spot_img
Home Blog Page 1314

‘ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଦୂରରେ ଅଛି ବାଘୁଣୀ ଜିନ୍ନତ’

ନନ୍ଦିଘୋଷ ବ୍ୟୁରୋ: ମିଳିଲା ବାଘୁଣୀ ଜିନ୍ନତ ପତ୍ତା । ଝାରଖଣ୍ଡରୁ ୧୦ ରୁ ୧୨ କିଲୋମିଟର ଜିନ୍ନତ ଦୂରରେ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ବାଘୁଣୀକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡି ଝାଡ଼ଖଣ୍ଡ ପଳାଇଥିଲା। ୧୯ ତାରିଖ ରାତିରେ ସେ ପଶ୍ଚିମବଙ୍ଗ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳ ଝାର ଗ୍ରାମରେ ଦେଖା ଦେଇଥିଲା। ଝାର ଗାଁରେ ବନ ବିଭାଗ ପକ୍ଷରୁ ଜିନ୍ନତକୁ ଖୋଜାଖୋଜି କରିଥିଲେ ମଧ୍ୟ ଜିନ୍ନତ ସେଠାରୁ ଫେରି ପୁରୁଲିଆ ବେଲପାହାଡ଼ି ଜଙ୍ଗଲକୁ ପଳାଇଥିଲା। ଏହି ଦୁଇ ଜିଲ୍ଲା ସ୍ଥିତ ଜଙ୍ଗଲ ପାଖାପାଖି ଗାଁର ଲୋକେ ଜିନ୍ନତ ଥିବା ଖବର ପାଇ ଭୟଭୀତ ଓ ଆତଙ୍କିତ ହୋଇ ପଡିଛନ୍ତି। ବାଘୁଣୀ ଜିନ୍ନତ ଏବେ ମୟୂର ବର୍ଣ୍ଣା ଜଙ୍ଗଲ ଓ କାଙ୍କଡା ରୋଡ ଜଙ୍ଗଲ ମଧ୍ୟରେ ରହିଥିବା ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍

କଟକ: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ଼ ପିକଅପ ଭ୍ୟାଲି ଠାରେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍। ଆଜି ଭୋର ସମୟରେ ଘଟିଛି ଏହି ଘଟଣା । ପରିବା ବ୍ୟବସାୟୀଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ କରିଛନ୍ତି ଦୁର୍ବୁତ୍ତ।

ସୂଚନା ଅନୁଯାୟୀ, ସାନମୁଣ୍ଡଳୀ ଗ୍ରାମର ବସନ୍ତ ଲେଙ୍କା ନାମକ ଜଣେ ବ୍ୟବସାୟୀ କଟକ ଯାଉଥିବା ବେଳେ ତଳଗଡ଼ ଗ୍ରାମ ନିକଟସ୍ଥ ନରାଜ ପିକଅପ ଭ୍ୟାଲି ଠାରେ କିଛି ଦୁର୍ବୁତ୍ତ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇବା ସହିତ ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ଟଙ୍କା ନଦେବାରୁ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପାଖରେ ୫ ହଜାର ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ ଦୁର୍ବୁତ୍ତ। ଘଟଣାସ୍ଥଳରେ ବାରଙ୍ଗ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସେପଟେ ତିନି ଦିନରେ ତିନି ଜଣ ବ୍ୟବସାୟୀଙ୍କ ଠାରୁ ସମାନ ଢଙ୍ଗରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଜଣାପଡିଛି। ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ରାତିରେ ପୋଲିସର ପାଟ୍ରୋଲିଂ ସତ୍ତ୍ୱେ କେମିତି ହେଉଛି ଲୁଟ ଏହାକୁ ନେଇ ପ୍ରଶ୍ନ ଉଠିଛି ।

