spot_img
Home Blog Page 1308

କାଜାଖସ୍ତାନରେ ବିମାନ ଦୁର୍ଘଟଣା, ୪୨ ଯାତ୍ରୀଙ୍କ ମୃତ୍ୟୁ !

ନନ୍ଦିଘୋଷ ବ୍ୟୁରୋ: କାଜାଖସ୍ତାନରେ ବିମାନ ଦୁର୍ଘଟଣା । ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି କ୍ରାସ୍ ହୋଇଛି । ବିମାନରେ ୭୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିିଛି । ତେବେ ସଠିକ୍ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁଯାୟୀ, ଆଇଜରବାଇଜାନ ଏୟାରଲାଇନ୍ସର ବିମାନ ଦୁର୍ଘଟଣା । ଏହି ବିମାନଟି ଆଇଜରବାଇଜନର ରାଜଧାନୀ ବାକୁରୁ ଗ୍ରୋନଜି ସହରକୁ ଯାଉଥିଲା । ରୁଷିଆର ଚେଚେନ୍ୟାର ଗ୍ରୋଜନୀ ଯାଉଥିଲା ଏହି ବିମାନ । ଅକତାଉରେ ବିମାନଟି ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲା । ଅବତରଣର ବେଳେ ବିମାନଟିରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୪୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିମାନଟି ମାଟିରେ ଘସି ହେବା ପରେ ନିଆଁ ଲାଗି ଯାଇଥିଲା । ଏୟାରପୋର୍ଟ ନିକଟରେ ହିଁ ଦୁର୍ଘଟଣା ଘଟିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ; ହାତୁଡିରେ ପିଟି ସାଙ୍ଗ ନେଲା ସାଙ୍ଗର ଜୀବନ

କେନ୍ଦୁଝର: କେନ୍ଦୁଝର ଯୋଡ଼ାରେ ଚାଞ୍ଚଲ୍ୟ । ହାତୁଡିରେ ପିଟି ଜଣେ ସାଙ୍ଗ ନେଲା ସାଙ୍ଗର ଜୀବନ । ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ । ଏହି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ପୌରାଞ୍ଚଳ ୬ ନଂ ୱାର୍ଡ଼ ବାଚୁ ହଟିଂ ଅଞ୍ଚଳରେ । ମୃତକ ହେଲେ ଭାଗବତ ବେଶ୍ରା।

ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାସ୍ଥଳୁ  ହତ୍ୟାକାରୀ ସାଙ୍ଗ ଦୁର୍ଗା ନାଏକ ଫେରାର ହୋଇଯାଇଛି । ସୂଚନା ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭକରିଛି ।  ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମକୁ ଡକାଯାଇଛି ।  ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ବାହାରି ଆସି ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।

ସେପଟେ ଆହତ ବ୍ୟକ୍ତି ଦଶରଥ କାରୁଆଙ୍କ କହିବା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁର୍ଗା ନାଏକ ମଦ ଆଣିବାକୁ ଯାଇଥିବା ବେଳେ ସେ ଏବଂ ଭାଗବତ ବେଶ୍ରା ରୋଷେଇ କରୁଥିଲେ।  ପାଖାପାଖି ୮ ଟା ସମୟରେ ଦୁର୍ଗା ନିଶାରେ ଚୁର ହୋଇ ମଦ ନେଇ ଫେରିବା ପରେ ହଠାତ୍ ଏକ ହାତୁଡ଼ି ନେଇ ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଭାଗବତଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଦୁର୍ଗା। ସେଠାରୁ ଜୀବନ ନେଇ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ଦଶରଥ। ହତ୍ୟାକାରୀ ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ହୋଇଯାଇଛି । ପ୍ରାୟ ୫ ବର୍ଷ ତଳେ ଦୁର୍ଗା ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ଗିରଫ ହୋଇ ଜେଲ୍ ମଧ୍ୟ ଯାଇଥିଲା।

