ୍ତରାୟ ୨୭ଟି ଅଣତାରକା ଓ ୪ଟି ତାରକା ପ୍ରଶ୍ନ ଉଠାଇଥିଲେ। ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ସ୍ଵୟଂଶାସିତ ସଂସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ଓ ମିଶନ ଶକ୍ତି ଭଳି ବଳିଷ୍ଠ ପଦକ୍ଷେପ ନେଇଥିବା କହିଥିଲେ ଦେବାଶିଷ ସାମନ୍ତରାୟ। ଅନ୍ୟପଟେ ସାଂସଦ ଶୁଭାଶିଷ ଖୁଣ୍ଟିଆ ୧୪ଟି ଅଣତାରକା ଓ ୩ଟି ତାରକା ପ୍ରଶ୍ନ ଉଠାଇଥିଲେ । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ଏବଂ ଓଡ଼ିଶାକୁ ଗ୍ୟାସ୍ ପାଇପ୍ ଲାଇନ୍ ସଂଯୋଗ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡିର ଏହି ସାଂସଦ।