ପଂଜାବ ପୋଲିସ ପୋଷ୍ଟ ଉପରେ ଗ୍ରେନେଡ୍ ଆକ୍ରମଣ କରିଥିବା ୩ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ପୋଲିସ ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଉତ୍ତରପ୍ରଦେଶ ପିଲଭିତରେ ପୋଲିସର ମିଳିତ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ ୨ଟି AK-47 ସହ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି।

ସୂଚନା ଅନୁଯାୟୀ, ୟୁପି ଓ ପଞ୍ଜାବ ପୋଲିସର ମିଳିତ ଏନକାଉଣ୍ଟରରେ ବଡ଼ ସଫଳତା ମିଳିଛି। ୟୁପି ଓ ପଞ୍ଜାବ ପୁଲିସ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଛି। ପଞ୍ଜାବ ଗୁରୁଦାସପୁର ଥାନା ଉପରେ ଆକ୍ରମଣ କରିଥିଲେ ଏହି ୩ ଆତଙ୍କବାଦୀ। ଗ୍ରେନ୍‌ଡ୍‌ ମାଡ କରିବା ସହ ବୋମା ମଧ୍ୟ ଫିଙ୍ଗିଥିଲେ। ଏନ୍‌କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ  ।

 

ବେଗୁନିଆପଡ଼ାରେ ମାତିଲେ ଲୁଟେରା, ଚିଙ୍ଗୁଡ଼ିଖୋଲ ମା’ କାଳୀ ମନ୍ଦିରରୁ ଚୋରି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲ ବହୁ ପୂରାତନ ମା’ କାଳୀଙ୍କ ମନ୍ଦିରରୁ ଚୋରି । ରବିବାର ରାତିରେ ଚୋରମାନେ ପଶି ଦାନ ହୁଣ୍ଡି ଭାଙ୍ଗି ଦାନ ଅର୍ଥକୁ ଲୁଟି ନେଇଛନ୍ତି। ତେବେ ଆଜି ସକାଳେ ମନ୍ଦିରର ପୂଜାରୀ ଏହା ଦେଖିବା ପରେ ପରିଚାଳନା କମିଟିକୁ ଘଟଣା ବାବଦରେ ଜଣାଇଥିଲେ । ଏହାପରେ ପରିଚାଳନା କମିଟି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ କିଛି ଦିନ ହେବ ଦୈନିକ ବିଭିନ୍ନ ମନ୍ଦିରରୁ ଚୋରି ହେଉଛି । ପୋଲିସ ଚୋରଙ୍କୁ ଧରିବାରେ ବିଫଳ ହେଉଛି ।

ରାଜଧାନୀରେ ପ୍ରେମ ପାଇଁ ଯୁବତୀଙ୍କୁ ଅପହରଣ

ଭୁବନେଶ୍ୱର: ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ । ଯୁବତୀଙ୍କୁ କାରରେ ଟେକି ନେଲେ ୪ ଜଣ ଯୁବକ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଅଘଟଣ ।

ସୂଚନା ଅନୁଯାୟୀ, ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ୧ ଟା ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ ନିକଟରେ ପହଞ୍ଚିଥିଲା ଏକ କାର । କାରରୁ ୪ ଯୁବକ ମାରଣାସ୍ତ୍ର ଧରି ଓହ୍ଲାଇବା ସହ ବାଇକରେ ଥିବା ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯୁବକଙ୍କୁ ସେହିଠାରେ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ । ଯୁବତୀଙ୍କୁ ଘଟଣାସ୍ଥଳରୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ଖବର ପାଇ ମୈତ୍ରୀ ବିହାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି । ସେପଟେ ଯୁବକଙ୍କ ଏତଲା ଆଧାରରେ ଏକ ଅପହରଣ ମାମଲା ରୁଜୁ କରିଛି ପୋଲିସ।

ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ, ଉଦ୍ଧାର ପାଇଁ ନିବେଦନ

ନନ୍ଦିଘୋଷ ବ୍ୟୁରୋ: ମାଳଦ୍ଵୀପରେ ଫସିଛନ୍ତି ୪୦ରୁ ଅଧିକ ଓଡ଼ିଆ ଯୁବକ । ୬ ମାସ ତଳେ ରୋଜଗାର ଆଶାରେ ମାଳଦ୍ଵୀପ ଯାଇଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ୧୫ ଜଣ ଯୁବକଙ୍କ ସମେତ ଓଡ଼ିଶାରୁ ୪୦ ଜଣ ଯୁବକ ମାଳଦ୍ୱୀପ ଯାଇଥିଲେ । ସେଠାରେ କାମ କରିବା ପରେ ଏକ ମାସ ଠିକରେ ଦରମା ଦେଇଥିଲା କମ୍ପାନୀ । ପରବର୍ତ୍ତୀ ମାସ ଠାରୁ କମ୍ପାନୀ ଠିକରେ ଦରମା ଦେଉନଥିବା ଅଭିଯୋଗ ହୋଇଛି । ଖାଇବା ପାଇଁ ଟଙ୍କା ମାଗୁଥିବା ବେଳେ ରହୁଥିବା ରୁମର ବିଦ୍ୟୁତ ବିଚ୍ଛିନ୍ନ କରି ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।

ସୂଚନା ଅନୁଯାୟୀ, ମାଳଦ୍ଵୀପରେ ଚାଲିଥିବା ଏୟାରପୋର୍ଟ କାମ ନେଇଥିବା ଗାନ ଇଗ୍ନେସ ନାମକ କମ୍ପାନୀକୁ ଓଡ଼ିଆ ଯୁବକ ସମେତ ଅନ୍ୟ ରାଜ୍ୟର ଅନେକ ଯୁବକ ଯାଇଥିବା ବେଳେ ସମସ୍ତେ ଫସି ରହିଛନ୍ତି । ଭିଡିଓ ବାର୍ତ୍ତା ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ସମସ୍ତେ ।

ବ୍ରାଉନ ସୁଗାର ଧରିବାକୁ ଆସି ଅବକାରୀ ଟିମ୍ ହଟହଟ୍ଟା

ବାଲେଶ୍ଵର: ବାଲେଶ୍ଵର ଜଳେଶ୍ଵରରେ ବ୍ରାଉନ ସୁଗାର ଧରିବାକୁ ଆସି ଅବକାରୀ ଟିମ୍ ହଟହଟ୍ଟା। କମର୍ଦା ବଜାର ନିକଟରେ ବ୍ରାଉନ ସୁଗାର କାରବାର ଚାଲିଥିବା ନେଇ ଅଭିଯୋଗ ପାଇ ଚଢାଉ କରିଥିଲା ଅବକାରୀ ଟିମ। ବ୍ରାଉନ ସୁଗର ଜବତ କରି ଜଣେ ମହିଳାଙ୍କୁ ଗିରଫ କରିଥିଲା ଅବକାରୀ ଟିମ୍ । ମହିଳାଙ୍କୁ ଗିରଫ କରି ନେଇ ଯାଉଥିବାବେଳେ ଅବକାରୀ ଟିମର ଗାଡି ଚାବି ଛଡାଇ ନେଇଥିଲେ ମହିଳାଙ୍କ ପରିବାର ଲୋକେ। ଜବତ ହୋଇଥିବା ସାମଗ୍ରୀ ବ୍ରାଉନ ସୁଗର ନୁହେଁ, ଏହା ମୁହଁରେ ଲଗାଯାଉଥିବା ମୁଲତାନୀ ମାଟି ବୋଲି କହିଛନ୍ତି।

ସେପଟେ ଅବକାରୀ ଟିମ ବ୍ରାଉନସୁଗର ଜବତ କରିଥିବା କହିଛି। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି।