ଅନ୍ୟପଟେ  ଖବର ପାଇ ପୋଲିସ୍ ଅଧିକାରୀଙ୍କ ସହ ବଡ଼ବିଲ ଆଡ଼ିସନାଲ ଏସ ପି ପ୍ରତ୍ୟୁଷ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ପ୍ରକୃତରେ କାଲି ରାତିରେ କ’ଣ ଘଟିଥିଲା । ହଠାତ୍ କାହିଁକି ଉତକ୍ଷିପ୍ତ ହୋଇ ଉଠିଲା ଦୁର୍ଗା । ଏସବୁକୁ ନେଇ ପୋଲିସ୍ ତଦନ୍ତ ଚଳାଇବା ସହ ଫେରାର ଅଭିଯୁକ୍ତ ସାଙ୍ଗ ଦୁର୍ଗା ନାଏକକୁ ଧରିବା ପାଇଁ ତନାଘନା ଚଳାଇଛି ଯୋଡ଼ା ପୋଲିସ୍।

ବାଂଲାଦେଶକୁ ଆମେରିକାର କଡ଼ା ଚେତାବନୀ; ‘ସବୁ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା ଦିଅ’

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶକୁ ଆମେରିକାର କଡ଼ା ଚେତାବନୀ। ସବୁ ଧର୍ମ, ସବୁ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷା ଦିଅ। ସମସ୍ତଙ୍କ ଅଧିକାରକୁ ସୁରକ୍ଷା ଦିଅ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କାହାରି ମାନବିକ ଅଧିକାର କ୍ଷୂର୍ଣ୍ଣ ନ ହେଉ ବୋଲି ହ୍ଵାଇଟ୍ ହାଉସ୍ ପକ୍ଷରୁ ବାଂଲାଦେଶକୁ କୁହାଯାଇଛି। ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶରେ ଲାଗି ରହିଛି ଅରାଜକତା। ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରାଯାଉଛି। କେବଳ ଯେ ଦଙ୍ଗାକାରୀମାନେ ଏପରି କରୁଛନ୍ତି, ତାହା ନୁହେଁ ସରକାରୀ ସ୍ତରରେ ବି ପୋଲିସ ଓ ଅନ୍ୟ ସଂସ୍ଥା ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି। ଏହାକୁ ନେଇ ସାରା ବିଶ୍ଵରେ ବିଶେଷ କରି ପଡ଼ୋଶୀ ଭାରତରେ ଉଦବେଗ ପ୍ରକାଶ ପାଇଛି।

କିଛି ଦିନ ତଳେ ଇସ୍କନର ବଡ଼ ବଡ଼ ସନ୍ଥଙ୍କୁ ବିନା କାରଣରେ ଗିରଫ କରି ଜେଲରେ ରଖାଯାଇଛି। ଏପରିକି ସେମାନଙ୍କ ପାଇଁ ମାମଲା ଲଢ଼ିବାକୁ ଓକିଲମାନେ ବି ରାଜି ହେଉ ନାହାନ୍ତି। କେବଳ ଏତିକି ନୁହେଁ, ହିନ୍ଦୁମାନଙ୍କ ସହିତ ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ବି ଆକ୍ରୋଶର ଶିକାର ହେଉଛନ୍ତି। ମନ୍ଦିର ଭାଙ୍ଗିବା ସହ ମୂର୍ତ୍ତି ଭାଙ୍ଗିଛନ୍ତି ଦୁର୍ବୃତ୍ତ । ବିଭିନ୍ନ ଧର୍ମପୀଠକୁ ବି ଟାର୍ଗେଟ କରାଯାଉଛି। ଏସବୁ ବନ୍ଦ କରାଯାଉ ବୋଲି ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ କହିଛନ୍ତି ହ୍ଵାଇଟ୍ ହାଉସର ମୁଖପାତ୍ର ସୁଲିଭାନ। ବାଂଲାଦେଶ ଉପରେ ଆମେରିକା ତୀକ୍ଷଣ ନଜର ରଖିଛି ବୋଲି ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।

