ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଉଡ଼ାଇଦେବାକୁ ଧମକ। ଇ-ମେଲରେ ଧମକ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ନିକଟକୁ ଆସିଛି ଏହି ମେଲ୍। ରୁଷୀୟ ଭାଷାରେ ଧମକ ଆସିବା ପରେ ଚାଲିଛି ଏହାର ଛାନବିନ। ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଭାରତୀୟ ନ୍ୟାୟ ସଂହିତାର ଧାରା ଅନୁସାରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ଜଣେ ପୋଲିସ ଅଧିକାରୀ ଆରବିଆଇର ଅଫିସିଆଲ ୱେବସାଇଟକୁ ଏହି ଧମକ ଆସିଛି ବୋଲି କହିଛନ୍ତି । ମାତା ରମାବାଈ ମାର୍ଗ ପୋଲିସ ଷ୍ଟେସନରେ ମାମଲା ଏହି ଘଟଣା ନେଇ ମାମଲା ରୁଜୁ ହୋଇଛି ।
ନୂଆଦିଲ୍ଲୀ ବିଧାନସଭାରେ ଏଥର କଡ଼ା ଟକ୍କର : ସନ୍ଦୀପ ଦୀକ୍ଷିତଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ନୂଆଦିଲ୍ଲୀ ଆସନରେ ଏଥର ହେବ ହାଇଭୋଲଟେଜ୍ ଟକ୍କର। ଆପର ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଲଢିବେ କଂଗ୍ରେସର ସନ୍ଦୀପ ଦୀକ୍ଷିତ। ଗୁରୁବାର ରାତିରେ ସନ୍ଦୀପଙ୍କ ନାଁ ଘୋଷଣା କରିଛି କଂଗ୍ରେସ। ସିଇସି ବୈଠକ ପରେ କଂଗ୍ରେସର ପ୍ରଥମ ତାଲିକା ପ୍ରକାଶ ପାଇଥିଲା।
ସନ୍ଦୀପ ଦୀକ୍ଷିତଙ୍କୁ ନୂଆଦିଲ୍ଲୀ ଆସନରୁ ଲଢ଼ାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏହି ଆସନରୁ ଆପ୍ ତରଫରୁ ଲଢୁଛନ୍ତି କେଜରିୱାଲ। ତେଣୁ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିବ। ସନ୍ଦୀପ ଆଗରୁ ସାଂସଦ ହୋଇଥିଲେ ଦିଲ୍ଲୀରୁ । ସେ ହେଉଛନ୍ତି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ପୁଅ। କଂଗ୍ରେସ ତାର ପ୍ରଥମ ପର୍ଯ୍ୟାୟ ତାଲିକାରେ ୨୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀ ପିସିସି ସଭାପତି ବଦଲି ଆସନରୁ ଦେବେନ୍ଦର ଯାଦବ ଲଢିବେ । ସେପଟେ ଆମ୍ ଆଦମୀ ପାର୍ଟି ଆଗରୁ ୨ଟି ପର୍ଯ୍ୟାୟରେ ୩୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍
ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ମସଜିଦ ଓ ଧାର୍ମିକ ପୀଠରେ ଚାଲିଥିବା ସର୍ଭେ ଉପରେ ରୋକ୍। ଏ ସଂକ୍ରାନ୍ତ ୬ଟି ପିଟିସନର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଫଳରେ ଜ୍ଞାନବାପି ମସଜିଦ, ମଥୁରା ଶାହି ଇଦଗା, ସମ୍ଭଲର ଶାହି ଜାମା ମସଜିଦ ଆଦି ପୀଠସ୍ଥଳୀ ଉପରେ ଚାଲିଥିବା ସର୍ଭେ ଉପରେ ରୋକ୍ ଲାଗିଛି। ଏସମ୍ପର୍କରେ ପରବର୍ତ୍ତୀ ଶୁଣାଣି ହେବା ଯାଏ ସ୍ଥଗିତାଦେଶ ଜାରି ରହିବ। ଆସନ୍ତା ୪ ସପ୍ତାହ ମଧ୍ୟରେ ପରବର୍ତ୍ତୀ ଶୁଣାଣି ହେବ।
ଦେଶରେ ମୁସଲିମମାନଙ୍କ ପୀଠଗୁଡିକ ଉପରେ ହିନ୍ଦୁମାନଙ୍କ ଅଧିକାର ସାବ୍ୟସ୍ତ ପ୍ରସଙ୍ଗରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ହିନ୍ଦୁ ପକ୍ଷର ଦାବି ଥିଲା ମୋଗଲ ରାଜତ୍ବ ସମୟରେ ଅନେକ ମନ୍ଦିରକୁ ଭାଙ୍ଗି ସେଠାରେ ମସଜିଦ ନିର୍ମିତ ହୋଇଥିଲା । ଏହା ସହ ଧାର୍ମିକ ପୀଠସ୍ଥଳୀ ଆଇନକୁ ନିମ୍ନକୋର୍ଟ ଅବମାନନା କରୁଥିବା ନେଇ ବି ପିଟିସନରେ ଉଲ୍ଲେଖ ରହିଥିଲା । ଏହି ଆଇନରେ ସ୍ବାଧୀନତା ପରେ କୌଣସି ପୀଠସ୍ଥଳୀକୁ ଅନ୍ୟ ରୂପ ଦିଆଯିବା ଉପରେ କଟକଣା ଲଗାଯାଇଛି । ଏହି ଆଇନକୁ ରଦ୍ଦ କରିବା ଲାଗି ହୋଇଥିବା ଆବେଦନକୁ ସିଜେଆଇ ସଞ୍ଜୀବ ଖନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେ. ଭି. ବିଶ୍ବନାଥନ ମାମଲାର ଶୁଣାଣି କରିଥିଲେ ।
ପୂର୍ବରୁ ଅଯୋଧ୍ୟା ବିଦାଦର ରାୟ ଦେବାବେଳେ ଏହି ଆଇନକୁ ଯଥାର୍ଥ କହିଥିଲେ ୫ ଜଣିଆ ଖଣ୍ଡପୀଠ । ସମ୍ବିଧାନର ମୂଳ ଲକ୍ଷ୍ୟ ରକ୍ଷା ଦିଗରେ ଏହି ଆଇନ ଉଦ୍ଦିଷ୍ଟ ବୋଲି ଖଣ୍ଡପୀଠ କହିଥିଲେ । ଇତିହାସକୁ ପରିବର୍ତ୍ତନ କରିବା ଲାଗି କାହାର ଅଧିକାର ନାହିଁ ବୋଲି କହିଥିଲେ ଖଣ୍ଡପୀଠ । ଅଯୋଧ୍ଯା ରାୟ ପରେ ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟରେ ବହୁ ପିଟିସନ ଦାୟର ହୋଇଥିଲା । ବିଜେପିର ଅଶ୍ବିନୀ ଉପାଧ୍ଯାୟ, ସୁବ୍ରମଣ୍ଯମ ସ୍ବାମୀ ଓ ଅନ୍ଯ ହିନ୍ଦୁ ସଂଗଠନ ପକ୍ଷରୁ ଏହି ପିଟିସନ ଦାୟର ହୋଇଥିଲା । କାଶୀ, ମଥୁରା, ଜ୍ଞାନବାପି, ସମ୍ଭଲର ଶାହି ଜାମା ମସଜିଦ, ଆଜମେରର ସୁଫି ସାଧୁ ଖ୍ବାଜା ମୌଇନୁଦ୍ଦିନ ଚିସ୍ତି ମସଜିଦକୁ ନେଇ ବିବାଦ ଲାଗି ରହିଛି।