ଆଜିଠୁ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ପରୀକ୍ଷା, ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର: ଆଜିଠୁ ଯୁକ୍ତ୨ ଇଣ୍ଟରନାଲ୍ ଆସେସ୍‌ମେଣ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚ୍ଏସଇ ଦ୍ଵାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଇଣ୍ଟରନାଲ୍ ଆସେସ୍‌ମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଡିସେମ୍ବର ୩୦ ପର୍ଯ୍ୟନ୍ତ ହେବାକୁ ଥିବା ଆସେସ୍‌ମେଣ୍ଟ ୧୦ କିମ୍ବା ୨୦ ମାର୍କ ବିଶିଷ୍ଟ ରହିବ। ବିଜ୍ଞାନ, କଳା, ବାଣିଜ୍ୟ, ଧନ୍ଦାମୂଳକ ଓ କରେସ୍ପୋଣ୍ଡେନ୍ସ ପାଠ୍ୟକ୍ରମର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୧୦ ଓ ୨୦ ମାର୍କ ବିଶିଷ୍ଟ ପରୀକ୍ଷା କରା‌ଯିବ। ଯାହାର ଅବଧି ୪୫ ମିନିଟ୍ ରଖାଯାଇଛି। ପ୍ରାକ୍ଟିକାଲ ତ‌ଥା ପ୍ରୋଜେକ୍ଟ ଥିବା ବିଷୟଗୁଡ଼ିକରେ ୨୦ ମାର୍କର ପରୀକ୍ଷା ହେବ ଏବଂ ସମୟ ଅବଧି ଦୁଇ ଘଣ୍ଟା ରହିବ। ସରକାରୀ ଛୁଟି ଦିନ ବ୍ୟତୀତ ଅନ୍ୟ ଦିନରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବାକୁ ସିଏଚ୍ଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସେପଟେ ଯୁକ୍ତ୨ ଥିଓରି ପରୀକ୍ଷା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବା ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ଆରମ୍ଭ ହେବ ଚଳିତବର୍ଷ ଉଭୟ ରେଗୁଲାର ଏକ୍ସ-ରେଗୁଲାରରେ ଦେବାକୁ ୩ଲକ୍ଷ ୯୨ ହଜାର ୮୬୭ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୪୬ ହଜାର ପରୀକ୍ଷାର୍ଥୀ ରହିଥିବା ବେଳେ ବିଜ୍ଞାନରେ ପ୍ରାୟ ୧ଲକ୍ଷ ୧୫ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ୧୫ ମିନିଟ୍ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଯେଉଁ ସିସିଟିଭି ଲାଗିବ ତାହାର ସଂଯୋଗ ସିଏଚ୍ଏସ୍‌ମ୍ଭର ମୁଖ୍ୟ କାର୍ଯ୍ୟାଳୟ ସହ ରହିବ। ପରିଣାମ ସ୍ବରୂପ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରୁ ସିଧା ମନିଟରିଂ କରାଯାଇପାରିବ। ପରିଷଦ କାର୍ଯ୍ୟାଳୟରେ ୫୫ ଇଞ୍ଚର ୧୦ଟି ଏଲ୍‌ଇଡି ଟିଭି, ୧୦ଟି ଡେକ୍ସଟପ୍ ସହ ଆବଶ୍ୟକୀୟ ସରଞ୍ଜାମ, ୬ଜଣ ଲୋକ ଓ ଦୁଇଟି ପ୍ରିଣ୍ଟର ଲଗାଯିବା କେନ୍ଦ୍ରଗୁଡ଼ିକରେ କିଭଳି ପରୀକ୍ଷା ଚାଲିଛି ତାହାର ସିଧାସଳଖ ନଜର ରହିବ। ଥିଓରି ପୂର୍ବରୁ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୩୦, ୫୦ ଓ ୬୦ ମାର୍କର ପ୍ରାକ୍ଟିକାଲ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ୧୫ ମାର୍କ ଥିବା ବିଷୟର ପ୍ରାକ୍ଟିକାଲ୍‌କୁ ୨ ଘଣ୍ଟା ଦିଆଯିବ। ଏଣିକି ବାର୍ଷିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରି ପରୀକ୍ଷା ଦେବାକୁ ପଡ଼ିବ ସେଥିରୁ ୨୪ ମାର୍କ ରଖିଲେ ଜଣେ ପରୀକ୍ଷାର୍ଥୀ ପାସ୍‌ କରିବେ । ଇଣ୍ଟରନାଲ୍ ଆସେସ୍‌ମେଣ୍ଟରେ ପରୀକ୍ଷାର୍ଥୀ ଯେତିକି ମାର୍କ ରଖିବେ ତାହାକୁ ମୋଟ ମାର୍କ ସହ ସଂଯୋଗ କରାଯିବ। ହେଲେ ଥିଓରି ମାର୍କ ସହ ମିଶ୍ରଣ କରାଯାଇ ପାସ୍‌ ବୋଲି ଗଣାଯିବ ନାହିଁ । ଇଂରାଜୀ, ଇତିହାସ, ରାଜନୀତି ବିଜ୍ଞାନ ବିଷୟରେ ମୋଟ ୮୦ ମାର୍କର ପରୀକ୍ଷା ହେବ ସେଥିରୁ ପରୀକ୍ଷାର୍ଥୀ ୨୪ ମାର୍କ ଅର୍ଥାତ୍ ୩୦% ମାର୍କ ରଖିଲେ ହିଁ ଉତ୍ତୀର୍ଣ୍ଣ ହେବେ।