ଆତିଶିଙ୍କୁ ଗିରଫ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମୁହାଁମୁହିଁ। ଏବେ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି କ୍ଷମତାରେ ଥିଲେ ବି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ଆଗରୁ ଆପ୍ ଦୁଇଟି ବଡ଼ ଘୋଷଣା କରିଛି। ବରିଷ୍ଠ ଲୋକଙ୍କୁ ମାଗଣା ଚିକିତ୍ସା ପାଇଁ ସଂଜୀବନୀ ଯୋଜନା ଓ ମହିଳାଙ୍କୁ ଆର୍ଥିକ ସହାୟତା ପାଇଁ ମହିଳା ସମ୍ମାନ ଯୋଜନା ଘୋଷଣା କରାଯାଇଛି। ଏପରିକି ଏହାର ପଂଜୀକରଣ ପାଇଁ ନିଜେ ଆପ୍ ତରଫରୁ ବିଭିନ୍ନ କଲୋନି ବୁଲୁଛନ୍ତି ନେତାମାନେ। ତେବେ ଦିଲ୍ଲୀ ସରକାରଙ୍କ ତରଫରୁ ଏପରି କୌଣସି ଯୋଜନା ଲାଗୁ କରାଯାଇ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ କହିଛି। ଏ ସଂପର୍କିତ ବିଜ୍ଞାପନ ବିଭିନ୍ନ ଖବର କାଗଜରେ ଆଜି ପ୍ରକାଶ ପାଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ସଂଜୀବନୀ ନାଁରେ ଆମର କୌଣସି ଯୋଜନା ନାହିଁ। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବାର ଅଧିକାର ବି କାହାର ନାହିଁ। ଏହା ବେଆଇନ।

ସେହିପରି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି, ମହିଳା ସମ୍ମାନ ନାଁରେ ଆମର କୌଣସି ଯୋଜନା ନାହିଁ। ଏହା ପରେ ବିଜେପିକୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଅରବିନ୍ଦ କେଜରିୱାଲ ଓ ମୁଖ୍ୟମନ୍ତ୍ରୀ ଅତିଶୀ। କେଜରିୱାଲ କହିଛନ୍ତି, ଆମେ ଯୋଜନା ଘୋଷଣା କରିବା ପରେ ବିଜେପି ପୁରା ଡରି ଯାଇଛି। ନିର୍ବାଚନର ଏଥର ମଧ୍ୟ ବିଜେପିର ଶୋଚନୀୟ ପରାଜୟ ହେବ। ସେଥିପାଇଁ ସେମାନେ ଆତଙ୍କିତ। ଦିଲ୍ଲୀ ପାଇଁ ବିଜେପି କିଛି ବି କରି ନାହିଁ। ରାଜଧାନୀର ଆଇନ ଶୃଙ୍ଖଳା ବିଗିଡ଼ିଛି। ସଂଜୀବନୀ ପାଇଁ ୧ ଲକ୍ଷ ୫୦ ଲୋକ ପଂଜୀକରଣ କଲେଣି। ସେହିପରି ମହିଳା ସମ୍ମାନ ଯୋଜନାରେ ୧୩ ଲକ୍ଷ ମହିଳା ପଂଜୀକରଣ କଲେଣି । ଏହି କାମରେ ଲାଗିଛନ୍ତି ୩ ହଜାର ଆପ୍ କର୍ମୀ। ଏହାକୁ ବିଜେପି ସହିପାରୁନି। ତେଣୁ ମୁଖ୍ୟମନ୍ତ୍ରୀ ଅତିଶୀ ଓ ଦଳ ଅନ୍ୟ ବରିଷ୍ଠ ନେତାଙ୍କୁ ଗିରଫ କରିବାକୁ ଷଡ଼଼ଯନ୍ତ୍ର କରାଯାଉଛି। କେଜରିୱାଲ କହିଛନ୍ତି, ମୋ ଉପରେ, ସିସୋଦିଆ, ସଂଜୟଙ୍କ ଉପରେ ରେଡ୍ ହୋଇପାରେ।

ମୁଖ୍ୟମନ୍ତ୍ରୀ ଅତିଶି କହିଛନ୍ତି, ବିଜେପିର ସବୁ ଷଡ଼ଯନ୍ତ୍ର ଫେଲ୍ ମାରିବ। ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ମୋର ଭରସା ଅଛି। ସ୍ଵାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ତରଫରୁ ଯେଉଁ ନୋଟିସ୍ ବାହାର କରାଯାଇଛି, ତାହା ଠିକ୍ ନୁହେଁ। ବିଜେପିର ଚାପରେ ଅଧିକାରୀମାନେ ଏପରି କରିବାକୁ ବାଧ୍ୟ ହୋଇଛନ୍ତି।

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସକ୍ରିୟ ଓ୍ବେଲମାର୍କ ଲୋପ୍ରେସର: ବର୍ଷା ସହ କାଲିଠୁ ଆହୁରି ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଓ୍ବେଲମାର୍କ ଲୋପ୍ରେସର। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ନେବ ଲଘୁଚାପର ରୂପ। ଦକ୍ଷିଣ ଆନ୍ଧ୍ର ଏବଂ ଉତ୍ତର ତାମିଲନାଡୁ ଉପକୂଳ ମୁହାଁ ହେବ ଲଘୁଚାପ। ବର୍ଷା ସହ କାଲିଠୁ ଆହୁରି ବଢିବ ଶୀତର ପ୍ରକୋପ। ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବ ତାପମାତ୍ରା। ଆସନ୍ତା ୨୭ ତାରିଖ ସକାଳ ପର୍ଯ୍ୟନ୍ତ ଜାରି ରହିବ ବର୍ଷା।

ଆଜି ଉପକୂଳ ଓଡିଶାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ,ସୋନପୁର, ବୌଦ୍ଧ, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ବର୍ଷା ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।

ଆସନ୍ତା କାଲି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା: ମୁହଁ ଖୋଲିଲେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପରିବାର

ଭୁବନେଶ୍ୱର: ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା ଓ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଏଏସଓ ବୈକୁଣ୍ଠ ପ୍ରଧାନଙ୍କ ପରିବାର ମୁହଁ ଖୋଲିଛନ୍ତି। କହିଛନ୍ତି, ଏବେ ଆମକୁ ନ୍ୟାୟ ମିଳିବ ବୋଲି ଆଶା କରୁଛୁ। ବୈକୁଣ୍ଠଙ୍କ ପତ୍ନୀ ସାୟୋଜ କୁମାରୀ କହିଛନ୍ତି, ରାଜ୍ୟପାଳଙ୍କୁ ଆମେ ଭେଟିବୁ ଓ ନ୍ୟାୟ ମାଗିବୁ। ସେତେବେଳେ ରାଜ୍ୟ ସରକାର କହିଥିଲେ, ପୁରୀ ଜିଲ୍ଲାପାଳ ତଦନ୍ତ କରି ମାସେ ଭିତରେ ନ୍ୟାୟ ଦେବେ। କିନ୍ତୁ ଜିଲ୍ଲାପାଳ ରିପୋର୍ଟ ଦେଇ ନାହାନ୍ତି କି ନ୍ୟାୟ ମିଳିନି। ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରାଯାଇଥିଲା। ସେହି ସ୍ଵରକୁ ଚାପି ଦିଆଗଲା। ଏହି ଘଟଣା ଓଡ଼ିଆ ଅସ୍ମିତା ପ୍ରତି କୁଠାରାଘାତ। ଏବେ ରଘୁବର ଦାସ ଓ ତାଙ୍କ ପୁଅ ସାଧାରଣ ନାଗରିକ ହୋଇଥିବାରୁ ଆମେ ନ୍ୟାୟକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ବୈକୁଣ୍ଠଙ୍କ ପତ୍ନୀ।

ସୂଚନାଯୋଗ୍ୟ, ପୁରୀ ରାଜଭବନରେ ଥିବା ବେଳେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରଘୁବର ଦାସଙ୍କ ପୁଅ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରଘୁବର ଦାସ ରାଜ୍ୟପାଳ ଥିଲେ। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ହୋଇଥିଲା। ତା ସତ୍ତ୍ଵେ ରାଜ୍ୟପାଳଙ୍କ ପୁଅ ହୋଇଥିବାରୁ ବୋଧହୁଏ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ତଦନ୍ତ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ କିଛି ହୋଇନଥିଲା। ଏବେ ରାଜ୍ୟପାଳ ବଦଳିଥିବାରୁ ନ୍ୟାୟ ମିଳିବ ବୋଲି ଆଶା କରିଛନ୍ତି ବୈକୁଣ୍ଠଙ୍କ ପରିବାର।