ଯଦି ଜଣେ ପରୀକ୍ଷାର୍ଥୀ ଇଣ୍ଟରନାଲ୍ ପରୀକ୍ଷାରେ ୨୦ରୁ ୧୮ ମାର୍କ ପାଇଥିବେ, ହେଲେ ଥିଓରି ପରୀକ୍ଷାରେ ୮୦ରୁ ୨୦ ମାର୍କ ରଖିବେ ତାହା ହେଲେ ତାଙ୍କୁ ଫେଲ୍ ବୋଲି ଘୋଷଣା କରାଯିବ।

 

୯ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର, ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଛାତିଥରା ଦୁର୍ଘଟଣା। ଫୁଟପାଥରେ ଶୋଇଥିବା ବେଳେ ୯ଜଣଙ୍କ ଉପରେ ଚଢ଼ିଗଲା ଡମ୍ପର। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୬ଜଣ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଣେ ଥାନା ଓ୍ବାଘୋଲି ଛକ ନିକଟ ଫୁଟପାଥରେ ୯ ଜଣ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି। ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ମୃତାହତ ସମସ୍ତେ ଶ୍ରମିକ ହୋଇଥିବାବେଳେ ଅମରାବତୀରୁ ସମସ୍ତ ଆସିଥିଲେ। ଘଟଣାରେ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ପୁଣେ ପୋଲିସ।

ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା, ୧୦ ମୃତ

ନନ୍ଦିଘୋଷ ବ୍ୟୁରୋ: ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣବ୍ରାଜିଲ ଗ୍ରାମାଡୋରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଘନ କୁହୁଡ଼ି ଯୋଗୁଁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ବିମାନ ଉଡାଣର ଅଳ୍ପ ସମୟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ବ୍ୟବସାୟୀ କ୍ରିସମାସ ପାଳନ ପାଇଁ ନିଜ ପରିବାର ସହ ଯାଉଥିଲେ। ହେଲେ ଶୋକରେ ପରିଣତ ହେଲା କ୍ରିସମାସ ଖୁସି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବିମାନଟି ପ୍ରଥମେ ଗୋଟିଏ ଘରର ଚିମନିରେ ମାଡ଼ ହୋଇଥିଲା। ପରେ ଗୋଟିଏ ବିଲ୍ଡିଂର ଦ୍ବିତୀୟ ମହଲାରେ ମାଡ଼ ହୋଇ ଏକ ଫର୍ଣ୍ଣିଚର ଦୋକାନ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ସେଠାରେ ଥିବା ପ୍ରାୟ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।