‘ଆସନ୍ତାକାଲି ଧୁମଧାମରେ ପାଳନ ହେବ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ’

ଭୁବନେଶ୍ୱର: ଆସନ୍ତାକାଲି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ସେ କହିଛନ୍ତି , ଏହାକୁ ଧୁମଧାମରେ ପାଳନ କରାଯିବ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଲୋକଙ୍କୁ ଉଦବୋଧନ ଦେବେ । ଏଥିପାଇଁ ସମସ୍ତେ ଉତ୍ସାହିତ ଅଛୁ ।  ଓଡ଼ିଶା ପାଇଁ ତାଙ୍କ ଅବଦାନ ଯାହା ରହିଛି, ଏହା ଇତିହାସରେ ଅବିସ୍ମରଣୀୟ । କାରଣ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଓଡ଼ିଶାକୁ ପୃଥିବୀରେ ପରିଚିତ କରିଛନ୍ତି । ଦେଶ ବିଦେଶରୁ ଓଡ଼ିଶାକୁ ଲୋକଙ୍କୁ ସୁଅ ଛୁଟୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ ପରି କ୍ଷେତ୍ର ସହ ଜଳବାୟୁ ଉନ୍ନତିରେ ବି ତାଙ୍କ ଅବଦାନ ରହିଛି ବୋଲି ଅନନ୍ତ ନାରାୟଣ ଜେନା କହିଛନ୍ତି ।

ସତ୍ୟନଗର ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ନେଲେ ନବୀନ

ଭୁବନେଶ୍ୱର: ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିଥିଲେ ନବୀନ। ଏହା ସହ ସେଠାରେ ଥିବା ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ନବୀନ ପଟ୍ଟନାୟକ।

ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରଦ୍ଧାଳୁ।

‘ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ’ !

ନୂଆଦିଲ୍ଲୀ:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶିଙ୍କୁ କରାଯାଇପାରେ ଗିରଫ। ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ। ବିଭିନ୍ନ ମିଛ ମାମଲାରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି କେଜରିୱାଲ। ମହିଳା ସମ୍ମାନ ଯୋଜନା, ସଞ୍ଜୀବନୀ ଯୋଜନା ପରି କେତେକ ଜନହିତକର କାର୍ଯ୍ୟକ୍ରମ କରାଯାଉଥିବାରୁ କେତେକ ମହଲ କ୍ଷୁବ୍ଧ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ଗିରଫ କରାଯାଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଆପ ସରକାରର ଏଜେଣ୍ଡାକୁ ନେଇ ଦଳର ବହୁ ନେତାଙ୍କ ଉପରେ ଚଢାଉ କରାଯିବା ସମ୍ଭାବନା ରହିଛି।

ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍, ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ଜଳେଶ୍ବରରେ ଗହଣା ଦୋକାନରୁ ଲୁଟ୍ । ଦୋକାନ ଭିତରେ ପଶି ନଗଦ ୫ ଲକ୍ଷ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। କମର୍ଦ୍ଦା ଥାନା ଅନ୍ତର୍ଗତ କମର୍ଦ୍ଦା ବଜାରରେ ଥିବା ମାଳତୀ ଜୁଏଲାର୍ସରୁ ଲୁଟ ହୋଇଛି । ଦୋକାନୀ ପାଣି ଆଣିବାକୁ ଯାଇଥିବା ବେଳେ ଟଙ୍କା ଏବଂ ଗହଣା ବ୍ଯାଗ ନେଇ ଚମ୍ପଟ ମାରିଛି ଦୁର୍ବୃତ୍ତ। ୫ ଲକ୍ଷ ନଗଦ ଟଙ୍କା ସହ ୩୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ତଦନ୍ତ କରୁଛି ପୋଲିସ ।